ନାଲିଫିତା
ନାଲିଫିତା
ଏ ଝାଟିମାଟି କୁଡ଼ିଆ ଖଣ୍ଡକୁ ଛାଡିଦେଲେ ମୋତେ ସାଥ ଦେବାପାଇଁ କେହିବି ନାହାଁନ୍ତି ।ବାପା ଚାଲିଯିବାର ଦୁଇ ମାସ ବିତି ଗଲାଣି ।ଏ ଦୁଇ ମାସ ଭିତରେ ମୁଁ କେଇଦିନ ମୁଠେ ଖାଇଛି ଅବା କୋଉଦିନ ଉପାସ ତାହାର ହିସାବ ନାହିଁ ।
ବାପା ବଞ୍ଚିଥିବା ସମୟରେ କହୁଥିଲେ ମୁଁ କୁଆଡେ ହାତଭାଗା ଟାଏ ।ଛୋଟ ବୟସ ରେ ମାଆ କୁ ହରେଇଛି ।
ମୋ ମୁହଁ କୁ ଚାହିଁ ବାପା ଦ୍ୱିତୀୟ ବିବାହ କଲେ ନାହିଁ ।ଶରୀର ର ପ୍ରତ୍ୟେକ ରକ୍ତ ବିନ୍ଦୁ କୁ ଝାଳ କରି ଉପାର୍ଜିତ ଧନସମ୍ପତି କୁ ଲଗେଇ ମୋତେ ମଣିଷ ଟିଏ କରିବାକୁ ଚେଷ୍ଟା କଲେ ।ହେଲେ ମୁଁ ତ ଅଙ୍ଗାର ଟାଏ ଯେତେ ମାଜିଲେ କଳାପାଣି ,ସଫା ହେବି କେମିତି ? ସମୟ ର ତାଳ ଦେଇ ସାଙ୍ଗ ସଂଗତ ରେ ପଡି ବାପାଙ୍କ ଅର୍ଥ ତୃଷାରପାତ କଲି ।ବାପା ବି ମୋ ଦେହରେ ଧୂଳି କଣିକାଟିଏ ପଡ଼ିବାକୁ ଦେଇ ନଥିଲେ ।ତାଙ୍କର ଲକ୍ଷ୍ୟ ଥିଲା ପୁଅ ମୋର ସରକାରୀ ଚାକିରୀ ଟିଏ କରୁ ।ମୋ ଭଳି ବାର ଓଳି ଶୁଣ୍ଢି ପିଣ୍ଢା ହେଇ ମାଟିକୁ ଚନ୍ଦନ ନ କରୁ ।
ହେଲେ ମୁଁ ପ୍ରତି ବଦଳରେ ଦେଲି ଯନ୍ତ୍ରଣା ।ଯେଉଁ ଯନ୍ତ୍ରଣା ଜାଳି ଜାଳି ତାଙ୍କୁ ବନେଇ ଦେଲା କେଇମୁଠା ପାଉଁଶ ।
ଦୁଇ ଦିନ ହେଲା ଉପାସ । ବାପା ତ ମୋ ପଢ଼ା ପଛରେ ସବୁକିଛି ସାରି ଦେଇଛନ୍ତି ।ରଖିଛନ୍ତି ଖାଲି ନୁଆଁଣିଆ ଛପର ଖଣ୍ଡକ ।ସେ ବି ବାଆ କୁ ବତା ।ଘର ଛାଡି ବାହାରେ କାମ ଖୋଜିବାକୁ ମନେକଲି ।ପେଟରେ ଦୁଇ ଦିନ ର ଭୋକ । ଆଜିକୁ ୨୪ ବର୍ଷ ଭିତରେ ୨୪ମିନିଟ ଖାଲି ନଥବା ପେଟ ବତେଇ ଦେଉଥିଲା ବାପାଙ୍କ ଅକ୍ଲାନ୍ତ ପରିଶ୍ରମକୁ । ଭୋକରେ ଗୋଡ଼ ଏପଟ ସେପଟ ହେଇ ପଡୁଥାଏ ।ଗାଁ ମୁଣ୍ଡ ବଜାରରେ ପହଂଚିଲି । ପ୍ରତିଦିନ ର ଦୋକାନ ନେପୁଆ ଭାଇକୁ କିଛି ଖାଇବା କୁ ମାଗିଲି ।ନେପୁଆ ଭାଇ ପଚାରିଲେ ପଇସା ଅଛି ।ମୁଁ ମନା କରିବାରୁ , ପ୍ରତିଦିନ ଦୋକାନ ରେ ପହଞ୍ଚିବା କ୍ଷଣି ମାଗିବା ପୂର୍ବରୁ ହାତକୁ ବରା ଇଟିଲି ପ୍ଲେଟ ବଢ଼ାଇ ଦେବା ହାତଟା, ହାତ ହଲେଇ ଦେବା ପାଇଁ ମନା କଲା ।ସରକାରୀ କଳରୁ ଆଞ୍ଜୁଳାଏ ପାଣି ପିଇ ଫେରି ଆସିଲି ।
ଲମ୍ବା ଚଉଡ଼ା ,ହଟ୍ଟାକଟା ଧୋବଧାବଳିଆ ଶରୀର ଟା ସିନା ପାଇଛି ।ହେଲେ ଚାଖଣ୍ଡେ ପେଟକୁ ମୁଠେ ଦାନା ପାଇଁ ଏ ଶରୀର ଯେପରି ଅକ୍ଷମ ସାଜି ସାରିଥିଲା ।ମନେ ପଡ଼ିଲା ମୋ କଲେଜ ବେଳର ପୁରୁଣା ବନ୍ଧୁ କଥା ।ଆର ଗାଁ ରେ ତା ଘର ।ଶୁଣିଛି କୁଆଡେ ସେ ଗାଁରେ ତାର ବହୁତ ଖାତିରି ।ଦୁଇ ମହଲା ଭଲ ଘର ଖଣ୍ଡେ କରିଛି ।ଆଉ ଭୁବନେଶ୍ୱର ରେ କଣ ଗୋଟେ ଭଲ ବିଜନେସ କରିଛି ।କଥାରେ ଅଛି ନଦୀରେ ଭାସି ଯାଉଥିଲେ କୁଟା ଖିଅ କୁ ଆସରା ।କ୍ଷଣ ଆଶା ନେଇ ତା ଘରକୁ ବାହାରି ପଡ଼ିଲି ।କୌଣସି ମତେ ପହଞ୍ଚି ଗଲି ତା ଘରେ । ମୋତେ ଦେଖି କୁଣ୍ଢେଇ ପକେଇଲା ।ମୋ ଭୋକିଲା ପେଟ ର କ୍ଷୁଧା କୁ ବୋଧେ ପଢି ଦେଲା ।ମୋ ପାଇଁ ଖାଇବା ଆଣି ଦେଲା । ଉଭୟ କ୍ଷଣିକ ଭିତରେ ପେଟପୁରା ଖାଇ ନେଲୁ ।ତା ବିଶ୍ରାମ କୋଠରୀରେ ଉଭୟ ବସି ବାର୍ତ୍ତାଳାପ କଲୁ ।ମୁଁ ମୋ କାହାଣୀ କହିଗଲି।ସେ ବି ଏକୁଟିଆ ହେବା ପରେ ଏତେ ବାଟ କେମିତି ଆସିଲା ତାହା ଗପି ଚାଲିଲା ।ତା ବିଜନେସ ରେ ମୋତେ ଟିକିଏ ଜାଗା ଦେବାକୁ ଅନୁରୋଧ କଲି ।ସେ କହିବାକୁ ଲାଗିଲା ଏ ଦୁନିଆ ଟା ଏତେ ସରଳ ନିହେଁ ।ଏଠି ସିଧା ଆଙ୍ଗୁଠି ରେ ଘିଅ ବାହାରେନି ।ଏ ଦୁନିଆରେ ବଞ୍ଚିବାକୁ ହେଲେ ..ଆଉ କିଛି କହିବା ଆଗରୁ ମୁଁ କହିଲି ମନା କରନି ମୁଁ ତୋର ସବୁ କଥାରେ ରାଜି ।ଯୋଉ କାମ କହିବୁ ମୁଁ ବିନା ଦ୍ବିଧା ରେ କରିବି କେବଳ ଏ ସମାଜରେ ବଂଚିବା ପାଇଁ ।ଦୁହେଁ ବାର୍ତ୍ତାଳାପ ରେ ମର୍ଜିଗଲୁ ।
ସମୟ ଚାରିଟା ପଚାଶ।ମୋ ସାଙ୍ଗ କହିଲା ଏବେ ଆମେ ବୁଲିବାକୁ ଯିବା ଚାଲ । ଦୁହେଁ କଟକ ଭୁବନେଶ୍ୱର ରୋଡ଼ ର ଗୋଟେ ବେଞ୍ଚ ଉପରେ ବସି ପଡ଼ିଲୁ ।ସୂର୍ଯ୍ୟାସ୍ତ ସମୟ ।ଲାଲ ରଙ୍ଗର ଶାଢ଼ୀ ପିନ୍ଧି ସେତେ ଯେମିତି ପୃଥିବୀ ନବ ବଧୂ ସାଜିଥିଲା ।ଏହି ସମୟରେ ମୋ ସାଙ୍ଗ ମୋ ହାତରେ ଲାଲ ରଙ୍ଗର ଫିତାଟାଏ ବାନ୍ଧିଦେଇ ଖଣ୍ଡେ ଦୂରରେ ଠିଆହେଲା ।ସେ ବି ନିଜ ହାତରେ ଫିତା ଖଣ୍ଡେ ଭିଡ଼ିନେଲା ।ମୁଁ କିଛି ବୁଝି ପାରୁ ନଥାଏ ।ସାଙ୍ଗକୁ କିଛି ପଚାରିବା ଆଗରୁ ହଠାତ ଗୋଟେ ନାମିଦାମୀ କାର ମୋ ପାଖରେ ଅଟକିଗଲା ।ଡୋର(Door) ଖୋଲି କେତେ ଜଣ ଯୁବତୀ ପାଖକୁ ଡାକିଲେ ।ମୁଁ ଭାବିଲି ବୋଧେ ବାଟ ଭୁଲି ଯାଇଥିବେ ,ବାଟ ଜାଣିବା ପାଇଁ ପାଖକୁ ଡାକୁଥିବେ ।ପାଖକୁ ଯାଇଛି ତ ସେମାନେ ମୋତେ କାର ଭିତରକୁ ଟାଣିନେଲେ ।ମୁଁ ସାଙ୍ଗକୁ ଚାହିଁଲା ବେଳକୁ ସେ ମୋତେ ଯିବାପାଇଁ ଇସାରା ଦେଲା ।ମୁଁ କାରରେ ବସି ଭାବୁଥାଏ, ଏମାନେ ବୋଧେ ମୋ ସାଙ୍ଗର ବିଜନେସ ପାଟନର ।ବିଜନେସ ମ୍ୟାଟର ରେ ମୋତେ ନେଉଛନ୍ତି ।
କିନ୍ତୁ ଏ କଣ ସେମାନେ ଗୋଟେ ହୋଟେଲର ନିବୁଜ କୋଠରୀ ରେ ମୋତେ ବସେଇଲେ ।ଖାଇବା ସହ ସୁରାପାନ ର ବନ୍ଦୋବସ୍ତ ଥିଲା ।ମୋତେ ସୁରାପାନ ପାଇଁ ନିମନ୍ତ୍ରଣ କଲେ ମୁଁ କିନ୍ତୁ ମନା କଲି ।ସେମାନେ ମଦ ନିଶାରେ ମୋ ଦେହର ପ୍ରତ୍ୟେକ ଟି ଅଙ୍ଗ ସ୍ପର୍ଶ କଲେ ।ବନ୍ଦ କୋଠରୀରେ ମୋ ସହ ଅସାମାଜିକ କାର୍ଯ୍ୟ ବି କଲେ ।ମୁଁ ଯେତେ ବିରୋଧ କଲେ ବି ତାଙ୍କ ଠାରୁ ବର୍ତ୍ତି ପାରିଲି ନାହିଁ ।କୋଠରୀ ରୁ ପଳାୟନ ପାଇଁ ଚେଷ୍ଟା କଲେ ବି ସେମାନେ ପୋଲିସ ର ଧମକ ଦେଲେ ।ମୋ ସହିତ ଏପରି କରି ସେମାନେ ବହୁତ ଖୁସି ପାଉଥିଲେ ।
ଯିବା ସମୟରେ ମୋ ହାତରେ କେତେ ଖଣ୍ଡ ପାଞ୍ଚ ଶହ ଟଙ୍କା ନୋଟ ଗୁଞ୍ଜି ଦେଇ ସେମାନେ ନିଜ ରାସ୍ତାରେ ବାହାରି ପଡିଲେ ।ଆଉ ମୁଁ ସେହି କେଇଖଣ୍ଡ ପାଞ୍ଚ ଶହ ଟଙ୍କିଆ ନୋଟ ଧରି ମୋ ହାତରେ ବନ୍ଧା ଥିବା ନାଲିଫିତା କୁ ଚାହିଁ ଦେଖୁଥିଲି ।
