Satyabati Swain

Tragedy Romance

2.5  

Satyabati Swain

Tragedy Romance

ତୁମେ ଆସିବ ମୁଁ ନଥିବି

ତୁମେ ଆସିବ ମୁଁ ନଥିବି

11 mins
471



"ମୀନୁ ନାନୀ ଭାରି ମନେ ପଡୁଛ ଆଜି।ଇଛା ତୁମ ପାଖେ ଘଡ଼ିଏ କାନ୍ଦିବାକୁ।"

         

ଏଇ ଦୁଇଟି ବାକ୍ୟ ଯଥେଷ୍ଟ ଥିଲା ମୋତେ ଦୋହଲାଇବା ପାଇଁ।ମୁଁ ଭାବରେ ଗୋଟେ ଅମୃତଭଣ୍ଡା ଗଛ।ଦଲକାଏ ପବନରେ ମୋ ହୃଦୟ ଭାବର ଚେର ଉପୁରି ପଡ଼େ।ଏ ଦୁଇଟି ବାକ୍ୟ ମୋ ପାଇଁ କୌଣସି ମହାବାତ୍ୟା ଠାରୁ କମ ନ ଥିଲା।ଏଣୁ ମୁଁ ସଂପୂର୍ଣ୍ଣ ଉପଡି ପଡି ମାଟି କାମୁଡିବା ଅବସ୍ଥା ପ୍ରାପ୍ତ ହେଲି।ଅଣ ନିଃଶ୍ଵାସୀ ଲାଗିଲା।ଶ୍ବାସ ରୋଗୀ ପରି ଉର୍ଦ୍ଧ ମୁହାଁ ହେଲା ମୋ ନିଃଶ୍ୱାସ।ବେଜାଏ କଷ୍ଟ ମୋତେ କଲବଲ କଲେ।

     

     ଏ ଦୁଇଟି ବାକ୍ୟ ମୋତେ ହ୍ଵାଟସ୍ ଆପ୍ ରେ ଲେଖି ପଠାଇ ଥିଲା ପ୍ରତାପ ଅନେକ ବର୍ଷ ପରେ। ଜୀଲୁ ଅପାଙ୍କ ସାନ ଭାଇ ପ୍ରତାପ।ରେଭେନ୍ସା ଲେଡିଜ୍ ହଷ୍ଟେଲ ରୁମ୍ ନମ୍ବର ତିନିରେ ଆମେ ରହୁଥିଲୁ ପାଞ୍ଚ ଜଣ ଜୀଲୁ,ରୀଟା,ବିଜି,ସୋନା ଓ ମୁଁ।ଜୀଲୁ ଅପା ଆମ ଦୁଇଟି ଉପର ବ୍ୟାଚ୍ ହେଲେବି ଆମେ ପରସ୍ପର ଅନ୍ତରଙ୍ଗ ବନ୍ଧୁ ପରି ମିଶୁଥିଲୁ।ଜୀଲୁ ଅପାଙ୍କ ଘର ବାଲେଶ୍ବର ଆଉ ମୋ ଘର ଜଗତସିଂହପୁର।କିନ୍ତୁ ପ୍ରଥମ ଦେଖାରୁ ଆମେ ପରସ୍ପର ପ୍ରତି ଆକୃଷ୍ଟ ହୋଇ ଥିଲୁ।ଯାହା ଦ୍ୱାରା ବଡ଼ ସାନର ଶଗଡ଼ ଗୁଲାକୁ ଲିଭେଇ ଆମେ ଅତି ଘନିଷ୍ଟ ହୋଇ ଯାଇଥିଲୁ ସମୟ କ୍ରମେ।ଜୀଲୁ ଅପାଙ୍କ ଘର ସହ ବି ମୁଁ ବେଶ ପରିଚିତ ହୋଇଗଲି,ଜୀଲୁ ଅପା ଆମ ଘରେ ମଧ୍ୟ।ମୋତେ ଜୀଲୁ ଅପା ହେଉ କି ତାଙ୍କ ଘର ଲୋକେ ଟିକେ ଅଧିକ ଭଲ ପାଆନ୍ତି ଏଇଥିପାଇଁ କି ମୁଁ ଲେଖାଲେଖି କରେ।ଏତେ କମ ବୟସରୁ ମୁଁ କଣ ଲେଖେ ଯଦିଓ ବୁଝି ପାରେ ନାହିଁ;କିନ୍ତି ଲେଖେ।କେମିତି ଲେଖେ ମୁଁ ବି ଜାଣି ପାରେ ନାହିଁ।ଲେଖିଲା ବେଳେ ମୁଁ ମୋ ଆୟତ୍ତରେ ନ ନଥାଏ।ଯାହା ଲେଖେ ପଢିଲା ବେଳକୁ ମୋତେ ଆଶ୍ଚର୍ଯ୍ୟ ଲାଗେ।ନିଜକୁ ପଚାରେ ମୁଁ ୟାକୁ ଲେଖିଛି!!

   

    ମୁଁ ନୁହେଁ ମୋ ଲେଖାହିଁ ଜୀଲୁ ଅପାଠୁ ଆରମ୍ଭ କରି ସମସ୍ତଙ୍କ ପାଖେ ମୋତେ ପରିଚିତ କରିଥିଲା।ଆକାଶେ ଆଷାଢ଼ ଗପଟି ହଇ ଚଇ କରି ଦେଇଥିଲା ସାରା କଲେଜ।

ବସୁଧା,ଆଘାତ,ଧଳା ବଉଦ ଗପ ଗୁଡିକ ମୋତେ ଅଧ୍ୟାପକ ମହଲରେ ତଥା କଲେଜ ବାହାରେ ଆହୁରି ଅଧିକ ଲୋକ ପ୍ରିୟ କରାଇଥିଲା।ଏଡିଟର ହୋଇ ଯେବେ ମୁଁ ଅୟସ୍ କାନ୍ତ ମେଗାଜିନ୍ ସମ୍ପାଦନା କଲି ବହୁ ବିଶିଷ୍ଟ ଲେଖକ ଲେଖିକାଙ୍କ ସହ ମୋର ପରିଚୟ ବଢ଼ିଲା।ଠିକ୍ ସେତିକି ବେଳେ ଜୀଲୁ ଅପାଙ୍କ ସମ୍ପର୍କୀୟ ଭାଇ ମୋତେ ଗୋଟେ ଚିଠି ଲେଖି ଥିଲା।ସେଥିରେ ସେ ଲେଖିଥିଲା ମୋ ଲେଖା ତାକୁ ଭାରି ଭଲ ଲାଗେ।ଯେଉଁ ଯେଉଁ ମେଗାଜିନରେ ମୋ ଲେଖା ବାହାରେ ସେ ନିଶ୍ଚୟ କିଣେ କେବଳ ମୋ ଗପଟି ବାହାରେ ବୋଲି । ତାକୁ ଖୁସିର ଭାବ ଜାବୁଡି ଧରେ ଓ ସେ ବୁଲିବୁଲି ସମସ୍ତଙ୍କୁ ଦେଖାଏ "ଏଇ ଦେଖ ମୀନୁ ନାନୀଙ୍କ ଲେଖା ବାହାରିଛି"। ଚିଠିର ହସ୍ତାକ୍ଷର ଓ ତା ଲେଖାର ଭାବ କୁହେ ସେ ଅଷ୍ଟମ କି ନବମ ପଢିବା ପିଲା ହୋଇଥିବ।ଏମିତି ଗୋଟିଏ ପରେ ଗୋଟିଏ ଚିଠି ଲେଖେ ସେ।

  

    ତା ଚିଠି ପଢିଲେ ମୋ ଆଖି ଆଗରେ ହାପ୍ ପ୍ୟାଣ୍ଟ ପିନ୍ଧା ସ୍କୁଲ ପିଲାଟିଏ ହିଁ ଦିଶିଯାଏ।ବାରମ୍ବାର ଅନୁରୋଧ କରେ ତା ଚିଠିର ଉତ୍ତର ଦେବାକୁ।ସେତେବେଳେକୁ ଜୀଲୁ ଅପା ସ୍ନାତକ ପାସ୍ କରି ଜେ ଏନ ୟୁରେ ଇକୋନୋମିକ୍ସରେ ପିଜି କରୁ ଥାନ୍ତି। ଫୋନ୍ ତ ସେ ସମୟରେ କାଁ ଭାଁ ଲୋକଙ୍କ ପାଖରେ ଥାଏ।କେବଳ ଥରେ ମାତ୍ର ମୋତେ ଜୀଲୁ ଅପା କହିଥିଲେ ପ୍ରତାପ ତାଙ୍କ ସମ୍ପର୍କୀୟ ଭାଇ ଓ ମୋ ଲେଖା ତାର ଖୁ ପସନ୍ଦ।ପଚାରି ପାରି ନଥିଲି ପ୍ରତାପ ବୟସ କେତେ ଓ କେଉଁଥିରେ ପଢୁଛି।କିନ୍ତୁ ଚିଠିର ଦିଗ ଭିନ୍ନ ଦିଗକୁ ଇଙ୍ଗିତ କରୁଥିଲା ଆସ୍ତେ ଆସ୍ତେ।ପିଲାଟା ସାନ ହୋଇ ନଥିବ।କାରଣ ପ୍ରଥମ ଚିଠି ଅପେକ୍ଷା ତା ଚିଠିରେ ବେଶୀ ଭାବ ପ୍ରବଣତା ଫୁଟି ଉଠୁଥିଲା।ଚିଠି ଉତ୍ତର ଦେଉନାହିଁ ବୋଲି ମନ ଊଣାକରୁଥିଲ।ଅଭିମାନର ଅଭଯୋଗ ଫର୍ଦ୍ଦ ବି ଲେଖୁଥିଲା।କିନ୍ତୁ ମୋତେ ଚିଠି ଫିଟି ଲେଖିବାକୁ ଭଲ ଲାଗେନି।

            

ହେଲେ ସେ ମାସକୁ ତିନି ଚାରି ଖଣ୍ଡ ଚିଠି ଦେବା ଥୟ।ମୋ ସାଙ୍ଗ ମାନେ କୁହନ୍ତି ପ୍ରତାପ ତୋତେ ପ୍ରେମ କଲାଣି।ଜୀଲୁ ଅପା ଥିଲା ବେଳେ ଏତେ ଚିଠି ଲେଖୁ ନଥିଲା ତ।ଦେଖ ମିନୁ! ପ୍ରତାପ ତୋର ଗୋଟିଏ ଗୁଣ ମୁଗ୍ଧ ପ୍ରେମିକ ହୋଇ ଗଲାଣି।ସେ ଦେଇଥିବା ଚିଠି ପଢି ଆମେ ବହେ ହସୁ।ଜୀଲୁ ଅପା କହୁଥିଲେ ପ୍ରତାପ ତାଙ୍କ ସାନ ଭାଇ ।ହେଲେ କେତେ ସାନ! ଆସ୍ତେ ଆସ୍ତେ ମୋ ଭିତରେ ଭାବାନ୍ତର ସୃଷ୍ଟି ହେଲା।ଦେଖା ନାହିଁ,ଏତେ ଜଣା ନାହିଁ ଅଥଚ ଏମିତି ଚିଠି ଲେଖୁଛି କେମିତି!!ଥରେ ଲେଖି ଥିଲା "ନାନୀ ଦିନକୁ ଦିନ ତୁମେ ମୋ ଆଖିଆଗରେ ବିରାଟ ସମୁଦ୍ର ପାଲଟି ଯାଉଛ।ମୁଁ ବେଳାଭୂମି ପରେ ଠିଆ ହୋଇ ଦେଖୁଛି ତୁମକୁ ନୀରବ ଦର୍ଶକ ପରି।" 

       ଆଉ ଥରେ ଲେଖିଥିଲା "ନାନୀ ମୋ ହାତ ଲଗା ଗଛରେ ଏକା ଥରକେ ପାଞ୍ଚଟି ରକ୍ତ ଗୋଲାପ ଫୁଟିଛି।ସେଇତକ ତୁମକୁ ଦେଉଛି।ସେ ଫୁଲ ତୁମର,ଫୁଲ ଗଛ ଓ ମାଳୀ ବି ତୁମର"।

     ଆଉ ଗୋଟେ ଚିଠିରେ ଲେଖିଥିଲା " ନାନୀ ଆଜି ଆମ ବଗିଚାରେ ଅନେକ ମଲ୍ଲୀ ଫୁଲ ଫୁଟିଛି।ଆଞ୍ଜୁଳାଏ ମଲ୍ଲୀ ଫୁଲ ପଠାଉଛି ବେଡ଼ରେ ପକାଇ ଶୋଇଯିବ।"

 

        ଆଉ ଦିନେ ଲେଖିଥିଲା ନାନୀ ଛାତ ଉପରେ ପୁନିଅଁ ଜହ୍ନ।ତା ଭିତରେ ତୁମ ମୁହଁ।ରାତି ସାରା ଛାତ ଉପରେ ଥାଇ ଜହ୍ନ ନୁହେଁ ତୁମ ମୁହଁ ଦେଖୁଛି।ନାନୀ ତୁମେ ଆଜିକାଲି ମୋର ପ୍ରତିଟି କାର୍ଯ୍ୟରେ ମୋ ଭାବ ଭାବନାରେ ଛାଇ ହୋଇ ରହୁଛ।ତୁମ ମୋତେ ବହୁତ ଭଲ ଲାଗୁଛ ନାନୀ।ମନ ମୋ ଆୟତ୍ତରେ ରହୁନାହିଁ ତୁମ କଥା ଭାବି।

         ଏମିତି କଣ ଲେଖୁଛି !!!ଭଲ ଲାଗିଲାନି ମୋତେ।


ଜୀଲୁ ଅପା କହୁଥିଲେ ତାଙ୍କ ଛୋଟ ଭାଇ ହେବ।କିନ୍ତୁ କେତେ ଛୋଟ।ଯେଉଁ ପିଲାକୁ ସମୁଦ୍ର, ଫୁଲ ,ଜହ୍ନ ମୋହିତ କଲାଣି ସେ କେବେ ଏତେ ଛୋଟ ହୋଇ ନଥିବ।ବିରକ୍ତ ଲାଗିଲା।ଦିନୁ ଦିନୁ ସେ ମୋ ସରଳ ତାର ସୁଯୋଗ ନେଇ ମନ ଇଛା ଲେଖୁଛି।ସମ୍ବୋଧନ କରୁଛି ନାନୀ ଅଥଚ ଲେଖୁଛି ପ୍ରେମିକା ପାଖକୁ ଚିଠି ଦେବା ପରି। ପ୍ରଥମ ଏବଂ ଶେଷ ଚିଠିଟିଏ ଲେଖିଲି ତାକୁ।

ଶ୍ରଦ୍ଧେୟ ପ୍ରତାପ;

           ମୁଁ ଜାଣିନି ତୋର ବୟସ କେତେ,କେଉଁଥିରେ ପଢୁ।ପ୍ରଥମେ ଲାଗୁଥିଲା ତୁ ସ୍କୁଲ ଛୁଆଟିଏ ହୋଇଥିବୁ। କିନ୍ତୁ ତୋ ଦାର୍ଶନିକ ଭାବାବେଗକୁ ଓ ଭାବମୟ ହୃଦୟକୁ ମାପିଲେ ତୁ ମୋ ଠାରୁ ଯଥେଷ୍ଟ ବଡ଼ ଲାଗୁଛୁ।ଭଲ ଚିଠି ଲେଖୁଛୁ।କିନ୍ତୁ ଏମିତି ଚିଠି ନାନୀକୁ ଲେଖା ଯାଏନି ଧନ। ମୋତେ ଚିଠି ପଢିବାକୁ ଭଲ ଲାଗେ ନାହିଁ।ଆଉ ମୋତେ ଚିଠି ନ ଲେଖି ଗପ କି କବିତା ଲେଖେ।ଭଲ ଲେଖକର ସମସ୍ତ କଳା ତୋ ପାଖେ ଥିଲା ପରି ଲାଗୁଛି।ମୋର ରେଭେନ୍ସାରୁ ପାଠ ସରିଗଲା।କାଲିଠାରୁ ମୁଁ ଘରକୁ ଯାଉଛି ଆଉ ଚିଠି ଦେବୁନି ଭାଇ ଏ ଠିକାଣାରେ।ଆଉ ହଁ.--- ନା ମୁଁ ସମୁଦ୍ର ନା ମୁଁ ନଈ।ମୁଁ ଗୋଟାଏ ଶୁଖିଲା କାଠ ଗଣ୍ଡି।


ଗୋଲାପ ଫୁଲ ମୋତେ ଦେଇଥିଲୁ ସେ ସବୁ ମୁଁ ସାଇବାବାଙ୍କୁ ଦେଇ ଦେଇଛି ତୋ ଶୁଭ ମନାସୀ।ଯେଉଁ ଆଞ୍ଜୁଳାଏ ମଲ୍ଲୀ ଫୁଲ ଦେଇଥିଲୁ ସେ ସବୁ କହ୍ନେଇ ପାଦ ତଳେ ଦେଇଛି ତୋର ଉଜ୍ଜ୍ୱଳ ଭବିଷ୍ୟତ କାମାନା କରି। ଜହ୍ନରେ ମୋ ମୁହଁ ଅପେକ୍ଷା ତୋ ମାଙ୍କ ମୁହଁ ଦେଖିବୁ ଭାରି ଭଲ ଲାଗିବ।ସ୍ବପ୍ନ ନୁହେଁ ବାସ୍ତବତା ତୋ ପାଇଁ ଜରୁରୀ।ଆଗକୁ ବଢିବାକୁ ହେଲେ ଭାବମୟ ହୃଦୟ ବାଟ ବଣା କରନ୍ତି।ତୁ ଏବେ ତୋ କାମ ଓ କ୍ୟାରିଅର ଉପରେ ମନ ନିବେଶ କର।ସୁନ୍ଦର ଆମ ଜୀବନ,ସୁନ୍ଦର ପୃଥିବୀର ସମ୍ପର୍କ ଆହୁରି ମଧୁମୟ।ପ୍ରତ୍ୟେକ ସମ୍ପର୍କର ଗୋଟେ ସୀମା ଥାଏ।ଟପିଲେ ବିପଦ,ମନାନ୍ତର ନତୁବା ମତାନ୍ତର।ଦୁଇ ପକ୍ଷର ଢେର କ୍ଷତି ବି ହୁଏ।ଭାଇରେ ଆମ ଇଚ୍ଛାରେ ଜୀବନ ଗଡେନା, ଈଶ୍ୱରଙ୍କ ଇଚ୍ଛାରେ ଆମେ ଗଡିଯାଉ।ଗଡ଼ିବା ବାଟରେ ବହୁତ ବାଧା ବନ୍ଧନ ଥାଏ।ଏସବୁ ମଣିଷ ହିଁ ଭୋଗ କରେ।ଖିଆଲ ଉତ୍ତରୀ ଉଡିଯାଏ ତ ଅନେକ ଦୂର କଳ୍ପନା ରେ,ଥରେ ହାତରୁ ଖସି ଗଲେ ଫେରିଆସି ନିଜ ଛାତି ଘୋରେଇବା କାଠିକର ପାଠ ହୁଏ।ବାବୁରେ !ସବୁବେଳେ ଭଲରେ ଥାଆ।ମୋତେ ଚିଠି ଲେଖିବୁନି, ପ୍ଲିଜ଼।ରହୁଛି ,ତୋ ମୀନୁ ନାନୀ।

        ଏହା ପରଠୁ ପ୍ରତାପ ଆଉ ଚିଠି ଦିଏନି ମୋତେ।


ସ୍ନାତକ ପରୀକ୍ଷା ଦେଇ ମୁଁ ଗାଁରେ ଥାଏ।ହଠାତ୍ ଦିନେ ପାଞ୍ଚଟା ବେଳେ ଆମ ଗାଁର ଜଣେ ପିଲା ଅଚିହ୍ନା ଗୋଟେ ବଡ଼ ପିଲାକୁ ସାଥିରେ ଧରି କହିଲା ମୀନୁ ଦି ତୁମକୁ କିଏ ଖୋଜୁଛନ୍ତି।ମୋତେ !ମୋ ଭାଇ ବାପା କି ବୋଉକୁ କେହି ଖୋଜନ୍ତି ଯେ କେହି ଆସିଲେ।କିନ୍ତୁ କିଏ ମୋତେ ଖୋଜୁଛି!।ଭାଉଜ କହିଲେ ଆରେ ଦେଖ ମୀନୁ କିଏ ତୁମକୁ ଖୋଜୁଛି।ମୁଁ ଆଶ୍ଚର୍ଯ୍ୟ ହୋଇଗଲି ମୋତେ ଜଣେ ଯୁବକକୁ ଆମ ପାହାଚ ତଳେ ଠିଆ ହେବାର ଦେଖି।


ପଚାରିଲି ତୁମେ କିଏ ?କାହାକୁ ଖୋଜୁଛ?

   

      ସେ ବଡ଼ ଯୁବକ ଆଖି ଛଳ ଛଳ କରି କହିଲା ମୋତେ ଚିହ୍ନି ପାରୁ ନାହାନ୍ତି?ମୁଁ ତୁମକୁ ଚିହ୍ନି ପାରୁଛି।ତଥାପି ମୁଁ ଜାଣି ପାରୁ ନଥାଏ ସେ କିଏ?କାରଣ ପୁଅ ବନ୍ଧୁ ମୋର ଶୁନ।ମୁଁ କହିଲି ଭାଇକୁ ଖୋଜୁଛନ୍ତି କି ?ନା ବାପାଙ୍କୁ।

 ନା ମୁଁ ତୁମକୁ ଖୋଜୁଛି ମୋ ମୀନୁ ନାନୀକୁ।

ମୀ...ନୁ….ନା..ନୀ!!। ଓହୋ ତୁ ପ୍ରତାପ କି?


      ତା କଣ୍ଠରେ ଥିଲା ଅଭିମାନ ଓ ଦରଦ।କହିଲା ହଁ ମୁଁ ତୁମ ଜୀଲୁ ଅପାଙ୍କ ସାନ ଭାଇ ପ୍ରତାପ। ପିଲାଟାକୁ ଦେଖିଲା ପରେ ତୁ କହିବାକୁ ମାଡି ପଡୁଥିଲା ମୋତେ।ସେ ଏତେ ବଡ଼ ଯେ ମୋତେ ଟିକେ ମୁହଁ ଉପରକୁ କରି ତା ସହ କଥା ହେବାକୁ ହେଲା।ନିହାତି ସୁନ୍ଦର ଯୁବକଟିଏ।

     ତୁ ଠିକଣା କେମିତି ଜାଣିଲୁ,ବାଲେଶ୍ୱରରୁ ଏତେ ବାଟ କେମିତି ଆସିଛୁ?ମୁଁ କଠୋର କଣ୍ଠରେ ପଚାରିଲି। ଠିକଣା ପାଇବା ବଡ଼ କଥାକି।ଲୋକେ ପଚାରି ପଚାରି ଲଙ୍କାକୁ ଯାଉଛନ୍ତି ମୁଁ ଜଗତସିଂହପୁର ର ଗୋଟିଏ ଗାଁ ଆସି ପାରିବି ନାହିଁ!ସେ ନିର୍ଭୀକ ଭାବେ ଉତ୍ତର ଦେଲା।

         ମୋ ଭିତରେ ସେତେବେଳେ କଣ ସବୁ ଗୋଳେଇ ଘାଣ୍ଟି ହେଉଥାଏ।କେଡେ ସାହସ ୟାର।ପଚାରି ପଚାରି ଚାଲି ଆସିଛି।ଘରେ ସମସ୍ତେ ସନ୍ଦେହରେ ପଚାରୁ ଥାଆନ୍ତି ଏ କିଏ?

     ମୁଁ କଣ କହିବି?ମୋ କଥା ସମସ୍ତେ ବିଶ୍ୱାସ କରିବେ ତ!!ମୁଁ କହିଲି ଏ ଜୀଲୁ ଅପାଙ୍କ ସାନ ଭାଇ।ଜୀଲୁଅପାଙ୍କୁ ସମସ୍ତେ ଜାଣିଥିଲେ।ଏଣୁ ବିନା ଆପତ୍ତିରେ ଘରକୁ ଡାକିଲେ।ସନ୍ଧ୍ୟା ହୋଇଯାଇଥିଲା।ଅତଏବ ଆଜି ପ୍ରତାପ ଫେରି ପାରିବ ନାହିଁ।ତା ଖାଇବା ପିଇବା ବ୍ୟବସ୍ଥା ହେଲା।


      ସେ କିନ୍ତୁ ଖାଲି ଚାହୁଁଥାଏ ମୋ ସଂଗେ କଣ କଥା ହେବାକୁ।ସେ ସମୟରେ ଗୋଟିଏ ବଢ଼ିଲା ଝିଅର ପୁଅ ସାଙ୍ଗ ମାନେ ନିହାତି ଗୋଟେ ବଡ଼ ପୁଣି ଖରାପ କଥା।ମୁଁ ଯଥାସାଧ୍ୟ ଏଡ଼େଇ ତାକୁ ରହୁଥାଏ।ଭାଉଜ ଖାଇବାକୁ ଦେଲେ, ଭାଇ ତା ସଙ୍ଗେ ଗପିଲେ।କହିଲେ ଆସିଛ ଯେତେବେଳେ ଓଡିଶା ପ୍ରସିଦ୍ଧ ମା ସାରଳାଙ୍କୁ ଦର୍ଶନ କରିଦେଇଯିବ।ଆମ ଘର ପାଖେ ମାଙ୍କ ପୀଠ।

    

    ଗୋଟେ ଅଟୋକରିଦେଇ ଭାଇ କହିଲେ ଯା ତାକୁ ଟିକେ ମା ସାରଳାଙ୍କ ପାଖେ ବୁଲାଇ ଆଣିବୁ।ସେ ବୋଧେ ଏଇ ସୁବର୍ଣ୍ଣ ସୁଯୋଗ ଅପେକ୍ଷାରେ ଥିଲା।ମୋତେ କିନ୍ତୁ ଡର ଲାଗୁଥାଏ। ମଉକା ମିଳିଗଲା ପ୍ରତାପକୁ।ସେ କହିଲା ନାନୀ ତୁମକୁ ନ ଦେଖି ବି ମୋତେ ଭଲ ଲାଗୁନଥିଲା। ଲେଖା ଗୁଡିକ ତୁମର ସବୁ ମଣିଷଙ୍କ କଥା କୁହେ।କେତୋଟି ଗପ ଯେମିତି ମୋ କଥା କୁହନ୍ତି।କେମିତି ଲେଖ ମଣିଷ ଭିତର କଥା ଏତେ ସତ ଭାବେ!।ଲେଖା ଗୁଡିକ ଏତେ ଭଲ ଲାଗିଲେ ଯେ ମୁଁ କେତେବେଳେ ଲେଖାକୁ ତ କେତେବେଳେ ତୁମକୁ ଭଲ ପାଇ ବସିଲି।ଜୀଲୁ ନାନୀ ତୁମ କଥା ଏମିତି ବର୍ଣ୍ଣନା କରି କୁହେ ମୋତେ ଆହୁରି ଭଲ ଲାଗିଲ। ଚିଠି ମାଧ୍ୟମରେ ମୁଁ କେବଳ ମୋ ମନ କଥା ପ୍ରକାଶ କରେ ଯାହା।ତୁମେ ତ ଜଣେ ଲେଖିକା, କହିଲେ କାହାକୁ ଭଲ ପାଇବା ନିଜ ଅକ୍ତିଆର ରେ ଥାଏ କି?ତୁମେ ମନା କଲେ ବି ମୋ ମନ ତୁମକୁ ଭଲ ପାଇବ ନାହିଁ ଏ କଥାରେ ଗ୍ୟାରେଣ୍ଟି ମୁଁ କଣ ଦେଇ ପାରିବି।ନାନୀ ମୁଁ ତୁମକୁ ହୃଦୟରୁ ଭଲ ପାଏ।ଟିକେ ବି ଖାଦ ନାହିଁ ମୋ ଭଲ ପାଇବାରେ।ଏତିକି ବେଳେ ବର୍ଷି ଗଲା ଅସରାଏ ବର୍ଷା।ଭେଡ଼ା ରୁ ମନ୍ଦିର ମଣ୍ଡପ ଉପରକୁ ଉଠିଗଲୁ।


        ମୁଁ କାବା ହେଉଥାଏ,କଣ ଏମିତି ଭଲ ପାଇବା ଭଲ ପାଇବା ହେଉଛି ପ୍ରତାପ ।ନିର୍ଲ୍ଲଜଙ୍କ ପରି ବିନା ସଙ୍କୋଚରେ କହି ଚାଲିଛି।ତା ପ୍ରଶ୍ନ ଉତ୍ତର ବି ମୋ ପାଖେ ନଥାଏ।ତଥାପି ନିଜ ଭାବକୁ ଚାପି ରଖି କହିଲି ଦେଖ ବାବୁ ତୋତେ ମୁଁ ତ ମନା କରିନି ଭଲ ପାଆ ବୋଲି।ଗୋଟେ ସାନ ଭାଇ ତା ଭଉଣୀକୁ ଭଲ ପାଇବ ନାହିଁ ତ ଆଉ କିଏ ଭଲ ପାଇବ!।ମା ପୁଅକୁ ଭଲ ପାଏ,ବାପା ଝିଅକୁ ,ଭାଇ ଭଉଣୀକୁ।ଏତ ଆମ ସୃଷ୍ଟିର ନିୟମ।ଭଲ ପାଇବା ବିନା ଜୀବନ ଭାବି ହେବ କି?ତୁ ଯେତେ ଇଚ୍ଛା ଭଲ ପା, କିନ୍ତୁ ସୀମା ଭିତରେ ସବୁ କାର୍ଯ୍ୟ ସୀମିତ ରହିଲେ ଉତ୍ତମ।ସୀମା ଲଙ୍ଘିଲେ ବିପଦ।ଏଇ ଯେଉଁ ତୁ ହଠାତ୍ ଚାଲି ଆସିଲୁ ,କେତେ ପ୍ରଶ୍ନ ମୋ ଘର ଲୋକଙ୍କ ଆଖିରେ ପଢି ପାରିଛୁ?


ଏ ଟା ଗାଁ ବାବୁ। ସାଇ ପଡିଶା ଅନାଇଁ ବସି ଥାଆନ୍ତି ଗୋଟେ ଝିଅ କି ପୁଅ ନାମରେ ଦୁଃର୍ଗୁଣ ଗାଇବାକୁ।ମୋ ଉପରେ ମୋ ଘର ଲୋକଙ୍କ ଅଖଣ୍ଡ ବିଶ୍ୱାସ ଅଛି ବୋଲି ତୋ ସଂଗେ ମନ୍ଦିର ପଠାଇଛନ୍ତି।

 

       ସେ ବହୁତ ଗମ୍ଭୀର ଦେଖା ଗଲା।ତାର ଲମ୍ବା ଦୀର୍ଘଶ୍ଵାସ ଟିଏ ମୋ ଦେହରେ ବାଡେଇ ହୋଇ ଗଲା।ସେ ହାଲକା ହସଟିଏ ହସି କହିଲା, "ହଁ ସେଇଆ ନୁହେଁ ତ ଆଉ କଣ? ଚାଲ ଫେରିଯିବା ନାନୀ।ମାଙ୍କ ଦର୍ଶନ ସହ ତୁମର ଦର୍ଶନ ବି ହୋଇଗଲା।କିନ୍ତୁ ଖୁସି ପରିବର୍ତ୍ତେ ହତାଶ ଭାବ କାଇକି ଜାବୁଡି ଧରୁଛି ନାନୀ?ତୁମକୁ ଦେଖି ଯେତିକି ଖୁସି ହେବା କଥା ମୁଁ ହୋଇ ପାରୁ ନାହିଁ।"


      ମୁଁ ବୁଝି ପାରୁଥିଲି ତା ମନୋଦଶା।କିନ୍ତୁ ଯାହା ଅସମ୍ଭବ ସେଥିରେ ତାକୁ ଖୁସି କେମିତି କରନ୍ତି !!ଭୋଗ ରାଗ କରି ଫେରି ଆସିଲୁ।ମୋଠୁ ଯଥେଷ୍ଟ ସୁନ୍ଦର,ଡେଙ୍ଗା ମେକାନିକାଲ ଇଂଜିନିୟରିଂ ପଡୁଛି,ଗୋଲଡ଼ ମେଡାଲିଷ୍ଟ।


କିନ୍ତୁ ହୃଦୟଟି ଗୋଟେ ଛୋଟ ଛୁଆର।ମୁଁ କହିଲି ଖୁସି ନ ହେବାର କିଛି କାରଣ ତ ନାହିଁ।ପାଣିରେ ପହଁରିଲେ ପହଁରା ଶିଖି ହୁଏ।ତୁ କହିବୁ କୁହୁଡି ପହଁରିବୁ, ସମ୍ଭବ କି! ଆଶ୍ଵିନ ମାସ ନୀଳ ଆକାଶରୁ ହଠାତ୍ ଝରି ପଡିଲା ପୁଣି ଅସରାଏ ବର୍ଷା।ମୋ ଉପର ଶୁଖିଲା,କିନ୍ତୁ ଭିତର ଓଦା ହୋଇଗଲା କେଇ କ୍ଷଣ।

        "ତୁମେ ମେଞ୍ଚାଏ ବହଳ କୁହୁଡି ସତରେ ନାନୀ।

ଧନ୍ୟବାଦ ମୁଁ ପଡିବା ଆଗରୁ ରକ୍ଷା କରିଦେଲ।" ଏଇତକ ସେ ବାଷ୍ପରୁଦ୍ଧ କଣ୍ଠରେ କହିଲା।କଣ କହୁଛୁ ବାବା ମୋ ମଗଜରେ ପଶୁନି,ମୁଁ କହିଲି ।ସେ ହୋ ହୋ ହୋଇ ହସି ଉଠିଲା।ଛାଡ଼ ନାନୀ "କବାଟ ଯେ ବନ୍ଦ କରିଥିବ କିଲିଣି ଦେଇ, ସେଠି ଭିତରକୁ କେମିତି ଯାଇ ହେବ?।ଯିଏ ସବୁ ଠିକ୍ ଠିକ୍ ବୁଝି ଲେ ବି ବୁଝି ପାରୁନି କହିବ ସେଠି କଣ କରାଯାଇପାରିବ?ତୁମେ କିନ୍ତୁ ସବୁଦିନ ମନ ରହିବ ମୋର।ଦୁଇ ଦିନ ରହି ପ୍ରତାପ ଫେରିଗଲା। ଗଲା ବେଳେ କହି ଥିଲା କେବେ ଯଦି ମନେ ପକାଏ କିବା ଡାକେ ଥରେ ମୋତେ ନିଶ୍ଚିତ ଦେଖା କରିବାକୁ ଯିବ,ନାନୀ ।ଆରେ ଥରେ କାହିଁକି,ଯେତେ ଥର କହିବୁ ଯିବି।ଭାଇ ଡାକିବ ଭଉଣୀ ଯିବନି ଏ କେମିତି କଥା।ତା ଛଡା ମୋ ଶାଶୁଘରକୁ ଭାଇ ଭାର ନେଇ ଯିବୁନିକି? ତୋ ଭଣଜା ଭାଣିଜୀ ପୋରୁହାଁ କରି ଆସିବୁନି କି ମୁଁ କଥାଟାକୁ ହାଲକା କରିବାକୁ କହିଲି। ସେ ବୋଧେ ମୁଁ ଯାହା କହିଲି ଶୁଣି ପାରି ନଥିଲା।କହିଲା ଗଲା ବେଳେ କିଛି କହିବନି!! କଣ….ମୁଁ ଏତେ କଥା ବକି ଗଲି ତୁ କିଛି ଶୁଣିନୁ!!! କେତେବେଳେ! ସେ କହିଲା।ହଉ ଛାଡ଼ ଯା ମନ ଦେଇ ପଡ଼ିବୁ,ନିଜ ଭାବ ଉପରେ କାବୁ ରଖିବୁ।ମୋ ଭାଇଟା ସୁନ୍ଦର ହୃଦୟର ମଣିଷଟିଏ।ହୁଁ…. କହି ସେ ବିଦାୟ ନେଲା। ତାପରେ ଆଉ ସେ ଚିଠି ଦିଅନି।ଏମିତିରେ ମୁଁ ପଞ୍ଜାବ ୟୁନିଭରସିଟିରେ ପିଜି ଓ ପି ଏଚ୍ ଡି କରି,ଚାକିରୀ ଓ ଘର ସଂସାର କଲି।ଅନେକ କଥା ଭୁଲି ହୋଇଗଲା।


ଯୋଗାଯୋଗର ଚିଠ ବ୍ୟତୀତ ଅନ୍ୟ ରାସ୍ତା ନଥିଲା ସେତେବେଳେ।ଏହା ଭିତରେ ଦୀର୍ଘ କୋଡିଏ ବର୍ଷ ଅତିକ୍ରମ କରି ଆସିଲିଣି ମୁଁ।ଆଜି ପ୍ରତାପ କେଉଁଠୁ କେମିତି ମୋ ନମ୍ବର ପାଇଁ ମେସେଜ କରିଛି।ପୁଣି ମୋତେ ଧରି କାନ୍ଦିବାକୁ ଇଚ୍ଛା କରୁଛି?ଏତେ ଦିନ ପରେ ସେଇ କୋମଳ ତାରୁଣ୍ୟ ମୋତେ କାବୁ କରୁଛି କାହିଁକି?ପ୍ରତାପକୁ ଦେଖା କରିବାକୁ ମନଟା ଖୁବ ଗୋଟେ ବି ଇଚ୍ଛା ରଖୁଛି।ମୁଁ ଏକଥା ମୋ ମିଷ୍ଟର ଙ୍କୁ କହିଲି।ମୋ ମିଷ୍ଟର ଟିକେ ରସିକିଆ ଢଙ୍ଗରେ କହିଲେ ପ୍ରତାପ ନିଶ୍ଚିତ ତୁମକୁ ଭଲ ପାଉଥିଲା।ତୁମ ମନ ବି ତାକୁ ପସନ୍ଦ କରୁଥିଲା।

 

    ଏଇଟା କି ନୂଆ କଥା ସେ ମୋତେ ଖୁ ଭଲ ପାଉଥିଲା,ମୁଁ ଜାଣେ।ତେବେ ମୁଁ ତାକୁ କେବଳ ଗୋଟେ ଛୋଟ ପିଲା ଜୀଲୁ ଅପାଙ୍କ ଭାଇ ବୋଲି ଭଲ ପାଉଥିଲି ।କିନ୍ତୁ ଆଜି କାହିଁକି ମନ ହେଉଛି ଥରେ ତାକୁ ଦେଖା କରିବାକୁ।ତୁମେ ତ ବାଲେଶ୍ୱରରେ ବି ଡ଼ି ଓ ଥିଲ।ଜାଣିଥିବ ପ୍ରତାପ ଗାଁ କାହାକୁ ପଚାରି ଚାଲ ଥରେ ଦେଖି ଆସିବା।ଏବେ ତ ମୁଁ ତୁମ ସ୍ତ୍ରୀ, ଦୁଇଟି ପିଲାର ମା, ଆଉ କଣ ପ୍ରତାପକୁ ଭଲ ପାଇବା ବୟସ ଅଛି?ତେଣୁ ନ ଡରି ମୋତେ ଟିକେ ତା ପାଖେ ପହଞ୍ଚାଇବା ବନ୍ଦୋବସ୍ତ କର,ପ୍ଲିଜ଼।

     

   ଆଛା ଠିକ୍ ଅଛି।ମୋ ପିଲାର ମାଆ ଆଉ କା ସଙ୍ଗେ ଚାଳିଶ ବର୍ଷରେ ପଳେଇବ,ସେ କଥା ଚିନ୍ତା କରି ନାହିଁ କେବେ।ଯଦି ଚାହଁ ମୁଁ କଣ ଛାଡ଼ିବି...କିନ୍ତୁ ଗୋଟିଏ କଥା ତୁମେ ସମସ୍ତଙ୍କୁ ଏତେ ଭଲ ଲାଗ କାହିଁକି?ଏକା ପ୍ରତାପ ନୁହେଁ,ମୋତେ ଅନେକ ଜଣ କହିଛନ୍ତି ସେମାନଙ୍କୁ ତୁମେ ବହୁତ ଭଲ ଲାଗ।ରେଭେନ୍ସାର ଅନେକ ପୁଅ ତୁମ ଗୁଣ ଗାନ କରନ୍ତି ଆଉ ମୋତେ ଈର୍ଷା।କାରଣ ମୁଁ ତୁମର ସ୍ୱାମୀ ବୋଲି ବୁଝିଲ ମିସେସ୍ ଦାଶ।ଏଇଟା ଗୋଟିଏ କଳା।ଚୁମ୍ବକ ପରି ଟାଣେ ସବୁ ଲୁହା ସପଟପିନରୁ ଆରମ୍ଭ କରି ଲୁହା ଖଣ୍ଡ ପର୍ଯ୍ୟନ୍ତ।ରସିକିଆ କରି କହିଲେ ମୋ ମିଷ୍ଟର।

    

 ହେଉ ବାବୁ ତୁମ କଥା ସତ।ମୋତେ କିଏ ଭଲ ପାଇଲେ ମୁଁ କଣ କରିବି; ମୁଁ ତ କାହାକୁ ଭଲ ପାଇନି!। ତୁମ ଡରିବାର କାରଣ ନାହିଁ।ତୁମେ ନିଶ୍ଚିନ୍ତ ରୁହ ଏ ସୋସିଓଲୋଜି ପ୍ରଧ୍ୟାପିକା ଏବେ ମିଶ୍ରରୁ ଦାଶ ହୋଇ ସାରିଛି। ତୁମ ଛଡା ଆଉ କାହାର ହେବନି।ଜାଣିଛ!ତୁମ ପୁରୁଷ ମାତ୍ରକେ ଏମିତି।ନିଜ ସ୍ତ୍ରୀକୁ କେହି ଭଲ ପାଇଲେ ଆଦୌ ସହି ପାରିବେ ନାହିଁ।ମୁଁ କହିଲି।ଆଉ ତୁମ ସ୍ତ୍ରୀ ଜାତି ତ ମହାଭାରତ କରିଦେବେ କାହାକୁ ତା ସ୍ବାମୀ ଟିକେ ଅନେଇଁ ଦେଲେ ମୋ ମିଷ୍ଟର କହିଲେ।ଉତ୍ତରରେ ମୁଁ କହିଲି 

"କାହିଁକି ନା ସ୍ତ୍ରୀ ଟି ଭାରି ସ୍ୱାର୍ଥ ପର, ସ୍ୱାମୀ ପ୍ରେମ କାହାକୁ ବାଣ୍ଟିବାକୁ ଭଲ ପାଏନି।କିନ୍ତୁ ତା ସ୍ୱାମୀକୁ କେହି ଟେକିଲେ ପ୍ରଶଂସା କଲେ ଭାରି ଖୁସି ହୁଏ।ଦଲକାଏ ମଳୟ ପବନ ପରି ମୋ ମିଷ୍ଟର ମୋତେ ତାଙ୍କ ଆଡ଼କୁ ଟାଣି ନେଲେ।ସତ ଅନୁଭୂତି ଟିଏ ମୋର ଯେ ମିଷ୍ଟରଙ୍କ କୌଣସି କଥାରେ ଯୁକ୍ତି ନକରି ବିଲେଇ ପରି ଦେହ ମନରେ ଟିକେ ଘଷି ହୋଇଗଲେ ଯେତେ ଅସଜଡା ସୂତା ସଜାଡି ହୋଇ ଯାଏ।ବହୁତ କଥା ମାନି ଯାଆନ୍ତି।ଏଣୁ ଯୁଗେ ଯୁଗେ ସେହ୍ନ,ପ୍ରେମ ଜୟ ଲାଭ କରେ।ଯୁକ୍ତି ତର୍କ ସମ୍ପର୍କରେ ତିକ୍ତ ତା ଆଣେ।ଟିକେ ବିଲେଇ ହୋଇ ଗେହ୍ଲେଇ ହୋଇ କହିଲେ ସବୁ ରାତିରୁ ହନୀ ଝରେ।ସଂସାର ହସେ ଖିଲି ଖିଲି।ଜୀବନ ଲୋଭନୀୟ ହୁଏ।ନଚେତ୍ ଖିଚ ଖିଚ ହେଲେ ଜୀବନ ଦୁର୍ବିସହ ହୋଇଯାଏ।ମୋ ମିଷ୍ଟର ଭିଡି ନେଲେ ମୋତେ ଦୁଷ୍ଟାମୀ ସହ।ବାସ୍ ପାସ୍ ହୋଇଗଲା ମୋ ଇଛାର ବିଲ୍ ।        


 ମୋ ମିଷ୍ଟର ଯିବାର ସବୁ ବନ୍ଦୋବସ୍ତ କରିଦେଲେ। ଛୁଟି ନେଇ ମୁଁ ବାଲେଶ୍ଵର ଗଲି।ପ୍ରତାପର ଗାଁ ରେମୁଣାର ସରସ୍ୱତୀ ପୁର।ସେଠି ଗୋଟେ ବଡ଼ସରପ୍ରାଇଜ଼ ମୋତେ ଅପେକ୍ଷା କରିଥିଲା।ପ୍ରତାପ ଘରେ ପହଞ୍ଚି ଯାହା ଦେଖଲି ମୋ ପାଦ ତଳୁ ମାଟି ଖସି ପଡ଼ିଲା।ମୋତେ ଦେଖି ସମସ୍ତେ ଅତି ଚିହ୍ନା ପରି ବ୍ୟବହାର କଲେ,ଯଦିଓ କେହି ଆଗରୁ ଦେଖି ନଥିଲେ।କୋଡିଏ ବର୍ଷ ତଳେ ମେଗାଜିନ ଫଟୋରେ ଯାହା ଦେଖିଥିବେ।ସମସ୍ତେ କିନ୍ତୁ ଅତି ଚିହ୍ନା ପରି ଲାଗୁଛନ୍ତି!

ମୋ ଆଖି ଖୋଜୁଥାଏ ପ୍ରତାପକୁ।ମାତ୍ର ପ୍ରତାପ କାହିଁ?

     

   ପ୍ରତାପର ନନା ଓ ବୋଉ ମୋତେ ଧରି ବହେ କାନ୍ଦିଲେ।ଭଲ ପୁଅ ଭଲ ପଢିଲା ବଡ଼ ଚାକିରୀଟିଏ ପାଇଲା।କିନ୍ତୁ ବାହା ହେବାକୁ ରାଜି ହେଲାନି।ଏକା ଜିଦ ସେ ବିବାହ କରିବ ନାହିଁ।କାହିଁକି ପଚାରିଲେ କୁହେ ଇଚ୍ଛା ନାହିଁ।ହେଲେ ମା!ମୋ ସୁନା ମୁଣ୍ଡା ପୁଅଟା ବୋତଲ ବୋତଲ ପିଏ।ଆଉ ପିଇଲା ବେଳେ ଯେତେବେଳେ ହୋସ ନଥାଏ କେବଳ ମୀନୁ ନାନୀ, ମୀନୁ ନାନୀ ହୁଏ।କିଏ ଏହି ମିନୁ ନାନୀ;ଯାହାକୁ ମୋ ପୁଅ ହୃଦୟରେ ବସାଇଥିଲା । ହୋସ ଆସିଲା ପରେ ପଚାରିଲେ କୁହେ କେଉଁ ମୀନୁ ନାନୀ!!ଜମା ମାନେନି।କିନ୍ତୁ ଆଠ ଦିନ ତଳେ ସବୁ କହିଲା ତା ଭାଉଜକୁ।ତୁମକୁ ସେ ଜୀବନ ଦେଇ ଭଲ ପାଉଥିଲା,ମାତ୍ର ତୁମେ ତାକୁ ଗୋଟେ ଛୋଟ ଭାଇର ସେହ୍ନ ଦେଉଥିଲ।ତୁମ ବାତ୍ସଲ୍ୟ ମମତା ପାଖରେ ମୋ ପୁଅ ପ୍ରେମ ହାରିଗଲା।ସେ ସେମିତି ତୁମକୁ ହୃଦୟରେ ଧରି ରଖିଲା।ତୁମ ନମ୍ବର ଯେମିତି ହେଲେ କାହାଠାରୁ ଆଣିବାକୁ ଜିଦି କଲା। ତୁମେ ରାଉରକେଲାରେ ସୋସିଓଲୋଜିର ପ୍ରାଧ୍ୟାପିକା ଅଛ ବୋଲି ସେ ଜାଣିଥିଲା।ମୋ ବୋହୂ କାହା ପାଖରୁ ନମ୍ବର ଆଣି ଦେଲା।କହିଲା ଦେଖିବୁ ବୋଉ ଲୋ ମୀନୁ ନାନୀ ନିଶ୍ଚୟ ଆସିବେ।

    

  ହଁ ଯେ ହେଲେ ସେ କାହିଁ??ମୁଁ ଅତିଷ୍ଠ ହୋଇ ପଡୁଥିଲି ପ୍ରତାପକୁ ଦେଖିବାକୁ।କାନ ମୋଡି ଦିଟା ଚଟ କଣି ଦେବାକୁ।ବଦମାସ୍ ଏମିତି କିଏ ନିଜ ଜୀବନ ନଷ୍ଟ କରେ!

     ତା ଭାଉଜ ମୋତେ ପ୍ରତାପ ଘରକୁ ନେଇଗଲେ।

ଫୋଟୋରେ ତାର ଝୁଲୁଥିଲା ମାଳଟିଏ।ପିଇ ପିଇ ଲିଭର କ୍ୟାନ୍ସର ହୋଇ ଯାଇଥିଲା।ଏଇ ଦୁଇ ଦିନ ତଳେ ଟାଟା ମେମୋରିଆଲ ହସ୍ପିଟାଲରେ ସେ ଆଖି ବୁଜିଛନ୍ତି।ପ୍ରତାପ ଘର କାନ୍ଥ ସାରା ଆକାଶେ ଆଷାଢ଼,ବସୁଧା,ଆଘାତ,ଆକାଶର ଆଖି,ମଶାଣୀ ଫୁଲ,ପ୍ରେମ କବର ଇତ୍ୟାଦି ଲେଖା ହୋଇଛି ଯାହା ମୋ ସବୁ ଗପର ନାଁ ଥିଲା।ଥିଲା ମୁହଁଢେଙ୍କା ଗୋଟିଏ ନାରୀ ପାଦ ତଳେ ପାଞ୍ଚୋଟି ଗୋଲାପ ଫୁଲ ଓ ଆଞ୍ଜୁଳାଏ ମଲ୍ଲୀ ଫୁଲ ଚିତ୍ର।ମଝିରେ ଲେଖା ହୋଇଛି ମୋର ବିଶ୍ୱାସ "ତୁମେ ଆସିବ ୟାକୁ ଛୁଇଁବ କିନ୍ତୁ ମୁଁ ନଥିବି।"


      ଓଃ ମୋ ନିଃଶ୍ୱାସ ବନ୍ଦ ହୋଇଯିବ କି।ହାତ ଟିକେ ବୁଲେଇ ଆଣିଲି ପ୍ରତାପ ଫୋଟରେ।କି ପାଗାଳାମୀ ଥିଲା ତୋର ଭାଇ ମୁଁ ମନେ ମନେ କହି ହେଲି। ଶେଷରେ ତୁ …….ତାଙ୍କ ଭାଉଜ, ଭାଇ,ନନା ଓ ବୋଉ କେତେ କଣ ଗୁଣ କହି ତାର କାନ୍ଦୁଥିଲେ।

 

       ଆଉ କିଛି ଶୁଣିବା ପୂର୍ବରୁ ମୁଁ ପଳେଇ ଆସିଲି ଏକମୁହାଁ।ଫେରିବା ବାଟରେ କେବଳ ଦିଶୁଥିଲା ପାଞ୍ଚଟି ଗୋଲାପ ଓ ମେଞ୍ଚାଏ ମଲ୍ଲୀ ଫୁଲ ସତେକି ଆକାଶରେ ପ୍ରତାପ ଧରି ଠିଆ ହୋଇଛି।ସେତିକି ବେଳେ ଆକାଶ ଆଖିରୁ ଝରି ପଡିଲା ଅସରାଏ ବର୍ଷା ।ମୁଁ ପୁରା ଭିଜିଗଲି ଗୋଟେ ଅଶ୍ୱସ୍ତି ବର୍ଷାରେ ଗୋଟା ପଣେ ଓଦା ହୋଇ।ପାଟିରୁ ବାହାରି ପଡ଼ିଲା ଆଃ... ପ୍ରତାପ ଅବୋଧ ଭାଇ ମୋର…..       

   



Rate this content
Log in

Similar oriya story from Tragedy