Anuradha Nath

Romance

3  

Anuradha Nath

Romance

ଟିକିଏ ଅଭିମାନ

ଟିକିଏ ଅଭିମାନ

4 mins
213



ଯଦି ଜାଣିଥାନ୍ତି ବିବାହର କିଛି ଦିନ ପରେ ପୁରୁଷ ମାନେ ପରିବର୍ତ୍ତନ ହୋଇଯାଆନ୍ତି, ତେବେ କେବେ ବି ବିବାହ କରିନଥାନ୍ତି। ବହୁତ କିଛି ସ୍ୱପ୍ନ ଦେଖିଥିଲି ତୁଷାରଙ୍କୁ ନେଇକି। କିନ୍ତୁ କେବେ ଭାବି ନଥିଲି ତୁଷାରଙ୍କ ପରି ପୁରୁଷ ବି ବଦଳିଯିବେ। ଦିନଥିଲା ପୁରା କଲେଜର ଛାତ୍ର ଛାତ୍ରୀ, ଅଧ୍ୟାପକ ସମସ୍ତଙ୍କ ଆଗରେ ପ୍ରେମର ନିବେଦନ କରିଥିଲେ, ଆଜି ପରିବାରର କିଛିଟା ଲୋକ ଆଗରେ ଆନିଭର୍ସରୀ ୱିସ୍ କରିବାକୁ ତାଙ୍କୁ ଲାଜ ଲାଗୁଛି। ଦିନଥିଲା ପ୍ରଚର ଖରା ବର୍ଷା ଶୀତକୁ ନମାନି କ୍ଲାସ ବାହାରେ ଘଣ୍ଟା ଘଣ୍ଟା ମତେ ଅପେକ୍ଷା କରୁଥିଲେ ,ଆଜି ମତେ ତାଙ୍କୁ ଅପେକ୍ଷା କରିବାକୁ ପଡୁଛି। ପରିବାରର ଛୋଟ ବଡ ସମସ୍ତଙ୍କ ମନକଥା ବୁଝି ବେଶ ଭଲରେ ବୁଝି ପାରୁଛନ୍ତି ସେ। କିନ୍ତୁ ଏତିକି ବୁଝି ପାରୁନାହାନ୍ତି, ମୋର ବି ଗୋଟିଏ ମନ ଅଛି। ଟିକେ କହ ତ ରୀତା ଏମିତି ପୁରୁଷ ସହ ମୁଁ କେମିତି ରହିବି, ତୁ ତ ଓକିଲ କିଛି ଗୋଟାଏ ସମାଧାନ କର। ନହେଲେ ମୁଁ ଛାଡପତ୍ର ଦେଇ ଅଲଗା ହୋଇଯିବି ।

  ଅନୁ ଛାଡପତ୍ର ସମାଧାନ ନୁହେଁ। ଛୋଟ ଛୋଟ କଥା ଧରିଲେ, ପୋଥିରଚନା ହେଇଯିବ। ଗୋଟିଏ ଓକିଲ ହିସାବରେ ଆମେ ସବୁ ଦମ୍ପତିକୁ ଏତିକି କହୁ, ଛୋଟ ଛୋଟ ଅଭିମାନ ଅଭିଯୋଗକୁ ଅଣଦେଖା କରି ଆଗକୁ ଚାଲିବାକୁ ହୁଏ। ସ୍ୱାମୀ ଆଉ ସ୍ତ୍ରୀ ଭିତରେ ଏତିକି ବୁଝାମଣା ରହିବା ଉଚିତ୍। ମୁଁ ବୁଝୁଛି ଶାଶୁଘରେ ତତେ ଏକୁଟିଆ ଲାଗୁଛି, ଏଣୁ ତୁ ଚାହୁଁଛୁ ତୁଷାର ତୋ ପାଖେ ପାଖେ ରୁହନ୍ତୁ। କିନ୍ତୁ ତୋର ବି ବୁଝିବା ଉଚିତ୍ ସେ ତାଙ୍କ ପରିବାର ଭିତରେ ରହୁଛନ୍ତି। ପରିବାରକୁ ସମୟ ଦେବା ବି ତାଙ୍କର କର୍ତ୍ତବ୍ୟ। ଏବେ ତୁ ବି ସେ ପରିବାରର ସଦସ୍ୟା। ତତେ ବି ସବୁକିଛି ବୁଝିବାକୁ ହେବ। ତୁ କଣ ଚାହୁଁ ତୁଷାର ତାଙ୍କ ବାପା ମା ଭାଇ ଭାଉଜ ପୁତୁରା ଝିଆରୀ ଭଉଣୀ ,ସମସ୍ତଙ୍କ ଆଗରେ ତତେ ଆଇ ଲଭ ୟୁ, ସରି କୁହନ୍ତୁ।

ଏଥିରେ ଅସୁବିଧା କେଉଁଠି? ଯଦି ପରିବାର ଲୋକଙ୍କ ଆଗରେ ସ୍ୱାମୀମାନେ ପତ୍ନୀମାନଙ୍କ ସହିତ ଯୁକ୍ତି ଝଗଡା କରି ପାରୁଛନ୍ତି, ତେବେ ସମସ୍ତଙ୍କ ଆଗରେ ଆଇ ଲଭ ୟୁ ଆଉ ସରି କହିଲେ ଅସୁବିଧା କଣ?

ଅନୁ ତୁ ସେଇ ଅଣଭାରତୀୟ ଡ୍ରାମା ଦେଖିବା ଛାଡିଦେ, ଏଇଟା ଓଡିଶା ,ଏଠି ଏଇ ସବୁ ଜିନିଷ ପରିବାର ସାମ୍ନାରେ କୁହାଯାଏ ନାହିଁ । କାରଣ ଏମିତି ସବୁବେଳେ ସ୍ତ୍ରୀ ପଛରେ ଗୋଡାଇଲେ, ବଡମାନଙ୍କୁ ଅସମ୍ମାନ ହେବ। ଖାଣ୍ଟି ଓଡ଼ିଆରେ ସେମିତି ପୁରୁଷମାନଙ୍କୁ ପତ୍ନୀବଲୋକରା ଆଉ ନୁଙ୍ଗୁରାକୁହନ୍ତି। ଆଉ ସେହିପରି ପୁରୁଷ ପରିବାର ଆଗରେ ଲୋକହସା ହୁଅନ୍ତି।

ରୀତା ତୋ ଲାଇଫ ଠିକ ଚାଲିଛି ଆଲୋକ ଭାଈଙ୍କ ସହ ସେଇଥିପାଇଁ ତୁ ଏତେ ଭାଷଣ ମାରୁଛୁ। ଯଦି ମୋ ପରି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତୁ ବୁଝିଥାନ୍ତୁ।

ଅନୁ ସମସ୍ତଙ୍କ ଜୀବନ ଖରା ଛାଇର କାହାଣୀ। ପୁରୁଷମାନେ ବ୍ୟସ୍ତ ବିବ୍ରତରେ ତାଙ୍କ ଦିନ କାଟନ୍ତି। ସେଇଥିରେ ବି ତାଙ୍କୁ ପରିବାରର ଦାଇତ୍ବ ନେବାକୁ ପଡେ। ଅନେକ ସମୟରେ ସେମାନେ ନିଜ ସହ ନିଜେ ସଂଗ୍ରାମ କରୁଥାନ୍ତି। ଏଣୁ କେତେବେଳେ ରାଗରେ କିଛି କହିଦିଅନ୍ତି, ଆଉ ପର ମୁହୂର୍ତ୍ତରେ ଶାନ୍ତ ପାଲଟି ଯାଆନ୍ତି, ଯେମିତି କିଛି ବି ଘଟିନି। ଆଲୋକ ବି ଠିକ୍ ସେହିପରି। ବିରକ୍ତ ହୋଇ କେତେବେଳେ ମତେ କିଛି କହି ଦିଅନ୍ତି କିନ୍ତୁ ସେତେବେଳେ ଛାଡପତ୍ର କଥା ନଭାବି ମୁଁ ଧୈଯ୍ୟର ସହିତ ଅପେକ୍ଷା କରେ ତାଙ୍କ ଶାନ୍ତ ହେବାକୁ , ଆଉ କିଛି ମୁହୂର୍ତ୍ତ ପରେ ସେ ଶାନ୍ତ ହୋଇ ମତେ କ୍ଷମା ମାଗନ୍ତି। ଆଉ ମୁଁ ବି କ୍ଷମା କରି ଦିଏ ଯେମିତି ତାଙ୍କ ଆଉ ମୋ ଭିତରେ କିଛି ବି ହୋଇ ନଥିଲା। ଥରେ ଭାବେ ମୁଁ ମୋ ଜୀବନରେ କେତେ ଛାଡପତ୍ର କେସ ଲଢିଛି, ଜିତିଛି ବି। କିନ୍ତୁ ବିବାହ ବିଛେଦ ପରେ ଭାଙ୍ଗି ଯାଇଥିବା ଦମ୍ପତିଙ୍କ ଲୁହର ଗଭୀରତା ମଧ୍ୟ ବୁଝିଛି। ବେଳେ ବେଳେ ଆମେ ନିଜ ଜିଦ୍ ରେ ଅଟଳ ରହି ସମ୍ପର୍କରେ ପୁର୍ଣଛେଦ ପକାଇ ଦେଉ କିନ୍ତୁ ଭୁଲିଯାଉ ଅହଂକାର ଆଉ ଜିଦର ଲଢେଇରେ ଆମେ ସିନା ଜିତିଯାଉ କିନ୍ତୁ ଆମେ ଅଜାଣତରେ ସମ୍ପର୍କ ଆଗରେ ହାରିଯାଉ।

  ରୀତା ତୋ କାହାଣୀ ଆଉ ମୋ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ଆଲୋକ ଭାଈ ତୋ ସହ ଝଗଡା କରନ୍ତି ଆଉ ମନେଇ ବି ନିଅନ୍ତି। କିନ୍ତୁ କେବେ ମୋ ବିଷୟରେ ତ ଭାବ। ମୁଁ ଚାହେଁ ତୁଷାର ବି ଆସି ମୋ ସହ ଝଗଡା କରନ୍ତୁ ଆଉ ମତେ ମନାନ୍ତୁ। ତେବେ ମୁଁ ଭାବିବି ମୁଁ ତାଙ୍କ ରାଗରେ ବି ଅଛି, ସ୍ନେହରେ ବି ଅଛି ଏହି ଭିତରେ ମୁ ଏତିକି ଭାବି ଖୁସି ହୋଇଯିବି ସେ ମୋ ପାଖେ ପାଖେ ଅଛନ୍ତି। କିନ୍ତୁ ନା ସେ ଝଗଡା କରୁଛନ୍ତି ନା ମନାଇବାକୁ ଆସୁଛନ୍ତି। ମତେ କେବଳ ଅଣଦେଖା କରୁଛନ୍ତି। କହ ମତେ କଣ ରାଗ ଆସିବ ନାହିଁ।

ଅନୁ, ଏଇଟା ତୋର ରାଗ ନୁହେଁ ଅଭିମାନ। ମନ ଭିତରେ ରାଗ ହିଂସା ରଖି ସଂସାର ଗଢି ହୁଏ ନାହିଁ। କିନ୍ତୁ ଏଇଟା ସତ ଯେ ଅଭିମାନ ଅଭିଯୋଗ ଭିତରେ ଭଲପାଇବା ଲୁଚି ହୋଇରହିଥାଏ। ସମୟକୁ ଅପେକ୍ଷା କର ସବୁ ଠିକ ହୋଇଯିବ। ତା ପରେ ବି ଯଦି ତୁ ତୁଷାରଙ୍କୁ ଛାଡପତ୍ର ଦେବାକୁ ଚାହୁଁ ମୁଁ ତୋ କେସ ଲଢିବି। ତୋ କଥା ମୁଁ ଜାଣି ନାହିଁ। କିନ୍ତୁ ତୁଷାରଙ୍କ ପାଇଁ ଝିଅଙ୍କ ଲାଇନ ଲାଗିଯିବ। ମନେ ଅଛି ଆମ କ୍ଲାସର ସୁନନ୍ଦା ସେ ଅନେଇକି ବସିଛି ତୁ ତୁଷାରଙ୍କ ରାସ୍ତାରୁ ହଟିଗଲେ ସେ ଝାମ୍ପି ନେବ।

ଚୁପ କର ରୀତା, ସେମିତି ମୁଁ କେବେବି ହେବାକୁ ଦେବି ନାହିଁ। ସେ ସୁନନ୍ଦା ବିଲେଇର ଛାଇ ମୋ ତୁଷାରଙ୍କ ଉପରେ ପକାଇ ଦେବିନି । ମୋର କିଛି ତୋ ପାଖରେ କେସ ଲଢିବାର ନାହିଁ। ମୁଁ ଯାଉଛି ମୋ ଘରକୁ।

ଅନୁ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥାଏ। ତୁଷାର ଅନୁକୁ ଦେଖି ଚାଲି ଆସିଲେ। ଆଉ କହିଲେ ଏମିତି ମତେ ହଇରାଣ କରିବାକୁ ତମକୁ କଣ ଭଲ ଲାଗୁଛି। ଦିନ ୧୨ ଟା ରୁ ତମକୁ ଖୋଜୁଛି ମୁଁ । ଫୋନ ବି ଅଫ କରିଛ। ମନରେ ଭିନ୍ନ ଭିନ୍ନ ପ୍ରକାରର ଚିନ୍ତା ଆସୁଥିଲା। କେବେ ଭାବିଛ ତମର କିଛି ହୋଇଯାଇଥିଲେ ମୁଁ କେମିତି ବଞ୍ଚିପାରିଥାନ୍ତି....  

ତୁଷାରଙ୍କ ବ୍ୟସ୍ତତା ଦେଖି ଅନୁର ଅଭିମାନ ପାଣି ଫୋଟକା ପରି ମିଳାଇ ଗଲା, ଆଉ ମନେ ମନେ କହୁଥିଲା ଏଇ ଜନ୍ମ କଣ ସାତ ଜନମ ପାର ହୋଇଗଲେ ବି ତୁଷାରଙ୍କ ଠାରୁ ଅଲଗା ହେବା କଥା ଭାବିବ ନାହିଁ।

ଦୁହେଁ ଘରକୁ ଗଲେ। ଘର ଭିତରେ ଖୁବ୍ ସାଜସଜ୍ଜା ହୋଇଥାଏ। ପରିବାରର ସମସ୍ତେ ଏକାଠି ହୋଇ ସେମାନଙ୍କୁ କହିଲେ ହାପି ଆନିର୍ଭସରୀ । ଆଉ ଖୁବ୍ ଧାମରେ ସେମାନେ ସେଲିବ୍ରେସନ କଲେ। ଅନୁ ପ୍ରଥମ ଥର ପାଇଁ ତୁଷାରର ପରିବାରକୁ ନିଜ ପରିବାର ବୋଲି ଅନୁଭବ କରୁଥିଲା। ଆଉ ବୁଝି ସାରିଥିଲା ଜୀବନଟା ଖରା ଛାଇର କାହାଣୀ। ଜୀବନର ରାସ୍ତାରେ ଚାଲିବାକୁ ହେଲେ ଆମକୁ ଖରାର ସାମ୍ନା କରିବାକୁ ପଡିବ। ଆଉ ଧୈଯ୍ୟ ରଖିବାକୁ ହେବ, ଖରା ପରେ ଛାଇ ବି ନିଶ୍ଚିତ ରୂପେ ଆସିବ।



Rate this content
Log in

Similar oriya story from Romance