ଅବ୍ୟକ୍ତ
ଅବ୍ୟକ୍ତ
ସ୍ଵାତୀ ତରତର ହୋଇ ଭୁବନେଶ୍ୱର ଯାଉଥିବା ଟ୍ରେନ ରେ ବସି ପଡିଲା । ସ୍ବାମୀ ଅନୁରାଗ ଙ୍କୁ କହିଥିଲା ଅଫିସର ମିଟିଂ ଅଛି ଦୁଇ ଦିନ ରହଣୀ ପରେ ଚାଲି ଆସିବ । ଯିବା ସମୟରେ ପାଞ୍ଚ ବର୍ଷର ପୁଅ ରିଆନ୍ ଆଡ଼କୁ ଚାହିଥିଲା । କିନ୍ତୁ ରିଆନ କହିଥିଲା ମାମା ତମେ ଅଫିସ ଯାଅ, ମୁଁ ଜେଜେମା ସହ ଦୁଇଦିନ ରହିଯିବି। ମୋ ପାଇଁ ବ୍ୟସ୍ତ ହେବ ନାହିଁ ।
ସ୍ଵାତୀର ତା ଶାଶୁଙ୍କ ଉପରେ ବହୁତ୍ ଭରସା । ବୋଧେ ସେଇଥି ପାଇଁ ନିର୍ଦ୍ଵନ୍ଦରେ ତାଙ୍କ ପାଖରେ ନିଜ ପୁଅକୁ ଛାଡ଼ି ସେ ଅଫିସ ଯାଇ ପାରୁଛି । କିନ୍ତୁ ସ୍ଵାତୀର ବ୍ୟସ୍ତତାର କାରଣ କିଛି ଅଲଗା ଥିଲା । ହୃଦୟର କୋହଭରା ପ୍ରଶ୍ନ ତାକୁ ବିଚଳିତ କରି ପକାଉଥିଲା । ଯଦିଓ ସତ୍ୟ ତା ସାମ୍ନା ରେ ଥିଲା , ତଥାପି ନିଜକୁ ପ୍ରଥମ ଥର ପାଇଁ ଭୁଲ ପ୍ରମାଣିତ କରିବାକୁ ଚାହୁଁଥିଲା ।
ଟ୍ରେନରେ ବସି ଝରକା ପାଖ ମହିଳାକୁ ଚାହୁଁଥିଲା । ଯିଏକି ବହୁତ୍ ଖୁସି ରେ ତା ବିବାହ ବିଷୟ ଗପି ଚାଲିଥିଲା । ଠିକ୍ ୭ ବର୍ଷ ତଳର ସ୍ଵାତୀ ପରି । ସେ ବି ବହୁତ୍ ଖୁସି ଥିଲା ଅନୁରାଗଙ୍କ ପାଇଁ । ଜୀବନରେ ସବୁଠାରୁ ଭଲ ସ୍ବାମୀ ପାଇଥିବା କାରଣରୁ ନିଜକୁ ଭାଗ୍ୟବତୀ ମନେ କରୁଥିଲା । କିନ୍ତୁ ସେତେ ପଯ୍ୟନ୍ତ ଯେତେବେଳ ଯାଏଁ ସେ ଅଳକା ବିଷୟ ରେ ଜାଣି ନଥିଲା । ଅନୁରାଗ ଶୋଇଗଲା ପରେ ଆଜିବି ଅଳକାର ମେସେଜ ଆସେ ଅନୁରାଗ ଙ୍କ ମୋବାଇଲ କୁ ପ୍ରେମଭରା ଶବ୍ଦର । ଅନୁରାଗଙ୍କ ପ୍ରତ୍ୟେକ ଜନ୍ମଦିନ ରେ ଏକ ଅଜଣା ଉପହାର ଆସେ । ଯେତେବେଳେ ସେ ଅନୁରାଗକୁ ପଚାରେ , ଅନୁରାଗ କୁହନ୍ତି ମୁଁ ଜାଣେ ନାହିଁ କିଏ ସେ ..... ଷ୍ଟୋର ରୁମ୍ ଆଟାଜି ଥରେ ଖୋଲିଥିଲା ସ୍ଵାତୀ । କେତେ ପୁରୁଣା ଚିଠି , ଆଉ ଅନୁରାଗଙ୍କ ସହ ଅଳକାର ଫଟୋ ପାଇଥିଲା ସେ । କିନ୍ତୁ ସେ ସବୁ ଅତୀତ ଥିଲା । ତଥାପି ସ୍ଵାତୀ ଅନୁରାଗଙ୍କୁ ପଚାରୁଥିଲା କଣ କେହି ତା ପୂର୍ବରୁ ତମ ଜୀବନ ରେ ଆସିଥିଲେ କି ... ଅନୁରାଗ ହସି କହୁଥିଲେ , ସେମିତି ହୋଇଥିଲେ ମୁଁ ତମକୁ କାହିଁକି ବିବାହ କରିଥାନ୍ତି । ମୋ ଜୀବନ ରେ କେବଳ ତମେ ଅଛ ମୋ ପ୍ରେମିକା, ମୋ ପତ୍ନୀ, ମୋ ବାନ୍ଧବୀ ର ରୂପରେ , ତମ ଛଡ଼ା ମୁଁ କାହାକୁ ଭଲ ପାଇନି ।କିନ୍ତୁ ସେ ସବୁ ଛଳନା ଲାଗୁଥିଲା ତାକୁ । ବହୁତ୍ ଖୋଜା ଖୋଜି ପରେ ସେ ଅଳକାର ଠିକଣା ପାଇଥିଲା ଭୁବନେଶ୍ୱରରେ । ବୋଧେ ସେଇଥି ପାଇଁ ରାଉରେଲାଠାରୁ ଭୁବନେଶ୍ବର ଚାଲି ଆସିଛି ସେ ।ଅଳକାର ଘର ସାମ୍ନାରେ ଆସି ଠିଆ ହେଲା ସେ । କବାଟ ଠକ୍ ଠକ୍ କଲା । ଆଉ କବାଟ ଖୋଲି ଅଳକା ଆଉ ସ୍ଵାତୀ ମୁହାଁ ମୁହିଁ ହେଲେ । ଅଳକା ସ୍ଵାତୀକୁ ତାର ପରିଚୟ ମାଗିଥିଲା , ସ୍ଵାତୀ କିଛି କହିବା ପୂର୍ବରୁ ରାକେଶ ଆସି କହିଲେ ଆରେ ସ୍ଵାତୀ ତୁ , ଏତେଦିନ ପରେ ଅଳକା ଆଡ଼କୁ ଚାହିଁ କହିଲେ ମୋର ଦୂର ସମ୍ପର୍କୀୟ ଭଉଣୀ ସେ । ନିଜ ଝିଅ ଅନିଶା କୁ ପ୍ରଣାମ କରିବାକୁ କହିଲେ । ଅନିଶା ପ୍ରଣାମ କଲା। ୧୨ ବର୍ଷୀୟ ଅନିଶା କୁ ନେଇ ଅଳକା ବାହାରକୁ ଚାଲିଗଲା , ଗଲାବେଳେ କହିଲା ଝିଅକୁ ଟିଉସନରେ ଛାଡି ଫେରୁଛି । ତମେ ଭାଇ ଭଉଣୀ କଥା ହେଉଥାଅ ।
ଅଳକା ଗଲା ପରେ ସ୍ୱାତୀ ରାକେଶ ଙ୍କୁ ବଲବଲ ହୋଇ ଚାହିଁଲା , ଆଉ କହିଲା ଆପଣ ମିଛ କାହିଁକି କହିଲେ , ମୁଁ ତ ଆପଣଙ୍କୁ ଜାଣେ ନାହିଁ ।
ରାକେଶ କହିଲେ ମୁଁ କିନ୍ତୁ ଜାଣେ । ତମେ ଅନୁରାଗଙ୍କ ପତ୍ନୀ । ସେହି ଅନୁରାଗ ଯାହାକୁ ମୋ ପତ୍ନୀ ଆଜିବି ଭଲ ପାଏ ।
ସ୍ଵାତୀ ଚକିତ ହୋଇ କହିଲା , ତେବେ ତମେ ଚୁପ୍ ରହିଛ କେମିତି ,? ଏସବୁ ଅସହ୍ୟ ହୋଇ ପଡୁନି କାହିଁକି?
ରାକେଶ କହିଲେ , ଅନିଶା ପାଇଁ ...
ଆଜକୁ ପ୍ରାୟ ଚଉଦ ବର୍ଷ ତଳେ ମୋର ଅଳକା ସହ ଵିଵାହ ହୋଇଥିଲା , ଅଳକାର ଵିନା ଇଚ୍ଛା ରେ । ଵିଵାହ ପରେ ସେ ମତେ ଗ୍ରହଣ ନକରି ଚାଲି ଯାଇଥିଲା ଅନୁରାଗ ପାଖକୁ। ଅନୁରାଗ ଅଳକାର ପ୍ରେମ ସମ୍ପର୍କ ଵିଵାହ ପରେ ମଧ୍ୟ ଚାଲିଥିଲା । ମୁଁ ଚେଷ୍ଟା କରିଥିଲି ଅଳକାକୁ ଛାଡ଼ପତ୍ର ଦେଇ ଅନୁରାଗଙ୍କ ସହ ଵିଵାହ କରିବା ପାଇଁ। କିନ୍ତୁ ଅନୁରାଗ ରାଜି ହେଲେ ନାହିଁ। କାରଣ ତାଙ୍କ ଉପରେ ତାଙ୍କର ଦୁଇ ଭଉଣୀ ଥିଲେ । ଆଉ ସେଇଠି ଅଳକା ଆଉ ଅନୁରାଗ ତାଙ୍କ ପ୍ରେମ ସମ୍ପର୍କକୁ ଭାଙ୍ଗି ଦେଇଥିଲେ । ସେତେବେଳେ ଅଳକା ଗର୍ଭବତୀ ଥିଲା ଅନୁରାଗଙ୍କ ଛୁଆର । ଇଛା ହେଉଥିଲା ସେତେବେଳେ ଅନୁରାଗ ର କଲର ଧରି ବାଡେଇବା ପାଇଁ। କିନ୍ତୁ ସେତେବେଳେ ଆଉ ଏକ ସତ୍ୟ ମୋ ସାମନାରେ ଠିଆ ହେଲା , ଯେ ମୁଁ କେବେ ବାପା ହୋଇ ପାରିବି ନାହିଁ। ସବୁ ଭୁଲି ଅଳକାକୁ କ୍ଷମା କରିଦେଲି , ଆଉ ଅନୁରାଗ ଆଉ ଅଳକାର ଝିଅ ଅନିଶାକୁ ଆପଣାଇ ନେଲି ।
ପରେ ଅନୁରାଗ ମଧ୍ୟ ଜାଣି ପାରିଲା ଅନିଶା ତା ଝିଅ, କିନ୍ତୁ ସେ ମତେ କଥା ଦେଲା କେବେ ବି ମୋ ଝିଅ ଅନିଶା ସାମ୍ନା କୁ ଆସିବ ନାହିଁ। ଆଉ ଅଳକା ସହିତ କିଛି ସମ୍ପର୍କ ରଖିବ ନାହିଁ। ସେହି ଦିନଠାରୁ ଅନୁରାଗ କେବେବି ଆମ ସାମ୍ନାକୁ ଆସିନାହିଁ। ଆଉ ଅଳକା ମନ ଭିତରେ ଅନୁରାଗକୁ ଭଲ ପାଇଲେ ମଧ୍ୟ କେବେ ଅନୁରାଗର ନାମ ମୋ ସାମନାରେ ଉଚ୍ଚାରଣ କରିନି । ଦୁହେଁ ଦୁହିଁଙ୍କୁ ଅତୀତ ଭାବି ଭୁଲି ଯାଇଛନ୍ତି ।
ସ୍ଵାତୀ କହିଲା ତେବେ ସେ ମେସେଜ ଆଉ ଉପହାର ।
ରାକେଶ କହିଲା ମୁଁ କରେ , ମୋ ସନ୍ଦେହ ମତେ ବାଧ୍ୟ କରେ ଏସବୁ କରିବା ପାଇଁ... ଅଳକା ନା ରେ ମୁଁ ମେସେଜ କରେ , କିନ୍ତୁ ଅନୁରାଗ କେବେ ବି ଉତ୍ତର ଦିଏ ନାହିଁ । ସତ କଣ ତମକୁ ବି ଜଣା ଆଉ ମତେ ବି ,କିନ୍ତୁ ଆମକୁ ନିଜ ଭିତରେ ଗୁପ୍ତ ରଖିବାକୁ ହେବ , ଯଦି ଆମେ ପ୍ରମାଣକୁ ଖୋଳତାଡ କରିବାକୁ ଲାଗିବା ଆମ ପାଖରୁ ସମ୍ପର୍କ ହାତଛଡ଼ା ହୋଇଯିବ ।
ସ୍ଵାତୀ ସବୁ ଜାଣିବା ପରେ ଲୁହଭରା ଆଖିରେ ଫେରି ଆସିଲା । ଭାବିନେଲା ତାକୁ ସବୁ ଏକ ଦୁଃସ୍ଵପ୍ନ ଭାବି ଭୁଲିବାକୁ ହେବ ... ଅତୀତର ଦରଜା କୁ ବନ୍ଦ କରିବାକୁ ହେବ ...ନିଜ ସହ ଅଭିନୟ କରିବାକୁ ହେବ ... ନଚେତ୍ ସମ୍ପର୍କଟା କେଉଁଠି ହଜିଯିବ ।
ଜୀବନଟା ଯଦିଓ ସରଳ ନୁହେଁ ତଥାପି ଆମକୁ ଚାଲିବାକୁ ହୁଏ ।କେତେ ଝଡ଼ଝଞ୍ଜା ଭିତରେ ନିଜକୁ ନିଜ ସହ ବୁଝାମଣା କରିବାକୁ ପଡେ । ଆଇନା ଆଗରେ ଲୁହର ସାଗରକୁ ଲୁଚାଇ ହସିବାକୁ ହୁଏ । ନିଜ ପାଖରେ ପ୍ରମାଣ ତ ଅନେକ ଥାଏ ଧୋକା ଦେଉଥିବା ମନୁଷ୍ୟର ମୁଖା ଖୋଲିବା ପାଇଁ... କିନ୍ତୁ ସମ୍ପର୍କ ଆଗରେ ସ୍ୱାଭିମାନକୁ ହରାଇବାକୁ ପଡେ ।