ଟି ସାର୍ଟ
ଟି ସାର୍ଟ
ଓଃ ଡ଼ଲି ଦି ! କେଉଁଠି ଥିଲୁ ? ଏତେ ଦିନେ ମନେ ପଡିଲି ତୋର ! କେମିତି ଭୁଲି ଗଲୁ ? କେତେ ଝୁରିଛି ତୋତେ !
ଡଲିଦି ମୋ କୋମଳ ଆଦ୍ୟ ଯୁବ ପ୍ରାଣର ମେଞ୍ଚାଏ ଅଭୁଲା ରକ୍ତ ଗୋଲାପର ମହକ ।
ଭାରି ଖୁସି ଲାଗୁଛି ଅନେକ ଦିନ ପରେ କେଉଁଠୁ ମୋ ନମ୍ବର ଯୋଗାଡ଼ କରି ଡଲିଦି ନିମନ୍ତ୍ରଣ କରିଛି ତା ଝିଅ ଜନ୍ମ ଦିନକୁ।
ଆହା ଡଲି ଦି ସହ ଦେଖା ହେବ ବୋଲି ମନ ମୋର ଆକାଶେ ଉଡୁଥିଲା ।ମୋ ଗେଟଅପ୍ ଦେଖି ଚିଡୁଛି ମିସେସ୍ ପ୍ରାଚୀ।ଏତେ ବଡ଼ ଅଫିସର ହୋଇ ଗୋଟେ କେଉଁ ପୁରୁଣା ଟି ସାର୍ଟ ପିନ୍ଧି ପାର୍ଟିକୁ ଯାଉଛି ବୋଲି ତାର ଅଭିଯୋଗ । ମୁଁ କେଉଁ କହି ପାରୁଥିଲି,ପ୍ରାଚୀ ଲୋ ! ଏ ଟି ସାର୍ଟ ନୁହେଁ ମୋ ପ୍ରଥମ ପ୍ରେମର ବାସ୍ନା,ପୁଲକ ଅଟେ ? ଏ ଟି ସାର୍ଟରେ କେତେ ପ୍ରେମ ବୋଲା ହୋଇଛି ତୁମେ କଣ ଜାଣିଛ ? ଆଦ୍ୟ ଓ ଅବୁଝା ଯୁବ ପ୍ରାଣର କି ପ୍ରେମ ଛିଟା ଏ ଟି ସାର୍ଟକୁ ରଙ୍ଗେଇଛି ନା ତୁମକୁ କହି ପାରିବି ନା ତୁମେ ବୁଝି ପାରିବ ? ଏ ଟି ସାର୍ଟକୁ ଛୁଇଁଲେ ଛୁଇଁ ହୋଇଯାଏ ମୋ ଡଲିଦି।
ଟି ସାର୍ଟ ଟି ପିନ୍ଧି ମୋ ନାଁ ଲେଖା ହୋଇଥିବା ଅକ୍ଷର ଉପରେ ହାତ ପହଁରେଇ ଆଣିଲି। ମନେ ପଡିଗଲା ସବୁ
ମୁହଁରେ ଉଠିଲା କେତୋଟି କାଠ ବ୍ରଣ।
ମାଆ ମୋ ମୁହଁ ଦେଖି କହିଲା ମୁଁ ଏବେ ବଡ଼ ପିଲା ହେବାକୁ ବସିଲିଣି।
ବଡ଼ ପିଲା ଶବ୍ଦ ମୋ ଭିତରେ ଅପ୍ରକାଶିତ ଏକ ଖୁସିର ବିସ୍ଫୋରଣ ସୃଷ୍ଟି କଲା।
ବଡ଼ ହେବାକୁ ଭାରି ଇଛା ଥିଲା ମୋର। ସବୁବେଳେ ସେମାନେ ମୋତେ ଛୁଆଟା କହି ଆଉ ଚିଡାଇ ପାରିବେ ନାହିଁ।। ସତରେ ଅପୂର୍ବ ଏକ ଅନୁଭବ ମୋ ଭିତରେ ଏଇ କାଠ ବ୍ରଣକୁ ନେଇ।ମାଆ କଥା ଶୁଣି ଡ୍ରେସିଂ ଟେବୁଲରେ ମୋ ମୁହଁ ନିଠେଇ ନିଠେଇ ଦେଖିଲି।ନାକ ତଳେ ଶାଗୁଆ ଶାଗୁଆ ଟିକେ ଟିକେ ନିଶ ଓ ଗାଲରେ ଦାଢ଼ି ଗଜୁରୁଛି।ନିଶରେ ହାତ ମାରୁ ମାରୁ ଚମକି ପଡିଲି। ଆରେ ମୋ ମୁହଁ କାହିଁ ? ଏଇଟା ତ ଡଲି ଦି ମୁହଁ !
ବିସ୍ମିତ ଓ ଭୟଭୀତ ହୋଇ ଦୌଡ଼ିଲି ମାଆ ପାଖକୁ। ମାଆ ମୋର ସବୁଠାରୁ ଭଲ ସାଙ୍ଗ ଯେଣୁ।ମାଆ ଦେଖିଲୁ ମୋ ମୁହଁ କେମିତି ଦେଖା ଯାଉଛି ?
କେମିତି ଦେଖା ଯାଉଛି ! ମୁହଁ ତ ମୁହଁ ପରି ଦେଖା ଯିବ ନା ?
ନାଇଁ ମୁଁ କଣ କହୁଥିଲି କି ମୋ ମୁହଁ କାହା ମୁହଁ ପରି ଦିଶୁଛି ?
ତୁ ପରା ଅବିକଳ ତୋ ବାବାଙ୍କ ମୁହଁ ଛଡେଇ ଆଣିଛୁ।
ମନେ ମନେ କହି ହେଲି ତାହେଲେ ମୋ ମୁହଁ ଡଲିଦି ମୁହଁ ପରି ଦିଶୁନାହିଁ ।ଯାହା ହେଉ ଟିକେ ଆଶ୍ୱସ୍ତ ଲାଗିଲା।ନଲେ ମୋ ମୁହଁରେ ଡଲି ଦି ମୁହଁ ଦେଖି ଏକବାରେ ଡରି ଯାଇଥିଲି ।
ମାଆ କହିଲା, ହଁ ଲୁଲୁ ଯେ କେହି ତୋ ବାବାଙ୍କ ପିଲା ବେଳ ଫଟୋ ଦେଖିବ ତୋତେ ବୋଲି କହିବ।
ତାହେଲେ ବଡ଼ ହେଲେ ମୁଁ ଗୋଟେ ହିରୋ ପରି ଦେଖା ଯିବି।
ହିରୋ ?
ଆଉ... ମୋ ବାବା କେତେ ସୁନ୍ଦର ! ହିରୋ ପରି ଦିଶନ୍ତି ନା । ମୁଁ ବି ସେମିତି ଦିଶିବି ତ ମାଆ ?
ତୋ ବାବା ଠାରୁ ଆହୁରି ସୁନ୍ଦର ଦିଶିବୁ।
କେମିତି ?
ତୋ ବାବା ଶ୍ୟାମଳ ରଙ୍ଗ।କିନ୍ତୁ ତୁ ମୋ ପରି ଗୋରା ହୋଇଛୁ । ହେଲେ ହିରୋ କି ଫିରୋ ହେବାରେ କିଛି ନାହିଁ ପୁଅ।ମଣିଷ ହେବାର ଅଛି। ରୂପରେ କିଛି ନ ଥାଏରେ ଧନ।ଗୁଣ ଥିଲେ ସବୁ ସୁନ୍ଦର।
ଯିଏ ଦିଟା ଯାକ ହେବ।ମାନେ ହିରୋ ହେବ ପୁଣି ମଣିଷ ବି ହେବ ?
ମୁଁ ଜାଣେ ମୋ ଲୁଲୁ ହିରୋ ସହ ଗୁଣର ମଣିଷ ବି ହେବ।ଏତକ କହି ମାଆ ମୋ ପିଠି ସାଉଁଳେଇ କହିଲା, ବାଇଆ ଟା ସ୍କୁଲ ବେଳା ହେଲାଣି ଯିବୁନି କି ?
ହଁ ମାଆ ବେଳ ହୋଇଗଲାଣି।ଏ କାଠ ବ୍ରଣ ପାଇଁ ଏତେ କଥା। ନଅଟା ପନ୍ଦର ହେଲାଣି କହି ବ୍ୟାଗ୍ ପକେଇ ଜୋରେ ସାଇକେଲ ଚଳେଇ ସ୍କୁଲକୁ ଗଲି। ପାଠରେ କାହିଁକି କେଜାଣି ମନ ଲାଗୁ ନ ଥାଏ।ଅନ୍ୟ ମନସ୍କ ହୋଇ ନଖରେ ଉଖାରୁଥାଏ ବ୍ରଣ ଗୁଡାକ। ଖୋଜୁଥାଏ ତାକୁ।
ରିସେସକୁ ଅପେକ୍ଷା କରିଥାଏ । ବାଲି ମଠ ଖେଳ ପଡିଆ ଆମ୍ବ ଗଛ ତଳେ ଡଲି ଦି ତା ସାଂଗ ମାନଙ୍କ ସହ ଟିଫିନ୍ କରେ। ମୁଁ ବି ସେମାନଙ୍କ ସହ ଟିଫିନ୍ ନେଇ ଖାଏ। ଡଲିଦି ସାଙ୍ଗ ମାନେ ମୋତେ ଦେଖି କୁହନ୍ତି , ହେଇଟି ଡଲି ତୋ ହିରୋ ଆସିଗଲା । ଡଲିଦି କୃତ୍ରିମ ରାଗ ଦେଖାଇ କୁହେ ହୁଁ ଛୁଆଟା ସେମିତି କଣ କହୁଛ ?
ହିରୋ ଡାକଟି ମୋତେ ଖୁବ୍ ଭଲ ଲାଗେ। ସେଇ ଡାକ ପାଇଁ ସବୁବେଳେ ନିଜକୁ ହିରୋ ଗେଟ୍ ଅପ୍ ଦେବାରେ ଥାଏ । କଥା ଷ୍ଟାଇଲ ମାରି କୁହେ।ମୁଣ୍ଡ ବିଭିନ୍ନ ଡିଜାଇନ କରେ । ୟୁନିଫର୍ମ ଟି ଟିକେ ନିଆରା ବାଗରେ ପିନ୍ଧେ।
ସେଦିନ ମାଆର ବଡ଼ ହେବା କଥା ଶୁଣି ମୋ ଭିତରେ କାହିଁ କେତେ ଭାବନା ଲହଡି ପିଟିଲେ। ଡଲିଦିକୁ ଡାକି କହିଲି , "ହେ ଡଲି ଦି ! ତୁ ଆଉ ମୋତେ ଛୁଆ କହି ପାରିବୁନି।"
କାହିଁକି ?
ଏଇ ଦେଖ୍ ମୋର କାଠ ବ୍ରଣ ହେଲାଣି ।ନିଶ ଧାଡି ଗଜୁରିଲାଣି। ସବୁଠାରୁ ବଡ଼ କଥା ମାଆ କହୁଛି ମୁଁ ସାନରୁ ବଡ଼ ହେଉଛି।
ଡଲିଦି କହିଲା ,ମାଆଙ୍କ କଥାରେ କଣ ଅଛି ତୁ ନିଜେ ବଡ଼ ହେଲୁଣି ଭାବୁଛୁ କି ? ସ୍ଵଭାବ ତ ଛୁଆଟା।ଶରୀର କି ବୟସ ବଢିଲେ କେହି ବଡ଼ ହୋଇ ଯାଏନି ରେ ବୁଦୁ।
ତ ....ପିଲା ବଡ଼ ହୋଇଗଲେ ପରା ମୁହଁରେ କାଠ ବ୍ରଣ ହୁଏ ? ମୋର ନିର୍ବୋଧ ପ୍ରଶ୍ନ ।
ତୁ କଣ ସବୁବେଳେ ଛୋଟ ହୋଇଥାନ୍ତୁ କି ଲୁଲୁ ? ପ୍ରତ୍ୟେକ ପିଲା ଆସ୍ତେ ଆସ୍ତେ ବଡ଼ ହୁଅନ୍ତି ନା।
ତାହେଲେ ମୁଁ ଏଣିକି ତୋ ହିରୋ ହୋଇ ପାରିବି ତ ଡଲି ଦି ?
ପାଗଲ୍ । ହିରୋ ନା ଫିରୋ। ତୁ କାଇଁ ମୋ ହିରୋ ହେବୁ ଆଉ କିଏ ଥିବ ନା ।
ମନଟା ମୋର ଖଟା ହୋଇ ଗଲା । କହିଲି ,ଆଉ କିଏ କାହିଁକି ତୋ ହିରୋ ହେବ ? ମୁଁ ହେଲେ ତୋର କଣ ଯାଉଛି ?
ଡଲିଦି ମୁଚୁକୁନ୍ଦିଆ ହସ ହସି କହିଲା, ଯାଉଛୁ ନା ମନ ଲଗାଇ ପଢିବୁ ।ଆସିଲା ହିରୋ ହେବାକୁ ? ଭଲ ପଢି ଭଲ ମଣିଷ ହୋଇ ନିଜ ଗୋଡ଼ରେ ଠିଆ ହୁଅ ତାପରେ ସିନା ହିରୋ ହେବୁ।
ପକ୍କା ତ ଡଲିଦି ? ଭଲ ମଣିଷ ହୋଇ ନିଜ ଗୋଡ଼ରେ ଠିଆ ହେଲେ ହିରୋ ହେବି ? ତୁ ମୋତେ ତୋ ହିରୋ କହିବୁ ?
ଆରେ ପାଗଲ୍ ଆଗ ହୋଇସାରେ ।ତୋତେ କହିବାକୁ ପଡିବ ନାହିଁ । ହିରୋକୁ ହିରୋ ନ କହି ସମସ୍ତେ ଆଉ କଣ କହିବେ ?
ସମସ୍ତେ କହିବା ମୋର ଦରକାର ନାହିଁ ।ତୁ ତୋର ହିରୋ ମୋତେ କରିବୁ ତ ? ଜାଣିଛୁ ଡଲିଦି ଆଜି ଡ୍ରେସିଂ ଟେବୁଲରେ ମୋ ମୁହଁ ଦେଖୁ ଦେଖୁ ତୋ ମୁହଁ ଦିଶିଲା।
ଡଲିଦି ଓ ତାର ସାଙ୍ଗ ମାନେ ହସି ହସି ଗଡ଼ିଗଲେ।ଲୁଲୁ ତୁ ସତରେ "ପାଗଳ" ହୋଇଗଲୁଣି କହି ହୋ ହୋ ହେଲେ। ମୋତେ ଭାରି ଅପମାନ ଲାଗିଲା । ରାଗ ତମ ତମ ହୋଇ ମୋ କ୍ଳାସକୁ ଚାଲି ଆସିଲି।ସେଦିନଠାରୁ ଡଲିଦି ସହ ଆଉ କଥା ହୋଇ ନାହିଁ।
ଥରେ ସ୍କୁଲରୁ ଆସୁଥିବା ବେଳେ ଡଲିଦି ସହ ଦେଖା ହୋଇଗଲା। ଭାବିଥିଲି ଡଲିଦି ସଂଗେ ମୋର କଟି।କିନ୍ତୁ କଣ ହୁଏ କେଜାଣି ଡଲିଦିକୁ ଦେଖିଲେ ମୋ ରାଗ କୁଆଡେ ଯାଇ ଲୁଚନ୍ତି। ନରମ ସରୁ ସ୍ୱରରେ ଡଲି ଦି ଯେତେବେଳେ ଲୁଲୁ ଡାକିଦିଏ ଆଃ କି ବିଚିତ୍ର ଚମତ୍କାର ଅନୁଭବ ହୁଏ ମୋର ! ଗେହ୍ଲା ହେବାକୁ ମନ ଉଚ୍ଚାଟ ହୁଏ।ଡଲିଦି କେବେ ମୋ ମାଂସାଳ ଗାଲ ଚିପି ଦିଅନ୍ତି ; ନଲେ ଆଉଁସି କିମ୍ବା ପିଠି ଥାପୁଡି ଦେଇ ମୁଣ୍ଡ ବାଳରେ ଆଙ୍ଗୁଳି ଭରି ଏପଟ ସେପଟ କରି ଅରୁଆ କରିଦିଅନ୍ତି ତ ମୋ ଭିତରେ କଣ ଗୋଟେ ହୁଏ । ଏତେ ଭଲ ଲାଗେ ଯେ ସେ ଅନୁଭବକୁ ପ୍ରକାଶ କରିବା ଅସମ୍ଭବ । ମନ କୁହେ ଡଲିଦିକୁ ଟିକେ କୁଣ୍ଢେଇ ଧରନ୍ତି।
ବହୁ ଥର ନିଜକୁ ପଚାରିଛି ଡଲିଦି ମୋତେ ଏତେ କାହିଁକି ଭଲ ଲାଗେ ? ତାର ତ ଆଉ ଦୁଇ ଭଉଣୀ ଅଛନ୍ତି ! ମୋ ଆଖପାଖରେ କେତେ ଝିଅ ପିଲେ ଥିଲେ ବି ଏଇ ଡଲି ଦି ମୋତେ ସମସ୍ତଙ୍କ ଠାରୁ ଭଲ ଲାଗେ କାହିଁକି ? ତାର ଉପସ୍ଥିତ ମୋତେ ଅକଳନ ଖୁସିରେ ଓଦା କରେ କଣ ପାଇଁ ? ତାକୁ ଦେଖିଲେ ଭିତରେ ଏତେ ଖୁସି ଭାବ ମୋତେ ଜାବୁଡନ୍ତି ଯେ ଯେତେ ମନ ଦୁଃଖ ହୋଇଥିଲେ ବି ମୁଁ ହସିଦିଏ। ତାଙ୍କ ସହ ଦିନେ ଦେଖା କି କଥା ନ ହେଲେ ସେ ଦିନ ମୋର କେଉଁଥିରେ ମନ ଲାଗେ ନାହିଁ।କଣ ପାଇଁ ଏସବୁ ?
ଉତ୍ତର ଖୋଜି କିଛି ନ ପାଇଁ ଭାରି ବିକଳ ହୁଏ।
ମୋ ଭାବନାରେ ବାଧା ସୃଷ୍ଟି କରି ଡଲିଦି କହିଲା, କିରେ ଲୁଲୁ ! ଏଇ କେଇ ଦିନ ହେବ ରିସେସରେ ବାଲି ପଡିଆ ଆମ୍ବ ଗଛ ତଳକୁ ଆସୁନୁ ତ ? ତୋ ଟିଫିନ୍ ମୋତେ ଭଲ ଲାଗେ ବୋଲି ଖାଇଦିଏ । ସେଇ ପାଇଁ ଯାଉନୁ କି ? ନା ରାଗିଛୁ କିରେ କହି ତା ଚିରା ଚରିତ ଢଙ୍ଗରେ ଗାଲ ଟିପି ଦେଲା।"
ଡଲି ଦି ପ୍ରଶ୍ନର ଉତ୍ତର କିଛି ନ ଦେଇ ଚୁପ୍ ରହିଲି।
ଓହୋ ଲୁଲୁର କି ରାଗ ! କେତେ ଲଙ୍କା ଖାଉଛୁ କିରେ କହି ମୋ ପିଠିରେ ପାପୁଲି ବାଡେଇ କହିଲେ ଡଲିଦି।
ହଁ ମୁଁ ରାଗିଛି ତୋ ସାଙ୍ଗରେ ଜମା କଥା ହେବିନି ।ସାଙ୍ଗମାନଙ୍କ ସହ ମିଶି ମୋ ମଜା ଉଡ଼େଇବୁ ? ଏ ଲୁଲୁର କ'ଣ ଟିକେ ସମ୍ମାନ ନାହିଁ। ତୁ ଏକା କହି ଥିଲେ ଚଳିଥାନ୍ତା କିନ୍ତୁ ସମସ୍ତଙ୍କ ଆଗରେ । ଶପଥ କରିଛି ତୁ କହିବା ପରି ହିରୋ ନ ହେବା ଯାଏ ତୋ ସହ ମୋର କଟି ମନେ ମନେ କହି ଜୋରେ ସାଇକେଲ ଚଳାଇ ପଳେଇ ଆସିଲି।
ଡଲିଦି ଓ ମୁଁ ଏକା ଇଂଲିଶ ମିଡିୟମ ସ୍କୁଲରେ ପଢୁ। ତାର ଏକାଦଶ ଶେଣୀ ଓ ମୋର ଦଶମ।ଡଲିଦି ମୋତେ ଅତି ମାତ୍ରାରେ ଭଲ ଲାଗେ। ସେ ହିରୋ ମାନଙ୍କୁ ଭଲ ପାଏ ବୋଲି ମୋର ହିରୋ ହେବାକୁ ଭାରି ଇଛା।
ଡଲିଦି ଭଲ ଡିଜାଇନ କରେ । ସ୍କୁଲ ଛାଡିବା ବର୍ଷ ସେ ମୋ ଜନ୍ମ ଦିନରେ ନୂଆ ଡିଜାଇନ ଅକ୍ଷରରେ ମୋ ନାଁ ଲେଖି ଗୋଟେ ଟି ସାର୍ଟ ଉପହାର ଦେଇଥିଲା ।ସେ ସାର୍ଟ ନ ପିନ୍ଧି ସାଇତି ଦେଲି ଗଡ୍ ରେଜରେ ।ମାଆ କହିଲ, ପାଗଲାଟା ସାର୍ଟ ନ ପିନ୍ଧି ସାଇତିଛୁ କାହିଁକି ? କଣ ଗଡ୍ ରେଜ ପିନ୍ଧିବ ?
ମାଆ କେମିତି ବୁଝିବ ଏ ସାର୍ଟ ରେ ଡଲିଦି ଅଛି ବୋଲି । ଡଲିଦିକୁ ହୃଦୟ ସହ ମୋ ଚାରିପାଖରେ କଏଦ କରି ରଖିବାକୁ ମନ ମୋର। ପିନ୍ଧିଲେ ଚିରିଯିବ ।ଚିରିଗଲେ ସାର୍ଟ ଫିଙ୍ଗା ହେବ । ଡଲିଦି ହାତ ବୁଣା ଡିଜାଇନ ଅକ୍ଷର ଲେଖା ନାଁ ଫିଙ୍ଗାହେବା ମୁଁ କଣ ସହି ପାରିବି ?
ଦ୍ଵାଦଶ ପରେ ଡଲିଦି ବାପାଙ୍କ ଟ୍ରାନ୍ସଫର ହୋଇ ଗଲା ରାଉରକେଲା। ବାପାଙ୍କ ଟ୍ରାନ୍ସଫର ସହ ଡଲିଦିର ଠିକଣା ଓ କଲେଜ ବଦଳୁ ଥିଲା ବାରମ୍ବାର। ସେ ଗଲା ପରେ ଭାରି ଏକାକୀ ଓ ଉଦାସ ଲାଗିଲା ମୋତେ ସ୍କୁଲରେ।ପାଠରେ ମନ ଲାଗିଲା ନାହିଁ।ହିରୋ ଚେହେରା ମୋର ଶୁଖି ଡାଙ୍ଗ ହେଲା ।ଝୁରି ହେଲି ଡଲିଦିକୁ ନିଃଶବ୍ଦେ।
ସମୟ ଦୌଡ଼ୁ ଥିଲା ଦ୍ରୁତ ଗତିରେ ।ତା ସହ ମୋ ବୟସ ଓ ମୁଁ ପ୍ରତିଯୋଗିତା କରୁଥିଲୁ ।
ସମୟ ସବୁ ଭୁଲେଇ ଦିଏ। ଡଲିଦି ମୋତେ ପୁରା ଭୁଲି ଯାଇ ବହୁତ ଆଗକୁ ବଢିଥିଲା। କାହାର କାହା ସହ ଦେଖା ସାକ୍ଷାତ କି କଥା ବାର୍ତ୍ତା ନ ଥିଲା ପଢିବା ଓ ନିଜ ଭବିଷ୍ୟତ ସ୍ୱପ୍ନରେ ହଜି।ମୁଁ ବି ଭୁଲି ଯାଇଥିଲି ସବୁ।କିନ୍ତୁ ଭୁଲି ନ ଥିଲି ମୋ ପ୍ରଥମ ପ୍ରେମର ପୁଲକ।ଡଲିଦି ମୋତେ ଯେଉଁ ଭଲ ଲାଗେ ସେଇଟା ଯେ ମୋ ପ୍ରଥମ ପ୍ରେମ ଥିଲା ପରେ ଅନୁଭବ ଦେଲା।ସେଇ ପ୍ରେମରେ ଜୀଇଁବା ହୁଏତ ମୋ ଭାଗ୍ୟରେ ନ ଥିଲା।
ଏତେ ଦିନ ପରେ କେଉଁଠୁ ମୋ ନମ୍ବର ପାଇ ଡଲି ତା ଝିଅର ଚତୁର୍ଥ ଜନ୍ମ ବାର୍ଷିକୀକୁ ଡାକିଛି। ମନ ଖୋଲି କହି ପାରି ବାର ସୁଯୋଗ କି ସମୟ ପାଇ ନ ଥିଲି କହିବାକୁ ଡଲି ଦି "ମୁଁ ତୋତେ ଭଲ ପାଏ ; ବହୁତ ଭଲ ପାଏ।" ତୁ ମୋତେ ତୋ ହିରୋ କରିବାରେ ଅନିଛୁକ ଥିଲୁ ।
ନାପସନ୍ଦ ଥିଲି ତୋର ମୁଁ। ଏଣୁ ମୁହଁ ଖୋଲି କହିବାକୁ ମୋ ଭିତର କଥା ମୋ ଭିତରେ ରହିଗଲା।
ଆଜି କିନ୍ତୁ ଟି ସାର୍ଟ ଟି ପିନ୍ଧି ଡଲିଦିକୁ ମନେ ପକାଉଥିଲି। ପ୍ରାଚୀ ଯେତେ ଗାରୁ ଗାରୁ ହେଲେ ବି ଜିନ୍ସ ପ୍ୟାଣ୍ଟ ସହ ସେଇ ଟି ସାର୍ଟ ଟି ହିଁ ପିନ୍ଧିଲି ।ପିନ୍ଧିଲା ପରେ ପ୍ରାଚୀ କହିଲା ,ନଟ୍ ବ୍ୟାଡ୍ ଲୁଲୁବାବୁ ।
ଡଲିଦିର ପସନ୍ଦ ଟି ସାର୍ଟ ପୁଣି ନିଜ ହାତରେ ଖୁବ୍ ସୁନ୍ଦର ଅକ୍ଷର ଓ ଡିଜାଇନରେ ଲେଖିଛି ମୋ ନାଁ ଭଲ ଦେଖା ଯାଆନ୍ତା ନାହିଁ କି ? ଏଇ କଥା ମନେ ମନେ ଭାବି ଟିକେ ହସିଦେଲି।
କିନ୍ତୁ ଡଲିଦି ଟି ସାର୍ଟ ଟି ଦେଖି ଆଶ୍ଚର୍ଯ୍ୟ ହୋଇଗଲା।ତା ଆଖି ଜକେଇ ଆସିଲା। ଚୁପ୍ କି କହିଲା, ଏତେ ଭଲ ପାଉଥିଲୁ ମୋତେ ବୁଦୁ ?

