Madhumita Mishra

Romance Tragedy Classics

4  

Madhumita Mishra

Romance Tragedy Classics

ତଥାପି... ଭାଲେଣ୍ଟାଇନ....

ତଥାପି... ଭାଲେଣ୍ଟାଇନ....

10 mins
220



"ଇସ୍..କି ଦୁଷ୍ଟ..!!"


ଆଖି ବନ୍ଦ ହୋଇ ଆସୁଥିଲା ମୀରାର..! ଫୋନ ରଖିଦେଇ ଆଲମାରୀ ଖୋଲି ସେଇ କାର୍ଡ ବାହାର କଲା ଯେଉଁଟା ଭାସ୍କର ଦେଇଥିଲେ ସେମାନଙ୍କ ନିର୍ବନ୍ଧ ପରେ..! ହଁ..ଆୟୋଜିତ ବିବାହ ଯେତେବେଳେ ଏହି ଉପହାରଟିକୁ ସେ ତାଙ୍କ ପ୍ରେମର ପ୍ରଥମ ସନ୍ତକ କହି ପାରିବ..! ରକ୍ଷଣଶୀଳ ପରିବାର ଉଭୟଙ୍କର।ତେଣୁ ଦେଖା ସାକ୍ଷାତ ସମ୍ଭବ ନୁହେଁ।କିନ୍ତୁ ଭାସ୍କର ଫୋନ କରନ୍ତି..ଆଉ ତା ସହ କଥା ହୁଅନ୍ତି..! ଆଉ ଆଜି ଭାଲେଣ୍ଟାଇନ ଡେ ରେ ଫୋନରେ ଫ୍ଲାଇଙ୍ଗ କିସ୍ ସେ ଯେମିତି ଦେଲେ..ତା ପରେ ମୀରା ହଜିଯାଇଛି କେଉଁ ଏକ ଅଜଣା ଦୁନିଆରେ..! ନିଜକୁ ନିଜେ ଆଉ ଖୋଜି ପାଇନି ଅନେକ ସମୟ ଯାଏଁ..! ଭାବିଛି କହିଦେବ ସେ ମଧ୍ୟ କେତେ ଭଲପାଏ ତାଙ୍କୁ..!ସେ ଯେ ତାର ଭବିଷ୍ୟତର ସ୍ବପ୍ନ..ବର୍ତ୍ତମାନର ସତ୍ୟ..କିନ୍ତୁ କେଜାଣି କାହିଁକି ନ କହି ରହିଯାଇଛି..!ବାହାଘର ହେଇଯାଉ..ତା ପରେ ବରଂ..!ମୁହଁ ଉପରେ ହାତ ଘୋଡେଇ ନିଜକୁ ସଞ୍ଜମ କରି ରଖିଦେଇଛି..!ଅନ୍ୟାନ୍ୟ କାମରେ ନିଜକୁ ହଜାଇ ଦେବାକୁ ଆରମ୍ଭ କରିଛି..


ତଥାପି…କେଉଁଠି ..କିଛି ବାକି ରହିଗଲା ପରି ଲାଗୁଛି..


ନିର୍ଦ୍ଧାରିତ ସମୟରେ ବିବାହ ବେଦୀରେ ବସିଥିଲା ମୀରା..!ସାମ୍ନାରେ ଭାସ୍କର..! ହାତଗଣ୍ଠି ପଡ଼ିବା ବେଳେ ଦୁଷ୍ଟାମୀ କରି ଚିପି ଦେଉଥିଲେ ସେ ତାର କୋମଳ ହାତକୁ..! ଇସ୍.. ଲାଜରେ ଆହୁରି ଲାଲ ହୋଇ ଉଠୁଥିଲା ମୀରାର ଗାଲ..!ତାଙ୍କ ହାତର ଉଷ୍ମତା ମୀରାକୁ କ୍ରମଶଃ ଗରମ କରି ଚାଲିଥିଲା ..!


ନିଜକୁ ଭାଗ୍ୟଶାଳୀ ମନେ କରୁଥିଲା ମୀରା। ଭାସ୍କରଙ୍କ ମନମୋହକ ବାସ୍ନା ନିଜ ଭିତରେ ସେ ଆବିଷ୍କାର କରି ପାରୁଥିଲା..!ତାଙ୍କ ବଳିଷ୍ଠ ବାହୁରେ ନିଜକୁ ହଜେଇ ଦେଇ ସ୍ୱର୍ଗସୁଖ ପାଉଥିଲା..!ଚବିଶ ଘଣ୍ଟା ନିଜ ଛୋଟିଆ ବସାକୁ ସଜାଡି ଆହୁରି ଆହୁରି ଖୁସି ହୋଇ ଯାଉଥିଲା..!ଟିକେ ସମୟ ମିଳିଲେ ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଦୁହେଁ ବସି ଯାଉଥିଲେ ନିଜ ନିଜ ପୁରୁଣା ଦିନର ସ୍ମୃତି ବଖାଣି ବସନ୍ତି।ଭାସ୍କର ଟିକେ କମ୍ ଗପ କରନ୍ତି।କିନ୍ତୁ ମୀରା ପ୍ରଗଲ୍ଭା ହୋଇ କହିଯାଏ ତା ସ୍ବପ୍ନ ସବୁ..ତା ଆଶା ଆକାଂକ୍ଷା ସବୁ..!


ତଥାପି…ବହୁତ୍ କିଛି ବାକି ରହିଯାଏ..


ତଥାପି କହି ପାରେନି ସେ ଭାସ୍କରଙ୍କ ଠାରୁ କଣ ଚାହେଁ..! ଏଇ ଯେମିତି ସେ ଭାବେ ..ସେ ରୋଷେଇ ଘରେ ଥିବ ଆଉ ଭାସ୍କର ଆସି ପଛରୁ..! ଇସ୍..ପ୍ରକୃତିସ୍ଥ ହୁଏ ଆଉ ଦେଖେ ଭାସ୍କର ହଜି ଯାଇଥାନ୍ତି କେଉଁ ଖବରକାଗଜ କିମ୍ବା ମୋବାଇଲ ଭିତରେ..! ବେଳେବେଳେ ଭାବେ ତା ଖୋଲା ଚୁଟି ଦେଖି ଭାସ୍କର ଆସିଯିବେ ବାଲକୋନୀକୁ..! କିନ୍ତୁ ଦେଖିଲା ବେଳେ ଅନେକ ସମୟରେ ଭାସ୍କର ସେତେବେଳେ ନିଜ କାମରେ ବ୍ୟସ୍ତ ଥାଆନ୍ତି..! ପୁଣି ଭାବେ ଅଫିସ ଗଲାବେଳେ ଯଦି ପଚାରି ଦିଏ .."କିଛି ଭୁଲି ଗଲ କି.."ସେ ଆସିବେ ଆଉ ତାଙ୍କ ସ୍ନେହର ସ୍ୱାକ୍ଷର ଆଙ୍କିଦେବେ ତା ଗଣ୍ଡଦେଶରେ..!କିନ୍ତୁ ଭାସ୍କର "ନା ତ..ସବୁ ନେଇଛି"..କହି ଗାଡ଼ି ଛୁଟେଇଦିଅନ୍ତି ଆଗକୁ..!ବେଳେବେଳେ ସେ ଭାବେ ସକାଳୁ ଉଠିଲା ବେଳେ ଭାସ୍କର ଚା କପେ ତିଆରି କରି କହିବେ.."ସରପ୍ରାଇଜ.."!କିନ୍ତୁ..ସେ ନିଜ ନିତ୍ୟକର୍ମ ସାରି ଆସି ଅନେକ ସମୟ ଡକା ପକେଇଲେ ଯାଇ ତାଙ୍କ ନିଦ ଭାଙ୍ଗେ..!ଏମିତି ପ୍ରତି ସମୟରେ ନିଜକୁ ନିଜେ ଟିକେ ହସିଯାଇ ବୁଝେଇଦିଏ ମୀରା..ସେ ଭାସ୍କରଙ୍କୁ ବହୁତ୍ ଭଲ ପାଏ…!


ତଥାପି…କିଛି ନିଶ୍ଚୟ ବାକି ରହିଯାଏ..


ସମୟ ଅନୁସାରେ ଛୁଆକୁ ସମ୍ଭାଳୁ ସମ୍ଭାଳୁ ନିଜ ଉପରେ ଧ୍ୟାନଦେବା ସମ୍ପୂର୍ଣ୍ଣ ଭୁଲି ଆସିଥାଏ ମୀରା..! ଆବଶ୍ୟକ ନ ଥାଏ ନିଜ ପାଇଁ ସମୟ ଟିକେ ଦେବାକୁ ..! ତଥାପି ...ଭାସ୍କରଙ୍କ ପ୍ରତି ତା ସ୍ନେହରେ ଟିକେ ମାତ୍ର ବ୍ୟତିକ୍ରମ ହୁଏନା..!ଛୋଟଛୁଆଙ୍କ ପରି ସେ ବସି ରହିଥିବା ଜାଗାକୁ ନେଇ ହାତକୁ ବଢେଇ ଦିଏ.. ଚା,ଜଳଖିଆ,ଖବରକାଗଜ ଆଉ ଅନ୍ୟ ଆବଶ୍ୟକ ପଦାର୍ଥ..!ଦିନସାରା କାମ କରି ମଧ୍ୟ ହସ ଧାରେ ତା ଓଠରେ ସବୁବେଳେ ଲାଗି ରହିଥାଏ...ତା ସୌନ୍ଦର୍ଯ୍ୟ କୌଣସି ପ୍ରସାଧନ ଖୋଜିନି.. ଅହ୍ୟଲକ୍ଷଣ ଟିକକ ତା ପାଇଁ ପର୍ଯ୍ୟାପ୍ତ ..


ତଥାପି...କେଜାଣି କାହିଁକି..କିଛି ଟିକେ ବାକି ରହିଗଲା ପରି ଲାଗେ..


ନିଜକୁ ଆଉ ପୁଅ ବଣ୍ଟିକୁ ସଜାଇ ସେଦିନ ବାହାରି ଯାଇଥିଲା ମୀରା ମାମୁଁଘରକୁ।ପିଲାଟି ଦିନରୁ ମାମୁଁ ଘରେ ବଡ ହୋଇଥିଲା ସେ।ମାମୁଁ ମାଇଁ ଆଉ ତାଙ୍କ ଝିଅ ସିପ୍ରା ହିଁ ତା ଦୁନିଆ ବୋଲି ସେ ଭାବୁଥିଲା।ବିବାହ ସମୟରେ ତା ମା ବାବାଙ୍କ ଠାରୁ ମାମୁଁ ହିଁ ଅଧିକ ଦୁଃଖୀ ହୋଇଯାଇଥିଲେ ନିଜ ଅଲିଅଳିକୁ ବିଦାୟ ଦେଇ..! ଅବଶ୍ୟ ବିବାହ ପରେ ଅନେକ ଥର ସେ ଯାଇଛି ଭାସ୍କର ସହିତ ।କିନ୍ତୁ ଆଜି ଏକା ଏକା ବଣ୍ଟି ସହିତ ଯାଉଥିଲା।ମୀରାଠାରୁ ସିପ୍ରା ମାତ୍ର ଗୋଟିଏ ବର୍ଷ ଛୋଟ।କିନ୍ତୁ ମୀରାର ବାହାଘର ଜଲଦି ହୋଇଯାଇଥିବା ବେଳେ ସିପ୍ରା ନିଜ ପାଠପଢା ସାରି କ୍ୟାରିଅର ଉପରେ ଧ୍ୟାନ ଦେବା ପରେ ଯାଇ ଏସବୁ ବିଷୟ ଚିନ୍ତା କରିଥିଲା।


ଆଉ ବର୍ତ୍ତମାନ ସିପ୍ରାର ବାହାଘର ପ୍ରାୟ ଠିକ୍ ହୋଇ ଯାଇଥିଲା କହିଲେ ଚଳେ।ସ୍ବାଗତ..ସିପ୍ରା ସହିତ ଗୋଟିଏ ପ୍ରୋଜେକ୍ଟ ପାଇଁ କାମ କରୁଥିଲେ।ଆଉ ମନେ ମନେ ତାକୁ ପସନ୍ଦ କରି ବିବାହ ପ୍ରସ୍ତାବ ଆଗେଇଥିଲେ।ବଡ଼ ମାନଂକ କଥାବାର୍ତ୍ତା ଆଗରୁ ସରିଥିଲା।ସେଦିନ ସ୍ବାଗତ ସିପ୍ରା ଘରଲୋକଙ୍କ ସହିତ ଦେଖା କରିବାକୁ ଆସିବା ଧାର୍ଯ୍ୟ ଥିଲା।ଏଣୁ ମାମୁଁ ତାକୁ ଖାସ ଆସିବାକୁ ଅନୁରୋଧ କରିଥିଲେ।ସିପ୍ରାର ଆଗାମୀ ଖୁସି ପାଇଁ ତା ମନ ତଳେ ଲାଗୁ ନ ଥିଲା।ଠିକ୍ ସମୟରେ ଆସି ପହଞ୍ଚି ଯାଇଥିଲା ମୀରା..


ସିପ୍ରାକୁ ସୁନ୍ଦର୍ କରି ଶାଢ଼ୀ ପିନ୍ଧାଇ ରେଡି କରିଦେଇଥିଲା ସେ।ମାଇଁ ଭାରି ଖୁସି ଥିଲେ।ଯା ହେଉ..ଆଜି ମୀରା ଆସିଲାରୁ ଘର ସତରେ ପୁରି ଉଠିଲା..ଭଳିକି ଭଳି ଖାଇବା ରୋଷେଇ କରିଥିଲେ ମାଇଁ ଆଉ ମୀରା..ଠିକ୍ ସମୟରେ ସିପ୍ରାର ଭାବି ଶାଶୁଘର ଲୋକେ ଆସି ପହଁଚିଲେ।ମୀରା ସହିତ ସେମାନଙ୍କ ପରିଚୟ କରେଇ ଦେଇଥିଲେ ମାମୁଁ। 


"ଇୟେ ମୋ ଭାଣିଜୀ ମୀରା.."କହି ଦେଖେଇଲେ ମାମୁଁ।ସମ୍ମାନରେ ମୀରା ନମସ୍କାର କଲା ସ୍ୱାଗତଙ୍କ ମା ଆଉ ବାପାଙ୍କୁ।ଆଉ ସ୍ବାଗତ ଉଠିପଡ଼ି ତାକୁ ନମସ୍କାର ଜଣାଇଲେ।ଚା ଜଳଖିଆ ପର୍ବ ସମାପ୍ତି ହେବା ପରେ ସିପ୍ରା ସ୍ଵାଗତକୁ ତାଙ୍କ ବଗିଚା ଦେଖେଇବା ପାଇଁ ନେଇ ଯାଇଥିଲା।ସାଙ୍ଗରେ ମୀରାକୁ ମଧ୍ୟ ସେମାନେ ଆସିବାକୁ ଅନୁରୋଧ କଲେ।ଏଣୁ ସେ ତିନିଜଣ ଆଗେଇ ଗଲେ ବଗିଚା ଆଡେ।ମାମୁଁ ମାଇଁ ଦୁହେଁ ତାଙ୍କ ଘରେ ବହୁତ୍ ବଡ ବଗିଚା କରିଥିଲେ।ଭଳିକି ଭଳି ଫୁଲ ଆଉ ଫଳ ଭରି ରହିଥିଲା।ଗପି ଗପି ଚାଲୁ ଚାଲୁ ସିପ୍ରା ଅଜାଣତରେ ସ୍ଵାଗତଙ୍କ ଅକୁହା ପ୍ରେମ କାହାଣୀ ମୀରା ଶୁଣି ଖୁସି ହୋଇଯାଇଥିଲା।ଯା ହେଉ ଦୁହେଁ ମେଡ୍ ଫର୍ ଇଚ ଅଦର୍…


ସ୍ଵାଗତ ବହୁତ୍ ଫ୍ରି ଆଉ ଫ୍ରାଙ୍କ ଥିଲେ। ମୀରାକୁ ତା ପରିବାର ଆଉ ସ୍ଵାମୀଙ୍କ ବିଷୟ ପଚାରି ବୁଝିଲା ବେଳେ ଭାସ୍କରଙ୍କ କଥା ଶୁଣି ଚାଲିବା ବନ୍ଦ୍ କରି ଠିଆ ହୋଇଗଲେ ଆଉ ପଚାରିଦେଲେ..

"ଭାସ୍କର ମହାପାତ୍ର!!ସେ ଦିଲ୍ଲୀରେ ଟ୍ରେନିଂ ନେଉଥିଲେ କି?ଗିରିଶ ମହାପାତ୍ର ତାଙ୍କ ବଡଭାଇ ଆଉ ଆଦିତ୍ୟ ମହାପାତ୍ର ତାଙ୍କ ବାପା କି?"


ମୀରା ଖୁସି ହୋଇ କହିଲା.."ହଁ..ତୁମେ କଣ ଜାଣିଛ ତାଙ୍କୁ..?"


ଅଳ୍ପ ହସି ସ୍ଵାଗତ କହିଲେ.."ଆଇ ୱିସ୍ ଆଇ ସୁଡ ହାଭ ନଟ..ଛାଡ଼ନ୍ତୁ ସେକଥା.." ଆଉ କଥା ବୁଲେଇଦେଲେ।କିନ୍ତୁ ମୀରା ମନ ଖରାପ ହୋଇ ଆସିଥିଲା।ସ୍ଵାଗତ ଏମିତି କାହିଁକି କହିଲେ? ସେ ତ ଗର୍ବିତ ହୋଇ କହିବା କଥା ଯେ ସେ ଭାସ୍କରଙ୍କୁ ଜାଣିଛନ୍ତି।ଆଉ ଏପରି କଥାବାର୍ତ୍ତା କଲେ ସେ..ପୁଣି ତା ସାମ୍ନାରେ..! ଇଚ୍ଛା ହେଉଥିଲା ପଚାରିବାକୁ ..ତାଙ୍କ ଧୃଷ୍ଟତାର କାରଣ..!


ତଥାପି…କ୍ରୋଧ ନିୟନ୍ତ୍ରଣ କରି ପଚାରିଲା.."ତୁମ କଥାର ଅର୍ଥ କଣ ସ୍ଵାଗତ..!"କିନ୍ତୁ ସ୍ଵାଗତ ଭଦ୍ର ଭାବରେ କେବଳ ଦୁଇ ହାତ ଯୋଡ଼ି କ୍ଷମା ମାଗି ବଗିଚାରୁ ଫେରି ଆସିଲେ..!


ଡ୍ରଇଂରୁମକୁ ଆସିବା ପରେ ମାମୁଁ ପଚାରିଲେ..

"କଣ ପିଲାମାନେ..ଏଥର ଆଗେଇବା କି..?"

ତାଙ୍କ କଥା ନ ସରୁଣୁ ସ୍ୱାଗତଙ୍କ ବାପା କହି ଉଠିଲେ..

"ଆରେ ସମୁଦୀ..ପଚାରୁଛନ୍ତି କଣ?ଆମ ସ୍ଵାଗତ ନିଜେ ପରା ପ୍ରସ୍ତାବ ଆଣିଛି..!

ତାଙ୍କର ଏ କଥାରେ ସମସ୍ତେ ମନ ଖୋଲି ହସି ଉଠିଲେ..


ମୀରା ମନଟା ଭାଙ୍ଗିଗଲା ପରି ଲାଗୁଥାଏ..


ସ୍ୱାଗତ କାହିଁକି ଏମିତି କହିଲେ..!କିନ୍ତୁ ସେ ପଚାରିବ ବା କେମିତି?ସ୍ୱାଗତ ତ କଥା ଏଡେଇ ଦେଲେ..!ଠିକ୍ ସେତେବେଳକୁ ଭାସ୍କର ଫୋନ କଲେ।ସିପ୍ରା ବିଷୟ ସବୁ ପଚାରି ବୁଝିଲେ।ମୀରା କଣ କହିବ କଣ ନାହିଁ ସେକଥା ଭାବିବା ଆଗରୁ କହି ପକେଇଲା..

"ତୁମେ ସ୍ୱାଗତ ଯୋଶୀଙ୍କୁ ଜାଣିଛ କି?ସିପ୍ରା ପାଇଁ ସେ ଠିକ୍ ହେବେ ତ..?"


ସ୍ୱାଗତ ଯୋଶୀ ନାମ ଶୁଣିବା ମାତ୍ରେ ଭାସ୍କର ହଠାତ୍ ପାଟି କରି କହିଲେ..

"ଆରେ..!!ଆଉ କଣ କିଏ ପୁଅ ମିଳିଲାନି?ସ୍ୱାଗତ ଯୋଶୀକୁ ବାହା ହେବ ସିପ୍ରା??ତୁମେ ମାମୁଁଙ୍କୁ କହି ସେ ପ୍ରସ୍ତାବ ସଙ୍ଗେ ସଙ୍ଗେ ଭାଙ୍ଗ ଆଉ ଯେତେ ଶୀଘ୍ର ପାରିବ ସେଇଠୁ ଫେରିଆସ।"


ଭାସ୍କର ଫୋନ କାଟିଦେଲା ପରେ ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଫୋନ ଲାଗିଲାନି। ମୀରାକୁ କାନ୍ଦ ମାଡୁଥାଏ।କଣ ସବୁ ହେଉଛି ସେ ବୁଝି ପାରୁ ନ ଥାଏ।ସ୍ୱାଗତ କଣ ଯୋଗ୍ୟ ନୁହନ୍ତି କି ସିପ୍ରା ପାଇଁ?ଭାସ୍କର କାହିଁକି ପ୍ରସ୍ତାବ ଭାଙ୍ଗିବା କଥା କହିଲେ??ସେ ଏବେ କଣ କରିବ..!! ଏ ଦୁଇଜଣ କେମିତି ପରସ୍ପରକୁ ଚିହ୍ନିଛନ୍ତି?ଭଲ ନା ଖରାପ୍ ସ୍ମୃତି କିଛି ଅଛି?କିଛି ନ ବୁଝି କେମିତି କଣ ବା କାହାକୁ ସେ କହିବ..!!??


ତଥାପି...ତାକୁ କିଛି ତ କରିବାକୁ ହିଁ ପଡ଼ିବ..!!??


ଆସି ଦେଖିବା ବେଳକୁ ସମସ୍ତେ ହସ ଖୁସିଗପରେ ବ୍ୟସ୍ତ ଥାଆନ୍ତି।ମୀରାର ଶୁଖିଲା ମୁହଁ ଦେଖି ମାଇଁ ବ୍ୟସ୍ତ ହୋଇ ପଚାରିଲେ..

"ତମ ମନ ଦୁଃଖ କାହିଁକି ରେ ମା..?"ମୀରା ବିକଳ ହୋଇ ତାଙ୍କୁ ଭିତରକୁ ଡାକିଲା ଆଉ କହିଲା ଭାସ୍କର ଚାହାନ୍ତି ନାହିଁ ଏ ବାହାଘର ହେଉ।କିନ୍ତୁ କାହିଁକି ଚାହୁଁ ନାହାନ୍ତି ସେକଥା ବି ତ ସେ କହୁ ନାହାନ୍ତି..!!


ସେମାନଙ୍କ ଦ୍ଵିଧାକୁ ଅଳ୍ପେ ବହୁତେ ଲକ୍ଷ୍ୟ କରି ଯୋଶୀ ବାବୁ କହିଲେ.."କଣ ହୋଇଛି ସମୁଦୀ..!!ଆମକୁ ଲୁଚାଅନି...ବାଧ୍ୟ ହେଲା ମୀରା ଭାସ୍କରଙ୍କ ବିବାହ ପାଇଁ ଅମଙ୍ଗ କଥା କହିବାକୁ..!!କିଛି ସମୟ ସମଗ୍ର ପରିବେଶ ସ୍ତବ୍ଧ ହୋଇଗଲା।ଟିକେ ଚୁପ୍ ରହିବା ପରେ ଯୋଶୀ ବାବୁ କହିଲେ..

"ଆପଣ ବୋଧେ ଜାଣି ନାହାନ୍ତି ଦାସବାବୁ ଆପଣଙ୍କ ଜ୍ବାଇଁ ଆଉ ମୋ ପୁଅ ଗୋଟିଏ ରୁମରେ ରହି ଦିଲ୍ଲୀରେ ଟ୍ରେନିଂ ନେଉଥିଲେ..ବଳକା କଥା ସ୍ୱାଗତ ନିଜେ କହିଲେ ବୋଧେ ଭଲ ହେବ.."


ବାପାଙ୍କ ଆଜ୍ଞା ପାଇ ସ୍ୱାଗତ ଆରମ୍ଭ କଲେ..

"ଭାସୁ.. ମାନେ ଭାସ୍କର ମୋର ସବୁଠୁ ପ୍ରିୟ ସାଙ୍ଗ ଥିଲା।ଏଣୁ ଦିଲ୍ଲୀରେ ତା ସହିତ ରହିବାକୁ ଆମ ଘରଲୋକ ପସନ୍ଦ କଲେ। ଭାସୁର ଗୋଟିଏ ବଡ ବଦଗୁଣ ଥିଲା।ସେ ଯାହା ବି ଚାହେଁ ସେଇଟା ଯେମିତି ହେଲେ ହାସଲ କରେ। ନ ହେଲେ କଣ ଯେ କରିବସେ ନିଜେ ବି ଜାଣି ପାରେନି।ଦିଲ୍ଲୀରେ ଆମେ ଦୁଇଜଣ ଟ୍ରେନିଂ ନେବା ବେଳେ କିଛି ପ୍ରାକ୍ଟୀସ୍ ପାଇଁ ମୁଁ ଚାରୋଟି ଲାପଟପ୍ କିଣିଥିଲି ଆଉ ଭାସୂ ସେଥିରେ ଅବସର ସମୟରେ କିଛି ପିଲାଂକୁ କମ୍ପ୍ୟୁଟର ଶିଖାଉଥିଲା।ଯାହା ରୋଜଗାର ହୁଏ ଆମେ ବାଣ୍ଟି ଦେଉଥିଲୁ।ସବୁକିଛି ନର୍ମାଲ ଚାଲିଥିବା ବେଳେ ଦିନେ ମୋର ଜଣେ କଜିନ ଭଉଣୀ ମୋତେ ଦେଖା କରିବାକୁ ସେଠାକୁ ଆସିଲା। ଭାସୁ ଜିଦ୍ ଧରି ବସିଲା ତାକୁ ବାହା ହେବାକୁ।ସେ କିନ୍ତୁ ମନା କଲା। ଭାସୁ ନିଜ ଜିଦରେ ଅଟଳ ରହି ମୋତେ ବାଧ୍ୟ କରୁଥାଏ।ମୁଁ ବିରକ୍ତ ହୋଇ ଏସବୁ ପାଇଁ ମୋତେ ଆଉ ଥରେ କହିଲେ ତା ସହିତ ବନ୍ଧୁତା କାଟିଦେବି ବୋଲି କହିଲି।ସେ ହଠାତ୍ ତା ଭାଇ ଗିରିଶଙ୍କୁ ଫୋନ କଲା।ସେଦିନ ସନ୍ଧ୍ୟାରେ ଗିରିଶ ଭାଇ ଆସିଲେ ଆଉ ତା ପରେ…"


କଥା ବନ୍ଦ୍ କରି ସ୍ୱାଗତ ଢୋକେ ପାଣି ପିଇଲେ ଆଉ ପୁଣି ଆରମ୍ଭ କଲେ..

"ତା ପରଦିନ ସକାଳୁ ମୁଁ ଉଠିଲା ବେଳକୁ ମୋର ସବୁ ଲାପଟପ୍ ଗାୟବ ହୋଇ ଯାଇଥାଏ... ଭାସୁ ଆଉ ଗିରିଶଭାଇ ମଧ୍ୟ ରୁମରେ ନ ଥିଲେ।ଆଉ ଦୁଆର ମେଲା ହୋଇ ରହିଥିଲା...ମୁଁ ବ୍ୟସ୍ତ ହୋଇଗଲି।କିଛି ଅଘଟଣ ଘଟିଲା କି ଆଉ ??ଦୁଇ ଭାଇଙ୍କ ଫୋନ ମଧ୍ୟ ସ୍ୱିଚ ଅଫ ଥିଲା।ବିକଳ ହୋଇ ବାପାଙ୍କୁ ସବୁକଥା ଜଣାଇଲି।ବାପା ମୋତେ ସଂଗେ ସଙ୍ଗେ ଆସିବାକୁ କହିଲେ ଆଉ ମୁଁ ପହଞ୍ଚିବା ମାତ୍ରେ ଆମେ ସାଙ୍ଗ ହୋଇ ଆଦିତ୍ୟ ମଉସାଙ୍କ ଘରକୁ ବାହାରିଲୁ। ଡରୁଥାଏ ମୁଁ..କେଜାଣି ଭାସୁ ଆଉ ଗିରିଶ ଭାଇଙ୍କର କଣ ହେଲା..??ହଠାତ୍ ଏମିତି ସେମାନେ ଅଦୃଶ୍ୟ କେମିତି ହୋଇଗଲେ..!!??ରୁମରେ ଆଉ ଚୋରି କିଛି ହୋଇନି ତ?କିନ୍ତୁ ଲାପଟପ୍ ଗୁଡାକ ଛଡା ବଳକା ସବୁ ଜିନିଷ ତ ଯଥାସ୍ଥାନରେ ଥିଲା..!!ଅଗଣିତ ପ୍ରଶ୍ନ ମନରେ ରଖି ଆଦିତ୍ୟ ମଉସାଙ୍କ ଘରେ ଆମେ ପହଞ୍ଚି ଗଲୁ…ଭାରି ଭୟ ଲାଗୁଥାଏ..ଆଉ ଆଶଙ୍କା ମଧ୍ଯ..!!


ତଥାପି..ମନରେ ଦମ୍ଭ ନେଇ ଆମେ ଘର ଭିତରକୁ ଗଲୁ..


ମଉସାଙ୍କ ଘରେ ଭାସୁ ଆଉ ଗିରିଶ ଭାଇ ବସିଥିଲେ।ଆମକୁ ଦେଖି ସେମାନେ ନ ଦେଖିଲା ପରି ରହିଲେ।ବାପା କିଛି କହିବାକୁ ଆରମ୍ଭ କଲା ଆଗରୁ ଗିରିଶ ଭାଇ କହିଲେ.."ମଉସା..କଣ ଏଥର ଭାସୁ କଥାରେ ରାଜି ତ??"ଆମ ଆଶ୍ଚର୍ଯ୍ୟର ସୀମା ନ ଥିଲା। ଭାସୁ ନିଜ ଜିଦ୍ ପୁରା କରିବା ପାଇଁ ଏତେ ତଳକୁ ଖସି ଯାଇ ଚୋରି ପରି ଘୃଣ୍ୟ କାର୍ଯ୍ୟ କରିଥିଲା ଆଉ ତା ବଡ଼ଭାଇ ଏଥିରେ ତାକୁ ସାହାଯ୍ୟ କରିଥିଲେ ଏକଥା ସତରେ ବିଶ୍ୱାସ ହେଉ ନ ଥିଲା..।


ଆଦିତ୍ୟ ମଉସା ଆସିବାରୁ ବାପା ପ୍ରଶ୍ନ କଲେ.."ଏସବୁ କଣ ହେଉଛି ମହାପାତ୍ରବାବୁ?ଭାସ୍କର ଆଉ ଗିରିଶ କଣ କରିଛନ୍ତି ଆପଣ ଜାଣନ୍ତି ନା ନାହିଁ..?"


ଆଦିତ୍ୟ ମଉସା କହିଲେ.."ଯୋଶୀବାବୁ.. ଭାସୁ ଯାହା ଚାହେଁ ତାହା ହାସଲ କରେ।ଆପଣ ସେ ଚାହୁଁଥିବା ଝିଅ ସହିତ ତା ବାହାଘର କରି ଦିଅନ୍ତୁ ଆଉ ନିଜ ଲାପଟପ୍ ସବୁ ନେଇ ଯାଆନ୍ତୁ.."


ସେଇଠି ଆଉ କିଛି କଥାବାର୍ତ୍ତା ହେବାର ଆବଶ୍ୟକତା ନ ଥିଲା।ସାମାନ୍ୟ କେଇଟା ଲାପଟପ୍ ପାଇଁ ଏପରି କୁସଂସ୍କାରୀ ପରିବାର ସହିତ କୌଣସି ମଧ୍ୟ ସମ୍ପର୍କ ରଖିବାକୁ ଆମକୁ ଘୃଣା ଆସିଥିଲା।ବାହାଘର ପରି ଏକ ପବିତ୍ର ବନ୍ଧନ ଫେରେ ଏମିତି…?? ଆମେ ସେଇଠୁ ଚୁପଚାପ୍ ସେଦିନ ଚାଲି ଆସିଥିଲୁ…"


"ସ୍ଵାଗତ" ଚୁପ୍ ହୋଇ ସବୁ ଶୁଣୁଥୁବା ମୀରା ଟିକେ ଚଢ଼ା ଗଳାରେ କହିଲା.."ମୁଁ ଏସବୁ କେବେ ମଧ୍ୟ ବିଶ୍ୱାସ କରିବିନି..ତମେ ଏମିତି ମିଛ କଥା ସବୁ କେମିତି କହି ପାରୁଛ?"


"ଆପଣଙ୍କ ଅବସ୍ଥା ମୁଁ ବୁଝି ପାରୁଛି ମ୍ୟାଡମ..ଏସବୁ କହିବାକୁ ମୋତେ ମଧ୍ୟ ଭଲ ଲାଗୁନି..ହେଲେ ସତ କେବେ ଲୁଚି ପାରେନା। ନ ହେଲେ ଆଜି ଏଇଠି ଆମର ଭେଟ ହୋଇ ନ ଥାନ୍ତା ବୋଧେ।ଆପଣ ଭାସୁକୁ ଏ ବିଷୟ ପଚାରି ପାରନ୍ତି..!!"କହିଲେ ସ୍ୱାଗତ..


ମୀରା କିଛି ଉତ୍ତର ଦେବା ଆଗରୁ ଯୋଶୀବାବୁ କହିଲେ.."ଦେଖନ୍ତୁ ଦାସବାବୁ..ସିପ୍ରା ଆମ ଘରର ବୋହୂ ହେବ ବୋଲି ଆମେ ସ୍ବପ୍ନ ଦେଖିଛୁ।ଆମର କିଛି ବି ଆପତ୍ତି ନାହିଁ ଏ ବିବାହରେ।ତା ଛଡା ଯାହା ହେଲା ସେଥିରେ ଆପଣଙ୍କର କି ସିପ୍ରାର ତ କୌଣସି ସମ୍ପର୍କ ନାହିଁ।ଆଉ ଅତୀତକୁ କେବେ ଭବିଷ୍ୟ ନଷ୍ଟ କରିବାକୁ ସୁଯୋଗ ଦେବା ଉଚିତ୍ ନୁହେଁ..କିନ୍ତୁ ସତ କହିବାକୁ ଗଲେ ମୁଁ ଖାଲି ମୀରା ପାଇଁ ଚିନ୍ତିତ।ଭାସ୍କର ପରି ଏକଜିଦିଆ ସଂସ୍କାରହୀନ ପୁଅ ସହିତ ସେ କେମିତି ଜୀବନ ସାରା କଟେଇବ ସେକଥା ଭାବି ମନ ଭଲ ଲାଗୁନି…"


ହାତ ଯୋଡ଼ି ମାମୁଁ କହିଲେ.."ଖରାପ୍ ଭାବିବେନି ଆଜ୍ଞା।ଆମେ ଟିକେ ପରେ ଏସବୁ ବିଷୟ କଥା ହୋଇ ପାରିବା କି ପ୍ଲିଜ୍.."


ସମସ୍ତେ ବୁଝି ପାରୁଥିଲେ ପରିସ୍ଥିତିର ଗମ୍ଭୀରତାକୁ...ସିପ୍ରାକୁ କୁଣ୍ଢେଇ ଧରି ଯୋଶୀ ମାଉସୀ ତା କପାଳରେ ଚୁମା ଦେଇ ବାହାରି ଗଲେ।ମୀରା ଥରି ଉଠୁଥିଲା…କଣ ସବୁ ହୋଇଗଲା ଭାବି ତା ମୁଣ୍ଡ କାମ କରୁ ନ ଥିଲା।


ତଥାପି..ନିଜକୁ ସମ୍ଭାଳି ନେଇ ମାମୁଁଘରୁ ସେ ବାହାରି ଆସିଲା…


"କଣ..ସ୍ୱାଗତ ଆଉ ସିପ୍ରା ବାହାଘର କଥା ବନ୍ଦ୍ ହେଲା ତ?"ଭାସ୍କର ପଚାରିଲେ..


"ମୋତେ କହିଲନି ତୁମେ ସେମାନଙ୍କୁ କିପରି ଜାଣିଛ..!!"


"ସ୍ଵାଗତ ମୋ ସହିତ ଦିଲ୍ଲୀରେ ଟ୍ରେନିଂ ନେଉଥିଲା।ତା ଫ୍ୟାମିଲିକୁ ଆମେ ଭଲ ରୂପେ ଜାଣିଥିଲୁ।ହେଲେ ଗୋଟିଏ କଥା ନେଇ ମୋତେ ସେ ଅବଜେକ୍ସନ୍ କଲା।ଆଉ ତାକୁ ବୁଦ୍ଧି ଶିଖେଇବାକୁ ଗିରିଭାଇ ଆଉ ମୁଁ ତାକୁ ଆଛା କରି ପାନେ ଦେଇଥିଲୁ। ନଟ ଏ ଗୁଡ ମେମୋରୀ.."


ଏତିକି ଶୁଣି ମୀରା ଆଖି ଲୁହରେ ଭରି ଆସୁଥିଲା ..

ତଥାପି..ନିଜକୁ ସଞ୍ଜମ କରି ପଚାରିଲା..

"କଣ ଥିଲା ସେହି କଥା ଯାହା ସ୍ଵାଗତ ମାନିଲେନି ଆଉ ତୁମେ ଭାଇଙ୍କ ସହ ମିଶି କଣ କରିଲ ତାଙ୍କୁ ପନିସ କରିବାକୁ?ସତରେ କଣ ଚୋରୀ ପରି ଏକ ଘୃଣ୍ୟକାମ କରିବାକୁ ହେଲା ତୁମକୁ..!!??"


"ସେସବୁ ତୁମେ ଜାଣିବା ଆବଶ୍ୟକ ନାହିଁ।ମୋତେ ସେ ବିଷୟ କଥା ହେବାକୁ ଭଲ ଲାଗୁନି।ବରଂ ଏତିକି କୁହ ସେ ଯୋଶୀ ପରିବାର ସହ ସମ୍ପର୍କ ବନ୍ଦ୍ ହେଲା ନା ନାହିଁ..?"


"ଦେଖ..ସେମାନେ ପୁରୁଣା କଥା ସବୁ କିଛି ଧରି ହିଁ ନାହାନ୍ତି।ଯାହା ହୋଇଛି ସେସବୁ ଭୁଲି ସେମାନେ ବାହାଘର ପାଇଁ ରାଜି।ଆଉ ସ୍ଵାଗତ ବି ସିପ୍ରାକୁ ବହୁତ୍ ଭଲ ପାଉଛନ୍ତି..ଯଦି ତୁମେ.."


ମୀରା କଥା ଅଧାରୁ କାଟି ଏକରକମ ଚିତ୍କାର କରି କହିଲେ ଭାସ୍କର.."ନୋ ୱେ..ବରଂ ଯଦି ଏଇ ବାହାଘର ଏତେ ଜରୁରୀ ତେବେ ମାମୁଁଙ୍କୁ କୁହ ସେ ମୋତେ ଭୁଲିଯିବେ..ନା ମୁଁ ବାହାଘର ଆଟେଣ୍ଡ କରିବି ନା ତା ପରେ ସିପ୍ରା ସହିତ କି ତାଙ୍କ ସହିତ ଆଉ କିଛି ସମ୍ପର୍କ ରଖିବି.."


ଏତିକି କହି ଚାଲି ଯାଉ ଯାଉ ସେ ପୁଣି କହିଲେ.."ଆଉ ହଁ ସିପ୍ରା ବାହାଘର ପାଇଁ ଏତେ ବ୍ୟସ୍ତ ହୁଅନି।ମୁଁ ସପ୍ତାହକ ଭିତରେ ସ୍ଵାଗତଠାରୁ ଯୋଗ୍ୟ ପୁଅ ଆଣି ଠିଆ କରିଦେବି ମାମୁଁଙ୍କ ଆଗରେ..."


ଚାଲିଯାଇଥିଲେ ଭାସ୍କର ଅନ୍ୟ ରୁମକୁ..ମୀରା ଛାତି ତଳେ କୋହର ଜୁଆର..କଣ କରିବ ସେ ଏବେ..!!??କେବଳ ଯୋଗ୍ୟତା କଥା ନୁହେଁ..ଅପିତୁ ସ୍ୱାଗତ ବହୁତ୍ ଭଲପାଆନ୍ତି ସିପ୍ରାକୁ।ଏମିତି କେମିତି ଭାସ୍କର କହୁଛନ୍ତି..!!??ଭୁଲ୍ ତାଙ୍କର..ତଥାପି..ଦଣ୍ଡ ଆଉ କିଏ ଭୋଗିବ!!??ତା ଛଡା ପୁରୁଣା କଥା ଧରି କିଏ କଣ କେବେ ବର୍ତ୍ତମାନ ଆଉ ଭବିଷ୍ୟତ ନିର୍ଦ୍ଧାରଣ କରେ ଏମିତି..!!?? ସେ ଭାଙ୍ଗି ପଡୁଥିଲା..


ତଥାପି..ଲୁହ ପୋଛି ଦମ୍ଭ ଭରିଲା ମନରେ..


ମାମୁଁଙ୍କୁ ସବୁକଥା ଏକ ନିଃଶ୍ୱାସରେ କହିଗଲା..!!ମାମୁଁ ତା ପରେ କିଛି ନ କହି ସେତେବେଳେ ଫୋନ ରଖି ଦେଇଥିଲେ..ମୀରା ସେମିତି ସେଇ ଜାଗାରେ ବସି ରହିଥାଏ..ମାମୁଁ ଟିକେ ସମୟ ପରେ ଫୋନ କଲେ..


"ମୀରା ମା..ଆମେ ସମସ୍ତେ କଥାବାର୍ତ୍ତା ହେଲୁ।ସ୍ୱାଗତ ଆମ ଭବିଷ୍ୟତ ହୋଇପାରେ କିନ୍ତୁ ଭାସ୍କର ତ ଆମ ବର୍ତ୍ତମାନ ନା..ଯିଏ ଯୋଡ଼ି ହୋଇନି ତା ପାଇଁ ଯିଏ ମୋ ପରିବାରର ସଦସ୍ୟ ହୋଇସାରିଛି ତାକୁ ଦୁରେଇ ପାରିବିନିରେ।ତା ଛଡା ସିପ୍ରା କହିଛି ଭିଣୋଇ ହୋଇ ଭାସ୍କର ସିନା ତା ଖୁସି ପାଇଁ .. ତା ଭବିଷ୍ୟତ ପାଇଁ ଟିକେ ଭାବିଲେନି କି ନିଜ ଫାଲତୁ ଜିଦ୍ ଛାଡ଼ି ପାରିଲେନି କିନ୍ତୁ ସେ ଶାଳୀ ହିସାବରେ ତାଙ୍କ କଳଙ୍କିତ ଅତୀତ ପାଇଁ ନିଜ ସ୍ବପ୍ନକୁ ବଳିଦାନ ଦେବାର ମାନବିକତା ଟିକକ ନିଶ୍ଚୟ ରଖିଛି..!!ମୁଁ ଯୋଶୀ ବାବୁଙ୍କୁ ଏ ସମ୍ପର୍କରେ ଜଣେଇ ଦେଉଛି..କିନ୍ତୁ ମା ରେ..ମୋର ଅନୁରୋଧ ରଖିବୁ..ତୋ ମା ବାବାଙ୍କୁ କିଛି ଜଣେଇବୁନି..ସତ କଥା ସବୁ ଶୁଣି ସେମାନେ ସତରେ ଭାଙ୍ଗି ପଡ଼ିବେ.."


ମୀରା ଫିକା ହସଟେ ହସିଦେଇ ଲୁହ ପୋଛି କହିଲା.."ହଁ ମାମୁଁ..ତମେ ଜମା ଚିନ୍ତା କରନି..ଭାସ୍କର କହିଛନ୍ତି..ସପ୍ତାହକ ଭିତରେ ଆହୁରି ଭଲ ପ୍ରସ୍ତାବ ଆଣିବେ ସେ…!!"ଏତିକି କହିଲା ବେଳକୁ କିନ୍ତୁ ତା ଛାତି ବହୁତ୍ ଜୋରରେ ଧଡ଼ ଧଡ଼ ହେଉଥିଲା…


ତଥାପି..ତାର ଆଶା ଟିକକ ସେମିତି ରହିଥିଲା…


ଦିନପରେ ଦିନ ଗଡିଚାଲିଲା..


ସ୍ୱାଗତ ମନ ଦୁଃଖରେ ଶେଷ ନିଷ୍ପତ୍ତି ନେଇଗଲେ ସେ ସିପ୍ରା ବିନା ଆଉ କାହାରିକୁ ବିବାହ କରିବେନି..ଆଜୀବନ ଅବିବାହିତ ରହିବେ..


ସିପ୍ରା ସେହି କମ୍ପାନୀ ଛାଡ଼ି ଅନ୍ୟ ଜାଗାରେ ଚାକିରୀ କରିବାକୁ ନିଷ୍ପତ୍ତି ନେଲା...କାରଣ ସେଇଠି ସ୍ଵାଗତଙ୍କୁ ସବୁବେଳେ ଦେଖା ହେବାର ସମ୍ଭାବନା ଥିଲା…


ଯୋଶୀ ବାବୁ ମାମୁଁଙ୍କୁ ଯେତେବେଳେ ଦେଖା ହେଲେ ମଧ୍ୟ ' ସମୁଦୀ ' ସମ୍ବୋଧନ କରି କୋଳାଗ୍ରତ କରୁଥିଲେ ଆଉ ଭାସ୍କର ପରି ମଣିଷ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଉଥିଲେ ..ଶେଷରେ ମାମୁଁ ମଧ୍ୟ ନିଜ ଭିଟାମାଟି ଛାଡ଼ି ସେଠାରୁ ଦୂରକୁ ଚାଲି ଯିବାକୁ କଠୋର ନିଷ୍ପତ୍ତି ନେଲେ…


ତଥାପି..ଭାସ୍କର ଆଉ କେବେ ମଧ୍ୟ ସିପ୍ରା ବିବାହ ପ୍ରସଙ୍ଗ କେଜାଣି କାହିଁକି ଉଠେଇଲେନି..!!??


କେବଳ ଜଣଙ୍କ ଅନୁଚିତ ଅବାସ୍ତବ ତୁଚ୍ଛ ଜିଦ୍ ପାଇଁ ଏତେ ସବୁ ଘଟିଗଲା ..ତଥାପି…ମୀରା ଭାସ୍କରଙ୍କୁ କିଛି କହି ପାରିଲାନି..!!


ମାନସିକ କ୍ଷତ ବହୁତ୍ ଗଭୀର ଥିଲା..!!ମୁଣ୍ଡ ଭୀଷଣ ବିନ୍ଧୁଥିଲା.. ପାଟି କରି କାନ୍ଦିବାକୁ ତାକୁ ଇଚ୍ଛା ହେଉଥିଲା..ଯେତେବେଳେ ଭାଲେଣ୍ଟାଇନ ଡେ ପାଇଁ ଟିଭିରେ ସ୍ପେଶଲ୍ ଗୀତ ଭାସ୍କର ଲଗାଇଥିଲେ.."ସାଥୀ ତେରେ ନାମ..ଏକ ଦିନ..ଜୀବନ କର ଯାଏଙ୍ଗେ...ଜୀବନ କର ଯାଏଙ୍ଗେ..


ମୀରା ଭାସ୍କରଙ୍କୁ ତଥାପି ବହୁତ୍.. ବହୁତ୍ ଭଲ ପାଏ...ଆଉ ଭାସ୍କର..!!?




Rate this content
Log in

Similar oriya story from Romance