Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

T.Durga Prasad Rao

Romance


5.0  

T.Durga Prasad Rao

Romance


ତମ ବାଟ ଚାହିଁ ଚାହିଁ

ତମ ବାଟ ଚାହିଁ ଚାହିଁ

10 mins 637 10 mins 637


ବେବି ସକେଇ ସକେଇ କାନ୍ଦୁଥିଲା।

- ନୋ ମମି, ଆଉ କେବେ କରିବିନି। ଗଡ଼ ପ୍ରୋମିଜ୍, ଆଉ ଥରେ ଏ ଭୁଲ୍ ହବନି

ଅଳକା ପାଟି କରି ଚାଲିଥିଲେ। କେତେଥର କଲୁଣୁ ଏ ପ୍ରୋମିଜ୍। ଏଡୁଟିଏ ହେଲୁଣି, ଏ ବୁଦ୍ଧି ତୋର ଗଲାନି। ର, ସେ ଗଡ଼ଙ୍କୁ କହୁଛି, ମୋତେ ନେଇଯିବ ତା ପାଖକୁ। ତୋର ରୋଜ୍ ରୋଜ୍ ଏ ଦୁଷ୍ଟାମୀ ପାଇଁ ମୁଁ ଅନ୍ୟମାନଙ୍କୁଠୁଁ କଥା ଶୁଣି ପାରିବିନି

- କଣ ହେଲା, କାହିଁକି ପିଲାଟାକୁ କନ୍ଦଉଛ? ମୁଁ ଟିଭି ପାଖରୁ ମୁହଁ ଫେରାଇ ଚାହିଁଲି ସେ ଆଡ଼କୁ।

- ଦେଖ, ଆଜି ତମ ଝିଅ ପୁଣି କାହାର ଗୋଟେ ପେନ୍ ଚୋରେଇ ଆଣିଛି। ଚୋରଣୀ ଗୋଟେ କେମିତି ଆମ ଘରେ ଜନ୍ମ ନେଲା କେଜାଣି? ବୁନୁର ତ ଏ ଗୁଣ ନାହିଁ?

- ହା, ପେନ୍ ଚୋରେଇଛି ତ? କଣ ଏତେ ମହାଭାରତ ଅଶୁଦ୍ଧ ହେଇଗଲା ଯେ ଏତେବଡ଼ ପାଟିଟା କରୁଛ?

- କଣ ହେଲା? ତମ ଝିଅ କାହାର ପେନ୍ ଚୋରେଇ ଆଣିଛି, ତମକୁ କିଛି ଫରକ୍ ପଡ଼ୁନି? ଏବେ ପେନ୍ ପେନ୍ସିଲ୍ ଚୋରୋଉଛି, କାଲିକି କମ୍ପାସ୍ ଚୋରେଇବ, ବଡ଼ ହେଲେ କାହାର ସୁନା ଚେନ୍ ଚୋରେଇବ। ଅଳକାର କଥାରେ ମୁଁ ହସି ଉଠିଲି। ଝିଅକୁ କୋଳକୁ ନେଇ ତା ଗାଲରେ ବୋକ ଦେଇ କହିଲି, ମମିର ରାଗ ଦେଖୁଛୁତ, ଆଉ କେବେ ଏ କାମ କରିବୁନୁ, ହେଲା। ଯା ଖେଳିବୁ ଯା। ବେବି ଲୁହ ପୋଛି ଚାଲିଗଲା ବାହାରକୁ।

ବେବି ମୋ ସାତ ବର୍ଷ ବୟସ୍କ ଝିଅର ନାଁ। ତାର ଏ ଚୋରି ଗୁଣ କହିବାକୁ ଗଲେ ମୋଠୁଁ ହିଁ ଆସିଛି। ବାପ ଗୁଣେ ପୁଅ, ମାଆ ଗୁଣେ ଝିଅ ବୋଲି ସମସ୍ତେ କହନ୍ତି। କିନ୍ତୁ ମୋ ପରିବାରରେ ଠିକ୍ ତାର ଓଲଟା। ଚେହେରାଟିକୁ ଛାଡ଼ି ଦେଲେ ଝିଅ ମୋର ବାକି ସବୁତକ ଗୁଣ ଆଣିଛି, ଆଉ ପୁଅ ଅଳକାର। ସ୍କୁଲ ସମୟରେ ମୁଁ ଖୁବ୍ ଦୁଷ୍ଟ ଥିଲି। ୟା ବ୍ୟାଗ୍ ରୁ ପେନ୍ ଚୋରି କରି ତା ବ୍ୟାଗ୍ ରେ ରଖିବା, ତା ବ୍ୟାଗ୍ ରୁ ବହି କାଢ଼ି ଆଣି ୟା ବ୍ୟାଗ୍ ରେ ପୁରେଇବା ମୋର ପୁରୁଣା ଅଭ୍ୟାସ। ଧରା ପଡ଼ି ସାଙ୍ଗମାନେ ମାଡ଼ ଖାଇଲେ ମୋତେ ଭାରି ମଜା ଲାଗୁଥାଏ। ଏ ଗୁଣ ମୋର କଲେଜରେ ମଧ୍ୟ କିଛିଟା ଜାରି ରହିଲା। ହେଲେ କଲେଜରେ ଜଣେ ଅନ୍ୟ ଜଣକର ବ୍ୟାଗ୍ ଖୋଜିବା ନିହାତି ଅସୁନ୍ଦର ଆଉ ଅଭଦ୍ରାମୀ କଥା ଯେହେତୁ କେବଳ ଚୋରୀ ହେଉଥିଲା, ଚୋର କେହି ଧରା ପଡ଼ୁନଥିଲେ। ଦିନେ ମୁଁ ଅଗ୍ରୱାଲ୍.ର ଫିଜିକ୍ସ ବହିଟିକୁ ତା ବ୍ୟାଗ୍.ରୁ କାଢ଼ି ମୋ ଚଡି ସାଙ୍ଗ ଟୁଟୁର ବ୍ୟାଗ୍ ଭିତରେ ରଖିଦେଲି। ଅଗ୍ରୱାଲ୍ ବେପାରିଆ ଲୋକ। ସେ କାହୁଁ ଛାଡ଼ିବ? ସବୁ ପିଲାଙ୍କୁ ଅଟକାଇ ଗୋଟି ଗୋଟି ସମସ୍ତଙ୍କ ବ୍ୟାଗ୍ ଚେକ୍ କଲା। ଯେମିତି ଟୁଟୁର ବ୍ୟାଗ୍.ରୁ ତାର ବହି ବାହାରିଛି, ସମସ୍ତେ ଉହୁଙ୍କି ପଡ଼ିଲେ ଟୁଟୁ ଉପରେ। ଗୋଟିଏ ବି ମାଡ଼ ତଳେ ପଡ଼ିଲା ନାହିଁ। ପରିସ୍ଥିତି ଭୟାବହ ଦେଖି ମଝିରେ ପଶି ମୁଁ ଟୁଟୁକୁ ଅନ୍ୟମାନଙ୍କ କବଳରୁ ଛଡ଼େଇବାକୁ ଚେଷ୍ଟା କଲି। କଥାଟା ପ୍ରିନ୍ସିପାଲ୍.ଙ୍କ କାନକୁ ଯାଉ ଯାଉ ରହିଗଲା। ମୋ ଦୁଷ୍ଟାମୀର କାହାଣୀ ଅନେକ। ଟୁଟୁ ଯେହେତୁ ମୋର ଚଡି ବଡି। ମୋ ଭୁଲ୍.ର ଶତ ପ୍ରତିଶତ ଦଣ୍ଡ ତାକୁ ହିଁ ଭୋଗିବାକୁ ପଡ଼େ। କାରଣ ସବୁ ବିଷମ ପରିସ୍ଥିତିରୁ ଖସି ଯିବାରେ ମୁଁ ଥିଲି ଓସ୍ତାଦ୍। ଆଉ ଖସି ନ ପାରି ଧରା ପଡ଼ିଯାଏ ଟୁଟୁ।

ଝରାପଲ୍ଲୀକୁ ସଂଯୋଗ କରୁଥିବା ହାଇୱେ ଠାରୁ ଟିକିଏ ତଳକୁ ଗଡ଼ିଲେ ସରୁ ପାଦ ଚଲା ରାସ୍ତାଟିଏ ମିଶିଛି ଆମ ଗାଁ ପଡ଼ିଗଞ୍ଜକୁ। ପଡ଼ିଗଞ୍ଜ ଗାଁ ହାଇୱେ ଠାରୁ ପ୍ରାୟ ଗୋଟିଏ କିଲୋମିଟର ବ୍ୟବଧାନରେ। କୁଆଡ଼େ ଦୂର ଜାଗାକୁ ଯିବାକୁ ହେଲେ ଏଇ ଛକରୁ ହିଁ ସମସ୍ତଙ୍କୁ ବସ୍ ଧରିବାକୁ ହୁଏ। ଆମେ ସବୁ ସାଙ୍ଗମାନେ ଯିଏ ସବୁ ଗାଁ ହାଇସ୍କୁଲ୍ ପାଠ ସରିଲା ପରେ ଝରାପଲ୍ଲୀ କଲେଜରେ ନାଁ ଲେଖେଇଥିଲୁ, ସାଇକେଲ୍ ଖଣ୍ଡେ ଖଣ୍ଡେ ଧରି ଛକକୁ ଆସୁ। ସାଇକେଲ୍ ସବୁକୁ ଧଡ଼ିଆ ପାନ ଦୋକାନର ପଛପାଖରେ ଗଡ଼େଇ ଦେଇ “ଧଡ଼ିଆ ନନା ଦେଖୁଥିବୁରେ” କହିଦେଇ ମା ମଙ୍ଗଳା ବସରେ ଯାଇ ଉଠିବସୁ। ଧଡ଼ିଆ ମଧ୍ୟ କମ୍ ଚାଲାକ୍ ନୁହଁ। ସେ ଆମ ସାଇକେଲ୍ ନେଇ ବେପାର ଜମେଇ ଦିଏ। ଘଣ୍ଟାକୁ ଦୁଇ ଟଙ୍କା ହିସାବରେ ଭଡ଼ା ବୁଲାଏ। ଭଡ଼ା ନେବା ଲୋକକୁ ତାଗିଦ୍ କରି ଦେଇଥାଏ ଚାରିଟା ପୂର୍ବରୁ ଯେମିତି ସାଇକେଲ୍ ଫେରେ। ରାସ୍ତାରେ ଆହୁରି ଅନେକ ପିଲା ବସ୍.ରେ ଉଠନ୍ତି। ପ୍ରତି ଦୁଇ ତିନି କିଲୋମିଟରରେ ଗୋଟେ ଷ୍ଟପେଜ୍। କଲେଜ ପହଞ୍ଚୁ ପହଞ୍ଚୁ ପାଖା ପାଖି କୋଡ଼ିଏ ସରିକି ପିଲା ଭର୍ତ୍ତି ହୋଇଯାନ୍ତି ବସ୍.ରେ। ଗାଁରେ ପୁନିଆଁମାକୁ ଠାକୁରାଣୀ ଆସିଲେ ଯେମିତି ଏପାଖ ସେପାଖ ଝୁଲେ, ଭିଡ଼ ଭର୍ତ୍ତି ବସ୍.ଟି ଠିକ୍ ସେମିତି ଝୁଲି ଝୁଲି ଝରାପଲ୍ଲୀ କଲେଜ ଛକରେ ପହଞ୍ଚେ। ସବୁଠୁ ମଜା କଥା ହେଲା ଅଧା ଦିନ ଆମକୁ କଣ୍ଡକ୍ଟରକୁ ବସ୍ ଭଡ଼ା ଦେବାକୁ ପଡ଼େନି। ଭିଡ଼ ଭିତରେ କଣ୍ଡକ୍ଟର ପଇସା ମାଗି ମାଗି ଗୋଟିଏ ଡୋର୍ ରୁ ଆଉ ଗୋଟିଏ ଡୋର୍ ଆଡ଼କୁ ପହଞ୍ଚିଲା ବେଳେ ଆମେ ଷ୍ଟପେଜ୍ ରେ ଓହ୍ଲେଇ ପଡ଼ି ଆର ଡୋର୍ ରେ ପଶି ଭିଡ଼ ଭିତରେ ହଜିଯାଉ। ବେଳେ ବେଳେ କଣ୍ଡକ୍ଟର ଜାଣିପାରିଲେ ବି ଆମକୁ କିଛି କହେନି। ଆମକୁ ଶୁଭିଲା ପରି କହେ, ଆଜି ଏତିକି ଟଙ୍କା ଲସ୍ ହେଇଗଲା।

ବସ୍ ଯାତ୍ରା ଆହୁରି ଜମାଣିଆ ଲାଗିଲା, ଯେଉଁ ଦିନ ମନ୍ତ୍ରୀଆଡ଼ି ଛକରୁ ଗୋରୀ ପାତେଳୀ ସାଲୁଆର କମିଜ ପିନ୍ଧା ଝିଅଟିଏ ବସ୍.ରେ ଉଠିଲା। ଏତେ ଦିନ ଧରି ଆମେ ବସ୍.ରେ ଗଉଁଆ, କାଳୀ, ସାବନୀ, ତେଲମୁଣ୍ଡିଆ, ଡବଲ୍ ବେଣୀଆ ଝିଅ ଦେଖି ଆସୁଥିଲୁ। ପ୍ରଥମ କରି ଗୋରୀ, ସାମ୍ପୁକରା, କ୍ଳିପଦିଆ, ଲିପଷ୍ଟିକ୍ ବୋଳା ଝିଅ ଦେଖି ଦେଲା ବେଳକୁ ଆମ ଭିତରଟାରେ କଣ ସବୁ ମନ୍ଥି ହେଇଗଲା। ଯେଉଁମାନେ ସିଟ୍ ଗୋଟେ ପାଇବା ପାଇଁ ଧସ୍ତା ଧସ୍ତି ହେଉଥିଲେ, ସେମାନେ ଝିଅଟିକୁ ଦେଖିଲା କ୍ଷଣି ଉଠିପଡ଼ି ସିଟ୍ ଛାଡ଼ି ଦେଉଥିଲେ। ଚଢ଼ିବା, ଓହ୍ଲେଇବା ବେଳେ କିଛି ପିଲା ଭିଡ଼ ଠେଲି ରାସ୍ତା ତିଆରି କରି ଦେଉଥିଲେ। ପଚାରି ବୁଝିଲା ବେଳକୁ ଝିଅଟି ମନ୍ତ୍ରୀଆଡ଼ି ସରପଞ୍ଚଙ୍କ ଝିଅ। ନାଁ ତାର ବେବିନା। ବେବିନା ନାଁଟା କାହିଁକି କେଜାଣି ମୋ ଛାତିରେ ଛାପି ହେଇଗଲା। ତାର ଓଠ ଥରେଇ ସହାସ କଥାବାର୍ତ୍ତା, ନୀଳ ନୀଳ ଆଖିରେ ମାଦକଭରା ଚାହାଣୀ, ପାଖଦେଇ ଚାଲିଗଲେ ତା ପୋଷାକରୁ ଭାସି ଆସୁଥିବା ସୁଗନ୍ଧ। ଆଃ, ଛାତିଟା ଖାଲି ଧଡ଼ପଡ଼ ହେଲା ତା ସହିତ ଟିକେ କଥା ହେବା ପାଇଁ। ମନଟା ଖାଲି ହାଇଁ ପାଇଁ ହେଲା ତା ସହିତ ଟିକିଏ ପରିଚୟ ଜମେଇବା ପାଇଁ। ଫେରିବା ସମୟରେ ଦିନେ ଟୁଟୁକୁ କହିଲି, ଆଜି ମନ୍ତ୍ରୀଆଡ଼ି ଛକରେ ଓହ୍ଲେଇବା। ଟୁଟୁ କହିଲା, ନା ବାବା ନା। ଜମା ଡାକନା ମୋତେ ତୋ ସାଙ୍ଗରେ। ମୁଁ କହିଲି, ବିଶ୍ୱାସ କର, ଖାଲି ତା ଘରଟା ଦେଖିକି ଆସିବା। ବେବିନା ଆଗରେ ଆଗରେ, ଆମେ ଚାଲୁଥାଉଁ ପଛରେ ପଛରେ। ମଝିରେ ମଝିରେ ସେ କଣେଇ କରି ପଛକୁ ଚାହିଁ ଦେଉଥାଏ। ତାର ସେ ତେରଛା ଚାହାଣୀରେ ମୋ ସାହସ ଆଉ ଟିକେ ବଢ଼ି ଯାଉଥାଏ। ଗାଁ ଆସିଲା ପରେ କିନ୍ତୁ ମୋ ଛାତିର ଦମ୍ଭ ଟିକିଏ ଢ଼ିଲା ପଡ଼ିଗଲା। ଟୁଟୁ କହୁଥାଏ, ପଳେଇଚାଲ୍। ମୁଁ କହିଲି, ଏତେଦୂର ଆସିଲେଣି, ଘର ନ ଦେଖି ପଳେଇ ଯିବା? ଏଣେ ଜଣେ ଦିଜଣ ଲୋକ ଆମକୁ ଅଦ୍ଭୁତ ଚାହାଣୀରେ ଅନେଇଥାନ୍ତି। ଆମେ ସେମାନଙ୍କୁ ଖାତିର୍ ନ କରି ସିଧା ସିଧା ବେବିନାକୁ ଅନୁସରଣ କରୁଥାଉଁ। ଦେଖୁ ଦେଖୁ ବେବିନା ଗୋଟିଏ ଘର ଭିତରେ ପଶି ଯାଇ ଆସ୍ତେ କରି ଜଳା କବାଟ ବନ୍ଦ କରୁ କରୁ ଆମ ଆଡ଼କୁ ଚାହିଁ ଫିକ୍ କରି ହସିଦେଲା। ମୋ ଛାତିରେ ସତେ ଯେମିତି କିଛି ଗୋଟେ ସଟ୍ କରି ଗଳିଗଲା। ମୋତେ ଆହୁରି ଛଟପଟ ଲାଗିଲା ଯେତେବେଳେ ସେ ଘର ଭିତରେ ପଶି ଅଦୃଶ୍ୟ ହୋଇଗଲା।

- ଏ ଚାଲ୍, ବହୁତ ହେଲା। ରୋମିଓଗିରି ଗାଁ ଗହଳିରେ ଚାଲେନି ବୁଝିଲୁ। ଗାଁ ଟୋକା ଯଦି ଧରି ପକେଇବେନା ପିଠିରୁ ଛାଲ ଉତାରିଦେବେ। ଟୁଟୁର କଥାରେ ମୁଁ ପ୍ରକୃତିସ୍ଥ ହେଲି। ସେଦିନ ଆମର କିଛି ଅସୁବିଧା ହେଲାନି। ଆମେ ଫେରି ଆସି ପାରିଲୁ ବିନା ଦ୍ୱିଧାରେ। କିନ୍ତୁ ମନଟା ସମ୍ପୂର୍ଣ୍ଣ ରୂପେ ରହି ଯାଇଥିଲା ସେଇ କୁରଙ୍ଗନୟନା, ମଧୁହାସୀନୀ ପାଖରେ।

କଲେଜରେ ଅନେକ ଥର ଚେଷ୍ଟା କଲି ବେବିନାକୁ ମୋ ମନ କଥା କହିବାକୁ। ହେଲେ ସାହସ କୁଳାଏନି, ଚେଷ୍ଟା ଜାରି ରହେ। ବେବିନା ଓ ଆମର (ଟୁଟୁ ଓ ମୋର) ଷ୍ଟ୍ରୀମ୍ ଥିଲା ଅଲଗା ଅଲଗା। ସେ କଳାର ଛାତ୍ରୀ ଆଉ ଆମେ ବିଜ୍ଞାନର। ତା ଶ୍ରେଣୀସୂଚୀ ସହ ଆମର ମେଳ ଖାଏନି। ତା ବ୍ଳକ୍ ଅଲଗା, ଆମର ଅଲଗା। ତଥାପି ବେଳେ ବେଳେ କ୍ଳାସ୍ ମିସ୍ କରି ମୁଁ ତା କ୍ଳାସ୍ ରୁମ୍ ଠାରୁ କିଛି ଦୂରରେ ଥାଇ ଏପାଖ ସେପାଖ ହୁଏ ତାର ବାହାରିବାକୁ ଅପେକ୍ଷା କରି। ଲାଗେ ଆଜି କହିଦେବି ମୋ ମନକଥା। ଅନ୍ତରର ସବୁତକ ସାହସକୁ ଠୁଳ କରି ତା ପାଖକୁ ଯିବାକୁ ମାନସିକ ପ୍ରସ୍ତୁତି କରେ। ହେଲେ ଡରକୁଳା ମନଟା ତାର ନିକଟବର୍ତ୍ତୀ ହେବା ପୂର୍ବରୁ ହିଁ ପାଦଯୋଡ଼ିକୁ ବାନ୍ଧିପକାଏ। ବାସ୍, ମନର କଥାଟା ମନ ଭିତରେ ହିଁ ରହିଯାଏ। ଦିନେ ଟୁଟୁକୁ ସେ ବିଷୟରେ ସାହାଯ୍ୟ ମାଗିଲି। ସେ ମୁଳରୁ ହିଁ କାଟିଦେଲା, ବେବିନା କଥା ଛାଡ଼ି ଆଉ ଯାହା କହିବୁ କ।

- ମୁଁ ଆରମ୍ଭ କରିନି, ତୁ ଆଗତୁରା ବକି ସାରିଲୁଣି। ମୋ କଥା ପ୍ରଥମେ ଶୁଣିସାରେ।

- ହଉ, କ।

- ଦେଖ୍, ଏମିତି ଏମିତି ବର୍ଷଟିଏ କୁଆଡ଼େ ଚାଲିଗଲା। ଆଗକୁ ପରୀକ୍ଷା। ପରୀକ୍ଷା ପରେ ଛୁଟି। ଆଉ ଛୁଟି ପରେ କିଏ କୁଆଡ଼େ ଯିବ କିଛି ଠିକଣା ନାହିଁ। ପ୍ରଥମ ବର୍ଷର ପିଲା ଯେ ଦ୍ୱିତୀୟ ବର୍ଷ ମଧ୍ୟ ଏଇ କଲେଜ୍.ରେ ପଢ଼ିବ ତାର କିଛି ନିଶ୍ଚିତତା ନାହି।

- ତ, ମୁଁ କଣ କରିବି? ସବୁ ପିଲାଙ୍କୁ ଜଣ ଜଣ କରି ଡାକି କହିବି କି ଏ, ଶୁଣ ଶୁଣ, ତମ ସମସ୍ତଙ୍କୁ ମୋ ରାଣ, ଦ୍ୱିତୀୟ ବର୍ଷ ମଧ୍ୟ ତମେ ସମସ୍ତେ ଏଇ କଲେଜ୍.ରେ ହିଁ ପଢ଼ିବ। ଏଇଟା ଆମ ବନ୍ଧୁତ୍ୱରେ ପ୍ରଶ୍ନ... ...

- ତୁଛା ବକର ବକର ହଅନା। ମୁଁ କଣ କହୁଛି ଶୁଣ।

- ହଉ, କ।

- ତୋତେ ଗୋଟେ ପ୍ୟାକେଟ୍ ଦେବି, ତୁ ବେବିନାକୁ ଦେଇଦେବୁ।

- କିଆଁ ଗୁଣମଣି? ପ୍ରେମ କରିବୁ ତୁ ଆଉ ମୁଁ ତୋର ଦୂତ ସାଜିବି? କଦାପି ହୋଇ ପାରିବନି।

- ମୋ ସୁନା ସାଙ୍ଗଟା ପରା। ପ୍ଳି...ଜ୍...

- ନା, ମୋତେ ସେ ବେକାର କଥାରେ ପୁରାନା।

- ହେଲା ତ, ଠିକ୍ ଅଛି। ପମ୍ପିକୁ କହିଦେବି ତୁ ସେ ମୀରା ସହିତ କଣ କରୁଥିଲୁ ନଈ କୂଳ ପମ୍ପ ହାଉସ୍ ପାଖରେ।

ଟୁଟୁ ଚମକି ପଡ଼ି ବିସ୍ମୟରେ ପଚାରିଲା, କୋଉ ମୀରା କି ପମ୍ପ ହାଉସ୍?

- ମୁଁ କି ଜାଣିଛି, ତୁ ଜାଣିଥିବୁ?

- ପୁରାପୁରି ମିଛ।

- ମିଛ ବୋଲି ତୁ ଜାଣିଛୁ, ମୁଁ ଜାଣିଛି। ପମ୍ପି ତ ଜାଣିନି ନା।

- ତା ଅର୍ଥ ଡାହା ମିଛ କହିବୁ ପମ୍ପିକୁ? ଆଉ ତୁ ଭାବୁଛୁ ସେ ବିଶ୍ୱାସ କରିଯିବ?

- ହଉ ଦେଖିବା, ସେ ବିଶ୍ୱାସ କରୁଛି କି ନା।

ଟୁଟୁ ଡରିଗଲା। ସେ ଜାଣେ ମୁଁ ଯାହା କହିବି ପମ୍ପି ଆଖିବୁଜି ବିଶ୍ୱାସ କରିବ। ଆଉ ତା ପରର ପରିସ୍ଥିତିକୁ ସମ୍ଭାଳିବା ଟୁଟୁ ପାଇଁ କେତେ ଯେ କଷ୍ଟକର ହୋଇପଡ଼ିବ, ସେକଥା ଟୁଟୁ ଭଲକି ଜାଣେ।

- କିଛି ଭଲ କରୁନୁ କିନ୍ତୁ। ବେବିନାର ଭାଇକୁ ତୁ ଚିହ୍ନିନୁ।

- ତୁ ଯିବୁକି ନା କ?

- ଠିକ୍ ଅଛି ଦେ ସେ ପ୍ୟାକେଟ୍।

ଟୁଟୁ ଯାଇ ଲୁଙ୍ଗୁରୁ ପୁଙ୍ଗୁରୁ ହେଲା ବେବିନାର କ୍ଳାସ୍ ରୁମ୍ ଆଗରେ। ମୁଁ ପକେଟ୍.ରେ ହାତ ପୁରେଇ ଖଣ୍ଡେ ଦୂରରେ କୃଷ୍ଣଚୁଡ଼ା ଗଛ ଛାଇରେ ଠିଆ ହୋଇ ଲକ୍ଷ୍ୟ କରୁଥାଏ। ବେବିନା ଯେମିତି ବାହାରିଛି ଟୁଟୁ ତାକୁ ଗୋଟେ ପାର୍ଶ୍ୱକୁ ଡାକି ବଢ଼େଇଦେଲା ଛୋଟ ପ୍ୟାକେଟ୍.ଟି। ତରତରରେ ପ୍ୟାକେଟ୍.ଟିକୁ ଲୁଚେଇ ଦେଲା ବେବିନା। ତା ସହିତ ତା ଆଖି ଦୁଇଟି କାହାକୁ ଯେମିତି ଖୋଜି ହେଉଥିଲା। ବେବିନାକୁ ମୋ ମନ କଥା ପ୍ରକାଶ କରିବାର ଚେଷ୍ଟାକୁ ମୋ ଲାଜ ଓ ଭୟ ସିନା ପ୍ରତିହତ କରୁଛି, ହେଲେ ଏ ପ୍ୟାକେଟ୍ ବିନା ବାକ୍ୟ ବ୍ୟୟରେ ତା କରାମତି ଦେଖେଇବ। ବେବିନାକୁ ଜଣେଇଦେବ ମୋ ମନ କଥା ଏକ ନିଆରା ଶୈଳୀରେ। ତାପରେ କଣ ସବୁ ଘଟିବ ଚିନ୍ତା କରି ମୁଁ ମନେ ମନେ କୁରୁଳି ଉଠୁଥାଏ।

ତା ପରଦିନ କଥା କିନ୍ତୁ ଓଲଟି ଯାଇଥିଲା। ବେବିନାର ଭାଇ କେଉଁଠୁ କେମିତି ଖବର ପାଇଲା କେଜାଣି କଲେଜରେ କିଛି ଗାଁ ଟୋକାଙ୍କ ସହିତ ପହଞ୍ଚି ବେବିନାର ସାଙ୍ଗମାନଙ୍କୁ ପଚରା ଉଚୁରା କରି ଟୁଟୁକୁ ଧରି ବହେ ଛେଚି ପକେଇଲା। ମୁଁ ସେ ଘଟଣା ଦେଖି କୋଉ ବାଗରେ କଲେଜରୁ ଖସି ଘରେ ପହଞ୍ଚିଲି ମୋତେ ହିଁ ଜଣା। ସପ୍ତାହେ ପର୍ଯ୍ୟନ୍ତ ଟୁଟୁ ଭଲ ରୂପେ ଚାଲି ପାରିଲା ନାହିଁ। ହେଲେ ଆଶ୍ଚର୍ଯ୍ୟର କଥା ସେ ପ୍ୟାକେଟ୍.ଟା ତାକୁ ମୁଁ ଦେଇଛି ଆଉ ସେ କେବଳ ଏକ ମାଧ୍ୟମ ଥିଲା ବୋଲି କାହା ଆଗରେ ପ୍ରକାଶ କଲା ନାହିଁ। ଆଉ ମୁଁ... ମୁଁ ଯେମିତି ସବୁ ଦୁଷ୍ଟାମୀ ଛାଡ଼ି ପୁରା ସୁନାପିଲାଟିଏ ପାଲଟି ଯାଇଥିଲି। ବେବିନାର ପଢ଼ା ବନ୍ଦ ହୋଇ ଯାଇଥିଲା। କାରଣ ମୁଁ ତାକୁ ଆଉ ଦେଖୁନଥିଲି କଲେଜରେ।

କିଶୋର ବୟସର ସେ ଦୁଷ୍ଟାମୀ କଥା ମନେ ପଡ଼ିଗଲେ ଟୁଟୁ ପାଇଁ ମୋର ସହାନୁଭୁତି ଜାଗୁରିତ ହୁଏ। ବିଚରା ମୋ ପାଇଁ କମ୍ ସହିନି। ବାଙ୍ଗାଲୋର୍ ଆସିବା ପର ଠାରୁ ମୁଁ ଆଉ ଗାଁ ଆଡ଼େ ଯାଇନି। ଟୁଟୁ କେମିତି ଅଛି, ଅନ୍ୟ ସାଙ୍ଗମାନେ କେମିତି ଅଛନ୍ତି ମୋ ପାଖରେ କିଛି ଖୋଜ ଖବର ନାହିଁ। ଜୀବନଟା ଏମିତି। ଏଠି ଆଗକୁ ବଢ଼ିବାକୁ ହେଲେ ଏମିତି ଅନେକ କଥା ପଛରେ ଛାଡ଼ି ଆସିବାକୁ ହୁଏ।

କିଛି ଦିନ ହେଲା ବେବି ନୂଆ ସାଙ୍ଗ କରିଛି। ସ୍କୂଲରୁ ଫେରିଲେ ବ୍ୟାଗ୍ ପତ୍ର ଫୋପାଡ଼ି ଦେଇ ଦୌଡ଼ି ଚାଲି ଯାଉଛି ତାଙ୍କ ଘରକୁ। ଅଳକା କହୁଥିଲା ନୂଆରେ ଜଣେ ଭଡ଼ାଟିଆ ଓହ୍ଲେଇଛନ୍ତି ତିନି ଚାରି ଘର ଛାଡ଼ି। ତାଙ୍କରି ଝିଅ। ବୟସରେ ବେବି ଠାରୁ ଦୁଇ ବର୍ଷ ସାନ। ଦୁହେଁ ସାଙ୍ଗ ହୋଇ ଖେଳୁଛନ୍ତି। କେତେବେଳେ ତାଙ୍କ ଘରେ ତ କେବେ ଆମ ଘର ବାଲ୍କୋନୀରେ। ହଠାତ୍ କଣ ଗୋଟିଏ ଉଡ଼ି ଆସି ବାଜିଲା ମୁହଁରେ। କାଗଜର ପ୍ଳେନ୍। ମୋତେ ବାଜି ଅଗ ତାର ଲୋଚାକୋଚା ହୋଇଗଲା। ମୁଁ ତାକୁ ଖୋଲି ଆଉ ଥରେ ସଜାଡ଼ିବାକୁ ବସିଲି। କାଗଜଟିକୁ ସିଧା କରୁ କରୁ ସେଥିରେ ଲେଖାଥିବା ଅକ୍ଷର ସବୁ ଚିହ୍ନା ଚିହ୍ନା ମନେ ହେଲା। ଆରେ, ଏ ତ ମୋ ହାତ ଲେଖା। ବେବି କୋଉ ଅଫିସ୍ କାଗଜପତ୍ର ଚିରି ପକେଇନି ତ? ମୁଁ ଆଖି ବୁଲେଇ ଆଣିଲି କାଗଜରେ ଥିବା ବିଷୟ ଉପରେ। ମୋତେ ଆଶ୍ଚର୍ଯ୍ୟ କରି ତାହା ଥିଲା ମୋର ଏକମାତ୍ର ପ୍ରେମପତ୍ର ଯାହା ମୁଁ ଦିନେ ବେବିନାକୁ ଲେଖିଥିଲି। ମୁଁ ଚିଠିଟିକୁ ଧରି ବେବି ପାଖରେ ପହଞ୍ଚିଲି। ମୋ ସନ୍ଦେହ ସତ ଥିଲା। ବେବି ଛୋଟ ଏକ ମାର୍ବଲର ତାଜମହଲଟିକୁ ଧରି ଏପାଖ ସେପାଖ କରି ଖେଳୁଛି। ଆନମନା ହୋଇ ମୁଁ ତାଜମହଲଟିକୁ ତୋଳି ଧରିଲି ଆଖି ଆଗରେ। ଆଖି ଦୁଇଟି ମୋର ବିସ୍ଫାରିତ ହୋଇଗଲା। ତାଜମହଲର ବେସ୍ ରେ ଖୋଦେଇ ହୋଇଥିଲା ବେବିନା, ମାଇଁ ଲଭ୍। ପଚାରି ବୁଝିଲା ବେଳକୁ ସେଇଟା ତାର ସାଙ୍ଗ ଘରୁ ବେବି ଚୋରେଇ ଆଣିଛି। ପ୍ରବଳ ଉତ୍କଣ୍ଠାର ସହ ମୁଁ ଯେତେବେଳେ ବେବିକୁ ନେଇ ପହଞ୍ଚିଲି ତାର ସାଙ୍ଗ ଘରେ, ମେଡ୍ ସର୍ଭେଣ୍ଟ୍ ଜଣକ ମୋତେ ନେଇ ଯେଉଁ ରୁମ୍.ରେ ଛାଡ଼ିଲା ଆଖିରେ ପଡ଼ିଲା, ମହିଳା ଜଣେ ବ୍ୟସ୍ତ ବିବ୍ରତ ହୋଇ କଣ ସବୁ ଖୋଜି ଚାଲିଛି। ପର୍ସ, ଭ୍ୟାନିଟି, ଛୋଟ ବଡ଼ ବ୍ୟାଗ୍ ଆଦିର ଚିଜ ସବୁ ବିଶୃଙ୍ଖଳିତ ଭାବରେ ଅଜାଡ଼ି ହୋଇ ପଡ଼ିଛି ଚଟାଣ ଉପରେ। ମୋ ଆଡ଼କୁ ତାର ଆଦୌ ନଜର ନାହିଁ। ମୁଁ ଧୀର ପଦକ୍ଷେପରେ ତା ପାଖରେ ପହଞ୍ଚି ବଢ଼େଇଦେଲି ମିନି ତାଜମହଲଟିକୁ। ସେ ଖପ୍ କରି ସେଇଟିକୁ ଧରି ପକେଇ କୋଟି ନିଧି ପାଇଲା ପରି ଛାତି ପାଖରେ ଜାବୁଡ଼ି ଧରିଲା। ତାପରେ ପ୍ରକୃତିସ୍ଥ ହୋଇ ମୁହଁ ଉଠେଇ ଅନେଇଲା ମୋ ଆଡ଼େ। ବେବିନା ଆଖିରେ ବିସ୍ମୟ। ଅତିବ କରୁଣ ଦିଶୁଥିଲା ତାର ମୁହଁ। ମୁଖରେ ନିର୍ଲିପ୍ତତା ଜାହିର କରିବାର ଅପଚେଷ୍ଟା କରି ଧରା ପଡ଼ି ଯାଇଥିଲା। କହିଲି, ସଡନ୍.ଲି ଏମିତି ଦେଖା ହେବ ଆଶା କରି ନ ଥିଲି। ତମେ, ତମେ ଏଇଠି? ବେବିନା ସହଜ ହେବାକୁ ଚେଷ୍ଟା କରି ତଳେ ପଡ଼ିଥିବା ଜିନିଷତକ ଗୋଟିଏ କୋଣକୁ ଠେଲିଦେଇ ଉଠି ଠିଆ ହେଲା। ଆମେ ଦୁହେଁ ଡ୍ରଇଂ ରୁମ୍.ରେ ସାମ୍ନା ସାମ୍ନି ବସିଲୁ। ବେବି ତା ସାଙ୍ଗକୁ ଧରି ସିଡ଼ି ତଳେ ଖେଳରେ ମାତି ଯାଇଥିଲା।

- ହଁ କଣ ପଚାରୁଥିଲ?

- ତମକୁ ଏଇଠି ଦେଖିବି ମୋଟେ ଭାବିନଥିଲି, ଦେଖିକି ଖୁସି ଲାଗିଲା।

- ହୁଁ, ସେ ତମର ଝିଅ ବୋଧେ। ପିଙ୍କି ସାଙ୍ଗରେ ଭାରି ଦୋସ୍ତି। ଏଇ ଗୋଟିଏ ନା ଆଉ ଅଛି।

- ଆଉ ଗୋଟିଏ ପୁଅ, ଷ୍ଟାଣ୍ଡାର୍ଡ ସେଭେନ୍ଥ୍.ରେ। ଆଉ ତମ କଥା?

- ଦେଖୁଛ ତ।

- କେବଳ ଗୋଟିଏ ଝିଅ?

- ଚାହା ନା କଫି?

- ଯାହା ହେଲେ ବି ଚଳିବ।

ବେବିନା ଉଠି ଚାଲିଗଲା ଭିତରକୁ। କିଛି ସମୟ ପରେ ଫେରିଲା ହାତରେ ଦୁଇ କପ୍ କଫି ଧରି। ମୁଁ କଫି ଅଳ୍ପ ପାଟିକୁ ନେଇ ପଚାରିଲି, ହଜ୍.ବେଣ୍ଡ୍ କଣ କରନ୍ତି?

- ତମର କଲେଜ କଥା ମନେ ପଡ଼େ?

- ସରି, ମୋର ସେମିତି କରିବାର ନ ଥିଲା। ମୋ ପାଇଁ ତମର ଅଯଥା ପଢ଼ା ବନ୍ଦ ହେଇଗଲା। ତମେ ଭାରି ରାଗିଥିବ ମୋ ଉପରେ।

- ରାଗିଛି ନିଶ୍ଚୟ।

- କିଶୋର ବୟସରେ ଦୂରଦୃଷ୍ଟି ଟିକିଏ କମ୍ ହିଁ ଥାଏ।

- ଆଉ ବଚନବଦ୍ଧତା ମଧ୍ୟ।

- ମାନେ?

- କିଛି ନାହିଁ।

- ତମେ କିନ୍ତୁ ଆଜି ବି ସେମିତି ଅଛ। ଯେମିତି କଲେଜ ସମୟରେ ଦିଶୁଥିଲ। ମୋତେ ଈର୍ଷା ଲାଗୁଛି।

- ଆଛା।

- ହୁଁ, ସତରେ। ତମ ହଜ୍.ବେଣ୍ଡ୍ ଭାରି ଭାଗ୍ୟବାନ।

ବେବିନା ଆଖି ଉଠେଇ କେବଳ ଚାହିଁଲା। ମୁଁ ଆଉ କିଛି କହିବି ପିଙ୍କି ଆଉ ବେବି ଚାଲି ଆସିଲେ ଭିତରକୁ। ପିଙ୍କି ବେବିନା କୋଳକୁ ଡେଇଁ ପଡ଼ି କହିଲା, ଆଣ୍ଟି ମୋର ସେ ଏୟାର୍ ବାଲା ଡକ୍ କାଢ଼ିଦିଅ, ଆମେ ଖେଳିବୁ।

- ଆଣ୍ଟି! ମୁଁ ବିସ୍ମୟରେ ଚାହିଁଲି ବେବିନା ଆଡ଼କୁ। ବେବିନା ଉଠି ପଡ଼ି ପିଙ୍କି ସହ ଭିତରକୁ ଚାଲିଗଲା। ଅଳ୍ପ ସମୟ ପରେ ଫେରିଲା ଡକ୍ ସହ। ମୁଁ ପଚାରିଲି, ପିଙ୍କି... ତମର ଝିଅ ନୁହଁ।

- ଉଁ ହୁଁ। ବେବିନା ମୁଣ୍ଡ ହଲେଇଲା। ମୋ ସାନଭାଇର ଝିଅ। ଆଉ ତମର?

- ମୁଁ ବାହା ହୋଇନି।

- ତମେ... ଅବିବାହିତ! ଏ ଯାଏଁ? କିନ୍ତୁ କାହିଁକି?

ବେବିନା ଚକ୍ଷୁ ଇତସ୍ତତଃ କଲା। କିଛି ସମୟ ତଳକୁ ଚାହିଁଲା। ଆଖି ବୁଜିଲା। ତାପରେ ମୁହଁ ତୋଳି ଚାହିଁଲା ମୋ ଆଡ଼େ। ତା ଆଖିରେ ହୃଦ ତଳର ଅସରନ୍ତି ବେଦନାକୁ ମୁଁ ସ୍ପଷ୍ଟ ଦେଖି ପାରୁଥିଲି। ଅତ୍ୟନ୍ତ ହତାଶ ସ୍ୱରରେ କହିଲା,

- ତ-ମ ବା-ଟ ଚା-ହିଁ ଚା-ହିଁ



Rate this content
Log in

More oriya story from T.Durga Prasad Rao

Similar oriya story from Romance