Pratap Swain

Fantasy

4.0  

Pratap Swain

Fantasy

ତିନୋଟି ଦୀର୍ଘ ହସ

ତିନୋଟି ଦୀର୍ଘ ହସ

6 mins
403



ବୀରେନ୍ଦ୍ର ବାବୁ ଗବାକ୍ଷ ଫାଙ୍କରେ ଆକାଶକୁ ଚାହିଁ କଳା ମେଘମାଳା ଭିତରେ ନିଜକୁ ହଜାଇ ଦେଲେ।କିଛି କ୍ଷଣ ପାଇଁ ମନରେ ତାଙ୍କର ରାତ୍ରିର ଭ୍ରମ ସୃଷ୍ଟି ହେଲା ଓ ତତ୍ କ୍ଷଣାତ୍ କାନ୍ଥଘଣ୍ଟା ଉପରେ ନଜର କରି ନେଇ ନିଜର ଭ୍ରମ ସଂଶୋଧନ କଲେ।ଆଷାଢ ର ପ୍ରଥମ ସକାଳ ତାଙ୍କର ପୁରୁଣା ସ୍ମୃତି ସବୁକୁ ତାଜା କରି ଦେଉଥାଏ।ପ୍ରଥମେ ସେ ତାଙ୍କର ପାଠପଢା ଦିନଗୁଡାକୁ ମନେ ପକାଇଲେ ।ତାଙ୍କର ଶିକ୍ଷା ବିକ୍ଷିପ୍ତ ଭାବରେ ସମାପ୍ତ ହୋଇଥିଲା ବାପାଙ୍କ ଭଳି ଜଣେ ସଚ୍ଚୋଟ ସରକାରୀ ଅଧିକାରୀଙ୍କ ବାରମ୍ବାର ବଦଳି ଯୋଗୁଁ ।ତାପରେ ତାଙ୍କର ସାମରିକ ଚାକିରୀ କାଳର ସ୍ମୃତିକୁ ରୋମନ୍ଥନ କରି ବସିଲେ ସେ।ଖୁବ୍ ଜୋରରେ ହସିବାକୁ ଇଚ୍ଛା ଥିଲେ ବି କାଳେ ପତ୍ନୀ ଙ୍କ ନିଦ ଭାଙ୍ଗିଯିବ ଭାବି ନିଜ ଭିତରେ ହସକୁ ଚାପିରଖିଲେ। ଦିନେ ଘାଟି ଅଞ୍ଚଳରେ ନିଶକୁ ସାଉଁଳଉଥିବା ଦେଖି ଶତ୍ରୁ ପକ୍ଷର ଦୁଇଜଣ ସୈନିକ ଛତ୍ରଭଙ୍ଗ ଦେଇଥିଲେ ହସିବା ର ଏତାଦୃଶ କାରଣକୁ ଜାଣି ବୀରେନ୍ଦ୍ର ବାବୁ ନିଶ ପାଇଁ ଗର୍ବ ଅନୁଭବ କଲେ ।ଆଉ ଗୋଟିଏ ଦିନ ସନ୍ତ୍ରାସବାଦୀଙ୍କ ଗୋଳାବର୍ଷଣ କୁ ବେଖାତିର୍ କରି ସେମାନଙ୍କୁ ସେନାମୁଖ୍ଯଙ୍କ ପାଖକୁ ଟାଣି ଆଣି ଥିଲେ ଓ ଫଳସ୍ବରୂପ ବୀରେନ୍ଦ୍ର ସିଂହରୁ ବୀର ବାହାଦୂର ସିଂହ ନାମରେ ପରିଚିତ ହେଲେ।ଏ ସବୁ ବାପାଙ୍କ ଯୋଗୁଁ ଯେ ସମ୍ଭବ ଏଥିରେ ତିଳେମାତ୍ର ସନ୍ଦେହ ନ ଥିଲା ତାଙ୍କର।

         ଗବାକ୍ଷ ପାଖକୁ ଲମ୍ବିଆସିଥିବା ଘନ କୃଷ୍ଣ ମେଘ ତାଙ୍କୁ ମାଂସ ଝୋଳ ଖାଇବାକୁ ଉସୁକାଉ ଥାଏ।ସେ ସେନାଛାଉଣୀରେ ଥିବାବେଳେ ନିଜେ ମାଂସ ପସନ୍ଦ କରନ୍ତି ଓ ତାଙ୍କ ମୁତାବକ ରୋଷେଇ ପ୍ରସ୍ତୁତି ହୁଏ।ସମସ୍ତ ସୈନିକ ବିନା ଅଭିଯୋଗରେ ମାଂସ ଭୋଜନ କରନ୍ତି । ସମସ୍ତେ ଜାଣନ୍ତି ପାଗ ଅନୁସାରେ ମାଂସ ଚୟନ କରିବାରେ ଓସ୍ତାଦ୍ ସେ।

ଆଜି କିନ୍ତୁ ତାଙ୍କୁ ସେହି ଚିକେନ ଓ ମଟନ ଝୋଳ ଖାଇବାକୁ ଇଚ୍ଛା ନାହିଁ ।ବାରମ୍ବାର ସେ ଏ ବିଷୟରେ ଚିନ୍ତା କରିବାକୁ ଲାଗିଲେ ।ଆଜିକୁ ଚାଳିଶ ବର୍ଷ ତଳର କଥା ତାଙ୍କ ଆଖି ଆଗରେ ଝଲସି ଉଠିଲା ।ସେତେବେଳେ ସେ ରେଭେନ୍ସା ମହାବିଦ୍ୟାଳୟ ର ସ୍ନାତକ ର ଶେଷ ବର୍ଷର ଛାତ୍ର । ବାରମ୍ବାର ତାଙ୍କୁ ଘରକୁ ଡାକି ବିଫଳ ହୋଇ ଶେଷରେ ସଫଳ ହୋଇଥିଲେ ତାଙ୍କ ବନ୍ଧୁ ପରେଶବାବୁ ।ପରେଶବାବୁଙ୍କ ଘରେ ଚାରିଗୋଡିଆ ଚିକେନ ଝୋଳ ଓ ତାଙ୍କର ସାଦର ନିମନ୍ତ୍ରଣ ବୀରେନ୍ଦ୍ର ବାବୁ ଙ୍କ ସମସ୍ତ ବାହାନାକୁ ମୂଳୋତ୍ପାଟନ କଲା।ସେ ଉପରେ ଉପରେ ମନା କରି ବସିଲେ ମାତ୍ର ପରେଶବାବୁଙ୍କ ଆଉ ଏକ ଡାକରା ଆଶାକରେ ରହିଲେ।ସେଇଆ ହିଁ ହେଲା।ଏଥର ପରେଶବାବୁ ତାଙ୍କୁ ସାଙ୍ଗରେ ନିଜ ଘରକୁ ନେଇଗଲେ ।

       ବିନା ସମୟ ଅପଚୟ ରେ ଅନ୍ନ ବ୍ଯଞ୍ଜନ ପରସାହେଲା ।ମାଉସୀଙ୍କର ଅନାବିଳ ସ୍ନେହ ସାଙ୍ଗକୁ ବାଛି ବାଛି ତାଙ୍କୁ କୁକୁଡା ର ଚାରିଟି ଗୋଡ ପରସାଯାଇଥିବାରୁ ବୀରେନ୍ଦ୍ର ବାବୁ ଅତ୍ୟନ୍ତ ପ୍ରୀତ ହେଲେ। ପରେଶବାବୁ ଙ୍କୁ ଧନ୍ୟବାଦ ବର୍ଷା କଲେ ସେ।

        ଆଜି ତାଙ୍କୁ ସେହି ଚାରିଗୋଡିଆ ଚିକେନ ଝୋଳ ଖାଇବାକୁ ଭାରି ଇଚ୍ଛା ହେଲା।ସଙ୍ଗେ ସଙ୍ଗେ ରାମଙ୍କୁ ସେ ଚାରିଗୋଡିଆ ଚିକେନ ଆଣିବାକୁ ଆଦେଶ ଦେଲେ ।ଏଭଳି ସାମରିକ ଆଦେଶ ରେ ରାମୁ ହତବମ୍ବ ହୋଇଗଲା ।ରାମୁକୁ ଏମିତି ଆବିଷ୍କାର କରି ଉତ୍ତପ୍ତ ଲୁହା ଭଳି ଲାଲ୍ ହୋଇଗଲେ ବୀରେନ୍ଦ୍ର ବାବୁ ।

ପରବର୍ତ୍ତୀ ମୁହୂର୍ତ୍ତରେ ନିଜକୁ ଆୟତ୍ତ କରି ବିଶ୍ଳେଷଣ କରିବାକୁ ଲାଗିଲେ ସେ।ରାମୁ କେବେ ଚାରିଗୋଡିଆ ଚିକେନ ଝୋଳ ଖାଇନାହିଁ ସେ ଜାଣିବ ବା କିପରି।ଏଥର ରାମୁ ଉଦ୍ଦେଶ୍ୟ ରେ ନିର୍ଦେଶ ଆସିଲା ରସୁଲ ମିଆଁ ଦୋକାନରୁ ଚିକେନ ଆଣିବାକୁ ।

       ବୀରେନ୍ଦ୍ର ବାବୁ ଙ୍କ ଦୃଢ ନିର୍ଦେଶ ରାମୁକୁ ଚିକେନ ଆଣିବାର ରାସ୍ତା ପରିଷ୍କାର କରିଦେଲା।ଆଗକୁ ଚାଲିଲା ରାମୁ।କୋହଲାପବନ ଆଜି ତାକୁ ତରାଇ ପାରୁନଥାଏ କାରଣ ସେ ଚାରିଗୋଡିଆ ଚିକେନ ଅନ୍ବେଷଣ ରେ ବାହାରିଥାଏ। ତାର ମନରେ ରାମାୟଣ ର ସ୍ବର୍ଣ୍ଣ ମୃଗ  କଥା ମନେପଡିଲା।ସ୍ବର୍ଣ୍ଣ ମୃଗ ପ୍ରତି ଲାଳସା ହିଁ ତାଙ୍କ ପ୍ରତି ବିପଦ ଡାକିଆଣିଥିଲା।ମାତ୍ର ସେ ଚାହୁଁ ନଥିଲା କିଛି ବି ବ୍ଯତିକ୍ରମ ଘଟୁ ବାବୁଙ୍କୁ ତାର।ବାବୁ ହିଁ ତାର ବର୍ତ୍ତମାନ ଓ ଭବିଷ୍ୟତ।ରସୁଲ ର ଦୋକାନ ଯେତିକି ପାଖ ହେଉଥାଏ ରାମୁ ଦେହରୁ ସେତିକି କ୍ଷୀପ୍ରଗତିରେ ସ୍ବେଦ ସ୍ଖଳନ ହେଉଥାଏ ।ସେ ଦୃଢନିଶ୍ଚିତ ଯେ ଚାରିଗୋଡିଆ ଚିକେନ ନା ରସୁଲ ମିଆଁର ଦୋକାନରେ ନା ବିଶ୍ବ ରେ କେଉଁଠି ।ତଥାପି ବାବୁଙ୍କ ନିର୍ଦେଶ କୁ ସମ୍ମାନ ଜଣାଇବାକୁ ଯାଇ ରସୁଲ ମିଆଁ ଦୋକାନରେ ପହଞ୍ଚିଲା ସେ।

       ରସୁଲ କୁ ସବୁ କହିଲା ସେ। ରାମୁ ଠାରୁ ସବୁଶୁଣି ରସୁଲ ଏମିତି ଏକ ହସ ହସିଲା ଯେ ରାମୁ ମୁହଁ ପାନ ପିକରେ ରଙ୍ଗାୟିତ ହୋଇଗଲା।ରାମୁ ର ଇଛା ହେଉଥିଲା ରସୁଲ ର ବ୍ରୟଲର ଦାଢିକୁ ଚାଞ୍ଛିଦେବାକୁ ମାତ୍ର ବାବୁଙ୍କ ନିର୍ଦେଶ ହିଁ ସେଥିରେ ଅନ୍ତରାୟ ସାଜିଲା।ନିଜର ବ୍ୟକ୍ତିଗତ ଜୀବନର ଘଟଣାବଳୀ ଗୁଡିକ ତା ଆଖି ଆଗରେ ଝଲସି ଯାଉଥିଲା।ତାକୁ ଯେତେବେଳେ ଦଶ ବର୍ଷ ତାର ମାଆ ତାକୁ ଚିରଦିନ ପାଇଁ ଏକା କରି ଚଲିଗଲେ।ମାମୁଁ ତାର ସମସ୍ତ ସମ୍ପତ୍ତିକୁ ହାତେଇ ନେଇ ତାକୁ ସର୍ବସ୍ବାନ୍ତ କରିଦେଲେ। ପେଟ ବିକଳରେ ଏଣେତେଣେ ବୁଲିଲା ବେଳେ ବୀରେନ୍ଦ୍ର ବାବୁଙ୍କ ବାପା ହିଁ ତାକୁ ତାଙ୍କ ଘରକୁ ନେଇଯାଇଥିଲେ।ସେହି ଦିନ ଠାରୁ ଆଜୀବନ ନିର୍ବାସିତ ସେ।ଆଖି ତାର ଛଳ ଛଳ ହୋଇଗଲା।କାଳେ ରସୁଲ କିଛି ଠଉରାଇ ନେବ ସେ କାନ୍ଦିବାରୁ ନିବୃତ୍ତ ରହିଲା ।

     ଏଥର ରସୁଲ ତାର ସମସ୍ତ ଚିନ୍ତା କୁ ଦୂର କରିବାର ନିର୍ଭର ପ୍ରତିଶୃତି ଦେଲା।ଦୁଇ ଗୋଡିଆ କୁକୁଡା ଟିକୁ ଚାରିଗୋଡିଆ ପରି କାଟିଲା।ରାମୁ ର ମନ ଏକ ପ୍ରକାର ବୁଝିଗଲା। ନ ବୁଝିବ ବା କେମିତି ରାମୁ ଜାଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସୁଲ ପ୍ରଥମେ ତା ଦାଢି ଛୁଇଁ କିଛି ବିଳିବିଳାଏ।ତାପରେ ସେ ଯେମିତି ମାଂସ ଦେଲେ ବି ଗ୍ରାହକ ସନ୍ତୁଷ୍ଟ ହୁଏ।ମନ ବୁଝିଲେ ବି ପେଟ ଭିତରେ ପେଟେ ଭୟ କଲିଜାକୁ ଥରାଇ ଦେଉଥାଏ ।ରସୁଲ ବୀରେନ୍ଦ୍ର ବାବୁଙ୍କୁ ପାଗଳା ଘୋଡା କହି ତାଛଲ୍ଯ କଲା।ବାବୁଙ୍କ ପ୍ରତି ବ୍ଯଙ୍ଗୋକ୍ତି ଶୁଣି ରସୁଲ ଉପରକୁ ହାତ ଦୁଇଟା ଉଠିବାକୁ ଚାହୁଁ ଥିଲେ ବି ରାମୁ ସେମାନଙ୍କୁ ଲଗାମ ଦେଲା କାହିଁକି ନା ରସୁଲ ହିଁ ତା ପ୍ରତି ସାହାଯ୍ୟ ର ହାତ ବଢାଇଛି।

     ମାଂସ ଭରା ପଲିଥିନ୍ ଧରି ରୋଷେଇ ଘରେ ପ୍ରସ୍ତୁତି ଆରମ୍ଭ କଲା ରାମୁ।ଆଜି ସେ ଏମିତି ଝୋଳ ବନେଇବ ଯେ ଦୁଇଗୋଡିଆ କୁକୁଡା ଝୋଳଟା ବାବୁଙ୍କ ଦ୍ବାରା ପଦୋନ୍ନତି ପାଇ ଚାରିଗୋଡିଆ କୁକୁଡା ଝୋଳ ରେ ପରିଣତ ହେବ ମନେ ବିଶ୍ଳେଷଣ କଲା ରାମୁ।

ତରକାରୀର ବାସ୍ନା ବୀରେନ୍ଦ୍ର ବାବୁଙ୍କ ଭୋକକୁ ଚାରି ଗୁଣ କଲା। ରାମୁକୁ ଖାଦ୍ୟ ପରସିବାରେ ସାହାଯ୍ୟ କରିବା ପାଇଁ ଧର୍ମପତ୍ନୀଙ୍କୁ ନିର୍ଦେଶ ଦେଲେ ବୀରେନ୍ଦ୍ର ବାବୁ ।

    ବୀରେନ୍ଦ୍ର ବାବୁଙ୍କୁ ଭୋଜନ ପରସାଗଲା।ଦୁଇ ଚାରି ଗୁଣ୍ଡା ଖାଇଛନ୍ତି କି ନାହିଁ ବୀରେନ୍ଦ୍ର ବାବୁଙ୍କ ଆଖି ରାଗରେ ଲାଲ ହୋଇଗଲା । ଅତ୍ୟନ୍ତ କ୍ରୋଧରେ ଥରିବାକୁ ଲାଗିଲେ ସେ ଝୋଳ ପାଇଁ ନୁହେଁ ବରଂ କୁକୁଡା ର ଚାରିଟି ଗୋଡ ନ ପାଇ। ତାଙ୍କର ଦୀର୍ଘ ବାହୁକୁ ରାମୁ ର ଗାଲ ପାଖକୁ ଆଣି ଶକ୍ତ ଚାପୁଡା ମାରିବାକୁ ଉଦ୍ଯତ ହେଲାବେଳେ ସହଧର୍ମିଣୀ ତାଙ୍କୁ ବାଧାଦେଲେ।ହଠାତ୍ କିଛି ବୁଝିପାରିଲେନି ଶାନ୍ତି ଦେବୀ।ପରେ ସେ ବୁଝି ପାରିଥିଲେ ଯେ କୁକୁଡା ର ଚାରିଟି ଗୋଡ ପାଇଁ ଏତାଦୃଶ ପରିସ୍ଥିତି ।ବୀରେନ୍ଦ୍ର ବାବୁ ରାମୁକୁ ବାରମ୍ବାର ଗାଳିକରି ଚାଲିଥାନ୍ତି ।ରସୁଲ ନିଶ୍ଚୟ ରାମୁକୁ ଠକିଛି   ଭାବି ତା ଦୋକାନ ଆଡକୁ ଅଗ୍ରସର ହେଲେ ସେ ।ବୀରେନ୍ଦ୍ର ବାବୁଙ୍କୁ ସମ୍ମୁଖରେ ଦେଖି ରସୁଲ ମିଆଁର ଇସ୍ପାତିଆ ଶରୀର ଟା ସନ୍ନିପାତ ହେବାକୁ ଲାଗିଲା ।ତଥାପି ଦେହରେ ଶକ୍ତି ସଞ୍ଚାର କରି ଗୋଟେ ପରେ ଗୋଟେ କୁକୁଡା କାଟି ଚାଲିଥାଏ ସେ।ଏଥର ବୀରେନ୍ଦ୍ର ବାବୁ ରସୁଲ ର ଆଖିରେ ଆଖି ମିଶାଇଲେ ।ରାମୁକୁ ଚାରିଗୋଡିଆ କୁକୁଡା ବଦଳରେ ଦୁଇଗୋଡିଆ କୁକୁଡା ଦେବାର କାରଣ ଜିଜ୍ଞାସା କଲେ ସେ।ଏ କଥାକୁ କର୍ଣ୍ଣପାତ ନକରି ରସୁଲ ମିଆଁ ଏକ ଦେଶୀ ଗଞ୍ଜାକୁ ଭିଡିଆଣି ମାରିବାକୁ ଉଦ୍ଯତ ହେଲା।

     ବୀରେନ୍ଦ୍ର ବାବୁ ଙ୍କ ରାଗ ଶହେ ଡିଗ୍ରୀ ପାରଦ ଛୁଇଁ ସାରିଥାଏ।ରସୁଲ ର ଗଲରେ ଏକ ଶକ୍ତ ଚାପୁଡା କସି ଦେଲେ ସେ।ବୀରେନ୍ଦ୍ର ବାବୁ ଙ୍କ କବଳରୁ ନିଜକୁ ବଞ୍ଚାଇବାକୁ ଯାଇ ସେ କୁକୁଡା ଟିକୁ ଛାଡିଦେଲା।

ଜୀବନ ବଞ୍ଚାଇବାକୁ ଯାଇ ଏମିତି କୁକୁଡାଟା ଉଡିଗଲା ଯେ ବୀରେନ୍ଦ୍ର ବାବୁଙ୍କୁ ତାର ଚାରିଟି ଗୋଡ ପ୍ରତୀୟମାନ ହେଲା। ଏଥର ସେ ରସୁଲ ମିଆଁର ଠକାମୀ ସଂପକର୍ରେ ଦୃଢ ନିଶ୍ଚିତ ହେଲେ।ପାଖ ଦୋକାନୀ ସବୁ ରସୁଲ ମିଆଁର ଦୂରାବସ୍ଥା କୁ ଉପଭୋଗ କରୁଥିଲେ।ରସୁଲ ଦୋକାନରେ ବିକ୍ରିବଟାକୁ ସେମାନେ ସହିପାରୁନଥିଲେ।ଆଜିର ଏହି ଘଟଣା ଟି ସେମାନଙ୍କୁ ହସଖୁସିର ଖୋରାକ ଯୋଗାଇଲା।ଗୋଟିଏ ଶକ୍ତ ଚାପୁଡା ରସୁଲ ମିଆଁର ଭାଗ୍ଯକୁ ଅନ୍ଧକାର ମଧ୍ୟକୁ ଠେଲିଦେଲା।

         ଶେଷରେ ଘର ବାହୁଡା ହେଲେ ବୀରେନ୍ଦ୍ର ବାବୁ । ପତ୍ନୀଙ୍କୁ ସମସ୍ତ ବିଷୟ ବଖାଣିଥିଲେ।ଶାନ୍ତି ଦବୀ କୁକୁଡା ର ଦୁଇଟି ଗୋଡ ବୋଲିଦୃଢ ନିଶ୍ଚିତ ଥିଲେ ବି ସ୍ବାମୀ ଙ୍କ ସେହି ଐତିହାସିକ ଚାରିଗୋଡିଆ କୁକୁଡା ଝୋଳ ତାଙ୍କ ଶାନ୍ତ ମନକୁ ଆନ୍ଦୋଳିତ କରୁଥିଲା।

ଶେଷରେ ସ୍ବାମୀଙ୍କ ସହ ଏକ ମତ ହେଲେ।

   ବୀରେନ୍ଦ୍ର ବାବୁ ଧାଇଁଲେ ସେହି ବରଗଛ ମୂଳକୁ ଯାହା ଉପରେ ରସୁଲ ମିଆଁର ହାତରୁ ଖସି ଆସିଥିବା କୁକୁଡା ଟି ବସିଥିଲା।ତାଙ୍କର କୌତୁହଳୀ ମନ ସେହି କୁକୁଡାକୁ ଦେଖିବାକୁ ବ୍ଯଗ୍ର ହେଲା। ସେ ମନେ ମନେ ସ୍ଥିର କଲେ ସେହି କୁକୁଡାକୁ ଘରକୁ ନେବାକୁ।କୁକୁଡା ର ଚାରିଟି ଗୋଡ ଦେଖିବାକୁ ତାଙ୍କର ଭାରି ଇଚ୍ଛା ହେଲା।ବରଗଛ ପାଖରେ ପହଞ୍ଚି କୁକୁଡା କୁ ଅନ୍ବେଷଣ କଲେ ସେ।ଭୟାଳୁ କୁକୁଡା ଟି ନିଜକୁ ପତ୍ର ଗହଳରେ ସମ୍ପୂର୍ଣ୍ଣ ଭାବେ ଲୁଚାଇଦେଲା।ଶେଷରେ ଭୀତତ୍ରସ୍ଥ ପକ୍ଷୀଟି ଉଡିଗଲା ଓ ସେହି ସମୟରେ କୌତୁହଳର ଉପରକୁ ଚାହିଁ ଥିବା ବୀରେନ୍ଦ୍ର ବାବୁ ଙ୍କ ମୁଣ୍ଡରେ ଧଳା ରଙ୍ଗ ର ଦୁର୍ଗନ୍ଧ ଅର୍ଦ୍ଧ ତରଳ ପଦାର୍ଥ ପତିତ ହେଲା।ଏଥର ବୀରେନ୍ଦ୍ର ବାବୁ ସ୍ବଗୃହାଭିମୁଖୀ ହେଲେ ଓ ତୁରନ୍ତ ଗାଧୁଆ ଘର ଭିତରେ ପଶି ମୁଣ୍ଡକୁ ଧୋଇ ସଫା କରୁଥିଲେ।

           ଶାନ୍ତି ଦେବୀ ସ୍ବାମୀଙ୍କ ଏତାଦୃଶ ଅବସ୍ଥା କୁ ବୁଝିପାରୁନଥିଲେ।ଆଉଥରେ ମନେ ମନେ ବିଶ୍ଳେଷଣ କରିବାକୁ ଲାଗିଲେ ସେ।ଚାରିଗୋଡିଆ କୁକୁକୁଡା ର ରହସ୍ୟ କୁ ଉନ୍ମୋଚନ କରିବାକୁ ଚେଷ୍ଟା କଲେ ସେ।ଗାଧୁଆ ଘର କବାଟ ରେ କରାଘାତ କଲେ ଶାନ୍ତି ଦେବୀ।ମାତ୍ର ବୀରେନ୍ଦ୍ର ବାବୁ ମୁଣ୍ଡ ସଫାରେ ନିମଜ୍ଜିତ ଥାନ୍ତି।ଚାରିଗୋଡିଆ କୁକୁଡା ଝୋଳ ର ଦୁର୍ଭେଦ୍ଯ ରହସ୍ୟ କୁ ସ୍ବାମୀଙ୍କ ଆଗରେ ଉପପାଦ୍ୟଭଳି ପ୍ରମାଣ କରି ବସିଲେ ଶାନ୍ତି ଦେବୀ।ଚକିତ ହେଲେ ସଦ୍ଯ ଚାକିରୀ ରୁ ଅବସର ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ୍ ବୀର ବାହାଦୂର ସିଂହ ।

          ବାରମ୍ବାର ନିଜଘରକୁ ନିମନ୍ତ୍ରଣ କରି ବିଫଳ ହୋଇ ହୁଏତ ପରେଶବାବୁ ଦୁଇଟି କୁକୁଡା ଝୋଳ ର ବନ୍ଦୋବସ୍ତ କରିଥିବେ।କୌତୁହଳ ଜନ୍ମାଇ ଘରକୁ ନେବା ପାଇଁ ଚାରିଗୋଡିଆ କୁକୁଡା ଝୋଳ ର ଅବତାରଣା କରିଥିବେ ବୋଲି ପତ୍ନୀ ବୁଝାଇ ଦେଲେ।ବୀରେନ୍ଦ୍ର ବାବୁ ପତ୍ନୀ ଙ୍କ ବ୍ଯାଖ୍ଯାନକୁ ଅବାକ୍ ହୋଇ ଆସ୍ବାଦାନ କରୁଥିଲେ ବୀରେନ୍ଦ୍ର ବାବୁ ।

        ମନେ ମନେ ଭାବିଲେ କେଡେ ନିର୍ବୋଧ ହାଏ ସେ।ଗୋଟିଏ କୁକୁଡା ର ଦୁଇଟି ଗୋଡ ହେଲେ ଦୁଇଟି କୁକୁଡା ର ଚାରିଟି ଗୋଡ ଯେ ନିଃସନ୍ଦେହ ।ତଥାପି ଚାଟଶାଳୀ ରୁ ପଢିଥିବା ପଣିକିଆ ଦୁଇଦୁଣେ ଚାରି ଉଚ୍ଚାରଣ

 କରିପକାଇଲେ ସେ।ଶାନ୍ତି ଦେବୀ ଆଉ ନିଜର ହସ ସମ୍ଭାଳି ପାରିଲେ ନାହିଁ ।ଶାନ୍ତି ଦେବୀଙ୍କ ହସ ସହିତ ତାଳ ଦେଇ ବୀରେନ୍ଦ୍ର ବାବୁ ଓ ରାମୁ ହସିବାକୁ ଲାଗିଲେ। ତିନୋଟି ଦୀର୍ଘ ହସ ଏମିତି ଲମ୍ବିଚାଲିଥିଲା କିଛିକ୍ଷଣ ପାଇଁ ।ଶିକ୍ଷା ସମାପ୍ତିର ଚାଳିଶି ବର୍ଷ ବିତିଯାଇଥିଲେ ବି ଚାରିଗୋଡିଆ କୁକୁଡା ଝୋଳ ର ବର୍ମୁଡା ତ୍ରିଭୁଜ ହିଁକିପରି ତାଙ୍କୁ ଆକର୍ଷିତ କରିଥିଲା ସେ ଭାବିବାକୁ ଲାଗିଲେ।ଯାହାବି ହେଉ ଏତେ ଦିନ ଧରି ତାଙ୍କ ଉପରେ ସବାର ହୋଇ ଲଙ୍କା କାଣ୍ଡ ଘଟାଇଥିବା ଚାରିଗୋଡିଆ କୁକୁଡା ର ଭୂତଟା ତାଙ୍କ ମୁଣ୍ଡରୁ ଓହ୍ଲାଇ ସାରିଥିଲା କାନ୍ଥଘଣ୍ଟା ଦୋଳକ ର ରାତ୍ରି ସାତଟାର ସୂଚନାସହ।



Rate this content
Log in

Similar oriya story from Fantasy