STORYMIRROR

Dr. Pratap Kumar Swain

Horror

3  

Dr. Pratap Kumar Swain

Horror

ଅଡୁଆ ସିଦ୍ଧାନ୍ତ ଦ୍ବିତୀୟ ଭାଗ

ଅଡୁଆ ସିଦ୍ଧାନ୍ତ ଦ୍ବିତୀୟ ଭାଗ

4 mins
183


ଖରାଦିନ ଛୁଟିରେ ଗାଁ ଯୁବକମାନେ ମଶାଣି ପାଖ ଦଣ୍ଡାରେ କ୍ରିକେଟ୍ ଖେଳୁଥାନ୍ତି।ଖେଳ ଏକ ଏମିତି ସଂଘର୍ଷପୂର୍ଣ୍ଣ ସ୍ଥିତିରେ ପହଞ୍ଚିଥାଏ ଯେ ଆସନ୍ନ ସୂର୍ଯ୍ୟାସ୍ତ ଆଡେ କାହାର ନିଘା ନଥାଏ।

    ଗୁଣମଣିଙ୍କ ପୁଅ ସହିତ ତିନି ଚାରିଜଣ ଏକସ୍ବରରେ ମଶାଣୀଚଣ୍ଡୀ ମଶାଣୀଚଣ୍ଡୀ ବୋଲି ଚିତ୍କାର କଲେ।ସମସ୍ତ ଯୁବକ ଅଳ୍ପ ଅଳ୍ପ ଦେଖି ଗ୍ରାମକୁ ପ୍ରସ୍ଥାନ କଲେ।ଗୁଣମଣିଙ୍କ ଆଗରେ ଘଟଣାଟିକୁ ବ୍ଯାଖ୍ଯା କଲେ ପିଲାଏ।ଚେମା ସାହୁ ପୁଅ ଚଣ୍ଡୀଟି କିପରି ଘୁଷୁରି ପରି ଘଡ ଘଡ ଶଦ୍ଦ କରି ପଛଗୋଡ ଟେକି କିଛି ଖାଉଥିବାର ଦୃଶ୍ୟ ବର୍ଣ୍ଣନା କଲା।

        କଥାଟା ବନ ଅଧିକାରୀଙ୍କ କାନରେ ପଡିଲା। ବନରକ୍ଷୀ ରୁ ସଦ୍ଯ ପଦୋନ୍ନତି ପାଇଥିବା ଦାଶବାବୁ ଦଳବଳ ଧରି ମଶାଣି ଅଭିମୁଖେ ବାହାରି ପଡିଲେ।ଗାଁ ଲୋକେ, ବନ ଅଧିକାରୀ ଓ ତାଙ୍କ ଦଳ ଚାରିପଟୁ ଘେରିଗଲେ ଚଣ୍ଡୀ କୁ।ଚଣ୍ଡୀ ରଣହୁଙ୍କାର ଦେଲା।ଆକଣ୍ଠ ମଦିରା ପାନ କରିଥିବା ଦାଶବାବୁ କଳନା କରିବାକୁ ଲାଗିଲେ। ସତରେ କ'ଣ ଏ ମଶାଣୀଚଣ୍ଡୀ ନା ଜଙ୍ଗଲୀ ବାର୍ହା।ମାତ୍ରାଧିକ୍ଯ ମଦିରା ସେବନ ଓ ତଜ୍ଜନିତ ଉନ୍ମାଦନା ତାଙ୍କୁ ଚଣ୍ଡୀ ର ନିକଟତର କରାଇ ସାରିଥିଲା।ମନେ ମନେ ସେ ଗୁଣମଣିଙ୍କୁ ଗାଳି କରିବାକୁ ଲାଗିଲେ ।ସ୍ବୟଂ ସମ୍ଭବ ଦାଶ ଙ୍କ ପରି ବନ ଅଧିକାରୀ ଥାଉ ଥାଉ ଏ ମେଲଛା ଗୁଣିଆକୁ ମନ୍ତ୍ରୀ, ଅଫିସର ଏତେ ଉଚ୍ଚରେ କାହିଁକି ଯେ ବସାଇଛନ୍ତି ସେ କଥା ଭାବିବାକୁ ଲାଗିଲେ।

        ଗୁଣିଆ ମହାଶୟ ବନ ଅଧିକାରୀଙ୍କୁ ଚଣ୍ଡୀ ର ନିକଟତର ହେବାକୁ ବାରଣ କଲେ ମାତ୍ର ଦାଶବାବୁ ସେଆଡେ କର୍ଣ୍ଣପାତ କଲେନାହିଁ ।ପରିସ୍ଥିତି ଅସମ୍ଭାଳ ହୋଇଗଲା।ଲମ୍ବା ଲମ୍ବା ଦାନ୍ତ ଦେଖାଇ ସମବେତ ଜନତା ଆଡକୁ ଅଗ୍ରସର ହେଲା ଚଣ୍ଡୀ ।

       ଗୁଣିଆ ମହାଶୟ ଖୁବ୍ ଜୋରରେ ମନ୍ତ୍ରୋଚାରଣ କରି ଚଣ୍ଡୀ ର ଆଖିକୁ ହଳଦୀ ପାଣି ନିକ୍ଷେପ କଲେ ।ଏଥର ଚଣ୍ଡୀ କ୍ରୋଧରେ ପ୍ରଜ୍ବଳିତ ହୋଇ ଗୁଣିଆଙ୍କ ଆଡକୁ ମାଡିଯାଇ ଏକ ଶକ୍ତ ଧକ୍କା ଦେଲା ଓ କ୍ଷିପ୍ର ଗତିରେ ଅରଣ୍ଯ ମଧ୍ୟକୁ ଧାବମାନ କଲା।ଜନତା ପଟୁଆର ଚଣ୍ଡୀ ର ପଶ୍ଚାତଧାବନ କରି ଶେଷରେ କ୍ଳାନ୍ତ ହୋଇ ଫେରିଆସିଲେ।ନିଶାଶକ୍ତ ଦାଶବାବୁଙ୍କୁ ଗାଁ ଲୋକ ମାନେ ନେଇ ଅଫିସରେ ପହଞ୍ଚାଇ ଦେଲେ।ଦାଶବାବୁଙ୍କ ହୋସ୍ ଆସି ଯାଇଥିଲା ବନ ସଂରକ୍ଷକ ଙ୍କ ଇଂରାଜୀ ଗାଳିରେ।ତାଙ୍କୁହିଁ ଦଣ୍ଡ ସ୍ବରୂପ ଚଣ୍ଡୀ ଓରଫ ବାର୍ହା କୁ ସାତ ଦିନ ଭିତରେ ଧରି ଆଣିବାକୁ ଦାୟିତ୍ବ ଦିଆଗଲା। ଦାଶବାବୁ ଚିନ୍ତା କରିବାକୁ ଲାଗିଲେ ଓ ନିଜ ଉପରେ ଆସ୍ଥା ହରାଇ ବସିଲେ ସେ।ଗୁଣମଣିଙ୍କ ଭଳି ବତ୍ରିଶ କଳା ଗୁଣିଆ ଯେ ଆଜି ଚଣ୍ଡୀ ଆଗରେ ପରାଜିତ ତାଙ୍କ କଥା ପଚାରୁଛି କିଏ। ମଦିରାମୁକ୍ତ ହୋଇ ଜିପ୍ ନେଇ ସଦଳବଳେ ଅରଣ୍ଯ ଅଭିମୁଖେ ବାହାରିଲେ ସେ।ଖଣ୍ଡେ ଦୂରରେ ଗାଡି ରଖି ଦେଇ ତନ୍ନ ତନ୍ନ କରି ଚଣ୍ଡୀ କୁ ଖୋଜି ଚାଲିଲେ ପାଞ୍ଚ ମାଇଲ୍ ଦୂର ପର୍ଯ୍ୟନ୍ତ ।ଶେଷରେ ଶୟନ ମୁଦ୍ରାରେ ଚଣ୍ଡୀ କୁ ଆବିଷ୍କାର କଲେ ଦାଶବାବୁଙ୍କ ଦଳ।ଖୁବ୍ ଜୋରରେ ପାଟି କଲେ ଓ ଗଛରୁ ଛୋଟ ଛୋଟ ଡାଳ ଭାଙ୍ଗି ତା ଉପରକୁ ନିକ୍ଷେପ କଲେ ମାତ୍ର ଚଣ୍ଡୀ ଉଠିଲା ନାହିଁ ।

        ସଭୟେ ସାହସ ବାନ୍ଧି ଚଣ୍ଡୀ ପାଖକୁ ଗଲେ ଦାଶ ବାବୁ।ସେ ଅତି ନିକଟରୁ ଯାହା ଦେଖିଲେ ତାଙ୍କ ଆଖିକୁ ବିଶ୍ବାସ କରିପାରିଲେ ନାହିଁ  ସେ। ଗତ ରାତ୍ରିରେ ଚଣ୍ଡୀ ବୋଲି ଯାହାର ପଶ୍ଚାତଧାବନ କରିଥିଲେ ସେ ଚଣ୍ଡୀ ନଥିଲା ଥିଲା ଏକ ଜଙ୍ଗଲୀ ବାର୍ହା।ମୁଖରୁ ତାର ପ୍ରଚୁର ରକ୍ତ ସ୍ରାବିତ ହୋଇ ବାଲୁକାରାଶିକୁ ଆର୍ଦ୍ର କରିଛି।ବାର୍ହା ଟି ଇହଲୀଳା ସମ୍ବରଣ କରିଛି।

        ନିଜ ମୁଣ୍ଡରୁ ଟୋପିଟିକୁ ଅପସାରଣ କଲେ ଦାଶବାବୁ ଓ ସମସ୍ତେ ମିଶି ବାର୍ହା କୁ ଗାଡିରେ ରଖିଲେ।ବନରକ୍ଷୀମାନେ ଦାଶବାବୁଙ୍କ ଅପେକ୍ଷା ଗୁଣିଆ ଗୁଣମଣିଙ୍କ ପ୍ରସଂଶା କରିବାକୁ ଲାଗିଲେ ।ମନ୍ତ୍ର ବଳରେ ଜୀବନ୍ତ ଚଣ୍ଡୀକୁ ମାରିଦେଇ ଆସନ୍ନ ବିପଦ ଟାଳିଥିବାରୁ ତାଙ୍କୁ ସାଧୁବାଦ ଦେଲେ।ଗାଁ ରେ ଚଣ୍ଡୀର ମୃତ୍ୟୁ ଖବର ତଡିତ ବେଗରେ ଖେଳିଗଲା।

          ଗୁଣିଆ ମହାଶୟଙ୍କୁ କୌଣସି ଏକ ଗାଡିରେ ଗ୍ରାମବାସୀମାନେ ନେଇଚାଲିଲେ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ କୁ।ବନ ସଂରକ୍ଷକ ପରମାନନ୍ଦ ବାବୁ ଏତେ ମାତ୍ରାରେ ଆନନ୍ଦିତ ହେଲେ ଯେ ଦାଶବାବୁ ବାରମ୍ବାର ତାଙ୍କ ନାମକୁ ସନ୍ଧି ଓ ସମାସ କରିବାକୁ ଲାଗିଲେ।ଲୋକମାନଙ୍କ ଆଖିରୁ ଅନ୍ଧପୁଟୁଳି ହଟାଇବାକୁ ଚେଷ୍ଟା କଲେ ବନ ସଂରକ୍ଷକ ।ଯାହାକୁ ଚଣ୍ଡୀ ବୋଲି ଲୋକେ ଏତେ ତନ୍ତ୍ର ମନ୍ତ୍ର ପ୍ରୟୋଗ କରୁଥିଲେ ପ୍ରକୃତରେ ସେ ଚଣ୍ଡୀ ନଥିଲା ଥିଲା ଏକ ଜଙ୍ଗଲୀ ବାର୍ହା ।

         ବନ ସଂରକ୍ଷକଙ୍କ ଏତାଦୃଶ ସିଦ୍ଧାନ୍ତ କୁ ବିରୋଧ କଲେ ସାଧକ ଗୁଣମଣି।ବିନମ୍ର କଣ୍ଠରେ ବନ ସଂରକ୍ଷକ ଙ୍କ ଉଦ୍ଦେଶ୍ୟରେ କେଇପଦ ବକ୍ତବ୍ଯ ରଖିଲେ। ଚଣ୍ଡୀ ର ଶବ ବ୍ଯବଛେଦ ରିପୋର୍ଟ ମଗାଇବାକୁ ସେ ବନ ସଂରକ୍ଷକ ଙ୍କୁ ଅନୁରୋଧ କଲେ ।ସଂରକ୍ଷକ ମହାଶୟ ବ୍ଯବଚ୍ଛେଦ ରିପୋର୍ଟ ମଗାଇଲେ।ରିପୋର୍ଟ ଅନୁସାରେ ଅତ୍ଯଧିକ ଧାବନ ଓ ମାନସିକ ଆଘାତ ଯୋଗୁଁ ବାର୍ହା ର ମୃତ୍ୟୁ ବୋଲି ବନ ସଂରକ୍ଷକ ଘୋଷଣା କଲେ।ମାତ୍ର ଗୁଣମଣି ତାଙ୍କର ବିନମ୍ର ଯୁକ୍ତି ବନ ସଂରକ୍ଷକ ଙ୍କ ସମ୍ମୁଖରେ ଉପସ୍ଥାପନ କଲେ।

        ବନ ସଂରକ୍ଷକ ଙ୍କ ସହ ଗୁଣମଣି ଏକ ମତ ହେଲେ ଯେ ଅରଣ୍ଯ ମଧ୍ୟରୁ ଉଦ୍ଧାର ହୋଇଥିବା ଶବଟି ଏକ ଜଙ୍ଗଲୀ ବାର୍ହା ର।ମାତ୍ର ଗୁଣିଆ ମହାଶୟ ଙ୍କ କହିବା କଥା ହେଲା ସେଦିନ ଅମାବାସ୍ଯା ଥିବାରୁ ବାର୍ହା ଦେହରେ ଏକ ମଶାଣୀଚଣ୍ଡୀ ସବାର ହୋଇଥିଲା।ତାଙ୍କ ଉପସ୍ଥିତି ଜାଣି ସେ ତୁରନ୍ତ ପ୍ରସ୍ଥାନ କରିବାକୁ ଚେଷ୍ଟା କରୁଥିଲା।ମାତ୍ର ତାଙ୍କ ଉପରେ ରାଗ ବୁଝାଇବାକୁ ଯାଇ ସେ ତାଙ୍କୁ ଶକ୍ତ ଧକ୍କା ଦେଇଥିଲା ।ଦାଶବାବୁ ଖୁବ୍ ନିକଟତର ହୋଇଥିଲେ ବି ଚଣ୍ଡୀ ତାଙ୍କର କିଛି କ୍ଷତି କରିନଥିଲା।ଅଶରୀରୀ ମାନେ ହିଁ ଗୁଣିଆ ମାନଙ୍କ ଉପରେ ରାଗ ସୁଝାନ୍ତି।

          ଗୁଣମଣିଙ୍କ ସିଦ୍ଧାନ୍ତ ରେ ଆଶ୍ଚର୍ଯ୍ୟ ହେଲେ ବନ ସଂରକ୍ଷକ ।ପୂର୍ବରୁ ସେ ଗୁଣିଆ ମହାଶୟ ଙ୍କ ଭୂତପ୍ରେତ ମାନଙ୍କୁ ଦୂରକୁ ଘଉଡାଇବା ସ୍ବଚକ୍ଷୁରେ ଦେଖିଛନ୍ତି ମାତ୍ର ବିଶ୍ବାସ କରିନାହାନ୍ତି ।କିନ୍ତୁ ଆଜି ତାଙ୍କୁ କିଛି ମାତ୍ରାରେ ବିଶ୍ବାସ ହେଲା।ଗୁଣିଆଙ୍କ ମନ୍ତ୍ରପୂତ ହଳଦୀପାଣି ହିଁ ଚଣ୍ଡୀକୁ ବାର୍ହା ଦେହରୁ ବାହାର କରିଥିବ।ମାତ୍ର ବାର୍ହା ର ମୃତ୍ୟୁ ହେବା ତାଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଥିଲା ଯାହାକୁ ସହଜରେ ଠଉରେଇ ନେଇଥିଲେ ଗୁଣିଆ ମହାଶୟ ।ଏଥର ସେ ବାର୍ହା ର ମୃତ୍ୟୁ କିପରି ହେଲା ସେ ବିଷୟରେ ତାଙ୍କ ସିଦ୍ଧାନ୍ତ ଶୁଣାଇଲେ।ଯଦି ଚଣ୍ଡୀ ଟି ବାର୍ହା ଦେହରେ ରହିବ ସେ ତାଙ୍କ ମନ୍ତ୍ର ବାଣରୁ ବର୍ତ୍ତିପାରିବ ନାହିଁ ।ତେଣୁ ବାର୍ହା ଦେହ ଛାଡିବା ଆଗରୁ ସେ ତାର ରକ୍ତ ଶୋଷଣ କଲା।

        ସେତେବେଳକୁ ନିର୍ବାକ ଚଳଚ୍ଚିତ୍ର ର ନାୟକ ଭଳି ସ୍ଥାଣୁ ପାଲଟି ଯାଇଥିଲେ ବନ ସଂରକ୍ଷକ ।ସେ ଭୟ ମିଶ୍ରିତ ନୟନରେ ଦେଖିପାରୁଥିଲେ ଗୁଣମଣିଙ୍କ ମଥାର ସିନ୍ଦୁର ଟୋପାରେ ମା ଚଣ୍ଡୀ ଙ୍କ ଆବିର୍ଭାବ କୁ। ଏଥର ସେ ମୁକ୍ତ କଣ୍ଠରେ ଘୋଷଣା କଲେ ଚଣ୍ଡୀ କୁ ସଫଳ ଭାବେ କାବୁ କରିବାର ଷାଠିଏ ଭାଗ ଶ୍ରେୟ ଗୁଣିଆ ମହାଶୟଙ୍କର ଓ ଚାଳିଶି ଭାଗ ଶ୍ରେୟ ଦାଶବାବୁଙ୍କର।

             ତଥାପି ଏହି ସିଦ୍ଧାନ୍ତ ତାଙ୍କ ସୁଦୂର ଡେରାଡୁନ ସ୍ଥିତ ବନ ପ୍ରଶିକ୍ଷଣ କେନ୍ଦ୍ରରେ ଦିଆଯାଇଥିବା ଶିକ୍ଷାର ପରିପନ୍ଥୀ ଥିଲା।ଏମିତି ଏକ ଅଡୁଆ ସିଦ୍ଧାନ୍ତ ରେ ସେ ଛନ୍ଦି ହୋଇଯାଇଥିଲେ ଯେ ସେଥିରୁ ବାହାରିବା ଏତେଟା ସହଜ ଲାଗୁନଥିଲା। ଏହି ସମୟରେ ଭିଡକୁ ଆଡେଇ ପ୍ରାଣବଳିଦେଇଥିବା ବାର୍ହା ର ଶବ ସତ୍କାର କରିବାକୁ ବନରକ୍ଷୀମାନେ ଅଗ୍ରସର ହେଲେ ।ବାରମ୍ବାର ଗୁଣମଣିଙ୍କ ଯୁକ୍ତି ସମ୍ବଳିତ ଦିଗକୁ ବିଶ୍ଳେଷଣ କରୁଥିଲେ ବନ ସଂରକ୍ଷକ ଠିକ୍ ମୃଗତୃଷ୍ଣା ର ପଥିକ  ପରି।

        

          

                              



Rate this content
Log in

Similar oriya story from Horror