Dr. Pratap Kumar Swain

Inspirational

4  

Dr. Pratap Kumar Swain

Inspirational

ସଂପର୍କର ସେତୁବନ୍ଧ

ସଂପର୍କର ସେତୁବନ୍ଧ

6 mins
383


ନିରୂପମା ଆଜିକାଲି ଭାରି ଅନ୍ଯମନସ୍କ। ନିଳିମା କୁ ତାର ସାତ ବର୍ଷ ବୟସ ହେଲାଣି। ତା ମୁହଁ କୁ ଚାହିଁଲେ ନିର୍ମଳ ଙ୍କ ପ୍ରତିଛବି ତା ଆଖି ସାମ୍ନାରେ ଝଲସି ଯାଏ। କୋହ ସମ୍ବରଣ କରିପାରନ୍ତି ନାହିଁ ସେ।ନିଳିମା ବି ଆଜିକାଲି ତାଙ୍କର ବିବାହ ବିଚ୍ଛେଦ ସମ୍ପର୍କରେ ସମସ୍ତ ତଥ୍ୟ ତାଙ୍କ ଠାରୁ ହାସଲ କରିଛି।ଛୋଟ ପିଲାଟି ହେଲେ ବି ଅମାପ ଧୀ ଶକ୍ତି ତାର ଠିକ୍ ନିର୍ମଳଙ୍କ ପରି। ନିଳିମାକୁ ଯେତେବେଳେ ତିନି ବର୍ଷ ବୟସ ସେତେବେଳେ ନିର୍ମଳଙ୍କ ଠାରୁ ଛାଡପତ୍ର ନେଇଥିଲେ ସେ।ନିରୂପମା ଓ ନିର୍ମଳ ଗାଁ ସ୍କୁଲରୁ ଆରମ୍ଭ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢିବା ପର୍ଯ୍ୟନ୍ତ ପରସ୍ପରକୁ ବହୁତ ଭଲପାଉଥିଲେ। ଦୁଇଜଣ ଯାକ ଅଧ୍ଯାପକ ଭାବେ ଭୁବନେଶ୍ଵରର ଦୁଇଟି ପୃଥକ୍ ମହାବିଦ୍ୟାଳୟ ରେ ଚାକିରୀ କରୁଥିଲେ। ଚାକିରିର ଦୁଇବର୍ଷ ପରେ ବାହାଘର ଓ ତାର ଏକ ବର୍ଷ ପରେ ନିଳିମା । ଭାରି ହସଖୁସିରେ ବିତିଯାଉଥିଲା ଦିନଗୁଡିକ । ନିର୍ମଳ ନିରୂପମାଙ୍କ ଘରେ ପୁଅ ଠାରୁ ଅଧିକ ସ୍ନେହ ଆଦର ପାଆନ୍ତି କାହିଁକି ନା ନିରୂପମା ବାପାଙ୍କ ର ଏକ ମାତ୍ର ଝିଅ ଥିଲା। ଛାଡପତ୍ର ପାଇଁ ନିରୂପମା ଆବେଦନ କରିଥିଲେ ନିର୍ମଳ ଙ୍କ କାକୁତି ମିନତି ସତ୍ତ୍ୱେ । ନିଳିମାର ଗାଲୁରୁ ଗାଲୁରୁ କଥା ଓ ନିରୂପମାଙ୍କପରି ଧର୍ମପତ୍ନୀ ଙ୍କୁ ଛାଡି କେମିତି ସେ ବଞ୍ଚିବ ସେ କଥା ନିଜେ କଳ୍ପନା କରିପାରୁ ନଥାନ୍ତି ନିର୍ମଳ ।କିନ୍ତୁ ନଛୋଡବନ୍ଧା ନିରୂପମା ବିବାହ ବିଛେଦକୁ ନେଇ। ନାଚାର ଥିଲେ ନିର୍ମଳ ।ବାଧ୍ୟ ବାଧକତାରେ ନିରୂପମାଙ୍କ ଠାରୁ ଅଲଗା ହେଲେ ନିର୍ମଳ।ଚାରି ବର୍ଷ ହେଲାଣି ନିର୍ମଳ କେତେ ଦେବାଦେବୀ ଙ୍କୁ ଗୁହାରି କରି ଥକି ଗଲେଣି କିନ୍ତୁ ନିରୂପମାଙ୍କୁ ଫେରି ପାଇବା ସମ୍ଭବ ହୋଇନି। କୋର୍ଟ ର କେତେଟା କାଗଜ ଯେମିତି ତାର ଭାଗ୍ଯକୁ ଅନ୍ଧାର ମଧ୍ୟକୁ ଠେଲିଦେଇଛି। କାହାର ପ୍ରକୃତରେ ଭୁଲ୍ ଆକଳନ କରିବସନ୍ତି ନିରୂପମା।ତାଙ୍କର ହସଖୁସିର ସଂସାର ଭିତରକୁ ଧସେଇ ଆସିଥିଲେ ନିଳୋତ୍ପଳା ।ନିଳୋତ୍ପଳା ନିର୍ମଳ ଙ୍କ ସହକର୍ମୀ । ବୟସରେ ନିର୍ମଳ ଙ୍କ ଠାରୁ ପାଞ୍ଚ ବର୍ଷ ବଡ। ନିର୍ମଳ ଙ୍କ ସହ ବହୁତ ମେଳାପି। ନିରୂପମାଙ୍କୁ ଆମନ୍ତ୍ରଣ କରିଥିଲେ ନିର୍ମଳ ନିଳୋତ୍ପଳାଙ୍କ କଥାରେ। ସେଦିନ କ୍ଲାସସାରି ନିରୂପମାଙ୍କୁ ଅପେକ୍ଷା କରିଥାନ୍ତି ଦୁହେଁ ।ହଠାତ୍ ନିର୍ମଳ ଙ୍କ ମୁଣ୍ଡ ଘୁରାଇ ଦେଲା। ଚୌକିରୁ ପଡିଗଲାବେଳେ ଧରିନେଇଥିଲେ ନିଳୋତ୍ପଳା ।ଠିକ୍ ଏହି ସମୟରେ ପହଞ୍ଚି ଯାଇଥିଲେ ନିରୂପମା।ନିର୍ମଳ ଙ୍କ ଦେହ ଖରାପ ବିଷୟରେ ଜଣାଇଥିଲେ ନିଳୋତ୍ପଳା କିନ୍ତୁ ସନ୍ଦେହମିଶା ଆଖିରେ ଘଟଣାଟିକୁ ଅନୁଶୀଳନ କରୁଥିଲେ ନିରୂପମା।ପରିସ୍ଥିତିକୁ ହାଲୁକା କରି ନିର୍ମଳ ଙ୍କ ସାଥିରେ ଘରକୁ ଫେରି ଥିଲେ ନିରୂପମା।ସେଦିନ ରାତିରେ ନିଳୋତ୍ପଳାଙ୍କୁ ନେଇ କ୍ଷୁବ୍ଧ ଥିଲେ ନିରୂପମା।ନିର୍ମଳଙ୍କୁ ନିଳୋତ୍ପଳା ଙ୍କ ସହ ଯୋଡି କୁତ୍ସାରଟନା କଲେ ସେ।ରାଗିଯାଇ ନିର୍ମଳ ଗୋଟିଏ ଚାପୁଡାମାରିଥିଲେ ତାଙ୍କୁ ।

ବାସ୍ ଏତିକିରେ ସେ ନିର୍ମଳ ଙ୍କ ସହ ସମସ୍ତ ସଂପର୍କ ଛିଡାଇବାର ନିଷ୍ପତ୍ତି ନେଇଗଲେ।ପାଖରୁ ସିନା ନିର୍ମଳଙ୍କୁ ଅଲଗା କରିଦେଲେ ହେଲେ ପ୍ରତିଟି ସ୍ପନ୍ଦନ ରୁ ସେ କେମିତି ଅଲଗା କରିବେ ? ଦିନଟା ଚାକିରୀ ଓ ରାତ୍ରିର କିଛି ପ୍ରହର ବିତିଯାଏ ଝିଅ ର ପାଠ ପଢାରେ ମାତ୍ର ବିଛଣାରେ ଗଡିଗଲା ବେଳେ ଆଖିର ନିବୃତ୍ତ କୋଣ ମଧ୍ୟରୁ ଲୁହ ସବୁ ବହିଆସି ତକିଆ ଭିଜାଇ ଦିଏ। ହେଲେ ସେ କ'ଣ କରିବେ? ବାରମ୍ବାର ନିର୍ମଳ ଙ୍କ ଅନୁନୟ ବିନୟ କୁ ପ୍ରତ୍ଯାଖ୍ଯାନ କରିଥିଲେ ସେ ଓ ନିଳୋତ୍ପଳାଙ୍କୁ କେତେଯେ ଅଭିଶାପ ଅଜାଡି ଦେଇଛନ୍ତି ତାର ସୀମା ନାହିଁ ।

ଏମିତି ଭାବନା ରାଇଜରେ ହଜିଯାଇଥିଲେ ସେ ।କଲିଙ୍ଗ୍ ବେଲ୍ ଶଦ୍ଦରେ ଉଠି ପଡିଲେ ସେ। ଏ କ'ଣ ନିଳିମା କୁ କେହି ଜଣେ ଭଦ୍ରବ୍ଯକ୍ତି ତାଙ୍କ ଗାଡିପଛରେ ବସାଇ ଆଣିଛନ୍ତି। ପଚାରି ବୁଝିବାରୁ ଜଣା ପଡିଲା ଯେ ଟ୍ଯୁସନରୁ ଫେରିଲାବେଳେ ହଠାତ୍ ନିଳିମାର ଦେହ ଖରାପ ହେବାରୁ ଭଦ୍ରବ୍ଯକ୍ତି ଜଣଙ୍କ ତାକୁ ଡାକ୍ତର ଖାନାରେ ଦେଖାଇ କିଛି ଔଷଧ ଦେଇଯାଇଛନ୍ତି। ଭଦ୍ରବ୍ଯକ୍ତି ଙ୍କୁ ଘରକୁ ଡାକିଲେ ନିରୂପମା ମାତ୍ର କାମର ବ୍ଯସ୍ତତା ଦେଖାଇ ଚାଲିଗଲେ ସେ।ନିଳିମା ମଧ୍ୟ ଭଦ୍ରବ୍ଯକ୍ତି ଙ୍କ ର ସ୍ନେହ ଓ ସାହାଯ୍ୟ ବିଷୟରେ ସବୁକିଛି କହିଲା ତାଙ୍କୁ ।ନିଳିମା ସହ ଆଜି ସାହିତ୍ୟ ବିଷୟଟି କୁ ବୁଝାଇବାର ଥିଲା।ବୁଝାଇବା ବେଳେ ନିରୂପମା କହିଥିଲେ ଯେ ରାଗ ହିଁ ମଣିଷର ବଡ ଶତ୍ରୁ ଯାହାକି ମନୁଷ୍ୟ ର ବହୁତ କ୍ଷତି ସାଧନ କରେ।

ତାହେଲେ ତୁମେ ବାପାଙ୍କ ଉପରେ ରାଗି କ'ଣ ଠିକ୍ କଲ ମା ପଚାରି ବସିଲା ନିଳିମା। କ'ଣ ଉତ୍ତର ଦେବେ ସେ ହତବମ୍ବ ହୋଇଗଲେ ନିରୂପମା।

ପୁଣି ପଢାଇ ଚାଲିଲେ ସେ। ସନ୍ଦେହ ଯେବେ ମଣିଷ ମନରେ ବସାବାନ୍ଧି ରହେ ସେ ହିଂସ୍ର ହୋଇ ଉଠେ ଓ ସମସ୍ତ ସଂପର୍କ କୁ କାଟିବାକୁ କିଛି ବି କରିପାରେ। ତାହେଲେ ତୁମେ କ'ଣ ନିଳୋତ୍ପଳା ଆଣ୍ଟି ଙ୍କ ଉପରେ ସନ୍ଦେହ କଲ ମା ? ନିର୍ବାକ ହୋଇଗଲେ ନିରୂପମା ଝିଅ ର ଏହି ପ୍ରଶ୍ନ ରେ।

 ନିରୂପମା କେମିତି ବା ବୁଝାଇବେ ନିଳିମାକୁ ରାଗିବାର କାରଣ ଯେ ନିର୍ମଳ ।ନିଜକୁ ବାରମ୍ବାର ପ୍ରଶ୍ନ କଲେ ନିରୂପମା। ସତରେ କ'ଣ ସେ ସନ୍ଦେହ କରିଛନ୍ତି ନିର୍ମଳ ଙ୍କୁ । ସେ ଯେଉଁ ନିଷ୍ପତ୍ତି ନେଇଛି ହୁଏତ ତାକୁ ଟିକେ ଗଭୀର ଭାବରେ ବିଶ୍ଳେଷଣ କରି ନେଇଥିଲେ ଠିକ୍ ହୋଇଥାନ୍ତା।ନିର୍ମଳ ଓ ନିଳୋତ୍ପଳାଙ୍କ ସଂପର୍କ ବିଷୟରେ ସବିଶେଷ ତଥ୍ୟ ହାସଲ କରି ତାପରେ ଯାହା କରିଥାନ୍ତା।

କେମିତି ସେ ସାନ୍ତ୍ବନା ଦେବ ନିଳିମା କୁ ଯିଏ କି ପ୍ରତିଦିନ ନିର୍ମଳ ଙ୍କ ବିଷୟରେ ପଚାରି ତାକୁ ବିବ୍ରତ କରାଉଛି।ଏମିତି ଭାବୁ ଭାବୁ ଖବର କାଗଜରେ ଆଖି ବୁଲାଇ ଆଣିଲେ ସେ। ନିର୍ମଳ ତାଙ୍କ ଗବେଷଣା ପାଇଁ ସରକାରଙ୍କ ଦ୍ବାରା ପୁରସ୍କାର ପାଇଛନ୍ତି। ଏହି ଖବର ତ ନିର୍ମଳ ତାଙ୍କୁ ଜଣାଇ ପାରିଥାନ୍ତେ। କେମିତି ବା ଜଣାଇବେ ନିର୍ମଳ ତାଙ୍କର ଫୋନ୍ ନମ୍ବର କୁ ତ ସେ କଳା ତାଲିକାଭୁକ୍ତ କରିଛି। ନିଳିମା କୁ ସେ ଖବର କାଗଜରେ ପ୍ରକାଶିତ ହୋଇଥିବା ନିର୍ମଳ ଙ୍କ ପୁରସ୍କାର ପାଇବା ଖବର ଜଣାଇବେ କି ନାହିଁ । ନା ସେ ଜଣାଇବେ ନାହିଁ ।ନିଳିମାର ପାଠପଢାକୁ ଆଜି ପାଇଁ ଏତିକିରେ ବନ୍ଦ କରିବାକୁ ହେବ। ଖାଦ୍ୟ ପ୍ରସ୍ତୁତି ରେ ଲାଗିପଡିଲେ ସେ।ଠିକ୍ ଦଶ ମିନିଟ୍ ପରେ ନିଳିମା ଖବର କାଗଜରେ ବାହାରିଥିବା ନିର୍ମଳ ଙ୍କ କୃତିତ୍ବ କୁ ନିଳିମା କୁ ଦେଖାଇ ଖୁସିରେ ବାପା ବାପା କହି ନାଚି ଉଠିଲା ।ଖୁବ୍ ରାଗ ଆସୁଥିଲା ନିରୂପମାଙ୍କୁ ।ଇଛା ହେଉଥିଲା ଗୋଟିଏ ଶକ୍ତ ଚାପୁଡା ନିଳିମା ଗାଲରେ କଷି ଦେବାକୁ। ହାତକୁ ଲଗାମ ଦେଲେ ସେ। ନିଳିମା ର ବା କି ଦୋଷ।ସବୁ ତା ଭାଗ୍ଯ ଦୋଷ।

ପରଦିନ ନିଳିମା କୁ ନିଜେ ସ୍କୁଲ ଛାଡିବାକୁ ଗଲେ ନିରୂପମା। ଏ କ'ଣ ସ୍କୁଲ ର ଅନତି ଦୂରରେ ନିର୍ମଳ ଛିଡା ହୋଇଛନ୍ତି ଓ ବହୁତ ଲୋକ ତାଙ୍କୁ କରମର୍ଦ୍ଦନ କରି ତାଙ୍କ ସଫଳତା ପାଇଁ ବଧାଇ ଜଣାଉଛନ୍ତି।ନିଳିମା ବାପା ବାପା ବୋଲି ଚିତ୍କାର କରିଉଠିଲା।ଆଉ ସହିପାରିଲେନି ନିର୍ମଳ ।ଦୌଡିଆସି ନିଳିମା କୁ କୋଳେଇ ନେଲେ। ଅବାକ୍ ହୋଇ ଚାହିଁ ଥାନ୍ତି ନିରୂପମା।ଅଜାଣତରେ ଆଖିରୁ ଅବାରିତ ଅଶ୍ରୁର ପ୍ଲାବନ ଶରୀରକୁ ଭେଦ କରିବାକୁ ଉଦ୍ୟମ କରୁଥାଏ।

ଚୁପ୍ ରହିଲେ ନିରୂପମା ମାତ୍ର ନିଳିମା ବାପାଙ୍କୁ ଅଭିନନ୍ଦନ ଜଣାଇବା ସହିତ ବାପାଙ୍କୁ ଜାବୁଡି ଧରି କାନ୍ଦିଲା ।ସହିପାରିଲେନି ନିର୍ମଳ ।ନିରୂପମା ଙ୍କୁ ଡାକିଲେ କିନ୍ତୁ ସେ ଶୁଣିଲେ ନାହିଁ ।ଏଥର ଖଣ୍ଡିଏ ଚିଠି ସେ ନିରୂପମାଙ୍କ ହାତକୁ ବଢାଇ ଦେଇ ପଢିବାକୁ ଅନୁରୋଧ କଲେ।

ତଥାପି ସେ ନିର୍ମଳ ଙ୍କ ସହ କଥା ହେଲେ ନାହିଁ ।ଚିଠିଟି କୁ ପଢିବାକୁ ଆରମ୍ଭ କଲେ। ଚିଠି ର ଶେଷ ପୃଷ୍ଠାକୁ ଦେଖି ଜାଣିଲେ ଯେ ନିଳୋତ୍ପଳା ହିଁ ଲେଖିଛନ୍ତି ।ଇଛା ନଥିଲେ ବି ଚିଠିଟିକୁ ପଢିବାକୁ ଆରମ୍ଭ କଲେ।ଚିଠି ର ଆରମ୍ଭ ରେ ଲେଖିଥିଲା ଶ୍ରଦ୍ଧେୟ ନିରୁ,

ମୋର ଆଶୀର୍ବାଦ ନେବ।ସେଦିନ ତୁମକୁ ସାକ୍ଷାତ କରି ବହୁତ କିଛି ଗପିବାକୁ ଇଛାଥିଲା ମାତ୍ର ହଠାତ୍ ନିର୍ମଳ ଙ୍କ ଦେହ ଖରାପ ରେ ତୁମେ ବି ବ୍ଯସ୍ତ ଥିଲ ଓ ସ୍ବଳ୍ପ ସମୟ ଦେଖାସାକ୍ଷାତ ଯୋଗୁଁ ତୁମର ଯୋଗାଯୋଗ ନମ୍ବର ରଖି ପାରି ନଥିଲି। ସନ୍ଧ୍ୟା ରେ ନିର୍ମଳ ଙ୍କ ଦେହ ବିଷୟରେ ବୁଝିବାକୁ ଫୋନ କରିଥିଲି ମାତ୍ର ନିର୍ମଳ ଫୋନ ଉଠାଇଲେ ନାହିଁ । ତା ପର ଦିନ ନିର୍ମଳ ଙ୍କ ସହ ଦେଖାହେଲା।ବହୁତ ଗମ୍ଭୀର ଜଣାପଡୁଥିଲେ ସେ ।କିଛି ନ କହି କଲେଜରୁ ଘରକୁ ଫେରି ଥିଲେ ସେ।ମନଟା ମୋର ବୁଝିଲି ନାହିଁ ।ବାରମ୍ବାର ନିର୍ମଳ ଙ୍କ ମନ ଖରାପ ବିଷୟରେ ଜାଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲି।ଆଉ ସହି ପାରିଲି ନାହିଁ । ନିରୂପମା ରାଗ ଜର୍ଜରିତ ଆଖିରେ ନିର୍ମଳ ଙ୍କୁ ଚାହିଁଲେ ।ଭାବିଲେ ଚିଠିଟିକୁ ଚିରିଦେବେ ମାତ୍ର ଆରମ୍ଭ କରିଛନ୍ତି ଯେତେବେଳେ ଚିଠିଟିକୁ ନିଶ୍ଚୟ ପଢିବେ।ପୋଡିଗଲା ଜୀବନକୁ ଆଉ ଯୋଡିବାରେ ଇଛା ନାହିଁ ତାଙ୍କର।ପୁଣି ଚିଠିଟିକୁ ପଢିବାକୁ ଲାଗିଲେ। ପରବର୍ତ୍ତୀ ଧାଡିରେ ଲେଖାଥିଲା ବୁଝିଲ ନିରୂପମା ଶେଷରେ ନିର୍ମଳ ଙ୍କ ଠାରୁ ତୁମ ଦୁହିଁଙ୍କ ବିବାହ ବିଛେଦ କଥା ଶୁଣିଲି । ବିବାହ ବିଛେଦର ଆସାମୀ ମୁଁ ବୋଲି ତୁମେ ଭାବି ନେଇଥିଲ।ହେଲେ ବିଶ୍ବାସ କର ମୁଁ ମୋ ବାପା ମାଙ୍କ ର ଗୋଟିଏ ଝିଅ ହୋଇ ଥିବାରୁ ନିର୍ମଳ ଙ୍କୁ ମୋ ସାନ ଭାଇ ବୋଲି ଭାବେ।ତୁମ ଦୁଇ ଜଣଙ୍କର ଏହି ଭୁଲ୍ ବୁଝାମଣା ଦୂର କରିବାକୁ ବହୁତ ଚେଷ୍ଟା କଲି ମାତ୍ର ସବୁବେଳେ ନିର୍ମଳ ହିଁ ମୋର ପଥ ରୋଧ କଲେ।ଛୋଟ ଛୁଆଟିକୁ ତାର ବାପା ଓ ମା ଦୁଇ ଜଣଙ୍କ ସ୍ନେହ ଦରକାର ଏ କଥା ତୁମେ ମନୋବିଜ୍ଞାନ ଅଧ୍ୟାପିକା ହିସାବରେ ଭଲ ଭାବରେ ଜାଣିଛ। ମୁଁ ଏବେ ଏକ ଦୂରାରୋଗ୍ଯ ବ୍ଯାଧି ରେ ଶଯ୍ୟାଶାୟୀ ।ମୋର ଅନୁରୋଧ ତୁମେ ଦୁଇଜଣ ପରସ୍ପର କୁ ବୁଝିପାରି ପୁଣି ତୁମ ହସଖୁସିର ସଂସାର ଗଢିତୋଳିବ।ହୁଏତ ମୁଁ ଏଥିରେ ବହୁତ ଖୁସି ହୋଇ ରୋଗରୁ ସଂପୂର୍ଣ୍ଣ ଆରୋଗ୍ଯ ଲାଭ କରିବି କିମ୍ବା ଶେଷ ସମୟ ରେ ତୁମ ଦୁଇଜଣଙ୍କ ଖୁସି ଦେଖି ଶାନ୍ତି ରେ ଆଖି ବୁଜିବି।ଶେଷରେ ଆଉ ଗୋଟିଏ କଥା ଲେଖୁଛି ଆଶା ତୁମେ ମୋର କଥା ରଖିବ।ଯେହେତୁ ମୋର ସଂସାର ବୋଲି କିଛି ନାହିଁ ମୋର ଭୁବନେଶ୍ଵରର ଥିବା ଘର ଓ ଜମିକୁ ତୁମ ଦୁଇଜଣଙ୍କ ନାମରେ ଇଛାପତ୍ର କରିଦେଇଛି। ମୋର ମୃତ୍ୟୁ ପରେ ତୁମେ ହିଁ ମୋର ସଂସ୍କାର ଓ ତିଳ ତର୍ପଣ କରିବ।ମୁଁ ଯଦି ରୋଗରୁ ବଞ୍ଚି ଯାଏ ମୋତେ ମୋ ଭଡାଘରେ ନେଇ ଛାଡିଦେବ।ତୁମକୁ ଦେଖିବାକୁ ଭାରି ଇଛା ହେଉଛି।ଯଦି ସମୟ ବାହାର କରି ମୋତେ ଟିକେ ଦେଖା କରିବ ବହୁତ ଖୁସି ହେବି ମାତ୍ର ଗୋଟିଏ ସର୍ତ୍ତ ରେ।ତୁମେ ଦୁଇଜଣ ସେ କୋର୍ଟ କାଗଜକୁ ଚିରି ପୁଣି ତୁମର ହସଖୁସିର ସଂସାର ଗଢିବ।

ଦୁନିଆକୁ ଦେଖେଇ ଦେବ ଯେ ସ୍ନେହ, ପ୍ରେମ ଓ ଭଲ ପାଇବା କେବେବି କାହା ଆଗରେ ମୁଣ୍ଡ ନୁଆଁଏ ନାହିଁ।

ଇତି

ତୁମର ବଡ ଭଉଣୀ ନିଳୋତ୍ପଳା

ନିରୂପମା ଙ୍କ ଅଜାଣତରେ ହାତରୁ ଚିଠିଟି ଖସି ପଡିଥିଲା।ନିର୍ମଳଙ୍କୁ କୁଣ୍ଢେଇ ଧରି ଖୁବ୍ ଜୋରରେ କାନ୍ଦିଉଠିଲେ ସେ।ନିଜକୁ ଧିକ୍କାର କଲେ ସେ।କେତେ ମହାନ ସେ ନିଳୋତ୍ପଳା ଅପା।ଏମିତି ସନ୍ଦେହ କଲାବେଳେ ମୋ ଆଖି ଦୁଇଟି ଅନ୍ଧ ହୋଇଗଲାନି କାହିଁକି । ଏଥର ସମସ୍ତେ ଚାଲିଲେ ନିଳୋତ୍ପଳା ଙ୍କୁ ସାକ୍ଷାତ କରିବାକୁ। ନିରୂପମାଙ୍କୁ ଦେଖି ବିଛଣାରୁ ଉଠି କୁଣ୍ଢେଇ ପକାଇଲେ ନିଳୋତ୍ପଳା ।କିଛି ବୁଝାଇବାକୁ ଚେଷ୍ଟା କରୁଥିଲେ ମାତ୍ର ନିରୂପମା ନିଜ ଭୁଲ୍ ପାଇଁ କ୍ଷମା ମାଗି ନେଇଥିଲେ।ସେ ବାରମ୍ବାର ନିର୍ମଳ ଙ୍କୁ ନେହୁରା ହୋଇ କହୁଥିଲେ ଅପାଙ୍କୁ ଭଲ କରିଦିଅ ।ସେ ଆମ ପାଖରେ ରହିବେ। ଆମ ସହ ରହିଲେ ତାଙ୍କ ର କିଛି ବି ଅସୁବିଧା ହେବନି।ଏହା ଭିତରେ ଡାକ୍ତର ଆସି ପରୀକ୍ଷା ନିରୀକ୍ଷା କଲେ।ନିର୍ମଳ ମଧ୍ୟ ନିଳୋତ୍ପଳା ଙ୍କ ସ୍ବାସ୍ଥ୍ୟ ବିଷୟରେ ଡାକ୍ତରଙ୍କୁ ପଚାରିଲେ।ଡାକ୍ତର ଆଶ୍ଚର୍ଯ୍ୟ ହୋଇ କହିଲେ ଏଇ କିଛି ସମୟ ପୂର୍ବରୁ ସ୍ଥାଣୁ ଥିବା ନିଳୋତ୍ପଳା ଜଣେ ନିରୋଗୀ ମଣିଷ ପରି ବ୍ଯବହାର କରୁଛନ୍ତି ।ଯଦି ଏମିତି ଭାବେ ସେ ରୁହନ୍ତି ଆଉ ତିନି ଦିନରେ ତାଙ୍କୁ ହସ୍ପିଟାଲରୁ ସୁସ୍ଥ ଘୋଷଣା କରାଯିବ ଓ ଆପଣ ମାନେ ତାଙ୍କୁ ନେଇଯାଇ ପାରିବେ। କିନ୍ତୁ ତାଙ୍କ ମନକୁ ଆଘାତ ଦେଲାଭଳି କିଛି ଘଟଣା ଯେପରି ପୁନରାବୃତ୍ତି ନଘଟେ।ନିର୍ମଳ ଓ ନିରୂପମା କୋର୍ଟ ର କାଗଜକୁ ନିଳୋତ୍ପଳା ଙ୍କ ସାମ୍ନାରେ ଚିରି ପକାଉଥାନ୍ତି ଓ ଖୁସିରେ ନିଜର ରୋଗ ଯନ୍ତ୍ରଣା କୁ ଭୁଲି ଦୁଇଜଣଙ୍କୁ ଆଶୀର୍ବାଦ କରରୁଥାନ୍ତି ନିଳୋତ୍ପଳା ।ନିର୍ମଳ ନିଜ ଆଖିକୁ ବି ବିଶ୍ବାସ କରି ପାରୁ ନଥାନ୍ତି ଏମିତି ଏ ସଂପର୍କ ର ସେତୁବନ୍ଧ ପ୍ରତିଷ୍ଠା ରେ।

       


Rate this content
Log in

Similar oriya story from Inspirational