STORYMIRROR

Dr. Pratap Kumar Swain

Inspirational

3  

Dr. Pratap Kumar Swain

Inspirational

ଏ କେମିତି ବନ୍ଧନ

ଏ କେମିତି ବନ୍ଧନ

4 mins
178


ସେଦିନ କୋକିଳ ଚୁପ୍ ଚାପ୍ ବସି ରହି ଅଶ୍ରୁ ଢାଳି ଚାଲିଛି। କେତେଦିନରୁ ତାଙ୍କ ବଂଶ ସୃଷ୍ଟି ର ଦାୟିତ୍ବ ଏକାକ୍ଷ ମାନେ କରି ଆସୁଛନ୍ତି । ଇତିହାସକୁ ରୋମନ୍ଥନ କରିବାକୁ ତାର ଆଉ ଇଚ୍ଛା ନାହିଁ । ଏହି କିଛି ଦିନ ହେବ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସ୍ବାମୀଙ୍କ ସହ ଚୌଧୁରୀ ବାବୁଙ୍କ ଆମ୍ବ ଗଛରେ ବସୁଛି ।ତାଙ୍କ ବାଡିପଟ ଆମ୍ବ ଗଛର ପତ୍ର ଗହଳରେ ବସି କୁହୁତାନ ରେ ସମଗ୍ର ନରଣ ପୁର ଗାଁ କୁ ଆନମନା କରୁଛି ସେ। ଆଜି କିନ୍ତୁ ତାକୁ ରାଗିଣୀ ଗାଇବାର ଇଚ୍ଛା ନାହିଁ । ସେ ଭାବୁଛି ତାର ଆଗାମୀ ବଂଶଧର କଥା।ନିଜେ ଯେମିତି ଏକାକ୍ଷ ଉପରେ ବଂଶ ସୃଷ୍ଟି ପାଇଁ ନିର୍ଭରଶୀଳ ସେମିତି ନିଜ ମୁଣ୍ଡ ଗୁଞ୍ଜିବାକୁ ବସାଟିଏ କରିପାରୁନି ସେ। ସ୍ବାମୀଙ୍କୁ ବହୁବାର ନେହୁରା ହୋଇ ମଧ୍ୟ ନିଜ ପାଇଁ ବସାଟିଏ ତିଆରି କରିପାରୁନି ସେ।କୋଇଲି ଜାତିର ନିଜସ୍ୱ ବସା ନ ରହିବା ଟା ହିଁ ବିଧି ର ବିଧାନ ବୋଲି କହି ସ୍ବାମୀ ଏଡାଇ ଦିଅନ୍ତି ।

ଆଉ କିଛି ଦିନ ମଧ୍ୟରେ ସେ ଅଣ୍ଡା ଦେବ।ନିଜ ଅଣ୍ଡା ର ଯତ୍ନ ନେବା ପାଇଁ ସେ ଏକାକ୍ଷ ସହ କଥା ହୋଇ ସାରିଛି। ତାକୁ ଏକାକ୍ଷ ର ବସାରେ ହିଁ ଅଣ୍ଡା ଦେବାକୁ ହେବ  ଏହି କଥା ଭାବି ଆଖିରୁ ଅମାନିଆ ଅଶ୍ରୁର ପ୍ଲାବନ ତା ହୃଦୟ ତନ୍ତ୍ରୀରେ ଆଲୋଡନ ସୃଷ୍ଟି କରୁଛି। ସେ ନିଜ ପୂର୍ବଜ ମାନଙ୍କୁ ଧିକ୍କାର କରିବାକୁ ଲାଗିଲା କାରଣ ସେମାନଙ୍କ ଯୋଗୁଁ ହିଁ ସମଗ୍ର କୋଇଲି ଜାତି ଆଜି ନିଜ ପାଇଁ ବାସଗୃହ ତିଆରି କରିବା ପାଇଁ ଅକ୍ଷମ ତତ୍ ସହିତ ନିଜ ଅଣ୍ଡା ରୁ ତାର ଆଗାମୀ ବଂଶଧର ସୃଷ୍ଟି ପାଇଁ ଏକାକ୍ଷ ଉପରେ ନିର୍ଭରଶୀଳ ।ବାଟୁଳି ଆଘାତ ପ୍ରାପ୍ତ ପେଚା କୁ ଉପଚାର କରିବା ପାଇଁ ଏକାକ୍ଷ କୋଇଲି ପାଖକୁ ଆଣିବା ଓ ଉପଶମ ପରେ ପେଚା କୋଇଲିର ପାଉଣା ନ ଦେବା ଯୋଗୁଁ ହିଁ କେଉଁ ଆଦମୀ କାଳରୁ ଏକାକ୍ଷ କୋଇଲି ର ଅଣ୍ଡା କୁ ଯତ୍ନ ନେଉଛି ।

ସାରା ଜୀବନ ବାସ ଶୂନ୍ଯ ବିହଙ୍ଗ ହିସାବରେ ସେ ସମାଜ ଆଗରେ ନିନ୍ଦନୀୟ । କ'ଣ ବା ଦରକାର ଥିଲା ନିରୀହ ଏକାକ୍ଷକୁ ଏମିତି ଦଣ୍ଡଦେବା। ସେ କିନ୍ତୁ ଆଜି ତାର ପତିଦେବଙ୍କ ସାମ୍ନାରେ ଏସବୁ ବିଚାର ଉପସ୍ଥାପନ କରିବ ଓ ତା ସହିତ ସମଗ୍ର କୋଇଲି ଜାତିକୁ ଏକ କର୍ମଠ ଜାତିରେ ପରିଣତ କରିବ। ସମାଜ କୁ ସେ ଦେଖେଇ ଦେବ ଯେ କୋକିଳ ଆଳସ୍ଯରତ ହୋଇ ଖାଲି ମଧୁର ମୂର୍ଚ୍ଛନା ତୋଳେନାହିଁ ପରନ୍ତୁ ସେ ଏକ କର୍ମତତ୍ପର ଶିଳ୍ପୀ ଯିଏ କି ବାସଶୂନ୍ଯ ନୁହେଁ ବରଂ ବିଳାସପୂର୍ଣ୍ଣ ବାସସ୍ଥଳୀ ର ନିର୍ମାତା।ଏବେ ସେ ନିଜ ବାସସ୍ଥଳୀରେ ବସି କୂଜନ କରିବ। ତା ସ୍ବରକୁ ଏ ମଣିଷ ମାନେ ନକଲ କଲେ ବି ସେ ତା ଗୃହ ଭିତରେ ରହି ସେସବୁକୁ ଅଣଦେଖା କରିପାରିବ।

ଦ୍ବିପ୍ରହର ସମୟ । କୋକିଳାକ୍ଷ ପ୍ରାଣପ୍ରିୟା ପାଖକୁ ଫେରି ଆସି ତାର ବିରସ ବଦନ ଦେଖି ଚକିତ ହେଲା।ପତ୍ନୀକୁ ଖୁସିରେ ରଖିବା ପାଇଁ ସେ ଚୌଧୁରୀ ବାବୁଙ୍କ ଆମ୍ବ ଗଛକୁ ଚୟନ କରିଥିଲା। ଚୌଧୁରୀ ବାବୁଙ୍କ ସ୍କୁଲ ପଢନ୍ତା ପୁଅର ସେମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧାହିଁ ଉଭୟଙ୍କୁ ଖୁସି ରେ ରହିବାକୁ ଉତ୍ସାହିତ କରୁଛି ମାତ୍ର କେଉଁଥିପାଇଁ ତା ପ୍ରିୟା ର ଆଜି ମନ ଦୁଃଖ ସେ କିଛି ବୁଝି ପାରୁନଥିଲା। ଅଭିମାନୀ କୋକିଳ ତା ମନର ଦୁଃଖ କୁ ତା ପ୍ରିୟ ପାଖରେ ବାଢି ବସିଲା। କୋକିଳାକ୍ଷ ଓ କୋକିଳ ମିଶି ବସାବାନ୍ଧିବାକୁ ପ୍ରୟାସ କରିଲାବେଳେ ଅନ୍ଯମାନେ ତାଙ୍କୁ ନାହିଁ କରିବାକୁ ଲାଗିଲେ। ଦୁହେଁ ମନକୁ ବୁଝାଇ ଦେଇ ସେହି ବୃକ୍ଷ ର ପତ୍ର ଗହଳରେ ଦୁଃଖ ମନରେ ରହିଲେ।

କୋକିଳ ଅନ୍ଯ ପକ୍ଷୀ ମାନଙ୍କ ପରିହାସ ସହି ପାରିଲା ନାହିଁ । ସେ ଅଳ୍ପ ଉଚ୍ଚ ରେ ଥିବା ଗଛ ଡାଳକୁ ଉଡି ଆସିଲା। ଗଛ ମୂଳରେ ଏକ ସପ ଉପରେ ବସି ଚିତ୍ର ଆଙ୍କିବାରେ ବ୍ଯସ୍ତ ଥିଲା ଚୌଧୁରୀ ବାବୁଙ୍କ ନାତି ରମେଶ।କୋକିଳ ଏଥର ଧିରେ ଧିରେ ଉଡି ପିଲାଟି ପାଖରେ ବସିଲା ଓ ଚିତ୍ରଟିକୁ ଦେଖି ଖୁସି ହୋଇଗଲା। ଚିତ୍ର ଟିରେ ସେ ହିଁ ଥିଲା ମାତ୍ର ଚିତ୍ରରେ ଅବିକଳ ତାକୁ ଧବଳ ବର୍ଣ୍ଣ ରେ ଚିତ୍ରିତ କରାଯାଇଥିଲା।ଚିତ୍ରଟି ବହୁତ ସୁନ୍ଦର ଦିଶୁଥିଲା। ଏଥର ରମେଶ କୋକିଳକୁ ପଚାରିଲା 'ଚିତ୍ରଟି ଭଲ ହୋଇଛି କି? କୋକିଳ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଇଲା। ଚିତ୍ରପଟଟିକୁ ଚଞ୍ଚୁରେ ନେଇ ତାକୁ ଭୂପତିତ କରି ତା ଉପରେ ଗଡିବାକୁ ଲାଗିଲା। ରମେଶ ଏଥର ବୁଝିଲା କୋଇଲି ଟି ଧଳା ରଙ୍ଗ ରେ ରଙ୍ଗାୟିତ ହେବାକୁ ଚାହେଁ ।ଠିକ୍ ଅଛି ପକ୍ଷୀଟି ତା ପାଖକୁ ଆସିଲେ ସିନା ସେ ଯାହା କରିବ।

ଏଥର ସେ ଶ୍ରଦ୍ଧା ରେ କୋକିଳକୁ ରଙ୍ଗ କରିବାକୁ ତୁଳୀ ନିର୍ଦ୍ଦେଶ କରି ଡାକିଲା। କୋକିଳ ତା ହାତରେ ଧରାଦେଲା। କିଛିକ୍ଷଣ ପାଇଁ ରମେଶ ସ୍ତବ୍ଧ ହୋଇଗଲା ହାତରେ ପକ୍ଷୀଟିକୁ ପାଇ।ଏଥର ତୂଳୀରେ କୋକିଳକୁ ଧବଳ ରେ ପରିଣତ କଲା ସେ । ଖୁସିରେ ଆମ୍ର ବୃକ୍ଷ ଉପରକୁ ଉଡିଗଲା ସେ। କୋକିଳାକ୍ଷ ତା ପ୍ରାଣ ପ୍ରିୟାକୁ ଏମିତି ରୂପରେ ଦେଖି ଆଶ୍ଚର୍ଯ୍ୟ ହେଲା । କୋକିଳାକ୍ଷ କୁ ସବୁ କଥା କୋକିଳ ବୁଝାଇ ଦେଲା। ଦୁହେଁ ଅନତି ଦୂରରେ ଥିବା ଜଳାଶୟକୁ ଜଳକ୍ରୀଡା କରିବାକୁ ଗଲେ। ଫେରିଲା ବେଳକୁ କୋକିଳ ର ଧବଳ ରଙ୍ଗ ଧୋଇ ହୋଇ କଳା ରଙ୍ଗ ହୋଇଗଲା। ପୁନଶ୍ଚ କୋକିଳ ମନ ଦୁଃଖରେ ଆମ୍ବ ଗଛ ଉପରେ ବସି ଅନୁସନ୍ଧିତ୍ସୁ ନୟନରେ ରମେଶ କୁ ଖୋଜିବାକୁ ଲାଗିଲା ମାତ୍ର ତାକୁ ନ ପାଇ ଅହର୍ନିଶ ଅନିଦ୍ରା ରହିଲା। ତାହା ପରଦିନ ସେ ଦେଖିଲା ରମେଶ ଆଉ ଏକ ଚିତ୍ରପଟ ଆଙ୍କିଛି ଠିକ ତାରି ଭଳି। ସେ ସେହି ଚିତ୍ରପଟର ରଙ୍ଗରେ ମୁଗ୍ଧ ହୋଇ ରମେଶ କୁ କିଛି ଇଶାରା ଦେଲା। ରମେଶ ଏଥର ବୁଝି ଗଲା ଯେ ପକ୍ଷୀଟିକୁ ଏହି ରଙ୍ଗ ରେ ରଙ୍ଗାଇବାକୁ ପଡିବ।

ରମେଶ ଏଥର ରଙ୍ଗତୂଳୀ ଧରି କୋକିଳର ସର୍ବାଙ୍ଗରେ ରଙ୍ଗାଇଦେଲା।କୋକିଳ ଆଖିରେ ଅସୁମାରୀ ଖୁସି ଝଲସି ଉଠିଲା। ସେ ଚାହୁଁଥିଲା ପ୍ରଥମେ ତା ପତି ପାଖକୁ ଉଡିଯାଇ କୁହୁ ତାନରେ ମୁଗ୍ଧ କରିଦେବ ଓ ତାପରେ ସବୁ ପକ୍ଷୀଙ୍କ ଗହଣରେ ଯାଇ ନିଜ ରୂପ ର ପ୍ରଶଂସା ଶୁଣିବ। ସମସ୍ତ ପକ୍ଷୀ ସମାଜକୁ ସେ ଚକିତ କରିଦେବ।

ବହୁତ ଉତ୍ସାହର ସହ ଡେଣାଝାଡି ଉଡିବାକୁ ଚେଷ୍ଟା କରି ଭୂପତିତ ହେଲା କୋକିଳ। ପୁନର୍ବାର ଉଡିବାକୁ ଚେଷ୍ଟା କରି ବିଫଳ ହେଲା ସେ।।ଆଖିରୁ ତାର ଝରି ପଡୁଥିଲା ଅଶ୍ରୁଧାରା।ମନର ସବୁ ଦମ୍ଭ ଅଭିମାନ ତାର ଭାଙ୍ଗି ଯାଇଥିଲା।କୋକିଳର ଦୁଃଖ ଦେଖି ରମେଶ କିଛି ଉପାୟ ସ୍ଥିର କରିବାକୁ ଲାଗିଲା।

ତାରପିନ୍ ତେଲ ପ୍ରୟୋଗ କରି ସେ କୋକିଳ ଦେହରୁ ସ୍ଥାୟୀ ରଙ୍ଗ ଛଡାଇବାକୁ ଚେଷ୍ଟା କଲା। ଅପଲକ ନୟନ ରେ ରମେଶ କୁ ଚାହିଁ ଲୁହ ଗଡାଇ ଚାଲିଥିଲା ସେ। ଶେଷରେ ରମେଶ ତା ଦେହରୁ ସ୍ଥାୟୀ ରଙ୍ଗ ଛଡାଇ ଦେଲା ଓ କୋକିଳ ଏଥର ଉଡିଯାଇ ନିଜ ପତିଙ୍କ ପାଖରେ ବସିଲା।

ସମଗ୍ର ଦେହ ତାର ଜଳିଗଲା ଭଳି ଲାଗୁଥିଲା।ନିଜ ଦୁଃଖକୁ ପତିଙ୍କ ସମ୍ମୁଖରେ ପ୍ରକାଶ କଲା ଓ ତାର ଏପରି ଅବସ୍ଥା କିପରି ହେଲା ବର୍ଣ୍ଣନା କଲା। ସବୁ ଶୁଣିସାରି କୋକିଳାକ୍ଷ ବିଳାପ କରିବାକୁ ଲାଗିଲା । ପ୍ରିୟାକୁ ସାନ୍ତ୍ବନା ଦେବାକୁ ଯାଇ କହିଲା ଆମକୁ ଭଗବାନ ଯେଉଁ ରଙ୍ଗ ଦେଇଛନ୍ତି ସେହି ରଙ୍ଗ ଅନ୍ଯକୁ ଅସୁନ୍ଦର ଲାଗିଲେ ମଧ୍ୟ ଭଗବାନଙ୍କ ଆଖିରେ ସୁନ୍ଦର ।

      ଆମେ ସଂଗୀତ ଗାଇଲେ ସମଗ୍ର ସମାଜ ଚଳଚଞ୍ଚଳ ହୁଏ। ଆମର ବଂଶ ସୃଷ୍ଟିର ଦାୟିତ୍ବ କେଉଁ ଆବାହମାନ କାଳରୁ ଏକାକ୍ଷ କୁ ଦିଆଯାଇଛି ସେଥିରେ ଆମର ମନ ଦୁଃଖ କରିବାର କିଛିନାହିଁ । ଆମର ବସା ନଥିଲେ ମଧ୍ୟ ସେହି ଆମ୍ବ ଗଛ ଆମ ପାଇଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯାହା ଉପରେ ବସିଲେ ଆମ କଣ୍ଠରୁ ସୁମଧୁର ସ୍ବର ର ସର୍ଜନ ହୁଏ। ଏଇତ ମଧୁର ବନ୍ଧନ । ସେଥିରୁ ମୁକ୍ତ ହେବାକୁ ଚେଷ୍ଟା କରି ଅସହ୍ୟ ଯନ୍ତ୍ରଣା ଭୋଗିବା ଅପେକ୍ଷା ସେହି ବନ୍ଧନରେ ବାନ୍ଧି ହୋଇ ରହିବା ହିଁ ଶ୍ରେୟସ୍କର ।

      


Rate this content
Log in

Similar oriya story from Inspirational