Pratap Swain

Horror

4.5  

Pratap Swain

Horror

ଚିରୁଗୁଣୀର ବିଳାପ

ଚିରୁଗୁଣୀର ବିଳାପ

3 mins
311



ମହେଶପୁର ଗାଁ ର ଧରଣୀ ଓଝା କହିଲେ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଛୋଟ ବଡ ଯେତେ ଗାଁ ଅଛି ପ୍ରାୟ ସେ ସମସ୍ତ ଗାଁ ର ଆବାଳ ବୃଦ୍ଧ ବନୀତା ଙ୍କୁ ଜଣା। ଏତଦବ୍ୟତୀତ ତାଙ୍କ ଛାଇ ପଡିଲେ ଅଶରୀରୀ ମାନେ ଦୂରରୁ ଥାଇ ବିଭିନ୍ନ ଭଙ୍ଗୀ କରିବାର ଜନଶ୍ରୁତି ପରିବ୍ୟାପ୍ତ ଥିଲେ ବି ଏହି ଦୃଶ୍ୟ କେହି ଦେଖିଥିବାର ଚର୍ଚ୍ଚା ହୋଇନାହିଁ । ଆଜି ପର୍ଯ୍ୟନ୍ତ ଯେତେ ପ୍ରକାରର ଭୂତ ଅଛନ୍ତି ତାଙ୍କ ର ଅତୀତ ବର୍ତ୍ତମାନ ଓ ଭବିଷ୍ୟତକୁ ନିର୍ଭୁଲ୍ ଭାବରେ କହିପକାନ୍ତି ଓଝା ମହାଶୟ ଯାହାକି ସେ ଗାଁ ର ସବୁଠୁ ଜ୍ଞାନୀ ବୋଲି ଗଣା ଯାଉଥିବା ପ୍ରଧାନ ଶିକ୍ଷକ ଙ୍କ ମୁଣ୍ଡ ରେ ମଧ୍ୟ ଉଙ୍କିମାରିପାରେ ନାହିଁ।


 ଓଝା ମହାଶୟ ଗ୍ରାମ ସଭାରେ ବହୁବାର ଉଦ୍ଘୋଷଣା କରିଥିଲେ ଗାଁ ମଶାଣି ର ଅନତି ଦୂରରେ ଚିରୁଗୁଣୀଟିଏ ନିଶାର୍ଦ୍ଧ ରେ ନିଆଁ ଜାଳୁଛି ମାତ୍ର ଆଜି କାଲିକା ଯୁବକ ମାନେ ସେ କଥାକୁ ଏମିତି ହସରେ ଉଡାଇ ଦେଇଥିଲେ ଯେ ସେମାନଙ୍କ ର ହସ ପାଖରେ ଥିବା ଏକମାତ୍ର ପକ୍କାଘରେ ବାଜି ତାଛଲ୍ଯ କଲାଭଳି ପ୍ରତିଧ୍ବନିତ ହେଲା।

ଲଜ୍ଜା ପାଇଲେ ଗୁଣିଆ ମହାଶୟ ଓ ସେମାନଙ୍କୁ ଚିରୁଗୁଣୀ କୁ ଦେଖାଇବାର ଦୃଢ ସ୍ବୀକାରୋକ୍ତି ଦେଲେ ।


   ଶ୍ରାବଣ ର ବର୍ଷା ମୁଖରିତ ଅମାବାସ୍ଯା ତିଥି। ପାଖ ଇଲାକାରେ ଅବିରତ ଚାଲୁଥିବା କଂସାବାସନ କାରଖାନା ପରି ଶଦ୍ଦ କରି ଆକାଶ ବକ୍ଷରୁ ଅନାଥ ହୋଇ ଖସିପଡୁଥାଏ ମେଘ ଖଣ୍ତ ବର୍ଷା ରୂପରେ। ସବୁଆଡୁ ଶ୍ବାନଶ୍ବାପଦ ମାନଙ୍କ କଳରବ ସହ ଝିଙ୍କାରି ର

ବେସୁରା ସଙ୍ଗୀତ କୁ ଉପଭୋଗ କରିବାରେ ଉତ୍ସାହ ନଥାଏ ଗୁଣିଆ ମହାଶୟ ଙ୍କ ଠାରେ । ମଧ୍ୟରାତ୍ରି ସୁଦ୍ଧା ନିଶ୍ଚୟ ଚିରୁଗୁଣୀ ମଶାଣୀ ପାଖ ଦଣ୍ଡାରେ ନିଆଁ ଜାଳିବ ଓ ସେ ସମସ୍ତ ଗ୍ରାମବାସୀ ଙ୍କ ସହ ଉଦ୍ଧତ ଯୁବକ ମାନଙ୍କୁ ନିଶ୍ଚୟ ଦେଖାଇ ତାଙ୍କ ତନ୍ତ୍ର ସାଧନାର ସଫଳ ପ୍ରତିପାଦନ କରିବେ।


   ମଧ୍ୟରାତ୍ରି ବେଳକୁ ବର୍ଷା ଛାଡିଗଲା ଠିକ୍ ଅଝଟ ପିଲାଟି ଜିଦ୍ କରି ନିଘୋଡ ନିଦରେ ଶୋଇଲାପରି । ଗୁଣିଆ ଧରଣୀଧରଙ୍କ ମୁହଁ ଦେଦୀପ୍ତମାନ ମଶାଲ ପରି ଜଳି ଉଠିଲା। ଗ୍ରାମବାସୀ ମାନଙ୍କ ମଧ୍ୟରୁ ମୁରବୀ ଶ୍ରେଣୀର କେତେଜଣ ଓ ସେହି ଯୁବକ ମାନଙ୍କୁ ଧରି ମଶାଣି ପାଖ ଦଣ୍ଡା ଅଭିମୁଖେ ଅଗ୍ରସର ହେଲେ ଗୁଣିଆ ମହାଶୟ । ସମସ୍ତଙ୍କୁ ଅନତି ଦୂରରେ ଅପେକ୍ଷାକରିବାକୁ କହି ନିଜେ ବିଭିନ୍ନ ମୁଖଭଙ୍ଗୀରେ ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ। ଆଖି ଖୋଲି ସେ ଦଣ୍ଡା ଆଡକୁ ଦୃଷ୍ଟି ନିକ୍ଷେପ କରନ୍ତେ ଏକ ପ୍ରଜ୍ବଳିତ ଆଲୋକପିଣ୍ଡ ଟିକୁ ଆବିଷ୍କାର କଲେ ଓ ସମସ୍ତ ଙ୍କୁ ଦେଖାଇ ଦେଲେ।


ଉପସ୍ଥିତ ଜନସମାଗମ ଭୟଭୀତ ହେବା ସହ ମନେ ମନେ ଗୁଣିଆ ଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଗୁଣିଆ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ସେମାନଙ୍କୁ ନ ଡରିବାକୁ ପ୍ରବର୍ତ୍ତାଇଲେ। ଆଜି ସେ ଚିରୁଗୁଣୀ ର ଆଲୋକ ବର୍ତିକାକୁ ନିର୍ବାପିତ କରିବା ସହ ଗାଁ କୁ ଆସନ୍ନ ବିପଦରୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇ ଆଲୋକ ବର୍ତିକା ଆଡେ ଅଗ୍ରସର ହେଲେ। କିଛି ଦୂର ଗଲାପରେ ତାଳି ଶଦ୍ଦ ପରି ତାଙ୍କୁ ପ୍ରତୀତ ହେଲା। ସେ କିନ୍ତୁ ଭ୍ରୁକ୍ଷେପ କଲେ ନାହିଁ ସେହି ଶଦ୍ଦ ଆଡେ।ରାଜା ବିକ୍ରମାଦିତ୍ଯ ଙ୍କ ଭଳି ଅବିଚଳିତ ଭାବରେ ଆଲୋକ ବର୍ତିକା ଆଡକୁ ଅଗ୍ରସର ହେଲେ ସେ।


  ଆଲୋକ ବର୍ତିକା ଆଉ ପାଞ୍ଚ ହାତ ଦୂର ଅଛି ।ଏଥର ହାତରେ ଧରିଥିବା ଏକ ବାଡିକୁ ମନ୍ତ୍ରପ୍ଲୁତ କରି ଆଲୋକ ବର୍ତିକା ଉପରେ ଶକ୍ତ ପ୍ରହାର ଦେଲେ। ଝଣ ଝଣ ଶଦ୍ଦ କରି ଲିଭିଗଲା ଆଲୋକ ବର୍ତିକା। ସମବେତ ଜନତା ନୀରବରେ ଗୁଣିଆ ମହାଶୟ ଙ୍କ ସାହସ କୁ ତାରିଫ୍ କରିବାକୁ ଲାଗିଲେ।


  ଏଥର ଅନ୍ଧାରରେ ସମବେତ ଜନତା ଆଡକୁ ଅଗ୍ରସର ହେଉଥିଲେ ଗୁଣିଆ ଧରଣୀ ଓଝା। ପଛରୁ ଗୋଟେ ସ୍ତ୍ରୀ ଲୋକର କ୍ରନ୍ଦନ ଧ୍ବନି ଶୁଣିବାକୁ ପାଇଲେ ସେ। ଏଥର ର ସେ ଚିରୁଗୁଣୀକୁ କାବୁ କରିବାକୁ ଚେଷ୍ଟା କଲେ ଓ ଚିରୁଗୁଣୀଟିଏ ଧରିଛନ୍ତି ବୋଲି ଚିତ୍କାର କଲେ । ସମବେତ ଜନତା ଅଜଣା ଭୟରେ ଆତଙ୍କିତ ହେଲେ। କିଛି ସମୟ ପରେ ଚିରୁଗୁଣୀଟିଏ ତାଙ୍କୁ ଶକ୍ତ ଚାପୁଡା ମାରିବାର ଉଦ୍ଘୋଷଣା କରି ସମବେତ ଜନତାଙ୍କୁ ତାଙ୍କ ପାଖକୁ ଆସିବାକୁ ଅନୁରୋଧ କଲେ ।


ସମବେତ ଜନତା ଘଟଣାସ୍ଥଳକୁ ଟର୍ଚଲାଇଟ୍ ରେ ନିରୀକ୍ଷଣ କରି ଦେଖିଲେ ଯେ କାନ୍ଦୁଥିବା ସ୍ତ୍ରୀ ଲୋକଟି ଚେମା ପ୍ରଧାନ ସ୍ତ୍ରୀ । କାନ୍ଦିବାର କାରଣ ଜିଜ୍ଞାସା କରନ୍ତେ ସମବେତ ଜନତା ସ୍ତମ୍ଭୀଭୂତ ହୋଇଗଲେ।


ବର୍ଷା ଛାଡିବା ପରେ ଚେମା ସ୍ତ୍ରୀ ପାଖ ପଡିଆକୁ ଶୌଚ ପାଇଁ ଲୁଣ୍ଠନ ଟି ଧରି ଆସିଥିଲା ଓ ଲୁଣ୍ଠନଟିକୁ ଖୋଜିଲାବେଳେ ତା ଗୋଡରେ କାଚଫୁଟି ରକ୍ତାକ୍ତ ହୋଇଗଲା। ସେ ଯନ୍ତ୍ରଣା ରେ ଛଟପଟ ହେଉଥିଲା ବେଳେ କେହି ଜଣେ ତାଙ୍କୁ ଟଣାଓଟରା କରିବାରୁ ଆତ୍ମରକ୍ଷା କରିବାକୁ ଏକମାତ୍ର ଚାପୁଡା ର ସହାୟତା ନେଇଥିଲେ ସେ।


ସମବେତ ଜନତା ଲଣ୍ଠନ ର ଭଗ୍ନାବଶେଷ କୁ ଆବିଷ୍କାର କରି ସ୍ତ୍ରୀ ଲୋକଟି କୁ ଦେବାରୁ ପୁଣି କାନ୍ଦିଉଠିଲେ ସେ। ତାଙ୍କ ସ୍ବାମୀଙ୍କ ର ଦଶଦିନର ମଜୁରୀ ପଇସାରେ କିଣାଯାଇଥିବା ଲଣ୍ଠନ ଏମିତି ଅପ୍ରତ୍ୟାଶିତ ଭାବେ ହରାଇବେ ବୋଲି ସେ କଳ୍ପନା ବି କରି ନ ଥିଲେ। ସମବେତ ଜନତା ତାଙ୍କୁ ନୂଆ ଲଣ୍ଠନ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କ ର କ୍ଷତସ୍ଥାନର ଉପଚାର କରିବାର ବ୍ଯବସ୍ଥାକଲେ। ଗୁଣିଆ ଙ୍କୁ ସମବେତ ଜନତା ଘରକୁ ପ୍ରସ୍ଥାନର ନିର୍ଦେଶ ଦେବାରୁ ସେ ସମବେତ ଜନତାଙ୍କୁ ତାଙ୍କ ଭୁଲ୍ ପାଇଁ କ୍ଷମା ମାଗିବା ସହିତ ତାଙ୍କ ତନ୍ତ୍ର ବିଦ୍ୟା ପ୍ରତି କ୍ରମଶଃ ଆସ୍ଥା ହରାଉଥିଲେ। ତାଙ୍କ ଗୁଣିଆ ଜୀବନରେ କେତେ ଅଶରୀରୀ ମାନଙ୍କ ଆଣ୍ଟ ଭାଙ୍ଗିଛନ୍ତି ସେ ମାତ୍ର ଆଜି ଯେମିତି ସେହି ଅଶରୀରୀ ମାନଙ୍କ ଅବର୍ତ୍ତମାନରେ ତାଙ୍କ ର ଅଣ୍ଟା ଭାଙ୍ଗି ଯିବାର ସେ ଆକଳନ କରୁଛନ୍ତି ।



Rate this content
Log in

Similar oriya story from Horror