Dr. Pratap Kumar Swain

Comedy Fantasy

4  

Dr. Pratap Kumar Swain

Comedy Fantasy

ଉଡନ୍ତା ଗ୍ରହର ଇତିବୃତି

ଉଡନ୍ତା ଗ୍ରହର ଇତିବୃତି

6 mins
428



ବରୁଣ ପୁର, ଅରୁଣ ପୁର, କରୁଣ ପୁର ଓ ଦାରୁଣ ପୁର ଚାରିଟି ସମୁଦ୍ର କୂଳିଆ ଗାଁ ।ଶୁକୁଟା ବରୁଣ ପୁର ଗାଁ ରେ ବାସ କରୁଥିଲେ ମଧ୍ୟ ଚାରିଖଣ୍ଡ ଗାଁ ରେ ତାକୁ ସମସ୍ତେ ଜାଣନ୍ତି ।ପିଲାବେଳୁ ଟିକେ କମ୍ ଶୁଭେ ତାକୁ।ପ୍ରାୟତଃ ଏଗାର ବର୍ଷ ବୟସରୁ ବାପାଙ୍କୁ ହରାଇଲା ପରେ ଗାଇପାଳି ନେଇ ଯାହାକିଛି ରୋଜଗାର କରେ ସେଥିରେ ମା ପୁଅ ଦୁଇ ଜଣ ଚଳି ଯାଆନ୍ତି ।

ସବୁଦିନ ପରି ଶୁକୁଟା ଭୋର ସକାଳୁ ଉଠି ପାଣି ଜୋର ଆଡେ ବୁଲି ଆସିଲା। କଲିକତି ଦଳ ଆଠ ଦଶଟାକୁ ଟେକି ଆଣି ବିଲ ହୁଡାରେ ପକେଇ ପାଞ୍ଚଟି ବଡ କଉ ମାଛ ଧରିଲା।ମନ ଟା ବହୁତ ଖୁସି ଲାଗିଲା।ସିଧା ଚାଲିଲା ଘରକୁ।ଘରକୁ ଗଲେ ଆଜି ଗାଈ ମାନଙ୍କୁ ପାଳିକୁ ନେବ।ମାଛ ଗୋଟାଏ ପୋଡି ପଖାଳ କଂସାଏ ଖାଇ ଦେଇ ଗାଈ ମାନଙ୍କୁ ଛାଡି ଦେଇ ଟିକେ ଝାଉଁ ଗଛ ଛାଇରେ ଶୋଇ ପଡିବ। ସୂର୍ଯ୍ୟ ମଥା ଉପରୁ ଟିକେ ତଳକୁ ଖସିଲେ ଘରକୁ ଆସି ବୋଉ ସାଥିରେ ମାଛ ଝୋଳ ଭାତ ଖାଇ ଚାରିଟା ବେଳକୁ ଜଙ୍ଗଲ କୁ ଯାଇ ଗାଇ ମାନଙ୍କୁ ଗାଁ କୁ ନେଇ ଆସିବ।

ଠିକ ଦିନ ନଅଟା ସମୟରେ ଖାଇ ଦେଇ ଗାଈ ମାନଙ୍କୁ ନେଇ ଜଙ୍ଗଲ ଅଭିମୁଖେ ବାହାରିଲା ସେ। ଗାଈ ମାନଙ୍କୁ ଛାଡି ଦେଇ ଗଛମୂଳେ ଗାମୁଛା ପକାଇ ଟିକିଏ ଶୋଇ ପଡିଲା।ଆଖିକୁ ତାର ଛାଇ ନିଦ ଆସିଛି କି ନାହିଁ ଖୁବ୍ ଜୋରରେ ଏକ ଶଦ୍ଦ ଆକାଶ ମାର୍ଗରୁ ଶୁଭିଲା ।ଶୁକୁଟା ଦେଖିଲା ଆକାଶ ବକ୍ଷରେ ଏକ ଧାବମାନ ଯନ୍ତ୍ର ଟିଏ।ଏ ତ ଉଡାଜାହାଜ ନୁହେଁ ତାହେଲେ ଏ କ'ଣ ସେହି ଉଡନ୍ତା ଗ୍ରହ ଯାହା ବିଷୟରେ ବାପା ତାକୁ ପିଲାବେଳେ କହିଥିଲେ।କିନ୍ତୁ ସେହି ଗ୍ରହ ତ ପାଞ୍ଚ ବର୍ଷ ତଳେ ଦେଖାଦେଇ ଥିଲା।ପୁଣି ଆଜି କାହିଁକି ?? ଏମିତି ଭାବୁ ଭାବୁ ସୂର୍ଯ୍ୟ ମଥା ଉପରକୁ ଉଠି ଆସିଥିଲେ।ଚିନ୍ତା ଗ୍ରସ୍ତ ହୋଇ ଘରକୁ ଫେରିଲା ସେ।

ଘରକୁ ଫେରି ଶୁକୁଟା ଗାଁ ମୁଖିଆ ରାଧୁ ଯେନା ଙ୍କୁ ଉଡନ୍ତା ଗ୍ରହ ବିଷୟରେ କହିଲା।  ଏହି ଗ୍ରହ ଗ୍ରାମ ନିକଟରେ ଉଡିବା ଗାଁ ପାଇଁ ଶୁଭଙ୍କର ନୁହେଁ ବୋଲି ଯେନା ମହାଶୟ ଦୃଢୋକ୍ତି କଲେ। ଶୁକୁଟା ତା ବାପାଙ୍କ ମୃତ୍ୟୁ କଥା ଭାବିଲା।ଆଜକୁ ଠିକ୍ ପାଞ୍ଚ ବର୍ଷ ତଳେ ଉଡନ୍ତା ଗ୍ରହକୁ ଦେଖିଥିଲେ।ତାର ଠିକ୍ ଦୁଇମାସ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା।ମଲାବେଳେ ଉଡନ୍ତା ଗ୍ରହ ବିଷୟରେ କିଛି କହିବାକୁ ଯାଉ ଯାଉ ଚିରଦିନ ପାଇଁ ଆଖି ବୁଜି ଦେଇଥିଲେ।

ବାପା ଙ୍କ ମୃତ୍ୟୁରେ ଭାଙ୍ଗି ପଡି ମା ତାଙ୍କର ସବୁଦିନ ସେ ଉଡନ୍ତା ଗ୍ରହ ର ଚଉଦ ପୁରୁଷ ଉଦ୍ଧାର କରନ୍ତି ।ସେହି ଗ୍ରହକୁ ଶାସ୍ତି ଦେବାପାଇଁ ସ୍ନାନ ସମୟରେ ସୂର୍ଯ୍ୟଙ୍କୁ ପାଣି ଟେକନ୍ତି। ବିଚରା ଶୁକୁଟା ତା ମା ଙ୍କ କଥା ମାନିବାକୁ ଲାଗିଲା ।ଏଥର ଗ୍ରହ ଟି ଯେପରି ତା ମାଆଙ୍କର କିଛି କ୍ଷତି ନକରୁ। କାହିଁକି ନା ଏଯାଏ ସେ ହାତକୁ ଦି ହାତ ହୋଇନି ଏବଂ ମା ବି ଭାରି ଇଛା କରିଛି ତା ବାହାଘର ଦେଖିବାକୁ।କେତେ ମଧ୍ଯସ୍ତି ଙ୍କୁ ତାପାଇଁ ବିବାହ ପ୍ରସ୍ତାବ ନେଇଆସିବାକୁ ବହୁତ ଥର କହିଛି ମା। କାନକୁ ଟିକେ କମ୍ ଶୁଭୁଥିବାରୁ କନ୍ୟା ପାତ୍ର ଟିଏ ମିଳିବା କଷ୍ଟ ହେଉଛି।

ତା ପର ଦିନ ପ୍ରଧାନବୁଢାର ଗାଇପାଳି ନେଇ ଶୁକୁଟା ଜଙ୍ଗଲ ଅଭିମୁଖେ ବାହାରିଲା । ଏଥର ଠିକ୍ ଗାଈ ମାନଙ୍କୁ ଛାଡି ଦେଇ ଟିକେ ଗଛ ମୂଳେ ବସିଛି କି ନାହିଁ ଗ୍ରହ ଟି ପୁନର୍ବାର ଆକାଶ ବକ୍ଷରେ ଦେଖାଦେଲା।

ଅଜାଣତରେ ଶୁକୁଟା ପଚାରି ଚାଲିଲା। ତୁ କ'ଣ ପାଇଁ ଆମ ପରିବାର ପଛରେ ପଡିଛୁ।ମୋ ବାପାଙ୍କୁ ମୋଠୁ ଛଡାଇ ନେଲୁ।ମନ ଶାନ୍ତି ହେଲାନି ଯେ ମୋର କ୍ଷତି କରିବାକୁ ମୋ ପିଛା କରୁଛୁ। ତାପରେ ନିଜକୁ ଧିକ୍କାର କଲା ସେ ।ଏମିତି ବି ହୋଇପାରେ ମୋ ମାଆର ଗୁହାରି ସୂର୍ଯ୍ୟ ଦେବ ଶୁଣି ତାକୁ ସୌର ମଣ୍ଡଳରୁ ବାହାର କରିଦେଇଥାଇ ପାରନ୍ତି ।ମାଆଙ୍କୁ ମୁହଁ ଦେଖାଇବାକୁ ତାର ସାହସ ନାହିଁ ତେଣୁ ସେ ମୋ ପାଖକୁ ଆସି ହୁଏତ ତା ଭୁଲ୍ ସ୍ବୀକାର କରିବ। ଆସୁ ସେହି ଗ୍ରହ।ପ୍ରଥମେ କେତୋଟି ସର୍ତ୍ତ ରଖି ତା ଭୁଲ୍ ସୁଧାରିବାକୁ କହିବି ତାକୁ। ଏମିତି ସାହସ ବାନ୍ଧି ଠେଙ୍ଗାଟିକୁ ହାତରେ ଧରି ଗ୍ରହ ର ବାଟକୁ ଚାହିଁ ବସିଲା ସେ।

 ଶୁକୁଟା ଏମିତି ଗ୍ରହ କୁ ଅପେକ୍ଷା କରିଥାଏ କାଳେ ସେ ପୁଣି ତା ମାଆ ଙ୍କ ଉପରେ ତା କୁଦୃଷ୍ଟି ପକାଇବ । ହଠାତ ଅଦୂରରୁ ଶୁଭିଲା ଉଡନ୍ତା ଗ୍ରହ ର ଶଦ୍ଦ। ଶଦ୍ଦ ର ତୀବ୍ରତା ବଢି ଚାଲିଲା ଓ ଗ୍ରହ ଟି ତା ଜାଣତରେ ପୂର୍ବ ଦିନ ଅପେକ୍ଷା ଅଧିକ ଉଚ୍ଚରେ ଉଡି ଚାଲିଗଲା।ସତ ରେ କେଡେ ବୁଦ୍ଧିମାନ ଏହି ଗ୍ରହଟି।ଆଜି ଅଧିକ ଉଚ୍ଚ ରେ ପ୍ରଚଣ୍ଡ ଶଦ୍ଦ କରି ଉଡିଯିବାର ମାନେ କ'ଣ ତାକୁ ସୌର ମଣ୍ଡଳରୁ ବାହାର କରାଯାଇଥିବାରୁ ସେ ସୂର୍ଯ୍ୟ ଙ୍କୁ ତାର ପ୍ରତିବାଦ ଜଣାଉଥିଲା।

ଶୁକୁଟା ବା କ'ଣ କରିବ।ତା ମାଆଙ୍କର ଡାକ ଯେ ସୂର୍ଯ୍ୟ ଦେବତା ଶୁଣି ଗ୍ରହଟିକୁ ଉପଯୁକ୍ତ ଶାସ୍ତି ଦେଇଛନ୍ତି ସେଥିରେ ସେ ବହୁତ ଖୁସି।କ୍ରୋଧିତ ହୋଇ କାଳେ ଗ୍ରହଟି ତା ମାଆଙ୍କର କିଛି ଅନିଷ୍ଟ କରିବ ସେଥିପ୍ରତି ଆଜିଠୁ ତାକୁ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ହେବ।ଗ୍ରହ ବିଷୟରେ ଚିନ୍ତା ଛାଡି ଘରକୁ ବାହାରିଲା।

କିଛି ବାଟ ଚାଲି ଆସିଛି ପଛରୁ କାହାର ଡାକ ତାକୁ ଶୁଭିଲା।ପଛକୁ ଅନାଇ ଦେଖିଲା ଚାରି ପାଞ୍ଚ ଜଣ ଲୋକ ତା ଆଡକୁ ଆସୁଛନ୍ତି ।ଶୁକୁଟା ଭାବିଲା କଣ ଏମାନଙ୍କୁ ଗ୍ରହ ଟି ପଠାଇଛି ତା ମାଆଙ୍କର କିଛି ଅନିଷ୍ଟ କରିବାକୁ।ଅଣ୍ଟାରେ ଗାମୁଛା ଟିକୁ ଜୋରରେ ଭିଡି ଦେଇ ଠେଙ୍ଗାଟିକୁ ମଜବୁତ କରି ଧରିଲା। ଆଗନ୍ତୁକମାନେ ତା ପାଖକୁ ଆସି ବରୁଣ ପୁର କୁ ରାସ୍ତା ପଚାରିଲେ। ଏଥର ତାଙ୍କର ବରୁଣ ପୁର ଯିବାର ଉଦ୍ଦେଶ୍ୟ ପଚାରିଲା ଶୁକୁଟା ।ସେମାନେ ବରୁଣ ପୁର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା କହିଲେ।କଥୋପକଥନରୁ ସେମାନେ ଠଉରେଇ ନେଇଥିଲେ ଯେ ଶୁକୁଟା କାନକୁ ଟିକେ କମ୍ ଶୁଭେ ବୋଲି। ଶୁକୁଟା ଯେହେତୁ ବରୁଣ ପୁର ବାସିନ୍ଦା ତା ସହିତ ଡାକ୍ତରୀ ଦଳ ପାଦ ମିଶାଇ ଚାଲିଲେ ଓ ତାହାର ସହଯୋଗ କାମନା କଲେ। ଶୁକୁଟା ମଧ୍ୟ ତାଙ୍କ ବ୍ଯାଗ ଓ ଔଷଧ ପେଟି ଧରି ଆଗେ ଆଗେ ଚାଲିଲା।

ଗାଁ ରେ ପହଞ୍ଚି ଡାକ୍ତରୀ ଦଳ ପ୍ରଥମେ ଶୁକୁଟା ର ସ୍ବାସ୍ଥ୍ୟ ପରୀକ୍ଷା କଲେ।ବହୁ ପରିଶ୍ରମ କରି ଶୁକୁଟା କାନରେ ଶକ୍ତ ଜମାଟ ବାନ୍ଧିଥିବା ମଇଳା ବାହାର କରାଗଲା। କିଛିକ୍ଷଣ ପରେ ଶୁକୁଟା ସବୁ ପ୍ରାଞ୍ଜଳ ଭାବେ ଶୁଣି ପାରିଲା।ହାତ ଯୋଡିଲା ଡାକ୍ତର ମାନଙ୍କୁ।ତାପରେ ସବୁ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରି ଚାଲିଗଲେ ଡାକ୍ତରୀ ଦଳ।ଗଲାବେଳେ ଶୁକୁଟାକୁ ଦୁଇଶହ ଟଙ୍କା ଦେଇଗଲେ ତାର ସହଯୋଗ ପାଇଁ ।

ଶୁକୁଟା ମାଆ ଆଜି ବହୁତ ଖୁସି। ଏଥର ଶୁକୁଟା କୁ ସେ ହାତକୁ ଦି ହାତ କରିବ। ମାଆର ଖୁସିରେ ଶୁକୁଟା ବହୁତ ଖୁସିହେଲା। ଜଙ୍ଗଲ ରେ ନିତି ଦେଖୁଥିବା ଗ୍ରହ ଓ ଆଜିର ଡାକ୍ତରୀ ଦଳଙ୍କ ଆଗମନ ବିଷୟରେ ଶୁକୁଟା ସବୁ କହିଲା। ଶୁକୁଟା ମାଆ ସବୁ ଶୁଣି ଚୁପ୍ ରହିଲା।ଛାଇ ଲେଉଟି ଆସିଥାଏ। ଶୁକୁଟା ଗାଈଙ୍କୁ ଜଙ୍ଗଲ ରୁ ଆଣିବାକୁ ବାହାରିଲା।ଆସିଲେ ସେ ମା ସହ କଥା ହେବ ବୋଲି କହିଲା।

ଗାଈ ମାନଙ୍କୁ ଜଙ୍ଗଲ ରୁ ଫେରାଇ ଆଣି ଶୁକୁଟା ମୁହଁ ହାତ ଧୋଇ ଚୁଲିପାଖରେ ବସିଲା।ମାଆ ତାର ରୋଷେଇରେ ବ୍ଯସ୍ତ ଥାଆନ୍ତି ।ଶୁକୁଟା କୁ ଚାହିଁ ଏକ ପରିତୃପ୍ତି ର ହସ ହସିଲେ ସେ।ଗାଁ ସାରା ଶୁକୁଟା ର ପ୍ରଶଂସାରେ ଶତମୁଖ।ପାଠ ସାଠ ନପଢିଥିଲେ ବି ଡାକ୍ତର ମାନଙ୍କ ପାଖେ ପାଖେ ରହି ଗାଁ ଲୋକଙ୍କ ସେବା କରିବା ଗୋଟିଏ ଛୋଟ କାମ ନୁହେଁ ।ଶୁକୁଟା ମା କୁ ସେ ଗ୍ରହ ବିଷୟରେ ପୁଣି କହିବାକୁ ଆରମ୍ଭ କଲା।ଗ୍ରହ ଯିବା ପରେ ଡାକ୍ତରୀ ଦଳର ଆଗମନ, ଗାଁ ରେ ଏତେ ପାଠୁଆ ଥାଉ ଶୁକୁଟା କୁ ସ୍ବାସ୍ଥ୍ୟସେବାରେ ନିୟୋଜିତ କରିବା ଓ ତାର ଦୂରାରୋଗ୍ଯ କାନ ରୋଗଟା ଦୂରୀଭୂତ ହେବା ପଛରେ ରହସ୍ୟ କ'ଣ ବୋଲି ମାଆଙ୍କୁ ପଚାରିଲା ଶୁକୁଟା। ଶୁକୁଟା ର ପ୍ରଶ୍ନରେ ଆଖିରେ ତାଙ୍କର ଅଶ୍ରୁ ଆସି ଯାଇଥିଲା । ସେ ନିଜକୁ ଅପରାଧି ବୋଲି ମନେ କରୁଥିଲେ।ସେ ଶୁକୁଟା କୁ ବୁଝାଇ ଦେଲେ ଯେ ଏହି ଗ୍ରହ ଟି ଏକ ଉପକାରୀ ଗ୍ରହ ବୋଲି ଯାହା ପାଇଁ ତୁ ତୋର ଶ୍ରୁତି ଶକ୍ତି ଫେରି ପାଇଛୁ।ତୋ ପାଇଁ ଏବେ ମୋ ପାଖକୁ ଚାରିଖଣ୍ଡ ଗାଁ ରୁ ବିବାହ ପ୍ରସ୍ତାବ ଆସୁଛି।କିନ୍ତୁ ହାୟ ସବୁ ମୋ ଭାଗ୍ୟ । ତୋ ବାପା ଥାଆନ୍ତେ କି କେତେ ଖୁସି ନହୋଇ ଥାନ୍ତେ। ସବୁ ମୋ କପାଳ।ସେ ଗ୍ରହ ର କିଛି ଦୋଷ ନାହିଁ ।କାଲି ମୁଁ ସ୍ନାନ ସାରି ତାକୁ ପୂଜା ଦେବି ଓ ମୋ ଭୁଲ୍ ର ପ୍ରାୟଶ୍ଚିତ କରିବି।ଶୁକୁଟା ବି ମାଆର ସବୁ କଥା ବୁଝି ସାରିଥିଲା।

ପର ଦିନ ସକାଳ ମହାପାତ୍ର ଘର ଗାଈପାଳି ନେଇ ସେ ଜଙ୍ଗଲ କୁ ଗଲା ।ନିତିତିନ ପରି ଆଜି ସେ ଗାଈ ମାନଙ୍କୁ ଜଙ୍ଗଲ ରେ ଛାଡି ଦେଇ ସେହି ଝାଉଁ ଗଛ ମୂଳରେ ବସି ପୂର୍ବ ଦିନ ତା ମା ଓ ତାର କଥୋପକଥନକୁ ବିଶ୍ଲେଷଣ କରିବାକୁ ଲାଗିଲା।ଠିକ୍ କିଛି ସମୟ ପରେ ସେହି ଗ୍ରହ ର ଶଦ୍ଦ ଶୁଭିଲା।ଏଥର କୃତଜ୍ଞତା ଜଣାଇବା ପାଇଁ ଦୁଇ ହାତ ଯୋଡି ନମସ୍କାର କଲା ଶୁକୁଟା। ଏ କ'ଣ ଅନତି ଦୂରରେ ଏକ କଣ୍ଟାବୂଦା ମୂଳରେ ଗ୍ରହ ଟି ପ୍ରଚଣ୍ଡ ଶଦ୍ଦ କରି ଖସି ପଡିଲା।

ଚକିତ ହୋଇଗଲା ଶୁକୁଟା।ମା ଯେ ଗ୍ରହ ଟିକୁ କ୍ଷମା ମାଗି ତାର ପୂଜା ଆଜି କଲା ।ତଥାପି କ'ଣ ସୂର୍ଯ୍ୟ ଦେବଙ୍କ ରାଗ ଶାନ୍ତ ହେଲାନି ଯେ ସେ ଗ୍ରହଟିକୁ ଗ୍ରହଣ ନକଲେ ନାହିଁ ତାକୁ ମାରି ଦେଲେ।ବୁଦା ପାଖକୁ ଧାଇଁ ଗଲା ଶୁକୁଟା କାଳେ ଗ୍ରହଟିକୁ କିଛି ସହାୟତା କରି ପାରିବ। ବୁଦା ମୂଳେ ପହଞ୍ଚି ଗ୍ରହଟିର କ୍ଷତ ବିକ୍ଷତ ଶରୀର କୁ ହାତରେ ଧରି କାନ୍ଦିବାକୁ ଲାଗିଲା ଶୁକୁଟା।

ଦୂରରେ ଯାଉଥିବା ବାଟୋଇମାନେ ଆସି ଶୁକୁଟାକୁ ବୁଝାଇଲେ କିନ୍ତୁ କିଛି ଫଳ ହେଲା ନାହିଁ ।କଥାଟା ଚାରିଖଣ୍ଡ ଗାଁ କୁ ବ୍ଯାପିଗଲା।ସମସ୍ତେ ଆସି ଶୁକୁଟା ଠାରୁ ସବୁ ଶୁଣି ବହୁତ ମନ ଦୁଃଖ କଲେ। ବରୁଣ ପୁରର ସମସ୍ତ ଲୋକ ଗ୍ରହଟିର ଏମିତି ଅବସ୍ଥା ରେ କ୍ଷୋଭ ପ୍ରକାଶ କଲେ।ଶୁକୁଟା ମା ମଧ୍ୟ ଦେଇଥିବା ନିଜର ଅଭିଶାପ କୁ ମନେ ପକାଇ ଗ୍ରହଠାରୁ କ୍ଷମା ମାଗି ନେଲା।କଥାଟା ଥାନାପର୍ଯ୍ଯନ୍ତ ଗଲା।ଥାନାର ସବ୍ଇନସ୍ପେକ୍ଟର ଆସି ଘଟଣା ଯାଞ୍ଚ କରି ଶୁକୁଟା ଠାରୁ ତଥ୍ଯ ସଂଗ୍ରହ କଲେ।ଗ୍ରହଟିର ବିକ୍ଷିପ୍ତ ଅଂଶକୁ ପାଣିପାଗ କାର୍ଯ୍ୟାଳୟ କୁ ପଠାଗଲା।ଗୋଟିଏ ଭଲକାମ କରିଥିବାରୁ ତାଙ୍କର ପଦୋନ୍ନତି ଯେ ନିଶ୍ଚିତ ସବ୍ଇନସ୍ପେକ୍ଟର ତାଙ୍କ ସହଧର୍ମିଣୀ ଙ୍କୁ ଏହି ଖୁସି ଖବର ଟିଏ ଦେଲେ।

ଥାନାବାବୁ ଓ ଗ୍ରାମବାସୀ ଘଟଣାସ୍ଥଳକୁ ତନ୍ନ ତନ୍ନ କରି ଦେଖୁଥାନ୍ତି କାଳେ ଆଉ କିଛି ମୂଲ୍ୟବାନ ପଦାର୍ଥ ମିଳିଯିବ? ଯଦି ମିଳେ ଥାନା ବାବୁ ତାହାକୁ ନିଜ ଅକ୍ତିଆରେ ନେଇ ସ୍ତ୍ରୀ ଙ୍କୁ ଉପହାର ଦେବେ।ଏହି ସମୟରେ ଥାନା ବାବୁଙ୍କ ଫୋନ୍ ବାଜିଉଠିଲା।ଥାନା ବାବୁ ଲୋକମାନଙ୍କୁ ଚୁପ୍ ହେବାକୁ କହିଲେ।ସେପଟେ ପାଣିପାଗ କାର୍ଯ୍ୟାଳୟ ରୁ କେହି ଜଣେ କହୁଥିଲେ ଆପଣ ଆମକୁ ପଠାଇଥିବା ଖଣ୍ତ ବିଖଣ୍ଡିତ ଅଂଶଟି ଏକ ପାଗ ପର୍ଯ୍ଯବେକ୍ଷଣ ବେଲୁନ ବୋଲି।ସେହି ବେଲୁନ୍ ଫାଟିବା ଏକ ନିତି ଦିନିଆ ଘଟଣା।ପଦୋନ୍ନତି ଆଶାୟୀ ପୋଲିସ୍ ବାବୁଙ୍କ ହାତରୁ ଫୋନ୍ ଟି ଖସିପଡିଲା। ସ୍ତ୍ରୀ ଙ୍କୁ ସେ କ'ଣ କହିବେ।ଆଜି ଘରକୁ ଫେରିବେ କି ଥାନାରେ ରହିଯିବେ କିଛି ଭାବି ପାରୁନ ଥାନ୍ତି ।

କିନ୍ତୁ ଶୁକୁଟା ଗ୍ରହଟିକୁ ସାମାନ୍ୟ ବେଲୁନ୍ ବୋଲି ମାନିବାକୁ ନାରାଜ। ଯାହାପାଇଁ ତା ଶ୍ରବଣ ଶକ୍ତି ଫେରିଲା ଓ ଯେଉଁଥି ପାଇଁ ତାର ବାହାଘର ସ୍ଥିର ହେବାକୁ ଯାଉଛି ସେହି ଗ୍ରହ ଉଦ୍ଦେଶ୍ୟ ରେ କୋହଭରା ପ୍ରଣିପାତ କରି ଘରକୁ ଫେରିଲା ମାଆକୁ ସାଥିରେ ଧରି।


       ସମାପ୍ତ ..............  

     


Rate this content
Log in

Similar oriya story from Comedy