Arati Sahoo

Romance Tragedy Inspirational

2.0  

Arati Sahoo

Romance Tragedy Inspirational

ତାଙ୍କରି ପାଇଁ

ତାଙ୍କରି ପାଇଁ

8 mins
478



- ମା ଲୋ , ଶାଢ଼ୀଟେ ପିନ୍ଧି ପକା ତ ମାଆ । ଆଜି ଦିଜଣ ମାଉସୀ ମଉସା ଆସୁଛନ୍ତି । 


କଲେଜରୁ ଆସି ଘରେ ପାଦ ଦେଉ ଦେଉ ବୋଉ ଫରମାନ ଜାରି କଲା ।


- ତ ଶାଢ଼ୀ କାହିଁକି ପିନ୍ଧିବି ଯେ ? ଏତେ ଥକି ଯାଇଛି ଯେ । ସେ ଚୋର ଲ୍ୟାବ ଆସିଷ୍ଟାଣ୍ଟଟା ମୋର ଦିମାଗ୍ ଖାଇ ଦେଲା ଆଜି । ସାଧାରଣ ସୋନୋମିଟରଟାକୁ ନିଜେ ଠିକ୍ କରି ପାରୁନି । ମୁଁ କ୍ଲାସ୍ କରିବି ନା ଲ୍ୟାବ ଦେଖିବି ? ପାଗଳ କୋଉଠିକାର । ମୁଁ ଜାଣିଛି ଯେ , ପାଗଳ ପ୍ରିନ୍ସିପାଲର ପାଗଳ ଶଳା । ଆଣିକି ଦେଇଦେଲା ଚାକିରୀ । ତାକୁ କିଛି ଆସୁ ତ ନଆସୁ ।


- ଦେ ସେତିକି ଭାଷଣ ଦେଇଥା । ସେମାନେ ଆସି ପହଞ୍ଚିବେ । 


- କିଏ ସେମାନେ ? କହ ତ ଟିକେ ।


- ତୋତେ ପାରି ହେବ ନାହିଁ । ଆଲୋ ତୋତେ ଦେଖିବାକୁ ଆସୁଛନ୍ତି ସେମାନେ । ପୁଅ ତାଙ୍କର କେଲିଫୋର୍ଣ୍ଣିଆରେ ଅଛି । ଠାକୁରେ କରନ୍ତୁ ସେମାନେ ତୋତେ ପସନ୍ଦ କରନ୍ତୁ ।


- ହୁଃ , ପସନ୍ଦ ନକଲେ ମୋର ଢୋ ।


କିନ୍ତୁ ସୁନ୍ଦରୀ କଳ୍ପିତା କାହାର ପସନ୍ଦ ନହେବ ଯେ ? ଏକାଥରକେ ମୁଦି ସହ ତିନି ସରିଆ ହାରଟେ ପିନ୍ଧେଇ ଦେଇ ଗଲେ ସେମାନେ । କଳ୍ପିତା ମନେ ମନେ କୁରୁଳି ଉଠୁଥାଏ । ବୋଉ ତାର ହ୍ଵାଟ୍ସଆପରେ ପ୍ରଣବଙ୍କ ଫଟୋଟା ବି ପଠେଇ ଦେଇଛି । ଏକାନ୍ତରେ ଦେଖି ଦେଖି ମୋହଗ୍ରସ୍ତା ହୋଇ ଯାଉଛି ସିଏ । ଗ୍ରିକ୍ ଗଡ ଭଳି ଚେହେରା ତାଙ୍କର । ବହୁତ ଭାଗ୍ୟବତୀ ସିଏ ସତରେ ।


 ଆଜି ଆଉ କଲେଜ ଗଲା ନାହିଁ ସେ । ଆଉ ତାର ଚାକିରୀ କରିବା ଆବଶ୍ୟକ ହିଁ ନାହିଁ । ତା ଛଡ଼ା ଆଉ ଛଅ ମାସ ପରେ ତ ସେ କେଲିଫର୍ଣ୍ଣିଆ ପଳେଇବ । ଆଜି ପ୍ରଣବ ଆସୁଛନ୍ତି । ନିଜର ଶୃଙ୍ଗାର କରୁଛି ସିଏ । ଲାଜ ବି ଲାଗୁଛି । ପ୍ରତିଦିନ ସ୍ଵପ୍ନରେ ହଇରାଣ କରୁଥିବା ମନର ମଣିଷଟାକୁ ଆଜି ଭେଟିବ ସିଏ ।


ମୋବାଇଲରେ ଗୀତଟିଏ ଲଗେଇ ଦେଇଛି ନିଜର ହାର୍ଟବିଟକୁ ମଡରେଟ କରିବା ପାଇଁ ।


""ଧୀରେ ଧୀରେ ମଚଲ , ଐ ଦିଲେ ବେକରାର୍ , କୋଇ ଆତା ହୈ । ""


କଣ ପିନ୍ଧିବ ଯେ ସିଏ , ଜିନ୍ସ୍ ? ନୋ , ଜିନ୍ସ୍ ପିନ୍ଧା ଝିଅମାନଙ୍କୁ ଦେଖି ଦେଖି ବୋର୍ ହୋଇଯାଇ ଥିବେଣି ସିଏ । ସାଲଓ୍ଵାର ସୁଟ ? ଉହୁଁ ,


ବାଛି ବାଛି ଶାଗୁଆ ରଙ୍ଗର ଶାଢ଼ୀଟିଏ ବାହାର କଲା , କଞ୍ଚା କଦଳୀ ପତ୍ର ଭଳି । ଏଇଟା ପିନ୍ଧି କଲେଜ ଫେରଓ୍ଵେଲ ଦିନ ସେ ଯାଇଥିଲା ଓ ମିସ୍ ଓ୍ଵମେନ୍ସ କଲେଜ ପୁରସ୍କାର ପାଇଥିଲା ।


କଲିଂ ବେଲ୍ ସହିତ ତାର ହୃଦୟଟା ମଧ୍ୟ ଝଂକୃତ ହୋଇ ଉଠିଲା ।


ପ୍ରଣବଙ୍କ ଆଖିରେ ସେ ଆଖି ମିଶେଇ ପାରୁ ନଥାଏ ବ୍ରିଡ଼।ଭାରରେ । ସେ କିନ୍ତୁ ଖୁବ୍ ଅମାୟିକ । ବାବା ବୋଉ ସାଥିରେ ଏମିତି ମିଶିଗଲେ ଯେମିତି ତାଙ୍କର ହଜିଲା ପୁଅ । ତା ସହ ମଧ୍ୟ କଥାବାର୍ତ୍ତା ଏମିତି ହେଉଥାଆନ୍ତି ସତେ ଯେମିତି ଯୁଗ ଯୁଗରୁ ତା ସହ ପରିଚିତ ।ଯେତେଦିନ ସେ ଭୁବନେଶ୍ଵରରେ ରହିଲେ ପ୍ରତିଦିନ ତାଙ୍କ ଘରକୁ ଆସିଲେ । ତାର ଅନିଚ୍ଛା ସତ୍ତ୍ବେ ବାବା ବୋଉଙ୍କ ଠାରୁ ଅନୁମତି ନେଇ ତାକୁ ବାହାରକୁ ନେଇ ଗଲେ । ସେ ମଧ୍ୟ ବେଶ୍ ସହଜ ହୋଇ ଉଠିଲା ତାଙ୍କ ସହିତ । ନହେବ ବା କାହିଁକି ଯେ , ଖାଲି ବାହାଘର ଫର୍ମାଲିଟିଟା ଦରକାର ଅଛି ଯାହା । ନହେଲେ ତ ସେମାନେ ଦୁହେଁ ଦୁହିଁଙ୍କର ହୋଇ ସାରିଛନ୍ତି । ଆଉ ଚାରିମାସ ପରେ ବାହାଘର । 


ତାଙ୍କର ଛୁଟି ସରିଗଲା । ଭାରି ମନରେ ବିଦା ନେଲେ ସିଏ । ଚାରି ମାସ ଚାରିଟା ଦିନ ପରି ବାହାରି ଯିବ ।


 ସେଦିନ ସାବିତ୍ରୀ ଅମାବାସ୍ୟା । ବୋଉ ପାଇଁ ଭୋଗ ସଜାଡୁଥାଏ କଳ୍ପିତା । ମନକୁ ମନ ହସୁଥାଏ ସକାଳେ ପ୍ରଣବଙ୍କ ହ୍ଵାଟ୍ସଆପ ମେସେଜ ମନେ ପକାଇ ।


Next year I will be your Satyavan . Happy Savitri brata .


ବୋଉ ପଚାରୁଥାଏ ।


ପାଗିଳି , କଣ ପାଇଁ ହସୁଛୁ କିଲୋ ?


ସେ ମୁହଁ ଲୁଚେଇ ଦଉଡ଼ି ଯାଉ ଯାଉ , ତାର ଫୋନ ରିଂ ହେଲା ।


 ଫୋନ ଧରୁ ଧରୁ ତାର ଚେହେରାର ରଙ୍ଗ ବଦଳିଗଲା । ସେ କଚାଡି଼ ହୋଇ ପଡ଼ିଲା ।


ହୋସ୍ ଆସିଲା ବେଳକୁ ସେ ହୋଇଯାଇଥିଲା ଅବିବାହିତା ବିଧବା । କାର୍ ଦୁର୍ଘଟଣାରେ ପ୍ରଣବଙ୍କ ମୃତ୍ୟୁ ହୋଇଛି । ବଜ୍ର ପଡ଼ିଲା ସତେ କି ତା ମୁଣ୍ଡରେ । ବାବା ବୋଉଙ୍କ ଅବସ୍ଥା ତାଠାରୁ ସାଂଘାତିକ । ଝିଅ ତାଙ୍କର ଅନ୍ତସତ୍ତ୍ଵା । ସଂସାରଟା ଚୁର୍ ମାର୍ ହୋଇଯାଉଥିଲା ତାଙ୍କର । ଦୋଷ କାହାର ? ତାଙ୍କର ନା ଝିଅର ନା ପ୍ରଣବଙ୍କର ?


 ପ୍ରକୃତିସ୍ଥା ହେଲାପରେ , ବୋଉ ଅପରାଧିନୀ ପରି ତା ପାଖରେ ଗୋଡ଼ ଭାଙ୍ଗି ଠିଆ ହେଲା । ତାର ହୃଦୟ ଶତ ବିଦୀର୍ଣ୍ଣ ହୋଇ ଯାଇଥିଲା ।


- ମାଆ ଲୋ , ସବୁ ଆମର ଦୋଷ ଆଉ ତୋ ଭାଗ୍ୟର । ଯାହାହେଲା ,ହେଲା । ବାହାରକୁ ଜଣା ପଡ଼ିବା ପୂର୍ବରୁ ଏଟାକୁ ରଫା ଦଫା କରିଦେବା ମୋ ଧନ । କିନ୍ତୁ ବିବାହ ପୂର୍ବରୁ ଏ କାଣ୍ଡ କରିବା ଆଗରୁ ଟିକେ ଚିନ୍ତା କରିବା ଉଚିତ ଥିଲା ନା ମାଆ ।


 - ବୋଉ ମୁଁ କଣ କରିଥାନ୍ତି ଯେ ? ସେ ମୋର ଭଲ ପାଇବାର ପ୍ରମାଣ ଖୋଜିଲେ , ସେହି ଜରିଆରେ । ବୋଉ ମୁଁ କିନ୍ତୁ ମୋର ପବିତ୍ର ପ୍ରେମର ସନ୍ତକକୁ ନଷ୍ଟ ହେବାକୁ ଦେବି ନାହିଁ । ତାଙ୍କର ସ୍ମୃତି ଚିହ୍ନ ଏହା ବ୍ୟତୀତ ଆଉ କଣ ରହିଲା ? ତୁମେମାନେ ବ୍ୟସ୍ତ ହୁଅ ନାହିଁ । ମୁଁ ତୁମର ଅପମାନ ହେବାକୁ କଦାପି ଦେବି ନାହିଁ । ମୁଁ ଏଠାରୁ ଦୂରକୁ ଚାଲିଯିବି ।


 ସମୟ କାହାପାଇଁ ଅପେକ୍ଷା କରେ ନାହିଁ । ଆଉ ସମୟ ସାଥିରେ ସମସ୍ତେ ଚାଲିବା ବିଧେୟ । ଅଗତ୍ୟା କଳ୍ପିତା କଲେଜରେ କାମ ଅବ୍ୟାହତ ରଖିଲା ।


ଆଜି ତାଙ୍କର ଏକାଦଶାହ । ଏ ପର୍ଯ୍ୟନ୍ତ ବାବା ବୋଉ କି ସେ ପ୍ରଣବଙ୍କ ବାପା ମାଆଙ୍କୁ ସମ୍ପର୍କ କରି ନଥିଲେ । ଦୁଇଟି କାରଣରୁ । ଏକ ତ ଏକମାତ୍ର ପୁଅକୁ ହରେଇ ଥିବା ପିତା ମାତାପିତାଙ୍କୁ ସେମାନେ କଣ କହି ଆଶ୍ଵାସନା ଦେଵେ । ଦ୍ଵିତୀୟତଃ ତାଙ୍କର ନିଜର ଦୁଃଖ ତା ତହୁଁ ବଳେ ।


 କଳ୍ପିତା କଲେଜ ଯିବା ପାଇଁ କବାଟ ଖୋଲି ହତବମ୍ବ ହୋଇ ଠିଆ ହୋଇଗଲା । ପ୍ରଣବଙ୍କ ମାତାପିତାଙ୍କୁ ସମ୍ମୁଖରେ ଦେଖି କଣ କରିବ ଭାବି ପାରିଲା ନାହିଁ ।


 ତା ବାବା ମାଆ ଓ ପ୍ରଣବଙ୍କ ମାତାପିତାଙ୍କ ଆକୁଳ କ୍ରନ୍ଦନ ଓ କୋହ ମଧ୍ୟରେ ସେ ବୋହିଗଲା । ତାର ମୁଣ୍ଡ ପୁଣି ଥରେ ବୁଲେଇ ଦେଲା । ପଡ଼ି ଯାଉ ଯାଉ ପ୍ରଣବଙ୍କ ମାଆଙ୍କ ନିର୍ଭର କୋଳ ତାକୁ ନିର୍ଭୟ ଆଶ୍ରୟ ପ୍ରଦାନ କଲା । 


 କିଛି ସମୟ ପରେ ତାଙ୍କ ମାଆ କହିଲେ ,


- ପ୍ରଣବ ଆମକୁ ସବୁକଥା କହିଥିଲା । କିନ୍ତୁ ପରିସ୍ଥିତି ଯେ ଏତେ ବିକଟ ରୂପ ଧାରଣ କରିବ କିଏ ଅନୁମାନ କରିଥିଲା । ଆମେ ଏକ ନିଷ୍ପତ୍ତି ନେଇଛୁ , ଆପଣ ମାନେ ଉଚିତ ମନେ କଲେ ଅନୁମୋଦନ କରିବେ । 


 ଗଳା ଖଙ୍କାରି ପୁଣି ଥରେ ସେ କହିଲେ ,


ଆମର ଅନାଥ ଭଣଜାଟିଏ ଅଛି । ଆମର ପୁଅ ପରି । ତାକୁ ଛୋଟବେଳୁ ଆଣି ତାର ଲାଳନପାଳନ ଆମେ କରିଛୁ । ପ୍ରଣବ ଠାରୁ ବର୍ଷେ ସାନ । ଷ୍ଟେଟ ବ୍ୟାଙ୍କରେ ମେନେଜର ପୋଷ୍ଟରେ ଅଛି । ସୁନା ମୁଣ୍ଡାଟିଏ । ଆମ କଥାକୁ ତଳେ ପକାଏ ନାହିଁ । ସେ ରାଜି ଅଛି । ଆପଣମାନେ ଓ ଝିଅ ରାଜି ହେଲେ ସବୁ ସମସ୍ୟାର ସମାଧାନ ହୋଇଯାଆନ୍ତା । ପଦାକୁ କଥା ଯାଆନ୍ତା ନାହିଁ । ଆମର ଦାୟାଦ ଆମର ହୋଇ ରହନ୍ତା ।


 ବାବା ବୋଉଙ୍କର ଶେଥା ମୁହଁରେ ଆଶା ଭରସାର ପ୍ରଲେପ ଦେଖି ସେ ମଉନ ରହିଲା । ଆଉ ଉପାୟ ମଧ୍ୟ କଣ ଥିଲା ଯେ ?


 ଯଥାଶୀଘ୍ର ମନ୍ଦିରରେ ନିରାଡ଼ମ୍ବର ଭାବରେ ବିବାହ ସମ୍ପନ୍ନ ହେଲା । ଅଂଶୁମାନ ଦେଖିବାକୁ ସୁନ୍ଦର ନୁହଁନ୍ତି । କଳା ବର୍ଣ୍ଣ । ହଁ ତାକୁ କଣ ମିଳିବ ସେଥିରୁ । 


 ବିବାହ ସିନା ହୋଇଗଲା । ଅସହଜତା ଓ ଅନେକ ଫାଙ୍କ ରହିଲା ଦୁହିଁଙ୍କ ମଧ୍ୟରେ । ପ୍ରଥମ କେତେଦିନ ସେ ତଳେ ଶୋଇଲା । ଥଣ୍ଡାପ୍ରୋନ ଶରୀର ହୋଇଥିବାରୁ ତାକୁ ଶର୍ଦ୍ଦିକାଶ ଆକ୍ରମଣ କଲା । ତା ପର ରବିବାର ଦିନ ସେ ଦେଖିଲା , ବେଡରୁମରେ ଖଟ ଦୁଇଟି ସୁରକ୍ଷିତ ଦୂରତା ନେଇ ପୃଥକ ହୋଇ ପଡ଼ିଛି । 


 ଏ ମଧ୍ୟରେ ସେ କଲେଜ ଯିବା ବନ୍ଦ କରି ଦେଇଥିଲା । କିଚେନରେ ମନ ଲଗେଇବାକୁ ଚେଷ୍ଟା କରୁଥିଲା । ପ୍ରଣବଙ୍କ ବାପାମାଆଙ୍କ ସେବାରେ ନିଜକୁ ନିୟୋଜିତ ରଖୁଥିଲା । ସର୍ବୋପରି ତାର ପ୍ରାଣର ପ୍ରିୟ ନିଜର ଭାବି ସନ୍ତାନର ଯତ୍ନ ନେବାରେ ହେଳା କରୁ ନଥିଲା । ଅଂଶୁମାନ ତାର ଏହି ତାଲିକାରେ ଜମା ନଥିଲେ । ତାଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରୁଥିଲା ।


 ବେଳେବେଳେ ତାଙ୍କ ଉପରେ ସହାନୁଭୂତି ମଧ୍ୟ ଆସୁଥିଲା । ଏ ଘଟଣାରେ ସେ ତ ମୋଟେ ସଂପୃକ୍ତ ନଥିଲେ । କିନ୍ତୁ ସେ ମଧ୍ୟ ଦଣ୍ଡ ଭୋଗୁଛନ୍ତି । 


 ଦୂର୍ଗାପୂଜା , ଅଂଶୁମାନ ବାପା ମାଆଙ୍କ ପାଇଁ ନୂଆ ଲୁଗା ନେଇ ଆସିଥାନ୍ତି । ମନରେ ଦୁଃଖ ଥିଲେ ସୁଦ୍ଧା ସେମାନେ ଅଂଶୁମାନଙ୍କ ଉତ୍ସାହ ନଭାଙ୍ଗି , ତାକୁ ଡାକି ନିଜ ନିଜର ଲୁଗା ଦେଖଉଥାନ୍ତି । ଅଂଶୁମାନ ସେମାନଙ୍କର ବହୁତ ଯତ୍ନ ନିଅନ୍ତି । ଖୁବ୍ ଆଜ୍ଞାକାରୀ । ସାମାନ୍ୟ ଦେହ ଖରାପ ହେଲେ ବ୍ୟସ୍ତ ହୋଇ ପଡ଼ନ୍ତି । ଚାକର ପୂଝାରୀ ମାନେ ମଧ୍ୟ ଅଂଶୁମାନଙ୍କୁ ବହୁତ ଶ୍ରଦ୍ଧା କରନ୍ତି । ସେ ସେମାନଙ୍କ ପାଇଁ ମଧ୍ୟ ଲୁଗାପଟା ଆଣି ଥାଆନ୍ତି । 


 ମାଆ ପଚାରି ଦିଅନ୍ତି ,


- ଆଉ , କଳ୍ପିତାର ଶାଢ଼ୀ କାହିଁ ?


କିଛି ଊତ୍ତର ଦିଅନ୍ତି ନାହିଁ ସେ ।


ବେଡରୁମକୁ ପଶିଲା ବେଳେ ସେ ଦେଖେ , କଦଳୀ ପତ୍ର ପରି ଶାଗୁଆ ରଙ୍ଗର କାଞ୍ଜିବରମ ଶାଢ଼ୀଟାଏ ଥୂଆ ହୋଇଛି । ତା ସହିତ ଗୋଟିଏ ଡ୍ରେସ ପିସ ମଧ୍ୟ । ତାକୁ ଦୟା ଆସେ ।


 ଦିନେ ଅଚାନକ ଖବର ଆସେ ବାବାଙ୍କ ଦେହ ଅସୁସ୍ଥ । ଡାକ୍ତରଖାନାରେ ଏଡମିଟ ହୋଇଛନ୍ତି । ଶ୍ଵଶୁରଙ୍କୁ ଧରି ସେ ତତ୍କ୍ଷଣାତ୍ ଡାକ୍ତରଖାନା ଅଭିମୁଖେ ଧାଇଁଲା । ସେଠାରେ ପହଂଚି ସେ ଅଂଶୁମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ମାଇଲ୍ଡ ଷ୍ଟ୍ରୋକ ହୋଇଥିଲା ବାବାଙ୍କୁ । ବୋଉ ଠାରୁ ସେ ଜାଣିଲା ଯେ ଅଂଶୁମାନ ନିୟମିତ ତାଙ୍କର ଦାୟିତ୍ୱ ବୁଝିବା ପାଇଁ ଯାଇଥାଆନ୍ତି । ତାକୁ ଖବର ଦେବାକୁ ମନା କରିଥାନ୍ତି । ଆଜି ମଧ୍ୟ ଯୋଗକୁ ସେ ଥିଲେ ବୋଲି ବାବାଙ୍କ ଜୀବନ ରକ୍ଷା ହୋଇ ପାରିଲା । ବହୁତ ଦାୟିତ୍ୱ ବାନ୍ ଓ ଉତ୍ତମ ପିଲା ଅଂଶୁମାନ । ତାଙ୍କୁ ଜାମାତା ରୂପରେ ପାଇ ସେମାନେ ଧନ୍ୟ ହୋଇଛନ୍ତି । 


 କଳ୍ପିତା କାହା ସହିତ ଦୃଷ୍ଟି ମିଳେଇ ପାରୁ ନଥାଏ । ଏହି ସ୍ଵଳ୍ପ ଅବଧିରେ ତାର ମଧ୍ୟ ତ କେତେ ଧ୍ୟାନ ରଖିଛନ୍ତି ସେ । ଏଇ ଯେମିତି ସେ ବହି ପଢି଼ବାକୁ ଭଲପାଏ ବୋଲି ଲାଇବ୍ରେରୀରୁ ବହି ଇସ୍ୟୁ କରିବା , ଚାରି ପାଞ୍ଚଟା ଲେଖାଏଁ ପତ୍ରିକା ମଗାଇବା । କେକ୍ଟସ୍ ର ଆଗ୍ରହ ଜାଣିପାରି ଦେଶୀ ବିଦେଶୀ ଅନେକ କିସମର କେକ୍ଟସ୍ ର ଟିକି ବଗିଚାଟିଏ ତିଆରି କରିବା ଓ ଆହୁରି ଅନେକ କଥା । ତାର ସବୁ ମନେ ପଡି଼ ଯାଉଥାଏ । ବଦଳରେ ସେ ତାଙ୍କ ପାଇଁ କଣ କରିଛି ? ଅହେତୁକ ଇନ୍ ଡିଫରେନ୍ସ୍ ? ଥରେ ହେଲେ ତାଙ୍କ ସହ ବାର୍ତ୍ତାଳାପ ମଧ୍ୟ କରିନାହିଁ କି ଖାଇଲେ ନଖାଇଲେ ଧ୍ୟାନ ମଧ୍ୟ ଦେଇ ନାହିଁ । ସୁଦୁ ଅମଣିଷଟାଏ କି ସିଏ ?


 ତା ପରଠାରୁ ତାର ମନ ତାଙ୍କ ପ୍ରତି କୋମଳ ହୋଇ ଆସିଲା । ହୃଦୟର କୋଉ ଏକ ନିଭୃତ କୋଣରେ ଅଂଶୁମାନଙ୍କ ଛବିଟା ଗୋଟାଏ ଆସନ ମାଡ଼ି ବସିଲା । ଧୀରେ ଧୀରେ ତାହା ବିସ୍ତୃତ ହେବାକୁ ଲାଗିଲା । ଏମିତି ସମୟ ମଧ୍ୟ ଆସିଲା ଯେ ସେ ଦିନସାରା ତାଙ୍କ ବିଷୟରେ ଭାବିବାକୁ ଲାଗିଲା । ତାକୁ ଖରାପ ଲାଗିଲେ ସୁଦ୍ଧା , ପ୍ରଣବଙ୍କ ଛବିଟା ଅସ୍ପଷ୍ଟ ହୋଇ ଆସିଲା ତାର ଅଜାଣତରେ ।


 ଦିନେ ଅଂଶୁମାନ ଅଫିସ ଗଲାପରେ ସେ ଦେଖିଲା , ମୋବାଇଲ ଭୁଲି ଯାଇଛନ୍ତି । କଣ ଏକ କୌତୁହଳ ହେଲା କେଜାଣି ତାଙ୍କର ହ୍ଵାଟ୍ସଆପଟା ଖୋଲିଦେଲା । ସେ ଖୁସି ଥିଲା ଯେ ତାଙ୍କ ମୋବାଇଲ ଲକ୍ ନଥିଲା । ଖେଳାଉ ଖେଳାଉ ପ୍ରଣବଙ୍କ ଚାଟ୍ ଉପରେ ସେ ଅଟକି ଗଲା । ମେସେଜ ସବୁ ପଢୁ ପଢୁ ତାର ପାଦତଳୁ ପୃଥିବୀ ଖସି ଯାଉଥିଲା । ତାର ମୁଣ୍ଡ ବୁଲାଊ ଥିଲା । 


 ଏଡ଼େ ଅମଣିଷଟାର ବୀଜକୁ ସେ ଜଠରରେ ଧରି ରଖିଛି । ଏପର୍ଯ୍ୟନ୍ତ ଭୁଲି ନପାରି ଜଣେ ଦେବ ତୁଲ୍ୟ ମଣିଷକୁ ହତାଦର କରି ଆସୁଛି । ଧିକ୍ ତାକୁ । ତାର ବଞ୍ଚିବାର କୌଣସି ଅଧିକାର ନାହିଁ ନା ତ ସେ ଜାରଜ ସନ୍ତାନର । ଚାଟିଂରୁ ଯାହା ବୁଝା ପଡ଼ିଲା , ବାରମ୍ବାର ପ୍ରଣବ ଝିଅମାନଙ୍କୁ ଦେଖି ତାଙ୍କ ସହିତ ମଉଜ ମଜଲିସ୍ କରି ମାଆଙ୍କ ସମ୍ମୁଖରେ ଝିଅ ପସନ୍ଦ ନୁହେଁ ବୋଲି ଓହରି ଯାଇଛନ୍ତି । ଅଂଶୁମାନଙ୍କ ଏତେ ବୁଝାଇବା ସତ୍ତ୍ଵେ । ସବୁଠାରୁ ମୂର୍ଖ ସେ ବାହାରିଲା ଓ ତାଙ୍କ ଜାଲରେ ଫସି ଗଲା । ଏପରି ହାଲତ ସୌଭାଗ୍ୟରୁ ଆଉ କୌଣସି ଝିଅର ହୋଇ ନଥିଲା । ପ୍ରଣବର ବାପାମାଆ ପୁଅର କୀର୍ତ୍ତି ଜାଣିଲା ବେଳକୁ ଅନେକ ବିଳମ୍ବ ହୋଇ ଯାଇଥିଲା ଓ ପ୍ରଣବ ମୃତ୍ୟୁ ମୂଖରେ ପଡ଼ି ଥିଲେ । ସଜିଲ ହୋଇଥିବା ଯୁପକାଷ୍ଠରେ ଅଂଶୁମାନ ନିଜେ ନିଜେ ବେକ ଲଗାଇ ଦେଇଥିଲେ । ପ୍ରଣବଙ୍କ ବାପାମାଆ , କଳ୍ପିତାର ବାବାବୋଉ ଓ ସର୍ବୋପରି ତାର ନିଜର ଇଜ୍ଜତ ବଞ୍ଚାଇ ଦେଇଥିଲେ । କେତେ ମହାନ୍ ସତେ । ସେ କଣ ତାଙ୍କର ଯୋଗ୍ୟା ? ତାର ମସ୍ତିଷ୍କ ଫାଟି ଯାଉଥିଲା । ଚତୁର୍ଦ୍ଦିଗ ଅନ୍ଧକାର ଦେଖା ଯାଉଥିଲା ।


 ହଠାତ ଏକ ନୀଳ ରଶ୍ମି ଓ ତତ୍ସହିତ ଏକ ଉଷୁମ ସ୍ପର୍ଶ ତାର ଚେତନାକୁ ଉଜାଗର କରିଦେଲା । ସାମନାରେ ଅପରେସନ ଥିଏଟର । ଆଗରେ ପଛରେ ଦୁଇଜଣ ନର୍ସ । ପାର୍ଶ୍ଵରେ ଲହୁଲୁହାଣ ଅଂଶୁମାନ । କାନ ପାଖରେ ତାଙ୍କର ଧୀର କାତର ସ୍ଵର । 


"" ତୁମେ ଫେରିଆସିବ କଳ୍ପିତା , କଥା ଦିଅ ,ମୋ ପାଇଁ । ତୁମ ବିନା ମୋର ଅସ୍ତିତ୍ବ ନାହିଁ । ""


ଉଷୁମ ସ୍ପର୍ଶଟା ଧୀରେ ଧୀରେ ତାର ହାତକୁ ଛାଡ଼ି ଛାଡ଼ି ଯାଉଥାଏ । ମନେ ମନେ ସେ ଠାକୁରଙ୍କୁ ଡାକୁଥାଏ । 


"""ମୋତେ ଲେଉଟାଇ ଆଣିବ ଠାକୁରେ , କେବଳ ମୋର ଦେବତାଙ୍କ ପାଇଁ । """



Rate this content
Log in

Similar oriya story from Romance