ସ୍ତ୍ରୀ(ନାରୀ)ରଚନା ସମୟରେ
ସ୍ତ୍ରୀ(ନାରୀ)ରଚନା ସମୟରେ


ଯେତେବେଳେ ଈଶ୍ୱର ସ୍ତ୍ରୀ'(ନାରୀ)ର ରଚନା କରୁଥିଲେ ତାଙ୍କୁ ବୋହୁତ ସମୟ ଲାଗିଥିଲା । ଏତେ ସମୟ ଭଗବାନ ସ୍ତ୍ରୀ ର ସୃଷ୍ଟିରେ ବିନିଯୋଗ କରୁଥିବାର ଦେଖି ସ୍ୱର୍ଗର ସବୁ ଦେବତାମାନେ ଆସି ପ୍ରଭୁଙ୍କ ସମ୍ମୁଖରେ ପ୍ରକଟ ହେଲେ ଏବଂ ଏହାର କାରଣ ପଚାରିଲେ । ସେତେବେଳକୁ ପ୍ରାୟ ସାତ ଦିନ ପାଖାପାଖି ସମୟ ଅତିବାହିତ ହେଇସାରିଲାଣି ତଥାପି ସ୍ତ୍ରୀ ବା ନାରୀର ରଚନା ଅଧୁରା ଅଛି । ଦେବଗଣ ମାନେ ପ୍ରଶ୍ନ କଲେ - ପ୍ରଭୁ ଆପଣ ଏତେ ସମୟ ଏହାପାଇଁ କାହିଁକି ନେଉଛନ୍ତି ?
ଭଗବାନ ସ୍ମିତହାସ୍ୟ ଦେଇ ଉତ୍ତର ଦେଲେ - ଏହାର ଗୁଣବତ୍ତା ଆପଣମାନେ ଏପର୍ଯ୍ୟନ୍ତ ଅବଲୋକନ କରିନାହାନ୍ତି । ଏହା ମୋର ସର୍ବଶ୍ରେଷ୍ଠ ରଚନା । ଏହାର ଗୁଣଧର୍ମ ଅତୁଳନୀୟ । ସର୍ବ ଗୁଣର ଅଧିକାରୀ ଏହା । ସର୍ବ ଶକ୍ତିର କେନ୍ଦ୍ରବିନ୍ଦୁ । ଧର୍ଯ୍ୟର ମହାସାଗର ଏହା । ସମଗ୍ର ବିଶ୍ୱର ସୃଷ୍ଟିକାରିଣୀ । ଏହା ଶୁଣି ଦେବତାମାନେ ସ୍ତ୍ରୀ'(ନାରୀ)ର ଶରୀରକୁ ସ୍ପର୍ଶ କରି କହିଲେ - ପ୍ରଭୁ , ଏହା ତ ଅତ୍ୟନ୍ତ କୋମଳ । ଏହା କିପରି ଶକ୍ତିର କେନ୍ଦ୍ରବିନ୍ଦୁ ହେଇପାରିବ ? ଭଗଵାନ ଉତ୍ତରରେ କହିଲେ - ଏହା ହିଁ ତ ମୋର ଅଦ୍ଭୁତ ରଚନା । ଏହା ବାହାରୁ ବୋହୁତ କୋମଳ କିନ୍ତୁ ଏହା ଭିତରୁ ବୋହୁତ ମଜଭୁତ । ସବୁକିଛି କରିପାରିବାର କ୍ଷମତା ଏହା ପାଖରେ ଅଛି । ଏହା କୋମଳ ଅଟେ କିନ୍ତୁ କମଜୋର ନୁହେଁ । ଏହାର କୋମଳାଙ୍ଗରେ ଅପର୍ଯ୍ୟାପ୍ତ ଶକ୍ତି ଭରି ରହିଛି । ଏହା ମୋର ଏମିତି ଏକ ସୃଷ୍ଟି ଯାହା ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିପାରିବ । ଏହା ଏକାସାଙ୍ଗରେ ବୋହୁତ ଲୋକଙ୍କୁ ଚଳେଇ ପାରିବ ଏବଂ ସମସ୍ତଙ୍କୁ ଖୁସି ବାଣ୍ଟି ପାରିବ । ଏହା ନିଜର ସ୍ନେହ, ପ୍ରେମ ଦ୍ୱାରା ଶରୀରର ଅଭରଣୀୟ କ୍ଷତ ଠୁ ଆରମ୍ଭ କରି ଭାଙ୍ଗିଯାଇଥିଲା ହୃଦୟକୁ ମଧ୍ୟ ଯୋଡି ପାରିବ । ଏହାର ସ୍ନେହ କୌଣସି ମହୋଷଧି ଠାରୁ କିମ୍ବା କୌଣସି ବୈଦ୍ୟ ଠାରୁ କମ୍ ନୁହେଁ । ସବୁଠୁ ବଡକଥା ହେଲା ଏହା ଅସୁସ୍ଥରେ ପଡିଲେ ମଧ୍ୟ ନିଜର ଯତ୍ନ ନେଇ ସାରାଦିନ ପରିଶ୍ରମ କରିପାରିବ । ଏବଂ ଅନ୍ୟକୁ ରୋଗମୁକ୍ତ କରିବାପାଇଁ ସେବା କରିଚାଲିବ ।
ପ୍ରଭୁ ପୁନଃ କହିଲେ - ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ହେଉଛି ଏହା ସମ୍ପର୍କର ଭଣ୍ଡାର । ଏହା ବିଭିନ୍ନ ରୂପ ନେଇପାରିବ । କେବେ ଜନନୀ,କେବେ ଜାୟା, କେବେ ଭଗିନୀ କେବେ କାୟା । କେବେ ଅର୍ଧାଙ୍ଗିନୀ ହେବ ପୁରୁଷର ତ ପୁଣି କେବେ ଶକ୍ତି ସ୍ଵରୂପିଣୀ ହେଇ ଦୈତ୍ୟ ନାଶିବ । କେବେ ପ୍ରେମିକାଟିଏ ହେଇ ପୁରୁଷର ମନମନ୍ଦିରରେ ପୂଜା ପାଇବ ତ ପୁଣି କେବେ ପୁରୁଷର ଦାସୀ ସାଜିବ । ତାର ଦୁଇ ହାତରେ ସେ ସର୍ବସ୍ଵ କାର୍ଯ୍ୟ ସମ୍ପାଦନା କରିପାରିବ । ଯେବେ ସେ ହାତରେ ଝାଡୁଟିଏ ଧରିବ ସେତେବେଳେ ପୁରା ବିଶ୍ୱ ପରିସ୍କାର ହେଇଯିବ । ସମସ୍ତ ଅଳିଆ ସଂସାରରୁ ଉଭେଇଯିବ । ଆଉ ଯେବେ ସେ ଲେଖନୀ ଚାଳନା କରିବ ପଞ୍ଚ ମହାବେଦ ମଧ୍ୟ ତା ସାମ୍ନାରେ କିଞ୍ଚିତ ଲାଗିବ । ହାତରେ ଯେବେ ସେ ପୁଷ୍ପ ଆଞ୍ଜୁଳା ଟେକିବ ତାହା ସିଧା ମୋ ମସ୍ତକ ଛୁଇଁବ ଆଉ ଯେବେ କ୍ରୋଧାଗ୍ନି ହେଇ ଖଡ୍ଗ ଧାରଣ କରିବ ପୁରା ବିଶ୍ୱ ତ୍ରାହି ତ୍ରାହି ଡାକିବ । ଏହା ମୋର ଅଦ୍ଵିତୀୟ ଏବଂ ଅପୂର୍ବ ସୃଷ୍ଟି ହେବ । ଏହାର ହସରେ ପୁଷ୍ପ ବୃଷ୍ଟି ହେବ । ଏହାର ଲୁହରେ ଅଗ୍ନିବାଣ ହେବ । ଯିଏ ଏହାର ହସର କାରଣ ହେବ ସେ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବ ଏବଂ ଯିଏ ଏହାର ଲୁହର କାରଣ ହେବ ସେ ମୋର କ୍ରୋଧାଗ୍ନିରେ ଭସ୍ମ ହେଇଯିବ ।
ଏସବୁ ଶୁଣି ପୁନଃର୍ବାର ଦେବଗଣ ପ୍ରଶ୍ନ କଲେ - ପ୍ରଭୁ, ଏହାର କଣ ଚିନ୍ତା କରିବାର ଶକ୍ତି ଅଛି ? ଏ କଣ ଅନୁଭବ କରିପାରିବ ? ପ୍ରଭୁ ଉତ୍ତର ଦେଲେ - ଏହା ସବୁକିଛି ଚିନ୍ତା କରିପାରିବ, ସବୁକିଛି ଅନୁଭବ କରି ବିପଦର ସାମ୍ନା ମଧ୍ୟ କରିପାରିବ । ଏହା ସମାଜର ଅର୍ଣ୍ଣଦାତ୍ରୀ ଭାବରେ ପରିଚିତ ହେବ । ଏହା ସମାଜର ସେବିକା ହେଇପାରିବ । ଏହା ପାକ କରି ସମଭାବରେ ପରସିବାରେ ନିପୁଣ ହେବ । ତାର କଣ୍ଠରେ ସେ ସାତସୁରକୁ ଆବାହନ କରିପାରିବ ଆଉ ହାତରେ ତୂଳି ଧରି ଇନ୍ଦ୍ରଧନୁର ସାତରଙ୍ଗରେ ବିଶ୍ୱକୁ ରଙ୍ଗାଇ ପାରିବ । ସେ ତାର ବକ୍ଷ ଚିରି ଅମୃତର ସୁଧା ପାନ କରାଇପାରିବ ଏବଂ ଉଦର ଚିରି ନୂଆ ସୃଷ୍ଟି ରଚନା କରିପାରିବ ।
ଦେବଗଣ ଏସବୁ ଶୁଣି ଈଶ୍ୱରଙ୍କ ଅଦ୍ଭୁତ ରଚନାର ସେଇ ସ୍ତ୍ରୀ(ନାରୀ)ପାଖକୁ ଆସି ତାର ଆଖିକୁ ସ୍ପର୍ଶ କଲେ । ଦେଖିଲେ କିଛି ଅଟକୁନଥିବା ଜଳ ଆଖିରୁ ବାହାରି ଗାଲ ଦେଇ ଗଡିଯାଉଛି ଯେମିତି ନଦୀଟିଏ ବହିବାପରି ।
ଦେବଗଣ ସଙ୍ଗେ ସଙ୍ଗେ ଏ ବିଷୟରେ ଭଗବାନଙ୍କୁ ପ୍ରଶ୍ନ କଲେ । ପ୍ରଭୁ ଉତ୍ତରରେ କହିଲେ - ଏହା ହେଉଛି ତାର ଅଶ୍ରୁ । ଦେବଗଣ ଆଶ୍ଚର୍ଯ୍ୟରେ ପୁନଃର୍ବାର ପ୍ରଶ୍ନ କଲେ - ଏତେ ସୁନ୍ଦର କୋମଳାଙ୍ଗରେ ଅଶ୍ରୁ କଣ ପାଇଁ ?
ଭଗବାନ ସ୍ମିତହାସ୍ୟ ଦେଇ କହିଲେ - ଏହି ଅଶ୍ରୁ ବି ଏହାର ଶକ୍ତି । ଅନ୍ୟପ୍ରତି ନିଜର ପ୍ରେମଭାବ ଦେଖାଇବା ପାଇଁ ଅଶ୍ରୁ ତାକୁ ସାହାଯ୍ୟ କରିବ ଏବଂ ନିଜର ଏକୁଟିଆ ପଣ, ହୃଦୟର ଅକୁହା ଦୁଃଖକୁ ଭୁଲିବା ପାଇଁ ଏହି ଅଶ୍ରୁ ହିଁ ତାକୁ ସାହାଯ୍ୟ କରିବ ।
ଦେବଗଣ ପୁନଶ୍ଚ ପ୍ରଶ୍ନ କଲେ - ତେବେ ଏହାର ଚାହାଣୀ ନିମ୍ନଗାମୀ କାହିଁକି ?
ପ୍ରଭୁ କହିଲେ - ଏହା ହେଉଛି ଲଜ୍ଜ୍ୟା । ଆଉ ଲଜ୍ଜ୍ୟା ହେଉଛି ତାର ଭୂଷଣ ।
"ଧନ୍ୟ ପ୍ରଭୁ ଆପଣଙ୍କ ଅଦ୍ଭୁତ ରଚନା, ଧନ୍ୟ ଆପଣ"ଏକ ସ୍ୱରରେ ଦେବଗଣ ଉଚ୍ଚାରିଲେ । ଶେଷରେ ପ୍ରଭୁ କହିଲେ - ଏହି ସ୍ତ୍ରୀ ରୂପୀ ରଚନା ସତରେ ବଡ ଅଦ୍ଭୁତ ରଚନା । ଏହା ସମଗ୍ର ପୁରୁଷର ଶକ୍ତି,ସାହସ ହେବ ଯିଏ ଏହାକୁ ପ୍ରୋତ୍ସାହନ କରିବ । ଯିଏ ଏହାକୁ ଚିହ୍ନି ଏହାର ଆଦର ଯତ୍ନ କରିବ ସେ ଶ୍ରେଷ୍ଠ ପୁରୁଷରେ ଗଣାହେବ । ଏହା ସମସ୍ତଙ୍କୁ ଖୁସି ଦେଇପାରିବ । ଏହା ସବୁ ପରିସ୍ଥିତିରେ ହସିପାରିବ । ଏ ଅନ୍ୟର ଖୁସିରେ ଖୁସି ହେଇପାରିବ । ଯାହା ଚାହିଁବ ତାହା ଜୋର୍ କରି ହାସଲ କରିପାରିବ । କିନ୍ତୁ ଯେତେବେଳେ କେହି ନିଜର ଲୋକ ତାକୁ କଷ୍ଟ ଦେବେ, ତାର ଅପମାନ କରିବେ କିମ୍ବା ତାକୁ ଧୋକା ଦେବେ ସେତେବେଳେ ସେ ଖୁବ୍ ଭାଙ୍ଗି ପଡିବ । ଖୁବ୍ ଅସହାୟ ହେଇପଡ଼ିବ । ତଥାପି ସେ ନିଜ ସହିତ ପରିସ୍ଥିତିକୁ ଖାପଖୁଆଇବାକୁ ଚେଷ୍ଟା କରିବ ।
ଦେବଗଣ କହିଲେ - ସତରେ ପ୍ରଭୁ ଏହା ହେଉଛି ଆପଣଙ୍କର ସମ୍ପୂର୍ଣ୍ଣ ରଚନା । ପରିପୂର୍ଣ୍ଣ ସୃଷ୍ଟି ।
ଭଗବାନ ଏକ ଉଦାସ ନୟନରେ ଶେଷଥର ପାଇଁ ଉତ୍ତର ଦେଲେ - ନାଃ ! ଏବେ ଏଥିରେ କିଛି ତ୍ରୁଟି ଅଛି । ମୋ ଅଦ୍ଭୁତ ରଚନାର ଏଇ ସୁନ୍ଦର ସ୍ତ୍ରୀ ସମୟ ସମୟରେ ତାର ମହତ୍ତ୍ୱ ଭୁଲିଯାଉଛି ।