ଇଭିଲ୍ ଅଫ୍ ଦ -୨
ଇଭିଲ୍ ଅଫ୍ ଦ -୨


ରାତି ପାହି ସକାଳ ହେଲା । ମ୍ୟାରୀର ସାବତ ମାଆ ଆଞ୍ଜେଲିନ ନିଦରୁ ଉଠି ଝରକା ଖୋଲିଲେ ଆଉ ସ୍ମିତହାସ୍ୟ ଦେଇ ଅଳସଟିଏ ଭାଙ୍ଗିଲେ । ଆଜି ସେ ବହୁତ ଖୁସି । ତାଙ୍କ ରାସ୍ତାର କଣ୍ଟା ସାଜିଥିବା ମ୍ୟାରୀ ଆଉ ଏ ଦୁନିଆରେ ନାହିଁ । ଗତ ରାତିରେ ସେ ନିଜ ହାତରେ ନିଜ ଭାଇ ସହିତ ମିଶି ମ୍ୟାରୀକୁ ମାରି ପୋତି ଦେଇଛନ୍ତି । ଏବେ ସବୁ ସମ୍ପତ୍ତିର ମାଲିକାନା ତାଙ୍କ ହାତରେ । ଏମିତି ଭାବୁ ଭାବୁ ତାଙ୍କ ନଜର ପଡିଲା ଚଟାଣରେ ଲାଗିଥିବା ରକ୍ତଛିଟା ଉପରେ । ସେ ଡରିଯାଇ ଚିତ୍କାର କରି ଦୁଇପାଦ ପଛକୁ ଫେରି ଆସିଲେ । ଚିତ୍କାର ଶୁଣି ମ୍ୟାରୀର ମାମୁ ଫ୍ରୟେଡ଼ ଉପର ମହଲାରୁ ଦୌଡ଼ି ଆସି ଆଞ୍ଜେଲିନଙ୍କୁ ଏତେ ଜୋର ରେ ଚିତ୍କାର କରିବାର କାରଣ ପଚାରିଲେ । ଆଞ୍ଜେଲିନ ଗୋଟିଏ ହାତରେ ମୁହଁ ଲୁଚେଇ ଅନ୍ୟ ହାତରେ ଚଟାଣରେ ଲାଗିଥିବା ରକ୍ତଛିଟା ଆଡକୁ ଇଙ୍ଗିତ ଦେଲେ । ସେତେବେଳକୁ ଏକ କଳାରଙ୍ଗର ବିଲେଇଟିଏ ଆସି ସେହି ରକ୍ତଛିଟାକୁ ତାର ଜିଭରେ ଚାଟିବାକୁ ଲାଗିଥିଲା । ଫ୍ରୟେଡ଼ ବିରକ୍ତି ହେଇ କହିଲେ - ବିଲେଇଟା କୌଣସି ଜୀବଜନ୍ତୁକୁ ଖାଇବାପାଇଁ ମାରି ପକାଇଛି । ଏଥିରେ ଡରିବାର କିଛି ନାହିଁ । ଏତିକି କହି ସେ ଉପର ମହଲାକୁ ଚାଲିଗଲେ ହାତରେ ଖବରକାଗଜ ଖଣ୍ଡେ ଧରି ।
ଆଞ୍ଜେଲିନ ମଧ୍ୟ ନିଜ ଚାକରାଣୀ ମିର୍ଜାକୁ ଡାକି ଚଟାଣ ସଫା କରିବାକୁ ଆଦେଶ ଦେଇ ରୋଷେଇ ଘରକୁ ଚାଲିଗଲେ ।
ଏଥର ମିର୍ଜା ଉକ୍ତ ବିଲେଇକୁ ଘଉଡ଼ାଇ ଚଟାଣକୁ ଭଲ ଭାବରେ ଧୋଇ ପରିଷ୍କାର କରିଦେଲା ।
ଦିନ ପ୍ରାୟ ଦୁଇଟା ।
ମଧ୍ୟାନ ଭୋଜନ ପାଇଁ ସମସ୍ତେ ଡାଇନିଂ ଟେବୁଲ ପାଖକୁ ଆସିଲେ । ବଙ୍ଗଳାର ସଦସ୍ୟ କହିଲେ ଏବେ ମାତ୍ର ତିନି ଜଣ । ମ୍ୟାରୀର ସାବତ ମାଆ ଆଞ୍ଜେଲିନ, ମ୍ୟାରୀର ମାମୁଁ ଫ୍ରୟେଡ଼ ଆଉ ତାଙ୍କର ଅତି ବିଶ୍ୱସ୍ତ ଚାକରାଣୀ ମିର୍ଜା । ଏମାନଙ୍କୁ ଛାଡି ଆଉ ଜଣେ ମଧ୍ୟ ସେହି ଡାକ ବଙ୍ଗଳାରେ ରହୁଥିଲା । ସେ ହେଉଛି ଆଞ୍ଜେଲିନର ପୋଷା କୁକୁର ଜ୍ୟାକି ।
ଏଥର ଖାଇବା ଟେବୁଲ ଉପରେ ବିଭିନ୍ନ ପ୍ରକାର ଖାଇବା ସଜାହେଇ ରଖାଯାଇସାରିଛି । ଚିକେନ୍ କଷା, ତନ୍ଦୁରି ରୋଟି, ମଟନ ବିରିୟାନି ଆଉ ଚିକେନ୍ ପକୋଡା । ଖାଇବା ପାଇଁ ସମସ୍ତେ ପ୍ରସ୍ତୁତ । ଠିକ ସେହି ସମୟରେ କିଛି କାଚ ଗ୍ଲାସ ଭାଙ୍ଗିବାର ଶବ୍ଦ ଶୁଭିଲା । ଆଞ୍ଜେଲିନ ପୁନଶ୍ଚ ଚିତ୍କାର କରି ଖୁବ କର୍କଶ ସ୍ୱରରେ ପଚାରିଲେ -କିଏ ସେଠି ?
ମାମୁଁ ଏବଂ ମିର୍ଜା ଏକ ଲୟରେ ଗ୍ଲାସ ଭାଙ୍ଗିବାର ଶବ୍ଦ ଆସିଥିବା ଦିଗକୁ ଚାହିଁ ରହିଥାନ୍ତି । ଠିକ ସେତିକିବେଳେ ଆଞ୍ଜେଲିନଙ୍କ ପୋଷା କୁକୁର ଜ୍ୟାକି ଖୁବ ଜୋର ରେ ଭୁକିବାକୁ ଲାଗିଲା ।
ଭୋ...ଭୋ....ଭୋ....
ଏଥର ସମସ୍ତଙ୍କ ନଜର ଫେରିଆସିଲା ଖାଇବା ଟେବୁଲ ଉପରକୁ ।
ଏ କ'ଣ ?
ଚିକେନ୍ ପିସ ଗୁଡା କୁଆଡେ ଉଭେଇ ଗଲା ?
କେହି ତ ଖାଇବା ଆରମ୍ଭ ବି କରିନାହାନ୍ତି !
ମିର୍ଜାର ଆଖି ପଡ଼ିଲା ଚଟାଣ ଉପରେ ପଡିରହିଥିବା ହାଡ ଗୁଡିକ ଉପରେ । ଖଣ୍ଡ ଖଣ୍ଡ ହେଇ ଦୁଇ ଚାରି ଖଣ୍ଡ କୁକୁଡ଼ା ହାଡ଼ ପଡିଛି ଚଟାଣ ସାରା । ସମସ୍ତେ ସେଇ ଆଡକୁ ଧାଇଁଲେ । ଦେଖିଲେ ଚଟାଣର ଶେଷ ମୁଣ୍ଡରେ ଗୋଟିଏ କଳା ବିଲେଇ ଖଣ୍ଡେ ହାଡ଼ ଚୋବାଉଛି ତାର ତୀକ୍ଷ୍ଣ ଦାନ୍ତରେ ।
ବିରକ୍ତି ଭରା କଣ୍ଠରେ ମାମୁଁ ଫ୍ରୟେଡ଼ କହିଲେ- କେଉଁଠୁ ଆସିଲା ଏ କଳା ବିଲେଇ ଟା । ପୁରା ଦିନଟା ଖରାପ କଲାଣି ?
ଏଥର ଚାଲିଲା ବିଲେଇକୁ ନେଇ ପ୍ରଶ୍ନବାଚୀ ଏବଂ ଖୋଜା ଚାଲିଲା ବିଲେଇର ରହସ୍ୟ, ତାର ଆଗମନର ପରିଧି । କାହାର ବିଲେଇ ସେ ?
କୋଉଠୁ ଆସିଛି ?
କାହିଁକି ଆସିଛି ?
କିଏ ଆଣିଛି ? ଏପରି ଅନେକ ପ୍ରଶ୍ନର କଥୋପକଥନ ଖେଳିଗଲା ପୁରା ମାହୋଲଟା ସାରା ।
କ୍ରମଶଃ...........
(ତୃତୀୟ ଅଧ୍ୟାୟକୁ ଅପେକ୍ଷା)