Writer Roja Panda

Fantasy

1  

Writer Roja Panda

Fantasy

ସୁକୁଟାର ଝିଅ ଦେଖା

ସୁକୁଟାର ଝିଅ ଦେଖା

2 mins
420


ମଦନପୁର ଗାଁର ସନାତନ ଦଳେଇଙ୍କ ସାନ ପୁଅ ହେଉଛି ସୁକୁଟା । ନାଁ ଟା ଯେମିତି, ଦେଖିବାକୁ ବି ଠିକ ସେମିତି । ପତଳା ଦେହ । ମୁଣ୍ଡରୁ ଅଧା ବାଳ କୁଆଡେ ଚାଲିଯାଇଛି । ପାଉଁସିଆ ରଙ୍ଗ । ରଜା ମାର୍କା ନିଶ ସାଙ୍ଗକୁ ଥୋଡିରେ ପୁଳାଏ ଦାଢ଼ି । ଅତି ବିଚିତ୍ର ରୂପ ସୁକୁଟାର । ସେଇ ରୂପ ପାଇଁ ସୁକୁଟାର ସବୁ ବାହାଘର ପ୍ରସ୍ତାବ ଭାଙ୍ଗିଯାଉଛି । କିଏ କହୁଛି ଏତେ ପତଳା ପିଲାଟା ଘର ସମ୍ଭାଳି ପାରିବନି,କିଏ କହୁଛି ନିଜେ ତ ପବନରେ ଉଡିଯିବ ଆଉ ସ୍ତ୍ରୀକୁ କେମିତି ରକ୍ଷା କରିବ । ଏମିତି ଅନେକ ଲୋକ ଅନେକ କଥା କହି ତା ବାହାଘର ଭାଙ୍ଗିଦିଆନ୍ତି । ସେ ଯାହା ହେଉ ଏଇଥର କିନ୍ତୁ ଲାଗୁଛି ସୁକୁଟାର ବାହାଘର ସ୍ଥିର ହେଇଯିବ । କାରଣ ଝିଅ ଘର ଲୋକ କହୁଥିଲେ "ପୁଅର ରୋଜଗାର ଦେଖିବା କଥା ରୂପ ନୁହେଁ" । ସେଥିପାଇଁ ସୁକୁଟା ଭାବିଲା ଏଥର ଝିଅଘର ଲୋକ ତା ରୂପକୁ ଦେଖି ବାହାଘର ଭାଙ୍ଗିବେନାହିଁ । ତେଣୁ ସେ ପୁରା ପ୍ରସ୍ତୁତ ହେଇ ରହିଥିଲା ବାହାଘର ପାଇଁ । ଝିଅକୁ ଦେଖିବାକୁ ସୁକୁଟା ବାହାରିଲା ତା ପରିବାର ଆଉ ସଙ୍ଗସାଥୀଙ୍କୁ ନେଇ । ଝିଅ ଘରେ ପହଞ୍ଚି ଦେଖିଲା ତାକୁ ସମସ୍ତେ ବହୁତ ଚର୍ଚ୍ଚା କରୁଛନ୍ତି । କିଏ ଆସି ତା ଗୋଡ଼ ଧୋଇଦେଉଛି ତ ଆଉ କିଏ ନିଜ ପିନ୍ଧା ଲୁଗାରେ ତା ଓଦା ଗୋଡ଼କୁ ପୋଛିଦେଉଛି । ଖାଇବା ପିଇବାରେ ବି ଖୁବ ଚର୍ଚ୍ଚା ପାଇଲା ସୁକୁଟା । ମନେମନେ ସୁକୁଟା ଭାରି ଖୁସି ହେଉଥିଲା । ଏତେ ଦିନ ପରେ ଶେଷରେ ତାକୁ ଶ୍ୱଶୁର ଘର ଲୋକ ଏତେ ପସନ୍ଦ କରୁଛନ୍ତି । ଖାଇବା ପିଇବା କାର୍ଯ୍ୟକ୍ରମ ସରିଗଲା । ଏବେ ଝିଅ ଦେଖା ପାଳି । ଝିଅକୁ ଡକାଗଲା । ଝିଅ ହାତେ ଲମ୍ବା ଓଢଣୀ ଟାଣି ଆସିଲା । ପୁରା ଓଡ଼ିଆ ଘର ଠାଣି । ଶାଢୀରେ ପୁରା ଦେହ ଢାଙ୍କି ହେଇଛି । ଝିଅ କଳା କି ଗୋରା ବି ଜଣାପଡୁନି । ସେ ଯାହା ହେଉ ସୁକୁଟା କିନ୍ତୁ ବହୁତ ଖୁସି । ସୁକୁଟା ଝିଅର ମୁହଁ ଦେଖିବାକୁ ବହୁତ ଚେଷ୍ଟା କଲା । କିନ୍ତୁ ହାତେ ଲମ୍ବର ଓଢଣୀ ଯୋଗୁ ସେ ବିଫଳ ହେଲା ଝିଅର ମୁହଁ ଦେଖିବାରେ । ଶେଷରେ କିଛି ଉପାୟ ନପାଇଁ ପାଖରେ ଚାଲୁଥିବା ଟେବୁଲ ଫ୍ୟାନକୁ ସୁକୁଟା ସେ ଝିଅ ମୁହଁ ଆଡକୁ ବୁଲେଇଦେଲା । ଫ୍ୟାନ ପବନରେ ଝିଅର ମୁହଁରୁ ଓଢଣୀ ଉଡ଼ିଗଲା । ସୁକୁଟା ଝିଅର ମୁହଁ ଦେଖି ଜାଣିଗଲା ଯେ କାହିଁକି ତାର ଏଇ କଦର୍ଯ୍ୟ ରୂପ ଦେଖି ଶ୍ୱଶୁର ଘର ଲୋକେ ବାହାଘର ପାଇଁ ରାଜି ହେଇଗଲେ ଆଉ ତାକୁ ଜ୍ୱାଇଁ କରିବାକୁ ମନସ୍ତ କରି ଏତେ ଚର୍ଚ୍ଚା ବର୍ଚ୍ଚା କଲେ । କିଛି ସମୟ ସୁକୁଟା ସେ ଝିଅକୁ ଚାହିଁ ରହିଲା ଏବଂ ଶେଷରେ ନିଜ ଉପରେ ଟିକିଏ ଆଖି ବୁଲେଇ ବେହୋସ ହେଇ ପଡ଼ିଲା । ଏପର୍ଯ୍ୟନ୍ତ ତାର ହୋସ ଆସିନି । ସେ କଣ ଦେଖିଲା କି ?


Rate this content
Log in

Similar oriya story from Fantasy