ଆଜିର ଏକ ଲଜ୍ଜ୍ୟା ଜନକ ଅନୁଭୂତି
ଆଜିର ଏକ ଲଜ୍ଜ୍ୟା ଜନକ ଅନୁଭୂତି
ମୁଣ୍ଡ ଉପରେ ପରୀକ୍ଷାର ବୋଝ । ପାଠପଢା ପାଇଁ ଏକ ନିରୋଳା ଜାଗା ଖୋଜୁ ଖୋଜୁ ମନକୁ ଆସିଲା ରାଜ୍ୟ ସ୍ତରୀୟ ଏକ ପାଠାଗାର କଥା । ସକାଳୁ ସକାଳୁ ସବୁ ନିତ୍ୟକର୍ମ ସାରି ବହିବସ୍ତାନି ଧରି ବାହାରି ପଡ଼ିଲି ସେଇ ପାଠାଗାରକୁ ନିରୋଳାରେ କେଇ ମୁହୂର୍ତ୍ତ ବହି ଭିତରେ ମଜ୍ଜିଯିବାକୁ । ପ୍ରାୟ ଚାରି ଘଣ୍ଟା ଧରି ପାଠ ପଢ଼ିସାରିବା ପରେ ଟିକିଏ ବାହାରକୁ ଆସି କିଛି ଖାଦ୍ୟ ଖାଇ ପୁଣି ନିଜ ପଢା ଟେବୁଲ ପାଖକୁ ଯାଇ ବସିପଡିଛି କି ନାହିଁ ହଠାତ ଉପର ମହଲାରୁ ଦଶ କି ପନ୍ଦର ଜଣ ପୁଅପିଲା ଘୋ ଘା କରି ତଳକୁ ଦୌଡ଼ି ଆସିଲେ ଏବଂ ସିଧା ପାଠାଗାର ବାହାରକୁ ଚାଲିଗଲେ । ସେମାନଙ୍କୁ ଦେଖି ମୋ ଚାରିପାଖରେ ବସିଥିବା ପିଲାମାନେ ମଧ୍ୟ ନିଜ ପଢା ଟେବୁଲ ଛାଡି କିଏ କୁଆଡେ ଦୌଡ଼ିବାକୁ ଲାଗିଲେ । ମୁଁ ମଧ୍ୟ ଭୟରେ ଡରି ଡରି ଏଣେତେଣେ ଦୌଡୁଥାଏ । କିଏ କହୁଥାଏ ଯେ ଭୂମିକମ୍ପ ହେଲା, କିଏ କହୁଥାଏ ସର୍ଟସର୍କିଟ ହେଲା । ମୋ ମନକୁ କିନ୍ତୁ କିଛି ସମୟ ପାଇଁ ଆସିଯାଇଥିଲା ଯେ ବୋଧେ କିଛି ନକ୍ସଲବାଦୀ ପସିଆସିଲେ ଆମ ପାଠାଗାରକୁ । ଏମିତି ଦୌଡା ଦୌଡ଼ି ଭିତରେ ମୁଁ ବାହାରକୁ ଯାଇ ଦେଖିଲି ବହୁତ ପିଲା ବାହାରେ ରୁଣ୍ଡ ହେଇଛନ୍ତି । ସେଇ ଭିଡ ଭିତରୁ ଆମ ପାଠାଗାରର ଜଣେ ଝିଅ ଗୋଟେ କୁନି ଝିଅକୁ ନିଜ କାନ୍ଧ ଉପରେ ପକେଇ ଆମ ପାଠାଗାର ଭିତରକୁ ନେଇଆସିଲା । ସେଇ କୁନି ଝିଅର ବୟସ ପାଖାପାଖି ଚାରି ବର୍ଷ ହେବ । ପତଳା ରୁଗ୍ଣ ଶରୀର । ରଙ୍ଗ କଳା । ମୁଣ୍ଡରେ ଆଲୁରୁ ବାଲୁରୁ ହେଇ କଳା ଘନ ଚୁଟି ମେଞ୍ଚାଏ । କୁନି ପିଲାଟି ଡରରେ ଥରୁଛି । ତା ଦେହର ତାପମାତ୍ରା ମଧ୍ୟ ଉଚ୍ଚ ହେଇଯାଇଛି ସତେ ଯେମିତି ତାକୁ ଜ୍ୱର ହେଇଛି । ପାଠାଗାରର ଝିଅମାନେ ତା ମୁଣ୍ଡକୁ ଆଉଁସି ଦେଉଥିଲେ । ତାକୁ କିଛି ବିସ୍କୁଟ ଖୁଆଇ ଦେଉଥିଲେ । କେହି କେହି ତାକୁ ପାଣି ପିଆଇ ଦେଉଥିଲେ । କିଛି ପୁଅମାନେ ମଧ୍ୟ ମଝିରେ ମଝିରେ ଆସି ତାକୁ ଆଶ୍ୱାସନା ଦେଉଥିଲେ ଯେ,"ତୁ ବିଲକୁଲ ଡରିବା ଦରକାର ନାହିଁ,ତୋ ଭାଇ ଅଛି, ଆମେ ସମସ୍ତେ ଅଛୁ" । ଏମିତି ଅନେକ କିଛି । ମୁଁ ଏସବୁ ଦେଖି କିଛି ବୁଝିପାରୁନଥିଲି । ବାହାରକୁ ଯାଇ ଦେଖ
ିଲି କିଛି ପୁଅପିଲା ଜଣେ ଯୁବକଙ୍କୁ ମାଡ ମାରୁଛନ୍ତି । ସେ ଯୁବକଟି ଦୌଡ଼ିବାକୁ ପ୍ରୟାସ କରୁଛି । ସେଠି ଉପସ୍ଥିତ ଥିବା କିଛି ଝିଅମାନଙ୍କୁ ଏପରି ପରିସ୍ଥିତିର କାରଣ ପଚାରିବାରୁ ସେ ଯାହା କହିଲେ ତାକୁ ଶୁଣି ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା । ମୁଁ କିଛି ସମୟ ପାଇଁ ସ୍ଥାଣୁ ପାଲଟିଗଲି । ହେ ଭଗବାନ ! ସତରେ କଣ ପୃଥିବୀରେ ଏତେ ପାପଭାର ବଢ଼ିଗଲାଣି ? ମାତ୍ର ଚାରିବର୍ଷର ଶିଶୁକନ୍ୟାକୁ ଉକ୍ତ ଯୁବକଟି ଚକୋଲେଟ ଦେବ କହି ଡାକି ଆଣିଥିଲା ଏକ ନିରୋଳା ସ୍ଥାନକୁ । ପାଠାଗାର ପଛପଟ ଏକ ଶୂନସାନ ସ୍ଥାନରେ ଯୁବକଟି ସେଇ କୁନି ଝିଅକୁ ଅସଦାଚରଣ କରୁଥିବା ସମୟରେ ହଠାତ ଝିଅଟିର କାନ୍ଦସ୍ୱର ପାଠାଗାରର ଉପର ମହଲାରେ ପାଠ ପଢୁଥିବା ଜଣେ ଛାତ୍ରଙ୍କର କାନରେ ବାଜିଲା । ସେ ସଙ୍ଗେ ସଙ୍ଗେ ଝରକା ଫାଙ୍କରେ କୁନି ଝିଅଟିକୁ ବଳାତ୍କାରର ପ୍ରୟାସ ଦେଖି କିଛି ଛାତ୍ରଙ୍କୁ ନେଇ ଉକ୍ତ ଝିଅଟିକୁ ରକ୍ଷା କରିବାପାଇଁ ଦୌଡ଼ିଲେ । ଈଶ୍ୱରଙ୍କ କୃପାରୁ କୁନି ଝିଅଟି ଧର୍ଷଣ ହେବାରୁ ଅଳ୍ପକେ ବଞ୍ଚିଗଲା । ଧର୍ଷଣକାରୀର ମନ୍ଦ ପ୍ରୟାସକୁ ଖଣ୍ଡନ କରି ଛାତ୍ରମାନେ ତାକୁ ନିକଟସ୍ଥ ଥାନାକୁ ନେଇଗଲେ । ପୋଲିସ ମଧ୍ୟ କୁନି ଝିଅଟିର ତଦାରଖ କରି ତାକୁ ସୁରକ୍ଷା ଦେଲା । ପରିସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଲା । ସମସ୍ତେ ନିଜ ନିଜ ପଢା ଟେବୁଲରେ ବସି ବହି ଉପରେ ଆଖି ଓ ମନ ରହି ପାଠ ପଢିଲେ । କିନ୍ତୁ ସମସ୍ତ ଝିଅ ମାନଙ୍କ ମନରେ ପ୍ରଶ୍ନ ଥିଲା ଯେ , "ଆମେ କଣ ସବୁବେଳେ ଅସୁରକ୍ଷିତ ?" ପ୍ରକୃତରେ ଯଦି ସାମାନ୍ୟ ଚାରି ବର୍ଷର ଶିଶୁ କନ୍ୟା ଯାହାର ଦେହର ସମସ୍ତ ଅଙ୍ଗ ଏବେବି ପରିପୂର୍ଣ୍ଣ ହେଇନି ସେ ଏମିତି ପରିସ୍ଥିତିର ଶିକାର ହେଇପାରୁଛି ତେବେ ଯୌବନରେ ପଦାର୍ପଣ କରିଥିବା ଯୁବତୀମାନେ କେତେ ସୁରକ୍ଷିତ ? କେତେଦିନ ଆଉ ମାଂସ ଲୋଭୀ ରାକ୍ଷାସମାନଙ୍କ କବଳରୁ ଝିଅଟିଏ ଡରି ଡରି ବଞ୍ଚିବ ? ଈଶ୍ୱରଙ୍କ ଶ୍ରେଷ୍ଠ ରଚନା ହେଉଛି ନାରୀ । ତେବେ ନାରୀର ଅପମାନ ଆଉ ନାରୀର ଧର୍ଷଣ କଣ ଈଶ୍ୱରଙ୍କ ଅପମାନ ନୁହେଁ କି ? ଏ ପ୍ରଶ୍ନ ଜନତାଙ୍କ ପାଇଁ ।