Bibhu Samanta

Romance

4.0  

Bibhu Samanta

Romance

ସରି ବାବୁ

ସରି ବାବୁ

3 mins
197


ସକାଳୁ ଆଜି ସୁମନ୍ତର ଗ୍ୟାସ ସରିଗଲା। ଭାବିଲା, ଛତୁଆ ଖାଇ ଅଫିସ ଚାଲିଯିବ। ହେଲେ ଭାଗ୍ୟକୁ ଛତୁଆ ବି ସରିଯାଇଛି। ଏଣେ ଅଫିସ ଡେରି ହେଉଛି। ଏଇ କେତେ ଦିନ ହେଲା ସେ ଗାୟତ୍ରୀ ସହ ଯାଉଛି, ତା କାର ରେ। ଗାୟତ୍ରୀକୁ ସାହାଯ୍ୟ ଟେ ମାଗିଲେ କେମିତି ହୁଅନ୍ତା!! କଲ ଲଗେଇଲା ଗାୟତ୍ରୀକୁ ,ସେ ବି ବ୍ୟସ୍ତତା ଭିତରେ ଆଉ ଫୋନ ଉଠେଇପାରିନି, କଲ ପରେ କଲ କରି ଚାଲିଲା ସେ। ଫୋନ ଟି ରିଂ ହେଇ ହେଇ କଟିଗଲା। ସମୟ କମ ଥିବାରୁ ସେ ନ ଖାଇ ସେମିତି ବାହାରି ପଡ଼ିଲା। ଖୁବ ରାଗ ହେଉଥିଲା ତାର ଗାୟତ୍ରୀ ଉପରେ, ଯେତେବେଳେ ଫୋନ କଲେ ବ୍ୟସ୍ତ, ଆଉ ତା ଫୋନ ନ ଉଠେଇଲେ, ପ୍ରଳୟ କରି ଦେବ। ଆସୁ ଆଜି ସେ, ଭଲ କି ଦି ପଦ ଶୁଣେଇଦେବ ତାକୁ। 


ଛକରେ ଠିଆ ହେଇ ଅପେକ୍ଷା କରିଛି, ବାରମ୍ବାର ଫୋନ ବାହାର କରି ଦେଖୁଛି ସମୟ ଓ ଗାୟତ୍ରୀର ମେସେଜ ସବୁ। ପ୍ରତି ମେସେଜରେ ଭଲ ପାଇବାର ମହକ। ଏତିକି ବେଳକୁ ପହଞ୍ଚିଲା ଗାୟତ୍ରୀ, ଆଗ ସିଟ ରେ ଥିଲା ରୁବି। ତେଣୁ ସେ ପଛସିଟ କୁ ଚାଲିଗଲା ଆଉ ବସିଲା। ଯାହା କହିବ ବୋଲି ଭାବିଥିଲା କିଛି କହି ପାରିଲାନି ରୁବି ଉପସ୍ଥିତିରେ। ତେଣୁ ମୁହଁ ଫୁଲେଇ ବସିଛି ସେ। ରିଅର ମିରରରେ ସବୁ ଦେଖିଛି ଗାୟତ୍ରୀ। ମନେ ମନେ ଉପଭୋଗ କରିଛି ଏ ଅଭିମାନକୁ। ଏତେ ଦିନ ର ସମ୍ପର୍କ ଭିତରେ ସେ ପଢ଼ିନେଇଛି ସୁମନ୍ତର ମନକୁ ବର୍ଣବୋଧ ପରି। ତା ରାଗ ରୁଷା , ମାନ ଅଭିମାନ ସବୁ ବୁଝିଛି।


ଅଫିସ ପାର୍କିଂ ରେ ଗାଡି ଷ୍ଟାର୍ଟ ବନ୍ଦ କଲା ବେଳକୁ ସେ ରୁବିକୁ କହିଲା, "ତୁ ଚାଲ ମୁଁ ଟିକେ ପରେ ଆସୁଛି।" ସୁମନ୍ତ ବି ଗାଡ଼ିରୁ ଓହ୍ଲେଇ ଚାଲି ଯାଉଥିଲା। ରୁବି ଯିବା ପରେ, ପଛରୁ ଡାକିଲା ଗାୟତ୍ରୀ, "ଶୁଣ ଟିକେ, ତମ ସହ ଟିକେ କାମ ଅଛି"।ସୁମନ୍ତ ଡେରି ହେଲାଣି କହି ଚାଲିଗଲା। ଦୁଇ ତିନି ଥର ଡାକିଲା ଗାୟତ୍ରୀ, ସୁମନ୍ତ ରାଗ ତମ ରେ ଚାଲିଯାଉଛି ସେମିତି। ଗାୟତ୍ରୀ ବଡ଼ ପାଟିରେ କହିଲା, "କେତେ ସମୟ ଆଉ ଭୋକରେ ରଖିବ ବାବୁ?" ଗାୟତ୍ରୀ ସ୍ନେହରେ ତାକୁ ବାବୁ ବୋଲି ଡାକେ। ସୁମନ୍ତ ନ ଦେଖି କହିଲା,"ମୁଁ କଣ କଲି? କାଲି ମଙ୍ଗଳବାର ଉପାସ ଥିଲା, ଆଜି ତ ବୁଧବାର।ଆଜି କଣ ପାଇଁ ଖାଇନ?" "ତମେ ଖାଇନ ବୋଲି" ଗାୟତ୍ରୀ ସହଜ ଉତ୍ତରଟେ ଦେଲା। ସୁମନ୍ତ ଆଶ୍ଚର୍ଯ୍ୟ ହୋଇ ବୁଲି ଚାହିଁଲା, ସେ ତ କାହାକୁ କହିିନି, ଗାୟତ୍ରୀ ଜାଣିଲା କେମିତି? ଗାୟତ୍ରୀ ଠିଆ ହୋଇଛି କାନ ଧରି ଅପରାଧୀ ପରି। ତା ସରୁ ସରୁ ଗୋଲାପୀ ଓଠରେ ହସ ଫୁଟେଇ କହୁଛି "ସରି ବାବୁ"। ସୁମନ୍ତ ଧାଇଁ ଯାଇ ତା ହାତ ଧରିନେଲା ଆଉ କହିଲା, "ଏଠି ଏମିତି ସମସ୍ତଙ୍କ ସାମ୍ନାରେ..." ଗାୟତ୍ରୀ କହିଲା, "ଭଲପାଏ ତୁମକୁ ମୁଁ । ଦୁନିଆ କଣ କହେ ମୁଁ ଡରିନି। ମୁଁ ଡରୁଛି ମୋ ପାଇଁ ତୁମ ଦେହ ଖରାପକୁ।" ସୁମନ୍ତ ଦେଖୁଥିଲା, ଗାୟତ୍ରୀ ଆଖିରେ ଲକ୍ଷେ ଫଗୁଣର ଖୁସି। ଆଉ ଗାୟତ୍ରୀ ସୁମନ୍ତ ଆଖିରୁ ପଢୁଥିଲା ତା ପେଟର ଭୋକକୁ।ଗାୟତ୍ରୀ ସବୁବେଳେ ଏମିତି କହିବା ଆଗରୁ ବୁଝିଯାଏ କେମିତି କେଜାଣି?


ସେମାନେ ଅଫିସ ପାଖ ଲନରେ ଗୋଟେ ଗଛ ଛାଇ ଦେଖି ବସିଲେ। ଗାୟତ୍ରୀ ଆଣିଥିଲା, ଘର ତିଆରି ଇଟିଲି ଆଉ ମଟର ତରକାରୀ। ସୁମନ୍ତକୁ ପାଟିରେ ଖୁଆଇ ଦେଲା ବେଳେ ସେ ପଚାରିଲା,"ତୁମେ କେମିତି ଜାଣିଲ ମୁଁ ଖାଇନି ବୋଲି?" ଗାୟତ୍ରୀ ହସି କହିଲା, "ରୋଷେଇ ଘରେ ବ୍ୟସ୍ତ ଥିଲି, ଦେଖିଲି ଫୋନ ରେ 14 ମିସଡ଼ କଲ। ତୁମ ଖାଇବା ସମୟର ଅଧଘଣ୍ଟା ମୋତେ ଫୋନ କରିବାରେ ସାରି ଦେଇଛ,ମାନେ ତୁମେ ଖାଇନ । ଫୋନ କରିଥିଲେ ଅଯଥା ଗୁଡ଼ାଏ ଗାଳି ଶୁଣିଥାନ୍ତି, ତେଣୁ ଚାଲି ଆସିଲି ମୁଁ ନ ଖାଇ ତରତର ହୋଇ, କିନ୍ତୁ ଭାଗ୍ୟ ଖରାପକୁ ରାସ୍ତାରେ ରୁବିର ଗାଡିର ଆଜି ଖରାପ। ସେ ସିଧା ଆସି ବସିଗଲା ଆଗ ସିଟ ରେ, ମନା କରିପାରିଲିନି। ଅନେକ ଦୂରରୁ ଦେଖି ସାରିଥିଲି ତୁମ ଶୁଖିଲା ମୁହଁ। ବୁଝିଗଲି ମୋ ବାବୁ ଆଜି ଖାଇନାହାନ୍ତି ବୋଲି।"


 ସୁମନ୍ତ ବୁଡିଯାଇଥିଲା ଗାୟତ୍ରୀ ଆଖିରେ, ତା ମାନ ଅଭିମାନ କୁଆଡେ ଧୋଇହୋଈ ଗଲା, ଗାୟତ୍ରୀର ଭଲ ପାଇବାରେ। ସେମାନେ ଯିବା ପରେ, ଠିକ ତାଙ୍କ ଜାଗାରେ ବସିଥିଲେ ଦୁଇଟା ବଣି ଚଢେଇ। ତଳେ ପଡିଥିବା ଖାଦ୍ୟ ଖାଇ ସେମାନେ କରୁଥିଲେ ମାନଭଞ୍ଜନ; ରାଧା କୃଷ୍ଣ ହୋଇ, ଏଥର କିନ୍ତୁ ମାନ କରିଥିଲେ କଳା କାହ୍ନୁ ଆଉ ମାନଭଞ୍ଜନ କରୁଥିଲେ ପ୍ରେମପାଗିଳିନୀ ଶ୍ରୀରାଧା।


Rate this content
Log in

Similar oriya story from Romance