ସର୍ ପ୍ରାଇଜ୍
ସର୍ ପ୍ରାଇଜ୍


ମୁଁ କନିଷ୍କ;ଇତିହାସର ମୁଣ୍ଡ ନଥିବା ଚିତ୍ର ପଟ୍ଟ ନୁହେଁ ବଉଳ ଝରି ଗାଁର କନିଷ୍କ,କନୁଆ। ବୟସ ତେତିଶି। ବାଙ୍ଗାଲୋରରେ ଗୋଟେ କମ୍ପାନୀରର ପୋଗ୍ରାମର। ସ୍ମାର୍ଟ ସିଟି ରେ ତିନି ମହଲା କୋଠା। ଏଇ ଅଳ୍ପ ଦିନ ହେବ ମୋର ବିବାହ ସରିଛି। ବିଶ୍ୱଭାରତୀ ମୋ ମିସେସ୍ ଯାହାକୁ ମୁଁ 'ବିଭି'ଡାକେ;ଖୁବ୍ ସୁନ୍ଦରୀ,ମେଳାପୀ। ବିଭିକୁ ମୁଁ ଯେତିକି ଭଲ ପାଏ ସେ ମୋତେ ଠିକ୍ ସେତିକି ଭଲ ପାଏ ଯାହା ମୋର ଏକାନ୍ତ ନିଜସ୍ୱ ବିଶ୍ୱାସ। କାରଣ ବିଭି ମୋ ସହପାଠିନୀ ଓ ସହକର୍ମୀ ମଧ୍ୟ। ଦୁଇ ଜଣ ଯାକ ଇଞ୍ଜିନିୟର। ଅବଶ୍ୟ ଭିନ୍ନ କମ୍ପାନୀ ଜବ୍। ଲଭ୍ ମ୍ୟାରେଜ ବି।
ମଝିରେ ପ୍ରମୋସନ୍ ପାଇଁ ମୋତେ ତିନି ମାସ ଦିଲ୍ଲୀ ଯିବାକୁ ହେଲା। କଣ କରିବି ବିଭି ଏକା କେମିତି ରହିବ। ଆଗରୁ ସେ ମହିଳା ହଷ୍ଟେଲରେ ରହୁଥିଲା। ମ୍ୟାରେଜ ପରେ ଆମେ ଫ୍ଲାଟ୍ ଟିଏ ଭଡା ନେଇ ରହୁଛୁ। ବଡ଼ ଫ୍ଲାଟ୍। ଜଣେ ଲେଡିଜ୍ ରହିବାରେ ଟିକେ ଅସୁବିଧା ହେବ। ତା ଛଡା ଅବିବାହିତ ବେଳେ ଏକା ଏକୁଟିଆ କିଛି ଭୟ କି ବ୍ୟସ୍ତତା ଦିଏନି। ଯାହା ବିବାହ ପରେ ଦିଏ। ବିବାହ ପରେ ଜୀବନ ଜୀଇଁବା ସମ୍ପୂର୍ଣ୍ଣ ବଦଳି ଯାଏ। ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ଅନ୍ୟ ବିନା ବଞ୍ଚିବ କାଇଁ କି କେଜାଣି କଷ୍ଟ ଦିଏ। ରେଳଗାଡି ପରି ବିବାହିତ ଜୀବନ ରେଳ ଧାରଣା ଉପରେ ଚାଲେ। ଶୁଙ୍ଖଳିତ ଅଙ୍କୁଶ ଲାଗେ ମନମୁଖୀ କାର୍ଯ୍ୟରେ। ଅବିବାହିତ ଜୀବନ ଲଗାମ ହିଁନ ଘୋଡା ପରି। ଯୁଆଡେ ଚାହେଁ ତେଣେ ଡିଏଁ।
ବିଭି କିନ୍ତୁ କହିଲା ତୁମେ ଯାଅ କନିଷ୍କ ମୋର କିଛି ଅସୁବିଧା ହେବନି। କାମବାଲୀ ତ ଆସୁଛି। ଅଫିସରେ ପ୍ରାୟ ସମୟ କଟିଯିବ। ଖାଲି ରାତିଟା। ଚଲେଇ ନେବି। ତୁମେ ବିନା ଦ୍ବିଧାରେ ଯାଅ।
ତଥାପି ମନ ବୁଝିଲା ନାହିଁ। ଆଜିକାଲି ଯୁଗ ଯାହା। ଏକା ରହୁଥିବା ସୁରାଗ ପାଇ ଦୁର୍ବୃତ୍ତ ମାନେ କିଛି ବି ଘଟାଇ ପାରନ୍ତି। ବହୁତ ଭାବି ଚିନ୍ତି ' ପ୍ରବୀଣ'ମୋର ଜଣେ ଘନିଷ୍ଠ ବନ୍ଧୁ ଆମ ପାଖାପାଖି ଫ୍ଲାଟ୍ ରେ ରହୁଥିଲା। ତାରି ଜିମା ଦେଇ ବିଭିର ଦିଲ୍ଲୀ ଗଲି। ଆବଶ୍ୟକ ହେଲେ ବିଭି ପ୍ରବୀଣ ର ସାହାଯ୍ୟ ନେବ ବୋଲି କହି ଗଲି।
ବିଭି ପ୍ରଥମେ ପ୍ରଥମେ ମୋତେ ବହୁତ ମିସ୍ କରୁଥିଲା। ଅଫିସରୁ ଆସି ଘଣ୍ଟା ଘଣ୍ଟା ଡୁଓ କଲ୍ କରୁଥିଲା। ମୋ ବିନା ତାର ବଂଚିବା ବହୁତ କଷ୍ଟ ଲାଗୁଛି କହୁଥିଲା। ଆମେ ସ୍ଥାନ ବିଶେଷରେ ଦୁରେ ଥିଲୁ ସତ ମନ,ଶରୀର ଓ ଆମ ପ୍ରେମ ଦୁହେଁ ଦୁହିଁଙ୍କ ପାଖରେ ଥିଲେ। ଦୁଇଟି ଶରୀର ଥରେ ଗୋଟିଏ ହେଲା ପରେ ଆଉ ଦୁଇଟି ଅଲଗା ହେବାକୁ ଚାହାନ୍ତି ନାହିଁ। ଉଭୟେ ସ୍ୱାମୀ ସ୍ତ୍ରୀ ନିହାତି ପାଖାପାଖି ରହିବାକୁ ଲାଳାୟିତ ହୁଅନ୍ତି। ଦିନ ସାରା ବ୍ରେନ ଖଟାଇ ଥକା ପଣ ମେଣ୍ଟିଯାଏ ପରସ୍ପରର ସହବାସ ସୁଖରେ। କ୍ଲାନ୍ତ ଶରୀର ପୁଣି ପ୍ରସ୍ତୁତ କରେ ନିଜକୁ ଆସନ୍ତା କାଲି କାର୍ଯ୍ୟ ପାଇଁ।
ଅଳ୍ପ ଦିନ ଦାମ୍ପତ୍ୟ ସୁଖ ପାଗଳା କରୁଥିଲା ମୋତେ। ବିଭି ତ ମୋ ପରି ହେଉଥିବ,ଭାବି ଆହୁରି ବ୍ୟସ୍ତ ଲାଗୁଥିଲା। ନହେଲେ ନାଇଁ ପଛେ ପ୍ରମୋସନ୍ ମୋର ଏ ପ୍ୟାକେଜକୁ ଗ୍ରହଣ କରିବାର ନଥିଲା। ଓଃ ବହୁତ ଖୋଜୁଥିଲା ମୋ ଦେହ ମନ ବିଭିକୁ। ଫୋନ୍ ରେ ଦେଖା, କଥା ହେବାରେ ଦୁଇ ଜଣ ବିରହୀ ନବ ବିବାହିତ ଦମ୍ପତି ନିଜକୁ ବୁଝେଇ ନେଉଥିଲୁ। ମୋତେ ବିଭି କିସ୍ ଡାକେ। ପ୍ରାୟତଃ ବିଭି କୁହେ କିସ୍ ମୁଁ ତୁମକୁ ବହୁତ ମିସ୍ କରୁଛି। ଶିଘ୍ର କାମ ସାରି ଚାଲି ଆସ କିସ୍।
କିସ୍ ନିଜକୁ ଭାଗ୍ୟବାନ ମନେକରେ;ଏପରି ଲଭିଂ ସ୍ତ୍ରୀଟିଏ ପାଇ। ଆସ୍ତେ ଆସ୍ତେ ବିଭିର
ବ୍ୟସ୍ତତା କମି ଆସିଲା। ଦିନେ ଦିନେ ଆଦୌ ଫୋନ୍ ବି କରେନି। କନିଷ୍କ ପ୍ରମାଦ ଗଣେ। ଦେହ ମୁଣ୍ଡ ଭଲ ନାହିଁକି ବିଭିର। ଫୋନ୍ କଲେ ବି ସଂଗେ ସଂଗେ ଉଠାଏନି। ଛଟ୍ ପଟ ଲାଗେ। ପ୍ରବୀଣ କୁ ପଚାରେ ବିଭି ବିଷୟରେ। ସେ କୁହେ ବିଭି ଭଲ ଅଛି। ପ୍ରତଦିନ ଅଫିସ ଯାଉଛି। ହଁ ଟିକେ ଆଗ ଅପେକ୍ଷା ଗମ୍ଭୀର ଲାଗୁଛି।
ଆହୁରି ଚିନ୍ତା ବଢିଗଲା ମୋର। ତିନି ମାସ ସରିବା ଉପରେ। ବିଭିକୁ ଫୋନ୍ କଲେ କୁହେ ୱାର୍କ ଲୋଡ଼ ଅଛି ସେ ପାଇଁ ଫୋନ୍ କରି ପାରୁନି କୁହେ। ତା ସ୍ୱରରୁ ମୁଁ କିଛି ପରିବର୍ତ୍ତନର ଆଭାସ ପାଏ। କିନ୍ତୁ ଯେତେ ପଚାରିଲେ ବିଭି ଏଡେଇ ଦିଏ କିଛି ହୋଇନି କୁହେ। ଖାଲିଟାରେ ମୁଁ ବ୍ୟସ୍ତ ହେଉଛି ବୋଲି ଗେହ୍ଲେଇ ହୁଏ। ଏ ପୁରୁଷ ଜାତିଟା ସ୍ତ୍ରୀର ଗେହ୍ଲା ପଣରେ ଭାସିଯାଏ ବୁଦ୍ଧୁ ପରି।
ହଁ ଦ୍ଵନ୍ଦରେ ତିନି ମାସ କଟିଗଲା। ମୁଁ ବିଭିକୁ ସର୍ ପ୍ରାଇଜ୍
ଦେବି ବୋଲି ଫେରିବା ଡେଟ୍ ନ ଦେଇ ଆଉ କିଛି ଦିନ ଡେରି ହୋଇ ପାରେ ବୋଲି କହିଲି। କିନ୍ତୁ ଠିକ୍ ତିନି ମାସ ଯେଉଁଦିନ ପୁରିଲା ସେଦିନ ବିଭି ପାଖକୁ ଫେରିବା ଖୁସିରେ ଆତ୍ମହରା ହୋଇ ରାତି ୯ଟାରେ ଯାଇ ମୁଁ ଫ୍ଲାଟରେ ପହଞ୍ଚିଲି। କଲିଙ୍ଗ ବେଲ୍ ବଜାଇବାରୁ ଫ୍ଲାଟ୍ ଦ୍ୱାର ତ ଖୋଲିଲା;କିନ୍ତୁ ସବୁଦିନ ହଜି ଗଲା ମୋ ଜୀବନର ଖୁସି। ହୋଟେଲ ବୟ ଖାଦ୍ୟ ନେଇ ଆସିଛି ଭାବି ଡୋର୍ ଖୋଲିଲା ମୋ ଅଫିସର୍ ଜଣେ ଷ୍ଟାପ୍ 'ବିଭ୍ରାନ୍ତ'। ଷ୍ଟାପ୍ କହିଲେ ଭୁଲ୍ ହେବ ବିଭ୍ରାନ୍ତ ଜଣେ ଚରିତ୍ରହିଁନ ମଣିଷ। ହଜାରେ ଝିଅଙ୍କ ସହ ସମ୍ପର୍କ। ଦିନେ ବିଭି ପଛରେ ଜୋକ ପରି ଲାଗି ଯାଇଥିଲା ଏକ ତରଫା ଭଲ ପାଇ। ମାତ୍ର ବିଭି ତା ଭଲ ପାଇବାକୁ ଗୋଡ଼ରେ ଆଡେଇ ମୋତେ ଭଲ ପାଏ ଓ ବିବାହ କରିବାକୁ ଘୋଷଣା କରିବାରୁ ବିଭ୍ରାନ୍ତ ଚୁପ୍ ହୋଇଯାଇଥିଲା। ସେ ମୋ ବେଡ୍ ରୁମ୍ ରେ ଆଉ ବିଭି ଅତି ମାରାତ୍ମକ ଅବସ୍ଥାରେ ଶେଯରେ ନିଶାରେ ଚୁର୍ ହୋଇ କହୁଥିଲା କଣ ହେଲା "ଡାର୍ଲିଂଗ ଆରେ ଆସନା। ହୋଟେଲ ବୟ ଖାଦ୍ୟ ଆଣିଲା ତ..."
ମୋତେ ଦେଖି ବିଭ୍ରାନ୍ତ ଥରିବାକୁ ଲାଗିଲା। ତା ଅସଂଯତ ପିନ୍ଧା ବସ୍ତ୍ର ନ ସଜାଡି ମୋତେ ଠେଲି ଦେଇ ଦୌଡ଼ି ପଳାଇଗଲା। ଆଉ ମୁଁ ଯେପରି ଜୀବନ ହିଁନ। ନଥ୍ କରି ତଳେ ବସି ପଡିଲି। ଲାଗିଲା ଘରଛାତ ସତେ କି ମୋ ମୁଣ୍ଡ ଉପରେ ଖସି ପଡୁଛି। ମୁଁ ଚାପି ହୋଇ ଯାଉଛି ଚଟାଣ ତଳେ।
ରାତି ସାରା ମୋ ନିଜ ଆଖିର ପାଣିରେ ଗାଧୋଇ ପଡିଲି ମୁଁ। କେତେ ଖୁସିକୁ ମନ ଭିତରେ ସାଇତି ସର୍ ପ୍ରାଇଜ୍ ଦେବି ବୋଲି ଆସିଥିଲି;କିନ୍ତୁ ନିଜେ ଅଦ୍ଭୁତ ସର୍ ପ୍ରାଇଜ୍ ପାଇଗଲି।
ରାତି ସାରା ନିଶାରେ ଝୁମି ଝୁମି ବିଭି "ବିଭ୍ରାନ୍ତ ଆରେ ଆସ ପ୍ଲିଜ଼। କୁଆଡେ ଗଲ" କହି କହି ଶୋଇ ପଡିଲା। ଶୋଇ ପଡିଲା କନିଷ୍କ ଖୁସି,ସଂସାର ସବୁ କିଛି।
ସକାଳ ଆଠଟାରେ ବିଭିର ନିଦ ଭାଙ୍ଗିଲା। କନିଷ୍କକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା ତୁମେ କେତେବେଳେ
ମୁଁ ଲୁହ ଢଳ ଢଳ ଆଖିରେ ଟିକିଏ ବିଭି ମୁହଁକୁ ଚାହିଁଲି। କାରଣ ଏହା ପରଠାରୁ ତା ମୁହଁ ଦେଖିବା ଅଧିକାର ମୁଁ ନିଜେ ହରାଇବି। ଏବଂ ତା ହାତରେ ଧରାଇ ଦେଲି ଗୋଟେ ଖାମ୍। ବହୁତ ଭାବି ଚିନ୍ତି ମୁଁ ଗୋଟେ ନିଷ୍ପତ୍ତି ନେଲି। ଜୀଉଁ ବିଭି ତା ଖୁସିର ଜୀବନ। ମୁଁ କାହିଁକି ବାଧା ହୋଇ ଠିଆ ହେବି। ସେ ଖୁସିରେ ରହୁ ଏହାହିଁ ଚାହେଁ। କାରଣ ବିଭିକୁ ମୁଁ ଖୁବ୍ ଭଲ ପାଏ।
ବିଭି ଖାମଟି ଖୋଲି କହିଲା ଥରିଲା ସ୍ୱରରେ କହିଲା, "ଡିଭୋର୍ସ ପେପର୍"