Satyabati Swain

Romance

4  

Satyabati Swain

Romance

ସପ୍ତମ ଋତୁ

ସପ୍ତମ ଋତୁ

7 mins
294


ସପ୍ତମ ଋତୁର ନାଁ ପ୍ରେମ !!


ଋତୁ ଶ୍ରେଷ୍ଠ ବସନ୍ତ ; ଋତୁରାଜ। ମଧୁକାଳ ମଧୁମୟ ।ପ୍ରକୃତି ପ୍ରେମିଳ ରଙ୍ଗୀନ ଓ ବାସ୍ନାରେ ମହ ମହ । ଅବିର ହସେ ମଲ୍ଲୀ ବାସେ।ଚଇତି ଘୋଡ଼ା ନାଚେ।ଆମ୍ବ ଡାଳେ ପଞ୍ଚମ ତାନରେ ମିଠା ମିଠା ସୁରରେ  ମିଳନ ଗୀତି ଗାଏ। ଶୀତଳ ମଳୟ ଧୀରେ ଧୀରେ ଛୁଇଁଯାଏ ବିରହି ପ୍ରାଣ। ପ୍ରାଣ ପାଚୁର୍ଯ୍ୟରେ ହସେ ଧରା ଓ ପ୍ରତି ହୃଦୟ।


ମନୁଷ୍ୟ ଜୀବନର ପ୍ରେମ ବସନ୍ତ ଋତୁ ପରି।ଏ ସମୟରେ କେବଳ ବସନ୍ତ ହିଁ ବସନ୍ତ ବିରାଜମାନ କରିଥାନ୍ତି।ମନରେ ଫଗୁଣ ଅବିର ନେସି ହୋଇଯାଏ ସବୁ ସମୟ।ହୃଦୟରେ ପ୍ରେମ ଚଇତି ବାଆ ବହେ ଆନମନା କରି। କାନରେ ଶୁଭେ ପ୍ରେମର ମିଠା ମିଠା କୋଇଲି କୁହୁ, ଆଖିରେ ପେନ୍ଥା ପେନ୍ଥା ସ୍ୱପ୍ନର ମଲ୍ଲୀ ଫୁଲ ମହକ ମହକିତ କରେ  ଶିଉଳି ଭର୍ତ୍ତି ଚାଲିବା ରାସ୍ତା  ଯୌବନ। ଯୌବନରେ ପ୍ରେମ ସମସ୍ତ ଜୀବଙ୍କର ଇପ୍ସିତ କାମନା। ପ୍ରେମ ଜୀବନକୁ ମଧୁମୟ ଓ ଲୋଭନୀୟ କରେ ! ବେଳେ ବେଳେ ବାଟବଣା କରେ ବି।


ମୁଁ ବି ଏଇ ସପ୍ତମ ଋତୁ ପ୍ରେମରେ ପାଗଳ ଥିଲି। 


ମୋ ଜିଲୁ ନାନୀ ସାଙ୍ଗ ରିମି ନାନୀ । କେବେ କେବେ ସେ ଆମ ଘରକୁ ଆସନ୍ତି। ସେ ଆମ ଘରକୁ ଆସିଲେ ସବୁଠାରୁ ବେଶୀ ଖୁସି ହୁଏ ମୁଁ। ଯିବା ଯାଏ ତାଙ୍କ ପାଖ ଛାଡେନି।  ସାଙ୍ଗରେ ଖାଏ।ସେ ଯେଉଁଠି ବସନ୍ତି  ତାଙ୍କ ପାଖରେ ଖୁନ୍ଦେଇ ହୋଇ ବସେ। ଯିବା ଯାଏ ତାଙ୍କ ସାଙ୍ଗ ଆଦୋୖ ଛାଡେନି। ଜିଲୁ ନାନୀ ଓ ସେ ଠୁଲୁ ଭାଇନାଙ୍କ ବିଷୟରେ କି କି କଥା ହୋଇ ହସନ୍ତି। ସେମାନେ ହସନ୍ତି କାରଣ ଥାଇ। ମୁଁ ହସେ  କାରଣ ନ ଥାଇ। 


ମୋ ବଡ଼ ନାନୀ ତଳକୁ କୁଲୁ ନାନୀ । ସେ କୁହେ ଟିଲୁ ଆମର ମାଇଚିଆଟା ।ଖାଲି ଝିଅ ପିଲାଙ୍କ ସହ ସାଙ୍ଗ ହେଉଛି। ଦେଖୁନ ରିମିନାନୀ ଆସିଲେ ଟିଲୁର କି ଖୁସି ! ବିଲେଇଙ୍କ ପରି ଘଷି ହେଉଛି।  ରିମିନାନୀ ବି ସେମିତି।ତାକୁ ଲାଞ୍ଚୁଆ କରି ଦେଇଛନ୍ତି। ପ୍ରତି ଥର ତା ପାଇଁ ଭଳିକି ଭଳି ପେନ୍ ଓ  ଚକୋଲେଟ୍ ଆଣି ଆସୁଛନ୍ତି । ଏ ଟିଲୁ ତୁ ଯା। ଆମେ ଝିଅ ପିଲା। ତୁ କଣ ଆମ ସହ ଏତେ ସାଙ୍ଗ ହେଉଛୁ ?


ମୁଁ ଖତେଇ ହୋଇ କୁହେ  ହୁଁ ତୋର କଣ ଗଲା । ମୁଁ ରିମିନାନୀ ସହ ସାଙ୍ଗ ହେବି ଯା। ରିମିନାନୀ ମୁଁ ତୁମ ସାଙ୍ଗଟି ? 


ଆଉ କହିବାକୁ ଅଛି। ଟିଲୁ ପରି ସାଙ୍ଗ ମୋର ଆଉ କେହି ଅଛି ? ଏ କଥା କହି ସେ ହସି ହସି ଗଡି ଯାଆନ୍ତି। ସେ ଯେ ଥଟ୍ଟାରେ ଏମିତି କୁହନ୍ତି ମୁଁ ବୁଝି ପାରେନା। ବରଂ ତାଙ୍କ କଥା ଶୁଣି ମୋ ମନ କୁଣ୍ଢେ ମୋଟ ହୋଇଯାଏ।


ଗେଲେଇ କି କୁହେ ସେଇ କଥା ଏଲୁ ନାନୀକୁ କୁହ ତ ରିମି ନାନୀ। ତୋ ପାଇଁ ରିମି ନାନୀ ଚକୋଲେଟ୍ ଆଣୁ ନାହାଁନ୍ତି ବୋଲି ମୋତେ ତୁ ଈର୍ଷା କରୁଛୁ, ନାଇଁ ? ଏଲୁ ବିଲେଇ କହି ଜିଭ ଦେଖେଇ ଖତେଇ ହୁଏ।


ଏଲୁ ନାନୀ ମୋ ପିଠିରେ ଦୁମୁ ଦୁମୁ ଦିଟା ବସେଇ କୁହେ ମୁଁ ବିଲେଇ ହେଲେ ତୁ ବିଲେଇ ଭାଇ କଟାସ।


ହୁଁ..ହୁଁ ମାଆ ଏଲୁ ନାନୀ ମୋତେ କଟାସ କହୁଛି। 


ମାଆ କୁହେ ତୋର ଭାତ ହଜମ ହେଉନାହିଁ କି ଏଲୁ ? ସବୁବେଳେ ଛୁଆଟା ସହ ଲଗେଇଛୁ ?


ଛୁଆ ! ଦେଖିଲୁ ତୋ ପୁଅ ମୋ ଠାରୁ ବି ଡେଙ୍ଗା ହେଲାଣି, କହୁଛି ଛୁଆ।


ମୁଁ ସସଳିଆରେ ବଢି ଯାଇଛି ନା , ଛୁଆ ନୁହେଁ ଆଉ କଣ ?


ବୁଢା ! ତୁ ଷଷ୍ଠରେ ପଢ଼ିଲୁଣି ଟି ? ଛୁଆ ହୋଇ ରହିଛୁ ?


ମାଆ ବିଗିଡେ । କାହିଁକି ଏମିତି ଘରଟାକୁ ପକାଉଛ ଉଠାଉଛ କହି ରାଗେ। ମାଆ ରାଗିବା ଦେଖି ତୁନି ପଡ଼ିଯାଏ ଏଲୁ ନାନୀ।


ପିଲା ଦିନେ ଏଲୁ ନାନୀର ଓ ମୋର ଆଦୋୖ ପଡେନି

।ସବୁ କଥାରେ ସେ ମୋ ସହ ବାଦ କରେ।ଅଭିଯୋଗ କରେ ଯେ ଘରେ ମୋତେ ଓ ଜିଲୁ ନାନୀକୁ ସଭିଏଁ ଅଧିକ ଭଲ ପାଆନ୍ତି। ମଝି ପାହାଚ ବୋଲି ତାକୁ କେହି ଭଲ ପାଆନ୍ତି ନାହିଁ। ଜେଜେମା କୁହେ ତୁ ପରା ଆମର ପୁଅ କଣ୍ଢେଇ ଝିଅ। ତୋତେ କିଏ ଭଲ ପାଇବ ନାହିଁ ?


ଏଲୁ ନାନୀ ମୁହଁ ଫୁଲାଏ। ଏମିତି କି ସମସ୍ତଙ୍କ ଭଲ ପାଇବାରେ ବି ସେ ମୋ ସହ ଭାଗ ବସେ। ଜିଲୁ ନାନୀ କିନ୍ତୁ ମୋତେ ଭାରି ଭଲ ପାଏ। ମୋ ଭାଇ ମୋ ଭାଇ କହି ସବୁବେଳେ କୋଳରେ ପୁରେଇଥିବ।


ପିଲା ବୟସରୁ ଆସ୍ତେ ଆସ୍ତେ ଆମେ ବଡ଼ ହେଲୁ। ଜିଲୁ  ନାନୀ ଦଶମ ବେଳକୁ କୁଲୁ ନାନୀର ନବମ ଓ ମୋର ଅଷ୍ଟମ।ବୟସ ତୁଳନାରେ ମୋ ସ୍ଵଭାବ ଅତି ପିଲା। ପିଲା ଦିନେ ଯେମିତି ନାନୀଙ୍କ ସହ ସାଙ୍ଗ ହେଉଥିଲି ବଡ଼ ହେଲା ପରେ ବି ସେମିତି ସାଙ୍ଗ ହେବା ଛାଡ଼ିଲି ନାହିଁ। ମୋର ଦଶମ ବେଳକୁ ସେମାନେ କଲେଜରେ । ଜିଲୁ ନାନୀ ଓ କୁଲୁ ନାନୀ ଅଲଗା ଅଲଗା ହଷ୍ଟେଲରେ ରହି ପଢିଲେ। ତାଙ୍କ ସହ ରିମି ନାନୀ ବି।


ମୁଁ ଘରେ ଏକା ହୋଇଗଲି। ମୋତେ କେହି ମାଇଚିଆ କହିବାକୁ ନ ଥିଲେ କି ମୋର ଖାଇବାଠାରୁ ଆରମ୍ଭ କରି କେଉଁଥିରେ ଭାଗ ବସିବାକୁ କେହି ନ ଥିଲେ

।ସେମାନେ ଥିଲେ ବୋଲି ରିମି ନାନୀ ଆସୁଥିଲେ। ସେମାନେ ପଢିବାକୁ ଗଲାରୁ କିଏ କୁଆଡେ ରହିଲେ ଯାହା ମୋ ମନ ଝୁରିଲା। 


କେଜାଣି ରିମି ନାନୀ ମୋତେ ଏତେ ଭଲ ଲାଗନ୍ତି କାହିଁକି ? ଛୁଟିରେ  ଦୁଇ ନାନୀ ଘରକୁ ଆସିଲେ ମୋତେ ଭାରି ଭଲ ଲାଗେ। କୁହନ୍ତୁ ପଛେ ମାଇଚିଆ ,ହୁଅନ୍ତୁ ପଛେ ସବୁଥିରେ ଭାଗ ସେମାନେ ମୋ ପାଖରେ ରୁହନ୍ତୁ ବୋଲି ଇଚ୍ଛା ଟିଏ କରେ। ସେମାନେ ଆସିଲେ ରିମି ନାନୀ ଆସିବେ ବୋଲି ଅପେକ୍ଷା ରଖେ। କିନ୍ତୁ ରିମି ନାନୀ ଆସନ୍ତି ନାହିଁ। ମୁଁ କିନ୍ତୁ ରିମି ନାନୀ ଆସିବାକୁ ଅପେକ୍ଷା ରଖେ।


ରିମିନାନୀ ଆମ ଘରକୁ କାହିଁକି ଆଉ ଆସୁ ନାହିଁ କି ଜିଲୁ ନାନୀ ?


ସିଏ ଇଞ୍ଜିନିୟର ପଢୁଛି ରାଉରକେଲାରେ। କଷ୍ଟ ପାଠ ।ତାକୁ ଏବେ ବେଳ କାହିଁ ସାଙ୍ଗ ହେବାକୁ।


ତୁ ଇଞ୍ଜିନିୟରି ପଢ଼ିଲୁ ନାହିଁ ?


ଏକରେ ମୁଁ ତ ପାଠରେ ଗଧି ।ଦ୍ଵିତୀୟରେ ଆମ ନନା ଜଣେ ମନ୍ଦିର ପୂଜକ। ଏତେ ଟଙ୍କା କେଉଁଠୁ ଆସିବ ଯେ ଆମେ ଇଞ୍ଜିନିୟର ପଢିବା ?


ଓଃ ଟଙ୍କା ଥିଲା ଵାଲା କେବଳ ଇଞ୍ଜିନିୟରିଙ୍ଗ୍ ପଢ଼ନ୍ତି!


ଆରେ ବୁଦୁ ଟଙ୍କା ସହ ମୁଣ୍ଡ ଥିବା ଦରକାର। ଭଲ ପଢ଼ୁଥିବା ପିଲା ସିନା ଇଞ୍ଜିନିଅରିଙ୍ଗ୍ କି ଡାକ୍ତରୀ ପଢିବେ। ମୋ ଭଳି ଗାନ୍ଧୀ ଡିଭିଜନ ଵାଲା ସେ ସବୁ କେଉଁଠୁ ପାରିବେ ?


ମୋତେ ତାହେଲେ ଭଲ ପଢିବା ଦରକାର। ମୁଁ ବି ଇଞ୍ଜିନିୟର ପଢିବି ରିମି ନାନୀ ପରି । ମନ କଥା ମନରେ ରଖି ମୋର  ଦଶମ ସରିଗଲା। କଲେଜ ଗଲି। ଜିଲୁ ନାନୀ ବିଏ ପରେ ବି ଇ ଡି କରିବ ମନସ୍ଥ କଲା। ଏଲୁ ନାନୀର ପ୍ଲସ ଟୁ କମର୍ସ। ମୁଁ ପ୍ଲସ ଟୁ ସାଇନିସ ପ୍ରଥମ ବର୍ଷ ଛାତ୍ର । ଦଶମ ପରେ ତୋଫା ଗୋରା ଚେହେରାକୁ ମୋଟା ପଇତା ପକା ଖୋଲା ଦିହ ଦେଖି ହଷ୍ଟେଲରେ ମୋ ସାଙ୍ଗ ମାନେ କୁହନ୍ତି କି ବଡି ବନେଇଛୁ ବେ ଟିଲୁ ପୁରା ହିତ୍ରିକ ରୋଶନ ପରି ଲାଗୁଛୁ। ହୁସିଆର ଥିବୁ ଝିଅ ଗୁଡା ଭାରି ଏମିତି ଚେହେରା ରଙ୍କୁଣୀ।ପାଲରେ ପକେଇ ଦେବେ।


କଅଁଳ ଶୈଶବ, କୋମଳ କୈଶୋର ଛାଡି ମୋ ପାଦ ଏବେ ଯୌବନ ପାହାଚରେ। ଏଇ ବିଚିତ୍ର ଓ ଅଦ୍ଭୁତ ଅନୁଭବ ଦେଉଥିବା ବୟସ ଜାଣିନି ରିମିନାନୀଙ୍କୁ କାହିଁକି ଖୁବ୍ ଖୋଜେ। କେବଳ ରିମିନାନୀ ସହ ସାଙ୍ଗ ହେବି ବୋଲି ମୁଁ ବି ଭଲ ରାଙ୍କ ରଖି ଗମେଣ୍ଟ ସିଟ୍  ପାଇ ଇଞ୍ଜିନିୟରିଙ୍ଗ୍ ପଢ଼ିଲି ସେ ପୁଣି ରାଉରକେଲାରେ। ଘରେ ସମସ୍ତେ ଖୁସି ରିମିନାନୀ ସେଠି ଅଛି ମୋର କିଛି ଅସୁବିଧା ହେବ ନାହିଁ। ମୁଁ କିନ୍ତୁ ଜାଣେ ରାଉରକେଲା କାହିଁକି ଫାଷ୍ଟ ଅପ୍ସନ ଦେଇଥିଲି କାଉଁସିଲିଂ ବେଳେ।


ରିମିନାନୀର ଇଞ୍ଜିନିୟର ଲାଷ୍ଟ୍ ଇଅରକୁ ମୋର ଫାଷ୍ଟ ଇଅର୍। ଗୋଟିଏ ବର୍ଷ ଅନ୍ତତଃ ରିମିନାନୀ ସହ ସାଙ୍ଗ ହୋଇ ପାରିବି ବୋଲି ଖୁସି ହୋଇ ରାଉରକେଲା ଇନଜିନିୟରିଂ କଲେଜରେ ପଢିବାକୁ ଗଲି।ପହଂଚିବା କ୍ଷଣି ରିମିନାନୀକୁ ଫୋନ୍ ଲଗେଇଲି।


ହାଲୋ ରିମିନାନୀ ମୁଁ ଟିଲୁ କହୁଛି।


ଟିଲୁ !! ଉଛ୍ୱସିତ ସ୍ୱରରେ ରିମିନାନୀ କହିଲା।


ମୁଁ ବଏଜୄ  ହଷ୍ଟେଲ୍  ନମ୍ବର ୱାନ ଏଗାର ନମ୍ବର ରୁମ୍ ରେ ଅଛି। ତୁମକୁ କେମିତି ଦେଖା କରିବି ? ମାଆ ତୁମ ପାଇଁ ଆରିସା ପିଠା ଦେଇଛି।


ଆରିସା !! ମୋ ପ୍ରିୟ ପିଠା। ଆଚ୍ଛା ଠିକ୍ ଅଛି ।ସେଇ ହଷ୍ଟେଲ ରୁମ୍ ନମ୍ବର ବାଇଶିରେ ରୋହିତ ଅଛି।ତା ହାତରେ ଦେଇ ଦେ । ପରେ ତୋତେ ଦେଖା କରିବି।


ମୁଁ କିନ୍ତୁ ଆଜି ହିଁ ରିମିନାନୀଙ୍କୁ ଦେଖା କରି ପିଠାଟା ନିଜ ହାତରେ ଦେବାକୁ ଚାହୁଁଥିଲି।କିନ୍ତୁ…


ରୁମ୍ ରେ ମୋ ସହ  ବାଲେଶ୍ଵର ଓ କଟକର ଦୁଇ ଜଣ ପିଲା ଥିଲେ। କେହି ଜଣେ ଆମ ରୁମ୍ ନକ୍ କଲେ ।


ତୁମ ମାନଙ୍କ ଭିତରେ ଟିଲୁ କିଏ ?


ମୁଁ ..


ବାଃ ହିରୋ ଚେହେରା ତୁମର ? ଗୁଡ୍ ଭେରି ଗୁଡ୍ ।ମୁଁ ରୋହିତ ମହାନ୍ତି । ରିମି ପାଇଁ କଣ ଆଣିଛ ,ଦିଅ ।


ଆଜ୍ଞା ,ରିମିନାନୀଙ୍କୁ ଦେବ ତ ?


ନିଶ୍ଚିତ ।


କୁଣ୍ଠିତ ମନରେ ଆରିସା ପୁଡ଼ିଆଟି ରୋହିତ ଭାଇଙ୍କୁ ଦେଲି। ମନ କେଉଁଠି ଲାଗୁ ନ ଥାଏ। ରିମିନାନୀଙ୍କୁ ଦେଖିବାକୁ ତାଙ୍କ ସହ କଥା ହେବାକୁ ମନ କହୁଥାଏ।ଏ ରୋହିତ ଭାଇ କିଏ ? ଦେଖିବାକୁ ଗୁଣ୍ଡା ହୁଣ୍ଡା ଲାଗୁଛନ୍ତି। ୟାଙ୍କ ସହ ରିମିନାନୀଙ୍କ ସମ୍ପର୍କ କଣ? ଏପରି  ନାନା ପ୍ରଶ୍ନ ସହ ରିମିନାନୀ ମନସ୍କ ହୋଇ ସାତ ଦିନ ବିତିଗଲା । ରିମିନାନୀ ମୋତେ ଦେଖା କରିବାକୁ ଆସୁ ନ ଥିଲେ। ଦିନେ କଲେଜ ଯିବା ସମୟରେ ଗୋଟେ  ରୁମ୍ ଆଗରେ ଦଶ ଏଗାର ଜଣ ଟୋକାଙ୍କ ମେଳରେ ରିମିନାନୀ କଥା ହେଉଥାଏ। ମୁଁ ଠିକ୍ ଚିହ୍ନି ପାରିଲି।ଦଉଡି ଯାଇ ରିମିନାନୀ କହି କୁଣ୍ଢାଇ ପକେଇଲି ।


ସାଙ୍ଗମାନେ ତାର ମୋତେ ତାଙ୍କ ଠାରୁ ଟାଣି ନେଇ  ଠାଏ କରି କଷି ଦେଲେ। 


କିଏ ବେ ତୁ ? ଆମ କଲେଜ କୁଇନ୍ ଯାହା ସଙ୍ଗେ ଟିକେ କଥା ହେବା ପାଇଁ ଆମକୁ ତପସ୍ୟା କରିବାକୁ ପଡେ ତାକୁ ତୁ କୁଣ୍ଢେଇ ପକାଇଲୁ ?ସାହାସ ତ କମ୍ ନୁହେଁ କହି ଆଉ ଦିଟା ନାଦି ଦେଲେ।


ରିମିନାନୀ ସେମାନଙ୍କୁ ଅଟକେଇ କହିଲା, ଆରେ ରୁହ ରୁହ ଏ ମୋର ଚିହ୍ନା।


ଚିହ୍ନା ! ଚିହ୍ନା ବୋଲି ଏ ମେଞ୍ଚଡ଼ ତୁମକୁ ହଗ୍ କରିବ?


ମୋ ସାଙ୍ଗର ଭାଇ ଟିଲୁ । ବହୁତ ଭଲ ପାଏ ମୋତେ। 

ବହୁ ଦିନ ହେବ ଦେଖି ନ ଥିଲା ତ ଖୁସି ଟା ଅଟକେଇ ପାରିଲା ନାହିଁ।


ଆଉ ଟିଲୁ !ଏଇଟା କଣ ଘର ହୋଇଛି ମୋତେ ଆସି କୁଣ୍ଢେଇ ପକେଇଲୁ ? ତୁ କଣ ଛୁଆ ଅଛୁ ?ଏବେ ବଡ଼ ପିଲା ହୋଇ ଗଲୁଣି । ପୁରା ହିତ୍ରିକ ରୋଶନ ଚେହେରା ହୋଇ ଯାଇଛି କହି ମୋ ଗାଲ ଟିପି ଦେଲେ। ବଡ଼ ପିଲା ହେଲୁଣି ବୋକା। ବଡ଼ ପିଲାଙ୍କ ବ୍ୟବହାର ଶିଖି।


ରିମିନାନୀ ମୋତେ ଏତେ କଥା କହିଲେ କିନ୍ତୁ ତାଙ୍କ ସାଙ୍ଗମାନେ ଯେ ମୋତେ କେତେ ମାଇଲେ ; ତାଙ୍କୁ ତ କିଛି କହିଲେ ନାହିଁ ? ରିମିନାନୀ ପୁରା ବଦଳି ଯାଇଛନ୍ତି। ଗାଲ ଆଉଁସି ଆଉଁସି ଆସିଲି। ରିମିନାନୀ ଯେ ଖରାପ ସଙ୍ଗତ ପାଇଁ ଗୋଟେ ବାଜେ ଝିଅ ହୋଇ ଯାଇଛନ୍ତି ତା ମୋତେ ଅବୁଝା ରହିଲା ନାହିଁ। କିନ୍ତୁ ମନ ତଳେ ଯେଉଁ ଭଲ ଲାଗିବା ଗଛଟି  ରିମିନାନୀ ପାଇଁ ମୋ ଭିତରେ ସଯତ୍ନେ ବଢ଼ାଉଥିଲି ତାକୁ କଣ କରିବି ? କେଉଁଠି ପୋତିବି ତାକୁ।ସେ ଯେ ଝଙ୍କା ମେଲି ଆକାଶ ମୁହାଁ ହେବାକୁ ବ୍ୟଗ୍ର । 


ରିମିନାନୀ ଯେତେବେଳେ ଆଜି ୟା କାଲି ତା ବାଜେ ପିଲାଙ୍କ ବାଇକ ପଛରେ ଚିରା ଫଟା ଅଧ ଲଙ୍ଗୁଳି ବେଶରେ କଲେଜ ସାରା ବୁଲେ ଅଣନିଃଶ୍ବାସୀ ଲାଗେ ମୋତେ। ନିଃଶବ୍ଦେ କୁହେ ରିମିନାନୀ ଲୋ ତୁ ଏତେ ତଳକୁ କାହିଁକି ଖସି ଗଲୁ ? 


ସପ୍ତମ ଋତୁ ପ୍ରେମରେ ପଡି ଦଗ୍ଧ ମୋ ଜୀବନ ବସନ୍ତ ରିମିନାନୀଙ୍କ ଅଧୋଗତି ଦେଖି।ଅସହ୍ୟ ପୀଡ଼ାରେ ଫାଟି ପଡୁଥିଲା ମୋ ଛାତି।କିନ୍ତୁ ବୁଝି ପାରୁ ନ ଥିଲି ରିମିନାନୀ ତା ଜୀବନ ଯେମିତି ବଞ୍ଚିବ ଯାହା କରିବ ସେଥିରେ ମୁଁ କାହିଁକି ଏତେ ବ୍ୟଥିତ ହେଉଛି !


Rate this content
Log in

Similar oriya story from Romance