Biswajita Baral

Romance

4.9  

Biswajita Baral

Romance

ସମୟର ସମ୍ପର୍କ

ସମୟର ସମ୍ପର୍କ

5 mins
412


ରାତ୍ରିର ମଧ୍ୟାହ୍ନ ଘ.୧୨.୦୪ମି. ମୁଁ ଶୋଇବାକୁ ଯାଉଥିଲି ମୋବାଇଲରେ ମେସେଜ ଆସିଲା, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ମେସେଜ ଦେଖି ହଠାତ୍ ଅବାକ୍ ହେଇଗଲି । ଆଜି କାହାର ଜନ୍ମ ଦିନ.. ? ମୋର ତ ହେଲା ଭଳି ମନେ ହେଉନି ! ହଠାତ୍ ଫେସବୁକ ପ୍ରୋଫାଇଲରେ ଜନ୍ମଦିନର ତାରିଖ ଉପରେ ନଜର ପଡ଼ିଲା । ଓଃ ! ଆଜି ମୋ ଜନ୍ମଦିନ ମୁଁ କେଡ଼େ ପାଗଳ ଜନ୍ମଦିନ ଅଥଚ ମୋର ମନେ ନାହିଁ । କାହିଁ କେହି ସାଙ୍ଗ ସାଥି ମାନେ ବି wish କରିନାହାଁନ୍ତି, ବୋଧେ ଭୁଲି ଯାଇଛନ୍ତି । ତୁ କିନ୍ତୁ ମନେ ରଖିଛୁ । ମୋର ପ୍ରତ୍ୟେକ କଥାକୁ ଗୋଟି ଗୋଟି କରି ମନେ ରଖିଛୁ । ଦୀର୍ଘ ବାର ମାସ ହେବ ମୁଁ ତ ତୋ ସହ କଥା ହୋଇନି । 

            ସେଦିନର ସେହି ବାହାଘର ଭୋଜିରେ ରଞ୍ଜନ ସହ ତୋ ମିଳାମିଶା ମୁଁ ଅସହ୍ୟ ମନେକରି । ହଠାତ୍ ଭୋଜିରୁ ଉଠି ତୋ ହାତ ଧରି ଟାଣି ଆଣି ଆଢ଼ୁଆଳରେ ରାଗିଯାଇ ଅନେକ କଥା କହିଲି । ପ୍ରତି ଉତ୍ତରରେ ନିରବ ରହିଲୁ । କଟାକ୍ଷ ଚାହାଣୀ ହାଣି ନିରବରେ ପ୍ରସ୍ଥାନ କଲୁ । ମୁଁ ମଧ୍ୟ ସ୍ଖଖିତ ପଦ ପାଦରେ ପ୍ରତ୍ୟାବର୍ତ୍ତନ କଲି । ମତେ ଲାଗୁଥିଲା ଆକାଶରେ ନାହିଁ ଜହ୍ନ କି ତାରାପଂକ୍ତି ଚଉଦିଗ କେବଳ ଆଦିଗନ୍ତ ବିସ୍ତୃତ ଶୂନ୍ୟତା, ମୋ ମାନସ ବ୍ରହ୍ମାଣ୍ଡରେ ଏକ ଅସ୍ତିତ୍ବ ବିହୀନ ଶୂନ୍ୟତାର କାୟା ବିସ୍ତାର ଲାଭ କରିଛି । ପାଦରୁ ଜୋତା ଖୋଲିବାରେ ବିସ୍ମୃତ ଥିଲି ମୁଁ । ଅବଶ ଦେହଟାକୁ ଲୋଟାଇ ଦେଲି ବିଛଣାରେ । ଲାଗିଲା ପୃଥିବୀ ଘୁରୁନି ମୁଁ ଘୁରୁଛି ଏକ ଯାଯାବର ନାୟକ ପରି । ନୀଡ଼ ବିହୀନ ଏକ ନିଃସଙ୍ଗ ବିହଙ୍ଗ ପରି ଉଡୁଛି ଉଡୁଛି ଉଡୁଛି ଦୂରେ କାହିଁ ଦିଗନ୍ତ ସେ ପାରିରେ ମୋ ଇପ୍ସିତ ଶାଖା-ପଲ୍ଲବିତ-କୁସୁମିତ, ଦୃଶ୍ଯାନ୍ତରେ । ନିରାଶାର ମରୁ ଆକାଶରେ ଚାତକର ପିପାସା ମେଣ୍ଟାଇ ଆଶାର ବାରି ବର୍ଷଣ ହେଲା ପରି ଫୋନ କଲଟି ଆସିଲା । ଉଦ୍ଗ୍ରୀବ ହୋଇ ତଡ଼ିତ ଗତିରେ ଚାହିଁବାରୁ ଦେଖିଲି ମୋବାଇଲ ସ୍କ୍ରିନରେ ତୋ ନାମ ଉଜ୍ଜଳି ଉଠୁଛି । ଆନନ୍ଦ ଅଧୀର ହୋଇ ଫୋନ କଲଟି ସଂଯୋଗ କଲି । ତୋର ମଧୁର କଣ୍ଠ ଭାସିଆସିଲା “ହ୍ଯାଲୋ ସନ୍ଦିପ, ଘରେ ଭଲରେ ପହଞ୍ଚିଲୁଟି । ଭିଡ଼ରେ ମୁଁ ତୋ ସହ ଭଲରେ କଥା ହୋଇ ନ ଥିବାରୁ ମୋ ମନରେ ଭାରି ଖେଦ ଓ ଅବଶୋଷ । କିନ୍ତୁ ତୁ ଯେ ମୋ ହାତଧରି ଯେଉଁ ସ୍ପର୍ଶ ଦେଲୁ ସେହି ସ୍ପର୍ଶର ଶିହରଣ ମୁଁ ଜୀବନ ସାରା ମନ ସିନ୍ଧୁକ ରେ ସାଇତି ରଖିବି”। “ ଭୋଜିର ସେହି ଦୃଶ୍ୟରାଜି ମାନସପଟରେ ବାରମ୍ବାର ଉଲ୍ଲସିତ ହୋଇ ବ୍ୟତିବ୍ୟସ୍ତ କରୁଥିଲା। ମୁଁ ଯାହା ବିଶ୍ବାସ କରୁଥିଲି ତୁ ସେ ନୁହେଁ,ତୁନି ତୁନି କଥାକହୁ , ଚିପି ଚିପି ଚାଲୁ ତୋର ଘାଟ ଅନେକ । ମୁଁ ତୋ’ର କେହି ନୁହେଁ, ଯା ସେହି ରଞ୍ଜନ ସହ କଥା ହେବୁ, ତୁ ଫୋନ୍ ରଖ ମୁଁ ତୋ ସହ କଥା ହେବିନି , କିନ୍ତୁ ଏତିକି ମନେ ରଖ ଜନ୍ମ ଜନ୍ମାନ୍ତର ମୁଁ ତୋ ପ୍ରତିକ୍ଷାରେ ରହିବି” ଦରଦଭରା କଣ୍ଠ ସ୍ଵର ଭାସି ଆସିଲା ସନ୍ଦିପର । ମିଲିର କଣ୍ଠ ନରମି ଆସିଲା “ତୁ ତ’ ହଜାର ଝିଅଙ୍କ ସହ କଥା ହେଉଛୁ କାଇଁ ମୁଁ ତ କେବେ କିଛି କହିନି । ଆଜି କ'ଣ ଏମିତି ହୋଇଗଲା ଯେ ତୁ ତିଳକୁ ତାଳ କରୁଛୁ ”। “ହଁ, ମୁଁ ହଜାର ଝିଅଙ୍କ ସହ କଥା ହେବି ତୋର କ'ଣ ଅଛି, ମୁଁ ସମସ୍ତଙ୍କ ସହ କଥା ହେବି ତୋ ସହ କଥା ହେବିନି ବୁଝିଲୁ ଫୋନ୍ ରଖ । ଆଜି ଠାରୁ ମୋତେ ଫୋନ୍ କରିବୁନି, ତୋତେ କହୁଛି ନା ଫୋନ୍ ରଖିବାକୁ ବୁଝି ପାରୁନୁ ନା କ'ଣ ? ୟା ପର ଠାରୁ ଯେତେ ପଦ କଥା କହିବୁ ସେତେ ଦିନ ତୋ ସହ କଥା ବନ୍ଦ । ଏବେ ଠୁ ଆରମ୍ଭ ହେଲା ଦିନ ଗଣିବା। ନା ମୁଁ କିଛି ଶୁଣିବିନି,ତୋତେ କହିଲି ନା ଫୋନ୍ ରଖିବାକୁ ,ଦେଖ ୟା ଭିତରେ ବାର ଦିନ ବନ୍ଦ ହେଲାଣି ଆଉ ଯେତେ ପଦ କହିବୁ ସେତେଦିନ ବନ୍ଦ ହେବ ଯେତେ ଶୀଘ୍ର ଫୋନ ରଖିବୁ ସେତେ ଶୀଘ୍ର କଥା ହେବୁ ଫୋନ କାଟେ ” ସନ୍ଦିପର କଥାରେ ମିଲିର ଆଶାର ବାଲି ଘରଟି ଭାଙ୍ଗି ଗଲା । “ତୋ ସହ ଭଲରେ ଦୁଇ ପଦ କଥା ହୋଇନି, ତୋ ନିରବତା ଅସହ୍ୟ ଲାଗୁଛି , ଯାହା କହ ମୋ ପାଇଁ ଅମୃତ,ମୋର ସବୁ ଭୁଲ ” ମିଲିର କୋହ ବୁଝି ନଥିଲା ସନ୍ଦିପ । “ନା ମୁଁ କିଛି ଶୁଣିବିନି ତୁ ବାର ଦିନ ଅପେକ୍ଷା କରେ, ଭୁଲ ହେଉ କି ଠିକ ବାର ଦିନ ତୁ ନିଜେ choice କରିଛୁ । ହଉ ଏବେ ବାର ଦିନ ରହ। ମୁଁ କହିଲା ବେଳେ ତୋତେ joke ଲାଗୁଥିଲା , ଏବେ ମତେ joke ଲାଗୁଛି, ବାର ଦିନ ମାନେ ବାର ଦିନ ଫାଇନାଲ । ତୁ ବୁଦ୍ଧି ଶିଖେ,ଏଇଟା ମୋର ପ୍ରାରାବ୍ଧ । ଏବେ ମୋତେ କିଛି ଶୁଭୁନି କି ଦିଶୁନି , କ୍ଷମା ବୋଲି କ'ଣ ମୁଁ ଜାଣିନି । ବାର ଦିନ ପାଇଁ ବିଦାୟ । ଆଉ ଗୋଟେ କଥା ମନେ ରଖ ୟା ଭିତରେ ଯଦି ମୋ ବିଷୟରେ କାହା ଠାରୁ ଖବର ନେଇଥିବୁ ମୁଁ ଜମା ଭଲ ଲୋକ ନୁହେଁ ” ସନ୍ଦିପ ଅନେକ କଥା କହିଗଲା। “ ଆଉ ଗୋଟେ ବିଶେଷ ଜରୁରୀ କଥା ହେବାର ଥିଲା, ସେଠି ମୁଁ କହି ପାରିନି। ତୁ ମୋ ହାତ ଧରି ଯେଉଁ ସ୍ପର୍ଶ ଦେଲୁ, ସେ ସ୍ପର୍ଶର ଶିହରଣକୁ ସ୍ମୃତିର ଗନ୍ତାଘରେ ସାଇତି ରଖିବି । ମଣିଷ ଜୀବନର ଚଲାପଥରେ କିଏ କେତେବେଳେ ସାଥୀ ହୁଏ, କିନ୍ତୁ ସମସ୍ତଙ୍କ ସହିତ ଭାବ ଯୋଡ଼ି ହୁଏନା । ପଥରେ ଚାଲୁଚାଲୁ ଅନେକ ମୁହଁ ଅନେକ ଚେହେରା ଜୀବନ ପଥରେ ଆସନ୍ତି, ସମସ୍ତଙ୍କ ମୁହଁ ମନେ ରହେନା ,ସ୍ମୃତି ମନେ ରହେନା କି ସମସ୍ତଙ୍କ ସହ ଆତ୍ମୀୟତା ଆସେନା । ତେଣୁ ତୁ ଭାବିନେବୁ ଜୀବନ ରାସ୍ତାରେ ମୁଁ ବି ଥିଲି ତୋ ନିଃସଙ୍ଗ ପଥରେ ପଥଶ୍ରମ ଲାଘବ କରିବାକୁ ଏକ ସାଥୀ ବାଟୋଇଟିଏ । କିନ୍ତୁ ମୋର ଗନ୍ତବ୍ୟ ସ୍ଥଳ ଅଲଗା ତୋର ଗନ୍ତବ୍ୟ ସ୍ଥଳ ଅଲଗା। ଜୀବନର ଏହି ଦୋ'ଛକିରୁ ଆମେ ଅଲଗା ହୋଇଯିବା । କେବଳ କିଛି କ୍ଷଣର ମଧୁର ସ୍ମୃତିଟିକକ ଭବିଷ୍ୟତ ଜୀବନର ପାଥେୟ କରିନେବା । ଭାବିନେ ମଳୟ ଆସିଥିଲା, ବସନ୍ତ ବି ଆସିଥିଲା ଏବେ ବୈଶାଖ ଓ ପ୍ରଳୟ ଝାଞ୍ଜି । ମଣିଷର ସ୍ୱପ୍ନ ସବୁବେଳେ ସାକାର ହୁଏନି । ସ୍ବପ୍ନ ମରିଯାଏ ଆଶାର ଦୀପଟା ଲିଭିଯାଏ । ମତେ ଏଥର ଭୁଲିଯାଆ ଭାବିନେବୁ ମୁଁ ରଞ୍ଜନର ହୋଇଗଲି । ଆଉ କସ୍ମିନ କାଳେ ତୋର ହୋଇ ପାରିବି ନାହିଁ”। ଏତିକି କହି ଫୋନଟିକୁ କାଟିଦେଲା ମିଲି । 

     ମିଲିର କଥାଶୁଣି ସନ୍ଦିପର ପାଦ ତଳୁ ମାଟି ଯେପରି ଅପସରି ଗଲା । ସେ ଭାବିଲା ମଣିଷ ଏତେ ଶୀଘ୍ର ସବୁକଥା ଭୁଲିଯାଏ କେମିତି । ବାର ଦିନ ମହଲତ ମାଗିଥିଲି ସେତକରେ କ'ଣ ମଣିଷ ବଦଳିଯାଏ । ଜୀବନରେ କେତେ କଥା କଟାକଟି ମନ ଫଟାଫଟି ହୋଇଥାଏ । କିନ୍ତୁ ସେ ଭିତରେ ଯେ ଦୀର୍ଘ ଦିନର ସମ୍ପର୍କ ମୂଲ୍ୟହୀନ ହୋଇପଡ଼େ,ଆଉ ମିଲି ଯେ ଅପରକୁ ମନ ଦେଇପାରେ ତାହା ସେ ବିଶ୍ବାସ କରି ପାରୁନଥିଲା । ଆମ ସମ୍ପର୍କ କ'ଣ ଏତେ ଦୁର୍ବଳ ଥିଲା । ତାହାଲେ ଯୁଗ ଯୁଗ ଧରି କଇଁ ଜହ୍ନକୁ,ପଦ୍ମ ସୂର୍ଯ୍ୟଙ୍କୁ ଚାହିଁ ରହିଛନ୍ତି କାହିଁକି ? ଯେମିତି ଆକାଶ ପୃଥିବୀକୁ, ପୃଥିବୀ ଆକାଶକୁ ନିର୍ନିମେଷ ନୟନରେ କେଉଁ ପ୍ରାରବ୍ଧ କାଳରୁ ଚାହିଁ ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ପ୍ରେମ ନାଟକର ଅନ୍ତିମ ମିଳନାନ୍ତଙ୍କ ଦୃଶ୍ୟ ଅଭିମିତ ହୋଇନି । ୟା ଭିତରେ ବାର ମାସ ପାଖାପାଖି ହେଲାଣି ମୁଁ ମୋ ଭୀଷ୍ମ ପ୍ରତିଜ୍ଞା ରେ ଅଟଳ,ନା ମୁଁ କେବେ ତୋ କଥା ଭାବିଛି, ନା କେବେ ତୋ ପାଖକୁ ଫୋନ କରିଛି । ତୁ କେମିତି ଭିନ୍ନ ମଣିଷଟିଏ ଯେ ଏକା ଏକା ସବୁ କଷ୍ଟ ସହିଗଲୁ । ଏଇ ତ ଆମ ସମ୍ପର୍କ ଏତେ ଭିତରେ ବି ତୁ ମୋ ଜନ୍ମଦିନ ମନେ ରଖିଛୁ । ଭଗବାନଙ୍କୁ ମୁଁ ଏତିକି ଡାକୁଛି ତୁ ଯେଉଁଠି ଥା ଭଲରେ ଥା । ଆମ ସମ୍ପର୍କର ଏବଂ ଆତ୍ମୀୟତାକୁ ଏହି ପରି ଆଶିଷ ଦେଇଥାନ୍ତୁ । ପ୍ରେମର ମାନେ ପ୍ରତିକ୍ଷା, ପ୍ରତିକ୍ଷା ମାନେ ପ୍ରେମ ଏ କଣ କେବଳ କବିର କଳ୍ପନା ”। ବାସ୍ତବରେ ଏହାର କିଛି ଅର୍ଥ ନାହିଁ ଫୋନଟିକୁ ଛାତିରେ ଧୋଇ ନିଘୋଡ଼ ନିଦରେ ଶୋଇପଡ଼ିଲି ଜାଣିପାରିଲିନି ।

ବିଶ୍ବଜିତା ବରାଳ


Rate this content
Log in

Similar oriya story from Romance