Biswajita Baral

Inspirational

4.8  

Biswajita Baral

Inspirational

ବାଇଗଣ ବେସର

ବାଇଗଣ ବେସର

3 mins
785


            

ରୋଷେଇ ଘରେ ଏକା ଏକା ମିଲି ତରବରିଆ ହୋଇ ଆଳୁ ବାଇଗଣ ବେସର ତରକାରୀ କରୁଛି । ବାଇଗଣ ବେସର ମୁନାର ଭାରି ପ୍ରିୟ । “ଧନ, ଶୀଘ୍ର ଉଠ, ଫ୍ରେସ୍ ହୋଇ ରେଡ଼ି ହୁଅ ,ମୋର ଲେଟ୍ ହେଉଛି” କହି ପ୍ରଳାପ କରୁଛି ମିଲି । ମିଲିର ଡାକ ଶୁଣି ମୁନା ବେଡ଼ରୁମରୁ ଆସି ଡାଇନିଂ ଟେବୁଲ ପାଖରେ ବସି ମିଲିର ବ୍ୟସ୍ତତାକୁ ଦେଖି ମୁରୁକି ମୁରୁକି ହସୁଛି।

         ଅନ୍ୟମନସ୍କତା ଭିତରେ ମୁନା ଉପରେ ମିଲିର ନଜର ପଡ଼ିଲା । “ଆରେ ଏ କ'ଣ ? ତୁମେ ବାଥରୁମ ନ ଯାଇ ଏଠି ବସିଛ ଯେ ” ମିଲି, ମୁନାକୁ ପଚାରିଲା । “ନାଇ ମ ଟିକେ ଦେଖୁଥିଲି” ମୁନା ଉତ୍ତର ଦେଲା । “କ'ଣ ଦେଖୁଛ ? ” ମିଲି ପଚାରିଲା ।‌ ଉତ୍ତର ରେ ମୁନା କହିଲା, “ନାଇଁ ମ ଏମିତି” । କ'ଣ ଯେ କହୁନ ଅବୋଧ ଭଳି ପଚାରିଲା ମିଲି “କ'ଣ ଦେଖୁଛ ।” ନାଇ ମ, “ମୋ ଅଗଣାରେ ଉଇଁଥିବା ଚାନ୍ଦ ଥାଉ ଥାଉ , ମୁଁ ଆଉ କାଇଁ କାହାକୁ ଦେଖିବି ଯେ” ମୁନା କହିଲା । “ସକାଳୁ ସକାଳୁ ସ୍ବପ୍ନ ଦେଖା ଭାଙ୍ଗିନି ବୋଧେ, ଯାଅ ଶୀଘ୍ର ରେଡ଼ି ହୋଇ ଆସ । ଆଜି ଆମ ଅଫିସକୁ ମନ୍ତ୍ରୀ ପରିଦର୍ଶନରେ ଆସୁଛନ୍ତି । ସମୟ ପୂର୍ବରୁ ନ ପହଞ୍ଚିଲେ ଚାକିରି ଗଲା ଜାଣ । ତୁମେ ଡେରି କରନି " କୃତ୍ରିମ ବିରକ୍ତି ଦେଖାଇ ମୁନାର ହାତ ଧରି ଟାଣି ଟାଣି ଆଣି ବାଥରୁମକୁ ପଠାଇଲା ମିଲି । 

         ମୁନାର ମଧ୍ୟାହ୍ନ ଭୋଜନ ପାଇଁ ଟିଫିନ୍ ସଜାଡ଼ି, ଘିଅ ଭାତ, ଆଳୁ ବାଇଗଣ ବେସର ତରକାରୀ, ବଡ଼ି ଚୁରାର ମସ୍ତ ପାଗଟେ ବନେଇ ଡାଇନିଂ ଟେବୁଲ୍ ଉପରେ ଖାଇବା ରଖୁଛି । “ବାଥରୁମରେ ଏତେ ସମୟ ହେଲାଣି କ'ଣ କରୁଛ ଯେ” ମିଲିର କଣ୍ଠରେ ଯେପରି ବ୍ୟସ୍ତତା ଭରିରହିଥିଲା । ସଦ୍ୟ ଗାଧୁଆ ଓଦା ଲୁଗାରେ ମୁନା ଘରେ ପଶୁ ପଶୁ ପଶ୍ଚାତ ଭାଗରୁ ମିଲି କୁ ଆଲିଙ୍ଗନ କରି କହିଲା ,ଆରେ ବାଃ !! କି ସୁନ୍ଦର ବାସ୍ନା । ଖାଇବା ଆଜି ଜମିବ। “ଏ କ'ଣ ହେଉଛି ,ଦିନକୁ ଦିନ ତୁମର ଦୁଷ୍ଟାମି ବଢ଼ିବାରେ ଲାଗିଛି ” ଅନୁଶାସନ ସ୍ଵରରେ ମିଲି କହିଲା । “ଆରେ ନାଇଁ, ବ୍ୟସ୍ତତା ଭିତରେ ମୁଁ ତୁମକୁ ସମୟ ଦେଇ ପାରୁନି ତ.." କ୍ଷୋଭ ଭରା କଣ୍ଠରେ ମୁନା କହିଲା ।“ହେଲା ବାବା ସେତିକି ଥାଉ ଡ୍ରେସ୍ ପିନ୍ଧିକି ଶୀଘ୍ର ଆସ । ମୁଁ ପିଆଜ,ଲେମ୍ବୁ କାଟୁଛି ଚୋଖା ପାଗଟେ କରିବା କହି ଲେମ୍ବୁ କାଟିବା ସମୟରେ ଅସାବଧାନତା ବସତଃ ମିଲିର ଡାହାଣ ହାତର ବୁଢ଼ା ଆଙ୍ଗୁଠି କଟିଗଲା । 

         ମୁନା ଦାୈଡ଼ି ଆସି ମିଲିର ଆଙ୍ଗୁଠି କୁ ଚାପି ଧରିଲା। “ଏ ସବୁ କାମ କରିବାକୁ ତୁମକୁ କିଏ କହୁଥିଲା । ହାତଟା କାଟିଦେଲ ନା, କେତେ ଥର କହିଲାଣି ଯାହା ହେଲେ ଗୋଟିଏ ଆଇଟମ୍ କର ବୋଲି । ଘରର ଏତେ ସବୁ କାମ ଭିତରେ ପୁଣି ଏତେଟା ଆଇଟମ କ'ଣ ଦରକାର ଅଛି ” ସାମାନ୍ଯ ରାଗି ଯାଇ ମୁନା କହିଲା । “ ଆରେ ନାଇଁ ବାବା ସେମିତି କିଛି ହୋଇନି,ଏଇ ଦେଖୁନ ମୋତେ, ମୁଁ ଠିକ୍ ଅଛି । ତମେ ଯାହା ମିଛଟାରେ ଖାଲି ବ୍ୟସ୍ତ ହୋଇ ପଡ଼ୁଛ" । ବ୍ୟସ୍ତ ବିବ୍ରତ ହୋଇ ମୁନାର ହାତ ଧରି ଡାଇନିଂ ଉପରେ ବସାଇ, ଆଜି ମୁଁ ନିଜ ହାତରେ ତୁମକୁ ଖୁଆଇ ଦେବି କହି ଭାତ ଗୁଣ୍ଡାଏ ମୁନା କୁ ଖୁଆଇବାକୁ ପ୍ରୟାସ କରିଛି,ମୁନା ମିଲିର ହାତକୁ ଧରି ପକାଇ କହିଲା, “ନାଇଁ, ଆଜି ତୁମର ଡେରି ହେଲାଣି । ଅଫିସର ରୁ ଆସିଲେ ମିଶିକି ଖାଇବା। ଏବେ ତମେ ବି ଖାଇ ନିଅ ।”

         ମୁନାର କଥା ଶୁଣି ମିଲି ରୋଷେଇ ଘରୁ ମୁନାର ଅଫିସ ଟିଫିନ୍ କୁ ଧରି ଟେବୁଲ୍ ଉପରେ ଥୋଇ ଖାଇବାକୁ ପ୍ରୟାସ କଲା । ବଡ଼ି ଚୁରା ଟିକେ ପାଟିରେ ଲଗାଇ, ଆଃ ଉଃ ପାଣି...!! ଚିତ୍କାର କରି ଉଠିଲା । “ବାପାରେ ବାପ ଏତେ ରାଗ ହୋଇଛି କେମିତି ତମେ ଖାଉଛ ଯେ କହି କାଲୁବାଲୁ ହୋଇ ଆଖି ବନ୍ଦ କରି ପାଣି ଗ୍ଲାସ୍ ଟେ ପିଇ ଦେଲା,ଆଖିରୁ ବହି ଆସୁଥାଏ ଗଙ୍ଗା ଯମୁନାର ଦୁଇ ଧାର । ଗ୍ଲାସ୍ ଟିକୁ ଧୋଇ ବେସର ତରକାରୀ ଟିକେ ପାଟିକୁ ନେଇଛି, ଥୁ ... । ଏତେ ଲୁଣ ହୋଇଛି ପାଟିରେ ଦେଇ ହେଉନି,କି ବାଜେ ରୋଷେଇ କେମିତି ତୁମକୁ ଭଲଲାଗୁଛି । ଖାଉଛ ଯେ କିଛି ବି କହୁନ” ମନେ ମନେ ନିଜ ଉପରେ ରାଗିଯାଇ ମିଲି କହିଲା । ମିଲିର ହାତକୁ ମୃଦୁ ସ୍ପର୍ଶ ଦେଇ ,“ଆରେ ନାଇଁ, ତୁମେ ମନଦୁଃଖ କରନି ଖାଇବା ଭାରି ସ୍ବାଦିଷ୍ଟ ହୋଇଛି । ମୋ ପସନ୍ଦର ବାଇଗଣ ବେସର ଆଉ ବଡ଼ି ଚୁରା .....। ଆଃ କି ସ୍ବାଦିଷ୍ଟ” । “ଥାଉ ସେ ମିଛ ପ୍ରଶଂସା କରନି, ମୁଁ ଜାଣିଛି ଖାଇବା କେତେ ସ୍ବାଦିଷ୍ଟ ହୋଇଛି "ଅଭିମାନ ଭରା ସ୍ଵରରେ ମିଲି କହିଲା । ଉତ୍ତରରେ ମୁନା କହିଲା, “ଖାଦ୍ୟର ସ୍ବାଦ ମସଲାରେ ନଥାଏ । ଖାଦ୍ଯ ପ୍ରସ୍ତୁତ କରୁଥିବା ଲୋକର ସ୍ନେହ ଆଉ ଭଲପାଇବା ଆତ୍ମୀୟତାରେ ଥାଏ” । ମୁନାର ପ୍ରଶଂସାରେ ପୋତି ହୋଇ ପଡ଼ୁଥିଲା ମିଲି । ଭାବୁଥିଲା କାଲି ଆଉ କି ସୁନ୍ଦର ଆଇଟମ୍ କରିବ । 



Rate this content
Log in

Similar oriya story from Inspirational