STORYMIRROR

Biswajita Baral

Children Stories Drama Inspirational

3  

Biswajita Baral

Children Stories Drama Inspirational

ବିଜ୍ଞାନ ଖାତା

ବିଜ୍ଞାନ ଖାତା

3 mins
183


ସନ୍ଧ୍ୟା ୫ଟା ବେଳ। ସ୍କୁଲରୁ ଟିଫିନ୍ ଓ ଖାତା ବହି ପୂର୍ଣ୍ଣ ବ୍ୟାଗ ଓ ଭ୍ଯାନିଟ୍ ଧରି ତିନି ମହଲା ଶିଡ଼ି ଚଢ଼ି ଧଇଁ ସଇଁ ହୋଇ ବ୍ୟାଗ କୁ ହଲ ରୁମରେ ରଖି ଥକ୍କା ମାରି ବସି ପାଖରେ ଥିବା ଷୋଫା ଉପରେବସି ପଡ଼ିଛି ମିଲି .. ୪.୨୦ରେ ସ୍କୁଲରୁ ଆସି ସାର୍ଟ ପ୍ୟାଣ୍ଟ୍ ଉତ୍ତର ଦକ୍ଷିଣ ଦିଗକୁ ଫିଙ୍ଗି, ବୁଟକୁ କୋଉ କୋଣରେ ଫିଙ୍ଗି ବାଲକୋନୀରେ ବସି ୧୬ନଂ ଜାତୀୟ ରାଜପଥର ଉଚ୍ଚ ସୁଦୀର୍ଘ ଓଜନିଆ ଗାଡ଼ି ସବୁ ଦେଖୁଥାଏ କାହ୍ନା ... ମିଲି ର ଆସିବାର ସଙ୍କେତ ଜାଣି କାଲୁ ବାଲୁ ହୋଇ ଧାଇଁ ଆସି ମିଲି କୋଳରେ ମୁଣ୍ଡ ଗୁଞ୍ଜି ଜୋରରେ ଭିଡ଼ି ଧରିଲା ମାଆକୁ ପୁଅର ଏତାବନ୍ତ ଦୃଶ୍ୟ ... “ଏ କ'ଣ ? ସ୍କୁଲ ରୁ ଆସି ଟାଇକୋଣ୍ଡ ଯିବା ପିଲା କ'ଣ ଆଜି ଘରେ ଅଛି.କ'ଣ ହୋଇଛି ବାବା....? ଆଜି କାଇଁ କ୍ଲାସ ଯାଇନୁ ଯେ,କ'ଣ ହୋଇଛି ଦେହ ଭଲ ନାହିଁ କି ? ”ମୁଣ୍ଡ ଆଉଁସି ସ୍ନେହ ବୋଲା କଣ୍ଠରେ ପଚାରିଲା ମିଲି । ମାଆ କଥା ଶୁଣି ଭୋ ଭୋ କାନ୍ଦି ପକାଇଲା କାହ୍ନା । ତା'ର ତତଲା ଲୁହରେ ଧଳା ଲୁଗାରେ ପଟା ପଟା ଦାଗ ‌ହୋଇଗଲା । ଚକ୍ ଲଗା ସେହି ଅପରିଷ୍କାର ହାତରେ କାହ୍ନାର ମୁହଁକୁ ଉପରକୁ ଉଠାଇ ଦୁଇ ହାତରେ ଦୁଇ ଧାର ଲୁହ ପୋଛି ଦେଇ କହିଲା “କାନ୍ଦ ବନ୍ଦ କର ବାବା...କ'ଣ ହୋଇଛି କହିଲୁ ଆଜି କ'ଣ କୋଉ ଗୁରୁଜୀ/ଗୁରୁମା ବାଡ଼େଇଛନ୍ତି ନା କୋଉ ପିଲା ତତେ କ'ଣ କହିଲା ।

       ମାଆ ର କଥା ଶୁଣି ନିଜକୁ ସମ୍ଭାଳି କହିଲା, “ନାଇଁ ମାମା..! ତାହାଲେ କ'ଣ ହୋଇଛି। କାହିଁକି ମୋ ଧନ ମନ ଦୁଃଖ କରିଛି । ନାଇଁ,ଆଜି ବିଜ୍ଞାନ ଗୁରୁଜୀ ଶ୍ରେଣୀ ପରୀକ୍ଷା କଲେ । ମୋର ସବୁ ଠିକ୍ ଥିଲା, ମୁଁ ବି ପ୍ରଥମରେ କେହି ନ ଦେଖେଇବା ପୂର୍ବରୁ ଖାତା ସଂଶୋଧନ ପାଇଁ ଠିଆ ହୋଇ ଦେଖାଇଲି । କିନ୍ତୁ ମୁଁ ଉତ୍ତର ରଫ ଖାତାରେ ଲେଖି ଥିବା ଯୋଗୁଁ ଗୁରୁଜୀ ମୋ ଉପରେ ବିରକ୍ତ ହେଲେ,ମୋ ଖାତା ଦେଖିଲେ ନାହିଁ କହିଲେ -“ତୁମ ଠାରୁ ଏ ଜିନିଷ ଆଶା କରିନଥିଲି,ଗୁରୁମାଙ୍କ ପୁଅ ହୋଇ ସମୟ ସାରଣୀ ଅନୁସାରେ ଖାତା ଆଣୁ ନ, ଅନ୍ଯମାନଙ୍କୁ କ'ଣ କହିବି..” ଶ୍ରେଣୀ କକ୍ଷରେ ସବୁ ପିଲାଙ୍କ ଆଗରେ ମୋ ସହିତ ତମକୁ କେତେ କଥା କହିଲେ । ‌ପୁଅର କଥା ଶୁଣି ତାଗିଦ୍ କରିବା ସ୍ବରରେ ମିଲି କହିଲା, ହଁ ତୁ ତ ଭୁଲ୍ କରିଛୁ । ବିଜ୍ଞାନ ଖାତା କାଇଁ ନେଲୁନି କି ? ଶୋଇବା ପୂର୍ବରୁ ସମୟ ସାରଣୀ ଦେଖି ଖାତା ବହି ବ୍ୟାଗ୍ ରେ ସଜାଡି ରଖିବାକୁ କେତେ ଥର କହିଲାଣି। ତୁ କୋଉ ମୋ କଥା ଶୁଣୁଛୁ ଯେ ? ଗୁରୁଜୀ କହିଲେ ଭଲ କଲେ, ମୁଁ ତ ହୋଇଥିଲେ ଦଣ୍ଡ ଦେଇଥାନ୍ତି । ମାମା ର କଥା ଶୁଣି ନୀରବ ସ୍ବରରେ କହିଲା - “ ମୁଁ କ'ଣ କଲି ଯେ,ବାବା ତ ବିଜ୍ଞାନ ଖାତା ପଛ ପଟେ ସମୟ ସାରଣୀ ଲେଖୁଥିଲେ,ସେ କେଉଁଠି ରଖିଛନ୍ତି ମୁଁ ଯେତେ ଖୋଜିଲେ ବି ପାଉନି। ମୁଁ ସବୁ ଘର ସବୁ ବହି ଥାକ ଖୋଜି ସାରିଲାଣି କୋଉଠି ବି ମିଳୁନି ।” ପୁଅକୁ କୋଳକୁ ଆଣି ହଉ ତୁ ଯାଆ କାଲି ସ୍କୁଲରେ ପଚାରିବୁ କିଏ ତୋ ଖାତା ନେଇ ଯାଇଥିବ। 

       କିଛି ସମୟ ପରେ ଦାଶ ବାବୁ ଅଫିସରୁ ଫେରିଲେ। ପୋଷାକ ବଦାଳି ଗାଧୁଆଘରେ ଗାଧୁଆ ସାରି ବାଲକୋନୀ ଉପରେ ବସି ପଡ଼ିଲେ । ମିଲି ଅମୂଲ ଚା ସାଙ୍ଗକୁ ଗରମ ଗରମ୍ ପକୋଡ଼ି ଛଣା ଲଙ୍କା ଦୁଇ ଚାରିଟା ଧରି ମାଆ ବାପ ପୁଅ ତିନି ଜଣ ବସି ପଡ଼ିଲେ। ତମାମ ଦିନର ବ୍ୟାଖ୍ୟା କରୁ କରୁ ଚା ଦୁଇ କପ୍ କେତେ ବେଳେ ସରିଗଲା ଜଣାପଡ଼ିଲା ନି। ଚା କପ ପ୍ଲେଟ୍ ଆଣିବା ଛଳରେ ମିଲି କହିଲା,“ଏଇ ଶୁଣୁଛ ଆଜି ଟିକେ ପୁଅ ପାଖରେ ବସିଲେ ହୁଅନ୍ତା ନି ? ଆର ସପ୍ତାହରେ ବୃତ୍ତି ଚୟନ ପରୀକ୍ଷା ଅଛି । ଆଜି ମୋତେ ଟିକେ କେମିତି ଭଲ ଲାଗୁନି। ମୁଁ ଟିକେ ଗଡିପଡୁଛି ଉଠିଲେ ରୋଷେଇ କରିବି। ନାଇଁ ମୁଣ୍ଡ ହଲେଇ ମନା କଲେ ଦାଶ ବାବୁ । ଅଫିସରେ ରହି ଯାଉନ କାହିଁକି ? ଏଠିକି କାହିଁକି ଆସୁଛ।କେବେ ତ ପୁଅର କି ଘରର ଭଲ ମନ୍ଦ କଥା ବୁଝିଲ ନି। କାଲି ପୁଅର ବିଜ୍ଞାନ ଖାତା କୋଉଠି ରଖିଲ ଯେ ସେ ଆଜି ସ୍କୁଲରେ ଗାଳି ଖାଇଛି । ଗୋଟିଏ ବୋଲି ପୁଅ ତା’ କଥା ବୁଝିବାକୁ ସମୟ ନାହିଁ ତୁମ ପାଖରେ। ଧୃତରାଷ୍ଟ୍ରଙ୍କ ଭଳି ଶତ ପୁତ୍ରର ଜନକ ହୋଇଥିଲେ କ'ଣ କରିଥାନ୍ତ ? ଦାଶ ବାବୁ ପୁଅ ହାତରୁ ମୋବାଇଲ ନେଇ ସମ୍ବାଦ ଶୁଣିବାରେ ଲାଗିଲେ ।

      



Rate this content
Log in