STORYMIRROR

Biswajita Baral

Children Stories Inspirational Others

3  

Biswajita Baral

Children Stories Inspirational Others

ଅଭିଶପ୍ତ କର୍ଣ୍ଣ

ଅଭିଶପ୍ତ କର୍ଣ୍ଣ

6 mins
196


         ଭବବାନ ଶ୍ରୀକୃଷ୍ଣଙ୍କର ପିତାମହ ଯାଦବ କୁଳ ଶ୍ରେଷ୍ଠ ସୌର ରାଜାଙ୍କର ପୁତ୍ରୀ ଥିଲେ ପୃଥ୍ବା । କୁନ୍ତଭୋଜ ସୌର ରାଜାଙ୍କ ଶାଳକ ଥିଲେ । ସେଥିଲେ ଅପୁତ୍ରିକ ରାଜା। ସୌର ରାଜା ନିଜ ଶାଳକଙ୍କୁ ପୃଥ୍ବାଙ୍କୁ ପୌଷ୍ୟ ପୁତ୍ରୀ ରୂପେ ପ୍ରଦାନ କରିଥିଲେ। କୁନ୍ତଭୋଜଙ୍କ ନାମାନୁସାରେ ପୃଥ୍ବା କୁନ୍ତୀ ନାମରେ ପରିଚିତ ହେଲେ । କୁନ୍ତୀ ଥିଲେ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ । ବାଲ୍ୟକାଳରେ ସେ ମହର୍ଷି ଦୁର୍ବାଶାଙ୍କୁ ପିତା ଗୃହରେ ଅତିଥି ରୂପେ ଏକ ବର୍ଷ ପର୍ଯ୍ୟନ୍ତ ସେବା କରିଥିଲେ । ଋଷି ଦୁର୍ବାଶା କୁନ୍ତୀଙ୍କ ସେବାରେ ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କୁ ଏକ ଦିଦ୍ୟ ମନ୍ତ୍ର ପ୍ରଦାନ କଲେ । ସେ ମନ୍ତ୍ରର ପ୍ରଭାବ ଏହା ଥିଲା ଯେ, ସେ ଯେଉଁ ଦେବତାଙ୍କୁ ସ୍ମରଣ କରିବେ ସେ ଦେବତା ଆବିର୍ଭୂତ ହୋଇ ତାଙ୍କ ଦିବ୍ୟ ଶକ୍ତି ବଳରେ ପୁତ୍ର ସନ୍ତାନ ପ୍ରାପ୍ତ କରାଇବେ । କୁନ୍ତୀ ଦେବୀଙ୍କ ସ୍ୱାମୀ ପଣ୍ଡୁ ରାଜା ଭବିଷ୍ୟତରେ ଅଭିଶାପ ପାଇଁ ଅପୁତ୍ରିକ ହେବେ ବୋଲି ଏକଥା ବିବ୍ୟଦ୍ରଷ୍ଟା ମହର୍ଷି ଦୁର୍ବାଶା ଜାଣିପାରିଥିଲେ । କୁନ୍ତୀଙ୍କ ଅପୁତ୍ରିକ ଦୋଷ ଦୂର କରିବା ପାଇଁ ମହର୍ଷି ଏଭଳି ଏକ ଅଭୂତ ମହାମନ୍ତ୍ର ପ୍ରଦାନ କରିଥିଲେ । ଶିଶୁ ଚପଳା କୁନ୍ତୀ ଏହି ମନ୍ତ୍ରର ପ୍ରଭାବ ଜାଣିବା ପାଇଁ ଜ୍ୟୋତିର୍ମୟ ଭାସ୍କରଙ୍କୁ ସ୍ମରଣ କଲେ । କୁନ୍ତୀଙ୍କ ସ୍ମରଣ ମାତ୍ରେ ସ୍ବୟଂ ଭଗବାନ ଦିବାକର ଦିବ୍ଯକାନ୍ତି ରୂପରେ ଆବିର୍ଭାବ ହେଲେ । ଜ୍ୟୋତିର୍ମୟଙ୍କ ଦିବ୍ଯକାନ୍ତି ରୂପ ଦେଖି କୁନ୍ତୀ ଦେବୀ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଅସମୟରେ ସ୍ମରଣ କରିଥିବାରୁ ଭୁଲ ମାଗି କ୍ଷମା ପ୍ରାର୍ଥନା କଲେ । ମହର୍ଷିଙ୍କ ଆଶୀର୍ବାଦ ବୃଥା ଯିବନି । କୁନ୍ତୀଙ୍କ ପୁତ୍ର ପ୍ରାପ୍ତି ମନ୍ତ୍ରର ସ୍ମରଣରେ ଆଦିତ୍ୟ ଆସିଛନ୍ତି । ମନ୍ତ୍ରର ଶକ୍ତି ଯୋଗୁଁ ସେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ବର୍ଗପୁରକୁ ଫେରି ପାରିଲେ ନାହିଁ । କୁନ୍ତୀଙ୍କ କୌଣସି ସତୀତ୍ଵ ନଷ୍ଟ ହେବ ନାହିଁ , ପୁଣି ସେ କୁମାରୀତ୍ଵ ପାଇ ପାରିବେ କହି ସୂର୍ଯ୍ୟ ତାଙ୍କ ଜ୍ୟୋତି ବଳରେ ଏକ ପୁତ୍ର ସନ୍ତାନ ପ୍ରାପ୍ତ କରାଇଲେ । ଜ୍ୟୋତିର୍ମୟ ରବିଙ୍କ ଔରସରୁ କୁନ୍ତୀଙ୍କ ଗର୍ଭରୁ କବଚ କୁଣ୍ଡଳ ଧାରୀ ଏକ ଅବାଞ୍ଛିତ ପୁତ୍ର ସନ୍ତାନ ଜାତ ହେଲା । କୁନ୍ତୀଙ୍କ କୁମାରୀ ସମୟରେ ଏହି ସନ୍ତାନକୁ ଜନ୍ମ ଦେବା ସମାଜ ଗ୍ରହଣ କରିବ ନାହିଁ । ଏକଥା ଭୁଲ ଓ କଳଙ୍କ ବୋଲି ଭାବିଥିଲେ । ତାଙ୍କ ମାତୃ ହୃଦୟ କାନ୍ଦିଉଠିଲା । ନାରୀର ମର୍ଯ୍ୟାଦା ରକ୍ଷାକରି ସେହି କଳଙ୍କକୁ ଲୁଚାଇବାକୁ ଯାଇ ଶିଶୁକୁ ଗୋଟିଏ ମଞ୍ଜୁଷାରେ ପୂରାଇ ଗଙ୍ଗା ନଦୀ ଜଳରେ ଭସାଇ ଦେଲେ । ମଞ୍ଜୁଷାଟିକୁ ଅଧିରଥ ନାମକ ଅଶ୍ଵ ପାଳକ ସାରଥି ନଦୀ ଜଳରୁ ପାଇ ପତ୍ନୀ ରାଧାଙ୍କୁ ଦେଲେ । ତାଙ୍କର କୋୖଣସି ସନ୍ତାନ ସନ୍ତତି ନ ଥିଲା । ପିଲାଟି ସାରଥୀ ଓ ରାଧାଙ୍କ ଦ୍ୱାରା ଅତି ଯତ୍ନରେ ଲାଳିତ ପାଳିତ ହେଉଥିଲା । ଏଥିଯୋଗୁଁ କର୍ଣ୍ଣଙ୍କୁ ସୂତପୁତ୍ର ଓ ରାଧେୟ ବୋଲି କୁହାଯାଏ 

      ସେ ବାଲ୍ୟକାଳରେ କୌରବ ଓ ପାଣ୍ଡବଙ୍କ ସହିତ ମିଶି ଦ୍ରୋଣାଚାର୍ଯ୍ୟ ଙ୍କ ଠାରୁ ଅସ୍ତ୍ରଚାଳନା ବିଦ୍ୟା ଶିକ୍ଷା କରୁଥିଲେ ।ତାଙ୍କର ଅର୍ଜୁନଙ୍କ ପରି ଅସ୍ତ୍ର କୌଶଳ ଦେଖି କୌରବମାନେ ତାଙ୍କୁ ମିତ୍ରରୂପେ ଗ୍ରହଣ କଲେ ଓ ଦୁର୍ଯୋଧନ ତାଙ୍କୁ ଅଙ୍ଗ ଦେଶର ରାଜା କରିଥିଲେ । ସେହି ଦିନ ଠାରୁ ତାଙ୍କୁ ଅଙ୍ଗ ରାଜ କର୍ଣ୍ଣ କୁହାଗଲା। ପର୍ଶୁରାମଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ । 

           ମହାଭାରତର କର୍ଣ୍ଣ ଏକ ଅଦ୍ୱିତୀୟ ଚରିତ୍ର । ଯାହାଙ୍କ ତେଜ ଓ ଶର୍ଯ୍ଯଶୀଳର ଅପରୂପ ତନୁର ଅଧିକାରୀ ଥିଲେ । ମହାଭାରତରେ ଏଭଳି ଚରିତ୍ର ବିରଳ । ନା ଥିଲା ତାଙ୍କର ପିତା ମାତା ବଂଶର ପରିଚୟ ,ନା ଥିଲା ଜନ୍ମଦାତ୍ରୀ ମାଆର ସ୍ନେହ ମମତା । ଜଣେ ଯୋଦ୍ଧା ହୋଇମଧ୍ୟ ଯୋଦ୍ଧାର ପରିଚୟ ନ ଥିଲା । ଯେଉଁ ଗୁରୁଙ୍କ ଠାରୁ ଯୁଦ୍ଧ ବିଦ୍ୟା ଶିକ୍ଷା ଲାଭ କଲେ, ପୁଣି ସେ ହିଁ ତାଙ୍କ ଉପରେ କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ । ଯେତେବେଳେ ଯୁଦ୍ଧ ବିଦ୍ୟାର ପରୀକ୍ଷା ଓ ବୀରତ୍ବର ପରିଚୟ ଦେବାକୁ ପଡ଼ିଲା, ସେତେବେଳେ ତାଙ୍କୁ ସୂତ ପୁତ୍ର କହି ଅପମାନିତ ଲଜ୍ଜିତ ହେବାକୁ ପଡ଼ିଥିଲା । କର୍ଣ୍ଣ ଥିଲେ ଏକ ଅଭିଶପ୍ତ ଚରିତ୍ର ।

            ମହାଭାରତ ଯୁଦ୍ଧର ଦୁଇ ମହାନ୍‌ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। ଉଭୟ ଥିଲେ କୌନ୍ତେୟ, ଉଭୟ ବେଶ୍‌ ପରାକ୍ରମୀ । କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲା ବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ । କର୍ଣ୍ଣଙ୍କ ପାଖରେ ଏକ ଅଭୂତ ଧନୁ ଥିଲା । ଯାହାର ନାମ ଥିଲା ‘ବିଜୟ’ । ‘ବିଜୟ’ ଧନୁ ଧାରଣ କରିଥିବା ଯୋଗୁଁ ତାଙ୍କୁ ବିଜୟଧାରୀ କୁହାଯାଏ । କର୍ଣ୍ଣଙ୍କ ଏହି ‘ବିଜୟ’ ଧନୁରେ ଏପରି କିଛି ଶକ୍ତି ଥିଲା , ଯାହା ଅନ୍ୟ କୌଣସି ଧନୁରେ ନ ଥିଲା । ଏହାର ଚତୁଃପାର୍ଶ୍ୱରେ ଏକ ଅଭେଦ୍ୟ ବଳୟ ସୃଷ୍ଟି ହେଉଥିଲା। ଆଉ ଏହି ବଳୟକୁ ଭଗବାନ ଶିବଙ୍କ ପାଶୁପତ ଅସ୍ତ୍ର ମଧ୍ୟ ଭେଦ କରିବାର ସମର୍ଥ ନ‌ ଥିଲା। ମନ୍ତ୍ର ଦ୍ୱାରା ଏହି ଧନୁ ଅଭିମନ୍ତ୍ରିତ ହୋଇଥିବାରୁ ଏଥିରୁ ଉତ୍‌କ୍ଷେପଣ ହେଉଥିବା ବାଣର ଶକ୍ତି ଅନ୍ୟ ବାଣଙ୍କ ଠାରୁ ଢେର ଗୁଣରେ ଅଧିକ।

           ଏହି ଧନୁକୁ ସ୍ୱୟଂ ବିଶ୍ୱକର୍ମା ତିଆରି କରିଥିଲେ । ତାଡ଼କାସୁରର ତ୍ରିପୁରା ନଗରୀକୁ ବିନାଶ କରିବା ପାଇଁ ଏହା ତିଆରି ହୋଇଥିଲା। ଏହି ଧନୁରୁ ପାଶୁପତ ଅସ୍ତ୍ର ପ୍ରୟୋଗ କରି ଶିବ ତ୍ରିପୁରା ନଗରୀର ବିନାଶ କରିଥିଲେ। ତ୍ରିପୁରା ନଗରୀର ବିନାଶ ପରେ ଶିବ ଏହି ‘ବିଜୟ’ ଧନୁକୁ ଦେବରାଜ ଇନ୍ଦ୍ରଙ୍କୁ ପ୍ରଦାନ କରିଥିଲେ । ଭଗବାନ ପର୍ଶୁରାମ ଶିବଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରାଇ ଶକ୍ତିଶାଳୀ ‘ବିଜୟ’ ଧନୁ ପ୍ରାପ୍ତ କରିଥିଲେ । ‘ବିଜୟ’ ଧନୁ କାରଣରୁ ପ୍ରତିଶୋଧ ପରାୟଣ ହୋଇ ପର୍ଶୁରାମ ବିନା କାହାର ସହାୟତାରେ ୨୧ ଥର ପୃଥିବୀକୁ କ୍ଷତ୍ରିୟ ଶୂନ୍ୟ କରିଥିଲେ। ମହାଭାରତର ମହାନ୍‌ ଯୋଦ୍ଧା କର୍ଣ୍ଣ ଥିଲେ ଭଗବାନ ପର୍ଶୁରାମଙ୍କର ଶିଷ୍ୟ। ପର୍ଶୁରାମ ଶିଷ୍ୟ କର୍ଣ୍ଣଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେବା ବେଳେ ପ୍ରସନ୍ନ ହୋଇଥିଲେ।

    ‌‌    କର୍ଣ୍ଣ କ୍ଷତ୍ରୀୟ ହୋଇଥିବା ସତ୍ତ୍ୱେ ଛଳନା କରି ଭଗବାନ ପର୍ଶୁରାମଙ୍କର ଶିଷ୍ୟ ହୋଇଥିଲେ। ଏହା ଜାଣିବା ପରେ କ୍ରୋଧିତ ହୋଇ ଭଗବାନ ପର୍ଶୁରାମ କର୍ଣ୍ଣଙ୍କୁ ଠିକ ସମୟରେ ଧନୁର୍ବିଦ୍ୟାର କଳା କୌଶଳ ଭୁଲି ଯିବାର ଅଭିଶାପ ଦେଇଥିଲେ। ତେବେ ପରେ ପର୍ଶୁରାମ ଏନେଇ ଅନୁତାପ କରିଥିଲେ। ତେଣୁ ଶିଷ୍ୟ କର୍ଣ୍ଣଙ୍କ ଉପରେ ତାଙ୍କର ଦୟାଭାବ ଆସିଥିଲା।ଏହି କାରଣରୁ ପର୍ଶୁରାମ କର୍ଣ୍ଣଙ୍କୁ ନିଜ ‘ବିଜୟ’ ଧନୁ ଦେଇ ଦେଇଥିଲେ। ତେବେ ପର୍ଶୁରାମଙ୍କ ଠାରୁ ‘ବିଜୟ’ ଧନୁ ପାଇବା ପରେ ବି କର୍ଣ୍ଣ କେବେ ଏହାର ବ୍ୟବହାର କରି ନଥିଲେ।   

           କର୍ଣ୍ଣ ଜଣେ ପରାକ୍ରମଶାଳୀ ଯୋଦ୍ଧା,ପରମ ମିତ୍ର,ମହାଦାନୀ ମଧ୍ୟ ଥିଲେ । ସତ୍ୟପାଳନ କରି ଆପଣାର ଏକମାତ୍ର ପୁତ୍ରକୁ ସ୍ବହସ୍ତରେ ହାଣି ତା ମାଂସ ରାନ୍ଧି ବ୍ରାହ୍ମଣକୁ ଭୋଜନ ଦେଇଥିଲେ ଓ ବ୍ରାହ୍ମଣ— ବେଶଧାରୀ ବିଷ୍ଣୁଙ୍କ ବଳରେ ମୃତ ପୁତ୍ର ଜୀବିତ ହେଲା । ଦିବ୍ୟକବଚ ଓ କୁଣ୍ଡଳ ଥିଲା ଜନ୍ମଜାତ । କୁଣ୍ଡଳ ଓ କବଚ ହେତୁ ମୃତ୍ୟୁ ତାଙ୍କୁ ସ୍ପର୍ଶ କରିବା କଠିନ ଥିଲା । କର୍ଣ୍ଣଙ୍କ ଭଳି ମୃତ୍ୟୁଞ୍ଜୟୀ ଯୋଦ୍ଧା କୌରବଙ୍କ ସପକ୍ଷରେ ଥିବାରୁ ପାଣ୍ଡବମାନଙ୍କର ଚିନ୍ତା ବଢ଼ି ଯାଇଥିଲା । ଧର୍ମରାଜ ଯୁଧିଷ୍ଠିର ଇନ୍ଦ୍ରଙ୍କୁ ଆପଣା ଚିନ୍ତା ସମ୍ପର୍କରେ ଜଣାଇଲେ । ଇନ୍ଦ୍ର ଆଶ୍ୱାସନା ଦେଇ ନିଶ୍ଚିତ ରହିବାକୁ ଉପଦେଶ ଦେଲେ । ଆସନ୍ନ ଯୁଦ୍ଧର ପରିଣାମ ସମ୍ପର୍କରେ ଅନେକ ବେଳଯାଏ ଭାବିଭାବି ଶୋଇପଡ଼ିଥାନ୍ତି କର୍ଣ୍ଣ । ହଠାତ୍‍ ରାତିରେ ଏକ ସ୍ୱପ୍ନ ଦେଖିଲେ- ଜଣେ ତେଜୋଦୀପ୍ତ ବ୍ରାହ୍ମଣ ତାଙ୍କ ସମ୍ମୁଖରେ ଉଭା ହୋଇ କହୁଛନ୍ତି "ବସୁଷେଣ! ମୁଁ ତୁମଠାରୁ ଏକ ସତ୍ୟବଚନ ଚାହୁଁଛି । ତୁମେ ମୋତେ କଥା ଦିଅ, ଯଦି କୌଣସି ବ୍ରାହ୍ମଣ ତୁମକୁ କବଚକୁଣ୍ଡଳ ମାଗନ୍ତି ତା'ହେଲେ ତାଙ୍କୁ ମନା କରିଦେବ ।' ଶ୍ରେଷ୍ଠଦାନୀ କର୍ଣ୍ଣଙ୍କ ଉତ୍ତର ଥିଲା- "କାହିଁକି? ଯାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ଏବେ ତାହା ସମ୍ଭବ ହେବ କିପରି? ଜଣେ ବ୍ରାହ୍ମଣ ମୋତେ ଦାନ ମାଗିବେ, ଆଉ ମୁଁ ତାହା, ଅସ୍ୱୀକାର କରିବି? ନା, ଏହା କେବେ ସମ୍ଭବ ନୁହେଁ, ପ୍ରାଣ ଚାଲିଗଲେ ମଧ୍ୟ ।' ସ୍ୱପ୍ନରେ ବ୍ରାହ୍ମଣ କହିଲେ- "ପୁତ୍ର! ମୁଁ ତୁମର ପିତା ସୂର୍ଯ୍ୟଦେବ । ଦେବରାଜ ଇନ୍ଦ୍ର ପାଣ୍ଡବମାନଙ୍କର ସୁରକ୍ଷା ନିମନ୍ତେ ଛଦ୍ମବେଶ ଧାରଣ କରି ତୁମ ନିକଟକୁ ଆସିବେ । କବଚକୁଣ୍ଡଳ ନେଇ ତୁମକୁ ସମ୍ପୂର୍ଣ୍ଣ ଶକ୍ତିହୀନ କରିବାକୁ ଚାହୁଁଛନ୍ତି, ମୋର କଥା ମାନ ବସୁଷେଣ ।' ନମ୍ରତା ସହକାରେ କର୍ଣ୍ଣ କହିଲେ- ଇନ୍ଦ୍ର ହୁଅନ୍ତୁ ଅଥବା ଯେ କେହି ଆସନ୍ତୁ ମୋ ନିକଟକୁ କେହି ମାଗିବା ଉଦ୍ଦେଶ୍ୟରେ ଆସିଲେ ପ୍ରାଣଭୟରେ ତାଙ୍କୁ ନିରାଶ କରିବା, ଦାନ ଦେବାକୁ କୁଣ୍ଠିତ ହେବାଭଳି ନିନ୍ଦନୀୟ କାର୍ଯ୍ୟ ମୁଁ କରିପାରିବି ନାହିଁ କେବେ, ଏହା କଲେ ମୋର ନାମରେ କଳଙ୍କ ଲାଗିଯିବ । ଏହାଶୁଣି ହାର ମାନିଥିଲେ ସୂର୍ଯ୍ୟଦେବ । ଠିକ୍‍ ଏହାର ପରଦିନ ହଠାତ୍‍ କାନରେ ବାଜିଲା- "ଭିକ୍ଷାଂ ଦେହି, ଭବତ୍‍ ଭିକ୍ଷାଂ ଦେହି', ମୁହଁ ଫେରାଇ ଚାହିଁଲେ କର୍ଣ୍ଣ, ଜଣେ ଅତି ଦୀନ ଅଥଚ ସୁଦର୍ଶନ ବ୍ରାହ୍ମଣ ଦଣ୍ଡାୟମାନ ଥିଲେ ସମ୍ମୁଖରେ । କର୍ଣ୍ଣଙ୍କ ଆତିଥ୍ୟ ସ୍ୱୀକାର କରି କହିଥିଲେ- "କିଛି ମାଗିବାକୁ ଆସିଛି । ଯଦି ସତ୍ୟ କରିବ ତା' ହେଲେ ଅବଶ୍ୟ ମାଗିବି ।' କର୍ଣ୍ଣଙ୍କ ଉତ୍ତର ଥିଲା- "ବସୁଷେଣ ଜୀବନରେ କୌଣସି ଭିକ୍ଷୁଙ୍କୁ ନିରାଶ କରିନାହିଁ । ଆପଣ ଯାହା ଇଚ୍ଛା ମାଗିପାରନ୍ତି ।' ବେଶ କୌଶଳରେ ବ୍ରାହ୍ମଣ କର୍ଣ୍ଣଙ୍କୁ ଏଭଳି ଦାନ ମାଗିଥିଲେ ଯାହା ଥିଲା ଜଣେ ବୀରର ଶ୍ରେଷ୍ଠ ଭୂଷଣ, ଜଣେ ଦୁର୍ଜୟ ଯୋଦ୍ଧାଙ୍କୁ ପ୍ରତିହତ କରିବାପାଇଁ ପର୍ଯ୍ୟାପ୍ତ-ଶରୀରରେ ଥିବା କବଚ ଓ କୁଣ୍ଡଳ । ତରବାରୀ ସାହାଯ୍ୟରେ ନିଜ ଶରୀର କ୍ଷତାକ୍ତ କରି କବଚ ଓ କୁଣ୍ଡଳ ଦେଇଥିଲେ ବ୍ରାହ୍ମଣଙ୍କୁ । ଏହାଙ୍କର ଅନ୍ୟ ନାମ ଦାତାକର୍ଣ୍ଣ । 

        ହେଲେ ମହାଭାରତ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଏହି ଧନୁକୁ ଅର୍ଜୁନଙ୍କ ସହ ଲଢ଼ିବା ବେଳେ ବ୍ୟବହାର ପାଇଁ କର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ମହାଭାରତ ଯୁଦ୍ଧର ୧୭ତମ ଦିନରେ କର୍ଣ୍ଣ କୌରବ ସେନାର ସେନାପତି ଅଭିଷିକ୍ତ ହୋଇଥିଲେ। ଆଉ ଅର୍ଜୁନଙ୍କ ବିରୋଧରେ ଯୁଦ୍ଧରେ ପ୍ରଥମ ଥର ପାଇଁ ‘ବିଜୟ’ ଧନୁକୁ ହାତରେ ଉଠାଇଥିଲେ କର୍ଣ୍ଣ। କିନ୍ତୁ ଦୁର୍ଭାଗ୍ୟବଶତଃ କର୍ଣ୍ଣଙ୍କ ରଥର ପହି ଜମିରେ ଧସି ଯାଇଥିଲା। ତେଣୁ ରଥର ପହିକୁ ଏଥିରୁ ବାହାର କରିବା ପାଇଁ କର୍ଣ୍ଣ ରଥ ତଳକୁ ଓହ୍ଲାଇ ଆସିଥିଲେ, ଆଉ ‘ବିଜୟ’ ଧନୁକୁ ରଥରେ ଛାଡ଼ି ଆସିଥିଲେ।

          ଭଗବାନ ଶ୍ରୀ କୃଷ୍ଣଙ୍କୁ ଏକଥା ଜଣାଥିଲା ଯେ, ଯଦି ଦ୍ୱିତୀୟ ଥର କର୍ଣ୍ଣ ଏହି ‘ବିଜୟ’ ଧନୁକୁ ନିଜ ହାତରେ ଉଠାଇବେ, ତେବେ ଅର୍ଜୁନଙ୍କୁ ରକ୍ଷା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। ଆଉ ଏହି ସୁଯୋଗକୁ ହାତ ଛଡ଼ା ନକରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆହ୍ୱାନ କରିଥିଲେ ଏବଂ ଶେଷରେ ଅର୍ଜୁନଙ୍କ ହାତରେ ହିଁ କର୍ଣ୍ଣଙ୍କର ମୃତ୍ୟୁ ହୋଇଥିଲା ।

           



Rate this content
Log in