ସମୟର ସମ୍ପର୍କ
ସମୟର ସମ୍ପର୍କ
ଅନେକ ଦିନ ହେଲାଣି, କାହିଁକି କେଜାଣି ମନଟା ଭଲ ଲାଗୁନି । ଏ ଦୁନିଆଟା ବଡ଼ ବିଚିତ୍ର । କାହାକୁ ମୁଁ ଆପଣାର ଭାବିବି, କାହାକୁ ଏ ଛାତି ତଳେ ଥିବା କୋହ ସବୁ କହିବି ? କିଏ ବା ଅଛି ଏଠି ଶୁଣିବ ? ଝରି ପଡ଼ୁଥିବା ଲୁହ ପୋଛି କୋଳକୁ ନେଇ ଥାପୁଡ଼ାଇ ଦେବ ! ସତରେ ମୁଁ କ'ଣ ଏତେ ଖରାପ ମଣିଷଟେ !? କାହା ମନକୁ ପଢ଼ିବା ପାଇଁ ମୋ' ପାଖରେ କ'ଣ ହୃଦୟଟେ ନାହିଁ ? ସମସ୍ତେ କାହିଁକି ମୋ ଠାରୁ ଦୂରେଇ ଯାଉଛନ୍ତି ? କୁହନ୍ତି, ମୁଁ କୁଆଡ଼େ ସନ୍ଦେହୀ, ମିଛେଇଟେ । ମୁଁ କାହାକୁ ବୁଝି ପାରୁନି । “ନିଜକୁ ସୁଧାରି ନେ,ଆଗ ଭଳି ହୁଅ । ତୁ ତ' ଜାଣିଛୁ ତୁ ଯଦି ପଦେ କହିବୁ ତେବେ ମୋ ଠାରୁ ଦଶ ପଦ ଶୁଣିବୁ । ଶୁଣିବା ପାଇଁ ରେଡ଼ି ହୋଇ ରହିଥା’ । ମୁଁ କିନ୍ତୁ; ଜମା ସୁଧୁରିବିନି । ତୁ ବୁଝୁନୁ ବୋଲି ତ ମୁଁ ତୋତେ ଆଉ ବୁଝାଉନି । ଯା ତୋର ଯାହା ଇଚ୍ଛା, କ'ଣ କରୁଛୁ କରେ” । ଏମିତି ଅନେକ କେତେ କଥା ଗାଳି ଦେଇଗଲୁ । ମୁଁ ନିରବରେ ସବୁ ଶୁଣୁଥାଏ । ତୋ ବାକ୍ୟ ବାଣରେ ମୋ ଛାତି ଭିତରେ ହୃଦସ୍ପନ୍ଦନ ବଢ଼ିଯାଉଥାଏ । ତୋ କଥା ଶୁଣୁଶୁଣୁ କାନ୍ଦି ପକାଇଥିଲି । ମୋ କାନ୍ଦ ଶୁଣି ଆହୁରି ରାଗିଯାଇ କଟା ଘା’ରେ ଚୁନ ଦେଲୁ । ମୋ ଆଗରେ ଏ ନାଟକ କରନା , ମୋତେ କିଛି ଫରକ୍ ପଡିବନି କହି ଆହୁରି ଗାଳି କଲୁ । ମୁଁ ଫୋନ୍ ଟିକୁ କାଟିଦେଲି ।
ରାଗି କରି ସିନା ଏତେ କଥା କହିଦେଲୁ । କିନ୍ତୁ ତୋ ମନ କୋଉ ବୁଝିଲା ଯେ ? ମୋ ମନକୁ ହାଲକା କରିବା ପାଇଁ conference କରି ସାଙ୍ଗ ସାଥିଙ୍କ ସହ କଥାବାର୍ତ୍ତା କରାଇଲୁ । ତୁ ଭଲଭାବରେ ଜାଣିଛୁ ରାତିରେ ତୋ ସହ କଥା ନ ହେଲେ ମୋତେ ନିଦ ହୁଏନି ଜମା । ପୁଣି ରାତି ବାରଟାରେ ମୋତେ ମେସେଜ କଲୁ “ମୋ ଧନ, ମୋ ମାମା, ମୋ ଗେଲୁ.. କେତେ ଗାଳି କଲି ମୋ ମାମାକୁ, ମୋ ଧନଟା ଜମା କାନ୍ଦିବୁନି, ମୁଁ ତୋତେ ବହୁତ ଭଲ ପାଉଛି । ସକାଳୁ କଥା ହେବା । ଏବେ ଶୋଇପଡ ମୋ ମାମା ”। ତୁ ଜାଣିଛୁ ତୋର ମହତ୍ତ୍ଵ ମୋ ଜୀବନରେ କେତେ । “ମୋ ଦିନର ଆରମ୍ଭ ତୁ ଆଉ ମୋ ଦିନର ଶେଷ ବି ତୁ । ମୋ ନିଶ୍ୱାସ ,ବିଶ୍ୱାସ ସବୁ କିଛି ତୁ” । ଅପଲକ ନୟନରେ ଚାହିଁ ବସିଥାଏ ମୋବାଇଲକୁ ତୋ ମେସେଜ ଓ ଫୋନ୍ କଲ୍ ଅପେକ୍ଷାରେ , କେତେବେଳେ ତୋର କିଛି ଖବର ଆସିବ ।
ସକାଳ ହୋଇଛି । ବିଛଣାରେ ପଡ଼ି ମୋବାଇଲରେ ସମୟ ଦେଖୁଥିଲି । ମୋର ନଜର ପଡ଼ିଲା ମେସେଜ ଉପରେ ତୁ Good morning dhana କହି ମେସେଜ କରିଥିଲୁ। ତୋର ସେହି ମେସେଜ କୁ ମୁଁ ଚାତକ ଭଳି ଚାହିଁ ରହିଥିଲି । ସୂର୍ଯ୍ୟଙ୍କ ସୁନେଲି ଆଭା ରାତ୍ରିର ଘନ ଅନ୍ଧକାରକୁ ଦୂରେଇ ଦିଏ । Good morning dhana. ତୋର ଏହି ପଦେ କଥାରେ ମନରେ ମରି ଯାଇଥିବା ଆଶା ପୁଣି ଜିଇଁ ଉଠିଲା । ମୁଁ ତୋର ସତ୍ତାକୁ ଅନୁଭବ କରି ପାରୁଥିଲା । ସତେକି ଯେମିତି ତୁ ମୋ ପାଖରେ ବସି ମୁଣ୍ଡକୁ ଆଉଁସି କହୁଛୁ “ଉଠ ମାମା ଡେରି ହେଲାଣି, ଅଫିସ ଯିବୁ । ସକାଳ ହେଲାଣି କେତେବେଳେ ଉଠିବୁ ଯେ, ବଡ଼ ଅଳସୋଇ ହୋଇଗଲୁଣି” । ମୋର ଦିବା ସ୍ୱପ୍ନ ଭାଙ୍ଗିଗଲା । ବାସ୍ତବ ଦୁନିଆକୁ ଫେରି ଆସି ମୋବାଇଲର ମେସେଜ ପଢ଼ିଲି । ଆଜି ଅଫିସ ସାରି ପାଖରେ ଥିବା ପାର୍କରେ ଦେଖା କରିବାକୁ ତୁ ମୋତେ ମେସେଜ କରିଥିଲୁ । ମୋ ମନରେ ନୂଆ ଆଶା ସଞ୍ଚରି ଉଠିଲା । ଅଫିସ ସାରି ମୁଁ ତୋତେ ଦେଖା କରିବାକୁ ଅପେକ୍ଷାରେ ରହିଲି ।
ପାର୍କର ଏକ ସିମେଣ୍ଟ ଚଟାଣ ଉପରେ ତୁ ଆଉ ମୁଁ ପାଖାପାଖି ବସିଥିଲେ । ତୁ ମୋର କରୁଣ ଚାହାଁଣୀରୁ ହୃଦୟର ବେଦନା ଓ କାଲି ରାତିର ସେହି ଅସହ୍ଯ ଯନ୍ତ୍ରଣାର ମୁହୂର୍ତ୍ତ ବିଷୟରେ ଜାଣିପାରୁଥିଲୁ । ମୋ ଓଠରେ ଟିକେ ହସ ଦେବାପାଇଁ ତୁ କହିଲୁ “ଧନ ମୋ ଉପରେ ରାଗିଛୁ କି ” ? କିଛି ସମୟ ପରେ ମୁଁ କହିଲି “ମୁଁ ତୋ ଉପରେ ରାଗିଥିଲେ କ'ଣ ତୋତେ ଦେଖା କରିବାକୁ ଆସିଥାନ୍ତି” ? “ତୋ ଛଡ଼ା ମୋର ଆଉ କିଏ ଅଛି ଯେ କାହାକୁ ମୋ ଦୁଃଖ ଜଣାଇବି ? ମୁଁ ତ’ ଘର ଆଉ ଅଫିସ ସେହି ଚାରି କାନ୍ଥ ଭିତରେ ଆବଦ୍ଧ । ତୁ ସିନା ପୁଅ ପିଲା ମୁକ୍ତ ଆକାଶର ବିହଙ୍ଗ, ଯୁଆଡ଼େ ଚାହୁଛୁ, ଯାହା ଚାହୁଁଛୁ କରି ପାରୁଛୁ । ମୁଁ ତ ନିୟମରେ ବନ୍ଧା । ପରିବାର ଓ ଅଫିସ ଏମିତି ହୋଇ ହୋଇ ଅଣନିଃଶ୍ବାସୀ ହୋଇଗଲେଣି । ଇଚ୍ଛା ଅନିଚ୍ଛା ସବୁକୁ ପଚାରେ କିଏ ? ସକାଳର ଆରମ୍ଭ ହିଁ ଦିନର ମହତ୍ତ୍ବ ଜଣାଇଥାଏ । ସେଥିପାଇଁ ତ, ମୁଁ ଚାହୁଁଥାଏ ଏହି ବ୍ୟସ୍ତ ଓ କର୍ମମୟ ଜୀବନ ଆରମ୍ଭ ପୂର୍ବରୁ ମୋ ଦିନର ଆରମ୍ଭ ତୋ ଠୁ ହିଁ ହେଉ । ତୋର ଦୁଇ ପଦ କଥା କିମ୍ବା ତୋର ମୁଖ ଦର୍ଶନରେ ମୋର ଦିନର ଶୁଭାରମ୍ଭ ହେଉ” । ତୁ କହୁ “ମୁଁ ସ୍ବତନ୍ତ୍ର ନୁହେଁ ! ତୁ ବି ଅନ୍ୟମାନଙ୍କ ଭଳି” । ହଁ ମୁଁ ଭୁଲ କରିଛି । “ତୋତେ ମୋ ଜୀବନରେ ସ୍ବତନ୍ତ୍ରତା ଦେଇ ,ଅଧିକ ବିଶ୍ବାସ ଓ ଭରସା କରି । ତୁ କିନ୍ତୁ ମୋ ସରଳତାର ଫାଇଦା ନେଉଛୁ । ତୁ କେବେ ମୋ ହୃଦୟକୁ ପଢ଼ି ପାରିଲୁନି। ମୁଁ କ'ଣ ଚାହୁଁଛି,ମନକଥା କେବେ ବି ବୁଝି ପାରିଲୁନି । ପ୍ରତିଦିନ ଅପଲକ ନୟନରେ ଚାହିଁ ବସିଥାଏ ମୋବାଇଲ କୁ ତୋ ମେସେଜ ଓ ଫୋନ୍ କଲ୍ ଅପେକ୍ଷାରେ , କେତେବେଳେ ତୋର କିଛି ଖବର ଆସିବ, କିନ୍ତୁ ତୋର ମେସେଜ କି ଫୋନ କିଛି ଆସେନି । ବରଂ ମୁଁ ଫୋନ୍ କଲେ ତୁ ଓଲଟି ରାଗି ଯାଇ ଗାଳି ଦେଉ । ବ୍ୟସ୍ତତା ଦେଖାଇ ସମୟ ନାହିଁ କହି ମତେ ତୋ ଠାରୁ ଦୂରେଇ ରଖୁ । ଆପଣାର ଲୋକଙ୍କ ସହ କଥା ହେବା ପାଇଁ ସମୟ ନୁହେଁ , ଇଚ୍ଛା ଶକ୍ତିର ଆବଶ୍ୟକ । ଯେଉଁଟା ତୋ ପାଖରେ ନାହିଁ । ଯେଉଁ ଦିନ ତୋର ଫୋନ୍ ଆସେ ସେ ସେଦିନ ଆକାଶର ଚାନ୍ଦ ମୋ ହାତରେ ପାଇଯାଏ । ମୁଁ ଆଉ ପାରୁନି , ମୁଁ ମୋ ଠାରୁ ହାରି ଗଲି । ତୁ ବୁଝି ପାରିବୁନି ,ତୁ ଗୋଟେ ପାଷାଣ, ନିର୍ଦ୍ଦୟ । ମୋ ମନର ଆବେଗ ବୁଝିବା ପାଇଁ ତୋ ପାଖରେ ହୃଦୟ ନାହିଁ” ।
ଏସବୁ ଶୁଣି ତୁ ନିକଟରୁ ନିକଟତର ହୋଇ ମୋ ହାତକୁ ତୋ ହାତରେ ଛନ୍ଦି ମୋ ମଥାକୁ ତୋ ଛାତିରେ ଆଉଯାଇ ଗେଲରେ ମୁଣ୍ଡକୁ ଆଉଁସି ଦେଲୁ । ଆଉ ମୋତେ ବୁଝାଇବାକୁ ଯାଇ ତୁ କହିଲୁ “ମୋ ନୀରବତା ଭିତରେ ଥିବା ଭଲ ପାଇବାକୁ ତୁ ବୁଝି ପାରିଲୁନି । ମୋ ହୃଦୟର ଭାଷାକୁ ତୁ ପଢ଼ି ପାରୁନୁ । ତୁ ଯଦି ମୋତେ ବୁଝି ପାରିଥାନ୍ତୁ, ନିଜକୁ ଏତେ କଷ୍ଟ ହେଇନଥାନ୍ତୁ, କି ଆଖିରୁ ଲୁହ ଝରାଇ ନ ଥାନ୍ତୁ । ତୋତେ ସମୟ ଦେଉନି ବୋଲି ଏତେ ଅଭିଯୋଗ ଅଭିମାନ କରନ୍ତୁନି । ସମାଜରେ ବଞ୍ଚିବାକୁ ହେଲେ ତୋତେ କଠୋର ହେବାକୁ ପଡ଼ିବ । ତୋର ସରଳ ହୃଦୟକୁ ଦୃଢ଼ କରେ । ତୋ ସରଳତା ଉପରେ ସମସ୍ତଙ୍କ ଚିଲ ନଜର ପଡ଼ୁଛି । ମୁଁ ଚାହେଁନି ଏହି ମାଂସ ଲୋଭୀ ଚିଲମାନେ ତାଙ୍କ ମୁନିଆଁ ଦାନ୍ତରେ ତୋତେ କ୍ଷତାକ୍ତ କରନ୍ତୁ । ତୁ ଏହାର ପ୍ରତିବାଦ କରିବା ଶିଖେ । ଏକା ଏକା ସମସ୍ୟାର ସମାଧାନ କରେ । ମୁଁ ତ’ ସବୁବେଳେ ତୋ’ ପାଖରେ ରହୁନି , ନିଜକୁ ପରିବର୍ତ୍ତନ କରେ । ମୋ ଅନୁପସ୍ଥିତିରେ ଖୁସି ହେବା ଶିଖେ । ବ୍ୟସ୍ତତା ଭିତରେ ତୋ ପାଇଁ ସମୟ ଦେଇ ପାରୁନି,ତା’ ମାନେ ନୁହେଁ ମୁଁ ତୋତେ ଭଲପାଉନି । ମତେ ବି ତ ମୋ ଭବିଷ୍ୟତ ଦେଖିବାର ଅଛି । ସବୁବେଳେ ତ’ ମୁଁ ଘରେ ବସି ରହି ପାରିବିନି । Luckdown ଥିଲା ମୁଁ ଘରେ ବସୁଥିଲି । ତୋତେ ସମୟ ଦେଉଥିଲି । ଏବେ ତ’ ସ୍ଵାଭାବିକ ହେଲାଣି । ମୋତେ ବି ତ’ କିଛି କାମ ଦାମ କରିବାକୁ ପଡିବ । ଏ ପର୍ଯ୍ୟନ୍ତ କୌଣସି ଜାଗାରେ କାମ ଠିକ ହୋଇନି। ଏପରି ପରିସ୍ଥିତିରେ ମୁଁ କିପରି ଅଛି ତୁ କେବେ ଭାବିଛୁ ? କେବେ ଚିନ୍ତା କରିଛୁ ? ମୋ ମନର ଅବସ୍ଥାକୁ କେବେ ବୁଝିଛୁ । ନା ତୁ ବି ବୁଝି ପାରିଲୁନି । ମତେ ବୁଝିବା ପାଇଁ ତୋତେ ଆହୁରି ଅନେକ ଦିନ ଲାଗିବ । ତୋତେ ସମୟ ଦେଉନି,ତୋ ସହ କଥା ହେଲିନି ବୋଲି ତୁ ମୋ ଉପରେ ରାଗୁଛୁ । ତୁ ଭାବୁଛୁ କି ତୋ ସହ କଥା ନ ହୋଇ ଅନ୍ୟମାନଙ୍କୁ ସମୟ ଦେଉଛି , ତୁ ମୋତେ ସନ୍ଦେହ କରୁଛୁ” । ତୋ ମୁହଁରୁ ଏତିକି ଶୁଣି ମୁଁ କିଛି ବୁଝି ପାରିଲିନି , ଆଉ କହିଲି ହଁ ମୁଁ ତୋତେ ସନ୍ଦେହ କରୁନି, ତୁ କାହିଁ ଭାବୁଛୁ ମୁଁ ତୋତେ ସନ୍ଦେହ କରୁଛି ବୋଲି । ମୁଁ କିନ୍ତୁ ବେଳେବେଳେ ତୋ ଉପରେ ବେଶୀ ରାଗି ଯାଏ, କାହିଁକି ନା ମୁଁ ଫୋନ୍ କଲେ ତୋ ଫୋନ୍ ବ୍ୟସ୍ତ ଥାଏ,ତୁ କାହା ସହ ଗପୁଥିବୁ । ମୋ କଥା ନ ସରୁଣୁ, ତୁ କହିଲୁ , ହଁ ମୁଁ ସମୟ ଦେଉଛି ସେମାନଙ୍କୁ ଯିଏ ମୋ କଥା ବୁଝୁଛନ୍ତି । ତୋ ଭଳି ହଜାରେ ପ୍ରଶ୍ନ ପଚାରୁ ନାହାଁନ୍ତି । ସେମାନେ ମୋତେ ବୁଝୁଛନ୍ତି ବୋଲି ମୁଁ ତାଙ୍କ ସହ କଥା ହେଉଛି । ଦୁଃଖ ଲାଗୁଛି ,ମତେ ଅଧିକା ବୁଝି ପାରୁଥିବା ଲୋକଟି ଆଉ ଆଗ ଭଳି ବୁଝି ପାରୁନି । ଏତିକି ଶୁଣି ମୋ ଆଖିରୁ ଅଜାଣତରେ ଲୁହ ଦୁଇଟୋପା ଝରିଗଲା । ଆଉ ମୁଁ କହିଲି “ ତୁ ତ ଜାଣୁ ତୋ ଫୋନ୍ କଲ୍ ପାଇଁ ମୁଁ କେତେ ବ୍ୟାକୁଳ । ଯଦି ବ୍ୟସ୍ତତାରେ ଫୋନ୍ ଉଠାଇ ପାରୁନୁ ମେସେଜ ତ କରି ପାରନ୍ତୁ । ତୋ ନିଃଶ୍ବାସରେ ତୋ ଉପସ୍ଥିତକୁ ଅନୁଭବ କରିପାରେ ମୁଁ” । ଏତିକି ଶୁଣି ତୁ କହିଲୁ “ମୋ ନୀରବତା ନୁହେଁ , ତୋ ଠାରୁ ଦୂରେଇ ଯିବା । ଆଗରୁ ତୋ ଫୋନ୍ କଲ୍ ପାଇଁ ମୁଁ କେତେ ବ୍ୟାକୁଳ ହେଉଥିଲି । ଯେତିକି ଭଲ ପାଉଥିଲି,ଏବେ ବି ତା’ ଠାରୁ ଅଧିକ ଭଲ ପାଉଛି । ଜୀବନର ଶେଷ ନିଃଶ୍ୱାସ ଯାଏ ତୋତେ ଏମିତି ଭଲ ପାଉଥିବି” । ଏତିକି ଶୁଣି ମୁଁ ମୋର ଭୁଲ ବୁଝିପାରିଲି । “ମୁଁ ଜାଣିଛି ତୁ ମୋ ସହ କଥା ହୋଇ ନ ପାରିଲେ କ'ଣ ହେଲା, ମୁଁ ପରା ତୋର ହୃଦୟରେ ଅଛି” । ଅନୁରୂପ ତୁ ବି ମୋ ମନରେ ଆଘାତ ଦେଉ ଥିବାରୁ କଷ୍ଟ ଅନୁଭବ କଲୁ । ଆମେ ଦୁହେଁ ଆମ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ସମୟଟେ ସ୍ଥିର କଲେ ସକାଳେ ଓ ରାତିରେ ଭିଡ଼ିଓ କଲରେ କଥା ହେବା ପାଇଁ । ସେହି ସମୟଟା ଖାଲି ତୋର ଆଉ କାହା ପାଇଁ ନୁହେଁ ବୋଲି ପ୍ରତିଶ୍ରୁତି ଦେଲୁ । “ହଁ ତୁ ତ ଏମିତି ଅନେକ ଥର କହିଛୁ , ତୋର ମିଠା ମିଠା କଥାରେ ମୁଁ ଭାସି ଯାଇଛି । ତୋର ସେହି ସତ କି ମିଛ ଆଶ୍ୱାସନାରେ ମୁଁ ବଞ୍ଚିଛି । ସମୟ କହିବ ଆମ ସମ୍ପର୍କ କେତେଦିନ ଆଉ କେତେ ସୁଦୃଢ଼ ହେବ ।

