Laxman Kumar Behera

Tragedy Romance

3  

Laxman Kumar Behera

Tragedy Romance

ସ୍ମୃତିଲେଖା

ସ୍ମୃତିଲେଖା

7 mins
425


ସ୍ନାତକୋତ୍ତର ପ୍ରଥମ ବର୍ଷ ଓଡିଆ ବିଭାଗରେ ମୁଁ ନୂଆ ଭାବେ ଗଙ୍ଗାଧର ମେହେର ସ୍ବୟଂଶାସିତ ମହାବିଦ୍ଯାଳୟରେ ନାମ ଲେଖାଇ ଥାଏ । ପ୍ରଥମେ ପ୍ରଥମେ ମୋତେ କିଛି ଦିନ ଅସହଜ ମନେହେଲା । ନୂଆ ନୂଆ ସାଙ୍ଗମାନଙ୍କ ଗହଣରେ ନିଜକୁ ଖାପ ଖୁଆଇ ମିଶିବା ମୋ ପାଇଁ କଷ୍ଟ ହେଉଥାଏ । ତଥାପି ବି ମିଶୁଥାଏ । ଝରକା ପାଖରେ ସବୁଦିନେ ବସୁଥିବାରୁ ମୋ ଦେହରେ ଶୀତଳ ମୃଦୁ ମଳୟ ସ୍ପର୍ଶ କରୁଥାଏ । ମୁଁ ଥରୁଥାଏ ।

ମୁଁ ଭଡାରେ ରହୁଥିବା ହଷ୍ଟେଲ୍ ବାଟ ଦେଇ କଲେଜ୍ ର ସବୁ ଛୁଆ ଯାଉଥିଲେ । କାରଣ କଲେଜ୍ କୁ ଯିବା ପାଇଁ ଅନେକ ବାଟ ଥିଲେ ବି ସବୁ ବାଟଠାରୁ ସେ ବାଟଟି ଟିକେ ଭଲ ଥିଲା । କାଦୁଅ ନଥିଲା ।

ପ୍ରାୟ ଚାରି ପାଞ୍ଚ ଦିନ ଭିତରେ କଲେଜ୍ ର ସବୁ ପିଲାଙ୍କୁ ମୋର ରୋମାଣ୍ଟିକ୍ କଥାବାର୍ତ୍ତାରେ ମୁଁ ନିଜର କରି ସାରିଥାଏ ।

ଦିନେ କ୍ଲାସ୍ ଆରମ୍ଭ ହେଇ ସାରି ଥିଲା । ଜଣେ ଝିଅ ଆସି ମୋ ପାଖରେ ବସିଗଲା । ସେ ଆଗରୁ କେବେ କଲେଜ୍ ଆସି ନଥିଲା । ସେଦିନ କଲେଜ୍ ରେ ତା'ର ପ୍ରଥମ ପ୍ରବେଶ । ମୁଁ କଥା ହେଇ ପାରୁ ନଥିଲି, କାରଣ କ୍ଲାସ୍ ଚାଲିଥିଲା । ତା' ରୂପ ମନ ମୁଗ୍ଧକର ଥିଲା । ମୋତେ ଦେଖି ସେ ହସିଦେଲା । କ୍ଲାସ୍ ସରିବା ପରେ ସେ ମୋତେ ନ ଚିହ୍ନିଲା ପରି ହେଲା । ମୁଁ କିଛି ବୁଝି ପାରିଲି ନାହିଁ । ଏମିତି ସବୁଦିନେ କ୍ଲାସ୍ ଆରମ୍ଭ ହେଲା ପରେ ସେ ପହଞ୍ଚେ । ମୋ ସାଙ୍ଗରେ କେବଳ ପ୍ରଥମ ଦିନ ହିଁ ବସିଥିଲା । ସେଇଦିନୁ ଆଉ କେବେ ମୋ ସହିତ ସେ ବସିନି । ସବୁଦିନେ ସେ କଲେଜ୍ ଆସେ ହେଲେ ମୋ ସହ କେବେ କଥା ହୁଏନି କି ଆଡନେତ୍ରେ ମୋତେ ଦେଖେନି । ତା' ବିଷୟରେ ମୁଁ ଅନ୍ଯ ମାନଙ୍କ ଠାରୁ ବହୁତ କିଛି ଶୁଣେ । ତା'ର ସୌନ୍ଦର୍ଯ୍ୟରେ ମୁଁ ନିଜକୁ ପରିପୂର୍ଣ୍ଣ ମନେ କରୁଥାଏ । କେତେବେଳେ ଯେ, ତା'କୁ ଭଲପାଇ ବସିଥିଲି ଜାଣି ପାରି ନଥିଲି ।

ମନେ ମନେ ସବୁଦିନେ ଭାବେ ମୋତେ ଥରୁଟିଏ ସେ ଦେଖନ୍ତା କି ? ମୋ ସହ ପଦେ କଥା ହୁଅନ୍ତା କି ? କିନ୍ତୁ; ନା ସେ ମୋତେ ଦେଖେ ନା କଥା ହୁଏ । ମୁଁ ପ୍ରତିଦିନ କଲେଜ୍ ଯାଏ । କେବଳ ତା'କୁ ହିଁ ଦେଖିବା ପାଇଁ । ତା'କୁ ଥରେ ଦେଖି ଦେଲେ କେଜାଣି କାହିଁକି ମନ ମୋର ଖୁସିରେ ନାଚିଉଠେ । ପ୍ରାଣ ମୋର ଉତ୍‌ଫୁଲ୍ଲିତ ହେଇଯାଏ । କଲେଜ୍ ରେ ଏତେ ଝିଅ ଥାଉ ଥାଉ ତା'କୁ ମୁଁ କାହିଁକି ମନେ ମନେ ଭଲପାଇ ବସିଥିଲି ଜାଣି ପାରି ନଥିଲି । ବୋଧହୁଏ ତାକୁ ମୁଁ ଅନନ୍ତ କାଳରୁ ଜାଣି ଥିଲି ।

ସେ ଦେଖିବାକୁ ବହୁତ ସୁନ୍ଦର ଥିଲା । ମୁଁ ତା ସହ କଥା ହେବା ପାଇଁ ବହୁତ ଡରୁଥିଲି । ମୁଁ ଡରିବାର କାରଣ ଅନେକ ଥିଲା । ସେ କୋଟିପତି ଜେଲର୍ ର ବଡ ଝିଅ ଥିଲା ଆଉ ମୁଁ ଗରିବ ଗାଉଁଲି ଥିଲି । ଉଚ୍ଚତାରେ ଆମେ ପ୍ରାୟ ସମାନ ଥିଲୁ । ଯେତେବେଳେ ସେ ହାୟ ହିଲ୍ ଚପଲ୍ ପିନ୍ଧୁ ଥିଲା ସେତେବେଳେ ମୋ ଠାରୁ ଟିକିଏ ଡେଙ୍ଗୀ ଦେଖା ଯାଉଥିଲା । ମୁଁ କୋଇଲି ପରି କଳା ଥିଲି, ସେ ଗୋରୀ ଥିଲା । ହେଲେ, ମୁଁ ତା' ଅପେକ୍ଷା କଲେଜ୍ ରେ ଭଲ ପଢୁଥିଲି ।

ପଥମ ସେମିଷ୍ଟାର ପରୀକ୍ଷାରେ ମୁଁ ସମସ୍ତଙ୍କ ଠାରୁ ଅଧିକ ନମ୍ବର ରଖିବାରୁ ସମସ୍ତେ ମୋତେ ବଧାଇ ଜଣାଇଲେ । ମୁଁ ଅନୁଭବ କଲି ସ୍ମୃତିଲେଖା ମୋ ଆଡକୁ ଧିରେ ଧିରେ ଆକର୍ଷିତ ହେଉଥିଲା । ମୋ ସହ କଥା ହେବା ପାଇଁ ପାଦ ବଢାଇବା ଆରମ୍ଭ କଲା । ମୁଁ ବିଳମ୍ବ ନକରି କଥା ହେଲି । ପ୍ରଥମ ଉପହାର ସ୍ବରୂପ ସେ ମୋତେ ଗୋଲାପ ଫୁଲଟିଏ ଦେଲା । ମୁଁ ତାକୁ ଏକ ଡାଏରୀ ସହ ନୀଳ କଲମ ଉପହାର ଦେଲି । ସେ ବହୁତ ଖୁସି ଅନୁଭବ କରୁଥିଲା । ମୁଁ ତା' ସହ ଅତ୍ଯନ୍ତ ପ୍ରସନ୍ନ ଥିଲି । ସେ ମୋର ବହୁତ ପ୍ରିୟ ଥିଲା । ମୁଁ ସେଦିନ ଜାଣି ପାରିଥିଲି ସ୍ମୃତିଲେଖା ମୋତେ ଭଲପାଉ ଥିଲା । ମୋତେ ଅନନ୍ତ ପ୍ରେମ କରୁଥିଲା । ମୁଁ ଯେଉଁଦିନ କଲେଜ୍ ରେ ଅନୁପସ୍ଥିତ ରହୁଥିଲି, ମୋ ସାଙ୍ଗମାନଙ୍କୁ ମୋ ବିଷୟରେ ପଚାରି ବୁଝୁଥିଲା । ମୋ ସାଙ୍ଗମାନେ ମୋତେ ଆସି ସ୍ମୃତିଲେଖା ବିଷୟରେ ସବୁ ବର୍ଣ୍ଣନା କରି କହୁଥିଲେ । ମୋତେ ବି ଶୁଣିବାକୁ ଭଲ ଲାଗିଥିଲା । ସେ ସବୁ ଅଭୁଲା ମୁହୂର୍ତ୍ତକୁ ମୁଁ ମନଭରି ଉପଭୋଗ କରୁଥିଲି । କଲେଜ୍ ରେ ଗୋଟିଏ ବି ମୁହୁର୍ତ୍ତ ଆମେ ପରସ୍ପର ଠାରୁ ଅଲଗା ରହିବାକୁ ଚାହୁଁ ନଥିଲୁ । ପରସ୍ପରକୁ ଟିକିଏ ନଦେଖିଲେ ପାଠ ପଢାରେ ମନ ବି ଲାଗୁ ନଥିଲା । ମୁଁ ଯେତେବେଳେ କ୍ଲାସ୍ ରୁମ୍ ରେ ତା'କୁ ଦେଖୁଥିଲି ସେ ମୋତେ ଆଖି ନଚେଇ ଇଙ୍ଗିତ କରି ସାର୍ ଯାହା ପଢାଉଛନ୍ତି ଶୁଣ ବୋଲି କହୁଥିଲା । ସେବେ ମୁଁ ଅପୂର୍ବ ଆନନ୍ଦ ଅନୁଭବ କରୁଥିଲି । ଏମିତି ଗୋଟିଏ ବି ସମୟ ନଥିବ ସେ ମୋ କଥା କି ମୁଁ ତା କଥା ଅନ୍ଯ ସମ୍ମୁଖରେ ବଖାଣି ନଥିବୁ । ଯେବେ ଆମେ ପରସ୍ପରକୁ ଆଖିରେ ଆଖି ମିଶେଇ ଦେଖୁ ସେବେ ଆମେ ଏକ ଅଜଣା ଇଲାକାରେ ହଜିଯାଉ । ସେ ଇଲାକାରୁ ଫେରିବାକୁ ଜମାରୁ ଟିକିଏ ବି ଇଚ୍ଛା ହୁଏନି ।

ହଠାତ୍ କିଛି ଦିନ ପରେ ଏକ ଦୁଃଖଦ ପରିସ୍ଥିତି ଆସିଲା । କିଛି ବୁଝି ପାରିଲିନି ସ୍ମୃତିଲେଖା କଲେଜ୍ ଆସିବା କ'ଣ ପାଇଁ ବନ୍ଦ କରିଦେଲା । ମନ ମୋର ଭାଙ୍ଗି ଯାଇଥାଏ । ତା'ର ଚିନ୍ତାରେ ମୁଁ କିଛି ପଢି ପାରୁ ନଥାଏ । ମୁଁ ତା' ସହ ଯୋଗାଯୋଗ ପାଇଁ ଅନେକ ଚେଷ୍ଟା କଲି । ହେଲେ ବିଫଳ ହେଲି । ମାସେ ପରେ ସହପାଠୀ ମାନଙ୍କ ଠାରୁ ଶୁଣିଲି ତା'ର ବିବାହ ବରଗଡ ଜିଲ୍ଲାର ଜଣେ ପୋଲିସ ଅଫିସରଙ୍କ ସହ ହେଇଯାଇଛି ।

ମୁଁ ବାସ୍ତବ କଥା ଶୁଣି ଚମକି ପଡିଲି । ଦେହରେ ବିଜୁଳି ଦୌଡିଗଲା । ନାକଫୁଡାରୁ ତତଲା ନିଃଶ୍ଵାସ ସବୁ ବାହାରିବାକୁ ଲାଗିଲା । ହୃଦୟରେ ପୀଡାର ଦରଜ ସହିବା କଠିନ ହୋଇ ପଡିଲା । ସତରେ କ'ଣ ସ୍ମୃତିଲେଖା ବିବାହ କଲା ? ମୋତେ ସତ୍ଯ ନକହିବାର କାରଣ କ'ଣ ହେଇପାରେ ? ଅତୀତର ମଧୁର ମୁହୂର୍ତ୍ତ ସବୁ ମନେପଡି ଆଖିରୁ ଲୁହ ଆସି ଯାଉଥାଏ । ଭାବିଲି ଏବେ ଏକା ଏକା ବଞ୍ଚିବାକୁ ହେବ । ବିଗତ ଦିନର ପ୍ରତିଟି କ୍ଷଣକୁ, ପ୍ରତିଟି ମୁହୂର୍ତ୍ତକୁ ମନେ ପକାଇ ଜୀଇଁବାର କଳା ହାସଲ କରିବାକୁ ମୁଁ ପ୍ରୟାସ କରିବାକୁ ଲାଗିଲି । କେମିତି ଭୁଲିଯିବି ସେ ସମୟକୁ ? ଯେଉଁ ସମୟରେ ମୁଁ ତା'କୁ ଅପାର ପ୍ରେମ କରୁଥିଲି । ତା'କୁ କେମିତି ଭୁଲିଯିବି ? ଯାହାକୁ ଦେଖି ମୋ ପ୍ରାଣରେ ଅପୂର୍ବ ଶୀହରଣ ସଂଚାର ହେଉଥିଲା । ଏହା ତ ସତ୍ଯ କି ଆଜିବି ତା'କୁ ମୁଁ ସେତିକି ଭଲ ପାଉଛି ଆଗରୁ ଯେତିକି ଭଲ ପାଉଥିଲି ।

ହୃଦୟ ଆଉ ମସ୍ତିସ୍କରେ ସେ ବସି ସାରିଛି । ତା'କୁ ଭୁଲିଯିବି ଏହା କଦାପି ସମ୍ଭବ ନୁହେଁ । ଜାଣେ ପ୍ରଥମ କରି ଯାହାକୁ ଦେଖି ମୁଁ କଲେଜ୍ ରେ ସେଦିନ ପ୍ରେମର ପରମ ସ୍ବାଦ ଚାଖିଥିଲି । ରୂପ ଲାବଣ୍ଯରେ ମୁଁ ବିଭୋର ହେଇ ଯାଇଥିଲି । ଯାହାର କଣ୍ଠସ୍ବର ଶୁଣିବା ପାଇଁ, ତା'କୁ ଟିକିଏ ଆଖି ପୁରେଇ ଦେଖିବା ପାଇଁ ନିଜ ଗାଁକୁ ଯାଇ ପାରୁ ନଥାଏ, ସାଙ୍ଗ ସାଥୀ ମାନଙ୍କୁ ଥରୁଟିଏ ମନେ ପକାଇ ପାରୁ ନଥାଏ । ସେ ତ ନିହାତି ମୋ ପୂର୍ବଜନ୍ମର ପ୍ରେମିକା ହେଇଥିବ । ଯାହା ସହ ଟିକେ ହାତ ମିଳାଇ ବିପୁଳ ସୁଖ ଅନୁଭବ କରୁଥିଲି । ଯାହାର ସ୍ପର୍ଶରେ ମୋର ଅନ୍ତରାତ୍ମା ନାଚି ଉଠୁଥିଲା । ତା'କୁ ଭୁଲିଯିବି ଏକଥା କେବେ ସମ୍ଭବ ନୁହେଁ । ମୋ ପ୍ରେମ ଶାଶ୍ଵତ, ପବିତ୍ର, ଚିରନ୍ତନ ଓ ସତ୍ଯ ।

ସବୁ କିଛି ତ ଠିକ୍ ଥିଲା । ପ୍ରେମ ଥିଲା, ବିଶ୍ବାସ ଥିଲା । ଆବେଗ ବି ଥିଲା । ପରସ୍ପରକୁ ପ୍ରାଣ ଦେଇ ଭଲ ନ ପାଉଥିଲୁ ଏକଥା ତ ନୁହେଁ । ତା' ହେଲେ ଅସୁବିଧା କେଉଁଠାରେ ରହିଗଲା ଜାଣି ପାରିଲି ନାହିଁ । ମୁଁ ତ କେବେ ଧୋକା ଦେଇ ନଥିଲି । ମୋତେ ଯନ୍ତ୍ରଣା ଦେବାର ଅର୍ଥ କ'ଣ ? ସେ ତ ମୋତେ ପ୍ରେମ କରୁଥିଲା ନା ଭଲ ପାଇବାର ମିଛ ନାଟକ ରଚୁଥିଲା ? ମୋ ଭାବନା ସହ ଖେଳୁ ନଥିଲା ତ ? ଏହା ମୋର ଭ୍ରମ ନଥିଲା ତ ? ନା, ନା, ସେ ସେମିତି ସେ ନୁହେଁ ଭାବି ନିଜକୁ ବୁଝାଇ ନେଉଥାଏ । ସିଏ ସେମିତି ସ୍ବଭାବର ତ ଲାଗୁ ନଥିଲା । ମୋତେ କିଛି ନଜଣାଇ ଅନ୍ଯକୁ ବିବାହ କରିବାର କାରଣ କ'ଣ ଥାଇପାରେ ? ମୋ ସାଙ୍ଗମାନେ ଆମ ବିକ୍ଷୟରେ ତାଙ୍କ ଘରେ ଜଣେଇ ଦେଲେ କି ? ବୋଧେ ତାଙ୍କ ବାପାଙ୍କ ପାଇଁ ସେ ବିବାହ କରିଥିବେ ନିଶ୍ଚିତ । ଏମିତି ଅନେକ କଥା ମନରେ ଦ୍ବନ୍ଦ ସୃଷ୍ଟି କରୁଥାଏ ।

ମୋ ଜୀବନର ପ୍ରଥମ ଆଉ ଶେଷ ଭଲପାଇବା ତୁମେ କେବଳ ସ୍ମୃତିଲେଖା । ସତରେ ତୁମେ ସ୍ମୃତି ହେଇ ରହିଗଲ ମୋ ହୃଦୟର ପ୍ରିୟ ଇଲାକାରେ । ଜୀବିତାବସ୍ଥାରେ କେବେ ପୁଣି ଭେଟ ହେବ କି ନା ଜାଣିନି । ତଥାପି ଆଗରୁ ତୁମକୁ ଯେମିତି ନିରବରେ ଭଲ ପାଉଥିଲି ସେମିତି ଜୀବନଭର ଭଲ ପାଉଥିବି ଏଇ ଦୃଢ ବିଶ୍ବାସ ମୋର ଅଛି । ତୁମେ ତୁମର କୌଣସି ପରିସ୍ଥିତି ପାଇଁ ବଦଳି ଯାଇପାର, ହେଲେ; ମୁଁ କେବେବି ବଦଳି ପାରିବିନି । ଭଲ ପାଇବାରେ ତୁମକୁ କେବେ ତିଳେ ବି ହେଳା କରିବିନି । ଶରୀରରେ ଶେଷ ଶ୍ବାସ ଥିବା ପର୍ଯ୍ଯନ୍ତ ମୁଁ ତୁମକୁ ହିଁ କେବଳ ଭଲପାଇବି । ଏହା ମୁଁ ନିଶ୍ଚିତ ଓ ଅଟଳ ।

ମୋ ଜୀବନ ପୃଷ୍ଠାରେ ତୁମେ ଆଙ୍କି ଦେଇଥିବା ପ୍ରୀତି ସ୍ପର୍ଶର ମଧୁର ଗାର ସବୁକୁ ନା କେବେ ଭୁଲିବାକୁ ଦେବି ନା ଭୁଲିବାର ପ୍ରୟାସ କରିବି । ଏହା ଅସମ୍ଭବ । ମୁଁ ତୁମକୁ ଆବିଷ୍କାର କରିଥିଲି । ଭାବିଥିଲି ତୁମ ସାଥିରେ ସାରା ଜୀବନ ବିତେଇବି । ହେଲେ; ସମ୍ଭବ ହେଲାନାହିଁ । ଜାଣେ ଏ ସଂସାର ମରଣଶୀଳ, ପରିବର୍ତ୍ତନଶୀଳ । ଦିନେ ମରିବାକୁ ହେବ ଏ ମର୍ତ୍ତ୍ଯରେ । ଏ ପ୍ରକୃତି ତୁମକୁ ଭୁଲିବା ପାଇଁ ମୋତେ ଅନେକ ଚେଷ୍ଟା କରିବ । ହେଲେ, ତମକୁ କଥା ଦେଉଛି ଜଗତରେ ଶେଷ କ୍ଷଣ ପର୍ଯ୍ଯନ୍ତ ଜୀଇଁ ଥିବା ଯାଏଁ ତୁମକୁ ମୋ ହୃଦୟ ଆଉ ମସ୍ତିଷ୍କ କେବେବି ଗୋଟେ କ୍ଷଣ ପାଇଁ ବି ଭୁଲିଯିବ ନାହିଁ ।

ଭବିଷ୍ୟତରେ ଏ ଧରା ମୋତେ ସବୁ ଦେବ । ମୁଁ ପରିଶ୍ରମ ବଳରେ ସବୁ ଧିରେ ଧିରେ ହାସଲ କରି ପାରିବି । ହେଲେ ତୁମକୁ ଆଉ ସେଇ ପୁରୁଣା ସ୍ମୃତି ଭିଜା ସମୟକୁ କେବେ ପାଇ ପାରିବି ନାହିଁ । ଯେଉଁ ସମୟରେ କି ମୁଁ ତୁମକୁ ଭଲ ପାଉଥିଲି ଆଉ ତୁମେ ମୋ ପାଖେ ପାଖେ ଥିଲ ।

ସେଇ ମୁହୂର୍ତ୍ତ ମୋର ସବୁଦିନେ ମନେ ରହିବ । ଯେଉଁ ମୁହୂର୍ତ୍ତ ତୁମେ ମୋ ସହ ମିତ୍ରତାର ହାତ ବଢାଇ ଥିଲ । ପ୍ରେମରେ ସତେଜ୍ ଲାଲ୍ ଗୋଲାପ ଫୁଲଟିଏ ମୋତେ ଉପହାର ଦେଇଥିଲ । ତୁମ ସହ ବିତେଇଥିବା ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମୃତି ହେଇ ରହିଗଲା । କେବେବି ଭୁଲି ପାରିବିନି ତୁମର ସେ ଗୋଲାପି ଓଠର ହସକୁ ।

…..

କିଛି ଦିନ ପରେ ମୋ ପାଖକୁ ସ୍ପିଡ୍ ପୋଷ୍ଟରେ ଏକ ପାର୍ସଲ୍ ଆସିଲା । ଘରକୁ ଆସି ଡାକ ପିଅନ ମୋତେ ଦେଲେ । ସ୍ମୃତିଲେଖାର ନାମ ଦେଖି ମୁଁ ଖୁସି ଅନୁଭବ କଲି । ମୋତେ ଆଜି ବି ସେ ମନେ ରଖିଛି ବୋଲି ଭାବିଲି । ପାର୍ସଲ୍ ଟି ଖୋଲି ଦେଖିଲି ମୁଁ ପ୍ରେମର ଉପହାର ସ୍ବରୂପ ସ୍ମୃତିଲେଖାକୁ ଦେଇଥିବା ଡାଏରୀ ଆଉ ନୀଳ କଲମଟି ସେ ଫେରାଇ ଦେଇଛି । ଆଶ୍ଚର୍ଯ୍ୟ ହେଲି । ଦୁଃଖରେ ଭାଙ୍ଗି ପଡିଲି । ଡାଏରୀ ଖୋଲି ଯେବେ ପଢିଲି,

ପ୍ରିୟ ପ୍ରଦୀପ

ମୁଁ କରିଥିବା କର୍ମ ପାଇଁ ଜାଣେ ତୁମେ ମୋତେ ଭୁଲ୍ ବୁଝିଥିବ । କ'ଣ ହେଲେ କରିଥାନ୍ତି । ମୋ ପରିସ୍ଥିତି ମୋତେ ବାଧ୍ଯ କଲା । ମୋ ବାପାଙ୍କ କଥାକୁ ମୁଁ ଅସ୍ବୀକାର କରି ପାରିଲି ନାହିଁ । ତୁମେ ମନ ଦୁଃଖ କରିବ ଭାବି ମୋ ବିବାହ କଥା ତୁମକୁ ଜଣାଇବା ଉଚିତ୍ ମନେ କରି ନଥିଲି । ମୋ ବାପା- ମାଆଙ୍କୁ, ଭାଇ - ଭଉଣୀକୁ ମୁଁ ଯେମିତି ପ୍ରେମ କରେ । ତୁମକୁ ମଧ୍ୟ ସେହିପରି ପ୍ରେମ କରେ । ତୁମକୁ କେବେ ପ୍ରାପ୍ତ ହେବି ଏ ଆଶା ମୋର ନଥିଲା କି ଆଜି ବି ନାହିଁ । ତୁମେ ମୋର ମିତ୍ର ଥିଲ ପ୍ରଦୀପ । ପ୍ରେମରେ ମୋର ପାଇବା ଆଶା ନଥିଲା । ମୁଁ ତୁମକୁ ଆଜିବି ପୂର୍ବ ପରି ପ୍ରେମ କରେ । କାରଣ ତା'କୁ ହିଁ ତ ପ୍ରେମ କରାଯାଏ ନା ଯାହା ସହ କିଛି ନା କିଛି ସମ୍ବନ୍ଧ ଥାଏ । ଯେଉଁ ପ୍ରେମରେ ପାଇବାର ତିଳେ ମାତ୍ର ଆଶା ନଥାଏ, ସେ ପ୍ରେମ ତ ସ୍ଵର୍ଗୀୟ ନା । ମୋ ବାପା ମାଆ ମୋତେ ବିଶ୍ବାସ କରନ୍ତି, ପ୍ରଚୁର ଭଲ ପାଆନ୍ତି । ତାଙ୍କର କଥାକୁ ମୁଁ ଅସମ୍ମାନ କରି ପାରିଲି ନାହିଁ । ବିବାହ କରିବା ପାଇଁ ରାଜି ହେଇଗଲି । ମୋତେ କ୍ଷମା କରିଦେବ ।

ତୁମେ ସତରେ ଯଦି ମୋତେ ପ୍ରେମ କରୁଥିବ । ଭଲ ପାଉଥିବ, ବିଶ୍ବାସ କରୁଥିବ । ଅତୀତକୁ ଭୁଲି ନିଶ୍ଚିତ ସଂସାର ବସାଇବ ।

। ଇତି ।

ତୁମର ସ୍ମୃତିଲେଖା

......

ଡାଏରୀ ଆଉ କଲମଟି ଏବେ ବି ତାଙ୍କ ପୂଜାଘର ଥାକରେ ଅଛି । ସ୍ମୃତିଲେଖାକୁ ଭାବି ଭାବି ତା' ପ୍ରେମରେ ନିଜକୁ ଏମିତି ଭାବେ ସମର୍ପିତ କରି ଦେଇଛି ଯେ, ବିବାହ ବୟସ କେତେବେଳେ ଆସି ଗଡିଗଲା ସେ ଜାଣି ପାରିଲା ନାହିଁ । ଆଜି ଅଲେଖ ଦୀକ୍ଷା ନେଇ ସେ ଯାଯାବର ଭାବେ ଜୀବନ ଜୀଇଁବାରେ ମଗ୍ନ ।


Rate this content
Log in

Similar oriya story from Tragedy