Laxman Kumar Behera

Drama Tragedy

3  

Laxman Kumar Behera

Drama Tragedy

ଚପଲ୍ : ମୃତ୍ୟୁ ଉପହାର

ଚପଲ୍ : ମୃତ୍ୟୁ ଉପହାର

5 mins
232



        ଦେବଗଡ କାରାଗାର ଭିତରେ ଲଳିତ ଯେବେ ଦେଖିଲା ତା'ର ପ୍ରିୟ ବନ୍ଧୁ ନନ୍ଦୁ ତା' ସାମ୍ନାରେ ଛିଡା ହୋଇଛି, ସେ ଆଶ୍ଚର୍ଯ୍ଯ ହୋଇ ପଚାରିଲା- " ଆରେ ନନ୍ଦୁ ତୁ ଏଠାକୁ କେମିତି ଆସିଲୁ ? " ଏହା ଶୁଣି ନନ୍ଦୁର ପାଟି ଅଠା ହେଇଗଲା । ସେ କିଛି କଥା କହି ପାରିଲା ନାହିଁ । ମୁହଁ ପଛ କରି ଯିବା ପାଇଁ ଚାହୁଁଥିବା ବେଳେ ଲଳିତ ତା' ସାମ୍ନାକୁ ଆସି ହାତ ଦୁଇଟିକୁ ଧରି, " କ'ଣ କଲୁ କି ଗାଆଁ ରେ ? ତୁ ତ ବହୁତ ଭଲ ପିଲା । କାହାରି ତ କିଛି ଅନିଷ୍ଟ ତୁ କରୁନି । ହେଲେ; ଜେଲ୍ ଖାନାକୁ ଆସିଲୁ କେମିତି ? କିଛି ତ କହ ? "


         ଅଶ୍ରୁଭିଜା ନୟନରେ ଖୁବ୍ କଷ୍ଟରେ ଲଳିତର ଆଖି ସହିତ ନିଜ ଆଖି ମିଶାଇଲା ନନ୍ଦୁ । ଲଳିତ ଠଉରେଇ ନେଲା ଯେ, ନନ୍ଦୁ ଗାଆଁରେ କିଛି ନା କିଛି ଅମାନବୀୟ କାର୍ଯ୍ଯ କରିଛି । 


         ନନ୍ଦୁ ନିଜ ଆଖିରୁ ଲୁହ ପୋଛି କହିଲା, ଭାଇ ମୁଁ ପୁରା ବର୍ବାଦ ହେଇଗଲି । ଗାଆଁ ରେ କେହି ବି ମୋତେ ଜାଣି ନାହାଁନ୍ତି ଯେ, ମୁଁ କ୍ରୋଧୀ ବୋଲି । ଗାଆଁ ରେ କାହାକୁ କେବେ ରାଗେନି । କେବଳ ନିଜ ଘରେ ମୁଁ ସମସ୍ତଙ୍କୁ ରାଗେ । କ୍ରୋଧକୁ ନିୟନ୍ତ୍ରଣ କରିବାର କଳା ଶିଖି ପାରିଲିନି ବୋଲି ଆଜି ମୋର ପରିବାର ମୋ ଠାରୁ ସବୁଦିନ ପାଇଁ ଦୂରେଇ ଗଲେ । କ୍ରୋଧ ପାଇଁ ମୁଁ ମୋ ନିଜ ହାତରେ ସଂପୂର୍ଣ୍ଣ ପରିବାରଟାକୁ ଛାରଖାର କରିଦେଲି । ଆଜି ମୁଁ ସଂପୂର୍ଣ୍ଣ ନିଃସ୍ବ । ମୁଁ କରିଥିବା ପାପର କ୍ଷମା ନାହିଁ । ଯେଉଁମାନେ ଦିନେ ମୋ ଦୁନିଆ ଥିଲେ ସେମାନେ ଆଜି ମୋ ଠାରୁ ବହୁତ ଦୂରକୁ ଚାଲି ଯାଇଛନ୍ତି । ଯେତେ ଚେଷ୍ଟା କଲେ ମଧ୍ଯ ସେମାନଙ୍କୁ ଆଉ କେବେ ସେଠାରୁ ଫେରାଇ ଆଣି ପାରିବିନି କି ଥରୁଟିଏ ଦେଖି ପାରିବିନି । ଧରାରେ ଖୋଜି ଖୋଜି ଥକିଗଲେ ବି ସେମାନଙ୍କୁ ପାଇବା ଆଉ ଜମା ସମ୍ଭବ ନୁହେଁ । 


        - ତୁ ଏ କ'ଣ କହୁଛୁ ? 


        - ହଁ ଭାଇ । ନିଜ ରଚିତ ସଂସାରକୁ ମୁଁ ନିଜେ ହିଁ ଧ୍ବଂସ କରିଦେଲି । ମୋ ଠାରେ ଥିବା କ୍ରୋଧ ମୋ ଜୀବନଟାକୁ ନର୍କଗାମୀ କରିଦେଲା । କ୍ରୋଧଟା ଏତେ ଯେ, କ୍ଷତି କାରକ ଏହା ମୋର ବୁଝିବା ବାହାରେ ଥିଲା । କଥା କଥାରେ ମୁଁ ନିଜ ପିଲାମାନଙ୍କୁ, ସ୍ତ୍ରୀ କୁ କ୍ରୋଧ କରି ଅକଥନୀୟ ଅତ୍ୟାଚାର କରୁଥିଲି । ସେମାନେ ମୋତେ କିଛି କହୁ ନଥିଲେ । ନିରବରେ ସବୁ ସହି ଯାଉଥିଲେ । ଯାହା ମୋତେ ଆହୁରି କ୍ରୋଧୀତ ହେବାକୁ ବାଧ୍ଯ କରୁଥିଲା । 


         ମୁଁ ଜାଣୁଥିଲି ଏ କ୍ରୋଧ ଦିନେ ମୋତେ ସମସ୍ତଙ୍କ ଠାରୁ ଅଲଗା କରି ଦେବ । ନିଃସ୍ବ କରି ଯନ୍ତ୍ରଣା ବାଟର ଏକଲା ପଥିକ ସଜାଇ ଦେବ । ସବୁକିଛି ଜାଣୁଥାଏ ଅଥଚ ନିଜକୁ କ୍ରୋଧମୁକ୍ତ କରି ପାରୁ ନଥାଏ । କ୍ରୋଧ ମୋ ଦେହ ସାରା ଚରି ସାରିଥାଏ । 


         ମୁଁ ହଠାତ୍ ରାଗିଯାଏ ବୋଲି ଗାଆଁ ରେ କେହି ବି ଆଜିଯାଏଁ ଜାଣି ନାହାଁନ୍ତି । ଏକଥା କେବଳ ମୋ ସ୍ତ୍ରୀ ଓ ପିଲାମାନେ ଜାଣିଥିଲେ । ସେମାନେ କାହାକୁ କେବେ ମୁଁ କଥା କଥାରେ କ୍ରୋଧ କରେ ବୋଲି ଜଣାଇଁ ନଥିଲେ । ଅନ୍ଯକୁ ଜଣାଇବାକୁ ବୋଧେ ସେମାନେ ପସନ୍ଦ କରୁ ନଥିଲେ । ସେମାନେ ମୋତେ ପ୍ରଚୁର ଭଲ ପାଉଥିଲେ, ତେଣୁ ମୋର ଅସମ୍ମାନ ଚାହୁଁ ନଥିଲେ । ଯାହା ଆଜି ମୁଁ ବୁଝି ପାରୁଛି । 


         ଘର ବାହାରେ ମୁଁ ଭଦ୍ର - ଶାନ୍ତ ଥିଲି । ହେଲେ; ଘର ଭିତରେ ମୁଁ କେତେ ଯେ, ହିଂସ୍ର ଏହା କେବଳ ମୋ ସ୍ତ୍ରୀ ଓ ଛୁଆମାନେ ଜାଣିଥିଲେ । ମୋ ସ୍ତ୍ରୀ ସହ କେହି ପୁରୁଷ ଲୋକ କଥା ହେଲେ ମୁଁ ଜମାରୁ ସହି ପାରୁ ନଥିଲି । ସନ୍ଦେହ କରୁଥିଲି । ସଂଗେ ସଂଗେ ରାଗି ଯାଉଥିଲି । କ୍ରୋଧକୁ ଜମାରୁ ନିୟନ୍ତ୍ରଣ କରି ପାରୁ ନଥିଲି । ବିଭିନ୍ନ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରି ଗାଳି ଗୁଲଜ୍ କରୁଥିଲି । ଯାହା ମୋ ସ୍ତ୍ରୀ କୁ ଭାରି ଅପମାନିତ ଲାଗୁଥିଲା । ସେ ମୋର ସମସ୍ତ ଆବଶ୍ୟକତାକୁ ପୂରଣ କରୁଥିଲା । ମୋ ଇଚ୍ଛା ବିରୁଦ୍ଧରେ ସେ କୌଣସି କାମ କରୁ ନଥିଲା । ତଥାପି ମଧ୍ୟ ମୁଁ ତା'କୁ ବିନା କାରଣରେ ରାଗୁଥିଲି ।


          ଛୋଟ ଛୋଟ କଥାକୁ ନେଇ ଘରେ ଝଗଡା ସୃଷ୍ଟି କରୁଥିଲି । ମୁଁ ପ୍ରତିଟି ମୁହୂର୍ତ୍ତରେ ଏମିତି ରାଗୁଥିବାରୁ ମୋ ସ୍ତ୍ରୀ ମୋତେ କହିଲା- " ମୁଁ ଆଉ ପାରୁନି । ତୁମ ରାଗ ଦିନେ ମୋ ଦୁନିଆ ଉଜାଡି ଦେବ ଭାବି ଭାରି ଭୟ ଲାଗୁଛି । ତୁମେ ଶାନ୍ତ କେମିତି ରହି ପାରୁନ ? ଡାକ୍ତରଙ୍କ ପରାମର୍ଶ ନେଇ ଏତେ ଔଷଧ ଖାଇଲଣି କ୍ରୋଧମୁକ୍ତ କେମିତି ହେଇ ପାରୁନ ? ପ୍ରତିଦିନ ତ ରେଙ୍ଗାଳବାହାଳ ଶିବ ମନ୍ଦିରକୁ ଯାଇ ସେଠାରେ ବସି ଭଗବାନ୍ ଙ୍କୁ ଡାକୁଛ । ଏମିତି ଅନେକ କଥା କହି ସେ ନିରବରେ କାନ୍ଦିବାକୁ ଲାଗେ । ତା' ଆଖିରେ ଲୁହ ଦେଖି ମୁଁ ପରମ ଶାନ୍ତି ପାଉଥାଏ । ସେ ଯେବେ ଯେବେ କଷ୍ଟ ପାଏ ମୁଁ ସେବେ ସେବେ ଖୁସିରେ ଆତ୍ମ ବିଭୋର ହୋଇ ନୃତ୍ଯ କରୁଥାଏ । 


          ଏମିତି ଅନେକ ଥର ତା'କୁ କଷ୍ଟ ଦେଇ ମୁଁ ସୁଖ ଅନୁଭବ କରୁଥିଲି । ଧିରେ ଧିରେ ଏହା ମୋର ନିତିଦିନିଆ ଅଭ୍ଯାସରେ ପରିଣତ ହେଇଗଲା । ସେ ଘରର ସମସ୍ତ କାମ ପାଇଟି କରି ପିଲାମାନଙ୍କ ସେବା କରି ଥକିଯାଏ । ମୁଁ କେବେବି ଭଲ କଥା ପଦେ କହିନି । ଭଲ ବ୍ଯବହାର ଟିକେ ଦେଇନି । ଯାହାର ପରିଣତି ଦିନେ ଏତେ ଯେ, ଭୟଙ୍କର ହେବ ଏକଥା ମୁଁ କେବେ କଳ୍ପନା ସୁଦ୍ଧା କରି ପାରି ନଥିଲି । 


          ସେଦିନ ମଙ୍ଗଳବାର, ମୁଁ କଲା ବଜାରକୁ ବାଇଗଣ ବିକିବାକୁ ଯାଇଥିଲି । ଘରକୁ ଫେରି ଯେବେ ଦେଖିଲି ମୋ ସ୍ତ୍ରୀ ଆଉ ତା' ଅପା ପୁଅ ସୌରଭ ଦୁହେଁ ଚଉକିରେ ବସି ଆଳାପ କରୁଥିଲେ । ପିଲାମାନେ ବିଦ୍ୟାଳୟରୁ ସେତିକିବେଳେ ଘରେ ପହଞ୍ଚି ଥାନ୍ତି । ମୋତେ ଦେଖି ସୌରଭ ଜୁହାର କଲା । ଦେଖିଲି ତା' ହାତରେ ଏକ ଉପହାର ଥିଲା । ମୁଁ ଭାବୁଥିଲି ଉପହାରଟିକୁ ସେ ମୋତେ ଦେବ । ହେଲେ ସେ ମୋ ସ୍ତ୍ରୀ ହାତକୁ ଉପହାରଟି ବଢାଇ ଦେଲା । ଉପହାରଟି ମୋ ସ୍ତ୍ରୀ ଠାରୁ ଛଡାଇ ଆଣି ତା' ଭାଇ ସାମ୍ନାରେ ମୁଁ ପାଦରେ ଦଳି ଦେଲି । ସୌରଭ କାନ୍ଦି କାନ୍ଦି ଘରୁ ପଳାଇଲା । ମୋ ପୁଅ ଆଉ ଝିଅ ଭୟରେ ମୋ ପାଖକୁ ଆସିଲେ ନାହିଁ । ତଥାପି ମଧ୍ୟ ମୋ କ୍ରୋଧ ଶାନ୍ତ ନ ହେବାରୁ ମୋ ସ୍ତ୍ରୀ କୌଶଲ୍ଯାକୁ ବିଷ ଦେଇ ମାରିବାର ଯୋଜନା କଲି । ବାଇଗଣ ଚାଷ ପାଇଁ ଯେଉଁ ବିଷ ଆଣିଥିଲି ଆଗପଛ କିଛି ନଭାବି ସବୁତକ ବିଷ ଭାତ ହାଣ୍ଡିରେ ଢାଳି ଗାଆଁ ଭିତରକୁ ବୁଲିବାକୁ ଚାଲିଗଲି । ରାତି ନଅଟା ବେଳେ ଆସି ଦେଖିଲି ମୋ ସ୍ତ୍ରୀ ଆଉ ଛୁଆମାନ ସବୁଦିନ ପାଇଁ ଗାଢ ନିଦ୍ରାରେ ଶୋଇ ଯାଇଥିଲେ ।


            ମୋ ସ୍ତ୍ରୀ ଉପହାରଟିକୁ ଛାତିରେ ଜାକି ଧରି ଥିଲା । ଏହା ଦେଖି ମୁଁ ଆହୁରି କ୍ରୋଧୀତ ହେଲି । ଉପହାରଟିକୁ ତା' ଠୁ ଛଡାଇ ନେଇ ଯେତେବେଳେ ଦୂରକୁ ଫୋପାଡି ଦେଲି ଦେଖିଲି ସେଥିରୁ ହଳେ ଚପଲ୍ ବାହାରିଲା । ଚପଲ୍ ର ମାପ ମୋ ପାଦ ପାଇଁ ଠିକ୍ ଥିଲା । ମୋ ସ୍ତ୍ରୀ ପାଇଁ ସେଥିରେ କିଛି ନଥିଲା । ମୋ ପାଇଁ ସୌରଭ ହଳେ ଚପଲ୍ ଆଣି ଦେଇଥିଲା ତାହା ମୋତେ ବୁଝିବାକୁ ଆଉ ବେଶି ସମୟ ଲାଗିଲା ନାହିଁ । ସର୍ବଦା ମୋ ସ୍ତ୍ରୀକୁ ଭୁଲ୍ ବୁଝି ଘୃଣା ଆଉ ସନ୍ଦେହ ଚକ୍ଷୁରେ ଦେଖି ଥିବାରୁ ମୁଁ ମର୍ମାହତ ଓ ଦୁଃଖିତ । ଆଜି ମୁଁ ଭାରି ଅନୁତପ୍ତ ଭାଇ । ଏମିତି କହି ନନ୍ଦୁ କାନ୍ଦିବାକୁ ଲାଗିଲା ।


          ନନ୍ଦୁ ଠାରୁ ସବୁକଥା ଶୁଣି ଲଳିତର ଆଖିରୁ ଲୁହ ଝରିଗଲା । ଲଳିତ ସେଦିନ ବୁଝିଗଲା ଯେ, ବାହାରକୁ ଭଲ, ସାଧୁ ସନ୍ଥ, ସରଳ ଦିଶୁଥିବା ମଣିଷ ବାସ୍ତବରେ ଭାରି ଜଟିଳ - ଘାତକ ହୋଇଥାଏ । ଏମାନଙ୍କୁ ବୁଝିବା ଭାରି କଷ୍ଟ । ସେମାନେ କେତେ ଦୁଷ୍ଟ ପ୍ରକୃତିର ଏକଥା କେବଳ ତାଙ୍କର ନିଜ ମଣିଷ ମାନେ ହିଁ କହି ପାରିବେ ।



Rate this content
Log in

Similar oriya story from Drama