ଗୋଲାପ ଆଖିରେ ଲୁହ
ଗୋଲାପ ଆଖିରେ ଲୁହ
ଆଖିର ଲୁହକୁ କେହି ପୋଛି ଦେଉଥିଲେ ତା'କୁ କେବେ କ'ଣ ଜୀବନ ବାଟରୁ ସହଜରେ ଭୁଲି ଯାଇ ହୁଏ ? ସେ ତ ପ୍ରତି ମୁହୂର୍ତ୍ତରେ ମନେପଡେ । ସ୍ମୃତି ହୋଇ ରହିଯାଏ ସବୁ ଦିନ ପାଇଁ ହୃଦୟର ଗୋପନ ଇଲାକାରେ । ଏମିତି ଏକ ଜୀବନ୍ତ କାହାଣୀଟିଏ ଏଇ କିଛି ଦିନ ତଳେ ପାଇଥିଲି ମୋ ଗାଆଁ ରେ । କନ୍ତାରୁ ପରିବା ଚାଷୀର ଝିଅ ଭୂଦେବୀର ଦୁର୍ଘଟଣା ଜନିତ ମୃତ୍ୟୁରେ ସେଦିନ ଆମ ଅଞ୍ଚଳର ଗଗନ - ପବନ ବି ନିରବରେ ଅଧିର ହୋଇ କାନ୍ଦୁଥିଲା । ତା'ର ଦୁର୍ଘଟଣା ପର ଠାରୁ ତା' କଥା ଯିଏ ବି ଶୁଣିଲା ତା' ଆଖିରୁ ଲୁହ ଜମାରୁ ଶୁଖୁ ନଥିଲା ।
ମନରେ ନିଶ୍ଚିତ ବିଭିନ୍ନ ପ୍ରଶ୍ନ ଆସୁଥିବ । ଏଇ ଭୂଦେବୀ ପାଖରେ ଏମିତି କ'ଣ ଥିଲା ଯେ, ତା' ମୃତ୍ୟୁ କଥା ଯିଏ ବି ଶୁଣୁଥିଲା ସେ କାନ୍ଦୁଥିଲା ? ଏହାର ଉତ୍ତର କେବଳ ସିଏ ହିଁ ବୁଝାଇ ପାରିବ ଯିଏ ଭୂଦେବୀ ସହିତ ଆଗରୁ ମିଶିଥିବ, ତା'କୁ ଭଲଭାବରେ ବୁଝିଥିବ ।
ମୁଁ ଭଲଭାବରେ ତା'କୁ ଜାଣିଥିଲି । ତା'ର ହୃଦୟ ଏତେ ବିଶାଳ ଥିଲା ଯେ, ତାହା ଶବ୍ଦରେ ବ୍ୟାଖ୍ଯା କରିବା ଅସମ୍ଭବ ।
ଆମ ସାହିରେ ଭୂଦେବୀର ଘର । ସେ ପ୍ରତ୍ଯେକ ଦିନ ଆମ ଘରକୁ ଆସେ । ଆମ ବାଡିରେ ଥିବା ଗୋଲାପ ଫୁଲ ଗଛ ପାଖରେ ବସି ଏକ ଲୟରେ ଫୁଲ ଆଡକୁ ଚାହିଁ ରହିଥାଏ । ଗୋଲାପ ଫୁଲ ଗଛ ସହ କ'ଣ କଥା ହୁଏ କେ'ଜାଣି ଘଣ୍ଟା ଘଣ୍ଟା ଧରି ଗଛ ମୂଳରେ ବସି ରହେ । ମୋ ମାଆ ତା'କୁ ବହୁତ ସ୍ନେହ ଆଦର କରନ୍ତି । ମୋ ପଢାଘରୁ ଗୋଲାପ ଗଛଟି ସ୍ପଷ୍ଟ ଦେଖା ଯାଉଥିଲା । ସେ ଗୋଲାପ ଫୁଲ କେବେ ତୋଳିବାର ମୁଁ ଦେଖିନି । ସେ ଗଲାବେଳେ ସବୁଦିନେ ମନ ଦୁଃଖ କରି କି ଯାଏ । ମୁଁ ଭାବେ ବୋଧେ ଗୋଲାପ ଫୁଲ ପାଇଁ ଆସୁଛି । ତୋଳି ନେଇ ନ ପାରିବାରୁ ଦୁଃଖ ମନରେ ଫେରି ଯାଉଛି । ତା'କୁ ତ କେହି କେବେ ଫୁଲ ତୋଳିବା ପାଇଁ ଆମ ଘରେ ମନା କରି ନାହାଁନ୍ତି ? ଏମିତି ପ୍ରତ୍ଯେକ ଦିନ ଆସୁଛି ଆଉ ଖାଲି ହାତରେ ଫେରି ଯାଉଛି କାହିଁକି ? ଗାଳି କରିବେ ବୋଲି ଭୟ କରୁଛି କି ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥାଏ ।
ସେ ଖାଲି ହାତରେ ସବୁଦିନେ ଫେରି ଯିବାଟା ମୋତେ ଜମା ଭଲ ଲାଗୁ ନଥାଏ । ମୁଁ ଭାବିଲି ତା'କୁ ଯେମିତି ହେଲେ କହିବି କୌଣସି ଭୟ ନକରି ଫୁଲ ତୋଳି ନେ ବୋଲି । ପ୍ରତ୍ୟେକ ଦିନ ଭଳି ସେଦିନ ବି ସେ ଆସିଲା, ଫୁଲ ଗଛ ମୂଳେ ପାଣି ଦେଇ ଘଡିଏ ସେଇଠି ବସିଲା । ହେଲେ; ଗଲାବେଳେ ଖାଲି ହାତରେ ଫେରି ଯାଉଥିଲା । ମୁଁ ତା' ପାଖକୁ ଯାଇ କହିଲି,
- ଭୂଦେବୀ, ତୁ ସବୁଦିନେ ଆସି ଗୋଲାପ ଗଛ ମୂଳେ ପାଣି ଦେଉଛୁ, ହେଲେ; ଖାଲି ହାତରେ କ'ଣ ପାଇଁ ଫେରି ଯାଉଛୁ ? ଅନେକ ତ ଗୋଲାପ ଫୁଲ ଫୁଟୁଛି, ତୋଳି କରି ନେଉନୁ ?
- ନା ନା ସରୋଜ ଭାଇ । ମୁଁ ଯଦି ତୋଳିବି ସେ ଦୁଃଖ କରିବ । ତା'କୁ ବହୁତ କଷ୍ଟ ହେବ । ମୁଁ ଜମା ସହି ପାରିବିନି । ତା' ଭଳି ମୁଁ ବି ତ ଦିନେ ଝଡି ମାଟିରେ ମିଶିଯିବି । ସେ ମୋତେ ତ କେବେ ଦୁଃଖ ଦେଉନି ତା'କୁ କାହିଁକି ଦୁଃଖ ଦେବି ? ତା' ମୂଳରେ ଏଇଥି ପାଇଁ ମୁଁ ପାଣି ଦିଏ ଯେ, ଆସନ୍ତା କାଲି ଯେଉଁ ଫୁଲଟି ତା' ଦେହରେ ଫୁଟିବ ସେ ସତେଜ୍ ଦିଶିବ । ତା'ର ସୌନ୍ଦର୍ଯ୍ୟରେ ମୁଁ ଆତ୍ମବିଭୋର ହେଇ ପାରିବି । ତା' କଥା ଶୁଣି ମୋ ପାଟିରୁ ପଦୁଟିଏ ବି କିଛି କଥା ବାହାରିଲା ନାହିଁ ।
ବିଲରୁ ହଳ ସାରି ଘରେ ପହଞ୍ଚି କନ୍ତାରୁ କହିଲା, ଏ ଝିଅ ଭାତ ବାଢ୍ ତ ! ଖାଇବି । ଦେଖିଲା ଘରେ ଝିଅ ନାହିଁ । ବଡ ପାଟିରେ ଡାକ ଦେଇ କହିଲା- ଭୂଦେବୀ, ଏ ଭୂଦେବୀ ••• ।
ଏଇ ସମୟରେ ଭୂଦେବୀ ସାହି ପଟୁ ଦୌଡି ଦୌଡି ଆସୁ ଥିବାର ଦେଖି ଟିକିଏ ବିଚଳିତ ହୋଇ ତା' ବାପା ପଚାରିଲେ, କୁଆଡେ ଯାଇଥିଲୁ ଝିଅ ?
- ମନ୍ଦାକିନୀ ଅପାଙ୍କ ଘରକୁ ଯାଇଥିଲି ବାପା । ତାଙ୍କ ଘରେ ଗୋଲାପ ଫୁଲ ଗଛ ଅଛି । ଲାଲ୍ ଲାଲ୍ ସତେଜ ସତେଜ ଗୋଲାପ ଫୁଲ ଫୁଟୁଛି । ଭାରି ସୁନ୍ଦର ଫୁଲ ସବୁ ।
ଅନ୍ଯ ଘରକୁ ଝିଅ ଯିବାଟା କନ୍ତାରୁକୁ ଜମା ଭଲ ଲାଗିଲା ନାହିଁ । ତା' ଆଖିରେ ଲୁହ ଜକେଇ ଆସିଲା । ବାପା ଆଖିରେ ଲୁହ ଦେଖି ଭୂଦେବୀ ପୋଛି ଦେଇ କହିଲା, ତମେ କାନ୍ଦନି ବାପା । ମୁଁ ଆଉ କେବେବି ଅନ୍ଯ ଘରକୁ ଯିବିନି ।
ଏ ଲୁହ ମୋର ପିଛା ଛାଡୁନି ଲୋ ମାଆ । ତୋ ମାଆ ଛାଡି ଚାଲିଗଲା ଦିନୁ ଏ ଲୁହ ସହ ମୁଁ ମଇତ୍ର ବସି ଦେଇଛି । ତୋ ମାଆ ବି ଗୋଲାପ ଫୁଲ କୁ ଭାରି ଭଲ ପାଉଥିଲା ଠିକ୍ ତୋ ଭଳି । ତା'ରି କଥା ଭାବୁଛି । ସେ ଆଜି ଥିଲେ ତତେ ଦେଖି ଭାରି ଖୁସି ହେଇଥାନ୍ତା । ତତେ ଥରୁଟେ ନ ଦେଖିଲେ ମୋ ଆଖିରୁ ଆପେ ଆପେ ଏ ଲୁହ ଚାଲି ଆସୁଛି ଲୋ ମାଆ ।
(ଭୂଦେବୀ କହିଲା) ବାପା, ଆଜି ରବିବାର ଚାଲ ଭାଟସିଂହ ଫୁଲ ବଗିଚା କୁ ବୁଲି ଯିବା । ଗତ କାଲି ବିଦ୍ଯାଳୟରେ ମୋ ସାଙ୍ଗମାନେ ମୋତେ କହୁଥିଲେ, ସେମାନେ ସମସ୍ତେ ଫୁଲ ବଗିଚା ଦେଖି କରି ଆସିଲେଣି ।
(ତା'ବାପା କହିଲେ) ଆଜି ତୋର ସାର୍ଟ ପ୍ଯାଣ୍ଟ ସଫା କରିବାର ଅଛି । ଆମର ଆଜି ପାଳି ପଡିଛି ଜଙ୍ଗଲକୁ ଗାଈ ଚରେଇ ନେଲେ ଯାଇ । ଆସନ୍ତା ରବିବାର ଯିବା ।
ବାପାଙ୍କ ଠାରୁ ଏକଥା ଶୁଣି ମନ ତା'ର ଆନନ୍ଦରେ ନାଚି ଉଠିଲା । ହୃଦୟରେ ଖୁସିର ଜୁଆର ଖେଳିଗଲା । ମୁହଁରେ ତା'ର ଏତେ ହସ ଉକୁଟୁ ଥାଏ ଯେ, ସେ ଜମାରୁ ସମ୍ଭାଳି ନପାରି ପ୍ରତିଟି କଥାରେ ହସି ପକାଉ ଥାଏ । ଘରେ ହେଉ ଅବା ବିଦ୍ଯାଳୟରେ ସୋମବାରରୁ ଶନିବାର ଯାଏଁ ଖାଇଲା ବେଳେ ହେଉ ଅବା ଶୋଇବା ବେଳେ, ସକାଳ ପାଇଲା ମାତ୍ରକେ କିମ୍ବା ସ୍କୁଲ୍ ଛୁଟି ହେବା ପରେ କେବଳ ଫୁଲ ବଗିଚା କଥା ତା'ର ମନେ ପଡୁଥାଏ । ସାଙ୍ଗ ମାନଙ୍କ ଠାରୁ ସେ ଶୁଣିଛି ରଙ୍ଗ ବେରଙ୍ଗର ଗୋଲାପ ଫୁଲ ବଗିଚାରେ ଭରପୁର । ମନ ଭରି ଦେଖିବ, ଫୁଲ ମାନଙ୍କୁ ପ୍ରଚୁର ଭଲ ପାଇବ ।
ସତରେ ଗୋଲାପ ଫୁଲ ସହ ତା'ର କି ସଂପର୍କ ଅଛି କେଜାଣି ସବୁବେଳେ ସେ ଗୋଲାପ କଥା ହିଁ ଭାବୁଥାଏ । ପ୍ରତିଟି ଖାତାରେ ଗୋଲାପର ଚିତ୍ର । ବିଦ୍ଯାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାକୁ ଅନେକ ଥର କହିବା ପରେ ମଧ୍ଯ ସେ ଜମାରୁ ବଦଳିନି । ଆଜି ବି ସେ ଗଣିତ, ସାହିତ୍ଯ, ଭୂଗୋଳ, ବିଜ୍ଞାନ, ଇତିହାସ ଖାତାରେ ଗୋଲାପ ଫୁଲର ଚିତ୍ର ଆଙ୍କିବାରେ ମଗ୍ନ । ହେଲେ; ଆଜିଯାଏଁ କେବେ କୌଣସି ଗୋଲାପ ଗଛରୁ ଫୁଲଟିଏ ତୋଳି ଖୋସାରେ ପାରିନି କି ହାତରେ ସଉକରେ ଧରିନି । ଗୋଲାପ ଫୁଲ ପ୍ରତି ଏତେ ଭଲପାଇବା ଦେଖି ନିଜେ ଗୋଲାପ ଫୁଲ ବି ଆଜି ତା'କୁ ଦେଖିଲେ ନଇଁ ପଡେ । ବୋଧେ ଅନନ୍ତ କାଳରୁ ଗୋଲାପ ପ୍ରତି ତା'ର ହୃଦୟରେ ପ୍ରେମ ଭରପୁର ଅଛି ।
ଗାଆଁ ରେ ହେଉ ଅବା ବିଦ୍ଯାଳୟରେ ତା'ର ସବୁ ସାଙ୍ଗମାନେ ତା'କୁ ଗୋଲାପ କନ୍ଯା ବୋଲି ଡାକିବା ଆରମ୍ଭ କରିଦେଲେ । କେହି କେହି ତ ତା'କୁ ଥଟ୍ଟାରେ ମଜାରେ ଗୋଲାପି ଗୋଲାପି ବୋଲି ଡାକିଲେ । ଏ ନାମରେ ତା'କୁ କେହି ଡାକିଲେ ସେ ଭାରି ଖୁସି ହୁଏ । ଜମାରୁ ରାଗ କରେ ନାହିଁ, ବୋଧେ ତା' ଅନ୍ତରରେ ରାଗ ବୋଲି ଟିକିଏ ବି ନାହିଁ ।
ସତରେ ଗୋଲାପ ଫୁଲ ପ୍ରତି ସେ ଏତେ ଆକୃଷ୍ଟ ଯେ, ଗୋଲାପ ଫୁଲକୁ ଥରୁଟେ ନ ଦେଖିବା ଯାଏଁ ନା ସେ ଭଲଭାବରେ ପଢି ପାରୁଥିଲା ନା ଠିକ୍ ରେ ଶୋଇ ପାରୁଥିଲା, ଖାଲି ବାଉଳେଇ ହେଉଥିଲା । ମୁହଁରୁ ତା'ର ସବୁବେଳେ ଖାଲି ଗୋଲାପ ••• ଗୋଲାପ ••• ବାହାରୁଥିଲା । ଯେବେ ଗୋଲାପର ସ୍ପର୍ଶ ପାଉଥିଲା ସେବେ ସେ ଆନନ୍ଦରେ ନାଚି ଉଠୁଥିଲା । ଗୋଲାପ ଫୁଲ ପ୍ରତି ଏତେ ପ୍ରେମ ଦେଖି ତା' ବାପା ତା'କୁ ଦେଇଥିବା କଥା ପାଳନ କରିବାକୁ ଯାଇ କହିଲେ- " ଝିଅ ଆସନ୍ତା କାଲି ରବିବାର । ଭାଟସିଂହ ଫୁଲ ବଗିଚା କୁ ବୁଲି ଯିବା । " ଏହା ଶୁଣି ସେ ଏତେ ଖୁସି ହେଲା ଯେ, ତା' ଖୁସିରେ ଚତୁର୍ଦ୍ଦିଗର ଗଛଲତା ବି ଖୁସିରେ ଦୋହଲିବାକୁ ଲାଗିଲେ ।
ସକାଳ ଠିକ୍ ଆଠଟାରେ ଭୂଦେବୀ ମାଆର ଏକମାତ୍ର ସ୍ମୃତି ପୁରୁଣା ସାଇକେଲ୍ ଟିକୁ ଧରି ବାପ ଝିଅ ଆନନ୍ଦ ମନରେ ହସି ହସି ଫୁଲ ବଗିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
ଦଣ୍ଡାସିଂହା ଠାରୁ ଭାଟସିଂହ ପ୍ରାୟ ଅଢେଇ କ୍ରୋଶ ଦୂର । ସେଦିନ ଭୂଦେବୀ ଖୁସିରେ ଫାଟି ପଡୁଥାଏ । ହଳଦୀ ପରି ମୁଖ ମଣ୍ଡଳର ଶୋଭା ତା'ର ସକାଳ ସୂରୁଜର କଅଁଳ କିରଣରେ ହୀରାର ଔଜଲ୍ଯତା ପରି ଚମକୁ ଥାଏ । ସେମାନେ ରେଙ୍ଗାଳବାହାଳ, ଶିମିଳିନାଳୀ, କାଉଁଶିବାହାଳ ଉଚ୍ଚ ବିଦ୍ୟାଳୟ ଛକ, ଗୌଡସୁଗୁଡା, ନନେଇଁ ଗାଆଁ, ଜୟ ସାହୁଙ୍କ ଗୋପବନ୍ଧୁ ଶିକ୍ଷା ନିକେତନ ସମ୍ମୁଖ ରାସ୍ତା ଦେଇ ଶେଷରେ ଭାଟସିଂହ ଫୁଲ ବଗିଚାକୁ ପହଞ୍ଚିଲେ ।
ଭୂଦେବୀ ର ଆଖିରେ ଅଶ୍ରୁ ଜମାଟ ବାନ୍ଧି ଯାଇଥାଏ । ଆଖି ସାମ୍ନାରେ ଫୁଲ ଗୁଡିକୁ ଦେଖି ତା' ଶରୀରରେ ଶୀହରଣ ଖେଳି ଯାଉଥାଏ । ତା' ର ପ୍ରିୟ ଗୋଲାପ ଫୁଲ ସବୁକୁ ଦେଖି ସେ ହାତରେ ଆଉଁସି ଅତୁଳ ସୁଖ ପାଉଥାଏ ।
ଫୁଲ ବଗିଚାରେ ବୁଲୁବୁଲୁ ପ୍ରାୟ ତିନି ଘଣ୍ଟା ବିତିଗଲା । ତା' ବାପା ଯେବେ ଘରକୁ ଫେରିବା ବୋଲି ଭୂଦେବୀ କୁ କହିଲେ, ସେବେ ସେ ଲୁହ ଛଳଛଳ ହୋଇ ସକେଇ ଉଠିଲା ।
ନିଜ ଘର ଅଭିମୁଖେ ଫେରୁଥିବା ବେଳେ ସେଦିନ ଏକ ଅଜଣା ଗାଡି ଧକ୍କାରେ ଭୂଦେବୀ ର ମୃତ୍ୟୁ ହେଲା । କନ୍ତାରୁ ଆଖିରୁ ଲୁହ ଜମା ଶୁଖୁ ନଥାଏ । ତା' ଲୁହ ପୋଛିବା ପାଇଁ ଭୂଦେବୀ ଆଉ ନାହିଁ । ନିଜେ ବଞ୍ଚିଥିବା ଭିତରେ ସେ ଆଜି ନିଜ ବଂଶ ପୃଥିବୀରୁ ଲୋପ ହେବାର ଦେଖି ଈଶ୍ବରଙ୍କୁ ନିନ୍ଦିବାକୁ ଲାଗିଲା । ସମୟକୁ କହିଲା- " ହେ ସମୟ ତୁ କ'ଣ ସତରେ ଏଡେ ନିଷ୍ଠୁର ହେଇପାରୁ ? ପାଚିଲା ପତ୍ର କୁ ନନେଇ କଞ୍ଚା ପତ୍ରକୁ ନେଲୁ । ତୁ ଏମିତି ବଳୁଆ କି ? ସ୍ରଷ୍ଟା ତୋତେ କେମିତି ଗଢିଲା ? ତୁ କ'ଣ ସତରେ ଅନ୍ଧ ? ତୋର ହୃଦୟ ବୋଲି କିଛି ନାହିଁ କି ? ମୋତେ ରଖିଲୁ ମୁଁ ତୋର କେଉଁ କାମରେ ଲାଗିବି, କହତ ? ଯାହାକୁ ମୁଁ ଏତେ ଭଲ ପାଉଥିଲି ସେ ତ ଚାଲିଗଲା, ଏବେ ଆଉ କାହା ମୁଖ ଦେଖି ଏ ଧରାରେ ବଞ୍ଚିବି ? ମୋତେ ବି ନେଇଯା' ମୋ ଝିଅ ପାଖକୁ । "
ପୃଥିବୀର ପ୍ରତିଟି ଗୋଲାପ ଆଖିରେ ଆଜି ଲୁହ । ଗୋଲାପ କୁ ଭଲପାଇବା ପାଇଁ ଆଜି ଆଉ ଭୂଦେବୀ ନାହିଁ । ଗୋଲାପ ଆଜି ଭୂଦେବୀ ର ଭଲ ପାଇବାରୁ ବଞ୍ଚିତ । ଭୂଦେବୀ ଆଉ ଗୋଲାପ ପରସ୍ପରକୁ କେତେ ଭଲ ପାଉଥିଲେ ସେକଥା ଭୂଦେବୀ ଆଉ ଗୋଲାପ ଛଡା ଏ ଧରାରେ କେହି ବି ଜାଣନ୍ତିନି । ମନ ତରାଜୁରେ କିଏ ଅବା ମାପି ପାରିବ ଦୁହିଙ୍କ ଭିତରେ କେତେ ପ୍ରେମ ଥିଲା ?
ଅଳ୍ପ ସମୟ ପାଇଁ ଫୁଟି ଆପଣାର ବାସରେ ସାରା ଜଗତକୁ ମହକାଇ ପୁଣି ଧରା ଉପରେ ଝରି ପଡୁଥିବା ଗୋଲାପକୁ ଭଲପାଇ ବିପୁଳ ସୁଖ ସାଉଁଣ୍ଟୁ ଥିଲା ଭୂଦେବୀ । ଗୋଲାପ ଫୁଲ ପାଖରେ ଥାଇ ସେ କେବେବି ଥରୁଟିଏ ଦୁଃଖିତ ହେଇନି କି ନିଜ ମାଆ କଥା ଭାବି କେବେ କାନ୍ଦିନି । ଗୋଲାପ କୁ ସେ ନିଜ ମାଆ ବୋଲି ଭାବିନେଇ ଭଲ ପାଉଥିଲା । ଆଜି ଭୂଦେବୀ ସତେଜ୍ ଗୋଲାପ ସମ ଧରାରୁ ସବୁଦିନ ପାଇଁ ମଉଳିଗଲା । ଜୀବନର ଯେଉଁ ମଧୁର ମୂହୁର୍ତ୍ତ ତକ ପାଇଲା ସେ ସର୍ବଦା ଗୋଲାପର ସ୍ପର୍ଶରେ ସ୍ବୟଂକୁ ସଂପୂର୍ଣ୍ଣ ମନେ କରୁଥିଲା । କେବେବି ବିଚ୍ଯୁତ ହେଇ ନଥିଲା ତା' ପ୍ରିୟ ଗୋଲାପର ସ୍ପର୍ଶରୁ । ଗୋଲାପ କୁ ପ୍ରେମ କରିବାରେ ସେ କେବେବି ଥରୁଟିଏ ଊଣା କରି ନଥିଲା, ଗୋଲାପକୁ ସେ ନିରବରେ - ନିରନ୍ତରେ ଭଲ ପାଉଥିଲା ।
ଭୂଦେବୀର ବିୟୋଗରେ କନ୍ତାରୁ ଆଜି ଗଭୀର ଭାବେ ମର୍ମାହତ ଓ ଦୁଃଖିତ । ନିଜ ଦୁଃଖକୁ ଲାଘବ କରିବା ପାଇଁ, ଏକମାତ୍ର ଅଲିଅଳି କନ୍ଯାର ସ୍ମୃତିକୁ ହୃଦୟରେ ଜୀବିତ ରଖିବା ପାଇଁ ନିଜ ବାଡିରେ ଆଉ ପୂର୍ବ ଭଳି ସେ ପନିପରିବା ଚାଷ ନ କରି ଘରର ସମସ୍ତ ଜମିବାଡିରେ କେବଳ ଗୋଲାପ ଫୁଲର ଚାଷ କଲା । ପ୍ରତିଟି କଢ ଗୋଲାପର ପାଖୁଡା ଆଜି ନିଜ ଝିଅ ପ୍ରତି ତା'ର ଅନାବିଳ ଭଲପାଇବା ତା'କୁ ମନେ ପକାଇ ଦେଉଛି । ଗୋଲାପ ଫୁଲ ଭିତରେ ସେ ଆଜି ନିଜ ଝିଅ ଭୂଦେବୀକୁ ଦେଖି ଢେର୍ ସାରା ଖୁସି ପାଉଛି । ତା'ରି ସେବାରେ ଆଜି ସେ ଅଜସ୍ର ପ୍ରେମ ସାଉଁଣ୍ଟିବାରେ ବ୍ଯସ୍ତ ।
ଭୂଦେବୀ ଶିଖେଇ ଦେଇ ଗଲା ପ୍ରକୃତିକୁ ମନପ୍ରାଣ ଦେଇ ଭଲ ପାଇବାରେ ଯେଉଁ ଆନନ୍ଦ ଅଛି ତାହା ଅନ୍ଯ କୌଣସି ଠାରେ ମିଳେନା । ଜୀବନ ବାଟରେ କେବେ କାହାକୁ ଯଦି ପ୍ରେମ କରୁଛ ତେବେ ନିଃସ୍ବାର୍ଥରେ, ସଂପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କରି, ଏକାଗ୍ରତାର ସହିତ ପ୍ରେମ କର ତେବେ ତୁମେ ବି ମୃତ୍ୟୁ ଲୋକରେ ପରମ ଶାନ୍ତି - ସୁଖ ପ୍ରାପ୍ତ କରି ପାରିବ ।