STORYMIRROR

Laxman Kumar Behera

Inspirational

3  

Laxman Kumar Behera

Inspirational

କ୍ରୋଧ

କ୍ରୋଧ

9 mins
550



 




        ପଞ୍ଚମହଲା ଛକରୁ ମୁଁ ସମ୍ବଲପୁର ଯିବା ପାଇଁ ଯେତେବେଳେ ଆରୋହୀ ବସ୍ ରେ ଚଢିଲି, ଭିତରେ ଦୁଇଟି କଲେଜ୍ ପଢୁଆ ପିଲା କ୍ରୋଧିତ ହୋଇ ପରସ୍ପରକୁ ଗାଳିଗୁଲଜ କରୁଥିବାର ଦେଖିଲି । ସେ ଦୁହିଁଙ୍କ କଥା ଭାରି ଅସହ୍ୟ ଓ ବିରକ୍ତିକର ଲାଗୁଥିଲା । ସେଦିନ ସେ ଦୁହିଁଙ୍କୁ କେହି ମଧ୍ୟ ଶାନ୍ତ ରହିବା ପାଇଁ କହୁ ନଥିଲେ । ସତେ ଯେମିତି ବସ୍ ରେ ବସିଥିବା ସମସ୍ତ ଯାତ୍ରୀ ପାଇଁ ସେ ଦୁହେଁ ସାତପର - ଅଜଣା - ଅଚିହ୍ନା ଥିଲେ । 


  ମୋତେ ଜମା ଭଲ ନ ଲାଗିବାରୁ ମୁଁ ସେ ଦୁହିଁଙ୍କ ମଝିକୁ ଯାଇ ସେମାନଙ୍କ ସହ ପ୍ରଥମେ ମିତ୍ରତା ସ୍ଥାପନ ପାଇଁ ଚେଷ୍ଟା କଲି । ଏଥିରେ ସଫଳ ବି ହେଲି । ସେ ଦୁହେଁ ମୋର ଯାଦୁକରି କଥାରେ ମୋହ ହୋଇ ବନ୍ଧୁତା ସ୍ଥାପନ କଲେ । କଥା ହୋଇ ଜାଣିଲି ସେ ଦୁହେଁ କଲା ଗାଆଁର । ପ୍ରଥମ ଶ୍ରେଣୀରୁ ଆଜିଯାଏଁ ସହପାଠୀ । ଦେବଗଡ କଲେଜରେ ସ୍ନାତକ ପଢୁଛନ୍ତି । ପୁଣି ଏକା ଅନର୍ସର ଛାତ୍ର । ପରସ୍ପର ଉତ୍ତମ ବନ୍ଧୁ । ହଷ୍ଟେଲରେ ହେଉ କି ଘରେ, କଲେଜ୍ ଲାଇବ୍ରେରୀରେ ହେଉ କି ଗାଆଁର ଖେଳ ପଡିଆରେ ଦୁହେଁ ସର୍ବଦା ପରସ୍ପରକୁ କଥା କଥାରେ କ୍ରୋଧ କରିଥାନ୍ତି । ସେମାନଙ୍କ ସହ କିଛି ସମୟ ଆଳାପ କଲା ପରେ ମୁଁ ସଜ ହେଲି କ୍ରୋଧ ଉପରେ ସେମାନଙ୍କୁ କିଛି ଭଲ ସନ୍ଦେଶ ଦେବା ପାଇଁ । ସେତେବେଳେ ବସ୍ ସମରଖାଇ ଡେଇଁ କଣ୍ଢଳ ର ତାରିଣୀ ଛକ ପହଞ୍ଚି ଥାଏ । ବସ୍ ରେ ବସିବା ପାଇଁ ଜାଗା ନଥିବାରୁ ଆମେ ତିନିହେଁ ଛିଡା ହେଇଥିଲୁ । 


   ( ମୁଁ ସେ ଦୁହିଁଙ୍କୁ କହିଲି ) ତୁମ ମାନଙ୍କ ଭିତରେ ଏମିତି ଏକ ଶକ୍ତି ଅଛି ଯାହା ତୁମକୁ କ୍ରୋଧରୁ ମୁକ୍ତ କରିବାରେ ସହାୟକ ହେବ । ତୁମେ ଚାହିଁଲେ କ୍ରୋଧ ମୁକ୍ତ ହୋଇ ପାରିବ । ଯେଉଁ ପର୍ଯ୍ୟନ୍ତ ତୁମେ କ୍ରୋଧ ମୁକ୍ତ ହେବା ପାଇଁ ଇଚ୍ଛା କରିନାହଁ ସେ ପର୍ଯ୍ୟନ୍ତ ସଂସାରର କୌଣସି ବି ଶକ୍ତି ତୁମ ଦୁହିଁଙ୍କୁ କ୍ରୋଧ ମୁକ୍ତ କରି ପାରିବ ନାହିଁ । କ୍ରୋଧରୁ ମୁକ୍ତ ହେବାର କଳା ନିଜକୁ ଶିଖିବାକୁ ହେବ । ତା'ର ସରଳ ଓ ସହଜ ଉପାୟ ସ୍ୱୟଂକୁ ଖୋଜି ବାହାର କରିବାକୁ ପଡିବ । ଏ ବିଶ୍ୱରେ ତୁମ ଛଡା ଅନ୍ୟ କେହି ତୁମ କ୍ରୋଧକୁ ଶାନ୍ତ କରି ପାରିବେ ନାହିଁ । ନିଜ ପାଇଁ ତଥା ବିଶ୍ଵର ହିତ ପାଇଁ ଆପଣାର ଅନ୍ତର୍ନିହିତ ଅଲୌକିକ ଦିବ୍ୟଶକ୍ତିକୁ ଜାଗ୍ରତ କର । କ୍ରୋଧକୁ ବିନାଶ କରି ଜଗତର କଲ୍ୟାଣରେ ନିଜକୁ ନିୟୋଜିତ ରଖ । ପବିତ୍ର ମନରେ ଶାନ୍ତିର ଧ୍ୱଜା ଉଡାଅ । କେବଳ କ୍ରୋଧଶୂନ୍ୟ ମନରେ ହିଁ ତୁମେ ପ୍ରେମ ସ୍ୱରୂପର ଦର୍ଶନ ପାଇ ପାରିବ । ସକଳ ପ୍ରାଣୀଙ୍କର ତୁମେ ନିକଟତର ହୋଇ ଅହିଂସାର ପରମ ପୂଜାରୀ ସାଜି ପାରିବ । ମାନବର ସମସ୍ତ ସତ୍ ଗୁଣର ଅଧିକାରୀ ହୋଇ ସୁଖ - ଶାନ୍ତିରେ ଏ ଧରାରେ ଜୀବନ ନିର୍ବାହ କରି ପାରିବ । 


    ମୋ କଥାକୁ ସେମାନେ ଏକ ଲୟରେ ଶୁଣୁଥିଲେ । ( ମୁଁ ପୁଣି କହିଲି ) କ୍ରୋଧ ଏମିତି ଏକ ପାପ ଶକ୍ତି ଯାହା ସ୍ୱୟଂକୁ ଜାଳିବା ସହ ଗୋଟିଏ ମୁହୂର୍ତ୍ତରେ ଆପଣାର ସକଳ ସୁଖ ସର୍ବସ୍ଵ ଧ୍ୱଂସ କରି ଦେଇଥାଏ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ନିରାଟ ସତ୍ୟ । ମନରେ ଖରାପ ଭାବନା ଭରି ଅହରହ ପୀଡା ଦେବା ସହ ସଂସାରର ସକଳ ଦୁଃଖକୁ କ୍ଷଣିକରେ ନିଜ ଆଡକୁ ସେ ଡାକି ଆଣିଥାଏ । ମନରେ ଥରେ କ୍ରୋଧ ଜନ୍ମ ନେଲା ପରେ ଏ ଶରୀର ସଂପୂର୍ଣ୍ଣ ଭାବରେ କ୍ରୋଧର ଅଧୀନ ହୋଇଯାଏ । ତା'ଠାରୁ ମୁକୁଳିବା ଅତି କଷ୍ଟକର ହୋଇପଡେ । କ୍ରୋଧରେ ନିଜର ଅସ୍ତିତ୍ଵ ହରାଇବାକୁ ପଡେ । ମିଥ୍ୟା, ପାପ, ଘୃଣା, ନିନ୍ଦା, ଅପମାନ ଆଉ ପ୍ରତାରଣା ମିଶା ପୀଡାକୁ ଆପଣାର କରି ଜୀବନ ଜୀଇଁବାକୁ ବାଧ୍ୟ କରେ କ୍ରୋଧ । ମନରେ କ୍ରୋଧ ବସା ବାନ୍ଧିଥିବା ଯାଏଁ କେବେ ସୁଖ ମନକୁ ସ୍ପର୍ଶ କରିପାରେ ନାହିଁ । ଯେଉଁ ପର୍ଯ୍ୟନ୍ତ ମନ ବିଷ ବଳୟ ମଧ୍ୟରେ ବନ୍ଦୀ ହୋଇଛି ସେ ପର୍ଯ୍ୟନ୍ତ ମନକୁ କ୍ରୋଧ ମୁକ୍ତ କରିବା ଅସମ୍ଭବ । 


    ପରିସ୍ଥିତି, ପରିବେଶ ଆଉ ସମୟକୁ ସଂପୂର୍ଣ୍ଣ ରୂପେ ଯେ, ଓଲଟପାଲଟ କରି ସାରା ବସୁଧା ପାଇଁ ମହା ବିପତ୍ତି, ମହା ପ୍ରଳୟ ସୃଷ୍ଟି କରିପାରେ, ସେ ହିଁ କ୍ରୋଧ । ସୁନ୍ଦର ପ୍ରକୃତିକୁ ମହାବିନାଶ ଆଡକୁ ଘୋସାଡି ଘୋସାଡି ଟାଣି ନେଉଥିବା ହୀନ ଭାବନା ହିଁ କ୍ରୋଧ । 


    କାହା ମନରେ କ୍ରୋଧ ନାହିଁ ? ଅଳ୍ପ ବହୁତେ ସଭିଙ୍କ ମନରେ କ୍ରୋଧ ଜନ୍ମିଥାଏ, ସମୟ ଆଉ ପରିସ୍ଥିତି ବାଟରେ । କ୍ରୋଧ ଠାରୁ ମୁକୁଳିବାକୁ ଏ ସଂସାରରେ କିଏ ବା ନ ଚାହେଁ ! ସମସ୍ତେ କ୍ରୋଧର ଶିକୁଳିରେ ବନ୍ଧା । ଯେ' କ୍ରୋଧରୂପି ଶିକୁଳିକୁ ଭାଙ୍ଗି ଆଗକୁ ବଢିଥାଏ ସେ ହିଁ ଏ ଧରାତଳେ ଜ୍ଞାନୀ - ସାଧୁ ବୋଲାଇଥାଏ, ମହାନ୍ ସାଜିଥାଏ ।


   କ୍ରୋଧ ଅଦୃଶ୍ୟରେ ରହି ଗୋଟିଏ ସେକେଣ୍ଡରେ ତାଣ୍ଡବଲୀଳା ରଚିପାରେ । କ୍ରୋଧକୁ ଆୟତ୍ତ କରିବାର କଳା ଯେ' ହାସଲ କରିଛି ସେ ସର୍ବଶ୍ରେଷ୍ଠ । କ୍ରୋଧମୁକ୍ତ ହେବା ଅର୍ଥ ଜଗତରେ ପ୍ରେମୀ ସେବକ ବୋଲାଇବା । କ୍ରୋଧ ଠାରୁ ସଂପୂର୍ଣ୍ଣ ମୁକ୍ତ ହେବା ହିଁ ନିଜ ପାଇଁ ପରମ ମହୌଷଧୀ । କ୍ରୋଧକୁ ଯେ ଜିତିଗଲା ଜାଣ ସଂସାରକୁ ସେ ଜିତିଗଲା । 


    ବ୍ରହ୍ମାଣ୍ଡର ସମସ୍ତ କ୍ରୋଧଠାରୁ ସିଏ ହିଁ ମୁକ୍ତ । ସିଏ ହିଁ ଜିତି ପାରିଛି କ୍ରୋଧକୁ । କ୍ରୋଧ ମଧ୍ୟ ତା' ଠାରେ ହାର୍ ମାନେ ପ୍ରତିଟି ମୁହୂର୍ତ୍ତରେ । କ୍ରୋଧକୁ ଯେ ବଶୀଭୂତ କରିପାରେ ସେ ଆମ ହୃଦୟରେ ଅଛି, ଅଦୃଶ୍ୟରେ । ଆମକୁ ତାହା ଜାଗ୍ରତ କରିବାକୁ ପଡିବ । ସେ ଭାବନାକୁ ସମସ୍ତ ଭାବନା ଠାରୁ ଉର୍ଦ୍ଧ୍ବକୁ ଆଣିବାକୁ ପଡିବ । ସେ ଭାବନା ଆମ ସହ ଅନନ୍ତ ଅନନ୍ତ କାଳରୁ ଜଡିତ ଅଛି । ସେ ହେଉଛି ପ୍ରେମ ଭାବ । ବିଶ୍ଵ ବ୍ରହ୍ମାଣ୍ଡରେ ଥିବା ସମସ୍ତ କ୍ରୋଧକୁ ସଂପୂର୍ଣ୍ଣ ରୂପେ ନିଃଶେଷ କରିବାର କ୍ଷମତା ପ୍ରେମ ପାଖରେ ଅଛି । ଆମକୁ ତାହା ବୁଝିବାକୁ ହେବ, ଚିନ୍ତନ କରିବାକୁ ହେବ ।


    କ୍ରୋଧ ରୂପି ରାକ୍ଷସ ଠାରୁ ସଂପୂର୍ଣ୍ଣ ବର୍ତ୍ତିବାକୁ ହେଲେ ଅହିଂସା ଭାବନା ମନରେ ଭରିବାକୁ ହେବ । ବିନା ଅହିଂସାରେ କ୍ରୋଧକୁ ଆୟତ୍ତ କରି ହେବ ନାହିଁ । କ୍ରୋଧକୁ ଅନ୍ତରରୁ ତ୍ଯାଗ କରିବାର ପ୍ରଥମ ପାହାଚ ହିଁ ଅହିଂସା । ସଂପୂର୍ଣ୍ଣ ଶରୀରକୁ କ୍ରୋଧମୁକ୍ତ ରଖିବାକୁ ହେଲେ ପ୍ରେମ ଓ ଅହିଂସାର ମନ୍ତ୍ର ସର୍ବଦା ଜପ କରିବାକୁ ହେବ । ନିଃସ୍ୱାର୍ଥରେ ପରୋପକାର ଭାବନା ସହ ନିଜକୁ ଜଡିତ ରଖିବାକୁ ହେବ ।


     କ୍ରୋଧ ଏମିତି ଏକ ବାଟ, ସେ ବାଟରେ ଯିଏ ବି ଯାଇଛି ସେ ଦୁଃଖ କିମ୍ବା ମୃତ୍ୟୁ କୁ ଆପଣାର କରିଛି । ଅଜସ୍ର ସୁଖ ଓ ଆନନ୍ଦକୁ କ୍ଷଣିକରେ ବିଷାକ୍ତ କରି ପକାଏ କ୍ରୋଧ । ମହାମିଳନରୁ ମହାବିଚ୍ଛେଦରେ ପରିଣତ କରି ମହାଯୁଦ୍ଧର ଘୋଷଣା କରିଥାଏ କ୍ରୋଧ । ପାପ ଆଡକୁ ଅଗ୍ରସର ହେବା ପାଇଁ ବାଟ ବତାଉ ଥାଏ, ହେଲେ; କେବେ ପାପରୁ ନିବୃତ ହେବା ପାଇଁ କହେନି । ମନରେ ଅଶାନ୍ତିର ଘୃତ ଢାଳୁଥାଏ, ହେଲେ; କେବେ ଶାନ୍ତିର ବାର୍ତ୍ତା କର୍ଣ୍ଣରେ ଶୁଣାଏନି । ଜନ୍ମ ଠାରୁ ମୃତ୍ୟୁ ଯାଏଁ କ୍ରୋଧ ଆପଣାର ପାଖେ ପାଖେ ଥାଏ । ବିଭିନ୍ନ କାରଣକୁ ନେଇ ମନରେ କ୍ରୋଧ ଜନ୍ମିଥାଏ । କୌଣସି ଠାରେ ଅନୈତିକ କାର୍ଯ୍ୟକଳାପ ଦେଖିଲେ, କାହାରିକୁ କିଏ ବିନା କାରଣରେ ଅପମାନ ଦେଲେ, ଭଲ ପାଇବାର ମିଛ ନାଟକ ରଚିଲେ, ହିଂସା ଦେଖିଲେ, ପାପ ଓ ମିଥ୍ୟାକୁ ସହଯୋଗ କରୁଥିବା ଜାଣିଲେ ••• ମନରେ କ୍ରୋଧ ଆସେ । କ୍ରୋଧିତ ହୋଇ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ନିଜ ପାଇଁ କ୍ଷତିକାରକ ହୋଇଥାଏ ।


    କ୍ରୋଧ ଷଡରିପୁ ମଧ୍ୟରୁ ଗୋଟିଏ, ଯାହା ଅନ୍ୟ ରିପୁ ଠାରୁ ବଡ ଭୟଙ୍କର । କ୍ରୋଧ ବିକାଶର ବିପଥଗାମୀ । ଅବନ୍ନତି ତା'ର ଚିର ସହଚର, ପ୍ରିୟ ସଖା । ଏହା ଏକ ରୋଗ ଯାହା ନିଜକୁ ତଳିତଳାନ୍ତ ନ କଲା ଯାଏଁ ଜମାରୁ ଛାଡେନି । କ୍ରୋଧିତ ବ୍ୟକ୍ତି ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷ ଭାବରେ ନିଜର କ୍ଷତି କରିବା ସହ ଅନ୍ୟର ମଧ୍ୟ କ୍ଷତି କରିଥାଏ । ଏହା ଉଚ୍ଚ ଭାବନାର ତଥା ନିଜର ପରମ ଶତ୍ରୁ । ଥରେ ସଂକ୍ରମିତ ହେଲେ ନିଶ୍ଚିହ୍ନ ନିଶ୍ଚିତ । କ୍ରୋଧ ଭୟଙ୍କର ପରିସ୍ଥିତି ସୃଷ୍ଟିର ମୂଳ କାରଣ । ଯେ କ୍ରୋଧକୁ ନିୟନ୍ତ୍ରଣ କରି ପାରେ ସେ ସଂସାରରେ ଶାନ୍ତିରେ ବଞ୍ଚିଥାଏ । ନିଜର ସମସ୍ତ ଦିବ୍ୟଜ୍ଞାନର ବିନାଶର କାରଣ ସାଜିଥାଏ କ୍ରୋଧ । କ୍ରୋଧ ଜନ୍ମନେଲେ ବୁଦ୍ଧି ହେଉ କି ବିଚାର, କଥା ହେଉ ଅବା ଆତ୍ମ ସଂଯମତା ସବୁକିଛିର ବିନାଶ ଘଟିଥାଏ । ମଣିଷ ନିଜର ମଣିଷପଣିଆ ହରାଇ ହିଂସ୍ର ପାଲଟି ଯାଇଥାଏ । ଏ ସମସ୍ତ ସଂସାର ତା'କୁ ଅନ୍ଧକାରମୟ ଦେଖାଯାଏ । ମନରେ ଜାତ ହେଉଥିବା କ୍ରୋଧ ଅନେକ ଦିନର ଅତୁଟ ସଂପର୍କକୁ, ଆପଣା ଭିତରେ ଥିବା ବିଶ୍ୱାସକୁ, ନିଜର ପରିବାରର ଭଲ ପାଇବାକୁ ଅଳ୍ପ ମୁହୂର୍ତ୍ତରେ ଭାଙ୍ଗି ଚୁରମାର୍ କରିଦିଏ । 


   କ୍ରୋଧ କେବେ ଜୀବନରେ ସଫଳତା ଆଣି ଦିଏ ନାହିଁ । ସେ ବିଫଳତାର ପରମ ମିତ୍ର । କ୍ରୋଧିତ ବ୍ୟକ୍ତି ଠାରୁ ଭଲ କଥା ଶୁଣିବା ଆଶା କରିବା ହିଁ ବୃଥା । କ୍ରୋଧ ଯୋଗୁଁ ଚିନ୍ତନ ଶକ୍ତି ଦୁର୍ବଳ ହୋଇଯାଏ । ଭକ୍ତି ଭାବନା ମୃତ୍ୟୁର ନିକଟତର ହୋଇ ତା' ସହ ସଂଘର୍ଷ କରେ । ଏହା ଏମିତି ଏକ ନିଆଁ ଯାହା ସାରା ବସୁଧାକୁ ଜାଳିପୋଡି ପାଉଁଶ କରିବାର ସାହସ ରଖିଥାଏ । ଏହା ଏତେ ଶକ୍ତିଶାଳୀ ଯେ, ବିଶ୍ୱର ସର୍ବଶ୍ରେଷ୍ଠ ଯୋଦ୍ଧା ମାନେ ମଧ୍ୟ ଏହା ଆଗରେ ଅଳ୍ପ ସମୟ ତିଷ୍ଠି ରହି ପାରନ୍ତି ନାହିଁ । ଏହା ଏତେ ଭୟଙ୍କର ଯେ, ଯାହାକୁ ଗ୍ରାସ କଲା ତା'ର ବିଲୟ ନିଶ୍ଚିତ । ସେ କୌଣସି ସ୍ନେହ, ପ୍ରୀତି, ମମତାର ମହାନ ଡୋରିରେ ବାନ୍ଧି ହେଇପାରେ ନାହିଁ । କଳିଝଗଡା, ପିଟାମରା, ହଣାକଟା, ହିଂସାକାଣ୍ଡ ଭଳି ଅମାନବୀୟ ଓ ଅଭାବନୀୟ କାର୍ଯ୍ୟକଳାପର ସେ ପରମ ବନ୍ଧୁ । ପରସ୍ପର ମଧ୍ୟରେ ଶତ୍ରୁତାର ବୀଜ ପ୍ରଥମେ କ୍ରୋଧ ହିଁ ରୋପଣ କରିଥାଏ । ଯେଉଁ ଶତ୍ରୁତା କି ମିତ୍ରତାରେ ପରିବର୍ତ୍ତନ ହେବା ଆଉ ଜମା ଜୀବନ କାଳ ଭିତରେ ସମ୍ଭବ ହୋଇପାରେ ନାହିଁ । ମନରେ ପ୍ରତିଶୋଧର ହୀନ ଭାବନା ରଚନା କରେ କ୍ରୋଧ । ଯାହାକି ପର ମୁହୂର୍ତ୍ତରେ ଅନୁତାପ କଲାବେଳେ ଆଉ କିଛି ବାକି ନଥାଏ । କ୍ରୋଧ ପାଇଁ ଜୀବନଟା ନର୍କ ହୋଇଯାଏ । ଯେଉଁ ନର୍କରେ କି ସୁଖ ଆଶା କରିବା ହାସ୍ୟାସ୍ପଦ ଆଉ ମୂଲ୍ୟହୀନ । ସେଇଠି କେବଳ ମନାନ୍ତର ଆଉ ମତାନ୍ତର, ଅଶାନ୍ତି, ଯନ୍ତ୍ରଣାର କ୍ଷତଚିହ୍ନ ସବୁ ଦେଖିବାକୁ ମିଳେ ।


   କ୍ରୋଧ ଦେଶ ଦେଶ, ଜାତି ଜାତି, ଗୋଷ୍ଠୀ ଗୋଷ୍ଠୀ, ପରିବାର ପରିବାର, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯୁଦ୍ଧ ଓ କଜିଆର ପରିସ୍ଥିତି ସୃଷ୍ଟି କରିଥାଏ । ସେଥିରେ ଯେଉଁ କ୍ଷତି ହୁଏ ତାହା ଅପୂରଣୀୟ । କ୍ରୋଧାଗ୍ନିରେ ଜଳି ସବୁକିଛି ଧ୍ୱଂସ ହୋଇଯାଏ । ସମାପ୍ତ ହୋଇଯାଏ ମହାନ୍ ଯୁଗର ଯେତେକ ମହାଦ୍ରୁମ ସବୁ । ଆଉ କେବେ ଜନ୍ମ ନେବାର ସମ୍ଭାବନା ନଥାଏ । ଯଦି ବା କେବେ ନୂତନ ଭାବରେ ତାହା ଅଙ୍କୁରିତ ହେଲା, ତା'ହେଲେ ତାହା ବିଶାଳ ଦ୍ରୁମ ହେବାକୁ ଲକ୍ଷ ଲକ୍ଷ, ଅନନ୍ତ ଅନନ୍ତ ଯୁଗ ଲାଗିଥାଏ ।


    ଜୀବନ କାଳ ଭିତରେ କ୍ରୋଧ ମଣିଷକୁ ବିନାଶ ଆଡକୁ ନେଇଥାଏ । ଯିଏ ବିନାଶର ଚିତ୍ର ଥରେ ଦେଖିଛି ସେ ହିଁ କହିବ ଆଉ କେବେ ଏଭଳି କ୍ରୋଧ ମନରେ ନ ଆସୁ ।


    ସବୁକିଛି ନଷ୍ଟ ହୋଇଗଲା ପରେ, ସଂପର୍କ ତୁଟିଗଲା ପରେ, ନିଜର ପ୍ରିୟ ମଣିଷ ନିଜଠାରୁ ସବୁଦିନ ପାଇଁ ଛାଡି ଚାଲିଗଲା ପରେ ଆମେ ଅନୁତାପ କରନ୍ତି । ପଶ୍ଚାତାପ କରି ଭିତରେ ଭିତରେ ଗୁମୁରି ଗୁମୁରି କାନ୍ଦନ୍ତି । ହେଲେ; ଏ ସମୟ କ'ଣ ଆମକୁ ଆମ ପ୍ରିୟ ମଣିଷ ଆଉ କେବେ ଫେରାଇ ଦିଏ ? କେବେ ନୁହେଁ ।


    କ୍ରୋଧ ଅସରନ୍ତି ଦୁଃଖ ଆଉ ପୀଡାର ଭାବ । ସେ ଭାବନା ବିଶ୍ୱର ସବୁଠାରୁ ଘାତକ ଆଉ ଜହର ଯୁକ୍ତ । ଯିଏ କେହି ବି ତା'କୁ ଥରେ ମାତ୍ର ସ୍ପର୍ଶ କରିଛି ସେ ଅନନ୍ତ ସମୟ ଯାଏଁ ଅଶାନ୍ତି ଆଉ ହିଂସାକୁ ପ୍ରାପ୍ତ ହୋଇଛି । 


    ପ୍ରକାଶ ଦିଗରୁ ଅନ୍ଧାର ଆଡକୁ ନିଜକୁ ସଂପୂର୍ଣ୍ଣ ରୂପେ ଟାଣି ନେଉଥିବା ପାପ ଶକ୍ତି ହେଉଛି କ୍ରୋଧ । କ୍ରୋଧ କେବେ ଧର୍ମର ଜୟଗାନ କରେନି, ସେ କେବେ ସତ୍ୟର ପ୍ରଚାର କରେନି, ସେ ହିଂସାର ପଥିକ, କୁସଂସ୍କାର ଆଉ ଅନ୍ଧବିଶ୍ୱାସକୁ ଜାବୁଡି ଧରି ତା'ର ଜୟଗାନ କରୁଥିବା ଗୋଟେ ସ୍ୱାର୍ଥୀ ତଥା ନିଚ୍ଚ ପ୍ରକୃତିର ଭାବନା । 


    କ୍ରୋଧ ଅଜ୍ଞାନତା ତଥା ନିର୍ବୋଧତାରୁ ଆରମ୍ଭ ହୋଇଥାଏ । ଅନୁତାପରେ ତା'ର ହୁଏ ଶେଷ । ଏହା ଧ୍ରୁବ ସତ୍ୟ । କ୍ରୋଧ ଏପରି ଏକ ହୀନ ଭାବ ଯାହା ଅଧିକ ହେଇଗଲେ ନିଜକୁ ହିଁ ହରେଇବାକୁ ଓ ହାରିବାକୁ ପଡିଥାଏ । ମନରେ କ୍ରୋଧ ଆସିଲା ମାତ୍ରକେ ଜିଦ୍, ହିଂସା, ଚୁଗୁଲି, ଶତ୍ରୁତା, ଅହଂକାର, ଭୟ, ନିନ୍ଦା, ଉପହାସ, ଈର୍ଷା, ଘୃଣା ••• ଆଦି ଖରାପ ଭାବନା ମନରେ ବସା ବାନ୍ଧେ । କ୍ରୋଧ ନିଜର ସ୍ଥିତିକୁ ତଳକୁ ଖସାଇ ଦେଇଥାଏ । ଆପଣାର ସ୍ମୃତି ଓ ଜ୍ଞାନକୁ ନଷ୍ଟ କରିଦେଇ ପତନର ମୁଖ୍ୟ କାରଣ ପାଲଟି ଥାଏ । ମସ୍ତିଷ୍କ ତା'ର ବିଚାର ଶକ୍ତି ହରାଏ । ସଠିକ୍ ନିଷ୍ପତ୍ତି ନେବାରେ ଅସଫଳ ହୁଏ ।


    ଆମର କାର୍ଯ୍ୟ ଗୁଡିକର ବାଧା ହେଉଛି ଆମର କ୍ରୋଧ । କ୍ରୋଧର ଅଗ୍ନିରେ ସବୁ କିଛି ନଷ୍ଟ ହୋଇଯାଏ | କ୍ରୋଧ ଦ୍ବାରା କିଛି ଭଲ କର୍ଯ୍ୟ ହୋଇ ପାରେ ନାହିଁ ବଂର ହୋଇଥିବା କାର୍ଯ୍ୟ ସବୁ କ୍ରୋଧ ଦ୍ବାରା ନଷ୍ଟ ହୋଇଯାଏ । କ୍ରୋଧାଗ୍ନି ଏପରି ଏକ ନିଆଁ ଯାହା ମଣିଷକୁ ଛାରଖାର କରି ନଷ୍ଟ କରିଦିଏ ।


     ଗର୍ବ, ଅହଙ୍କାର, ହିଂସା, ପ୍ରତିହିଂସା, ଘୃଣା ଭାବ ମନରେ ଧରି କ୍ରୋଧିତ ହୁଅନ୍ତୁ ନାହିଁ । କାରଣ ଏଇ ଜୀବନ ମାତ୍ର କେଇ ଦିନ ପାଇଁ । ଏସବୁ ତ ମଣିଷ ଜୀବନକୁ କିଛି ଘଣ୍ଟା ପାଇଁ ଆସିଥାଏ । ହେଲେ ହସ - ଖୁସି - ଶାନ୍ତି କେବେ ଯେ ଆମକୁ ମିଳିଥାଏ ସେ କଥା ଆମେ ଜାଣି ପାରନ୍ତି ନାହିଁ । କ୍ରୋଧକୁ ମନରେ ରଖି ସବୁଦିନର ଖୁସିକୁ ହାତ ଛଡା କରନ୍ତୁ ନାହିଁ । କାରଣ ଏ ସଂସାରରେ ସୁଖ ଶାନ୍ତି ଅପେକ୍ଷା ଦୁଃଖ ବେଶି ମାତ୍ରାରେ ଆସିଥାଏ । କ୍ରୋଧକୁ ସବୁଦିନ ପାଇଁ ମନରୁ ଲିଭାଇ ଦିଅନ୍ତୁ ଦେଖିବେ ଦୁଇ ବନ୍ଧୁ ଆନନ୍ଦ ଆଉ ଖୁସିର ଚିର ସହଚର ହେଇଯିବ ।


     କ୍ରୋଧ ନୁହେଁ, କ୍ରୋଧ ଜାତ ହେବାର କାରଣ ଗୁଡ଼ିକୁ ଚିହ୍ନଟ କରିବା ନିହାତି ଆବଶ୍ୟକ । ସେଗୁଡ଼ିକୁ ନିୟନ୍ତ୍ରଣ କରି ପାରିଲେ କ୍ରୋଧ ନିୟନ୍ତ୍ରଣର ଆବଶ୍ୟକତା ରହିବ ନାହିଁ । 


    ବେଳହୁଁ ସାବଧାନ ହୋଇ ମନରୁ କ୍ରୋଧକୁ ନିପାତ କର । କ୍ରୋଧକୁ ଜନ୍ମ ହେବା ଆଗରୁ କୌଣସି ମତେ ତାହାକୁ ରୋକିଦିଅ । ଯଦି ବି ଜନ୍ମ ନେଲା ତା'ର ସମାଧାନ ଖୋଜିବାକୁ ଚେଷ୍ଟାକର । ବୃଥାରେ କ୍ରୋଧ କରି ସଂସାରକୁ, ଏ ସୃଷ୍ଟିକୁ, ନିୟତିକୁ ଧ୍ୱଂସ ଆଡକୁ ଟାଣି ନିଅନା । ନିଜର କ୍ରୋଧ ପାଇଁ ଯେପରି ଅନ୍ୟ କେହି ବଳି ପଡି ନଯାଉ ଯଥା ସମ୍ଭବ ସତର୍କତା ଅବଲମ୍ବନ କର । ଆଗରେ ବହୁତ ବାଟ ଅଛି ଚାଲିବା ପାଇଁ । ସମୟ ଆସିଛି ବଦଳି ଯିବା । ନିଜ ମନରୁ, ପ୍ରାଣରୁ, ବଚନରୁ କ୍ରୋଧକୁ ତ୍ଯାଗକରି କ୍ରୋଧମୁକ୍ତ ମନ ଗଠନରେ ପ୍ରୟାସୀ ହେବା । ଘୃଣା, ନିନ୍ଦା, ଅପମାନରେ ଗଢା କ୍ରୋଧରୂପି ରାକ୍ଷସ ଠାରୁ ନିଜକୁ ସଂପୂର୍ଣ୍ଣ ରୂପେ ମୁକ୍ତ ରଖି ସଂସାରର ଶ୍ରେଷ୍ଠ ଶାନ୍ତ ମଣିଷ ହେବାରେ ଯତ୍ନଶୀଳ ହେବା ।


    ବିଶ୍ୱର ପ୍ରତିଟି ଜୀବଙ୍କର ମନ ଓ ଶରୀର ଯେବେ କ୍ରୋଧର ବଶବର୍ତ୍ତୀ ନ ହୋଇ ସେମାନେ ଶାନ୍ତିର ଦୂତ ସାଜିଯିବେ ସେବେ ଏ ଧରା ଅହିଂସାମୟ ହୋଇ ଉଠିବ । ଶରୀରର କୋଣ କୋଣରେ ପ୍ରେମର ଭାବନା ଫୁଟି ଉଠିବ । 


    କ୍ରୋଧକୁ ନିୟନ୍ତ୍ରଣ କରିବାକୁ ହେଲେ ମନକୁ ଶାନ୍ତ ରଖିବା ସହିତ ଅନ୍ୟକୁ ବୁଝିବାକୁ ହେବ । ଯେଉଁ କାରଣ ପାଇଁ ମନରେ କ୍ରୋଧ ଉତ୍ପନ୍ନ ହେଲା ତା'ର ଆଶୁ ପ୍ରତିକାର କରି ସୃଜନଶୀଳ ଚିନ୍ତାଧାରା ଆଡକୁ ପାଦ ବଢାଇ ସ୍ଥିର ଚିତ୍ତରେ ନୂତନତ୍ତ୍ୱ ସୃଷ୍ଟି କରି ଜଗତକୁ କିଛି ଦାନ କରିବାକୁ ହେବ । କାରଣ ଆମେ ପୃଥିବୀର ଅତିଥି, ଅଳ୍ପ ଦିନର । ସମୟ ସରିଗଲେ ପୁଣି ଲେଉଟି ଯିବା, ନିଜ ନିଜ ବାଟରେ । ହେଲେ; ଯିବା ଆଗରୁ ପୃଥିବୀ ପାଇଁ କିଛି କରିକି ଯିବାକୁ ହେବ । ତା'କୁ କିଛି ନିଜସ୍ୱ ସର୍ଜନା ଦାନ କରିବାକୁ ହେବ । କାରଣ ଏ ପୃଥିବୀ ବର୍ତ୍ତମାନ ଯାଏଁ ଆମକୁ ଅନେକ କିଛି ଦେଇ ସାରିଲାଣି ।



Rate this content
Log in

Similar oriya story from Inspirational