Laxman Kumar Behera

Inspirational

4  

Laxman Kumar Behera

Inspirational

ବାଟ

ବାଟ

8 mins
432



 


     ମୁଁ ସେଦିନ ଦେବଗଡ ଜିଲ୍ଲାର ଏକ ସାହିତ୍ୟ ସଭାରେ ଉଦବୋଧନ ଦେବାପାଇଁ ପହଞ୍ଚିଥିଲି । ମୋତେ ନିମନ୍ତ୍ରଣ ହୋଇଥାଏ ମୁଖ୍ୟ ଅତିଥି ଭାବେ ଶ୍ରୋତା ମଣ୍ଡଳୀଙ୍କୁ ଦୁଇପଦ ଶୁଣାଇବା ପାଇଁ । ମୁଁ ଆଗରୁ କୌଣସି କବି ସମ୍ମିଳନୀରେ କେବେ ମଞ୍ଚରେ ବସି ଭାଷଣ ଦେଇ ନଥାଏ । ସେଥିପାଇଁ ପ୍ରଥମେ ନିଜକୁ ନିଜେ ଅସମର୍ଥ ମନେ କରୁଥାଏ । ଅପ୍ରସ୍ତୁତ ଥିବା ହେତୁ ଯେତିକି ଥରୁଥାଏ ସେତିକି ବି ମନେମନେ ଡରୁଥାଏ ।


     ସଭାପତି ହର୍ଷବର୍ଦ୍ଧନ ସ୍ୱାଇଁ ଯେବେ ମୋତେ କିଛି କହିବା ପାଇଁ କହିଲେ ମୁଁ କହିବା ପାଇଁ ସଜ ହେଇଗଲି । ସେତେବେଳେ ସଂନ୍ଧ୍ଯା ହେଇ ଯାଇଥିଲା । ମୋତେ ଚାଳିଶିଆ ଧରି ଥିବାରୁ ମୋ ସାମ୍ନାରେ କେଉଁ ମାନେ ବସିଥିଲେ ମୁଁ ସେମାନଙ୍କୁ ଚିହ୍ନି ପାରୁ ନଥିଲି । ସେଦିନ ମୁଁ ମୋ ଚଷମା ଆଣିବାକୁ ଭୁଲି ଯାଇଥିଲି ।


   ମଞ୍ଚ ଉପରେ ମୁଁ ଆତସବାଜି ସମ୍ମୁଖରେ ଛିଡା ହୋଇ ଭାଷଣ ଦେବା ଆରମ୍ଭ କଲି । ସମସ୍ତେ କରତାଳି ଦେଇ ସ୍ୱାଗତ ଜଣାଇଲେ । ମୁଁ ଭାରି ଖୁସି ହେଉଥିଲି । 


    ଶୁଭ ସଂନ୍ଧ୍ଯା ମୋ ପ୍ରିୟ ବନ୍ଧୁ - ଶ୍ରୋତାଗଣ । ଆପଣ ମାନେ ମୋତେ ମଞ୍ଚରେ କିଛି କହିବା ପାଇଁ ସୁଯୋଗ ଦେଇ ଥିବାରୁ ଆପଣମାନଙ୍କୁ ତଥା ସଂସଦର କର୍ମକର୍ତ୍ତାଙ୍କୁ ହୃଦୟରୁ ଅଜସ୍ର ଭଲପାଇବା ଜଣାଉଛି । ଏ ମଞ୍ଚ ମୋ ପାଇଁ ପ୍ରଥମ । ଆଗରୁ କୌଣସି ମଞ୍ଚରେ ମୋତେ କେବେ କହିବା ପାଇଁ ସୁଯୋଗ ମିଳି ନଥିଲା । ମୁଁ ଆଜି ଏ ମଞ୍ଚରେ ବାଟ ବିଷୟରେ କିଛି କହିବି । ଯେଉଁ ବାଟ କଥା କହିବି ସେ ବାଟ ଉଚ୍ଚ ନିଚ, ଖାଲ ଢିପ ବାଟ କଥା ନୁହେଁ । ମୁଁ ଯେଉଁ ବାଟ କଥା କହିବାକୁ ଯାଉଛି ସେ ହେଉଛି କର୍ମର ବାଟ । ଯେଉଁ ବାଟର କି ଆମେ ପଥିକ, ହେଲେ; ଭିନ୍ନ ଭିନ୍ନ ଲକ୍ଷ୍ୟ ନେଇ ଆଗକୁ ବଢୁଥିବା ବାଟୋଇ ।


   ସଂସାରରେ ଆଗକୁ ବଢି ନିଜ ଢଙ୍ଗରେ ଜୀବନ ଜୀଇଁବା ପାଇଁ ଭିନ୍ନ ଭିନ୍ନ ବାଟ ଅଛି । ଆମକୁ ଯେଉଁ ବାଟଟି ପସନ୍ଦ ଲାଗେ ଆମେ ସେ ବାଟର ପଥିକ ସାଜନ୍ତି, ବିନା ସଂକୋଚରେ । 


   କେଉଁ ବାଟରେ ଗଲେ ଆମର ହିତ ସାଧନ ହେବ, ନିଜେ ବାଟୋଇ ନ ସାଜିଲା ଯାଏଁ କେବେବି ଅନୁମାନ କରି ହୁଏନି । ପୂର୍ବରୁ ଜାଣିବା ତ ଅସମ୍ଭବ କଥା । ଭଲମନ୍ଦ ବିଚାର କରି ଆଗକୁ ବଢିବା କାର୍ଯ୍ୟ ଆମର । ଲାଭ - କ୍ଷତିର ହିସାବ କେବଳ କର୍ମକୁ ନେଇ ହୋଇଥାଏ । ଭଲ କର୍ମ ପାଇଁ ଭଲ ଫଳ ଆଉ ଖରାପ କର୍ମ ପାଇଁ ଖରାପ ଫଳ ମିଳେ । ଅଳସୁଆ ଯେ' କୌଣସି ବାଟରେ ଯାଉନା କାହିଁକି ସେ ଦୁଃଖ ହିଁ ପାଇଥାଏ । ଆଉ କର୍ମଠ ମଣିଷ ଯେତେ କଷ୍ଟ ଦାୟକ ବାଟରେ ଗଲେ ମଧ୍ୟ ସେ ସଂପୂର୍ଣ୍ଣ ବାଟଟିକୁ ସୁଗମ ଓ ସୁଖମୟ କରି ଦେଇଥାଏ ।


     ବାଟ ବାଛିବାର ସ୍ୱାଧୀନତା ନିଜ ପାଖରେ ଅଛି । ନିଜେ ଭୁଲ ବାଟରେ ଯାଇ କେବେ ମଧ୍ୟ ଅନ୍ୟକୁ ଦୋଷ ଦେଇ ପାରିବା ନାହିଁ । ଏ ମର୍ତ୍ତ୍ୟରେ ନିଜର କର୍ମ ଫଳ ନିଜକୁ ହିଁ ଭୋଗ କରିବାକୁ ପଡିଥାଏ । ନିଜର କର୍ମ ଫଳ ନିଜ ଛଡା ଅନ୍ୟ କିଏ କେମିତି ଭୋଗ କରିବ ? 


    ସଂସାରରେ ସେବକ ସାଜିବାର ବାଟ ହିଁ ମନୁଷ୍ୟର ଶ୍ରେଷ୍ଠ ବୌଦ୍ଧିକ ବିଚାର । ସେବକ ସାଜି ଜଗତର କଲ୍ୟାଣ କଲେ ଅମର ଆତ୍ମା ପବିତ୍ର ହୁଏ । ପ୍ରଶାନ୍ତି ଲଭେ ଏ ଧରା ଧାମରେ । ଅନ୍ତରାତ୍ମାର କଥା ଶୁଣି ସର୍ବଦା କର୍ମ କରୁଥିବା କର୍ମଠ ମାନବ ହିଁ ସଂସାରରେ ଶ୍ରେଷ୍ଠ ପଦବାଚ୍ଯ ହୁଏ ସମୟ ସୁଅରେ । ସମସ୍ତେ ଭୁଲିଯାଇ ପାରନ୍ତି, ହେଲେ; ଉଚିତ୍ କର୍ମ କରୁଥିବା ଲୋକକୁ କେବେ ମଧ୍ୟ କର୍ମ ରୂପି ଧର୍ମ ଭୁଲିଯାଏ ନାହିଁ । ତା'କୁ ଦିନେ ଶ୍ରେଷ୍ଠ କର୍ମଫଳ ଉପହାର ସ୍ୱରୂପ ଦେଇଥାଏ । ଆଉ ଯେ କର୍ମ କରିବାକୁ ଘୃଣା କରେ ସେ ଯୁଗେ ଯୁଗେ ନିନ୍ଦିତ ହୋଇଥାଏ । କଥାରେ ଅଛି, " ଆଜି ଯେ, ରାଜେନ୍ଦ୍ରାସନ କାଲି ସେ ଫକୀର । " କର୍ମ ନକଲେ ସମୟ ଚକ୍ରରେ ଧନୀ ମଧ୍ୟ ଗରିବ ସାଜିଥାଏ । ଉପଯୁକ୍ତ ବାଟର ପଥିକ ହେବାପାଇଁ ପୂର୍ବେ ଋଷି ମହାଋଷିମାନେ ବନସ୍ତରେ ତପସ୍ୟା କରୁଥିଲେ । ନିଜ ପରିବାର ଭୁଲି ଜଗତ ମଙ୍ଗଳ ପାଇଁ ଏକାକୀ ବନରେ ବାସ କରୁଥିଲେ । ତପଫଳ ପାଇ ଧରାକୁ ଆଲୋକିତ କରିବାର ପ୍ରଚେଷ୍ଟାରେ ଦିନ - ପକ୍ଷ - ମାସ - ବର୍ଷ, ବର୍ଷ ଧରି ତପସ୍ୟାରେ ମଗ୍ନ ରହୁଥିଲେ । ପର ମୁହୂର୍ତ୍ତରେ ଏ ନିୟତି ସେମାନଙ୍କୁ ଉପଯୁକ୍ତ ତପ ଫଳ ପ୍ରଦାନ କରି ଶ୍ରେଷ୍ଠ ମହର୍ଷି ଭାବେ ଜଗତରେ ବିଖ୍ୟାତ କରାଉଥିଲା । ପୃଥିବୀରେ ଏମିତି ଅନେକ ଉଦାହରଣ ଅଛି । 


    ବୋତଲରେ ପାଣି ସ୍ୱଚ୍ଛ ଅଛି ଭାବି କେବେ ପିଅନ୍ତୁ ନାହିଁ । ଏ ପାଣି ନା ଆଉ କ'ଣ ଏଠାରେ ଥୁଆ ହୋଇଛି ତା'ର ସତ୍ୟାସତ୍ୟ ପ୍ରଥମେ ନିଜେ ପରଖନ୍ତୁ, ଖୋଜନ୍ତୁ । ଏହା ମନେ ରଖିବାକୁ ହେବ ଯେ, ଜଗତରେ ସ୍ୱଚ୍ଛ ଦୃଶ୍ୟ ହେଉଥିବା ପ୍ରତ୍ଯେକ ପଦାର୍ଥ ସ୍ୱଚ୍ଛ ନୁହେଁ । ଯେଉଁ ପାଣିକୁ ସେବନ କରିବାକୁ ଯାଉଛନ୍ତି ଯଦି ତାହା ମାଦକ ଦ୍ରବ୍ୟ ହୋଇଥାଏ, ନିଶା ମିଶ୍ରିତ ପାନୀୟ ହୋଇଥାଏ । ଏସିଡ୍ କିମ୍ବା କୌଣସି ବିଷାକ୍ତ ପଦାର୍ଥ ମିଶିଥାଏ । ଆପଣ ମାନଙ୍କର କ'ଣ କ୍ଷତି ହେବ ଅନୁଭବ କରି ପାରୁଛନ୍ତି ତ ? ଯାହା କେବଳ ଦୁର୍ଲ୍ଲଭ ଜୀବନଟି ଅକାଳରେ ଚାଲିଯିବ ।


    ସେଥିପାଇଁ ବାଟ ଚୟନ କରିବା ପୂର୍ବରୁ ପ୍ରଥମେ ନିଜକୁ ନିଜେ ପଚାରନ୍ତୁ, ତର୍ଜମା ଆଉ ଅନୁଶୀଳନ କରନ୍ତୁ, ତାହା ଭଲ ବାଟ ନା ନାହିଁ । ସେ ବାଟ ନିଜ ପାଇଁ କେତେ ସୁରକ୍ଷିତ ? ଯଦି ସେ ବାଟ ଆପଣଙ୍କ ବିଚାରରେ ସୁରକ୍ଷିତ ତେବେ ସେ ବାଟର ପଥିକ ହୁଅନ୍ତୁ, ନଚେତ୍ ଅନ୍ୟ ବାଟ ବାଛନ୍ତୁ ।


   କାହିଁକି ନା ଆଖିକୁ ଭଲ ଦେଖା ଯାଉଥିବା, ଭଲ କଥା କହି ମନକୁ ମୋହି ପାରୁଥିବା ମଣିଷ ସର୍ବଦା ଭଲ ବୋଲି ହୃଦୟ ସ୍ୱୀକାର କରି ନଥାଏ । ବେଳେବେଳେ ଏ ଆଖି ମଧ୍ୟ ଧୋକା ଖାଇଥାଏ । ଜଗତରେ ଜଣେ ଭଲ ମଣିଷ ଖୋଜି ପାଇବା ଅତି କଷ୍ଟକର । ସେ ଜଣେ ଭଲ ମଣିଷ ଏକଥା ମନ ସେତେବେଳେ ହିଁ ଚିନ୍ତା କରିବ ଯେବେ ସେ ତା' ସହ ଓତଃପ୍ରୋତ ଭାବେ ମିଶି ରହି ପାରିବ । 


   ଜୀବନରେ ଅନେକ ସାଙ୍ଗ ଆସିବେ । ସେମାନେ ସମସ୍ତେ ତୁମ ସହ ନିଜ ନିଜ ସ୍ୱାର୍ଥ ପାଇଁ ମିଶିବେ । ତୁମ ସହ ବାର୍ତ୍ତାଳାପ କରିବେ । ଆଉ ସ୍ୱାର୍ଥ ହାସଲ ହେବା ପରେ ତୁମକୁ ଛାଡି ଚାଲିଯିବେ । ସେମାନେ ଜାଣୁଥିଲେ ସୁଦ୍ଧା କେବେବି ତୁମକୁ କହିବେନି ଭଲ ବାଟଟି କେଉଁଟି । କେଉଁ ବାଟରେ ଗଲେ ତୁମର ମଙ୍ଗଳ ହେବ । ସେମାନେ କେବେବି ଭାବିବେନି ତୁମେ ସର୍ବଦା ଭଲରେ ଥାଅ ବୋଲି । ତୁମେ ସମାଜରେ ଉଚ୍ଚ ଆସନ ପାଅ, ଭଲ ମଣିଷ ହୋଇ ଆଗକୁ ବଢ, ଯଶ ଅର୍ଜନ କର ତଥା ପରୋପକାରୀ ହୋଇ ବିଶ୍ଵର ମଙ୍ଗଳ ଚିନ୍ତା କର ବୋଲି ସେମାନେ କେବେ କହିବେନି । ସେମାନେ ସମସ୍ତେ ତୁମ ସହ ଅଭିନୟ କରିବେ । ଭଲ ସାଙ୍ଗ ବୋଲି ମିଛରେ ଡେଙ୍ଗୁରା ପିଟିବେ । ସ୍ୱସ୍ୱାର୍ଥରେ ମିଶିବେ । ତୁମ ଭାବନା ସହ ଖେଳିବେ । ଯେଉଁ ଗୁଡିକ ଖରାପ ବାଟ ସେ ବାଟରେ ଯିବା ପାଇଁ ତୁମକୁ ଅହରହ ପ୍ରବର୍ତ୍ତାଇବେ । ଧୋକା ଦେବେ - ଛଳନା କରିବେ । ତୁମ ସଫଳତାରେ ତୁମ ସହ ମିଶି ଖୁସି ମନାଇବେ । ନିଜର ହୋଇ ରହିବାକୁ ପସନ୍ଦ କରିବେ । ଆପଣାର ବିଫଳତାରେ କେହି ମଧ୍ୟ ତୁମ ସାଥ୍ ଦେବେ ନାହିଁ । ପାଖ ମାଡିବେ ନାହିଁ । ଯେଉଁ ବନ୍ଧୁ ମାନେ ନିଜର ହେଇଥିଲେ ସେମାନେ ସମସ୍ତେ ଦୂରେଇ ଯିବେ । ହେଲେ ତୁମ ପରିବାର ତୁମ ସହ କେବେ ସ୍ୱାର୍ଥରେ ମିଶିବେ ନାହିଁ । ସଦାସର୍ବଦା ତୁମର ସାଥ୍ ଦେବେ । ତୁମ ସହ କେବେ ଅଭିନୟ କରିବେ ନାହିଁ କି ତୁମ ଭାବନା ସହ କେବେ ଖେଳିବେ ନାହିଁ । ଖରାପ ବାଟରୁ ତୁମକୁ ନିବୃତ୍ତ ରଖି ଭଲ ବାଟରେ ଯିବା ପାଇଁ ପରାମର୍ଶ ଦେବେ । ପ୍ରଚୁର ଭଲ ପାଇବେ । ଅଥଚ କେବେ କହିବେନି ତୋତେ ଭଲପାଉ ବୋଲି ।  


     ତେଣୁ ବନ୍ଧୁ ହେଉ ଅବା ପାଣି ନିଜ ମନ ଆଉ ହୃଦୟରେ ନ ବୁଝି, ନ ବିଚାରି କେବେବି ଆପଣାର କରନ୍ତୁ ନାହିଁ । କାରଣ ପର ମୁହୂର୍ତ୍ତରେ ଯେମିତି ନିଜକୁ ପସ୍ତେଇବାକୁ ନପଡେ । ସଜାଗ ରୁହନ୍ତୁ ।


    ଅବାଟରେ କେବେ ଅକସ୍ମାତ୍ ପଳାଇଲେ ଯାହାଙ୍କ ଆଖିରେ ଅଶ୍ରୁ ଚାଲିଆସେ, କଦାପି ସୁଖେ ନାହିଁ, ସେ ହେଉଛି ଆମ ପରିବାର । କର୍ମ ଜଞ୍ଜାଳରେ ଥିବାବେଳେ ଆମେ ସେମାନଙ୍କୁ ଭୁଲିଯାଉ । ସେମାନେ କିନ୍ତୁ କଦାପି ଆମକୁ ଭୁଲନ୍ତି ନାହିଁ । ସଦାସର୍ବଦା ଆମର କୁଶଳ ପଚାରି ବୁଝନ୍ତି । ଆମେ କେବେ ଦୁଃଖରେ ରହିଲେ ସେମାନଙ୍କ ଆଖିରେ ଲୁହ ଆସିଯାଏ । ନିଜର ଲୁହ ନ ପୋଛି ଆମର ଲୁହ ପୋଛି ନିଜକୁ ନିଜେ ବୁଝାଇ ନିଅନ୍ତି । 


   ପ୍ରଥମେ ନିଜକୁ, ନିଜର ରୁଗ୍ଣ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ହେବ । ବାଟ କେବେ ଖରାପ ହେଇ ନପାରେ ଏହା ସ୍ୱୀକାର କରିବାକୁ ହେବ । ନିଜର ଦୃଷ୍ଟି କୋଣକୁ ବଦଳାଇବାକୁ ହେବ । ବାଟର କେବେ ଦୋଷ ନଥାଏ ଆମର ଚାଲିବାରେ ଦୋଷ ତୃଟି ଥାଏ ବୋଲି ହୃଦୟ ଏବଂ ମସ୍ତିଷ୍କରେ ବୁଝିବାକୁ ହେବ । ଯେବେ ଆମେ ଚାଲିବା ଅଭ୍ୟାସ ନିର୍ଭୁଲ ଭାବେ କରିବା ସେବେ ଆମେ ଏ ଜଗତରେ ଶ୍ରେଷ୍ଠ ବାଟୋଇ ସାଜିଯିବା । ଏହା ନିଃସନ୍ଦେହ ।


    ନିଜେ ବାଟର ବାଟୋଇ ସାଜିଯିବା ଅତି ସହଜ । ହେଲେ ସେ ବାଟରେ ସମସ୍ତଙ୍କୁ ନେଇ ସମସ୍ତଙ୍କର ଭଲ ହେଉ ଏକଥା ମନରେ ବିଚାର କରିବା ଭାରି କଷ୍ଟ ଦାୟକ । 


   ସଂସାରରେ ଏ ବାଟ ଥିବ ଆମେ ନଥିବା । ସମୟ ସୁଅରେ ଆମେ କେବେନା କେବେ କାଳର ଗର୍ଭରେ ହଜିଯିବା ସବୁଦିନ ପାଇଁ । ଜୀବନ ବାଟରେ ଛାଡି ଯାଇଥିବା ସମସ୍ତ ସୁକୀର୍ତ୍ତି ତଥା ଭଲ କର୍ମ ପାଇଁ ଆମକୁ ଅନନ୍ତ ଅନନ୍ତ ସମୟ ଯାଏଁ ଏ ଧରା ବାସୀ ମନେ ରଖି ଗୁଣଗାନ କରୁଥିବେ । 


     ଏଣୁ ଭଲ ବାଟରେ ଯାଇ କର୍ମ କରନ୍ତୁ । ସତ୍ କର୍ମ କେବେବି ଅସତ୍ ମିଶ୍ରିତ ନୁହେଁ । ପାପ ନୁହେଁ କି ଅଧର୍ମ ନୁହେଁ । ଯାହା ବି କର୍ମ କରିବେ ସବୁ ସତ୍ୟ ମିଶ୍ରିତ ଧର୍ମ ଅବା ପ୍ରେମ ମିଶ୍ରିତ ପୁଣ୍ୟ ହେବା ଆବଶ୍ୟକ ।


   ସତ୍ ବାଟର ବାଟୋଇକୁ ପଚାରିଲେ ତୁମେ ଜାଣି ପାରିବ ଯେ, ସେ ଯାଉଥିବା ବାଟ କେତେ ଯେ କଷ୍ଟ ଦାୟକ । ତଥାପି ମଧ୍ୟ ସେ ଆନନ୍ଦିତ ହୋଇ ସେ ପଥରେ ଧାଉଁଛି କାହିଁକି ? ପ୍ରେମ ବାଟର ବାଟୋଇକୁ ପଚାର ସେ କହିଦେବ ସେ ବାଟରେ କେତେ ଯେ କଣ୍ଟା ଅଛି ? ତଥାପି ମଧ୍ୟ ସେ କାହିଁକି ଆପଣାର କରୁଛି ପ୍ରେମକୁ ? ସେ କ'ଣ ପ୍ରେମର ପରିଭାଷାକୁ ଜାଣି ସାରିଛି ? କେତେ ସୁଖ ଆଉ କେତେ ଶାନ୍ତି ମିଳେ ସେ ବାଟରେ, ସେ କ'ଣ ଅନୁଭବ କରି ଜାଣି ପାରିଛି ? ପାଇବା ଆଶା ରଖି ଫୋନ୍ ରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିବା, ଚାଟିଂ କରୁଥିବା ସେଇ ପ୍ରେମୀଯୁଗଳଙ୍କୁ ପଚାର ସେମାନେ କହିଦେବେ ଅପେକ୍ଷାର ଫଳ ଶେଷରେ କେତେ ଯେ ବେଦନା ଆଉ ପାପ, ପଙ୍କ ଯୁକ୍ତ ? ଦେହ ଯୌବନର ମିଳନ ଆଶା ରଖି ବାଟ ଚାଲୁଥିବା ସେ ବାଟୋଇକୁ ପଚାର ସେ କହିଦେବ ଅନ୍ୟ ପଛରେ ଗୋଡେଇବାରେ କେତେ ଯେ ସୁଖ ମିଳେ ? ପରୋପକାର କରୁଥିବା ବାଟୋଇକୁ ପଚାର ତୁମେ ଜାଣି ପାରିବ କେତେ ଯେ ଆନନ୍ଦ ଆଉ ମୋକ୍ଷ ମିଳେ ସେ ବାଟରେ ? କାମୁକ ଆଉ ହିଂସା ବାଟର ବାଟୋଇକୁ ପଚାର ସେ କହିଦେବ ରକ୍ତ, ହାଡ, ମାଂସରେ ଗଢା ଏ ଶରୀରର ଦାମ୍ କେତେ ?


  ସେମାନେ ସମସ୍ତେ ତୁମର ଉତ୍ତର ଦେଇଦେବେ । ଏ ସଂସାର ଏମିତି । ସମସ୍ତଙ୍କର ବାଟ ବାଛିବାର ରୁଚି ଭିନ୍ନ ଭିନ୍ନ । ଏଠି କିଏ ହଳାହଳକୁ ନିଜର କରି ଜୀବନ ଜୀଇଁବାରେ ମଗ୍ନ ତ କିଏ ଅମୃତକୁ ପାନ କରିବାରେ । 


   ଆଲୋକ ଆଡକୁ ବାଟ ବତାଉଥିବା ଲୋକ ଏଠି ବିରଳ । ତୁମେ ଆଗକୁ ବଢୁଥିଲେ ପଛରୁ ଟାଣୁଥିବା ଲୋକ ତୁମେ ଲକ୍ଷେ ପାଇବ । ସାହାଯ୍ୟ କରିବା ବଦଳରେ ସାହାଯ୍ୟ ମାଗୁଥିବା ଲୋକ ଅନେକ ଦେଖିବ । ମୁଁ ପଛେ ଦୁଃଖରେ ଥାଏ ତୁମେ ସୁଖରେ ରୁହ, ଏଭଳି ଚିନ୍ତା କରୁଥିବା ଲୋକ ମୃତ୍ୟୁ ଲୋକରେ ତୁମେ ଗୋଟିଏ ବି ପାଇବ ନାହିଁ । ଦିନେ ମୃତ୍ୟୁ ହେବ ବୋଲି ସମସ୍ତେ ଜାଣନ୍ତି ତଥାପି ମଧ୍ୟ ଟଙ୍କା ଆଉ ଗୋରା ତକତକ ଦେହ ପଛରେ ପଡି ଆପଣାର ସକଳ ଧର୍ମ ନଷ୍ଟ କରନ୍ତି । ପ୍ରେମକୁ ପରିତ୍ୟାଗ କରନ୍ତି । ଦେବ ସ୍ଥାନ ବୋଲି ଜାଣୁଥିବା ସତ୍ତ୍ୱେ ମଧ୍ୟ ଦେବ ସ୍ଥାନରୁ ଚନ୍ଦନ ଗଛ କାଟି ରାତି ଅଧରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରି ରାତାରାତି ଧନୀ ହେବାର ଆଶା ରଖନ୍ତି । ପାପ ବୋଲି ବିଚାର କରୁଥାନ୍ତି ତଥାପି ମଧ୍ୟ ପାପ କରନ୍ତି । ଏହା ଖରାପ ବାଟ ବୋଲି ଚିତ୍କାର କରି କହୁଥିଲେ ମଧ୍ୟ ସେମାନେ ଶୁଣିବା ପାଇଁ ନାରାଜ । ଏଠାରେ ମଦ, ମାଛ,ମାଂସ ଆଉ ଅଣ୍ଡାର ଚାହିଦା ଆକାଶଛୁଆଁ । କ୍ଷୀରର ଦାମ୍ ଏଠି ପାଣି ଠାରୁ ବି କମ୍ । କିନ୍ତୁ ଏତକ ବଢିଛି, ତାହା ହେଉଛି ନାରୀ ନିର୍ଯାତନା, ବଳି ପ୍ରଥା, ଝଡାଫୁଙ୍କା - ପାଙ୍ଗଣନାଶଣ ପରି ଅନେକ ଅନ୍ଧବିଶ୍ୱାସ ଆଉ କୁସଂସ୍କାର । 


    ଯେଉଁଦିନ ଆମେ ଏ ସଂସାରରେ ପ୍ରକୃତ ବାଟ ଖୋଜିବାରେ ସଫଳ ହେବା ସେଦିନ ଆମ ଜୀବନ ସାର୍ଥକ ହେବ । ଏ ସଂସାରରୁ ଅମୃତ ପାଇ ଚିରଦିନ ବଞ୍ଚିଯିବା । ନଚେତ୍ ମୃତ୍ୟୁଲୋକରେ ଜହର ପାଇ ସବୁଦିନ ପାଇଁ ନିଜର ସମସ୍ତ ଯଶ, ଖ୍ଯାତି, ମାନ ସମ୍ମାନ, ଧର୍ମ, ପୂଣ୍ୟ ଓ ଶାନ୍ତିକୁ ସାଗରରେ ଡୁବାଇ ମାଟିତଳେ କବର ଦେଇ ମୃତ୍ୟୁକୁ ପ୍ରାପ୍ତ ହେବା ।


    ଯେଉଁ ବାଟ ଆମକୁ ଭବିଷ୍ୟତରେ ସଫଳ ମଣିଷ ଭାବରେ ସମାଜ ଆଗରେ ଛିଡା କରାଇବ ସେଭଳି ବାଟକୁ ବାଛିବାକୁ ହେବ । କେଉଁ ବାଟ ଆମକୁ କେତେ ସଫଳତା ଦେବ ତାହା ସମୟ କହିବ । ଯଦି ପରିବେଶ ଆଉ ପରିସ୍ଥିତି ଆମକୁ ସମୟ ସୁଅରେ ସାଥ୍ ଦେଲା ତା'ହେଲେ ସଫଳତାର ପାହାଚ ନିଶ୍ଚିତ ଚଢିହେବ । ନଚେତ୍ ଜୀବନରେ ବିଫଳତା ହିଁ ବିଫଳତା । ଏତିକି ମନେ ରଖିବାକୁ ହେବ ଯେ ନିଜର ସଫଳତାର ସମସ୍ତ ଶ୍ରେୟ କେବଳ ନିଜର ପରିବାର ପାଇଁ । କାରଣ ଆଜିର ଏ ସଫଳତା କେବଳ ସେଇମାନଙ୍କର ଭଲପାଇବାର ଦାନ । 


   ମୋ ଭାଷଣ ସରିଲା ପରେ ଦେଖିଲି ମଞ୍ଚ ତଳେ ଆଉ କେହି ନଥିଲେ । ମଞ୍ଚ ଉପରେ ଥିବା ମୋ ପ୍ରିୟ ବନ୍ଧୁ ମାନଙ୍କୁ ନିଦ ଘୋଟି ଆସୁଥିଲା ।



Rate this content
Log in

Similar oriya story from Inspirational