STORYMIRROR

Laxman Kumar Behera

Tragedy

3  

Laxman Kumar Behera

Tragedy

ସ୍ମୃତିଭିଜା ପିଲାଦିନ

ସ୍ମୃତିଭିଜା ପିଲାଦିନ

11 mins
507


ପ୍ରତିଟି ମୁହୂର୍ତ୍ତରେ ଯାହାର ରୂପ ଛବି ମୋ ଆଖି ସାମ୍ନାରେ ଜଳଜଳ ହୋଇ ଏବେବି ନାଚି ଉଠୁଛି, ମୋ ହୃଦୟ ଈଲାକାରେ ଯେ' ପ୍ରତି ମୂହୁର୍ତ୍ତରେ ପୂଜା ପାଏ, ନିରବରେ ବସିଥିଲେ ଯାହାର ନାମଟି ମୋ ତୁଣ୍ଡରେ ଆପେ ଆପେ ଗୁଣୁଗୁଣେଇ ହୁଏ, ଯେଉଁ ନାମଟିକୁ ମୁଁ ମୁଖସ୍ତ କରିବା ସହ ମୋ ପିଲାଦିନ ବିତେଇ ଦେଇଥିଲି, ଯାହାର କଥା ଶୁଣିଲେ ମୋ ଆଖିର ଉପକୂଳରୁ ତତଲା ଅଶ୍ରୁ ସବୁ ଝରି ଗାଲରେ ଶୁଖିଯାଏ, ଯାହାର ସ୍ବପ୍ନ ଦେଖି ମୁଁ ରାତି ପୁହାଇ ଦିଏ, ସେ ଦେବସ୍ମିତା ମୋର ପିଲା ଦିନର ସହପାଠିନୀ ।

ଏ ମର୍ତ୍ତ୍ଯରେ ସେ ଏମିତି ଏକ ଜୀବନ୍ତ ଅପ୍ସରୀ ଥିଲା ଯାହାର ରୂପ ଲାବଣ୍ଯରେ ମୁଁ ମୁଗ୍ଧ ଥିଲି । ଦେବକନ୍ଯା ଦେବସ୍ମିତାର ନୀଳ ନୀଳ ଆଖି, ଗୋଟିଏ ଚାଉଳରେ ଗଢା ଗୋରା ତକତକ ଦେହ ସହିତ ମୁଖ ମଣ୍ଡଳର ଶୋଭା ସତରେ ଅବର୍ଣ୍ଣନୀୟ ଥିଲା । କଳା କେଶ ସାଥେ ହସ୍ତିନୀ ଚାଲି ମୋ ସଂପୂର୍ଣ୍ଣ ଶରୀରକୁ ଦୋହଲାଇ ଦେଉଥିଲା । ତା' ପ୍ରେମରେ ପଡିବାକୁ ସତରେ ଯେମିତି ମୁଁ ବାଧ୍ଯ ଥିଲି ।

ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ଆମେ ଦୁହେଁ ସମ୍ବଲପୁର ପୋଲିସ୍ ଲାଇନ୍ ପ୍ରାଥମିକ ବିଦ୍ୟାଳୟରେ ଓ ଷଷ୍ଠ - ସପ୍ତମ ଦୁଇବର୍ଷ ପୋଲିସ୍ ଲାଇନ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢିଥିଲୁ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେବସ୍ମିତାର ମାଆ ଶିକ୍ଷୟିତ୍ରୀ ଥିଲେ । ତା' ବାପା ଓ ମୋ ବାପା ଧନୁପାଲି ଥାନାରେ ଚାକିରି କରୁଥିଲେ । ପୋଲିସ୍ ଲାଇନ୍ ର ଏକା ବିଲ୍ଡିଙ୍ଗ୍ ରେ ଆମେ ରହୁଥିଲୁ । ତାଙ୍କର ତଳ କ୍ବାଟର୍ ପାଇଥିଲେ ଆଉ ଆମର ଉପର କ୍ବାଟର୍ । ବିଭିନ୍ନ ସମୟରେ ଆମର ଭେଟ ହେଇ ଯାଉଥିଲା । ଟିଉସନ୍ ରେ ଆଉ ସ୍କୁଲ୍ ରେ ଭେଟ ହେବା କଥା ଛାଡିଦେଲେ ଛୁଟି ଦିନରେ ଆମେ ଦୁହେଁ ପ୍ରାୟ ସବୁବେଳେ ଏକାଠି ମିଶି ବିଲ୍ଡିଙ୍ଗ୍ ପାଖରେ ଥିବା ଟଗର ଫୁଲ ଗଛ ମୂଳେ ଧୂଳି ଖେଳୁଥିଲୁ । ସବୁଦିନେ ଭେଟ ହୋଇ ଘଡିଏ ଆଳାପ କରିବା ସତେ ଯେମିତି ଆମର ଅଭ୍ଯାସରେ ପରିଣତ ହେଇ ଯାଇଥିଲା । ବିଭିନ୍ନ ବାହାନା କରି ଆମେ ପରସ୍ପରକୁ ଦେଖା କରୁଥିଲୁ, ଅନେକ ଗପୁଥିଲୁ । ଆମେ ଏମିତି ମିଶି ଯାଇଥିଲୁ ଯେ, ଗୋଟିଏ ମୁହୂର୍ତ୍ତ ବି ଅଲଗା ହେବା ପାଇଁ ଇଚ୍ଛା କରୁ ନଥିଲୁ । ପିଲାଦିନର ପରସ୍ପର ପ୍ରତି ଏ ଆକର୍ଷଣ ବୋଧେ ପ୍ରେମ ହିଁ ଥିଲା । ଯାହା ଆମେ ଜାଣି ପାରି ନଥିଲୁ ।

ସପ୍ତମ ଶ୍ରେଣୀର ବାର୍ଷିକ ପରୀକ୍ଷାର ସେଦିନ ଅନ୍ତିମ ପରୀକ୍ଷା ଥିଲା । ଦେବସ୍ମିତା ମୋତେ ଦେବା ପାଇଁ ଏକ ଚିଠି ସେ ନିଜେ ଲେଖିଥିଲା । ସେ ଯେବେ ମୋତେ ଚିଠିଟି ଦେଉଥିଲା ତା'ର ମାଆ ଦେଖି ଦେଇଥିଲେ । ଦେବସ୍ମିତାକୁ ଅଫିସ୍ ଭିତରକୁ ଡାକି ଏକ କେନ୍ଦୁ ପାଚଣ ବାଡିରେ ଅନେକ ପିଟିଲେ । ମୁଁ ଅଫିସ୍ ସାମ୍ନାରେ ଥିଲି, ହେଲେ; ତା'କୁ ମୁଁ ସେଦିନ କୌଣସି ସାହାଯ୍ୟ କରି ପାରି ନଥିଲି । ସେ ମୋତେ ଦେଖୁଥାଏ ଆଉ କାନ୍ଦୁଥାଏ ।

ବିଦ୍ଯାଳୟରୁ ସେଦିନ ଘରକୁ ଫେରିବା ପରେ ଦେଖିଲି ତା'ର ମାଆ ମୋତେ ନେଇ ମୋ ବାପାଙ୍କୁ ବହୁତ ଗାଳି କରୁଥିଲେ । ମୋ ବାପା ମୋତେ ଦେଖି ପଦେ ହେଲେ କିଛି କହିଲେ ନାହିଁ । ସେଦିନ ରାତି ବାପା କାନ୍ଦୁଥିବାର ଶୁଣିଲି । ମାଆ ତାଙ୍କୁ ବୁଝାଉଥିଲେ । ମୋ ବାପା ମୋତେ ପ୍ରଚୁର ଭଲ ପାଉଥିବାର ମୁଁ ଅନୁଭବ କରି ପାରିଲି ।

ସପ୍ତମ ଶ୍ରେଣୀ ବାର୍ଷିକ ପରୀକ୍ଷା ସରିଯାଇ ଥିବାରୁ ବାପା ମୋତେ ମାଆ ସହିତ ନିଜ ଗାଆଁକୁ ଯିବା ପାଇଁ କହିଲେ । ମୋତେ ଗାଆଁ ରେ ପଢାଇବାକୁ ବାପା ସ୍ଥିର କରିଛନ୍ତି ଏହା ମାଆଙ୍କ ଠାରୁ ଶୁଣିବାକୁ ପାଇଲି । ଦେବସ୍ମିତା ର ମାଆଙ୍କୁ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ରେଢାଖୋଲ ବ୍ଲକ୍ ର ଚାରମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରିଛନ୍ତି ବୋଲି ଆମ ବିଲ୍ଡିଙ୍ଗ୍ ରେ ସମସ୍ତେ କୁହାକୁହି ହେଉଥିବାର ଶୁଣିଲି । ଦେବସ୍ମିତାର ମାମୁଁ ସେଦିନ ଭୁବନେଶ୍ବରରୁ ଆସି ପହଞ୍ଚି ଥାନ୍ତି । ତା' ମାମୁଁ ଆମ ବିଷୟରେ ତା' ମାଆଙ୍କ ଠାରୁ ସବୁକଥା ଶୁଣିଲେ । ଯେତେବେଳେ ତା' ମାମୁଁ ମୋତେ ଦେଖିଲେ ସେବେ ବଡ ବଡ ଲାଲ୍ ଲାଲ୍ ଆଖି କରି ଘୃଣା ଚକ୍ଷୁରେ ମୋତେ ଡରେଇବାକୁ ପ୍ରୟାସ କଲେ । ମୁଁ ସବୁ ଅନୁଭବ କରୁଥାଏ । ମୁଁ ସବୁ ଶୁଣୁଥାଏ ତା' ମାଆ ଆଉ ତା' ମାମୁଁ ତା'କୁ ଭୁବନେଶ୍ବରରେ ହଷ୍ଟେଲ୍ ରେ ରହି ପଢିବା ପାଇଁ ଯୋଜନା କରୁଥାନ୍ତି । ମୁଁ ମୋ ଗାଆଁକୁ ଆସିବା ପୂର୍ବରୁ ସେ ଭୁବନେଶ୍ବର ଚାଲିଗଲା । ଗଲାବେଳେ ମୋତେ ଦେଖି ସେ ବହୁତ କାନ୍ଦୁଥିଲା ।

ସେ ଚାଲିଗଲା ପରେ ମୁହଁ ଉପରେ ହାତ ବୁଲାଇ ଦେଖିଲି ଲୁହରେ ସାରା ଗାଲଟି ଭିଜି ସାରିଥିଲା । ବିରହ ବେଦନା ଅତି ପୀଡା ଦାୟକ ସେଇଦିନ ମୁଁ ଅନୁଭବ କଲି ।

ସେ ଆଉ ମୁଁ ପ୍ରତ୍ଯେକ ଦିନ ଯେଉଁ ଟଗର ଗଛ ମୂଳେ ବସି କଥା ହେଉଥିଲୁ ସେ ମୂଳକୁ ଯାଇ ବସିଲି । ମନ ମୋର ଅଧୀର ହେଉଥାଏ । ସାମ୍ନାରେ ଇଟାଟିଏ ଥୁଆ ହେଇ ଥିବାର ଦେଖିଲି । ମନେ ମନେ ବିଚାରିଲି ଆଗରୁ ତ ଏଠାରେ ଇଟା ନଥିଲା । ଇଟା କୁଆଡୁ ଆସିଲା । ଯେବେ ଇଟାଟି ଉଠାଇ ଦେଖିଲି, ସେ ତଳେ ଏକ କାଗଜ ଥିଲା । କାଗଜଟିକୁ ଖୋଲିଲା ପରେ ଜାଣିଲି ଦେବସ୍ମିତା ମୋ ପାଇଁ ସ୍ମୃତିଭିଜା ପ୍ରେମ ଚିଠି ଟିଏ ଦେଇଛି । ଯାହା ମୋ ପାଇଁ ଥିଲା ସ୍ମୃତିର ସନ୍ତକ । ହୃଦୟ ମୋ ଗଦ୍ ଗଦ୍ ହେଇଗଲା । ଚିଠି ସଂଗେ ସଂଗେ ବିଳମ୍ବ ନକରି ପଢିଲି, ଲେଖାଥିଲା -

ଅମ୍ଳାନ,

ମୁଁ ତୁମକୁ ବହୁତ ଭଲପାଏ । ମୋ ମାଆ ଆଜି ତୁମଠାରୁ ମୋତେ ଅନେକ ଦୂରକୁ ପଠାଇ ଦେଉଛନ୍ତି । ଜାଣିନି, ଜୀବନ ବାଟରେ କେବେ ତୁମ ସହ ଦେଖା ହେବ କି ନାହିଁ । ଏହା ମଧ୍ଯ ଜାଣିନି ଏ ଚିଠିଟି ତୁମେ ପାଇବ କି ନାହିଁ । ତୁମ ହାତରେ ଚିଠିଟି ଦେବାକୁ ଭାରି ଇଚ୍ଛା ଥିଲା । ହେଲେ; ସମ୍ଭବ ହେଲା ନାହିଁ । ଯଦି ମୋ ଚିଠି ତୁମେ ପାଅ କେବେବି ପଢି ସାରିଲା ପରେ ଚିରି ଫୋପାଡି ଦେବ ନାହିଁ କି ନିଆଁରେ ଜାଳି ଦେବ ନାହିଁ । ମୋ ଭାବନାରେ - ମୋ ହୃଦୟରେ ତୁମେ ସଦାସର୍ବଦା ପୂଜା ପାଉଥିବ । ଯଦି କେବେ କେଉଁଠାରେ ଆମର ଭେଟହୁଏ ମୋତେ ଅଣଦେଖା କରି ମୁହଁ ମୋଡି ଚାଲି ଯିବନି, ପଦେ ସ୍ନେହ ଆଉ ସ୍ମୃତି ବୋଳା କଥା ହେବ । ଜାଣିନି ତୁମକୁ ଜୀବନରେ ନିଜର କରି ପାରିବି କି ନାହିଁ । ତଥାପି ମଧ୍ୟ ଜୀବନ ତମାମ୍ ମୁଁ ତୁମକୁ ଭଲପାଇବି । କେବେବି ଥରୁଟିଏ ଭୁଲିଯିବିନି, ଏ ପ୍ରକୃତିକୁ ସାକ୍ଷୀ ରଖି ତୁମକୁ କଥା ଦେଉଛି ।

ମୋ ମାମୁଁ ଘର ଭୁବନେଶ୍ବରର ରସୁଲଗଡରେ । ସଂପୂର୍ଣ୍ଣ ଠିକଣା ମୁଁ ଜାଣିନି । ଭୁବନେଶ୍ବରରୁ ସମ୍ବଲପୁର କେବେ ଆସିଲେ ତୁମ ସହ ଦେଖା କରି ପ୍ରଚୁର କଥା ହେବି ।

|| ଇତି ||

ତୁମର ଦେବସ୍ମିତା

ଚିଠିଟି ଏକା ଥରକେ ପଢି ଦେଲି । ପ୍ଯାଣ୍ଟ୍ ର ଭିତର ପକେଟ୍ ରେ ଚିଠିଟିକୁ ଲୁଚାଇ କରି ରଖିଲି । ଜମାରୁ ଭଲ ଲାଗୁ ନଥାଏ । ଯେବେ କ୍ବାଟର୍ ରେ ପହଞ୍ଚିଲି ସେବେ ବାପା ମାଆକୁ କହୁଥିଲେ-

- ପୁଅକୁ ନେଇ ତୁମେ ଆସନ୍ତା କାଲି ଗାଆଁ ରେ ଛାଡିଆସ । ଗାଆଁ ରେ ତା'ର ଅଜା ଆଈ ଅଛନ୍ତି । ସେଇଠି ସେ ପଢିବ ।

- ( ମାଆ କହୁଥିଲା ) ଗାଆଁରେ ମୋ ଛୁଆ ପଢିଲେ କ'ଣ ଶିଖିବ କହିଲ ? ମାନୁଛି ଏ ସ୍କୁଲ୍ ଆଉ ପଢା ବହି - ପାଠ ପଢା ସବୁଆଡେ ସମାନ, ହେଲେ; ସେଠାରେ ତ ଟିଉସନ୍ ର କିଛି ସୁବିଧା ନାହିଁ । କୌଣସି ଡାକ୍ତରଖାନା ବି ଆଖ ପାଖରେ ନାହିଁ । ଗୋଟେ ବୋଲି ଆମର ପୁଅ । ଯାହା ଘଟିଗଲା ସେ କଥାକୁ ଜୀବନ ଯାକ ଧରି ବସିଲେ କ'ଣ ଲାଭ ମିଳିବ, କହିଲ ?

- ମୁଁ ଅନେକ ଅପମାନିତ ହେଇ ସାରିଲିଣି ପୁଅ ପାଇଁ, ଆଉ ନୁହେଁ । ତା'କୁ ଗାଆଁ ରେ ମୋ ବାପା ଦେଖି ଦେବେ । ମୋତେ ତ ଦଶମ ପଢିବା ଯାଏଁ ମୋ ବାପା ଘରେ ପଢାଉଥିଲେ । କୌଣସି ଟିଉସନ୍ ମୋତେ ପଠାଇ ନଥିଲେ । ମୁଁ କ'ଣ ଚାକିରି ପାଇଲି ନାହିଁ ?

ମୋ ମାଆ ମୋ ସପକ୍ଷରେ ଅନେକ କହି ବାପାଙ୍କୁ ବୁଝାଇଲେ ମଧ୍ଯ କିଛି ଲାଭ ହେଲାନାହିଁ । ଶେଷରେ ମୋ ମାଆ ମୋତେ ଦେବଗଡର ଏକ ଅଖ୍ଯାତ ପଲ୍ଲୀ ଦଣ୍ଡାସିଂହା ରେ ଅଜାଆଈଙ୍କ ପାଖରେ ଛାଡିଦେଇ ସମ୍ବଲପୁର ଫେରିଗଲେ । ସେଇ ଦିନଠାରୁ ମୋ ଅଜା ଆଈ ମୋର ପ୍ରିୟ ମଣିଷ ପାଲଟି ଗଲେ ।

ଖରାଛୁଟି ପରେ ଗାଆଁ ହାଇସ୍କୁଲ୍ ରେ ମୁଁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲି । ମୋ ମାଆ ମୋ ସହିତ ପ୍ରତ୍ଯେକ ଦିନ ଫୋନ୍ ରେ କଥା ହେଉଥାନ୍ତି । ମଝିରେ ମଝିରେ ମୋତେ ଦେଖିବାକୁ ଆସନ୍ତି । ହେଲେ; ମୋ ବାପା ଆଗଭଳି ଆଉ ମୋତେ ଭଲ ପାଇଲେ ନାହିଁ କି ଫୋନ୍ ରେ କଥା ଦୁଇପଦ କେବେ ହେଲେ ନାହିଁ । ଯଦି କେଉଁଦିନ ଘରକୁ ଆସନ୍ତି ତ ଅଜାଆଈଙ୍କୁ ଦେଖା କରି ସାଙ୍ଗେ ସାଙ୍ଗେ ସମ୍ବଲପୁର ଫେରି ଯାଆନ୍ତି । ମୋ ସ୍କୁଲ୍ କୁ ଆସି କେବେ ମୋ ସହ ଭେଟ କରନ୍ତି ନାହିଁ କି ମୁଁ ସ୍କୁଲ୍ ରୁ ଘରକୁ ଫେରିବା ଯାଏଁ ଅପେକ୍ଷା କରନ୍ତି ନାହିଁ । ବାପାଙ୍କୁ ଦେଖିବା ପାଇଁ ମନରେ ଭାରି ଇଚ୍ଛା ହେଉଥାଏ । ଦେବସ୍ମିତା ପାଇଁ ବାପା ମୋତେ ମନେ ମନେ ଖୁବ୍ ଘୃଣା କରୁଥିବାର ମୁଁ ବୁଝି ପାରୁଥିଲି । ଏହା ମୋ ହୃଦୟକୁ ଭାରି କଷ୍ଟ ହେଉଥାଏ ।

ଦେବସ୍ମିତା ମୋତେ ପ୍ରଚୁର ଭଲ ପାଉଥିଲା । ଏହା ମୋ ପାଇଁ ପ୍ରତିଟି ମୁହୂର୍ତ୍ତରେ ଧରାରେ ଜୀଇଁ ରହିବା ଲାଗି ପ୍ରାଣ ସଂଚାରର ଘୃତ ଢାଳୁଥିଲା । ମୁଁ ସବୁବେଳେ ତା' କଥା ଭାବି ମୋ ଜୀବନର ସକଳ ଯନ୍ତ୍ରଣାକୁ ଭୁଲି ଯାଉଥିଲି । ଦେବସ୍ମିତା ସହ ମନଭରି ପଦେ କଥା ହେବା ପାଇଁ ପ୍ରବଳ ଇଚ୍ଛା ହେଉଥାଏ, ହେଲେ; ପାଖରେ ଯୋଗାଯୋଗର କୌଣସି ମାଧ୍ୟମ ନଥିଲା ।

ମାସେ ଭିତରେ ମୋ ବାପା କୁଚିଣ୍ଡା ଥାନାକୁ ବଦଳି ହେଇ ଆସିଲେ । ସେବେ ମୁଁ ବୁଝିଗଲି ଦେବସ୍ମିତା ସହ ଆଉ କେବେ ଜୀବନରେ ଭେଟ ହେଇ ପାରିବନି ବୋଲି ।

ଦେବସ୍ମିତା ଆଉ ମୋ ବାପାଙ୍କୁ ମୁଁ ଦଶମ ଶ୍ରେଣୀ ପଢିବା ଯାଏଁ କେବେବି ଦେଖିବାର ସୁଯୋଗ ଥରୁଟିଏ ବି ପାଇ ପାରିଲି ନାହିଁ । ଦଶମ ବାର୍ଷିକ ବୋର୍ଡ୍ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିବାରୁ ଯୁକ୍ତ ଦୁଇ ଭୁବନେଶ୍ବରର ମହର୍ଷି କଲେଜ୍ ରେ ପଢିବା ପାଇଁ ହର୍ଷବର୍ଦ୍ଧନ ମଉସା ମୋ ବାପାଙ୍କୁ ଅନେକ ବୁଝାଇଲେ । ତାଙ୍କ କଥାରେ ମୋ ବାପା ରାଜି ହେଇଗଲେ । ମୋ ଛଡା ବାପା କେବେ ଜାଣି ପାରି ନଥିଲେ ଯେ,

ଦେବସ୍ମିତା ଭୁବନେଶ୍ବରରେ ରହି ପାଠ ପଢୁଛି ବୋଲି । ମୁଁ ଭୁବନେଶ୍ବରରେ ପଢିବି ଭାବି ସେଦିନ ଭାରି ଖୁସି ହେଉଥାଏ ।

ମହର୍ଷି କଲେଜ୍ ରେ ନାମ ଲେଖାଇ ହଷ୍ଟେଲ୍ ରେ ରହି ପଢିଲି । ଦେବସ୍ମିତା କୁ ମନେ ମନେ ଅନେକ ଖୋଜୁଥାଏ । ତା' ମାମୁଁ ଘର ରସୁଲଗଡ ପାଖରେ ବୋଲି ସେ ଚିଠିରେ ଲେଖି ଥିବାରୁ ମୁଁ ସମୟ ବାହାର କରି ପ୍ରତ୍ଯେକ ଦିନ ରସୁଲଗଡ ଛକରେ ରହି ଅପେକ୍ଷା କରେ । କାଳେ କେଉଁ ଦିନ ଭେଟ ହେଇଯିବ ଏଇ କଥା ଭାବି ପ୍ରତିଦିନ ଖୋଜୁଥାଏ । ପ୍ରତିଟି କଲେଜ୍ ବସ୍, ଟାକ୍ସି, ମଟର ସାଇକେଲ୍, କାର୍, ସ୍କୁଟି ଉପରୁ ନଜର ଜମା ହଟାଏ ନାହିଁ । ଦେଢମାସ ବିତିଗଲା ପରେ ମଧ୍ଯ ଖୋଜି ନ ପାଇବାରୁ ଦୁଃଖରେ ଭାଙ୍ଗି ପଡୁଥାଏ ।

ଏକ ଉପାୟ ମନରେ ଜୁଟିଲା । ଭାବିଲି ଦେବସ୍ମିତା ତ ବିଜ୍ଞାନମେଳା ଦେଖିବାକୁ ବହୁତ ଭଲପାଏ । ଯଦି ଆମ କଲେଜ୍ ରେ ବିଜ୍ଞାନ ମେଳା କରାଯାଏ ତା' ହେଲେ ସେ ନିଶ୍ଚିତ ଆସିବ । ଏଇ ବିଶ୍ବାସରେ ଭୁବନେଶ୍ବରର ସମସ୍ତ କଲେଜ୍ ଗୁଡିକୁ ନେଇ ଆମ କଲେଜ୍ କ୍ଯାମ୍ପସ୍ ରେ ବିଜ୍ଞାନ ମେଳା କରିବା ପାଇଁ ମୁଁ ଆମ କଲେଜ୍ ଅଧ୍ଯକ୍ଷଙ୍କୁ ଦରଖାସ୍ତ କରି ଜଣାଇଲି । ସେ ଭାରି ଖୁସି ହୋଇ ମୋତେ ବିଜ୍ଞାନ ମେଳାର ସମସ୍ତ ଆୟୋଜନ କରିବା ପାଇଁ କହିଲେ । ସବୁ କଲେଜ୍ ର ଅଧ୍ଯକ୍ଷଙ୍କ ସହ ଯୋଗାଯୋଗ କରି ସେପ୍ଟେମ୍ବର ୨୧ ତାରିଖରେ ବିଜ୍ଞାନ ମେଳା କରାଯିବ ବୋଲି ନିଷ୍ପତ୍ତି ନିଆଗଲା ।

ସେଦିନ ରବିବାର । ବିଜ୍ଞାନ ମେଳା ପାଇଁ ସବୁ କଲେଜ୍ ର ପିଲାମାନେ ଆସି ନିଜ ନିଜର ଷ୍ଟଲ୍ ରେ ପ୍ରଦର୍ଶନ ପାଇଁ ସଜବାଜ ହେଉଥାନ୍ତି । ମୁଁ ସବୁ ଷ୍ଟଲ୍ ବୁଲି ଦେବସ୍ମିତା କୁ ଖୋଜୁଥାଏ । ଅଠାଅଶୀ ନମ୍ବର ଷ୍ଟଲ୍ ଟି ଥିଲା ରମାଦେବୀ କଲେଜ୍ ର । ସେଇ ଷ୍ଟଲ୍ ରେ ଦେବସ୍ମିତା ବସିଥିଲା । ମୁଁ ତା'କୁ ହଠାତ୍ ଦେଖି ଚିହ୍ନିଦେଲି । ପାଖକୁ ଯାଇ କଥା ହେବି ଭାବିଲି । ହେଲେ; ଦେଖିଲି ତା' ପାଖରେ ଜଣେ ପୁଅ ପିଲା ବସି ତା' ସହ କଥା ହେଉଛି । ମନରେ ବିଭିନ୍ନ ସନ୍ଦେହ ଜାତ ହେଲା । ସେମାନେ ଏମିତି ଗପୁଥିଲେ ଯେମିତି ସେମାନେ ଆଗରୁ ଭଲଭାବେ ପରସ୍ପରକୁ ଚିହ୍ନିଛନ୍ତି - ଜାଣିଛନ୍ତି । ଦୁହେଁ ଦୁହିଁଙ୍କୁ ଭଲ ପାଉଥିବାର ଅନୁଭବ କଲି । କଥା ହେବାକୁ ଉଚିତ୍ ମଣିଲି ନାହିଁ । ଦେବସ୍ମିତା ମୋତେ ଦେଖିଲା, କାରଣ ମୁଁ ତା'ର ସାମ୍ନାରେ ହିଁ ଛିଡା ହେଇଥିଲି । ସେ କିନ୍ତୁ ମୋତେ ଚିହ୍ନି ପାରିଲା ନାହିଁ ।

ସେଦିନ ମୁଁ ବୁଝିଗଲି ସମୟ ବାଟରେ ସମସ୍ତେ ବଦଳି ଯାଆନ୍ତି, ପାଗ ପରି । ଆଜି ନିଜ ସ୍ବାର୍ଥ ପାଇଁ ଦେବସ୍ମିତା ବି ବଦଳି ଗଲା । ମନେ ମନେ ଭାବିଲି ଯିଏ ମୋତେ ଭଲପାଇବାର ପ୍ରତିଶ୍ରୁତି ଦେଇ ଅନ୍ଯକୁ ଆପଣାର କରି ପାରିଲା ତା' ପଛରେ ନିଜ ଜୀବନର ବହୁମୂଲ୍ଯ ସମୟ କ'ଣ ପାଇଁ ନଷ୍ଟ କରିବି ? ଜୀବନରେ କେବଳ ଏତିକି ଦୁଃଖ ରହିଗଲା, ଯାହାକୁ ମନପ୍ରାଣ ଦେଇ ଭଲପାଇଲି, ଯାହାର କଥା ନେଇ ମୋ ବାପା ମୋ ମୁହଁକୁ ଥରୁଟିଏ ବି ଆଜିଯାଏଁ ଦେଖିଲେ ନାହିଁ, ଘୃଣା କଲେ । ପାଖରେ ଅନ୍ଯ କାହାକୁ ପାଇ ସେ ଆଜି ମୋତେ ଭୁଲିଗଲା । ମୁଁ ଅମ୍ଳାନ ବୋଲି ପରିଚୟ ଦେଲେ ସେ ଯଦିବି ଚିହ୍ନିବ, କ'ଣ ପୂର୍ବ ଭଳି ସେ ମୋତେ ଭଲ ପାଇବ ? ବର୍ତ୍ତମାନ ଯାହାକୁ ସେ ଭଲପାଉଛି କ'ଣ ତା'କୁ ସହଜରେ ଭୁଲି ପାରିବ ? ନୁହେଁ, କେବେ ନୁହେଁ ? ଏମିତି ଭାବି ତା' ସାମ୍ନାରେ ଥାଇ ମଧ୍ଯ ମୁଁ ମୋର ପରିଚୟ ଜଣାଇଲି ନାହିଁ ।

ନିଜକୁ ନିଜେ ସେଦିନ ସମ୍ଭାଳି ନେଲି । ସବୁଦିନ ପାଇଁ ନିଜ ହୃଦୟରୁ ତା'କୁ ଭୁଲିବା ପାଇଁ ଚେଷ୍ଟା କଲି । ପିଲାଦିନେ ଏହା ମୋର ଭୁଲ୍ ନିର୍ବାଚନ ଥିଲା ବୋଲି ନିଜେ ପଶ୍ଚାତାପ୍ କଲି । ସଂପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ନ ହେଲା ଯାଏଁ ମନୁଷ୍ୟ ଧରାରେ ବାରମ୍ବାର ବଦଳୁଥାଏ । ନିଜ ବିଚାରରେ, ସକଳ କର୍ମରେ, ନିଜ ଭାବନା ଭିତରେ ସେ ସ୍ଥିର ନୁହେଁ । ନା ସେ ଭୁଲ୍ ଠିକ୍ କ'ଣ ଜାଣି ପାରେ ନା ସେ କାହାକୁ କେଉଁ କଥା ଦେଇଥାଏ ତାହା ମନେ ରଖି ପାରେ ! ନା ସେ ମୋହ ଠାରୁ ମୁକ୍ତ ହୋଇପାରେ ନା ପ୍ରଥମ ପ୍ରେମକୁ କେବେ ଭଲଭାବେ ହୃଦୟଙ୍ଗମ କରି ତା'କୁ ବୁଝିପାରେ !

ସେଦିନ ମୁଁ ଅନୁଭବ କଲି ଯେ, ହୃଦୟରେ ପ୍ରେମ ବାରମ୍ବାର ଆସେ, ଆଖି ଯେବେ ପ୍ରକୃତିର ସୁନ୍ଦରତାକୁ ଦେଖିଛି ସେତେବେଳେ ସେ ତା'କୁ ପାଇବାକୁ ଇଚ୍ଛା କରିଛି । କେବେ ନିଜକୁ ଅନ୍ଯ ପଛରେ ଗୋଡାଇବାକୁ ପଡିଥାଏ ତ କେବେ ଅନ୍ଯ କେହି ନିଜ ପଛରେ ଗୋଡାଇଥାନ୍ତି । ଏହା ତ ସତ ଯେବେ ଏ ମନ ଅନ୍ଯ ପଛରେ ପଡେ ସେବେ ଭାରି ଖୁସି ହୁଏ । ଆଉ କେହି ନିଜ ପଛରେ ପଡିଲେ ଯଦି ନିଜକୁ ସୁନ୍ଦର ଦେଖା ଯାଉ ନଥିବ ତେବେ ଜମାରୁ ଭଲ ଲାଗେନି । ଆଉ ନିଜଠୁ ଯଦି ସୁନ୍ଦର ଥିବ ସେବେ ମନ ଭାରି ଆହ୍ଲାଦିତ ହେଇଯାଏ । କାରଣ ଏହା ହିଁ ତ ସତ୍ଯ କି ଯେବେ ଆମେ ଅନ୍ଯ ପଛରେ ପଡନ୍ତି ସେବେ ତା'ର ସୁନ୍ଦରତାକୁ ହିଁ ଦେଖି ଥାନ୍ତି । ମନ ଭିତରେ କଣ ଅଛି କେବେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ । ହେଲେ; ଏକଥା ସତ୍ଯ କି ପ୍ରଥମ ପ୍ରେମ ଜୀବନରେ କେବଳ ଜଣକୁ ହିଁ ହୋଇଥାଏ । ପ୍ରେମ ଏଭଳି ଏକ ଚିନ୍ତନ ଯେଉଁ ଚିନ୍ତନ କି ସ୍ଵର୍ଗୀୟ, ପବିତ୍ର ଓ ଅମ୍ଳାନ ଯୁକ୍ତ । ସକଳ ଭୟ ଠାରୁ, ଚାପ ଠାରୁ, ପାପ ଠାରୁ, ମୋହ ଠାରୁ ସେ ସଂପୂର୍ଣ୍ଣ ମୁକ୍ତ । ପ୍ରଥମ ପ୍ରେମର ଭାବନା ଅଲୌକିକ ଓ ଦିବ୍ୟ । ସେଥିରେ କୌଣସି କାମନା, ବାସନା ତଥା ବିକାର ନଥାଏ । ନା ସେଥିରେ ମିଥ୍ଯା ମିଶା ଆଳାପ ଥାଏ ନା ପାଇବା ଆଶା କି ହରାଇବାର ଭୟ ଥାଏ ।

ମୁଁ କେବେବି କଳ୍ପନା କରି ନଥିଲି ସେ ମୋତେ ସବୁଦିନ ପାଇଁ ତା' ଜୀବନ ବାଟରୁ ଭୁଲି ଅନ୍ଯ କାହାକୁ ଆଦରି ନେବ ବୋଲି । ସେ ଦେଇଥିବା ଚିଠିଟିକୁ ନା ତା'କୁ ଫେରାଇ ପାରୁଥିଲି ନା ନିଆଁ ରେ ଜାଳି ପାରୁଥିଲି । ଚିରି ଦେବାକୁ ମନ ଚାହୁଁ ଥିଲେ ବି ଜମାରୁ ଚିରି ପାରୁ ନଥିଲି ।

ଜାଣିଛି ଏ ସଂସାର ସମୟ ପରି ପରିବର୍ତ୍ତନଶୀଳ । ଭାବିଲି, ଭବିଷ୍ୟତରେ ସିଏ କେବେ ଯଦି ତା' ଭଲପାଇବା ଠାରୁ ପ୍ରତାରଣା ପାଇ ପୁଣି ମୋତେ ନିରବରେ ଖୋଜେ । ମନରେ ଏଇ କଥା ଭାବି ମନରେ ଧୈର୍ଯ୍ଯ ସଂଚୟ କରି ତା'କୁ ଅପେକ୍ଷା କଲି । ପ୍ରତ୍ଯେକ ଦିନ ସଂନ୍ଧ୍ଯା ସମୟରେ ତା' କଲେଜ୍ ର ରାସ୍ତା ଏପଟରେ ତା'କୁ ଦେଖିବାକୁ ଗଲି । ପ୍ରତ୍ଯେକ ଦିନ ତା'ର ପୁରୁଷ ବନ୍ଧୁ ସହ ସେ ଗେଟ୍ ବାହାରେ ବସି ଆଳାପ କରୁଥାଏ । ମୁଁ ସବୁ ଚୁପ୍ ଚାପ୍ ଛିଡା ରହି ଦେଖୁଥାଏ । ଏମିତି ମାସେ ବିତିଗଲା । ହଠାତ୍ ଲଗାତାର ତିନିଦିନ ଧରି ତା'ର ପୁରୁଷ ବନ୍ଧୁକୁ ଆଉ ତା' ସହ ମିଶି କଥାବାର୍ତ୍ତା ହେବାର ମୁଁ ଦେଖିବାକୁ ପାଇଲି ନାହିଁ । ସେ ପ୍ରତ୍ଯେକ ଦିନ ତା' ପୁରୁଷ ବନ୍ଧୁ ର ଅପେକ୍ଷାରେ ରହିଥାଏ । ମୁଁ ଦେଖି ଠଉରାଇ ଦେଲି । ତା' ପୁରୁଷ ବନ୍ଧୁକୁ ତିନିଦିନ ଧରି ଆସିବାର ନ ଦେଖିବାରୁ ତା' ସହ ମିଶିବାର ଉପଯୁକ୍ତ ସମୟ ବୋଲି ଚିନ୍ତା କରି ତା' ସହ କଥା ହେବା ପାଇଁ ସଜ ହେଲି । ଆଗକୁ ଯେବେ ପାଦ ବଢାଇଲି ସେବେ ମୋ ସମଗ୍ର ଶରୀର ପବନରେ କଦଳୀ ପତ୍ର ଥରିଲା ଭଳିଆ ଥରୁଥାଏ । ସେ ମୋତେ ଦେଖୁଥାଏ, ହେଲେ ଚିହ୍ନିପାରୁ ନଥାଏ ।

- ହେଲୋ ମାଡାମ୍ ଶୁଭ ସଂନ୍ଧ୍ଯା । ଆପଣ ଦେବସ୍ମିତା ନା ?

- ହଁ, ହଁ ଶୁଭ ସଂନ୍ଧ୍ଯା । ଆପଣ କେମିତି ଜାଣିଲେ ମୋର ନାଆଁ । ଆମର ତ ଆଗରୁ କେବେ କୌଣସି ଠାରେ ଭେଟ ହେଇନି ।

- ଆମର ଭେଟ ମହର୍ଷି କଲେଜ୍ ରେ ହୋଇଥିଲା । ବିଜ୍ଞାନ ମେଳା ଦିନ । ସେଇଠି ମୁଁ ଆପଣଙ୍କୁ ଚିହ୍ନିଥିଲି । ଆପଣ ମୋତେ ଦେଖିଥିଲେ, ହେଲେ; ମନେ କରି ପାରୁ ନାହାଁନ୍ତି ।

- ଓହୋଃ, ଯାହା ହେଉ ମାସେ ହେଇ ଗଲାଣି ତଥାପି ମଧ୍ୟ ଚିହ୍ନିଦେଲେ । ନାମ ବି ମନେ ରଖିଛନ୍ତି । ଧନ୍ଯବାଦ ଆପଣଙ୍କୁ ।

- ଆପଣ କାହାକୁ ଅପେକ୍ଷା କରିଛନ୍ତି ବୋଧେ !

- ହଁ, ମୋ ଭାଇକୁ । ବଡ ବାପାଙ୍କ ପୁଅ, ସୁଜ୍ଞାନ କୁ । ସେ ଗତ ଦୁଇଦିନ ହେଲାଣି ମୋର ପିଲାଦିନର ସହପାଠୀ ଅମ୍ଳାନ ର ଖବର ନେବା ପାଇଁ ଦେବଗଡ ଜିଲ୍ଲାର ଦଣ୍ଡାସିଂହା ଗାଆଁ କୁ ଯାଇଛି । ସେ ଆଜି ଫେରିବ ବୋଲି ମୋତେ କହିଥିଲା । ତା'କୁ ମୁଁ ଅପେକ୍ଷା କରିଛି । ମୋ ପିଲା ଦିନର ଭଲପାଇବା ଏବେ କେମିତି ଅଛି, କ'ଣ କରୁଛି ଜାଣିବା ପାଇଁ, ତା' ସହ ପଦେ କଥା ହେବା ପାଇଁ ମୁଁ ଆଜି ଭାରି ବ୍ଯାକୁଳ ଦୋସ୍ତ୍ । ଅମ୍ଳାନ ବେହେରା ମୋ ଭଲପାଇବା । ନା ତାକୁ ମୁଁ ଫେସବୁକ୍ ରେ ଖୋଜି ପାଉଛି ନା ତା'ର ଫୋନ୍ ନମ୍ବର ପାଇ କଥା ହେଇ ପାରୁଛି । ମୁଁ ତା'କୁ ବହୁତ ଭଲ ପାଏ । ତା'କୁ ଥରୁଟିଏ ଦେଖି ପଦେ କଥା ହେଇଦେଲେ ମୁଁ ଶାନ୍ତିରେ ମରି ପାରନ୍ତି ।

- ଏମିତି କାହିଁକି କହୁଛନ୍ତି ?

- ମୁଁ ଆଉ ବେଶି ଦିନ ବଞ୍ଚିବି ନାହିଁ ଦୋସ୍ତ୍ । ମୋତେ ରକ୍ତ କର୍କଟ ରୋଗ ହେଇଛି । ମୋର ଶେଷ ଇଚ୍ଛା ଅଛି ଯେ, ମରିବା ଆଗରୁ ଅମ୍ଳାନ୍ ର କୋଳରେ ମଥା ରଖି ଗାଢ ନିଦ୍ରାରେ ସବୁଦିନ ପାଇଁ ଶୋଇଯିବି ।

ଏହା ଶୁଣି ମୋ ଦୁଇ ଆଖିରୁ ଲୁହର ସୁଅ ଛୁଟିଲା । କୋହକୁ ଜମା ସମ୍ଭାଳି ପାରିଲି ନାହିଁ ।

ଏହି ସମୟରେ ତା'ର ଭାଇ ସୁଜ୍ଞାନ ଆସି କହିଲା, ନାନୀ ଅମ୍ଳାନ ଏବେ ଭୁବନେଶ୍ବରରେ ପଢୁଛି ମହର୍ଷି କଲେଜ୍ ରେ । ଯେଉଁ କଲେଜ୍ କୁ ଆମେ ବିଜ୍ଞାନ ମେଳା ଦିନ ଯାଇଥିଲେ । ସେଇ କଲେଜ୍ ରେ ।

ସଙ୍ଗେ ସଙ୍ଗେ ଦେବସ୍ମିତା ଓ ସୁଜ୍ଞାନ ମହର୍ଷି କଲେଜ୍ କୁ ଯିବା ପାଇଁ ସଜ ହୋଇଗଲେ । ଏହି ସମୟରେ ମୁଁ ମୋ ପକେଟ୍ ରୁ ଏକ ଚିଠି ବାହାର କଲି ଯେଉଁ ଚିଠି ମୋ ପାଇଁ ଦେବସ୍ମିତା ସମ୍ବଲପୁର ପୋଲିସ୍ ଲାଇନ୍ ରେ ସେଦିନ ଟଗର ଗଛ ମୂଳରେ ଥିବା ଇଟା ତଳେ ଛାଡି ଦେଇ ଯାଇଥିଲା । ସେଇ ଚିଠିଟିକୁ ବିଳମ୍ବ ନକରି ଦେବସ୍ମିତା ହାତକୁ ବଢାଇ ଦେଲି । ପ୍ରଥମେ ଦୁଇ ଭାଇ ଭଉଣୀ ମୁଁ ଚିଠି ଦେଉଛି ଭାବି ରାଗିଗଲେ । ଯେବେ ମୁଁ ଅମ୍ଳାନ ବୋଲି ପରିଚୟ ଦେଲି ସେବେ ଦେବସ୍ମିତା ଚିଠିଟିକୁ ଖୋଲି ଦେଖିଲା । ଆଖିରୁ ଅଶ୍ରୁ ଝରାଇ ମୋତେ ହସି ହସି ଆଲିଙ୍ଗନ କରି କହିଲା ସତରେ ତୁମେ ଭାରି ଦୁଷ୍ଟ ହେଇ ଯାଇଛ ଅମ୍ଳାନ୍ ।

ଆଜି ଦେବସ୍ମିତା ଆଉ ଏ ଦୁନିଆରେ ନାହିଁ । ରକ୍ତ କର୍କଟ ରୋଗ ତା'କୁ ସବୁଦିନ ପାଇଁ ମୋ ଠାରୁ ବହୁତ ଦୂରକୁ ନେଇ ଯାଇଛି ।


Rate this content
Log in

Similar oriya story from Tragedy