Laxman Kumar Behera

Tragedy

3  

Laxman Kumar Behera

Tragedy

ନରବଳି

ନରବଳି

6 mins
465



    ଏ ରତ୍ନା, ରତ୍ନା •••


        ମାଆ ସ୍ବର୍ଗା ଦେବୀ ସକାଳୁ ସକାଳୁ ସବୁଆଡେ ଖୋଜିବାରେ ବ୍ଯସ୍ତ । ଅନେକ ସମୟ ଖୋଜିଲା ପରେ ମଧ୍ୟ ରତ୍ନାକରର ଦେଖା ନାହିଁ । ସକାଳରୁ ବେଳା ହେବାକୁ ବସିଲା ଏ ପିଲାଟା ଆଜି ଗଲା କୁଆଡେ ? କନ୍ଯା ଘର ଲୋକେ ତା'କୁ ଆଜି ଜ୍ବାଇଁ ଦେଖିବାକୁ ଆସିବେ । ସେ ଘରେ ନଥିଲେ ଝିଅ ଘର ଲୋକେ କ'ଣ ଯେ, ଭାବିବେ ? ମନା କରି ଦେବେ କି କ'ଣ ? ମାଆ ମନ ଏମିତି ଭାଳି ହେଉଥାଏ । 


         ରତ୍ନାକର ବିଷୟରେ ତାଙ୍କ ଗାଆଁ ରେ ସମସ୍ତେ ଭଲଭାବେ ଜାଣନ୍ତି । ସେ ଘୋଡା ମଦୁଆଟା । ଜମା ଭଲ ଚରିତ୍ରର ପିଲା ନୁହେଁ । କଥା କଥାରେ ମାଡଧର - ହଣାକଟା କରେ । ଗାଆଁ ରେ ପ୍ରତିଟି ବିଶୃଙ୍ଖଳା ପଛରେ ତା'ର ହିଁ ହାତ ଥାଏ । ପାଠ ପଢିଛି ସ୍ନାତକ ଯାଏଁ । ତଥାପି ମଧ୍ୟ ମୁଣ୍ଡରେ ବୁଦ୍ଧିଶୁଦ୍ଧି ଟିକେବି ନାହିଁ । କୌଣସି କାମଧନ୍ଦା କରି ରୋଜଗାର କରିବା ସତେ ଯେମିତି ତା' ଜାତକରେ ନାହିଁ । ୟା'କୁ ତା'କୁ ମାଗି ଚଳିଯାଏ । ସକାଳରୁ ରାତିଯାଏଁ ଦେଶୀ ମଦ ପିଇବାରେ ମସଗୁଲ୍ । ଘରକୁ ଟଙ୍କା ଟିଏ ବି ଦିଏନି । ଦେବ ଅବା କୁଆଡୁ ? ଗାଆଁ ର ସବୁ ଦୋକାନରେ ତା'ର ଉଧାରୀ । କେବେ କାହାକୁ ସୁଝେନି । ପରିବାରର ସଦସ୍ଯ କହିଲେ କେବଳ ମାଆ ଆଉ ପୁଅ ଦୁଇଜଣ ।


         ରତ୍ନାକର ମହାପାତ୍ର ଅତି କମ୍ ବୟସରେ ଦସ୍ଯୁ ପାଲଟି ଯାଇଥାଏ । ସେ ପ୍ରତ୍ଯେକ ଦିନ ସଂନ୍ଧ୍ଯା ସମୟରେ ବାରକୋଟ୍ ବଣେଇଁ ଛକ ପୋଲ ଉପରେ ଗାଡି ଗୁଡିକୁ ଅଟକାଇ ଚାନ୍ଦା ଅସୁଲ୍ କରେ । ଟଙ୍କା ମାଗି ସମସ୍ତଙ୍କୁ ହଇରାଣ କରେ । କାହାରି ଭୋଜି ହେଲେ ସେ ଟାଙ୍ଗି ଧରି ସଜ ହେଇଯାଏ ଜନ୍ତୁ ଗୁଡିକୁ ହତ୍ଯା କରିବା ପାଇଁ । ହିଂସା କାର୍ଯ୍ଯରେ ସେ ନିଜକୁ ସାମିଲ୍ କରି ଅନେକ ଆନନ୍ଦ ପାଏ । ଅନେକ ପଶୁ ଓ ପକ୍ଷୀ ସେ ଶୀକାର କରିଛି ତା' ଜୀବନରେ । ଥରେ ମଧ୍ୟ କେବେ ପଶ୍ଚାତାପ୍ କରିନି ଆଜିଯାଏଁ କି କେବେ ଲୁହ ଧାରେ ବୁହାଇନି ଅନ୍ଯ ପାଇଁ । ସେ ଅନ୍ଯର ଦୁଃଖରେ ପ୍ରଚୁର ହସେ, ହେଲେ; କେବେ କାହା ଦୁଃଖ ଲାଘବ କରେନି । ବିଚିତ୍ର ମଣିଷ ଅନ୍ଯକୁ ପୀଡା ଦେବାରେ ଆନନ୍ଦ ପାଏ । ପ୍ରତି ବର୍ଷ ଦଶହରାରେ ସେ ଲକ୍ଷେ ପରେ ଜୀବ ହତ୍ଯା କରେ ।


          କନ୍ଯା ଘର ଲୋକେ ତାଙ୍କ ଗାଆଁ ମୁଣ୍ଡରୁ ଲୋକଙ୍କ ଠାରୁ ରତ୍ନାକର ବିଷୟରେ ଏଣୁ ତେଣୁ ଖରାପ କଥା ଶୁଣି ଫେରି ଗଲେ । ବନ୍ଧୁ ଘର ଲୋକେ ଫେରିଗଲେ ଶୁଣି ସ୍ବର୍ଗା ଦେବୀର ମନ ଭାଙ୍ଗି ଗଲା । 


          ତା' ମାଆ ତା'କୁ ଅନେକ ଥର ନିରୀହ ଜୀବକୁ ଶୀକାର କରନି ବୋଲି କହିଛି । ପାପ କର୍ମରୁ ନିବୃତ ରହିବା ପାଇଁ ଅନେକ ଥର ନେହୁରା ହେଇଛି ।


         - ମାଆ କେବେ ତା' ସନ୍ତାନର ମୃତ୍ୟୁ ଚାହେଁ କି ପୁଅ ? 


         - ନା, ତ ।


         - ତା' ହେଲେ ଦେବୀ ପାଖରେ ତୁ ଯେଉଁ ବଳି ଦେଉଛୁ ତାହା କ'ଣ ସତରେ ଦେବୀ ମା' ଗ୍ରହଣ କରୁଛନ୍ତି ? ପୁଅ ! ଏସବୁ ଧର୍ମ ନୁହେଁ ଘୋର ପାପ । ଏ ବାଟରୁ ଓହରି ଆସ୍ । ସମୟ ଅଛି ବଦଳି ଯାଆ । କେବେ ଯଦି ତୋ ଉପରେ ପଡିଲା । ମୋର କିଏ ଅଛି ସାହା ହେବାକୁ କହିଲୁ ?


     - ମୁଁ ପାପ କରୁଛି, ତୋତେ କିଏ କହିଲା ? ମୁଁ ପାପରୁ ସେ ଜୀବ ଗୁଡିକୁ ମୁକ୍ତ କରୁଛି ମାଆ । ଦେବୀ ମାଆ ମୋ ଉପରେ କୃପା ଦୃଷ୍ଟି ରଖିଛନ୍ତି ବୋଲି ତ ମୁଁ ପଶୁ - ପକ୍ଷୀ ସମସ୍ତଙ୍କୁ ନର୍କରୁ ମୁକ୍ତ କରି ସ୍ବର୍ଗକୁ ପଠାଇବାର ମହାନ୍ କାମ କରୁଛି । ମୁଁ ପ୍ରତିଦିନ ପ୍ରତିକ୍ଷଣ ଏ କାମ କରି ଖୁସି ପାଉଛି ମାଆ । ଦେଖ୍ ! ଏ କର୍ମ ପାଇଁ ମୋ ମନରେ ଟିକିଏ ବି ଶୋଚନା ନାହିଁ କି ପଶ୍ଚାତାପ୍ ମଧ୍ୟ ନାହିଁ । ଈଶ୍ବର ମୋତେ ଏଇ କାମ ପାଇଁ ହିଁ ପଠାଇ ଛନ୍ତି । ଏହା ହିଁ ମୋ ପାଇଁ ପ୍ରେମ । ତୁ କହ ତ ! ଯଦି ମୁଁ ଦେବୀ ପାଖରେ ବଳି ନ ଦେବି କ'ଣ ଦେବୀ ମା' ବଳି ପାଇବେ ? ଏ ଲୋକମାନେ କେବେ କ'ଣ ମାଂସ ଖାଇ ପାରିବେ ? ଧରାରେ ପଶୁପକ୍ଷୀ ସଂଖ୍ଯା ବଢି ଯିବକି ନାହିଁ କହ ? 


     - ତୋ ପାଖରେ ଟିକେ ବି କେମିତି ଦୟାମାୟା ନାହିଁ ? ଦୟାଳୁ ହେଏ ବାପା । ସାଧାରଣ ମଣିଷ ଭଳି ଜୀବନ ଜୀଇଁବା ଶିଖ୍ । ( ଟିକିଏ ନିରବ ରହି ) ଗୋଟେ କଥା କହିବି ପୁଅ ଶୁଣିବୁ ? 


     - ମୋର ସମୟ ନାହିଁ ।


     - ତୋ ପାଖରେ ମାଆ ପାଇଁ କେବେ ସମୟ ଅଛି କି ? ( ଟିକିଏ ସକେଇ ହେଇ )


     - ହଉ ହଉ କାନ୍ଦନି, କହ । ଆଜି ତ ସେମିତି ବି କିଛି କାମ ନାହିଁ ।


     - କଳି ଯୁଗର ଠିକ୍ ଆରମ୍ଭ ସମୟର କଥା । ସେତେବେଳେ ସମଗ୍ର ଭାରତ ବର୍ଷକୁ ଶାସନ କରୁଥାନ୍ତି ସମ୍ରାଟ ହୁତାସନ । ସେ ସତ୍ଯ ଓ ଅହିଂସାର ପରମ ପୂଜାରୀ ଥିଲେ । ପ୍ରଜାଙ୍କର ହିତ ପାଇଁ ସେ ଏକ ପ୍ରେମ ମନ୍ଦିର ଗଢିଥିଲେ । ଭାରତର କୋଣ ଅନୁକୋଣରୁ ଏଗାର ଜଣ ମହାନ୍ ପଣ୍ଡିତଙ୍କୁ ପ୍ରେମ ପ୍ରଚାର ଉଦ୍ଦେଶ୍ୟରେ ମନ୍ଦିରରେ ନିଯୁକ୍ତ କରିଥିଲେ । ସମଗ୍ର ଆୟର ଏକ ଚତୁର୍ଥାଂଶ ସେ ମନ୍ଦିର ସେବାରେ ଖର୍ଚ୍ଚ କରୁଥିଲେ । ପଣ୍ଡିତ ମାନେ ପ୍ରତିଦିନ ପ୍ରେମର ମହାନ୍ ବାର୍ତ୍ତା ପ୍ରଚାର କରି ଲୋକଙ୍କୁ ପ୍ରେମର ଅର୍ଥ ଓ ଅସ୍ତିତ୍ଵ ସମ୍ବନ୍ଧରେ ବୁଝାଉଥିଲେ । 


         ଦିନେ ରାତ୍ରିରେ ଶୋଇଥିବା ସମୟରେ ସମ୍ରାଟଙ୍କୁ ଏକ ସ୍ବପ୍ନ ହେଲା । 


     - ହେ ସମ୍ରାଟ ! ମୁଁ ଦେବୀ ଦୁର୍ଗା । ଆଗରେ ଦଶହରା । ମୋର ଇଚ୍ଛା ଯେ, ତୁମ ସାମ୍ରାଜ୍ୟର ପ୍ରତିଟି ପ୍ରଜା ମନରେ ଯେଉଁ ପଶୁ ପ୍ରକୃତି ଭରି ରହିଛି ତୁମେ ଦଶହରା ଦିନ ସେ କୁଗୁଣକୁ ବଳି ଦେବା ପାଇଁ ରାଜ୍ଯ ସାରା ପ୍ରଚାର କରି ଦିଅ । 


         ସକାଳୁ ସକାଳୁ ସମ୍ରାଟ ମହାମନ୍ତ୍ରୀଙ୍କୁ କହିଲେ,


     - ମହାମନ୍ତ୍ରୀ ! 


     - ଆଦେଶ କରନ୍ତୁ ମୋ ପ୍ରିୟ ସମ୍ରାଟ ।


     - ଯଥାଶିଘ୍ର ପ୍ରେମ ମନ୍ଦିରରୁ ସମସ୍ତ ପଣ୍ଡିତଙ୍କୁ ରାଜ ଦରବାରକୁ ଆସିବା ପାଇଁ ନିମନ୍ତ୍ରଣ ପଠାଅ ।


     - ଠିକ୍ ଅଛି ସମ୍ରାଟ । 


    ( ଟିକିଏ ପରେ ଦରବାରରେ ସମସ୍ତ ପଣ୍ଡିତ ଉପସ୍ଥିତ ହେଲେ ) 


     - ଆମ୍ଭ ମାନଙ୍କୁ ଦରବାରକୁ ଡକାଇବାର ଅଭିପ୍ରାୟ କ'ଣ ସମ୍ରାଟ ?


     - ହେ ! ମୋର ପ୍ରିୟ ପଣ୍ଡିତ ଗଣ । ଆଜି ଦେବୀ ଦୁର୍ଗା ମାତା ମୋ ସ୍ବପ୍ନ ରେ ଆସିଥିଲେ । ମୋ ପ୍ରଜା ଙ୍କ ମନରେ ଥିବା ପଶୁ ପ୍ରକୃତିକୁ ବଳି ଦେବା ପାଇଁ ମୋତେ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ମୁଁ ଆପଣ ମାନଙ୍କ ମତାମତ ନେଇ ରାଜ୍ୟ ସାରା ଦଶହରା ଠାରୁ ପ୍ରଜାଙ୍କ ହିତ ପାଇଁ ଏ ନିୟମ ପ୍ରଚଳନ କରିବାକୁ ଯାଉଅଛି ।


         ( ସବୁ ପଣ୍ଡିତ ଏକ ସ୍ବରରେ କହିଲେ )


     - ହଁ ସମ୍ରାଟ, ଏହା ସଂପୂର୍ଣ୍ଣ ସାମ୍ରାଜ୍ୟ ପାଇଁ ଭଲ ସଂକେତ । ଏହା ରାଜ୍ଯରେ ପ୍ରଣୟନ ହେଲେ ପ୍ରଜାମାନେ ସୁଖ ଶାନ୍ତିରେ ଜୀବନ ନିର୍ବାହ କରି ପାରିବେ । ରାଜ୍ଯର ଅନେକ ପ୍ରଜା ମଦିରା ସେବନ କରି ନିଜ ପରିବାରକୁ ନିଃସ୍ବ କରି ସାରିଲେଣି । ଆପଣାର ମନ ଭିତରେ ପଶୁ ପ୍ରକୃତିର କୁଗୁଣକୁ ଜାଗ୍ରତ କରି ବିଭିନ୍ନ ହୀନ ଚିନ୍ତାରେ ସ୍ବୟଂ କୁ କ୍ଷତି କରିବାରେ ବ୍ଯସ୍ତ । ଏଣୁ ପ୍ରଜାଙ୍କୁ ସଚେତନ କରିବା ପାଇଁ ଆପଣ ଯେଉଁ ଶୁଭ ବାର୍ତ୍ତା ପ୍ରଚଳନ କରିବାକୁ ଯାଉଛନ୍ତି ତାହା ସ୍ବାଗତଯୋଗ୍ଯ ପଦକ୍ଷେପ । ଆଗରେ ଆସୁଥିବା ଦେବୀ ପୂଜାରେ ସମସ୍ତ ପ୍ରଜା ଯେବେ ଶପଥ କରି କହିବେ ଯେ, ସେମାନେ ନିଜ ନିଜ ଠାରେ ଥିବା ପଶୁ ଗୁଣକୁ ବଳି ଦେଇ ପ୍ରେମ ଓ ଶାନ୍ତି ଆଡକୁ ଅଗ୍ରସର ହେଲୁ । ସେବେ ଆପଣଙ୍କ ରାଜ୍ଯ ପ୍ରେମ ଓ ଅହିଂସାର ରାଜ୍ଯ ହେଇଯିବ । ସମ୍ରାଟ ରାମରାଜ୍ଯର ସ୍ବପ୍ନ ଦେଖୁଥିବାରୁ ପଣ୍ଡିତମାନେ ଭାରି ଆନନ୍ଦିତ ହେଲେ । ଧନ୍ଯ ଧନ୍ଯ ସମ୍ରାଟ ବୋଲି କହି ପଣ୍ଡିତ ମାନେ ଦରବାରରୁ ବିଦାୟ ନେଲେ । 


          ପଣ୍ଡିତ ମାନଙ୍କ କଥା ଶୁଣି ସମ୍ରାଟ ଅତ୍ଯନ୍ତ ଖୁସି ହୋଇ ମନ୍ତ୍ରୀଙ୍କୁ ଡକାଇ କହିଲେ,


   - ହେ ମନ୍ତ୍ରୀ ! ସମସ୍ତ ରାଜଦୂତଙ୍କୁ ଆଦେଶ ଦିଅ ସେମାନେ ପ୍ରତ୍ଯେକ ଗାଆଁଗଣ୍ଡାକୁ ଯାଇ ପ୍ରଜାଙ୍କ ଭିତରେ ଥିବା ପଶୁ ଗୁଣକୁ ଦଶହରାରେ ବଳି ଦେବା ପାଇଁ ଜଣାଇବେ । 


   - ଆପଣଙ୍କ ବାର୍ତ୍ତା ଯଥାଶିଘ୍ର ପ୍ରେରଣ କରୁଛି ମଣିମା । 


        ମନ୍ତ୍ରୀ ରାଜଦୂତ ମାନଙ୍କୁ ଡକାଇ ସମ୍ରାଟଙ୍କ ଆଦେଶ ପାଳନ କରିବା ପାଇଁ ଜଣାଇଲେ । ପ୍ରତ୍ୟେକ ପ୍ରଜା ମନରେ ଯେଉଁ ପଶୁ ଗୁଣ ଅଛି ତା'କୁ ଦଶହରା ଦିନ ବଳି ଦେଇ ସମାଜର ହିତ ପାଇଁ ଭଲ କାମ କରିବାକୁ ଆଗେଇ ଆସନ୍ତୁ ।


        ଦୂତମାନେ କ୍ଷିପ୍ର ବେଗରେ ରାଜ୍ଯସାରା ଏ ବାର୍ତ୍ତା ପ୍ରଚାର କରି ଦେଲେ । ପ୍ରଜାଏ ପରସ୍ପର କୁହାକୁହି ହେଲେ ଦେବୀ ମାଆ ପାଖରେ ଶପଥ ନେଇ ପଶୁ ଗୁଣକୁ ତ୍ଯାଗ କରିବାକୁ ହେବ । ଅନେକ ପ୍ରଜା ବୁଝି ନପାରି ପଶୁ ମାନଙ୍କୁ ଦେବୀ ମା' ପାଖରେ ବଳି ଦେବା କଥା କହିଲେ । 


      ଦଶହରା ଦିନ ହଜାର ହଜାର ସଂଖ୍ଯାରେ ପ୍ରଜାମାନେ ଦେବୀ ମା' ପାଖରେ ପଶୁ ବଳି ଦେଲେ । ସମ୍ରାଟ ଏମିତି ହେବ ବୋଲି କେବେ କଳ୍ପନା ସୁଦ୍ଧା କରି ପାରି ନଥିଲେ । କୌଣସି ପ୍ରଜା ତାଙ୍କ କଥାକୁ ବୁଝି ନ ପାରି ଦେବୀ ପୀଠ ପଶୁ ରକ୍ତରେ ଲାଲ୍ କରି ଥିବାରୁ ସେ ଅନେକ ମର୍ମାହତ ହେଲେ । ଏହି ଦୁଃଖରେ ଭାଳି ହୋଇ ଶେଷରେ ସେ ମୃତ୍ୟୁ ବରଣ କଲେ ।


      ସେହି ଦିନ ଠାରୁ ଭାରତରେ ବଳି ଭଳି ଘୃଣ୍ଯ ପ୍ରଥାକୁ ସମସ୍ତେ ଆଦରି ନେଲେ । ସେମାନଙ୍କର ବିଶ୍ବାସ ହେଲା ଯେ, ଦେବୀ ପୀଠରେ ବଳି ଦେଲେ ପରିବାର ତଥା ଗାଆଁ ର ମଙ୍ଗଳ ହେବ । କିଛି ଲୋକ ମାଟିକୁ ବଳି ଦେଲେ ଭଲ ଫସଲ ପାଇଁ, କିଛି ଭଲ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ବଳି ଦେଲେ । ପ୍ରତିଟି ପୂଜାରେ ପଶୁ ବଳି ଦେଲେ । ଧୀରେ ଧୀରେ ପଶୁଙ୍କ ଅଭାବ ଦେଖା ଯିବାରୁ ଲୋକମାନେ ଶେଷରେ ପକ୍ଷୀ ବଳି ଦେବା ଆରମ୍ଭ କରିଦେଲେ ।


      ବଳି ପ୍ରଥା ଆଜି ବିଶ୍ଵକୁ ବ୍ଯାପି ସାରିଛି ପୁଅ । ପ୍ରେମର ମନ୍ଦିର ତୋଳି ପ୍ରିୟ ପ୍ରଜାଙ୍କୁ ପ୍ରେମର ମହାନ ସନ୍ଦେଶ ଦେବା ପାଇଁ ସମ୍ରାଟ ପାଦ ଆଗକୁ ବଢାଇ ଥିଲେ । ହେଲେ; ତାହା ପୂରଣ ହେଲା ନାହିଁ । ମୁର୍ଖ ପ୍ରଜା ମାନଙ୍କ ପାଇଁ ତାଙ୍କ ପ୍ରେମର ମନ୍ଦିର ଆଜି ମାଟିରେ ମିଶି ଯାଇଛି ।


          ତିନି ଦିନ ପରେ ବି ସ୍ବର୍ଗା ଦେବୀ ନିଜ ପୁଅର ଖୋଜ ଖବର କିଛି ନ ପାଇବାରୁ ବାରକୋଟ ଥାନାକୁ ଯାଇ ଲିଖିତ ଅଭିଯୋଗ କଲେ । ସାତ ଦିନ ପରେ ଠିକ୍ ଦଶହରା ଦିନ ଉପର ବେଳା ବ୍ରାହ୍ମଣୀ ନଦୀ କୂଳରୁ ରତ୍ନାକରର କଟା ମୁଣ୍ଡ ପାଇ ପୋଲିସ୍ ସ୍ବର୍ଗା ଦେବୀଙ୍କୁ ନିଜ ପୁଅକୁ ଆସି ଚିହ୍ନଟ କରିବା ପାଇଁ ଖବର ଦେଲେ । 


          ସ୍ବର୍ଗା ଦେବୀ ନିଜ ପୁଅର କଟା ମୁଣ୍ଡ ଦେଖି କେହି ବଳି ଦେଇଥିବା କଥା ସେ ଦୃଢତାର ସହ କହିଲେ । 


          ସେ ଆଗରୁ ପଶୁ ଆଉ ପକ୍ଷୀ ବଳି ଦେବା କଥା ଜାଣିଥିଲା । ହେଲେ; ନିଜର ଏକମାତ୍ର ପୁଅର ବଳି ଦେଖି ସେ ପୀଡାର ଜ୍ବାଳାରେ ଏମିତି ସ୍ଥିର ହେଇଗଲେ ଯେ, କେବେବି ଆଉ ଉଠି ପାରିଲେ ନାହିଁ । 



Rate this content
Log in

Similar oriya story from Tragedy