Laxman Kumar Behera

Romance

2  

Laxman Kumar Behera

Romance

ପ୍ରେମ: ସୃଷ୍ଟି ଓ ସ୍ରଷ୍ଟା

ପ୍ରେମ: ସୃଷ୍ଟି ଓ ସ୍ରଷ୍ଟା

5 mins
510


      ସ୍ରଷ୍ଟା ଯେବେ ସ୍ବୟଂ କଳ୍ପନାରୁ କାଳଜୟୀ ସୃଷ୍ଟି କଲେ ସେବେ ସେଇ ସୃଷ୍ଟି ଆପଣାର ସନ୍ଦେହକୁ ମୋଚନ କରିବା ପାଇଁ ସ୍ରଷ୍ଟାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ସ୍ରଷ୍ଟା ସମସ୍ତ ପ୍ରଶ୍ନର ଉତ୍ତର ଅତି ସରଳ ଓ ଚମତ୍କାର ଭାବରେ ବ୍ୟାଖ୍ଯା କରିଥିଲେ ।


      ସୃଷ୍ଟି ନମ୍ର ହୋଇ ପଚାରିଲା, ହେ ସ୍ରଷ୍ଟା ! ଆପଣ ମୋତେ ସୃଷ୍ଟି କରିବାର ଅସଲ କାରଣ କ'ଣ ?


      ସ୍ରଷ୍ଟା କହିଲା, ହେ ସୃଷ୍ଟି ମୁଁ ତୁମକୁ ସର୍ଜନା କେବଳ ନିଜେ ଆତ୍ମ ସନ୍ତୋଷ ଲାଭ ପାଇଁ କରିଅଛି । ମୋ ଅନ୍ତେ ତୁମେ ମୋର ନାମକୁ ଧରାରେ ପ୍ରଚାର ପ୍ରସାର କରିବାର ଗୁରୁ ଦାୟିତ୍ବ ବହନ କରିବ ଆଉ ମୁଁ ଯୁଗଯୁଗ - ଜନ୍ମ ଜନ୍ମ ଯାଏଁ ତୁମ କୃପାରୁ ଯଶସ୍ବୀ ହୋଇ ସମସ୍ତଙ୍କ ହୃଦୟ ଆଉ ମସ୍ତିଷ୍କରେ ଚିରକାଳ ଅମର ହୋଇ ରହିବି । ତୁମେ ମୋର ସ୍ମୃତିର ସନ୍ତକ । ଏ ବିଶ୍ଵ ବ୍ରହ୍ମାଣ୍ଡରେ ତୁମେ ମୋର କଳ୍ପନା ।


      - ତା' ହେଲେ ମୋତେ କେମିତି ସୃଷ୍ଟି କଲେ ?


      - ଅନନ୍ତ ପ୍ରେମର ଐଶ୍ବରୀୟ ଦିବ୍ଯ ଶକ୍ତି ବଳରେ ମୁଁ ତୁମକୁ ସର୍ଜନା କଲି । 


      - ପ୍ରେମ କ'ଣ ? 


      - ପ୍ରେମ ଏକ ଅଦ୍ଭୁତ ତଥା ଦିବ୍ୟ ଶକ୍ତି, ସୁଖଦ ଭାବନା । ଯେଉଁ ଭାବ ବଳରେ ତୁମର ସଂପୂର୍ଣ୍ଣ ରଚନା ସମ୍ଭବ ହୋଇ ପାରିଲା । 


      - ବୁଝି ପାରିଲିନି । ଦୟାକରି ମୋତେ ସଂପୂର୍ଣ୍ଣ ତଥା ସହଜ, ସରଳ ଭାବରେ ଟିକିଏ ବୁଝାନ୍ତୁ ।


      - ଭାବ ସାମ୍ରାଜ୍ୟକୁ ଶୀତଳ, ଆନନ୍ଦିତ ଓ ପରିପୂର୍ଣ୍ଣ କରୁଥିବା ଦିବ୍ଯ ଭାବନା ହେଉଛି ପ୍ରେମ । ଅମୃତ ଓ ସୁଖର ନିଆରା ଭାବନା ସେ । ଅଲୌକିକ ତଥା ଦିବ୍ଯ ଶକ୍ତିର ସେ ଅଧିକାରୀ । ଅମର ରହିବା ଆଶା ତା'ର ଲେସ ମାତ୍ର ନାହିଁ । କାରଣ ସେ ନିଜେହିଁ ଅମର, ଅମୃତର ପରମ ସ୍ଥଳୀ ।


       ପାପ କର୍ମ ଯେ କରେ ସେ ପାପୀ । ଦେହରେ ବଳ ଥିବା ଯାଏଁ ପାପୀ ପାପ କର୍ମ କରେ । ଯେଉଁ ଦିନ ସେ ବଳହୀନ ହୁଏ, ସେବେ ପାପ କର୍ମ ଠାରୁ ସେ ଅନେକ ଦୂରକୁ ଚାଲିଯାଏ । ପ୍ରେମ ପାପୀକୁ କେବେ ଘୃଣା କରେ ନାହିଁ । ସେ କେବଳ ପାପକୁ ହିଁ ଘୃଣା କରେ । ସେ ଜାଣିଛି ପାପ କର୍ମ କରୁଥିବା ପାପୀ ଦିନେ ପ୍ରେମରେ ପଡିବ, ପାପ କର୍ମରୁ ନିବୃତ ରହିବ । ଏ ଧରାରେ ସେ ଦିନେ ବଦଳିଯିବ । ଏ ସମୟ ତା'କୁ ବଦଳାଇ ଦେବ । 


       ଇତିହାସ ସାକ୍ଷୀ ଅଛି ସମ୍ରାଟ ଅଶୋକ ଦିନେ କଳିଙ୍ଗ ବାସୀଙ୍କ ପ୍ରେମରେ ପଡି ନିଜକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ । ହିଂସା ମୁଖାଧାରୀ ବୀର ପୁରୁଷ ଅହିଂସାର ପରମ ପୂଜାରୀ ସାଜି ପଶ୍ଚାତାପ୍ କରିଥିଲେ । ରକ୍ତର ହୋଲି ଖେଳିଥିବାରୁ ପଶ୍ଚିମ ଜୀବନରେ ସେ ପାପ ମୁକ୍ତ ଓ ଶାପ ମୁକ୍ତ ହେବା ପାଇଁ କଳିଙ୍ଗର ସେବାରେ ନିଜକୁ ସମର୍ପଣ କରିଥିଲେ ।


       ପାପ କର୍ମ କରୁଥିବା ଲୋକ କେବଳ ପାପୀ ନୁହେଁ । ସେ ଯେତିକି ପାପୀ, ପାପକୁ ଦେଖୁଥିବା, ପାପ କଥା ଚିନ୍ତା କରୁଥିବା ଓ ପାପକୁ ଲୁଚାଉଥିବା ଲୋକ ବି ସେତିକି ପରିମାଣରେ ପାପୀ ।


       ମୋର ଶେଷ ଆଉ ଏକମାତ୍ର ଇଚ୍ଛା ଅଛି ଯେବେବି ମୁଖରୁ କିଛି କଥା ନିସୃତ ହେବ ତାହା ପ୍ରେମ କଥା ହିଁ ହେଉ । ଆଉ ଯେବେ ମୋତେ ମୃତ୍ୟୁ ଛୁଇଁବ ସେବେ ମୁଁ ସଂପୂର୍ଣ୍ଣ ଧନ ଦୌଲତରେ ଗରିବ ହେଇ ମରିବି କିନ୍ତୁ ପ୍ରେମରେ ଗରିବ ହୋଇ ନୁହେଁ । ଜୀବନର ଶେଷ ପର୍ଯ୍ଯନ୍ତ ପ୍ରେମ ଭାବନାରେ ପ୍ରାଣ ମସଗୁଲ୍ ହେଉଥାଉ । ସୁଖ ମୋର ଲୋଡା ନାହିଁ । ଦୁଃଖ ମୋର ଚିର ସହଚର । ସେ ମୋର ପ୍ରିୟ ସଖା - ଆଜନ୍ମ ବାନ୍ଧବ । ସେ ଯେବେ ଯେବେ ମୋତେ ସ୍ପର୍ଶ କରେ ମୁଁ ସେବେ ସେବେ ନୂତନତ୍ତ୍ୱ ସର୍ଜନା କରି ତୃପ୍ତ ହୋଇଥାଏ । ଏହା ହିଁ ମୋ ପାଇଁ ପରମ ଆନନ୍ଦ । ଲକ୍ଷେ ଯନ୍ତ୍ରଣାକୁ ନିତି ସ୍ବାଗତ କରୁଥିବି । ଅନ୍ଯ କାହା ପାଇଁ ମୋତେ ଦରଜ ମିଳିଲେ ମିଳୁ । ଏହା ମୋତେ ପରମ ଶାନ୍ତି ପ୍ରଦାନ କରୁଛି । ଅନ୍ଯର ଦୁଃଖରେ ଦୁଃଖି ହୋଇ ଆଖିରୁ ଲୁହ ଝରିବା ହିଁ ମୋ ପାଇଁ ପରମ ସୌଭାଗ୍ଯ ।


       ପଙ୍କରୁ ପଙ୍କଜର ଜାତ, କାନନରେ ଛତୁ ଫୁଟିବା, ବ୍ଯୋମରେ ବିଜୁଳିର ଜନ୍ମ, ଶାମୁକା ଗର୍ଭରେ ମୁକୁତା ପରି ଶରୀରର ନିଭୃତ ଇଲାକାରେ ପ୍ରେମର ଜନ୍ମ ହୋଇଥାଏ । ଯାହା ଦିନେ ବିଶ୍ବର ମଙ୍ଗଳ ସାଧନ ପାଇଁ ଆପଣାର ମାର୍ଗକୁ ପ୍ରସସ୍ଥ କରି ଅହିଂସା ଓ ଶାନ୍ତିର ପ୍ରଚାର କରିଥାଏ ।


       ପ୍ରେମ କାହାରି ବୋଲ ମାନିବାକୁ ପସନ୍ଦ କରେନାହିଁ । ତା' ନିଜର ବୋଲ କେବଳ ସେ ମାନେ । ସେ ହିଁ ସମସ୍ତ ଠିକ୍ ଭୁଲ୍ ନିଜେ ନିର୍ଣ୍ଣୟ କରିଥାଏ । ପ୍ରେମ ଏତେ ଶକ୍ତିଶାଳୀ ଯେ, ସେ ସଂସାରର ସମସ୍ତ ଖରାପ ଶକ୍ତିକୁ ଆପଣାର ପ୍ରେମରେ ଲୀନ କରାଇ ଦେଇଥାଏ । ସେ ଜଳ ଠାରୁ ମଧ୍ୟ ଆହୁରି ଶୀତଳ, ଜଟିଳ ଜ୍ଯାମିତି ଠାରୁ ଆହୁରି ଜଟିଳ, ନିଆଁ ଠାରୁ ଆହୁରି ତେଜଯୁକ୍ତ ଓ ଉଜ୍ଜ୍ବଳ । ସେ ପାପୀକୁ ପାପମୁକ୍ତ କରିପାରେ, ହିଂସ୍ର କୁ ହିଂସାମୁକ୍ତ, ଅଧର୍ମୀକୁ ଧର୍ମଯୁକ୍ତ, ଅଜ୍ଞାନକୁ ଜ୍ଞାନୀ, ନିର୍ଦ୍ଧନକୁ ଧନୀ, ନିସ୍ତେଜକୁ ସତେଜ ଆଉ ପ୍ରତିଟି ପ୍ରାଣକୁ ଯନ୍ତ୍ରଣାମୁକ୍ତ କରିଥାଏ । ତା' ଠାରେ ଦୁଃଖ ଓ ଶୋକର ସ୍ଥାନ ନାହିଁ ।


      ପ୍ରେମ ଓ ଆତ୍ମା ଅଙ୍ଗାଙ୍ଗୀଭାବେ ଜଡିତ । ଗର୍ଭସଂଚାର ଠାରୁ ଧରାରେ ଜନ୍ମ ପର୍ଯ୍ଯନ୍ତ ଯେଉଁ ପ୍ରକ୍ରିୟା ଚାଲେ ସବୁଥିରେ ପ୍ରେମର ଅସ୍ତିତ୍ଵ ଥାଏ । ପ୍ରେମ ହିଁ ପ୍ରକୃତି । ମିଳନ, ଗର୍ଭଧାରଣ, ଜନ୍ମ, ଜନ୍ମ ପରେ କର୍ମ ଓ କର୍ମମୟ ଜୀବନ ଭିତରେ ମୃତ୍ୟୁ, ଏ ସମଗ୍ର ପ୍ରକ୍ରିୟା ହିଁ ପ୍ରେମ । ଯେଉଁ ପ୍ରେମ ତୁମକୁ ସୃଷ୍ଟି କରିବାରେ ସହାୟକ ହେଲା ସେ ପ୍ରେମ ବିଶ୍ଵ ବ୍ରହ୍ମାଣ୍ଡରେ ଆଗରୁ ଥିଲା, ଏବେବି ଅଛି ଆଉ ଅନନ୍ତ ଅନନ୍ତ କାଳ ତଥା ଯୁଗ ଯୁଗ ଯାଏଁ ରହିଥିବ । ସ୍ରଷ୍ଟା ଆଉ ସୃଷ୍ଟି କୋଟି କୋଟି । ହିସାବ କରିବା ଅସମ୍ଭବ । କୌଣସି ସ୍ରଷ୍ଟା କୁ ତା'ର ସୃଷ୍ଟି ଯଦି କେବେ ଭୁଲିବାକୁ ଚେଷ୍ଟା କରେ ସେବେ ପ୍ରେମ ଜମାରୁ ଭୁଲିବା ପାଇଁ ଦିଏନି । ସେ କେବେ ଆଭାସ ମଧ୍ୟ ଦିଏନି ଯେ, ପ୍ରେମ ସୃଷ୍ଟିରେ ନାହିଁ ବୋଲି ।


       ଏ ମନ ପ୍ରେମଯୁକ୍ତ, ଏ ଧରା ପ୍ରେମମୟ ଆଉ ଏ ବ୍ରହ୍ମାଣ୍ଡ ପ୍ରେମରେ ପୂର୍ଣ୍ଣ । ପ୍ରେମ ପ୍ରକାଶ ଠାରୁ ଅଧିକ ଗତିରେ ଗମନ କରିପାରେ । ତା'ର ବେଗ ମାପିବା ଅସହଜ । ମୋହ ଆଉ ଭୟ ଠାରୁ ସେ ସଂପୂର୍ଣ୍ଣ ମୁକ୍ତ ।


       କେଉଁ ସମୟରେ ପ୍ରେମ ତୁମର ପାଖରେ ନାହିଁ ? ଭାବି ଦେଖ ! ଶୋଇବା ଠାରୁ ଚେଇଁବା ଯାଏଁ, ସୂର୍ଯ୍ଯୋଦୟର ପ୍ରଥମ କିରଣ ଠାରୁ ସୂର୍ଯ୍ୟାସ୍ତ ର ଅନ୍ଧକାର ଯାଏଁ, ଏମିତିକି ଖାଇବା - ପିଇବା ଠାରୁ ଖେଳିବା, ବୁଲିବା, ପଢିବା ଆଦି ସମସ୍ତ କର୍ମ ସମୟରେ କ'ଣ ପ୍ରେମ ଆମ ପାଖେ ପାଖେ ନାହିଁ ? ଏହା ତ ସତ୍ଯ ଯେ, ପ୍ରେମ ଆମ ସହିତ ଅଛି ଯାହା ଆମକୁ ଦୃଶ୍ଯ ହେଉନାହିଁ । ଆମେ ପ୍ରେମ କଥା ଚିନ୍ତା କରିବା ପାଇଁ ସମୟ ପାଉ ନାହାଁନ୍ତି । ତା'କୁ ସମୟ ଦେଉ ନାହାଁନ୍ତି । ଯେବେ ମନରେ - ପ୍ରାଣରେ ପ୍ରେମର ଭାବନା ଉକୁଟି ଆସିବ ସେବେ ପ୍ରେମର ଅସ୍ତିତ୍ଵ କୁ ଆମେ ଅନୁଭବ କରି ପାରିବା, ଦେଖି ପାରିବା ଓ ବୁଝି ପାରିବା ।


       ପ୍ରେମ କେତେ ସୁଖଦ ଅନୁଭବ ତାହା କେବଳ ପ୍ରେମରେ ଲୀନ ହୋଇ ଚିନ୍ତନ କରୁଥିବା ପ୍ରେମ ପୁରୁଷ ଓ ପ୍ରକୃତି ହିଁ ଜାଣି ପାରନ୍ତି । ପ୍ରେମର ସତ୍ତା କ'ଣ ମନରେ ଚିନ୍ତନ ନ ଆସିଲା ଯାଏଁ, ପ୍ରେମକୁ ବୁଝିବା ଏତେ ସହଜ ନୁହେଁ ? ପ୍ରେମ ଅମୃତର ଗନ୍ତାଘର, ଚିର ଯୌବନ ଯୁକ୍ତା । ପ୍ରେମକୁ ବୁଝିବା ଆମର ଭାବନା ବାହାରେ ।


       ହେ ମୋର ପ୍ରିୟ ସ୍ରଷ୍ଟା ! ଆପଣଙ୍କ କଥା ମୁଁ ବୁଝିଗଲି । ଏବେ ମୋତେ କୁହନ୍ତୁ ଏ ସଂସାର ପାଇଁ ମୋର କର୍ତ୍ତବ୍ୟ କ'ଣ ?


       ହେ ସୃଷ୍ଟି, ତୁମେ ତ ଜାଣିଛ ମୁଁ ନଶ୍ବର । ମାତ୍ର ଅଳ୍ପ ଦିନ ମୋର ଆୟୁଷ । ପୃଥିବୀର ମୁଁ କେବଳ ଅତିଥି । ଆଜି ଅଛି କାଲି ଚାଲିଯିବି କେଉଁ ଏକ ଅଜଣା ଇଲାକାକୁ । ମୋ ଭାବନା ସମୁଦ୍ରରୁ ତୁମର ସୃଷ୍ଟି । ତୁମେ ସତ୍ଯ, ସୁନ୍ଦର ଓ ଅମର । ଏ ଧରା ଯେତେ ଦିନ ଯାଏଁ ଥିବ ସେତେଦିନ ଯାଏଁ ତୁମେ ଥିବ । ମୋର ଏତିକି ମାତ୍ର ଅଳି ମୋ ଭାବନାକୁ ତୁମେ ବିଶ୍ବ ସମୁଦାୟ ପାଖରେ ପହଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବ । ମୋର ପ୍ରେମ ପୂର୍ଣ୍ଣ ଭାବନାରେ ନିର୍ମିତ ହୋଇଥିବା ପ୍ରେମର ସୌଧ ତୁମେ । ସଭିଙ୍କୁ ପ୍ରେମର ସନ୍ଦେଶ ଦେବ । ଏ ବସୁଧାରେ ବାସ କରୁଥିବା ମୋର ପ୍ରିୟ ମାନବ ମାନେ ତୁମକୁ ପ୍ରେମ କରିବେ, ଏ ବିଶ୍ବାସ ମୋର ଅଛି । 


       ଦୂର ଆକାଶର ତାରାଟିଏ ସାଜି ସ୍ରଷ୍ଟା ଆଜି ସୃଷ୍ଟି ଠାରୁ ବହୁତ ଦୂରରେ । ତଥାପି ସୃଷ୍ଟି ତା' ସ୍ରଷ୍ଟାର କଥାକୁ କଦାପି ଭୁଲି ଯାଇନି । କୋଣ କୋଣରେ ସ୍ରଷ୍ଟା ର ଉପସ୍ଥିତିକୁ ଅନୁଭବ କରୁଛି । ସ୍ରଷ୍ଟାଙ୍କ ପ୍ରିୟ ମଣିଷ ମାନଙ୍କୁ ଭଲ ପାଇବାରେ ସେ ଆଜି ମଗ୍ନ, ଠିକ୍ ତା' ପ୍ରିୟ ସ୍ରଷ୍ଟା ପରି ।


       ସ୍ରଷ୍ଟା ଆଜି ଉପରେ ଥାଇ ଅଜସ୍ର ଆନନ୍ଦିତ କାରଣ ତା' ସୃଷ୍ଟି ଆଜି ବିଶ୍ଵ ସମୁଦାୟର ପ୍ରେମ ସ୍ପର୍ଶରେ ଅମରତ୍ବ ଆଡକୁ ପାଦ ବଢାଇ ସାରିଛି ।



Rate this content
Log in

Similar oriya story from Romance