ସମ୍ପର୍କର ସେତୁ
ସମ୍ପର୍କର ସେତୁ
ପ୍ରେମ !ସଫଳ ରୂପାୟନ ବନିଯାଏ ସ୍ୱର୍ଗର ପାରିଜାତ। ବାସନାଯୁକ୍ତ ପ୍ରେମ ଖୋଲିଦିଏ ନର୍କର ଦ୍ୱାର। ଯୁବପିଢିଙ୍କ ପସନ୍ଦ ପ୍ରେମ। ହେଲେ ପ୍ରେମର ଦ୍ୱିତୀୟ ସୋପାନ ବାସନାଯୁକ୍ତ। କିଛିଟା ଭାଗ୍ୟବଶତଃ ସଫଳ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ବିଫଳ।
କିନ୍ତୁ ପ୍ରାୟତଃ ସେଇମାନେ ସୁଖି ଯେ ବିବାହ ପରେ ପ୍ରେମର ସହ ସଂସାର ତରୀକୁ ଆଗକୁ ବଢେଇନିଏ। ମୁଲଲାଗି ପେଟପୋଷେ ଜୁରିଆ। ବାପାମାଆ ଆରପାରିରେ। ନିଜ ପସନ୍ଦରେ ବାହାହେଲା ଅନାଥ ଝିଅ ରୁବିକୁ।
ରୁବି କହିଲା ମୋ ପରି ଅନାଥର ଜୀବନ ଧନ୍ୟ କରିଦେଲ ତମେ। ହେଲେ ମୋ ଠାରୁ ଭଲ ଝିଅ ତମେ ପାଇଥାଆନ୍ତ, ମୋତେ କେମିତି ବାହା ହେବାକୁ ମନସ୍ଥ କଲ ? ଜୁରିଆ ହସି ହସି ଉତ୍ତର ଦେଲା, ଆଲୋ ବୋକି, ମୁଁ କଣ ବଡ ଅଫିସରଟା ଯେ ବଡଘର ଖୋଜିବୁଲିବି। ତାଛଡା ଶାସ୍ତ୍ର କହେ, ଝିଅ ବାହାହେବ ନିଜଠାରୁ କମ୍ ସ୍ତରର। କିନ୍ତୁ ତୁ ମୋଠାରୁ କୌଣସି ଗୁଣରେ କମ୍ ନୁହଁ। ସୁନ୍ଦରୀ, କର୍ମଠ, ସ୍ୱାମୀ ଅନୁଗତା। ଆଉ ଅଧିକ ମୋର କଣ ଦରକାର।
ନିଜର ବଳିଷ୍ଠ ଚଉଡା ଛାତି ଉପରକୁ ଟାଣୁଥିଲା ଜୁରିଆ, ମିଛିମିଛିକା ପ୍ରତିବାଦର ବାହାନା କରି ଜୁରିଆ ଉପରେ ନିଜକୁ ସମର୍ପଣ କରୁଥିଲା ରୁବି। ଓଃ, କି ଶାନ୍ତି। ଅଦ୍ଭୁତ ଭଗବାନଙ୍କ ସର୍ଜନା। ପାଣିଚୁଡିଟା ଭାଙ୍ଗି ଇତସ୍ତତଃ ବିଛାଡି ପଡିଥିଲା, ଦୁଇଟି ଶରୀରର ମିଳନର ମୁହୂର୍ତ୍ତ, କୁମାରୀ ଜୀବନର ରୋମାଞ୍ଚ ଅନୁଭୂତି। ଜୁରିଆର ବଳିଷ୍ଠ ଶରୀର ସ୍ପର୍ଶରେ ମୁଣ୍ଡ ଘୁରେଇ ଦେଉଥିଲା ରୁବିର। କୁମାରିତ୍ୱ ବିନାଦ୍ୱିଧାରେ ବନ୍ଧା ପଡିସାରିଥିଲା ବଳିଷ୍ଠ ଜୁରିଆ ପାଖରେ। ହସୁଥିଲେ ଜୁରିଆ ଓ ରୁବି। ସେହି ମୁହୂର୍ତ୍ତର ଫଳ ସ୍ୱରୁପ ଘରେ କୁଆଁ କୁଆଁ ରାବଦେଲା ଜୁରିଆଘରର ପ୍ରଦୀପ କନ୍ୟା ସନ୍ତାନଟିଏ।
ସମ୍ପୁର୍ଣ୍ଣ ଖୁସି ନଥିଲା ରୁବି କନ୍ୟା ସନ୍ତାନ ପାଇଁ। ସମାଜ କହେ ନାରୀ ପୁରୁଷ ସମାନ। ପୁଅ ଝିଅ ବିଶ୍ୱନିୟନ୍ତାଙ୍କ ହାତର କଥା। ଏମିତି କିଛିକ୍ଷଣ ଭାବି ମନକୁ ବୁଝାଇଦିଅନ୍ତି ସମସ୍ତେ। କିନ୍ତୁ କନ୍ୟାସନ୍ତାନଟିଏ ଜନ୍ମ ନେଲେ ଖୁସିରେ ଆପଣେଇ ନିଅନ୍ତି କେତେଜଣ? ବାହାରକୁ ଦେଖେଇ ହୁଅନ୍ତି କନ୍ୟାସନ୍ତାନ ନୁହଁ ଘରକୁ ଲକ୍ଷ୍ମୀ ଆସିଲେ। କି ଧନୀ କି ନିର୍ଦ୍ଧନ, ଛାତିରେ ହାତରଖି କହିଲେ,କଣ ପ୍ରକୃତରେ ସମସ୍ତେ ଖୁସି କନ୍ୟାସନ୍ତାନଟିଏ ପ୍ରସବ କଲେ ? ବୋଧହୁଏ ହାତଗଣିତି। ସ୍ଵିକାର କରନ୍ତୁ ବା ନ କରନ୍ତୁ। ଜୁରିଆ ଓ ରୁବି ବା ବାଦ୍ ପଡନ୍ତେ କିପରି ?
ନିଜକୁ ବୁଝେଇବା ସହ ରୁବିକୁ ବୁଝୋଉଥିଲା ଜୁରିଆ। ଆରେ ରୁବି ପ୍ରଥମ ସନ୍ତାନ କନ୍ୟାସନ୍ତାନ ହେଲେ ଶୁଭ ଲକ୍ଷଣ। ଦ୍ୱିତୀୟଟି ନିଶ୍ଚୟ ପୁଅ ହେବ। ଭଲ ପାଠ ପଢି ବଡ ଅଫିସର ହେବ। ଆମ ଦୁଃଖ ଦୂର କରିବ।
ପୁଣି ଟାଣି ଆଣିଲା ଜୁରିଆ। ଅଧାଛପର ଘରର ଛାତରୁ ହାଲକା ସୂର୍ଯ୍ୟାଲୋକରେ ଜୁରିଆର ବଳିଷ୍ଠ ଆଲିଙ୍ଗନ ଭିତରେ ହଜିଯାଇଥିଲା ରୁବି। ଭୁବନେଶ୍ବରର ତାରକା ହୋଟେଲ ଭିତରେ ଉସ୍ଛ୍ରୁଙ୍ଖଳ ପ୍ରେମିକ ପ୍ରେମିକାର କାମବାସନା ଚରିତାର୍ଥର ଆନନ୍ଦ ଠାରୁ ଭଙ୍ଗାଘରର ଛିଣ୍ଡାମଶିଣାର ପ୍ରେମ ଅଧିକ ଆନନ୍ଦଦାୟକ ଥିଲା, କାରଣ ପ୍ରେମୀଯୁଗଳଙ୍କ କାମର ଆଖ୍ୟା ଥିଲା ଅନୈତିକ। କିନ୍ତୁ ସୂର୍ଯ୍ୟାଲୋକର ତାପ ଭିତରେ ବି ଦୁଇଟି ଶରୀରର ମିଳନର ସଙ୍ଗିତ ଥିଲା ମଧୁର, ନୈତିକ ତେଣୁ ଆନନ୍ଦ ଦାୟକ।
ଏଥର ମନଟା ଖଟକା ହୋଇଯାଇଥିଲା ଜୁରିଆର। ଦୁହେଁ ଦୁହିଁଙ୍କ ମୁହଁକୁ ଅନାଇ ରହିଥିଲେ। ଟିକେ କଥାରେ ମନାନ୍ତର ହୋଇଗଲେ ପ୍ରେମିକ, ପ୍ରେମିକାର ବିଚ୍ଛେଦ ଘଟେ। ଅନିଚ୍ଛାସତ୍ତ୍ୱେ ଦୁଇଟି କନ୍ୟାସନ୍ତାନର ଜନକ ହେଲେ ବି କୌଣସି ଦିଗରୁ ପ୍ରେମ କମିନଥିଲା ଜୁରିଆର। ପୁଣିଡୁବି ଯାଇଥିଲେ ପ୍ରେମର ସାଗରରେ। ତୃତୀୟଟି ବି କନ୍ୟା ସନ୍ତାନ। ଘରର ଖର୍ଚ୍ଚ ବଢିଯାଇଥିଲା। ଘର ଚଳେଇବାରେ ସାମାନ୍ଯ ଅସମର୍ଥ ଥିଲା ଦିନମଜୁରିଆ ଜୁରିଆ।
ପୁତ୍ରସନ୍ତାନର ଅପେକ୍ଷାରେ ଦମ୍ପତ୍ତି। ଅପେକ୍ଷାର ଅନ୍ତ ଘଟାଇ ଜୁରିଆ ଓ ରୁବିର ମନୋବାଞ୍ଛା ପୁରଣ କରି ଚାରୋଟି କନ୍ୟା ସନ୍ତାନ ପରେ ଜନ୍ମ ନେଲା କୁଳପ୍ରଦୀପ। ସୂର୍ଯ୍ୟ ପରି ଆଲୋକିତ କରିବା ଆଶାରେ ପୁଅର ନାମକରଣ ହେଲା ସୂର୍ଯ୍ୟ।
ହଠାତ୍ କିଛିବର୍ଷ ପରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲା ଜୁରିଆ। ଛିଣ୍ଡା ମଶିଣାରେ ଶୋଇ ଭଗବାନଙ୍କୁ ପଚାରୁଥିଲା ଅଛିଣ୍ଡା ପ୍ରଶ୍ନ। କି ଅନ୍ୟାୟର ଦଣ୍ଡ ଦେଉଛ ଭଗବାନ, କି ଭୁଲର ଦଣ୍ଡ। ଏତେ ଭଲପରିବାରର ଏ କି ଦଶା। ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିର ଏମିତି ଅବସ୍ଥା କଲେ ମୋ ସଂସାର ଭାଙ୍ଗିଯିବ।
ଜୁରିଆ ଆଖିରେ ଲୁହ ଲକ୍ଷ୍ୟ କରୁଥିଲା ସାତବର୍ଷର ପୁଅ ସୂର୍ଯ୍ୟ। ଡାକ୍ତର ଦେଇଥିବା ଔଷଧ ତାଲିକା ଧରି କହିଲା ବାପା, ବ୍ୟସ୍ତ ହୁଅନାହିଁ, ମୁଁ ପରା ଅଛି। ମୁଁ ତମକୁ ଭଲ କରିବି। ଜୁରିଆ ବାଷ୍ପରୁଦ୍ଧ କଣ୍ଠରେ କହିଲା, ବାବୁରେ ତୁ ଏଡେ ବକଟେ ଛୁଆ, ସକାଳୁ ଯାଉଛୁ, ପୁଣି ସକାଳେ ଆସି ପଇସା ଦେଇ ଚାଲିଯାଉଛୁ, ହେଲେ କେମିତି ପଇସା ଆଣୁଛୁ ମୁଁ ଜାଣିପାରୁନି କାରଣ ଏଡିକି ଛୁଆ ରାଣ ଦେଇଛୁ।
ସୂର୍ଯ୍ୟ କହିଲା, ବାପା ମୁଁ କହିଛି କିଛି କୁକର୍ମ କରି ଅର୍ଥଉପାର୍ଜନ କରୁନାହିଁ। ତମେ ନିଶ୍ଚିତ ରୁହ। ଜୁରିଆ ଗୋଟିଏ ହାତ ଟିକେ ଉଠେଇ ସୂର୍ଯ୍ୟକୁ ଆଶୀର୍ବାଦ କରୁକରୁ ଚମକିଉଠି କହିଲା ତୋ ଦେହରେ ଖଇ ଫୁଟୁଛି । ଆଜି ଆଉ କାମକୁ ନଯାଇ ଆରାମ କରେ। ସୂର୍ଯ୍ୟ କହିଲା, ନା ବାପା ଆଜିପରା ଶିବରାତ୍ର। କାମକୁ ନଗଲେ ମାଲିକ ଗାଳି ଦେବ। ଆଜି ଦିନଟା କାମସାରି କାଲି ଛୁଟିନେବି। ଚୁପ୍ ରହିଗଲା ଜୁରିଆ।
ଅଯୋଗ୍ୟ କହୁଥିଲା ନିଜକୁ ନିଜେ। ସାତବର୍ଷର ଛୁଆଟା ଘର ଚଳୋଉଛି ଅଥଚ ସେ କିଛି କରିପାରୁନାହିଁ। ସବୁ ଭାଗ୍ୟର ଖେଳ। ସରକାରୀ ଯୋଜନା ଖାଲି ପ୍ରଚାରପ୍ରସାର ସର୍ବସ୍ବ। ଏପରି ଅବସ୍ଥାରେ ନା ସେ ଘରଖଣ୍ଡେ ପାଇଛି ନା ରୋଗପାଇଁ ସରକାରୀ ସହାୟତା। ସବୁକିଛି ଅପହଞ୍ଚ ଗରୀବଙ୍କ ପାଖରେ । ପଡିଶାଘର ଲକ୍ଷପତି ସରକାରୀଦଳର କୁଜିନେତା ଆବାସ ଗୃହ ପାଇଛି, ଆଉ ଉଆସ ବନେଇଛି।
ସବୁ ଭଗବାନଙ୍କ ଖେଳ, ପୁର୍ବଜନ୍ମର ଫଳ। ହେ ଭଗବାନ ଏତେ ନିରିଦୟ ଏ ଅଭାଗାକୁ କାହିଁକି ? ଏ କି ସର୍ଜନା ? ବହିଯାଉଥିଲା ଧାର ଧାର ଲୁହ। ପାଖରେ ବସି ରୁବି ପୋଛିଦେଉଥିଲା ଲୁହ ଓ କହୁଥିଲା, ମନଦୁଃଖ କାହିଁକି କରୁଛ ? ଭଗବାନ ପରା ଭଗବାନ ରୁପରେ ଆମକୁ ସୂର୍ଯ୍ୟ ଦେଇଛନ୍ତି, ଦେଖିବ ସେ ହିଁ ସୂର୍ଯ୍ୟରଶ୍ମୀ ବିଚ୍ଛୁରିତ କରି ସବୁ ଅମାଅନ୍ଧାର ଦୂର କରିବ।
ଶୁଣ, ଆଜି ଶିବରାତ୍ରଟା। ମୁଁ ମନ୍ଦିର ଯାଉଛି, ଜାଗର ଜାଳିବି। ଝିଅ ତମକୁ ଖୁଆଇ ଦେବ। ମୁଣ୍ଡ ହଲାଇ ହଁ ଭରିଲା ଜୁରିଆ।
ଢୋ ଢୋ ବର୍ଷାରେ ରାସ୍ତାରେ ଭିଜିଗଲା ରୁବି। ହେଲେ ସେମିତି ଭିଜିଭିଜି ମନ୍ଦିର ପହଞ୍ଚିଗଲା। କାରଣ ସେ ପରା ତା ଈହକାଳ ପରକାଳର ଦେବତା ଜୁରିଆ ପାଇଁ ବ୍ରତ ରଖିଛି। ପୂଜାସାରି ଆଶ୍ଚର୍ଯ୍ଯ ହୋଇ ଦେଖିଲା, ଏତେ ବର୍ଷାରେ ଛୋଟ ଛୁଆଟିଏ ଭିଜିଭିଜି ଭିକ ମାଗୁଛି।
ରାତିସାରା ଜାଗର ସାରି ସକାଳୁ ରୁବି ଦେଖିଲା ଛୁଆଟି ଭିକ ମାଗି ମାଗି ସେଇଠି ଶୋଇଯାଇଛି। କୁକୁରଟି ତା ଉପରେ ପରିଶ୍ରା କରୁଛି ଅଥଚ ଛୁଆଟିର ନିଘା ନାହିଁ, ବୋଧେ ବର୍ଷାପାଣି ଭାବି ନେଇଛି।
ଗରୀବ ଗରୀବଙ୍କ ସାଥି। ସମ୍ଭାଳିନପାରି ଛୁଆଟି ପାଖକୁ ଗଲା ରୁବି। ମୁହଁମାଡି ଶୋଇଛି ଛୁଆଟି, ଭିକ୍ଷାଥାଳିରେ କିଛି ଖୁଚୁରା ପଇସା। ବର୍ଷା ଯୋଗୁଁ ଭକ୍ତ ସମାଗମ କମ୍, ତେଣୁ ବୋଧେ ଛୁଆଟି ନିରାଶ ହୋଇ ଶୋଇଯାଇଛି।
ବାବୁରେ ! ବାବୁରେ ! ଡାକଛାଡିଲା ରୁବି। ନିରୁତ୍ତର ଥିଲା ଛୁଆଟି। ମନକୁ ପାପ ଛୁଇଁଲା ରୁବିର। ହାତରେ ହଲେଇ ଦେଇ ଚମକି ଉଠିଲା ସତେ ଯେମିତି ୧୧ କେଭିର ବିଦ୍ୟୁତତାର ତା ଦେହରେ ଲାଗିଗଲା।
ଓହୋ କରି ଦୁଇପାଦ ପଛକୁ ଘୁଞ୍ଚିଯାଇ, ଆଖିମଳିମଳି ପୁଣି ପାଖକୁ ଗଲା। ସ୍ପଷ୍ଟ ଭାବରେ ଦେଖିପାରୁଥିଲା ତା ଆଖି ସାମ୍ନାରେ ପଡିଛି ସୂର୍ଯ୍ୟର ନିଷ୍ପନ୍ଦ, ନିଷ୍ପ୍ରାଣ ଶରୀର। ସରିଗଲା ସଂସାର, ଉଜୁଡିଗଲା ସ୍ୱପ୍ନ। ବିଳପି ଉଠିଲା ମାତୃତ୍ୱ ।ଚେତାଶୂନ୍ୟ ହୋଇଗଲା ରୁବି। ଚେତାଫେରି ଦେଖିଲା ତା ଚତୁଃପାର୍ଶ୍ୱରେ ପ୍ରବଳ ଭିଡ। ଗଣତନ୍ତ୍ରର ଚତୁର୍ଥସ୍ତମ୍ଭଙ୍କ ପ୍ରଶ୍ନ, କେମିତି ଜାଣିଲେ ଆପଣଙ୍କର ପୁଅ ମରିଯାଇଛି ? ଏଥିପାଇଁ ଆପଣ କାହାକୁ ଦାୟୀ କରୁଛନ୍ତି ? ଏହା ହତ୍ୟା ନା ଆତ୍ମହତ୍ୟା ?
ଚିତ୍କାର କରିଉଠୁଥିଲା ରୁବି, ହେ ମୋର ସଭ୍ୟସମାଜ ! ଏହା ଗୋଟିଏ ହତ୍ୟା। ହତ୍ୟା ମାନିବକତାର। ହତ୍ୟାର କାରଣ ଦାରିଦ୍ର୍ଯ। ହତ୍ୟାକାରୀ ହେଉଛି ଦାରିଦ୍ର୍ଯ। ଚାରିପଟେ ବେଢି ପ୍ରଶ୍ନବାଣରେ ଗୋଟିଏ ଦୁଖିନୀ ମାଆକୁ ଜର୍ଜରିତ କରି ବାକ୍ଯବାଣର ପ୍ରୟୋଗ ଅପେକ୍ଷା ପାରିବ ଯଦି ଅନ୍ୟାୟ, ଅଧର୍ମ ଦୁର କରି ଧନୀଗରୀବ ଭିତରେ ସମାନତା ଆଣିପାରିଲେ ହୁଏଚ ଏମିତି ଅନେକ ସୂର୍ଯ୍ୟ ମାଆର କୋଳ ଖାଲିନକରି ଏ ଧରାକୁ ଆଲୋକିତ କରୁଥାଆନ୍ତେ।
ସୂର୍ଯ୍ୟକୁ କୋଳରେ ଧରି ଗାଉଥିଲା ରୁବି
" ଧୋ ରେ ବାଇଆ ଧୋ,
ଯେଉଁ କିଆରୀରେ କଅଁଳ ମାଣ୍ଡିଆ..... ହି..ହି..ହି !!"
ଛତ୍ରଭଙ୍ଗ ଦେଉଥିଲେ ଭଦ୍ରସମାଜର ବଡପଣ୍ଡା, କାଳେ ପାଗଳୀ ସେମାନଙ୍କର କିଛି କ୍ଷତି କରିଦେବ।
ଏଇ ପରା ଆଧୁନିକ ଯୁଗର ସମ୍ପର୍କର ସେତୁ, ମାନେ ଯୋର ଯାର ମୁଲକ ତା'ର !!

