STORYMIRROR

Satyaprakash Sethy, M. A(UGC NET)

Romance

4  

Satyaprakash Sethy, M. A(UGC NET)

Romance

ସିଲଟପଟା ଚିଟଉବାଲି

ସିଲଟପଟା ଚିଟଉବାଲି

11 mins
374



ପଶୁହେଉ ବା ମଣିଷ ସେ ପ୍ରକୃତିର ନିୟମ ପାଳନକରେ, ଯଦ୍ୱାରା ପ୍ରକୃତିର ଉଦ୍ଦେଶ୍ୟ ବାସ୍ତବିକ ଚରିତାର୍ଥ ହୁଏ । ପ୍ରକୃତିର ଉଦ୍ଦେଶ୍ୟ କ'ଣ କି? ତା'ର ଉଦ୍ଦେଶ୍ୟ ହେଉଛି - ପ୍ରତିଟି ପ୍ରାଣୀ ବଞ୍ଚିବ ଓ ତା'ର ପ୍ରତିରୂପ ଗୋଟେ ତିଆରି କରିବ। ଅର୍ଥାତ୍ ଖାଦ୍ୟଖାଇ ସେ ବଞ୍ଚିବ ଓ ତା ପାଇଁ ସେ ସଂଗ୍ରାମ କରିବ, ବରଂ ଏହି ସଂଗ୍ରାମ ପାଇଁ ତାକୁ ଯେତେ ସଙ୍ଘର୍ଷ କରିବାକୁ ପଡ଼ୁନା କାହିଁକି ବା ଶିକାର। ତେଣୁ ସେ ନିଜର ଆବଶ୍ୟକତା ପାଇଁ ଓ ଖାଦ୍ୟପାଇଁ, ଯାହା ଜରୁରୀ ମନେକରେ ତା କରିବାକୁ ବାଧ୍ୟହୁଏ- ପରିବେଶ ଓ ପରିସ୍ଥିତି ଦୃଷ୍ଟିକୋଣରୁ। 

ସେହିପରି ସେ ରିପ୍ରଡକ୍ସନ ବା ପୁନଃସ୍ରୁଷ୍ଟି କରେ। ଏହି ଇଛା ତା'ର ଅଧିକ ବଳବତ୍ତର ହେଲେ, ସେ ପ୍ରେମକରେ ଓ ବିପରୀତ ଲିଙ୍ଗ ସହ ସେକ୍ସ ବା ପ୍ରଣୟ ଲୀଳାରଚନା କରେ। ଏଇଟା ଗୋଟେ ସ୍ୱାଭାବିକ ପ୍ରକ୍ରିୟା, ଏଇଟାକୁ କେହି ସ୍ଵେଚ୍ଛାକୃତ ବା ଇଚ୍ଛାକୃତ ଭାବେ ରୋକିପାରେ ନାହିଁ, ଯଦି ବି ରୋକେ ତାହା ଅନିଚ୍ଛାକୃତ ବା ଅପ୍ରାକୃତିକ ଯେଉଁଥିରେ ନୀତି ନିୟମର କଷଟି ପଥରରେ କଷି ହେବାଥାଏ ବା ନିୟମର ଅହେତୁକ ପ୍ରତିବନ୍ଧକ । 

ତେଣୁ ମଣିଷ ପ୍ରେମକରିବ, ପ୍ରେମ ତା'ର ବିଶେଷ ଭାବ, ସେଥିରୁ ସେ ମୁକ୍ତି ପାଇପାରିବ ନାହିଁ ବା ନିଜକୁ ମୁକ୍ତ ରଖିପାରିବ ନାହିଁ। କେବଳ ତରିକା? କେଉଁ ତରିକା ଆପଣେଇବ , ସେଇ ତରିକାଟା ଠିକ୍ କି ଭୁଲ - ଏହା ହିଁ ବିଚାର୍ଯ୍ୟ।

ସେତେବେଳକାର ପ୍ରେମ ଓ ଏତେବେଳକାର ପ୍ରେମ ଭିତରେ ବହୁତ ଅନ୍ତର - ଆକାଶପାତାଳ ଫରକ।

ଏବେ ତ ପ୍ରେମ ମୋବାଇଲ ଭିତରେ କଏଦ। କେବଳ ଫୋନ୍ ନମ୍ଵରଟି ମିଳିଗଲେ ସରିଗଲା। ଘଣ୍ଟାଘଣ୍ଟା ଧରି ନିଶାର୍ଦ୍ଧ ରାତିରେ ଗପିବା ବା ପାର୍କ ଓ ରେଷ୍ଟୁରାଣ୍ଟରେ ଭାବବିନିମୟ ଓ ସ୍ନେହ ସମ୍ଭାଷଣ ଭିତରେ ସୀମିତ। ଖୁବ୍ ବେଶୀ ଆକର୍ଷଣ ବଢିଲେ, ପରସ୍ପରକୁ ଲଜ୍ ବା ହୋଟେଲରେ ନିଜକୁ ଏକାନ୍ତ ପାଇ ସ୍ନେହରଜ୍ଜୁରେ ଭିଡ଼ିଧରି ଶୃଙ୍ଗାର ରସରେ ମାତିରହିବା। ଏହା ବି ତ ଏକ ପ୍ରେମ କିନ୍ତୁ ଅପ୍ରାକୃତିକ, ଯାହା ଶାଶ୍ୱତ ନୂହେଁ ବା ଚିରନ୍ତନ - କେବଳ ଶାରୀରିକ କ୍ଷୁଧା ବା ମାନସିକ ବିକାର।

ପୂର୍ବର ପ୍ରେମ ବେଶ୍ ସହଜ ଓ ସରଳ ଯାହା ଠିକ୍ ସେ ବୁଝାପଡ଼େ ନାହିଁ - ପ୍ରେମ କି ପ୍ରଣୟ , କିନ୍ତୁ ଖୁବ୍ ଶାଶ୍ୱତ ଓ ପବିତ୍ର ଯାହା ଅପଣାର ପଣିଆ ବାଣ୍ଟିବାର ଏକ ଉତ୍କୃଷ୍ଟ ମାଧ୍ୟମ।


ହତାଶିଆ ଗାଁର ନିଲୁ ସେନାପତି, ଖୁବ୍ ମେହନତି କରି ପାଠପଢ଼ିଛି। ବାପାମାଆଙ୍କର ଲାଡଲା ବେଟା। ଧନଧାନ୍ୟରେ ଭରା। ଜମିବାଡ଼ି ଭଲ ଦି'ଖଣ୍ଡ ଅଛି। ତେଣୁ ଧନୀ ଓ ଖାନଦାନି ପରିବାର ବୋଲି ପାଖଆଖ ଗାଁରେ ଗୋଟେ ସୁଖ୍ୟାତି ଓ ପ୍ରସିଦ୍ଧି ଅଛି।

ଟୋକାଟା ଭଲ ପାଠପଢି ଆଜି ଆଇ . ଏ. ଏବଂ ସି . ଟି. ପାସ୍ କରି ପାଖ ଷେଣ୍ଢିଆ ଗାଁରେ ମାଷ୍ଟର। ଗୋରା ବାଣ୍ଠୁଆ ଖଣ୍ଡେ, କିନ୍ତୁ ଭାରି ତା'ର ଦିମାଗ। ଛାତିରେ ପୁଞ୍ଜାଏ ବାଳ, ମୁଣ୍ଡ ବାଳରେ ଅହେତୁକ ଆକର୍ଷଣ, କୁକୁଟ ମୁକୁଟିଆ - ବାଳଗୁଡ଼ାକ ଖାଡାହୋଇ ଛିଡ଼ାହୋଇଥିବ ଭାରି ଉପରକୁ - ସିଧା। ଅଳ୍ପ ଟିକିଏ ପାଟିଖୋଲି ଦନ୍ତପଂକ୍ତି ଖୋଲି, ସେ ଯେତେବେଳ ମୁଖମଣ୍ଡଳରେ ଇସତ୍ ହସରଖି କଥାହୁଅନ୍ତି - ହୃଦୟରେ ସତେକି କତୁରି ଚାଲିଯାଏ। କୌଣସି ରମଣୀଙ୍କ ହୃଦୟରେ ରାଜ୍ କରିବା ପାଇଁ ଏଇ କେତୋଟି ଗୁଣ ଖୁବ୍ ଅଲୋଡନ ସୃଷ୍ଟିକରେ। ସେ ଅଚିରେ ତାଙ୍କ ହୃଦୟବେଦୀର ସିଂହାସନରେ ବସିରହି ନିରଙ୍କୁଶ ଶାସନ କରିବା ପାଇଁ - ବାଦଶାହା ଢଙ୍ଗରେ, ବେଶ୍ ପ୍ରଭାବଶାଳୀ ମନେହୁଅନ୍ତି।


ଏଇ ହତାଶିଆ ଗାଁର ଅବସ୍ଥିତି ଏକ ବିଚିତ୍ର ବର୍ଣ୍ଣାଳୀ,ଯାହା ମନ୍ତେଇ ନଦୀକୂଳରେ ଅବସ୍ଥିତ। ମନ୍ତେଇ ନଈ ଆହୁରି ବିଚିତ୍ର, ଅଦ୍ଭୁତ, ଗତାନୁଗତିକ ଶୈଳୀରୁ ଟିକିଏ ଭିନ୍ନ। କାରଣ ସବୁ ନଦନଦୀ ପାହାଡ ପର୍ବତ ଶିଖର ବା ଝରଣା ପ୍ରଦେଶରୁ ବାହାରି ସମୁଦ୍ର ଅବବାହିକାରେ ଲୀନ ହେଉଥିଲା ବେଳେ ଆଜି ମନ୍ତେଇ ନଦୀ ସମୁଦ୍ର ଗର୍ଭରୁ ଠେଲିହୋଇ ଉପରକୁ ଗତି କରିଛି। ତେଣୁ ଏଠି ବିରାଟ ବ୍ୟତିକ୍ରମ, ପ୍ରକୃତି ନିୟମର ସାମାନ୍ୟ ପରିବର୍ତ୍ତନ। ନଦୀପାଣି ମିଠା ହୋଇଥିଲା ବେଳେ ମନ୍ତେଇ ନଈ କିନ୍ତୁ ଲୁଣା। ଯେଉଁଥିପାଇଁ ତା ଉପରେ ମୁଣ୍ଡରେ ଚିଙ୍ଗୁଡ଼ି ପ୍ରକଳ୍ପ ଗଢ଼ି ଉଠିଥାଏ ଓ ଲୋକେ ସେଥିରୁ ଫାଇଦା ଉଠାଇ ସମୃଦ୍ଧ ହୋଇଥା'ନ୍ତି।ଏହି ମନ୍ତେଇ ନଈ ଧାମରାଠାରୁ ବାହାରି ବାସୁଦେବପୁରର ସୁଗୋ ଯାଏ ଲମ୍ବିଯାଇଛି। ନଦୀ ସରୁ ହୋଇ ବାହାରେ କିନ୍ତୁ ଧୀରେଧୀରେ ଓସାରିଆ ହୋଇ ନାଚିକୁଦି ଖେଳି ବାଙ୍କଶିଆଳି ଦେଇ ସମୁଦ୍ରରେ ସମାହିତ ହୋଇଯାଏ। ମନ୍ତେଇର ଓଲଟା ପ୍ରକ୍ରିୟା, ଯାହା ସମୁଦ୍ରରୁ ଓସାରିଆ ହୋଇ ବାହାରି ଧୀରେଧୀରେ ବାସୁଦେବପୁରର ସୁଗୋ ପାଖରେ ଲାଞ୍ଜ ଯାକିଦେଇ ଶୂନ୍ ହୋଇଯାଇଛି।

ଏହି ନିଲୁ ସେନାପତିଙ୍କ ଶିକ୍ଷକତା ଜୀବନରେ ଗୋଟେ ନିର୍ଲଠା ପ୍ରେମକାହାଣୀ ଯୋଡି ହୋଇଯାଇଛି । ସେ ନୂଆକରି ପାଠପଢି ଯେତେବେଳେ ସହରରୁ ଫେରିଲେ, ସେତେବେଳେ ଷେଣ୍ଢିଆ ଗାଁରେ ନୂଆକରି ଗୋଟେ ପ୍ରାଥମିକ ସ୍କୁଲ ଖୋଲିଥିଲା, ସେ ସେଇଠି ନିଜର ଶିକ୍ଷକତା ଜୀବନ ଆରମ୍ଭକଲେ। ପାଖଗାଁ ହୋଇଥିବାରୁ ଘରପାଖରୁ ଯିବାଆସିବା କରି ଚାକିରି କରନ୍ତି। ଘରୁ ଶୁଖୁଆ ପଖାଳ, ବଢିଚୁରା, ବାଇଗଣ ଭରତା ଖାଇ କ୍ଲାସ୍ କରନ୍ତି, ପୁଣି ପାଞ୍ଚଟା ବେଳକୁ ଫେରିଆସି ଗରମ ଭାତ ଦି'ଟା ଖାଆନ୍ତି। ବେଶ୍, ସବୁ ଠିକ୍ଠାକ୍ ଚାଲିଥିଲା। 


ହଠାତ୍ ତାଙ୍କ ଜୀବନରେ ଗୋଟେ ନାରୀର ଆବିର୍ଭାବ ହେଲା। ତା ନାଁ ହେଉଛି ଶେଫାଳୀ। ଶେଫାଳୀଟା ଭାରି ସୁନ୍ଦରୀ, ରୂପବତୀ ଗୋଟିଏ ଚାଉଳରେ ଗଢା। ମୋଟାମୋଟି ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ କୌଣସି ପ୍ରକାରରେ ଖୁଣି ହେବ ନାହିଁ। ପାଠଶାଠ ସେତେ ନ ପଢିଲେ ବି, ଅପଢା ପାଠ ଢେର୍ ପଢିଛି ।ତା ବୋଲି ମୂର୍ଖ ନା କ'ଣ? କଲେଜପାଠ ସିନା ପଢ଼ି ନାହିଁ, କିନ୍ତୁ ମାଟ୍ରିକ୍ ଫେଲଯାଏ ପଢିଛି।ଗୁଣକର ଝିଅଟା, ଚିତ୍ରାଙ୍କନ ଓ ଡ୍ରଇଂରେ ଫାଷ୍ଟ। ଅକ୍ଷରଗୁଡ଼ାକ ଶୋରିଷମଞ୍ଜି ଭଳି ପୂରା ଗୋଲ। ସେ ପାଟିରେ ସିନା କମ୍ କହେ, କିନ୍ତୁ ଆଖିରେ ବେଶୀ। ଆଖି ନଚେଇ ନଚେଇ ସେ ନିମିଷକେ ପ୍ରାଣ ଶୋଷିନେବେ- ମହାନ କଳାକାର।

ଇଏ ରାଜଜେମା ହେଉଛନ୍ତି, ସ୍କୁଲ ମ୍ଯାନେଜିଂ କମିଟିର ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଏକମାତ୍ର ଦୁଲାଳୀ। ତେଣୁ ତା'ର ସ୍କୁଲ ଓ ସ୍କୁଲ ମାଷ୍ଟରଙ୍କ ଉପରେ ଗୋଟେ ଅନଦେଖା ଅଧିକାରଥାଏ, ଯାହାକୁ ସେ ସୁବିଧା ଦେଖି ବେଳେବେଳେ ପ୍ରୟୋଗକରେ।


ତାଙ୍କ ଘର ଆଗଦେଇ ନିଲୁ ସେନାପତି ନିଇତି ସକାଳ ୯.୪୦ ରେ ପାଦରେ ହଳେ ଚପଲ ଓ ଆଖିରେ ଗଗଲେସ୍ ରଖି , ବେଲ୍ ପ୍ୟାଣ୍ଟ୍ ଓ ସାର୍ଟ ଇନ୍ ସାଙ୍ଗକୁ ବେଲ୍ଟ ଚଢେଇ, ମୁଣ୍ଡ ଉପରେ ଛତା ଢାଙ୍କି ଢଳିଢଳି ସୁବାଗରେ ଚାଲନ୍ତି। ପୁଣି ସ୍କୁଲ ଛୁଟିହେଲେ ଅନୁରୂପ ସେଇପଟେ ଫେରନ୍ତି। 


ଶେଫାଳୀର କି ଅହେତୁକ ଆକର୍ଷଣ କେଜାଣି, ସେ ହକ୍ ଲାଗେ ଦାଣ୍ଡ ଦୁଆରମୁହଁରେ ଛିଡ଼ାହୋଇଥିବ- ଖାସ୍ ଟୋକା ମାଷ୍ଟରକୁ ଦେଖିବା ଲାଗି । ଏଇଟା ତା'ର ନିତି ଦିନିଆ ବେଉଷା, ସେଇଟା କେବେ ହେଁ ଅନ୍ୟଥା ନୋହିବ, ତେଣିକି ଯେତେ କାମ ଥାଉନା କାହିଁକି ।ତା'ପରେ ତା'ର ଦୁଇଟା ଭାଇକୁ ନିଇତି ସାଙ୍ଗରେ ନେଇ ସ୍କୁଲରେ ଛାଡ଼ିବ। ସେ ସ୍କୁଲ ଭିତରକୁ ଯିବେଣି, ଇଏ ତଥାପି ସ୍କୁଲ ହତାବାଡ଼ ପାଖରେ ଛିଡାହୋଇ ତାଙ୍କ ବାଟକୁ ଅନେଇ ରହିଥିବ। ସ୍କୁଲ ଛୁଟି ବେଳକୁ ବି ସେୟା, ଆଗୁଆ ସ୍କୁଲ ପାଖରେ ପହଞ୍ଚି ଯାଇଥିବ। ବେଳେବେଳେ ଗାର୍ଡିଆନଗିରି ଦେଖେଇ, ଛୁଆଙ୍କ ପାଠକୁ ନେଇ ଭଲମନ୍ଦ ବିଷୟ ଫଟରେଇକି ପଚାରି ହେଉଥିବ-କେବଳ ନିଲୁ ସାରଙ୍କ ସହିତ । 


ନିଲୁ ଆଉ ବୋକା ନା କ'ଣ, କିଛି ବୁଝିପାରିବ ନାହିଁ। ସେ ଠିକ୍ ବୁଝିଛି ଇଏ ତାକୁ ଆଖଉଛି,କେମିତି ପଟେଇବା ପାଇଁ ଚେଷ୍ଟାକରୁଛି। ଇଏ ଦୁଷ୍ଟ , ଖିଆସିରେ ଦିନେଦିନେ ତାଙ୍କ ଘର ଯେମିତି ଆସିବ, ଗଳାଖଙ୍କରା ମାରିଦେଇ ଚାଲିଯାଆନ୍ତି ।

 ବେଶ୍ କିଛିଦିନ ଏଇ ଏତିକିରେ ଚାଲିଲା ତାଙ୍କ ପ୍ରେମକାହାଣୀ, ଆଉ ଆଗକୁ ବଢ଼ିପାରିଲା ନାହିଁ। ଶେଫାଳୀ କିନ୍ତୁ ଏଣିକି ଉତ୍ତାବନ ହେଲାଣି। ଭାରି କନକନିଆ ଝିଅଟା।

ନିଲୁ ଏସବୁକୁ ନେଇ କେତେଦୂର ଆଗ୍ରହ ପ୍ରକାଶ କରୁଛି, କାହିଁ କିଛି ଜାଣିହେଉ ନ ଥିଲା। କିନ୍ତୁ ଶେଫାଳୀ ତ ଆଉ ଚୁପ୍ ବସିରହିବା ଝିଅ ନୁହଁ ନା। ସେ କେତେବେଳେ କି ନଖରାମୀ କଲା, କିଛି ଠିକ୍ ଠିକଣା ରଖିଲା ନାହିଁ । ତା ଭାଇ ନଟିଆ, ହଟିଆକୁ ପଣିକିଆ ଲେଖି ଆଣିବାକୁ ସାର୍ କହିଥା'ନ୍ତି । ସାର୍ ଦେଖିଲା ବେଳକୁ ଗୋଟେପଟେ ପଣକିଆ ଆଉ ଗୋଟେପଟେ ପାନପାତ୍ର ଉପରେ ତୀର ଚିହ୍ନ କ୍ରସ୍। ସାର୍ ପଚାରିଲେ - "ଏଗୁଡାକ କ'ଣ କିରେ! କିଏ କରିଛି? "

ସେ କହିଲେ - "ଅପା ବଲ ଚିତ କରେ ତ, ସେ କାଟିଛି।"

ଇଏ ହେଲା ନା - "ବଲେ ବଲେ କା ଖେଲ, ସୁର୍ ହୁଆ ଅବି ।" 

ପୁଣି ଦିନେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ତୋଳା ହୋଇଥିଲା, ସୁନ୍ଦରୀ ତରୁଣୀର ପ୍ରତିକୃତି ବି କେବେ । ଦିନେ ତ ନିଲୁ ସାର୍ ଆଶ୍ଚର୍ଯ୍ୟ ହୋଇଗଲେ, କାହିଁକିନା ତାଙ୍କର ଅବିକଳ ଫଟୋଚିତ୍ର ନକଲ କରିଦେଇଛି - ଶେଫାଳୀ।ଏପରିକି ତାଙ୍କ ଛାତିରେ ଥିବା ସୂକ୍ଷ୍ମ କଳାଯାଈ ଚିହ୍ନ - ଆଙ୍କି ରଙ୍ଗୀନ ଚକଖଡିରେ ସବୁ ରଙ୍ଗଦେଇଛି।ଭାରି ତା'ର ଲକ୍ଷ୍ୟ, କେତେବେଳେ ହୁଏତ ତାଙ୍କର ଉପର ବୋତାମ୍ ଖୋଲାଥିବ-ଦେଖି ନେଇଛି। ପାଟିରୁ ଝରି ପଡୁଥିଲା - "କି ଚମତ୍କାର ଚିତ୍ରଶିଳ୍ପୀ, ଏ ଶେଫାଳୀ। ପୁଣି ସ୍ୱୀକାରୋକ୍ତି - "ପ୍ରକୃତରେ ମାନିତେ (ମାନିବାକୁ) ପଡ଼ିବ।"

ହସ୍ତକଳା ବି ସେ କୁଆଡ଼େ ଭଲ ଜାଣେ। ଦିନେ ପରା ନିଲୁ ସାରଙ୍କୁ ସେ ଗୋଟେ ଫୁଲପକା ରୁମାଲ୍ ଭେଟି ଦେଇଥିଲା, ଯେଉଁଥିରେ ପାନପତ୍ର ଉପରେ ତୀର ଚିହ୍ନ ହୋଇ ଗୋଲାପ ଫୁଲ ଗୋଟେ କଟା ହୋଇଥିଲା। ଚଟେଇ ବୁଣା, ବିଞ୍ଚୁଣି ଗଢ଼ା, ମାଟି କଣ୍ଢେଇ ଗଢ଼ା - ସବୁ ସେ ଜାଣେ। ଲିପାପୋଛା କରି ଝୋଟି ପକାଇ ଘରକୁ ଏମିତି କରିଦେଇଥିବ, ଘରକୁ ପରା କୁଣିଆ ନ ଆସୁଥିଲେ ଆସିବେ। କୁଆଁର ପୁନେଇଁ ଓ ଓଷାବ୍ରତରେ ଚଉଁରା ମୂଳରେ ଚିତାକାଟି ଫୁଲ ପକାଇ ଭଲ ସଜାଏ। ଏପରିକି ଭାଲୁକାଣୀ ଖୁଦୁରୁକୁଣୀରେ ନିଜେ କୁଞ୍ଜକାଟି, ଖବରକାଗଜ ମଡେଇ ଭଲ ସେ ସଜାଏ। ବାହାରିଆ ଗୁଣ ତା'ର ଖୁବ୍। ନିଲୁ ସାର୍ ଏଗୁଡାକ ସବୁ ଦେଖି ଖୁସି ତ ନିଶ୍ଚୟ ହୁଅନ୍ତି। 

ହେଲେ ନିଲୁ ସାର୍ ଙ୍କ କୌଣସି ପ୍ରତିକ୍ରିୟା ସିଧାସଳଖ କିଛିଊମିଳିପାରୁ ନ ଥାଏ, କେବଳ କେତେବେଳେ କେମିତି ଚାହାଁଚୁହିଁ ବ୍ୟତିରେକେ ।

ଭାରି ଡରୁଆ ମାଷ୍ଟ୍ରେ, ତାଙ୍କର ଡର - ଏ ଶେଫାଳୀ ଯେପରି ଉଚୁକା ହେଉଛି, ଯଦି କେହି ଜାଣିବେ, ତେବେ ଆଗ ଚାକିରି ଯିବ। ତା'ପରେ ମାନସମ୍ମାନ ନିଶ୍ଚୟ। ଯେଉଁ ଗାଁଲୋକ ସାର୍ ବୋଲି ଏତେ ସମ୍ମାନ ଦେଉଛନ୍ତି, କ'ଣ ଭାବିବେ? କେହି ଭାବିବେ ନାହିଁ ଯେ ଝିଅଟା ଉପରେପଡ଼ି ତା ଆଡ଼ୁ ପ୍ରେମ କରୁଛି ବୋଲି, ସମସ୍ତେ ଆଗ ପୁଅପିଲାର ଦୋଷଦେବେ ପରା । କହିବେ - ନିଲୁ ମାଷ୍ଟର ଏ ଝିଅଟାକୁ ଫସେଇଦେଲା। ନା... ନା... କଥାଟା ନାକରା ହେବ - ଶଙ୍କିଲା, ପଛକୁ ହଟିଲା।


ଶେଫାଳୀ କିନ୍ତୁ ଆହୁରି ତୀବ୍ର ଗତିରେ ଆଗକୁ ବଢିଲା। ପ୍ରେମ ବଡ଼ ବେଲଜ୍ଜ୍ୟା, ବଡ଼ ନିର୍ଲଠା। ପ୍ରେମରେ ଯେତେବେଳେ ଉଦ୍ୱେଳନ ଉଠେ, ସେତେବେଳେ ସେ କୂଳର ମାନମହତ, ଲଜ୍ଜ୍ୟାଭୂଷଣ - ସବୁ ଛାଡିଦେ

ବ ପରା , ତାକୁ ତ କେବଳ ତୁହାଇ ତୁହାଇ ମନେପଡିଯିବ - ତା ସଖାର ବଇଁଶି ବାଦନ।

ଶେଫାଳୀ ସାରଙ୍କ ପାଖରୁ ସେପରି କିଛି ନକାରାତ୍ମକ ଟିପ୍ପଣୀ ନ ପାଇ ଟିକେ ଟିକେ ସାହସ ପାଇଲାଣି। ଏଣିକି ତା'ର ଯାହା କହିବାର ଥିବ, ସେଇ ସ୍ଲେଟ୍ ରେ ଲେଖିକି ଛାଡିଦିଏ - "ସାର୍ ଆଜି କ'ଣ ଖାଇକି ଆସିଛନ୍ତି, ଆମର କାଲି ବଢିଆ ତିଅଣ ହୋଇଥିଲା, କାଲି ଆର ଗାଁ ଯାତ୍ରାକୁ ଆସିବେ ନା, ଘରେ କ'ଣ କ'ଣ ସବୁ କରୁଛନ୍ତି, ଛୁଟିରେ କୁଆଡ଼େ ବୁଲିଯିବେ" - ଏମିତି ସବୁକଥା ଲେଖେ, ପ୍ରତିଦିନ ନୂଆ ଧାଡିଏ ଯୋଡ଼େ।

ସାର୍ ପାଠଆଦାୟ ଓ ନୂଆପାଠ ଦେବା ବାହାନାରେ ସ୍ଲେଟ୍ ଲେଉଟାନ୍ତି। କିନ୍ତୁ ଉତ୍ତର ସ୍ଲେଟ୍ ରେ କେବେ ଲେଖି ଫେରାନ୍ତି ନାହିଁ, କାହିଁକିନା ଡର - କେହି ଯଦି ଦେଖିଦେବେ, ପଢିଦେବେ, ତେବେ ମାଷ୍ଟରପଣିଆ ଛଡାଇଦେବେ।" 

ହେଲେ ଛୁଆଙ୍କ ସହ କଥୋପକଥନ ଜରିଆରେ ସେ ଏଣିକି ସବୁ ଉତ୍ତର ରଖନ୍ତି।

-"ଆରେ ହଟିଆ, ନଟିଆ! କାଲି ତୁମର କ'ଣ ରୋଷେଇ ହୋଇଥିଲା, ଆଜି କ'ଣ ଖାଇଛ, ମୁଁ ଆଜି ଚୁଡାଦହି ଖାଇକି ଆସିଛି", "ମୁଁ କାଲି ଯାଇପାରିବି ନାହିଁ କିନ୍ତୁ ମଝିରାତି ଦିନ ଆର ଗାଁ ଯାତ୍ରା ଦେଖିବାକୁ ନିଶ୍ଚୟ ଯିବି" , "ଏଥର ଛୁଟିରେ ପୁରୀ ବୁଲି ଯିବି, ତୁମେ ଚାଲୁନ ସମୁଦ୍ର ବେଳାଭୂମିରେ ଦେଖାହେବ" , "ମୁଁ ସନ୍ଧ୍ୟାବେଳେ ଆଜି ଘରକୁ ଯାଇ ଯୁବବାଣୀ କାର୍ଯ୍ୟକ୍ରମ ଦେଖିବି। "

ଏମିତି ସବୁ ପର୍ବ ଆଗକୁ ବି ଚାଲିଲା। ଚିଠି ଦିଆନିଆ କାରବାର-ସ୍ଲେଟ୍ ବି ପାଲଟିଲା କେବେ କାଗଜ, ଛୁଆ ବି ପାଲଟନ୍ତି ଏଠି ମାଧ୍ୟମ।ଭାବବିନୋଦିଆଙ୍କ ଭାବହୁଏ ସମ୍ପ୍ରସାରଣ। 

ଯାତ୍ରାରେ ଦେଖାହେଲା। ଶେଫାଳୀ କାଳିଆ ନନା ଦୋକାନରୁ ପାନ ଆଣି ସାର୍ ଙ୍କୁ ଧରାଇ ଦେଲା। ସାର୍ କ'ଣ କରିବେ ଭାବିପାରୁ ନ ଥିଲେ ନା - ହଁ-ନା ହୋଇ ନେଲେ। ନଟିଆ, ହଟିଆକୁ ସାର୍ କୁଲୁଫି ଖୁଆଇଲେ ଆଉ ଶେଫାଳୀକୁ ବାଦାମ।

ଶେଫାଳୀ ଚୁପିଚୁପି କହିଲେ - "ସାର୍ ଆମେ ସେଦିନ ପୁରୀ ନିଶ୍ଚୟ ଯିବୁ।"

ସାର୍ କହିଲେ - "ହୋଉ ସେକଥା ପରେ, ତୁମେ ଶୀଘ୍ର ଆଗ ଏଠୁ ଗଲ, ନ ହେଲେ କିଏ କେତେବେଳେ ଯଦି ଦେଖିନେବେ ଏଇଲାଗେ କେତେ କଥା ହେବେ। "

ଶେଫାଳୀ ରାଗିଗଲା, କହିଲେ - ତୁମେ ମରଦ ନା ମାଈ ଅଣ୍ଡିରା? ଉଁ... ୟାଙ୍କରି ଏକା ଡର ପଶିଯାଉଛି। "

ନିଲୁ କହିଲେ -" ହେ...ଇଏ... କି ଝିଅମ , ଜମା କଥାବୁଝୁ ନାହଁ, ସେମିତି ହେଲେ ମୁଁ ଯାଉଛି ଯାତ୍ରାଛାଡ଼ି ପଳେଇବି। "

ସେଇଠୁ ଶେଫାଳୀ ମୁହଁ ହାଣ୍ଡିକରି ଚାଲିଗଲେ। ଚାଲିଗଲା ବେଳେ ଶୁଣେଇ ଶୁଣେଇ କାନ୍ଥବାଡକୁ ଖାଲି କହିଗଲେ -" ହୁଁ... ଲୋକଟାର ଟିକିଏ ବି ରସୀକତା ନାହିଁ, ଭାରି ସାର୍ ଦେଖେଇ ହେଉଛି।ଏଇ ଏକା ସାର୍ ହେଇଛି। "

ସେଦିନ ନିଲୁ ଭଦ୍ରକରୁ ପୁରୀ ଟ୍ରେନରେ ଯାତ୍ରା ଆରମ୍ଭ କରିଦେଲେ। ଶେଫାଳୀ ତ ଛାଡ଼ିବା ଝିଅ ନୂହେଁ, ସେ ତା ବାଟରେ ତା ବାପାଙ୍କୁ ପଟେଇ କୋଉ ବାଟରେ ଆସି ଭଦ୍ରକରେ। ପ୍ଲାଟଫର୍ମରେ ସାରଙ୍କୁ ହଠାତ୍ ଦେଖି କୃଷ୍ନ ଚନ୍ଦ୍ର ବାବୁ କହିଲେ - "ସାର୍ କୁଆଡ଼େ ଯିବେ, କାହିଁ ଆଗରୁ କହୁ ନ ଥିଲେ ତ, ଭଲ ହେଲା ଆସନ୍ତୁ ସାଥିହୋଇ ଯିବା, ଶେଫାଳୀଟା ବାଧ୍ୟ କଲା ବୋଲି ଆମେ ବି ପୁରୀ ଯାଉଛୁ। "

ଶେଫାଳୀ ନିଲୁ ଆଡକୁ ଚାହିଁ ଓର୍ନିରୁ ଖିଏ ପାଟିରେ ପୂରାଇ ଦାନ୍ତଚାପି ହସୁଥାଏ। ନିଲୁ ମନେମନେ ଭାବୁଥାଆନ୍ତି - ଏ ଶେଫାଳୀକୁ ପାରିହେବ ନାହିଁ, ଇଏ ତ ଭଲ ଚଲାଖି କଲା। 

ଟ୍ରେନ୍ ରେ ଶେଫାଳୀ ଯାହା ଫେଚକାନି କରୁଥାଏ ନ କହିବା କଥା, ନିଲୁ ସେନାପତି କିନ୍ତୁ ନିଜ ସାର୍ ପଣିଆକୁ ଜଗି ଭାରି ମାପିଚୁପି କଥା ହେଉଥା'ନ୍ତି। ସାଙ୍ଗରେ ଶେଫାଳୀର ମାଆ ଦେବକୀ,ହଟିଆ, ନଟିଆ ବି ଥାଆନ୍ତି। ଯାହା ବି ହେଉ ପୁରୀ ପହଁଚି ମନ୍ଦିର ଦର୍ଶନ ହେଲା।

ପ୍ରେମ ରାଗିଣୀ ଧାରା ବି ଖୁବ୍ ବୋହିଲା। ଶେଫାଳୀ ଏଡ଼େ ବଦମାସ୍ ଫୁସଫୁସ୍ କହୁଛି - "ମୋତେ ପାଇବ ବୋଲି ଠାକୁରଙ୍କୁ ମାଗିଲଟି? "

ସମୁଦ୍ର ବେଳାଭୂମି ବି ଦେଖିଲେ ।ଭଲମନ୍ଦ ଜାଗା ସବୁ ବୁଲିବାଲି କରି ଦେଖି ଘରକୁ ଫେରିଲେ। ଏ ଶେଫାଳୀ ମଝିରେ ମଝିରେ ଭାରି ଉଗୁରି ହେଉଥାଏ।


ଆଉ କେହି ଯୋଡ଼ି ହୋଇଥିଲେ ସମୁଦ୍ର ବେଳାଭୂମିରେ କୁଆଡ଼େ ହଜି ଯାଇଥାନ୍ତେ, ଏମାନଙ୍କର ପରା ଲୋକଙ୍କୁ ଡର, ଦୁନିଆକୁ ଡର ଓ ବାପାବୋଉଙ୍କୁ ବି ଡର , ଯାହା କରିବେ ଲୁଚିଛପି ବା ଆଡଆଡ ହୋଇ କେତେବେଳେ କେମିତି ସାଙ୍କେତିକ ଭାଷାରେ ଯାହା କଥାହେବେ। ଅବଶ୍ଯ ଶେଫାଳୀଟା ଟିକେ ବେସରମ, ଏ ବେପାରରେ ଟିକେ ଆଗୁଆ (ଆଡଭାନସ)।

କିଛିଦିନ ସେମିତି ସେମିତି ବିତିଲା। ଦିନେ ଶେଫାଳୀ କହିଲା - "ମାଷ୍ଟରଟା ଏତେ ସାହାଯ୍ଯ କଲା, କହୁନୁ ଲୋ ବୋଉ ! ଆମଘରେ ଦିନେ ଖାଇବେ "

ଦେବକୀ ସୁଯୋଗ ଦେଖି ତା ବାପାକୁ କହିଲେ - "ହେଇଟି ଶୁଣୁଛ! ମାଷ୍ଟରଟା ନ ଥିଲେ ଆମେ ପୁରୀ ଭଲରେ ବୁଲିପାରି ନ ଥାଆନ୍ତେ କି ସବୁ ଠିକ୍ ସେ ଦେଖିପାରି ନ ଥାଆନ୍ତେ। ଟିକିଏ ଛୁଆଟାକୁ ଡାକୁନ, ଆମ ଘରେ ଦିନେ/ଓଉତେ ରହି ଖାଇପିଇ ଦି'ଟା ଯିବ।

କୃଷ୍ନ ଚନ୍ଦ୍ର ବାବୁ, ଗୋପାଳିଆକୁ ଡାକି କହିଲେ-"ଯାଆ! ସାରଙ୍କୁ କହିବୁ ଆଜି ରାତିରେ ଆମଘରେ ଖାଇବେ। ତାଙ୍କ ଘରେ ବି ଟିକିଏ ଯାଇ ଖବର ଦେଇଦେବୁ। "

ଗୋପାଳିଆଟା ପୂରା ଶେଫାଳୀ ଦିଦିର ବୋଲକରା, ବଚଷ୍କର । ଲୋକଟା ଟିକିଏ ମାଇଚିଆ ହେଲେ କ'ଣ ହେବ , ଶେଫାଳୀ ଦିଦି ଯେମିତି କହିବେ କୁତୁକୁତୁ ହୋଇ ସବୁ କରିବ। 

ସାରଙ୍କୁ ଯାଇ ସ୍କୁଲରେ କହିଲା। ସାର୍ ଟିକେ ଆଗ କୁନ୍ଥୁକୁନ୍ଥୁ ହେଉଥିଲେ। ଗୋପାଳିଆ କହିଲା-" ଆଜ୍ଞା ଚିନ୍ତାକରନ୍ତୁ ନାହିଁ, ବାବୁ କହିବାରୁ ମୁଁ ଆପଣଙ୍କ ଗାଁକୁ ଯାଇ ଆପଣଙ୍କ ବାପା ଗୌରାଙ୍ଗ ବାବୁଙ୍କଠାରୁ ଆଗୁଆ ଅନୁମତି ନେଇଆସିଛି ଯେ -'ସାର୍ ଆଜି ଆମଘରେ ଭୋଜିଖାଇବେ, ବାବୁ ଅନୁମତି ନେବାକୁ ମୋତେ ପଠାଇଛନ୍ତି, ମନା କରନ୍ତୁ ନାହିଁ, ଦିନେଅଧେ ବାବୁ ମନକରି ଡାକିଛନ୍ତି' - ଗୌରାଙ୍ଗ ବାବୁ ଭଲଲୋକ, ଏକଥା ଶୁଣୁଶୁଣୁ ହଁ କହିଛନ୍ତି।" 

ସ୍କୁଲ ଛୁଟିପରେ ଗୋପାଳିଆ ଆସି ସାଥିରେ ନେଇଗଲା। ନିଲୁ ମାଉସୀଙ୍କୁ ନମସ୍କାର କଲେ, ଛୁଆଙ୍କୁ ବି ଗେହ୍ଲକରି ଚକୋଲେଟ୍ ଦେଲେ। ଶେଫାଳୀ ହାତ ବଢାଇଲାରୁ ଅବଶିଷ୍ଠ ସବୁ ତା ଆଡକୁ ବଢ଼ାଇଦେଲେ। ସେ ନେଉନେଉ ମାଷ୍ଟର ହାତଟାକୁ ବାଗରେ ମୋଡିଦେଲା - ଭାରି ଖେଚର ଝିଅଟା, ଯେମିତି ହେଲେ ଗୋଟେ ନଉଟଙ୍କି କରିବସିବ, ଖେସାକଥା ଟିକେ ନ କହିଲେ ତା ଭାତ ହଜମହେବ ନାହିଁ । ମାଷ୍ଟର ହସ ଚାପିପାରିଲା ନାହିଁ, କିନ୍ତୁ ଓଠଚାପି ରୋକିଦେଲା।ଚୋବାଇ ଚୋବାଇ ମୁହଁ ବନ୍ଦ କରି ଫେର୍ ପୁଣି ହସଟକୁ ଢୋକିଦେଲା। 

ଚା'ଜଳଖିଆ ପର୍ବ ସରିଲା। ମାଉସୀ କହିଲେ - ଟିକେ ସାରଙ୍କୁ ଆମ ଆଖୁଶାଳ ଆଡ଼େ ନେଇଯାଉନ! ବୁଲିଆସିବେ । ବାପା ତ ଫେରିବାକୁ ଡେରିହେବ, ଏକୁଟିଆ ଛୁଆଟା କେତେ ବସିବ।


ଶେଫାଳୀକୁ ତ ବାଇପାଳକ ପଡ଼ିଲା। ସେ ଗୋପାଳିଆକୁ ସାଙ୍ଗରେ ଧରି ସାରଙ୍କୁ ଘର ପଛପଟ ଆଖୁଶାଳଆଡ଼େ ନେଇଗଲା। ଗୋପାଳିଆ ଆଜ୍ଞାପାଳି ଫଳମୂଳ ଗୋଟେଅଧେ ତୋଳିଆଣି ଦେଉଥାଏ। ଶେଷରେ ଆଖୁବାଡ଼ିରୁ ଆଖୁକାଟି ଆଣିବାକୁ ଗୋପଳିଆକୁ ଦିଦି ପଠାଇଦେଇ, ସାରଙ୍କୁ ଆଖୁଶାଳ ସବୁ ଗୋଟିଗୋଟି କରି ବୁଲାଇ ଦେଖାଇଲେ-

"ଏଇଟା ଆଖୁଶାଳ, ତିଆରି ସରିଛି, ଆଉ ପନ୍ଦରଦିନ ପରେ ପେଡ଼ା ଆରମ୍ଭହେଲେ ଦୋରୁଆ ପାଣି ବାହାରିବ, ସାର୍ ଆସି ନିଶ୍ଚୟ ପିଇବେ। ଦେଖୁନାହାନ୍ତି! ଚାରିପଟେ ଛଣତାଟ ଦିଆହୋଇ ଘେରଟ ହୋଇଛି। ଏଇ ଘରଭିତରେ ଦୋରୁଅ ରନ୍ଧାହୋଇ ଗୁଡ଼ ବାହାରିବ। ଏହାର ଚେମିଣି ବାହାରକୁ ହୋଇଛି। ଜାଳେଣି ମଧ୍ୟ ବାହାର ପଟରୁ ଏମିଇତି ପୁହାଣ ହେବ। ଘରଟି ସୁରକ୍ଷିତ - ଗୁଡ଼ହାଣ୍ଡି ଗଚ୍ଛିତ ରହିବ ପାଇଁ । "

ଏମିତି କଥା ପ୍ରସଙ୍ଗରେ ଦୁଇଜଣ ଆଖୁଶାଳର ଗୁଡ଼କୋଠାରୀର ନିଭୃତକୋଣରେ ପହଁଞ୍ଚି ସାରିଥିଲେ । ଶେଫାଳୀ ଆଉ ନିଜକୁ ରୋକିପାରୁ ନ ଥିଲେ। ମାଷ୍ଟରକୁ ଜୋର୍ ରେ ଧରି ଯାବ ପକାଇଦେଲେ। ପରିବେଶରେ ସାକ୍ଷ୍ୟ ହେବାକୁ ଆଉ କେହି ନ ଥିଲେ । ଦୁହିଁଙ୍କୁ ଦୁହେଁ ସବୁ ହଦ୍ ପାର୍ ହୋଇଯାଉଲେ। ଇଏ ତାକୁ ସେ ୟାକୁ ଚୁମା ବିଞ୍ଚିଦେଲେ।ମନ ବେଲଗାମ ହେଲା, ପରିସ୍ଥିତି ଅଣାୟତ। ଚାରିଆଡ଼େ କିଟିମିଟିଆ ଅନ୍ଧାର। ତେଣୁ ମନର ଭାବକୁ ଅଙ୍ଗଭଙ୍ଗୀ ଦ୍ଵାରା ପରିସ୍ଫୁଟକରି ଅନ୍ୟଆଗେ ତୋଳିପାରୁ ନ ଥିଲେ - ଆଲୁଅ ଅଭାବରୁ , କେବଳ ଦେହଛୁଆଁ ଶରୀରରେ ଅସମ୍ଭବ କମ୍ପନ ଭରୁଥାଏ। ଆଗକୁ କିଛି ବି ଘଟିପାରେର ଭୟରେ, ଦେହରୁ ମଧ୍ୟ ସରମଝାଳ ବୋହି ଦଯାଉଥାଏ।


ପ୍ରେମରେ ଆଶକ୍ତି ଓ ଭୟରୁ ମୁକ୍ତି - ଏ ଦୁଇଟାରୁ ନିସ୍କୃତି ମିଳିପାରୁ ନ ଥିଲା, ବଡ଼ ସାଂଘାତିକ ପରିସ୍ଥିତି, ଅଦ୍ଭୁତ ମାନସିକ କ୍ରିୟାବିକ୍ରିୟା। ଏହି ଜଟିଳ ମନସ୍ତତ୍ତ୍ୱକୁ ସହଜ ସରଳ ଭାଷାରେ ଉତ୍ତାରିବା, ସ୍ଵୟଂ ସ୍ରୁଷ୍ଟିନିୟନ୍ତାଙ୍କ ଦ୍ଵାରା ବି ଅସମ୍ଭବ। ଆମେ ତେଣୁ ବାକ୍ ଶୂନ୍ୟ, ବାକ୍ ରୁଦ୍ଧ । 


ଆଗକୁ ଆଉକିଛି ବଢିବା ପୂର୍ବରୁ ଗୋପାଳିଆ ଖୋଜିଖୋଜି ପହଞ୍ଚି ଡାକ ପକାଇଲା- 'ଦିଦି!'। ହାରକିନର କଳଟାକୁ ମୋଡିଦେଇ ଶିଖାଟାକୁ ଟିକିଏ ତେଜ କରିଦେଲା। ନିମିଷକେ ଲୋକଲଜ୍ଜାକୁ ଡରି ଦୁହେଁ ଛଡାଛଡି ହୋଇଗଲେ-ଭିଡ଼ାଭିଡ଼ି ରଜ୍ଜୁଟା ଛାଏଁ କୋହଳ ହୋଇଗଲା । ମୁହଁରେ ହାତଦେଇ ଟିକିଏ ଲାଜେଇ, ପରସ୍ପରର ବିପରୀତ ଦିଗକୁ ଘୂମିଗଲେ। ଗୋପାଳିଆ ଏମିତି କ'ଣ ଦେଖିଲା କେଜାଣି, ବାଟସାରା ମୁହଁରେ ହାତଦେଇ, ରହି ରହିକା ତ ଖାଲି ହସୁଥିଲା।

ସତକଥା କେବେ ଲୁଚି ରହେନା, ଯେମିତି ହେଲେ ଆତ୍ମପ୍ରକାଶ କରିବ। ଗୋପାଳିଆ ସେଇ କଥାକୁ ମାଆଙ୍କ ଆଗରେ କହିବ କହିବ ବୋଲି ତା ପେଟ ଉଣ୍ଡୁଳି ହେଲା, ବୁଲେଇ ବଙ୍କେଇ କହିଦେଲା। ମାଆ ତା ମୁହଁରେ ହାତଦେଲେ, କହିଲେ - "ଏ କଥା ମୋତେ କହିଲୁ କହିଲୁ, ହେଲେ ଆଉ କାହାକୁ କେବେ କହିବୁ ନାହିଁ, ମୋ ଗୋପାଳ ପରା ମୋ କଥା ମାନିବ, ମୋ ସୁନା ପୁଅ ।"

ଦିନେ ସୁଯୋଗ ଦେଖି ଦେବକୀ କହିଲେ - "ହଇଓ ଶୁଣୁଛ! ଝିଅ ବାହାଘର କଥା ଟିକେ ଚିନ୍ତାକର, ବୟସ ସତର ପୂରି ଅଠର ଧରିଲାଣି, ଆଉ କେତେଦିନ ଅପେକ୍ଷା କରିବ, ବଢିଲା ଝିଅଟାକୁ କ'ଣ ଘରେ ବସେଇ ରଖିଥିବ? ମୁଁ ମାଆ ହୋଇ ଭାବୁଛି, ତୁମେ ବାପା ହୋଇ ଏତେ ବେଫିକର କେମିତି? ମୁଁ ଗୋଟେ କଥା ଭାବୁଛି - ମାଷ୍ଟରଟା ଭାରି ଭଲଛୁଆ, ତୁମେ ଟିକେ ତାଙ୍କ ବାପାଙ୍କ ସହ କଥା ହୁଅନ୍ତ ନାହିଁ? "

ବାବୁ ତାଙ୍କ ବାହାନ ଗୋପାଳିଆକୁ ଦିନେ ପଠାଇଲେ, ଗୋପୋଳ ଗୌରାଙ୍ଗ ବାବୁଙ୍କ ଘରେ ଦିନେ ଯାଇକି ହାଜର। କହିଲା -" ଆମ ଦିଦି ଗାଁ ଗୋଟାକର ଏକା ସୁନ୍ଦରୀ, ଭାରି ଯୋଗା। ଆମର ଯୋଉ ଅଠର ଗୁଣ୍ଠିଆ ଜମିଟା ଆପଣଙ୍କ ବାଡିତଳକୁ ଲାଗିଛି, ସେଇଟା ବାବୁ କହିଛନ୍ତି ଜ୍ୱାଇଁ ନାଁରେ କରିଦେବେ। "

କଥା ଛିଡିଲା, ବାହାଘର ସରିଲା। ଏବେ ବି ଏ ବୟସରେ, ନିଲୁ ମାଷ୍ଟ୍ରେ ରାଗିଗଲେ କହନ୍ତି - "ସିଲଟପଟା ଚିଟାଉବାଲି!ତୁମେ ତୁମଘରକୁ ଯାଆନି( ପଳାନି)ଚାଲି , ମୁଁ ଆର ଗାଁ ସଙ୍ଗୀତାକୁ କରିବି ସାଧି। "

ଶେଫାଳୀ କୁହେ -" ଉଁ... ଆଖୁଶାଳ କଥା ଭୁଲିଗଲଣି ନା ମନେପଡୁ ନାହିଁ ବା! ମୁଁ ବାହା ହେବା ପାଇଁ କ'ଣ ଏକା ହୁମୁହୁମୁ ହେଉଥିଲି, ଆଉ ତୁମେ...? 

ଏମିତି କୌତୁକ ତାଙ୍କ ଜୀବନରେ ରସ ବୋଳୁଥିଲା। ଏବେ ଜୀବନ ନାଟକ ସରିସରି ଆସିଲାଣି। ଭାରି କୌତିକିଆ ଯୋଡ଼ି।


Rate this content
Log in

Similar oriya story from Romance