STORYMIRROR

Satyaprakash Sethy, M. A(UGC NET)

Inspirational

4  

Satyaprakash Sethy, M. A(UGC NET)

Inspirational

ହଜାରେ ସମସ୍ୟା

ହଜାରେ ସମସ୍ୟା

8 mins
338


ହଜାରେ ସମସ୍ୟା

By Satya Prakash Sethy

ହଜାରେ ଲୋକଙ୍କର ହଜାରେ ସମସ୍ୟା। ଆଉ କାହାରି କଥା ବୁଝି ହେଉନାହିଁ। ସମସ୍ୟାର ଗୋଟେ ଗହଳିଚହଳି ଭିତରେ, ନିଜ ସମସ୍ୟା ହଜିଯାଉଛି। ରାତିପାହିଲେ କେତେ ନୂଆ ସମସ୍ୟା ମୁଣ୍ଡଟେକୁଛି, ଯେତେବେଳେ କି ପୂରୁଣା ସମସ୍ୟାର ଭିଡ଼ ବି କମି ନଥାଏ। ତେଣୁ ନୂଆ ପୁରୁଣା କି ସମସ୍ୟାଗୁଡ଼ାକ ମାଡ଼ିପଡ଼େ। କମଳା ଭାବେ - ଯେଉଁଠି ଯେଉଁ ସମସ୍ୟା ପଡିଛି ପଡିଥାଉ, ତେବେ ଯେଉଁ ସମସ୍ୟା ଆଗ ଦେଖାହେଉଛି ତା'ର ସମାଧାନ କରାଯାଉ।


ଏହି ନ୍ୟାୟରେ ସେ ଅଫିସ୍ ଆସିଲେ ଅଫିସ୍ ସମସ୍ୟାରେ ମୁଣ୍ଡପୂରାନ୍ତି, ପୁଣି ଘରକୁ ଗଲେ ଘରକଥା। କିନ୍ତୁ କୌଣସିଟା ସିଧାହୁଏ ନାହିଁ, ଯେହେତୁ ପେଣ୍ଡିଂ ବା ବକେୟା ଅଧିକ ରହିଯାଉଛି। ତଥାପି ସେ ମଣିଷ ନା, ତେଣୁ ଯେତିକି ସମ୍ଭବ ସେତିକି, ତେଣିକି କିଏ ଖରାପ ଭାବିଲେ ଭାବୁ, ସେ ଆଉ ବୁଝିପାରିବେ ନାହିଁ।


ଏଇ କମଳାକାନ୍ତ ଖୁବ୍ ଛୋଟବେଳୁ ଖଟିଲେଣି। ଯେତେବେଳେ ତାଙ୍କୁ ମାତ୍ର ଅଠର /ଉଣେଇସି ବର୍ଷ ହୋଇଥିଲା, ସେତେବେଳଠୁଁ ତାଙ୍କ ଖଟଣି। ସେ ପରା ପଢୁଥିଲା ବେଳେ ଅଧାରୁ ଛାଡ଼ି ଭାରତୀୟ ସୈନ୍ୟବାହିନୀରେ ଭର୍ତ୍ତି ହୋଇଗଲେ। ବହୁ କଷ୍ଟକରି ଟ୍ରେନିଂ ସହିତ ଦୀର୍ଘ ପନ୍ଦରବର୍ଷ ସୈନିକଜୀବନ ସେ ଦେଖିଛନ୍ତି। ଦେଖିଛନ୍ତି ଜୀବନକାଳ ଭିତରେ ଦୁଇଟି ଦୁର୍ଦ୍ଦଶ ସଂଘର୍ଷ, ଭାରତ ପାକିସ୍ଥାନ ସୀମାନ୍ତରେ ଲୋମହର୍ଷଣକାରୀ ଦୃଶ୍ୟ। ମାଇନସ୍ ଡିଗ୍ରୀ ତାପମାତ୍ରାରେ ବରଫାବୃତ ଅଞ୍ଚଳରେ ସେନାର କର୍ତ୍ତବ୍ୟପାଳନ କୌଣସି ବଡ଼ଧରଣର ପରୀକ୍ଷାଠୁଁ ବି ବଳି।


ସେ ଦୁଇଭାଇ, ଭଉଣୀମାନଙ୍କ କଥା ଛାଡ଼ନ୍ତୁ, ସେମାନେ ବିଭା ହୋଇଯାଇଛନ୍ତି। ତେଣୁ ସେମାନଙ୍କ ସଂସାର ତାଙ୍କର, ଖାଲି ଓଷାବ୍ରତରେ ଭଲମନ୍ଦକି ଜିନିଷ ଟିକିଏ ପଠାଇଦେଲେ କାମଶେଷ। ସେମାନଙ୍କର ଆଉ ଏତେକିଛି ଅଭିଯୋଗ ନାହିଁକି, ବିଶେଷ କାମ।


କିନ୍ତୁ ବିଶେଷ କାମ ତ ନିଜ ପରିବାରକୁ ନେଇ ନହେଲେ ଅଫିସକୁ ନେଇ, ତାହାରି ଲାଗି ଯାହା ମୁଣ୍ଡବିନ୍ଧା। ତାଙ୍କ ଘର ଫତେପୁର। ରମେଶ ଭାଇ ସେଇଠି ମାଷ୍ଟର ଅଛି । ଅଳ୍ପକିଛି ଚାଷଜମି ଅଛି। ସେଇ ଜମିକୁ ଦେଖାଦେଖି କରେ, ଆଉ ଘରଖଣ୍ଡକୁ ବି ଜଗେ। ବାପାଥିଲେ, ସେ ଚାଲିଗଲେଣି। ମା' ସେଇ ଭାଇଭାଉଜଙ୍କ ପାଖରେ ରହେ।

କମଳାର ଜୀବନରେ ଅର୍ଦ୍ଧେକ କଟିଗଲା ମିଲିଟାରୀ ଚାକିରିରେ, ଆଉ ଅର୍ଦ୍ଧେକ ଏଇ ଖାଉଟି ଓ ଯୋଗାଣ ବିଭାଗରେ ଯିବ।


ରମେଶ ଭାଇଟା ଭଲ, କିନ୍ତୁ ଭାଉଜର ଟିକିଏ ଇର୍ଷା। ତାଙ୍କର କହିବା କଥା, ସେ ତ ଏ ଘରେ ଅନେକ ଦିନ ମାରିଲେଣି। ଶାଶୁଶ୍ୱଶୁରଙ୍କ ଦାୟିତ୍ଵ ଓ ନଣନ୍ଦଦିଅରଙ୍କ ଅର୍ଦ୍ଦଳି, ଢେର୍ ସହିଲେଣି। ଆଉ ସହିବେ ନାହିଁ କି କାହାପାଇଁ ସେ ଆଉ ଏତେ କଷ୍ଟ ଉଠେଇ ପାରିବେ ନାହିଁ। ତେଣୁ ସାନଦିଅର ତା'ର ଯୁଆଡ଼େ ଚାକିରି କରିଛି ମାଆଙ୍କୁନେଇ ସିଆଡ଼େ ରଖୁ।


ସତକଥା, ସେ ଏକୁଟିଆ କ' ଣ ଏଇ ପରିବାରର ବୋହୂକି, ଏଇ ଘରେ ସାବି ବି ରହୁଛନ୍ତି ନା। ତେଣୁ କମଳା, ମାଆଙ୍କୁ ଧରି ସାଙ୍ଗରେ ଆସିଲେ। ଏଣିକି ସାବି ଶାଶୁଙ୍କୁ ଦାୟିତ୍ଵ ନେବେ।

କମଳା ଗାଁଠାରୁ ଅଳ୍ପଦୂରରେ, ତିହିଡ଼ି ବଜାର ପାଖରେ ଗୋଟେ ଘର ଭଡ଼ାନେଇ ରହୁଥିଲେ, କେବଳ ଯିବାଆସିବାରେ ସୁବିଧା ପାଇଁ। ପରେ ମିଲିଟାରୀ ଚାକିରି ପଇସା ସବୁ ମିଳିଗଲା ପରେ ସେଇ ଘରଟାକୁ ସେ କିଣିନେଲେ, କେବଳ ସାବିକୁ ଖୁସି କରିବା ପାଇଁ ।


ଏଇ ସାବିକୁ ସମ୍ଭାଳିବା ତାଙ୍କୁ କାଠିକର ପାଠ ହେଲାଣି। ଜୀବନତମାମ ଯେତେ ସମସ୍ୟା ହେଲାଣି ତା'ଠାରୁ ବଳିକି କେବଳ ସାବି ସମସ୍ୟା। ସେ ମିଲିଟାରୀରେ ଥିଲାବେଳେ ସାବିକୁ ବିଭା କରିଥିଲେ। ସାବି ଗୋଟେ ଅତ୍ୟାଧୁନିକା, ସ୍ଵେଚ୍ଛାଚାରୀ ଓ ଭାରି ଉଦ୍ଧତ ମହିଳା। ସେ ଇନ୍ଦ୍ରଚନ୍ଦ୍ର କିଛି ମାନେ ନାହିଁ। ତା'ପାଇଁ ସ୍ଵର୍ଗଟା ମାତ୍ର ବାର ହାତେ। ତା'ର ଯାହା ଇଚ୍ଛା , ସେ ସେୟା କରିବ। ଜମା, କାହାକଥା ଶୁଣିବ ନାହିଁ କି ମାନିବ ନାହିଁ। ଓଲଟା ଅନ୍ୟମାନେ ତା କଥା ମାନିବାକୁ ବାଧ୍ୟ। ସେ ଯଦି କହିବ ଘୋଡ଼ାର ଛଅଟା ଗୋଡ଼, ଅନ୍ୟମାନେ କହିବେ ହଁ, ନହେଲେ ସଙ୍ଗେସଙ୍ଗେ ସେ ହଙ୍ଗାମା କରିବସିବ। ତା ସହିତ କିଏ ଲାଗିବ ଲୋ ମାଆ! ସେ ଗୋଟେ ବିଛୁଆତି। ତେଣୁ ମାନସମ୍ମାନକୁ ଡରି କମଳା ବି ତାକୁ ଡରେ, ନହେଲେ ପାଟି ଚୁପକରି ରହେ। ଗୋଟେ ଗୋଟେ ମୁଖରା ସ୍ତ୍ରୀ ଲୋକ ନଥାଆନ୍ତି ନା, ସେମାନଙ୍କ ସହିତ ଯୁକ୍ତିତର୍କ କରିବା ଅର୍ଥାତ୍ ନିଜ ଗାଲକୁ ନିଜେ ଢୋ'ଢା ଦିଟା ଖାଇବା କଥା। ସେମାନଙ୍କର ପରା ମାନମହତ୍ ନାହିଁ। ଟିକିଏ ଟିକିଏ କଥାରେ ଘରଟାକୁ ଖାଲି ଉଠେଇବେ ପକାଇବେ, ଦରକାର ପଡ଼ିଲେ ହାଣ୍ଡିଆ ପାଟିରେ ଚିଲ୍ଲେଇ ପାଞ୍ଚ ପଚିଶ ଲୋକ କାଣ୍ଡି କରିବେ। ଏମାନଙ୍କୁ ବେଛପରି, ବେସରମି କୁହଯାଏ। ଯେତେ ଯାହା କୁହ ଇଏ ବଦଳିବେ ନାହିଁ, ତେଣୁ ତାଙ୍କ ପଛରେ ଲାଗିବାଟା ବେକାର ହେବ। ତେଣୁ ସାଲିସ୍ କରିନେବା ଭଲ, ନହେଲେ ଅଯଥାରେ ଘରେ ଅଶାନ୍ତିହେବ। ତାଙ୍କ କଥାରେ ହଁ ହାଁ ମାରିଦେଲେ ଗଲା। ଖାସ୍ ଏଇଥିପାଇଁ ଭାଉଜ ପରୋକ୍ଷରେ ଇସାରା ଦେଲେ - - "ତୁମେ ତୁମର ସୁବିଧାଦେଖି କେଉଁଠି ରୁହ, ଢେର୍ ଦିନ ମୁଁ ଚଳେଇଲିଣି, ଏଣିକି ନିଜ ଛୁଆକଥା ପୁଣି ଦେଖିବାକୁ ହେବ ନା, ତା'ଛଡ଼ା ତୁମେ ତ ଆଉ ନୂଆଭୂଆ ଭୁଆସୁଣୀ ନାହଁ।"

ଏଇ ସାବି ମାସ କେଇଟା ବି ଶ୍ୱଶୁରଘରେ ଶାନ୍ତିରେ ମାରି ନାହିଁ। ଯେଉଁ ବେଳେଅଧେ କେତେବେଳେ ରହେ, କେଁ କଟରରେ ଯାଏ। ନହେଲେ ଅଧାବେଳେ ତ ତା ବାପଘରେ ରହିଲା। କାହାକଥା ସିନା କେହି ମାନିଲେ ହେବ ନହେଲେ ସେ ଯଦି ମୋଟେ ମାନିବ ନାହିଁ, ତାକୁ କ'ଣ କରିବ? ବାଧ୍ୟ ହୋଇ ଛାଡ଼ିଦେବେ, ଦେ ତା'ର ଯାହା କରୁଛି କରୁ। ସେଇଠୁ ସେ ଲଗାମ୍ ଛଡା ହୋଇଯାଏ। 


ଏଇ ସାବି ସେଇପ୍ରକାରର ଗୋଟେ ହେଟା ମୁଣ୍ଡିଆଣି। ଗୁରୁଗୌରବ ତା'ର କିଛି ନାହିଁ। ଭାରି ଅଣ୍ଡିରାଚଣ୍ଡୀ। ସେ ଏମିତି ଜମା ହୋଇ ନଥା'ନ୍ତା, କଥା ହେଉଛି ମୁରବୀ କେହି ପାଖରେ ରହିଲେ ନାହିଁ, ତେଣୁ ସେ ପ୍ରଥମେ ପ୍ରଥମେ ବହପ ପାଇଗଲା। ଏଣିକି ଦରବୁଢୀ ହେଲାଣି ଆଉ କ'ଣ ସୁଧୁରିବ ନା? କଥାରେ ଅଛି ପରା - "ଯା' ଟୋକାବେଳେ ସାଧିଥିବ, ବୁଢ଼ାପେ' ଆଉ କି ସମ୍ଭବ? "


 ତେଣୁ ସାବି ପୂରା ବିଗିଡ଼ି ଯାଇଥିବା ସ୍ତ୍ରୀ ଲୋକ ଗୋଟେ। ସହଜେ ତ ବିଭାଘରର ଅଳ୍ପ କେଇଦିନ ଭିତରେ ଶ୍ୱଶୁର ଆରପାରିକୁ ଟିକଟ କାଟିଲେ। ବାହାଘର ପରେ କମଳା ଘରେ ବି ରହିଲା ନାହିଁ, ମିଲିଟାରୀ ଚାକିରିରେ ତା ଦେହକ ଗଲା। ଏବେ ଦରବୁଢ଼ା କାଳେ ସିନା ଆଉ ଗୋଟେ ଷ୍ଟେଟ୍ ଗମେଣ୍ଟ ଚାକିରି କରି ପାଖରେ ରହୁଛି। ତେଣୁ ଇଏ ବୁଢୀ ଶାଶୁ ଓ ଯା' କୁ ମୋଟେ ମାନିଲା ନାହିଁ। ଦେଢ଼ଶୁର ଆଉଗୋଟେ କ'ଣ ଅକାଟ କରିବା ଠିକ୍ ନା? ତେଣୁ ସେ ପୂରା ଫୁଲାଫାଙ୍କିଆ ହୋଇଗଲା। ମୂଳଠୁଁ ନିଜ ଇଚ୍ଛା ମୁତାବକ କାମକରେ। ଦୁନିଆଟା ଯେମିତି ତା ପାଦର ଧୂଳି। ତେଣୁ ସେ କାହାରିକୁ ବୋଲି କାହାରିକୁ ଖାତିର୍ କରେ ନାହିଁ। ବେଖାତିରିଟା ଯେମିତି ତା ଜାତକରେ ଲେଖା ହୋଇଛି, ସେମିତି ସେ ତ ଅଭ୍ୟାସ କରିନେଲାଣି। କମଳାକୁ ବି ସେ ତ ଗେରଦ କରେ ନାହିଁ। ଏଭଳି ସ୍ତ୍ରୀଲୋକ ପାଖରେ ସତରେ ଚଳିବା ଭାରି କଷ୍ଟ। ଯିଏ କେବଳ ଦି'ଦଶ ମାସିଆ ହୋଇଥିବ, ସେ କେବଳ ହୁଏତ ଚଳିପାରେ। କୁହନ୍ତି ନାହିଁ ନା -

 "ଅସାଧ୍ୟକୁ ବା ସାଧ୍ଯ ନାହିଁ,  

ଅକାଟିଆକୁ କାଟ ନାହିଁ । "


କମଳା ଭାଗ୍ୟଟା ସତରେ ଭାରି ଖରାପ। ଯେଉଁ ସମୟରେ କଲେଜ ସାଙ୍ଗମାନଙ୍କ ସହ ଖେଳାବୁଲାକରି ହେଁ - ଫେଁ ହୋଇଥାନ୍ତା ସେଇ ସମୟରେ ଯାଇ ଜମ ଯନ୍ତ୍ରଣା ସହ ସମାନ ମିଲିଟାରୀ ଟ୍ରେନିଂ କଲା ପୁଣି ବର୍ଡର ଜଗିଲା। ନୂଆ ନୂଆ ବାହାହେଲା ଯେ ହେଲେ ଜୀବନର ସେଇ ଖୁସି ମୁହୂର୍ତ୍ତଗୁଡ଼ାକ ବି ସେଇ ବିଦେଶରେ କଟିଲା। ସାବି ଏକୁଟିଆ ଏଠିରହି ଯାହା ଅସନ୍ତୋଷ ଝାଡେ ନ କହିବାର କଥା। ସେ ବେଶୀ ଚିଡାଚିଡା ସେଇ ସବୁ କ

ାରଣରୁ ବେଶି ହୋଇଗଲା। ତା'ର ରାଗ - ନିଜର ଖୁସି ବେଳେ ତ ସେ ଖୁସି କରିପାରିଲା ନାହିଁ, ଆଉ କାହା ମନକଥା ନେଇକି ସେ ଏବେ ଏତେ ଚଳିବ କାହିଁକି? ଯାଉ, ସବୁ ପୋଡିକି ପାଉଁସ ହୋଇଯାଉ। ସେ ଯେତେବେଳେ ଗୋଟେ ବିରାଟ ଅପ୍ରାପ୍ତିଜନକ ତୃଷ୍ଣାରେ ଆଉଟି ପାଉଟି ହେଉଥିଲା, କାହିଁ କେହି ତ ତାଙ୍କ ମନ ଜାଣି ବ୍ୟବହାର କେଲେ ନାହିଁ। ଇଏ ତ ସେଇ ସ୍ୱାମୀ ନା, ଯାହା ପାଇଁ ଚାକିରିଟା ଏତେବଡ଼ ହୋଇଗଲା। ଆଉ ସାବିର ମନକଥା କିଏ ବୁଝି ଥାଆନ୍ତା? ତେଣୁ ସାବି ଆଜି ପ୍ରତିଶୋଧ ପରାୟଣା। ସେ କାହାକୁ ଶାନ୍ତିରେ ରଖେଇ ଦେବ ନାହିଁ। ସେ ଯଦି ସ୍ଵାମୀସୁଖରୁ ଦୀର୍ଘଦିନ ଧରି ବଞ୍ଚିତ ରହିଲା, ସେ ତେଣୁ ଆଜି ସ୍ଵାମୀଙ୍କୁ ବି ସ୍ତ୍ରୀସୁଖ ଦେବ ନାହିଁ, ଦେଖିବା! କାହାର ଟାଣପଣ କେତେ - ଏଇଟା ତା ମନର ଗୋଟେ ବିକାର। ନାରୀ ମନସ୍ତତ୍ତ୍ଵର ଅନ୍ଦରମହଲର ଗୋଟେ ଲିଳାଖେଳା। ଯାହାକୁ ସାଧାରଣ ଲୋକେ ବୁଝିବା ଦୁରୂହ ବେପାର। ତେଣୁ ତା ବ୍ୟବହାରରେ ଖୁବ୍ ଅସ୍ୱାଭାବିକତା ବେଶ୍ ପରିଦୃଶ୍ୟମାନ।

ଝିଅ ପଢିବା ଆଳରେ ସେ ଖସଡା ମାରିଲା ଭଦ୍ରକ। ସେଇଠି ତା ବାପଘର, ଉଦ୍ଦେଶ୍ଯ - ସେଇଠି ରହି ଝିଅକୁ ବଡ଼ ସ୍କୁଲରେ ପାଠ ପଢ଼ାଇବ ଓ ଏମାନଙ୍କୁଠୁଁ ଦୂରରେ ରହି ୟାଙ୍କୁ ପାନେଦେବ। ତେବେ ଯାଇ ତା ପ୍ରତିଶୋଧ ପୂରା ହେବ। ସେୟା କଲା, କାହାକୁ ନକହି ଆଡମିସନ କଲା, ଯାଇ ବାପଘର ପାଖରେ ରହିଲା। ସେଇ ଭଦ୍ରକରେ କମଳାର ଚାକିରି, ତେଣୁ ସେ ନିଇତି ଆସନ୍ତି। ଚାକିରି କୁ ଚାକିରି ଦେଖନ୍ତି ଓ ଛୁଆ ର ବି ଭଲମନ୍ଦ ବୁଝିକି ଯାଆନ୍ତି। କିନ୍ତୁ ତା'ବୋଲି ଆଉ ଶ୍ୱଶୁରଘର ପାଖରେ ତ ଯାଇ ରହିପାରିବେ ନାହିଁ ନା? କାହିଁକିନା ଶଳା ଦୁଇଟା ନିକଟରେ ବିଭା କରିଛନ୍ତି, ଶାଶୁଶ୍ୱଶୁର ଅଛନ୍ତି, ଘର ବି ସଟ୍ - ଇଏ ସ୍ତ୍ରୀ ସହିତ ପ୍ରାଇଭେସୀ ମେଣ୍ଟନକରି ରହିବାକୁ।ତା'ବୋଲି ଦିନେ ଓଉତେ କୁଣିଆ ଭଳି ରହନ୍ତେ ନାହିଁ କି, କିନ୍ତୁ ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ। ମନ ଭିତରେ ଅଶାନ୍ତି ରହେ, ଆନ୍ଦୋଳନ ସ୍ରୁଷ୍ଟି ହୁଏ।

ଅନ୍ୟ ପଟେ ଦେଖିଲେ, କମଳା ପୂରା ପେଶି ହୋଇଗଲେଣି। ପ୍ରବଳ ମାନସିକ ଯନ୍ତ୍ରଣାରେ ସେ ଡହଳବିକଳ ହେଉଛନ୍ତି। ମାନସିକ ଚାପକୁ ଶଯ୍ଯ କରିପାରୁ ନାହାଁନ୍ତି। ପ୍ରଚଣ୍ଡ ଉତ୍ପୀଡନରେ ଉତ୍ପୀଡିତ।


ମୁଖ୍ୟତଃ ତିନୋଟି କାମ ପାଇଁ ଏବେ ସିଏ ବେଶୀ ବ୍ୟସ୍ତ ଓ ବିବ୍ରତ। ଅଫିସ୍ ଓ ମାଆକଥା, ପୁଣି ସେଇଥିରେ ଝିଅମାଆ ଦୁଇଜଣଙ୍କୁ ସମ୍ଭାଳିବା ଚିନ୍ତା। କମଳାକାନ୍ତ ନିତ୍ୟନୈମିତ୍ତିକ ଭଦ୍ରକ ଆସି ଅଫିସ କରନ୍ତି।ପୁଣି ପଚିଶ /ତିରିଶ କିଲୋମିଟର ଯାତ୍ରାକରି ତିହିଡ଼ିରେ ପହଂଚି ମାଆଙ୍କର ସେବାଯତ୍ନ କରନ୍ତି। ଆଜିକାଲି ତ ଅଫିସରେ ନାନାଦି ସମସ୍ୟା। ଏଠି ଫାଇଲ୍ ଚାଷ ହୁଏ, ଲୋକ ମାନଙ୍କର ଅଭିଯୋଗ ଶୁଣାଯାଏ, ପୁଣି ଫିଲ୍ଡ ପରିଦର୍ଶନ କରି ମଧ୍ୟ ବିଭିନ୍ନ କାମ କମଳାକାନ୍ତଙ୍କୁ ତଦାରଖ କରିବାକୁ ପଡ଼େ। ଘରକୁ ଫେରିଲାବେଳକୁ ସନ୍ଧ୍ୟା, କେବେକେବେ ପୁଣି ରାତି। ଘରକୁ ଫେରି ମାଆପାଇଁ ରୋଷେଇ ହୁଏ, ମାଆପୁଅ ଦୁଇଟା ଖାଇ ଶୁଅନ୍ତି, ସକାଳୁ ଉଠିଲେ ପୁଣି କେତେକାମ। ନିତ୍ୟକର୍ମ ସାରି ସେଇ ରୋଷେଇ ପୁଣି ଥରେ, ମାଆ ଖାଇ ସାରିଲା ପରେ କମଳାକାନ୍ତ ଅଫିସ ଯାଆନ୍ତି। ପୁଣି ଭାତ ତରକାରୀ ଓ ଫଳମୂଳ ସବୁ ଖଞେଇକି ରଖିଥାଆନ୍ତି, ସେ ନଥିଲା ବେଳେ ମାଆ କେମିତି ଦିନରେ ଖିଆପିଆ କରିବେ ଓ ଚଳିବେ। ଜଣେ ଚାକରାଣୀ ରଖିଥିଲେ ଯେ , କିନ୍ତୁ ଯେହେତୁ ମାଆ ଦାୟିତ୍ଵ ନେଇପାରୁ ନାହାଁନ୍ତି, ସେ ତା'ର ସବୁ ଚୋରେଇକି ନେଇ ପାର୍। ତେଣୁ କଷ୍ଟ ହେଉପଛେ ସବୁକାମ ଏକାଏକା କମଳାକାନ୍ତ ନିଜେ ଉଠାନ୍ତି। ତଥାପି ଅଫିସ୍ ଗଲେ ବି ମନ ସବୁବେଳେ ଦକଦକ ହୁଏ ଯେ - ମାଆ ବୁଢୀଲୋକ ଘରେ ଦିନବେଳା ଏକା ରହୁଛନ୍ତି, ଯଦି ପଡ଼ିପୁଡ଼ା ଗଲେ ତେବେ ବଡ଼ ଦୁର୍ଘଟଣା ହୋଇଯିବ। କାହିଁକିନା ତାଙ୍କୁ ଉଠେଇବାକୁ ଆଉ କେହି ପାଖରେ ନଥିବେ ନା। ସେ ଆଉ କ'ଣ କରିବେ, ନିଜ ସ୍ତ୍ରୀ ତ ତାଙ୍କୁ ସହଯୋଗ କରୁନାହାଁନ୍ତି, ଇଏ ଯାହା କରିବେ ସିଏ ତା ଓଲଟା କରି ଚାଲିଛନ୍ତି। ସବୁକଥାରେ ଗୋଟେ ଅସହଯୋଗ ଓ ଅସହମତି।


ପୁଣି ଭଦ୍ରକରେ ଇଏ ଅଫିସ୍ ପହଞ୍ଚିଲା ପୂର୍ବରୁ, ପହଞ୍ଚିଲା ପରେ ପୁଣି ତିହିଡ଼ି ଫେରିବାଯାଏ ସାବିର ଲମ୍ବାଚଉଡା ଦାବି - ପ୍ରତିଦିନ। ଝିଅକୁ ସ୍କୁଲରୁ ଆଜି ତୁମେ ନେଇଆସ, ତା ଫିସ୍ ଆଜି ସ୍କୁଲରେ ଦେଇକି ଆସ, ତା ଡ୍ରେସ୍ କିଣାହେବ, ଆଜି ଏଇ ବାହିଟା ତା'ର ଦରକାର, ଟ୍ୟୁସନ୍ସାରଙ୍କ ସହ କଥାହୁଅ - ଏହିପରି ଯାବତୀୟ କାମ। ହେଲା ନିଜଛୁଆ ଓ ପତ୍ନୀ ପାଇଁ ତ କରୁଛନ୍ତି, ସେଥିରେ କମଳାକାନ୍ତଙ୍କର ଆପତ୍ତି ନାହିଁ, କିନ୍ତୁ ଏଇ କାମ ବ୍ୟତିରେକେ ମହାରାଣୀ ଭଲରେମନ୍ଦରେ କେବେ ଫୋନ୍ କରିବେ ନାହିଁ କି ପଚାରି ବୁଝିବେ ନାହିଁ ଯେ - ତୁମେ ଖାଇଲଣି କି ନାହିଁ, ତୁମ ଦେହ କେମିତି ଅଛି, ମାଆ କେମିତି ଅଛନ୍ତି, କିଏ ରୋଷେଇ କରିଦେଉଛି, ଏପରି କିଛି ନାହିଁ। କଥାରେ ଅଛି ପରା କୋଉ ସ୍ତ୍ରୀ ନାଶେ, କୋଉ ସ୍ତ୍ରୀ ବାସେ। ଏଟା ବି କୁହାଯାଇଛି - "ଭାଗ୍ୟାନି ଫଳାନି ଦୋଷଃ।" ତେଣୁ ନିଜଭାଗ୍ୟ ତ ଖରାପ ଆଉ କାହାକୁ ଦୋଷଦେଇ ଲାଭ କ'ଣ? ଏମିତି ଭାବୁଭାବୁ କମଳାକାନ୍ତଙ୍କୁ ରାତିସାରା ଆଉ ମୋଟେ ନିଦହୁଏ ନାହିଁ, କେବଳ ପଙ୍ଖାଟାକୁ ଚାହିଁଚାହିଁ ରାତିପାଏ। ସକାଳୁ ଉଠିଲେ ପୁଣି ସେଇ ଏକା, ପୁରୁଣା ଧରାବନ୍ଧା କାମ। ତେଣୁ ସବୁବେଳେ ବିଷାଦଗ୍ରସ୍ତ ମନ। ସତେ ଯେମିତି କିଏ ତାଙ୍କ ମୁହଁରୁ ହସ କେବେଠାରୁ ଛଡ଼େଇ ନେଇଛି। ତେଣୁ ଚିନ୍ତାରେ ଶରୀରର ଗଣ୍ଡି ଦୁର୍ବଳ ହୋଇଗଲାଣି। ମୁହଁହାତ ସବୁବେଳେ ଶୁଖିଲିଆ ଦିଶୁଛି। ସାଥି ସହକର୍ମୀ କେବେ ପଚାରିଲେ ବି ସେ କଥାଟା ବାଆଁରେଇ ଦିଅନ୍ତି। ନିଜ ମନକଥା କାହାକୁ ଖୋଲିକି କହିପାରନ୍ତି ନାହିଁ। ନିଜ ସ୍ତ୍ରୀଛୁଆ କଥା ସେ କାହାକୁ ବା କହିବେ, ତେଣୁ ମରମେ ମରମେ ବେଦନା ସହନ୍ତି। ଅତିରିକ୍ତ କଷ୍ଟହେଲେ ମୁଣ୍ଡଟାକୁ ମୁଠେଇ ଧରନ୍ତି।


ସାବିର କିନ୍ତୁ ଚିନ୍ତା ଅଛି ନା ପରିସ୍ଥିତି ପାଇଁ ଉଦବେଗ। ତା'ର କୋଉ କଥାକୁ ଢୋ ନାହିଁ। ନିଜେ ତ ଅଲିଅଳି ରାଜଜେମା, ବୋପାଘରେ ରାଜସୁଖ କରୁଛି ଆଉ କାହା କଥାରୁ ତା'ର କ'ଣ ଅଛି ।ସେ ବୋପାଭାଇ ବି ସେଇ ରକମର। ତାଙ୍କୁ କ'ଣ ଜ୍ୱାଇଁର କଷ୍ଟ କେବେ ଦେଖାଯାଉ ନାହିଁ ନା ପରପୁଅ ଭାବି ସେଗୁଡାକୁ ସେ ଭାବନ୍ତି ନାହିଁ? ଆପଣ ଯାହା ଭାବନ୍ତୁ ପଛକେ, ସତରେ ଏହା ଭାରି ସମ୍ବେଦନଶୀଳ ଓ ଉଦବେଗଜନକ ଘଟଣାବଳୀ।


ଗୋଟେ ପକ୍ଷରେ ଅର୍ଥର ପ୍ରାଚୁର୍ଯ୍ୟତା ନଥିଲେ ବି ସ୍ୱଚ୍ଛନ୍ଦତା ଅଛି। କିନ୍ତୁ ଅନ୍ୟପକ୍ଷରେ ମାନସିକ ଶାନ୍ତି ନାହିଁ। ସବୁକିଛି ଥାଇ ବି ସେ ଆଜି ନିଜକୁ ଚାପମୁକ୍ତ ରଖିପାରୁ ନାହାଁନ୍ତି। ଅହରହ ସମସ୍ୟାରେ ପଡ଼ି ଦହଗଞ୍ଜ ହେଉଛନ୍ତି। ନିଜ ସହିତ ନିଜେ ଯୁଝୁଛନ୍ତି। ଠିକ୍ ଭୂଲର ମାପକାଠି, ସେ ଖୋଜିକି ପାଉନାହାଁନ୍ତି। ଫଳରେ ନିଜ ମାପଦଣ୍ଡରେ ନିଜକୁ ମାପୁଛନ୍ତି। କିନ୍ତୁ ଫେର୍ ପୁଣି ସବୁ ଗଡ଼ବଡ଼ ହୋଇଯାଉଛି, ଦୁନିଆ ଗଣିତଟା ଭୁଲଭାଲ ହୋଇଯାଉଛି। 


ଏଥରେ ସେ ମାନସିକ ସନ୍ତୁଳନ ହରାଇ ବସିଲେ। ଭାରି ଅସଙ୍ଗତି। କେଉଁଟା ବି ଠିକ୍ଠାକ୍ ଲାଗୁ ନାହିଁ। ଭାରି ଯନ୍ତ୍ରଣା ହେଲା - ହୃଦୟରେ। ଏତେ ଜୋର୍ ଯନ୍ତ୍ରଣା ଯେ, ଆଉ ସହିପାରିଲେ ନାହିଁ। ଛାତିଟାକୁ ଜୋର୍ ଜାବୁଡ଼ିଧରି ଆଃ ଆଃ ଚିତ୍କାରକରି ଚଟାଣରେ ଲୋଟିଗଲେ।

ମାଆ ଅନନ୍ୟୋପାୟ ହୋଇ ନଇଁ ନଇଁ ପାଖପଡ଼ୋଶୀକୁ ଖାଲି ଡାକିଛନ୍ତି। ଲୋକ ଜମା ହୋଇଗଲେ। ଡାକ୍ତରଖାନା ବୁହାହେଲେ। ହାର୍ଟ ଅପରେସନ୍ ଷ୍ଟେନ୍ ଲାଗିଛି।

 "କେତେବେଳେ ଯେ କେଉଁକଥା,

ଦେବଙ୍କୁ ଅଗୋଚର ପରା ।"

ସାବିର କିନ୍ତୁ କ'ଣ ହେଲା କେଜାଣି, ସେଇଦିନଠାରୁ ତ ଆସିକି ଘରେଅଛି। ରନ୍ଧାବଢା ସବୁ କରୁଛି, ସେବାଯତ୍ନରେ ବି ଏତେକିଛି କମ୍ ନାହିଁ।ମୁଣ୍ଡରେ କିଛି କିଛି ବୋଧେ ଚେତନା ପଶିଲାଣି। ଭଗବାନ କରନ୍ତୁ, ସେ ସୁଧୁରି ଯାଆନ୍ତା କି।ଯାହା କୁହନ୍ତୁ ପଛେ ଲୋକଟା ବହୁତ କଷ୍ଟ ପାଇଲାଣି।


Rate this content
Log in

Similar oriya story from Inspirational