STORYMIRROR

Satyaprakash Sethy, M. A(UGC NET)

Romance

4  

Satyaprakash Sethy, M. A(UGC NET)

Romance

ଆଖି ରଙ୍ଗ ଦେଖାଉଛି

ଆଖି ରଙ୍ଗ ଦେଖାଉଛି

10 mins
415



ପାତ୍ର ବାବୁ ଆଜି ପରିଣତ ବୟସରେ, ପାଖରେ କେହି ନାହାନ୍ତି - ଏକୁଟିଆ। ଏକା ଏକା ଜୀବନର ଅନ୍ତିମ ଚରଣକୁ ଗଣୁଛନ୍ତି। ଅତୀତକୁ ରୋମନ୍ଥନ କରୁଛନ୍ତି, ବର୍ତ୍ତମାନକୁ ହଜାଇ, ଭବିଷ୍ୟତକୁ ଅଣ୍ଡାଳୁଛନ୍ତି।

ଅତୀତ ଖୁବ୍ ସୁନ୍ଦର, ସୁନ୍ଦର ସେଦିନର ପ୍ରତିଟି ମୁହୂର୍ତ୍ତ। କେତେ ପ୍ରୀତିମଧୁର ସେଦିନର ପ୍ରତିଟି ଘଟଣା। ଖୁସି ହିଁ ଖୁସି, ଖାଲି ଖୁସିଥିଲା। ବିଛଣାରୁ ଉଠି ରାତିଯାଏ ଗାଁ ଗୋଟାକର ବୁଲିଖେଳି ଖାଲି ଦଲମାଦଲ କରୁଥିଲେ। "ଖେଳନ୍ତୁ, ଛୁଆ ହୋଇଛନ୍ତି ଖେଳିବେ ନାହିଁ ତ ଆଉ କ'ଣ ଘରେବସି ଚାଙ୍ଗୁ ବଜାଇବେ "- ବୁଢ଼ାବା' କହୁଥିଲେ।

ଟିକିଏ ହେତୁ ହେଲାପରେ ସ୍କୁଲଯିବା ଲାଗି ହେଲେ। ବୁଢ଼ାବା' କହୁଥିଲେ - "ଆଉ ବର୍ଷେ ଦୁଇବର୍ଷ ଯାଉ, ଖେଳିଲାବୁଲିଲା ସମୟ ଯାଇ ନାହିଁ, ପାଠ କ'ଣ ପଢିବେ?"


କିନ୍ତୁ ସାର୍ ଆସି ଘରପାଖରୁ ଛୁଆଙ୍କୁ ଡ଼ାକି ନେଇଗଲେ - ବାପାମାଆଙ୍କୁ ବୁଝାଇ, ଯେହେତୁ ସ୍କୁଲରେ ପିଲା ହେଉ ନ ଥିଲେ। ମାଗଣା ବହି ବି ଦେଲେ। ଆଖପାଖ ଦି ଚାରିଖଣ୍ଡ ଗାଁ ପାଇଁ ପରା ଗୋଟିଏ ସ୍କୁଲ - ରାଇରାମଚନ୍ଦ୍ରପୁର ଉ. ପ୍ରା. ବିଦ୍ୟାଳୟ, ଯାହା ପିଲା ଅଭାବରୁ ବନ୍ଦ ହୋଇଯିବାକୁ ବସିଥିଲା। ଓଉପଦା ବ୍ଲକ ଅନ୍ତର୍ଗତ ତ୍ରିପୁରା ଗାଁଠାରୁ ତାହା ଦୁଇ କିଲୋମିଟର ଦୂରବର୍ତ୍ତୀ। ତ୍ରିପୁରା ଗାଁର ବାସିନ୍ଦା ନୀଳମଣି ପାତ୍ରଙ୍କ ପୁଅ ତ୍ରିଲୋଚନ ପାତ୍ର। ଛୋଟ ପିଲାଟିଏ, ଛୋଟ ତା'ର ସ୍ଵପ୍ନ। ସାର୍ ଯାହା କହିବେ ସେ ତାହା କରିବ, ଆଉ ଯେତେବେଳେ ସେ ସୁଯୋଗ ପାଇବ ପାହାଡ଼ ନିଶ୍ଚୟ ସେ ଚଢିବ। ଏହି ମୁଣ୍ଡିଆ ପାହାଡ ତାଙ୍କ ଘରପାଖରୁ ମାତ୍ର ପାଞ୍ଚ କିଲୋମିଟର ଦୂରହେବ, ଯାହା ଶିମୁଳି ପାହାଡା ଅଭ୍ୟାରଣ୍ୟକୁ ଲାଗିଛି। ପ୍ରତିଦିନ ସନ୍ଧ୍ୟାହେଲେ ରଙ୍ଗାସୂର୍ଯ୍ୟ ତା ପଛପଟେ ଲୁଚିଯାଏ। କିନ୍ତୁ ରାତି ପାହିଲେ ତା ବିପରୀତ ଦିଗରୁ କେମିତି ଉଇଁ ଆସେ କେଜାଣି। ତେବେ ରାତିରେ କ'ଣ ରଙ୍ଗାସୂର୍ଯ୍ୟ ଆମ ଭଳିଆ ପାହାଡ଼ ଆରପଟେ ଆଖିମୁନ୍ଦି ଶଯ୍ୟାପାରି ବିଶ୍ରାମ ଯାଏ? ସେଇ ବିଶ୍ରାମସ୍ଥଳୀକୁ ସେ ନିଶ୍ଚୟ ପରିଦର୍ଶନ କରିବ। ହେଲେ କେହି ପରା ତାକୁ ସେଠାକୁ ନେଉ ନାହାନ୍ତି, କହୁଛନ୍ତି -"ସେଠି ବାଘଭାଲୁ ସବୁ ନାଟ କରୁଛନ୍ତି, ଛୋଟଛୁଆ ପାଇଲେ ଝିଣି ଖାଇଦେବେ।ତେଣୁ ଏକୁଟିଆ ଆଦୌ ଯିବୁ ନାହିଁ। ବଡ ହେଲେ ଯାହା କରିବୁ।"

ସତକଥା ରାତିରେ ଭାଲୁ ଆସେ, ଜଳାକବାଟିରେ ସେ ନିଜେ ଦିନେ ଦେଖିଛି - ବୋଉ ତାକୁ ଦେଖେଇ ଦେଇଥିଲା। ପାଚିଲାଧାନ ଖାଇବା ପାଇଁ ହାତୀପଲ ବି ଆସନ୍ତି। ଭାରି କ୍ଷତିକରନ୍ତି, ସକାଳୁ ପାହୁଲ ଚିହ୍ନ ସବୁ ପଡିଥିବ, ଦଳାଚକଟା କରିଦେଇଥା'ନ୍ତି। ଭାରି ବଦମାସ୍। ବର୍ଷକ ଫସଲ ନଷ୍ଟ ହୋଇଯାଏ। ହେଟା ବି କେବେ ହେନ୍ତାଳ ଛାଡେ। 

ନିଜମନ ଭିତରେ ସବୁଇଛା ମରିଯାଏ।ସମୟ ହାତରୁ ଖସିଯାଏ। ଏଣିକି ଆହୁରି ଦୂର ଅର୍ଥାତ୍ ଘରଠାରୁ ଆହୁରି ପାଞ୍ଚ କିଲୋମିଟର ଦୂର, ଫତେପୁର ହାଇସ୍କୁଲରେ ସେ ପାଠପଢ଼ିଲା। ସେ ଏକା ନୂହେଁ ଗାଁରୁ ଆହୁରି ଚାରି /ଛଅ ଜଣ ସାଥିରେ ଗଲେ। ବାପା ତେଣୁ ଆଉ ମନାକଲେ ନାହିଁ, ଛାଡିଦେଲେ।

ବୋଉର ବି ଭାରି ଡର। ପୁଅ ପଢୁ କି ନ ପଢୁ, କିନ୍ତୁ ସୁରକ୍ଷିତ ରହୁ। ତ୍ରିଲୋଚନ ପ୍ରତ୍ୟହ ପାଞ୍ଚ କିଲୋମିଟର ଚାଲିଚାଲି ଆସେ ଓ ଚାଲିଚାଲିଯାଏ, ପାହାଡାର ବିପରୀତ ଦିଗରେ ଅବସ୍ଥିତ ଫତେପୁର ସ୍କୁଲକୁ। ତେବେ ସେଇ ଏକା ବାଟ ତ ତାଙ୍କ ଘର ପାଖରୁ ମୁଣ୍ଡିଆ ପାହାଡ ସେ କାହିଁ ଯାଇପାରିବ ନାହିଁ। ଅବଶ୍ଯ ଘଞ୍ଛ ଜଙ୍ଗଲିଆ ରାସ୍ତା, ତେବେ ବି ସାହସ ବାନ୍ଧିଲା ଥରେ ଦୁଇଥର, ଯିଏ ବାଟରେ ଦେଖିଲା ରୋକିଦେଲା, କହିଲେ - "ଛୁଆଟା ଏକୁଟିଆ କ'ଣ ଯାଉଛୁ? ଜଙ୍ଗଲକୁ ଦଳବଦ୍ଧ ହୋଇ ଯାଆନ୍ତି। ଫେରିଯା' ଭୟଙ୍କର ହିଂସ୍ର ବନ୍ୟଜନ୍ତୁ ଅଛନ୍ତି, ଭକ୍ଷଣ କରିଦେବେ। ପଛକୁ ହଟିଲା, ଘରକୁ ଫେରିଲା, ଆଉ ମନକରି ନାହିଁ, ବଡ଼ ହେବାଯାଏ। ଠିକ୍ କଥା, ରଜ ବା ମକର ସଂକ୍ରାନ୍ତି ଆସିଲେ ପରା ପାଞ୍ଚ ଖଣ୍ଡ ଗାଁର ଲୋକେ ଏକାଠି ହୋଇ ଶିକାରୀ ପଠାନ୍ତି। ସେମାନେ ମାରିକି କୁଟୁରା, ହରିଣ, ବରାହ ଆଣନ୍ତି, ସମସ୍ତେ ଭାଗକରି ଭୋଗପାଇଲା ପରି ମାଂସଭାଗ ନିଅନ୍ତି।

ପ୍ରତିଦିନ ରାତିହେଲେ ଜଙ୍ଗଲଆଡୁ ନିଆଁହୁଳା ଉଠେ। ବୁଢ଼ାବା' କୁହେ - "ଡାଆଣୀ ସେଠି ନିଆଁ ପୁହୁଁଛି।"

ବୋଉକୁ ପଚାରିଲେ, ବୋଉ କୁହେ -" କାଠୁରିଆ ଦିନବେଳା ଜଙ୍ଗଲରୁ ଫେରିଲାବେଳେ ନିଆଁ ଲଗାଇଦିଅନ୍ତି। ଶୁଖିଲାପତ୍ର ସବୁ ଜଳିପୋଡି ଜଙ୍ଗଲ ଭିତରକୁ ରାସ୍ତା ପଡିଯାଏ। ତା ପରଦିନ ସେମାନେ ଆହୁରି ଭିତରକୁ ଯାଇ ସହଜରେ କାଠ ସଂଗ୍ରହ କରନ୍ତି।"

ଛାଡ, ମାଟ୍ରିକ୍ ବି ସରିଗଲା, ଏବେ ଗାଁ ଛାଡିବାକୁ ପଡିଲା। ସୋରୋ କଲେଜରେ ପଢିଲେ, ସେଠି ମେସ୍ ରେ ରହିଲେ। ଅନ୍ୟ ଯୁବକଙ୍କ ପରି ସିଏ ବି ଯୁବ ଉନ୍ମାଦନାରେ ବିଭୋର ହେଲେ। ଗୋଟେ ଝିଅକୁ ଦେଖିଦେଖି ପ୍ରେମକରି ବସିଲେ। ଏଇ ଝିଅଟା ତାଙ୍କ କ୍ଲାସ୍ ରେ ପଢ଼େ ନାହିଁ କି କଲେଜ ଯାଇ ନାହିଁ, ଏକାଦଶ ଶ୍ରେଣୀ ପରୀକ୍ଷା ଏଥର ଦେବ। ଷୋହଳ ବୟସୀ, ଅନୂଢ଼ା ତରୁଣୀ। ରୂପ ଯୌବନର କଳନା ନାହିଁ - ଲଳନାର । ଅପୂର୍ବ ସୌନ୍ଦର୍ଯ୍ୟଭରା, ଦୀପ୍ତିମୟୀ ଆଭା। ପୂର୍ଣ୍ଣ ଯୌବନପ୍ରାପ୍ତା, କଷି କନିଆ ।


ଟୋକା ଫସିଗଲା।ଆଖି ରଙ୍ଗ ଦେଖାଏ, ନିଇତି ତାକୁ ଦେଖେ - ଝରକା ପାଖରେ ସେ ପଢ଼େ, ବାଡ଼ିପଟେ ଲୁଗା ଶୁଖାଇବାକୁ ଆସେ। ବାଥ୍ ରୁମ୍ ରୁ ଗାଧୋଇ ଟାୱେଲଟେ ବେଢ଼ି ଦୌଡ଼ି ଘର ଭିତରକୁ ପଳାଏ, ସନ୍ଧ୍ୟାପୂର୍ବରୁ ଛାତ ଉପରେ ଟହଲମାରେ, ବେଳେବେଳେ ମେସ୍ ଆଡକୁ ଅନେଇ ଫିକିଫିକି ହସେ। ଚିକ୍ଚିକ୍ ତା'ର ସୁନ୍ଦର ମଣୋହିଟି ଦିଶିଯାଏ।

ତେଣୁ ଶୟନେ, ସପନେ, ଜାଗରଣେ ଟୋକା ବାୟା ହେଲା, ଖାଲି ତାକୁ ଦେଖିବା ପାଇଁ ଝୁରିମଲା। ସେ ପରା ସ୍ଵପ୍ନ ମୟୂରୀ, ନିଇତି ସ୍ଵପ୍ନରେ ଆସେ। ଏଥର ଦୁର୍ଗାପୂଜା ଛୁଟିରେ ମେସରେ କେହି ରହିଲେନି। ସମସ୍ତେ ଘରକୁ ପଳାଇଲେ। ମେସ୍ ଖାଲି। ତ୍ରିଲୋଚନ ଏକୁଟିଆ ରହିଲା, ଖାସ୍ ନବନୀତାକୁ ଦେଖିବା ପାଇଁ। ବେଶ୍ କିଛିଦିନ, ନବନୀତାକୁ ଏକାଏକା ଦର୍ଶନ - ବେଶ୍ ଉପଭୋଗ୍ୟ ହେଲା। କେହି ନାହାନ୍ତି ରୋକିବାକୁ, ସେଇ କେତେଦିନ ହୋଟେଲରୁ ଖାଇ, ମେସରେ ପଡ଼ିଛି - ଚବିଶ ଘଣ୍ଟିଆ ଦର୍ଶନ ପାଇଁ।


ତିନି/ ଚାରିଦିନ ବିତିଗଲାଣି, ତଥାପି କାହିଁ କିଛି ପ୍ରେମ ବେପାରରେ ଅଗ୍ରଗତି ନ ହେବାଦେଖି, କଠିନ ନିଷ୍ପତ୍ତି ଆଡକୁ ଢଳୁଥିଲା ତ୍ରିଲୋଚନ। ରାତିସାରା ନ ଶୋଇ ପତ୍ରଟିଏ ଲେଖିବସିଲା।

ପ୍ରିୟା,

ତୁମେ ବହୁତ ସୁନ୍ଦର। ତୁମର ସବୁକିଛି ଅସାମାନ୍ୟ ଲାବଣ୍ୟରେ ଭରା। ମୁଁ ଦେଖୁଛି ତୁମକୁ ସବୁବେଳେ, ପ୍ରତିଟି ମୁହୂର୍ତ୍ତ ଅପେକ୍ଷାରେ ଯାଏ କେତେବେଳେ ତୁମେ ପୁଣି ଘରୁ ବାହାରି ବାଡ଼ି ଅଗଣାରେ ଲଟପଟ ହେବ। ହେଲେ ଖାଲି ଦେଖିବାରେ ଯାଉଛି, ଥରୁଟିଏ ହେଲେ ତୁମେ ମୁହଁ ଖୋଲିଲ ନାହିଁକି ମୋତେ ମୁହଁ ଖୋଲି କହିବାକୁ ପଦୁଟିଏ ଦେଲ ନାହିଁ। ମୁଁ ଏତେବଡ଼ ଛୁଟିଟାରେ ଘରକୁ ନ ଯାଇ, ଏକଲା ଏହି ଭୂତକୋଠିଟାରେ (ମେସ୍) ପଡ଼ିରହିଛି, ଖାସ୍ ତୁମରି ପାଇଁ। ତମେ ଯଦି କିଛି ନ କହିବ, ମୋ ରହିବାରେ କିଛି ଲାଭ ନାହିଁ। ମୁଁ ଜାଣିଛି, ମୁଁ ଅନାଇଲେ, ତୁମ ଆଖି ବି ରଙ୍ଗ ଦେଖାଉଛି। ତୁମେ ବି ମୋତେ ଟେରେଇକି ଚାହୁଁଛ, ମୁଁ ହସିଦେଲେ ତୁମେ ବି ମୁରୁକି ମୁରୁକି ହସ। କିନ୍ତୁ ମୁଖମଣ୍ଡଳର ଭାଷା, ଓଠଦେଇ କେବେ ବି ପ୍ରକାଶ ପାଇଲା ନାହିଁ, ତେଣୁ ଚିଠିଲେଖି ଜଣାଉଛି 'ମୁଁ ତୁମକୁ ଭଲପାଏ' ବୋଲି। ଉତ୍ତର ଅପେକ୍ଷାରେ, ଉତ୍ତର ନ ଦେଲେ ଭୁଲିଯିବି ମୁଁ କାହାକୁ ଭଲ ପାଉଥିଲି ବୋଲି।

(ଇତି)

ମୁଁ ତୁମର ସିଏ

ରାତିସାରା ନିଦ ନାହିଁ,ଉଜାଗରରେ ରାତି ପାହିଲା। ସକାଳେ ସୁଯୋଗଦେଖି ନବନୀତାର ସାନଭାଇ ପିଙ୍କୁଲକୁ ବାଡ଼ ପାଖକୁ ଚୁପ୍ କିନା ଡାକିଲା

। ଚକୋଲେଟ୍ ଲାଞ୍ଚଦେଇ ଚିଠିଟି ସାହସର ସହ ଧରାଇଦେଲା। କହିଲା - "ଏଇଟା ଟିକିଏ ଦିଦିକୁ ଦେଇଦେବୁ, ପାଠଲେଖା ହୋଇଛି, ଆଉ କାହାକୁ ଦେବୁ ନାହିଁ।"

ଚିଠି ପାଇଲା ପରେ ନବନୀତା ଆଙ୍କୁପାଙ୍କୁ ହେଉଥିଲା କିଛି କହିବ କହିବ ବୋଲି ନିଶ୍ଚୟ, ହେଲେ କାହିଁ ଭାରି ହସୁଥିଲା। ତ୍ରିଲୋଚନ କିନ୍ତୁ ଭାରି ଡରି ଯାଇଥିଲା। ଯଦି କିଛି ଓଲଟାସିଧା ହେବ, ତେବେ ମେସ୍ ଛାଡିବାକୁ ପଡିବ ନ ହେଲେ ପିଠିରେ ମାଡପଡ଼ିବ।

ରତରତିଆ ଖରାବେଳ ଗଡ଼ିଗଲା, ସୂର୍ଯ୍ୟ ନଇଁ ଆସିଲା ପୂର୍ବରୁ ନବନୀତା ଏମିତି ବୁଲିଲା ଚାଲିଲା ହୋଇ ବଜାର ବାହାରିଗଲା। ତ୍ରିଲୋଚନ ଅନିଷା କରି ରହିଲା। ଅଳ୍ପ ସମୟ ପରେ ସେ ଫେରିଆସି ମେସ୍ ଆଗରେ ଟିକିଏ ରୋକିଗଲା ।ତ୍ରିଲୋଚନ ବିକିଳିଆ ହୋଇ ରାସ୍ତାପାଖକୁ ଧାଇଁଗଲା, ସେଇ ଅସ୍ତମିତ ସୂର୍ଯ୍ୟର ରକ୍ତିମାରେ ଝଲସିତ ହେଉଥିବା ନବନୀତା ପାଖକୁ , କାଳେ ଚିଠି ଗୋଟେ ପ୍ରତ୍ୟୁତ୍ତରରେ ମିଳିବ କି? ହେଲେ ସେମିତି କିଛି ତ ହେଲା ନାହିଁ। ବରଂ ନବନୀତା କ୍ଷୀଣ ସ୍ଵରରେ ଏତିକି କହିଗଲେ - "ଆଉ ଚିଠି କେବେ ଦେବ ନାହିଁ ।"

ପୁଣି ସେଇ ରଙ୍ଗାସୂର୍ଯ୍ୟଟା ମୁଣ୍ଡିଆ ପାହାଡ ତଳେ ଲୁଚିଗଲା, ଯେମିତି ସବୁଦିନ ଲୁଚିଯାଏ। 

ତ୍ରିଲୋଚନକୁ ଏବେ ଦୁନିଆଟା ବିଷପିତା ଲାଗିଲା - କାଳେ କିଛି ଭୁଲ ହୋଇଗଲା କି, ନବନୀତା ଏମିତି କାହିଁକି କହିଗଲା? ଶୋଇ ଶୋଇ ବିଛଣାରେ ଛଟପଟ ହେବାକୁ ଲାଗିଲା।ଛୁଟି ପୂରିଯାଇଥିଲା, ପିଲା ସବୁ ମେସକୁ ଫେରିଲେ। ସବୁକିଛି ସ୍ୱାଭାବିକ ଚାଲିଲା। ପରୀକ୍ଷା ଉପନୀତ ହେବାରୁ ପାଠପଢା ଲାଗି ରହିଲା। ପ୍ରେମପାଠ ଅଧାଅଧିରୁ ରହିଲା। ତ୍ରିଲୋଚନ ଆଇ. ଏ. ପାସ୍ କରି ପୁଣି ସେଇଠି ବି. ଏ. ପଢ଼ିଲା ଆଉ ନବନୀତା ମାଟ୍ରିକ୍ ପରେ କଲେଜ ମାଟିମାଡ଼ିଲା।

ତ୍ରିଲୋଚନର ଫାଇନାଲ୍ ଇୟର ବେଳକୁ ନବନୀତାର ବି. ଏ. ପ୍ରଥମ ବର୍ଷ। ଏଣିକି ପ୍ରେମରାଗିଣୀ ଧାରା ପୁଣି ବୋହିଲାଣି। ନବନୀତା ତ ନୋଟ୍ ଟେ କି ବହିଟେ ସୁବିଧା ପାଇଲେ କେବଳ ତାକୁ ହିଁ ମାଗନ୍ତି। ଭାରି କାହିଁକି ଏଣିକି ସେ କନକନ ହେଉଛନ୍ତି। କଲେଜରେ ତ ଉପରେ ପଡ଼ି କଥା ହେଉଛନ୍ତି।


ଏହି ତ୍ରିଲୋଚନର ଭାରି ଚାର୍ମିଂ ପର୍ସନାଲିଟି ଅର୍ଥାତ୍ ଶାନ୍ତିପ୍ରଦାୟକ ତଥା ଆକର୍ଷଣୀୟ ବ୍ୟକ୍ତିତ୍ୱ, ଯେକୌଣସି ଲୋକ ଅକ୍ଳେଶରେ ତାଙ୍କ ପ୍ରତି ଆକୃଷ୍ଠ ହୋଇଯିବ। ସହଜେ ତ ଏବେ ତାଙ୍କ ଭିତର

େ ପୂର୍ଣ୍ଣଯୌବନ ପରିସ୍ଫୁଟ ହୋଇ ଫୁଟିଉଠୁଛି। ଛଇଛାଡ ଟୋକାଟିଏ। ଛଇଲିଛଟକ ଚାଲି। ଛାତିରେ ପୁଞ୍ଜାଏ ବାଳ, ମୁଖ ମଣ୍ଡଳରେ ଫ୍ରେଞ୍ଚକଟ୍ ଦାଢ଼ି, ମୁନିଆ ନିଶ, ମୁଖ ମଣ୍ଡଳରେ ଛିଟିକି ପଡୁଥିବା ମୁଚକୁନ୍ଦିଆ ହସ। ତାଙ୍କର ଟିକିଏ ଝିଅ ସିନ୍ଡ୍ରୋମ ବା ଲାକ୍ଷଣିକ ପ୍ରୟୋଗ ମଧ୍ଯ ଅଛି, ଯେମିତିକି ସେ କାନରେ ଗୋଟେ ସୁନା ଫାଶିଆ ପିନ୍ଧିଛନ୍ତି, ହାତରେ ଚୁଡ଼ି ଭଳି ଗୋଟେ ମୋଟା ବଳା ଆଉ ଗୋଟେ କାଣୀ ଅଙ୍ଗୁଳି ନଖକୁ ଖୁବ୍ ବଢେଇ ନେଲ ପଲିସ୍ ଲଗାଇବା ତାଙ୍କର ଗୋଟେ ନିଆରା ସୌଖ୍ୟ। ତାଙ୍କର ରଙ୍ଗା ଆଖିକୁ, ରଙ୍ଗା ଅଧର - ବେଶ୍ ମାନେ। 


ସିଏ ସତରେ ଟିକିଏ ପିକ୍ଯୁଲିଆର ଅର୍ଥାତ୍ ବିଚିତ୍ର ଓ ଅଜବ। ଯେମିତି ଗୋଟେ ଗୋଟେ ହସକୁରା ଝିଅ ନ ଥାଆନ୍ତି ନା- କିଛି କାରଣ ଥାଉ ବା ନ ଥାଉ ଖାଲି ଖିଲିଖିଲି ହସିବେ, ଠିକ୍ ସେହିପରି ତ୍ରିଲୋଚନ ସବୁବେଳେ ହସୁଥିବ, ତା ହସ ନନଷ୍ଟପ୍ ମାନେ ଅବିରତ । ଲୋକେ ପଚାରିବେ - "କିବେ! ହସୁଛୁ କାହିଁକି? "ସିଏ କହିବ - "କାହିଁ ହସିଲି କେଉଁଠି? ମୋର ତ ସବୁବେଳେ ସେଇ ରକମର।"

ସତରେ ବଡ ଅଜୁବା। ଇଂରେଜୀ ପ୍ରାଧ୍ୟାପକ ନାଏକ ସାର୍ ପରା ତାକୁ ଡାକନ୍ତି - 'ଟାଲିସମ୍ୟାନ୍' । କେହି ତା ଅର୍ଥ ସେତେ ବୁଝିପାରନ୍ତି ନାହିଁ। ଥରେ ଛୁଆ ସାରଙ୍କୁ ପଚାରିଲେ, ସାର୍ କହିଲେ - " ଟାଲିସମ୍ୟାନ୍ ମାନେ ଗୋଟେ ଯାଦୁଶକ୍ତିଯୁକ୍ତ ବସ୍ତୁ ଯାହା ଭଲ ଭାଗ୍ୟ ବା ସମୃଦ୍ଧି ଆଣିବାକୁ ସକ୍ଷମ ହୋଇଥାଏ। ଉଦାହରଣ ସ୍ଵରୂପ - ତାବିଜ, ଗଡ଼ା ବା ଡେଉଁରିଆ।" ସେଇଦିନ ପାଖରୁ ସମସ୍ତେ ତାକୁ 'ଟାଲିସମ୍ୟାନ୍' ଡାକନ୍ତି। ତେଣୁ ସେ ହୀରୋ ହୋଇଗଲା। ସବୁ ଝିଅ ତାଙ୍କ ପଛରେ ଏକରକମର ପଡ଼ିଗଲେ। ସେ କଲେଜ୍ ଆଇକନ୍ ବନିଗଲା ନା। ଦିନେ ଯେଉଁ ନବନୀତା ତାଙ୍କ ପ୍ରେମ ନିବେଦନକୁ ଠୁକୁରେଇ ଦେଇଥିଲା, ସିଏ ବି ଏବେ ପରା କଲେଜ୍ ସାରା ତାକୁ ହିଁ ଅଣ୍ଡାଳି ହେଉଛି, କେବଳ ତାରି ବାଟକୁ ଅନିଷା କରି ରହୁଛି। କେହି ତା ବିଷୟରେ କଥା ହେଲେ ଭାରି କୁତୁକୁତୁ ହୋଇ ଶୁଣୁଛି, ଆହୁରି ଆହୁରି ତା ବିଷୟରେ ଶୁଣିବା ପାଇଁ କହୁଛି - "ସେଇଠୁ କ'ଣ ହେଲା" , "ତା' ପରେ କ'ଣ ହେଲା" , "ଆଲୋ କହନା" , "ଆଉ ଟିକିଏ କହ" ।

ନବନୀତାର ଇଛା - ଟାଲିସମ୍ୟାନ୍ ତାକୁ ଫିଲ୍ମ ଦେଖାଇ ନିଅନ୍ତା କି, ତାକୁ ପାର୍କ ବୁଲାଇ ନିଅନ୍ତା, ମନ୍ଦିର ଗାତ୍ରରେ ସଚିତ୍ରିତ ଚିତ୍ର ସମ୍ପର୍କରେ ବିକ୍ଷିପ୍ତ ଭାବେ ଧାରାବିବରଣୀ ଶୁଣାନ୍ତା- ଭାରି ମଜା ଲାଗନ୍ତା। କିନ୍ତୁ ଏ ଟୋକା ବା ଆଉ ପଦଗଦ ମାନୁ ନାହିଁ କି ତାକୁ ଆଡଆଖିରେ ଦେଖୁ ନାହିଁ। ତା ଆଖି ଏବେ ରଙ୍ଗ ଦେଖାଉଛି। ବିଶ୍ବାସ କରିହେଉ ନାହିଁ ଯେ, ଏଇ ତେବେ କ'ଣ ସେଇ ଟୋକା, ଯିଏ ଦିନେ ତାଙ୍କ ପଛରେ ପଡିଥିଲା। ତାଙ୍କୁ ଦେଖିବ ଦେଖିବ ବୋଲି, ଆଖି ଦୁଇଟାକୁ ଫାଡ଼ି କି ବସିଥିଲା। ସେ ପରା ପ୍ରେମ ଦିୱାନା ଥିଲା। ତାହେଲେ ଆଜି ଏତେ ଘମଣ୍ଡ କାହିଁକି? ଓଃ ସେ ପରା ଏବେ କଲେଜ ହୀରୋ। ସବୁ ଟୋକୀ ତା ପଛରେ ଲାଇନ୍ ଲଗେଇଛନ୍ତି। ତେବେ ଏ ଟୋକା ଏମିତି ଚିଠି ଲେଖୁଥିଲା କାହିଁକି, କେହି କ'ଣ ତା'ର ପ୍ରଥମ ପ୍ରେମକୁ ଏମିତି ସହଜରେ ଭୁଲିପାରେ? ଏମିତି ସବୁ ଭାବନା ରାଜ୍ୟରେ ବିଭିନ୍ନ ଚିନ୍ତାଧାରା ଖେଳି ବାଡ଼ ଭାଙ୍ଗୁଥିଲା।

ଆହୁରି କେତେ ଟୋକା ତ ତାଙ୍କ ପଛରେ ପଡ଼ିଛନ୍ତି, କିନ୍ତୁ କାହା ପ୍ରତି ସେତେ ଆକର୍ଷଣ ତା ଭିତରେ ଜାଗୁ ନାହିଁ କାହିଁକି? ତାହେଲେ କ'ଣ ଟାଲିସମ୍ଯାନ୍ ହିଁ କେବଳ ତା'ର ଜୀବନସାଥି ବୋଲି ଆରଜନ୍ମରୁ ସ୍ଥିରୀକୃତ ହୋଇଛି। ସବୁ ଧ୍ୟାନଧାରଣା ତ ଘୂରିସାରି ହୋଇ କେବଳ ତାରି ଉପରେ କେନ୍ଦ୍ରିତ ହୋଇଯାଉଛି। ଏବେ ନବନୀତା କରିବେ କ'ଣ? ମୁଣ୍ଡ ଚକିପେଷାରେ ଅଟା ପେଷିଲା ପରିକା ଖାଲି ପେଷି ହୋଇଯାଉଛି। ମୁଣ୍ଡଟାକୁ ଜୋର୍ ରେ ଚାପି ଧରିଲେ। ସେ ଟାଲିସମ୍ଯାନର ଅଣଦେଖାକୁ ସହିପାରିବେ ନାହିଁ, ସେମିତି ହେଲେ ପାଗିଳୀ ହୋଇଯିବେ।


ଅନ୍ୟପଟେ ବିପରୀତ ପ୍ରତିକ୍ରିୟା। ଇଏ ପରା ପ୍ରେମ, କେତେବେଳେ ହଁ, ଆଉ କେତେବେଳେ ନା। ଭାରି ରହସ୍ୟମୟୀ - ଏ ପ୍ରେମ। ରହସ୍ୟର ରେଶମି ଅବଗୁଣ୍ଠନ ଭିତରେ ମୁଖ ଆବୃତ କରି ଏହା ସଞ୍ଚରି ଯିବାକୁ ଚାହେଁ - ଏହାର ସଞ୍ଚରଣ ପ୍ରକ୍ରିୟା ଭିନ୍ନ। ଟିକିଏ ଅଲଗା। 

ତ୍ରିଲୋଚନ ପରା ଆଉ କାହିଁ ସେତେ ଆଗ୍ରହ ଦେଖାଉ ନାହାନ୍ତି। ସେ ଯେଉଁ ଥରେ ମୁଣ୍ଡଘୂରା ରୋଗରେ ପଡ଼ି ଚକ୍କର କାଟିଛନ୍ତି, ଆଉ ଇଆଡୁକୁ (ପ୍ରେମ) ମୁଣ୍ଡଦେଇ ଶୋଉ ନାହାନ୍ତି। ପରୀକ୍ଷା ପରେ ତ୍ରିଲୋଚନ ବେଡିଂ ବାନ୍ଧିଲେ ପ୍ରତ୍ୟାବର୍ତ୍ତନ କରିବା ପାଇଁ। ଛୁଆ ଟିକିଏ ମେସ୍ ରେ ପତଳା ହୋଇଗଲା ପରେ, ନବନୀତା ବାଡ଼ ପାଖକୁ ଆସ୍ତେକିନା ଆସିଲେ, କହିଲେ - "ମୁଁ କିନ୍ତୁ ତୁମକୁ ଅପେକ୍ଷା କରିବି, କେବେ ତୁମେ ଆସି ନେବ।"

ତ୍ରିଲୋଚନ କିଛି କହିପାରିଲେ ନାହିଁ, ଖାଲି ତା ମୁହଁଟାକୁ ବଲବଲ କରି ଚାହିଁବା ବ୍ୟତିରେକେ। କିନ୍ତୁ ମନକୁ ମନ ବୋଧେ କହୁଥିଲେ -" ମିଛେଇ ଝିଅର ମିଛନାଟକ, ପୁଣି ଆରମ୍ଭ ହୋଇଗଲା ନାହିଁ ତ।" 

ତ୍ରିଲୋଚନଙ୍କ ନିରବତାକୁ ବୋଧେ ନବନୀତା ଶଯ୍ୟ କରିପାରୁ ନ ଥିଲେ। ସେ ମୁହଁଲୁଚାଇ କାନ୍ଦିକାନ୍ଦି ଦୌଡ଼ି ପଳାଇଗଲେ । ସରିଲା। ନାଟକରେ ବିରାମ ଲାଗିଲା। 

ତ୍ରିଲୋଚନ ଚାକିରି କଲେ, ବାଲେଶ୍ଵର ସହରରେ ଯାଇରହିଲେ। କଲେକ୍ଟର ଅଫିସରେ ସେ କିରାଣୀ ଚାକିରି ପାଇଲେ, ଆଗକୁ ହେଡ୍ କ୍ଲର୍କ ନିଶ୍ଚୟ ହେବେ। ନବନୀତା ଏଣିକି ସବୁ ଟିକିନିଖି ଖବର ରଖେ, କାହା ସହ ଭେଟ ହୋଇଗଲେ ଟାଲିସମ୍ଯାନ ବିଷୟରେ ପଚାରିବୁଝେ, ତା ପତ୍ତା ନୋଟ୍ କରେ। 

ଦିନେ ବହୁ ମାନସିକ ପ୍ରସ୍ତୁତି କରି ଚିଠିଟିଏ ଲେଖିଲା-

ପ୍ରିୟତ୍ତମ,

କେହିଜଣେ ଧୃଷ୍ଟତା କରି ଚିଠିର ପ୍ରତ୍ୟୁତ୍ତର ରଖୁଛି, ଦୀର୍ଘ ଦିନର ଅନ୍ତର ପରେ। ପାରିବ ଯଦି କ୍ଷମା କରିଦେବ। ସେଦିନ ମୁଁ କେମିତି ବୁଝିଥା'ନ୍ତି ଯେ ତୁମ ପ୍ରେମର ଅର୍ଥ, ଯେତେବେଳେ କି ମୁଁ ସ୍କୁଲରେ ପଢୁଥିଲି? ମନରେ ଭାରି ଭୟ ଘାରିଥିଲା। ତୁମକୁ କିଛି ନ କହିବାଯାଏ, ମୁଁ ସ୍ଥିରହୋଇ ରହିପାରି ନ ଥିଲି। କିନ୍ତୁ ବୟସ ସହିତ ଯେତେବେଳେ ସବୁ ବୁଝିଲି, ମୋ ନିଦରେ, ମୋ ସ୍ଵପ୍ନରେ କେବଳ ତୁମେ ଆସିଲ। ମୁଁ ବିଛଣାରେ ପଡି ଛଟପଟ ହୁଏ, ଆଉ ଦିନରେ ତୁମକୁ ଏ ମନ ଖୋଜେ। ହେଲେ ତୁମେ ତ ପାଖ ପଶ ନାହିଁ କି ମୁଣ୍ଡଟେକି ଥରୁଟିଏ ମୋ ଆଡ଼କୁ କେବେ ଚାହିଁଲ ନାହିଁ। ମୁଁ ଚାହିଁଲେ, ଓଲଟା ତୁମ ଆଖି ରଙ୍ଗ ଦେଖାଉଛି। ତେଣୁ କେମିତି ଯେ ମୋ ଭାବାବେଗକୁ ତୁମ ପାଖର ପହଞ୍ଚାଇ ପାରିଥା'ନ୍ତି? କିନ୍ତୁ ମୋ ରାଣେ! ମୁଁ ସତ କହୁଛି, ମୋ ପ୍ରଥମ ପ୍ରେମକୁ ମୁଁ କେବେ ଭୁଲିପାରିବି ନାହିଁ। ମୁଁ ଯଦି ତୁମର ହୋଇ ନ ପାରିବି ତେବେ ଆଉ କାହାର ହେବି ନାହିଁ। ଏଇଟା ମୋ ନିଷ୍ପତ୍ତି, ତୁମକୁ ଜଣାଇଦେଲି।

(ଇତି)

ତୁମର

ନବନୀତା

ପୁଣି କାହାଣୀର ବଡ଼ ଟ୍ଯୁଇଷ୍ଟ ଆସିଲା। ଘଟଣା ଭିନ୍ନମୋଡ ନେଲା। ଏହା ଭିତରେ ଅନେକ ବିବାହ ପ୍ରସ୍ତାବ ଆସିଲାଣି, ହେଲେ ତ୍ରିଲୋଚନ ନାହିଁ - ନାହିଁ କରିଚାଲିଛି। ଶେଷରେ ବାପା ବଡ଼ ବିରକ୍ତ ହୋଇ କହିଲେ - "ତୁ ତୋର ନିଜେ ଦେଖ! ଯେଉଁଠି ହଁ କହିବୁ, ସେଇଠି ବାହାଘର ହେବ। ହେଲେ ଏଇ ସାଲ, ଯେମିତି ହେଉ ତୋ ବାହାଘର ହେବ।"

 ତ୍ରିଲୋଚନ ଦିନେ ବାପାଙ୍କୁ କହିଲେ - "ଏଇଠି ଗୋଟେ ଭଲ ପ୍ରସ୍ତାବ ଅଛି, ଯାଇକି ଆଗ ଦେଖିଲେ।" 

ସେଇଠି ଶେଷରେ, ସେ ବାହାହେଲେ। ବାସ୍ତବରେ ନବନୀତା ବଧୂବେଶରେ ସେଦିନ ଭାରି ସୁନ୍ଦର ଦିଶୁଥିଲେ। ଉଭୟଙ୍କର ଖୁସିର ସୀମା ରହିଲା ନାହିଁ। ମଧୁ ରାତିରେ ମଧୁର ସମ୍ଭାଷଣରେ ପୋତି ପକାଇଥିଲେ ନବନୀତା। ମନ ଭିତରୁ ସମସ୍ତ ଭୟ, ଭ୍ରାନ୍ତି, ଅନୁଶୋଚନା, ଦୁଃଖ, ଅଶ୍ରୁ ଯେମିତିକି ନିମିଷକ କୁଆଡେ ଗାଏପ। ମନ ଗୋଟେ ଅସମ୍ଭବ ପ୍ରସନ୍ନତାରେ ଭରି ଯାଇଥିଲା।


କ୍ରମଶଃ ସଂସାରସୁଖ ବଢ଼ିଲା। କୋଳକୁ ଗୋଟିଏ ପୁଅ ଓ ଦୁଇଟି ଝିଅ ବି ଆସିଲେ। ସେମାନଙ୍କ ଲାଳନପାଳନରେ ଟିକିଏ ବି କମି ହେବାକୁ ଦେଇ ନାହାନ୍ତି - ନବନୀତା ।ପିଲାଗୁଡିକ ଖାଲି ଆଗକୁ ଆଗକୁ ବଢ଼ି ଚାଲିଲେ । ପାଠପଢି ପୁଅ ଏବେ ଆମେରିକାରେ, ଆଉଗୋଟେ ଝିଅ ବାଙ୍ଗାଲୋରରେ। ସାନଝିଅଜ୍ୱାଇଁ ଓଡ଼ିଶାରେ, ସେଇ ବେଳେବେଳେ ବାପାଙ୍କୁ ଦେଖିବାକୁ ଆସନ୍ତି । ସମସ୍ତେ ବାହାସାହା ହୋଇ ନିଜନିଜ ସଂସାର ପାଳୁଛନ୍ତି। ବାଲେଶ୍ବରରେ ତ୍ରିଲୋଚନ-ଏବେ ଏକା । ନିଜ ପେନ୍ସନ ପଇସାରେ ଚଳୁଛନ୍ତି, ସୁଉଚ୍ଚ ଅଟ୍ଟାଳିକା ଭିତରେ ରହୁଛନ୍ତି। ଚାକିରିରୁ ଅବସର ନେବା, ଏବେକୁ ଦଶବର୍ଷ ବିତିଗଲାଣି। ଅର୍ଥର ଅଭାବ ନାହିଁ, କେବଳ ଜନସଂଙ୍କଟ - ମୁଣ୍ଡକୁ ଚିନ୍ତା ଘାରୁଛି। ଅବସରପରେ ପାଞ୍ଚ /ଛଅ ବର୍ଷ ଅବଶ୍ୟ ନବନୀତା ସାଥ୍ ଦେଇଥିଲେ। ହେଲେ ହଠାତ୍ ଦିନେ "ଛାତି କ'ଣ ହେଉଛି" ବୋଲି କହି ବିଛଣାରେ ଟଳିପଡ଼ିଲେ ଯେ, ଆଉ ଉଠିଲେ ନାହିଁ। ତାଙ୍କୁ ଗାଁକୁ ନେଇ, ସେଇ ମୁଣ୍ଡିଆ ପାହାଡ ଆଡକୁ ଶଯ୍ୟାପାରି ଶୁଆଇଦେଇ ଆସିଲେ, ଯେତେବେଳେ କି ଅସ୍ତମିତ ସୂର୍ଯ୍ୟ ସେଦିନ ବି ମୁଣ୍ଡିଆ ପାହାଡ ଆରପଟେ ଶଯ୍ଯାପାରି ଶୋଇ ଯାଇଥିଲେ। ହେଲେ ସୂର୍ଯ୍ୟ ପୁଣି ତା ପରଦିନ ସକାଳେ ଉଇଁ ଆସିଥିଲେ, କିନ୍ତୁ ନବନୀତା ଆଉ ଉଠିଲେ ନାହିଁ।

ଏବେ ଖୁବ୍ ଏକଲା ଅନୁଭବ କରୁଛନ୍ତି- ତ୍ରିଲୋଚନ। ଦିନରେ ଚାକରାଣୀ ଆସି, ରୋଷେଇ କରିଦେଇ ଯାଉଛି। ସନ୍ଧ୍ୟା ହେଲେ, ହାତରେ ସୁରା।ରାତି ହେଲେ ଶୋଇ ପଡ଼ିଲେ, ନବନୀତା ଆଖି ରଙ୍ଗ ଦେଖାଉଛି। ତେଣୁ ବିଛଣାକୁ ଏତେ ଜଲଦି ସେ ଯିବାକୁ ଚାହୁଁ ନାହାନ୍ତି। 

 ପିଆଲାରେ ଚୁମା ଦେଉଦେଉ ଅତୀତକୁ ରୋମନ୍ଥନ କରିବା ବ୍ୟତୀତ ଆଉ କ'ଣ ଉପାୟ ଅଛି ଯେ - ତାଙ୍କ ପାଖରେ, ସେ କରିପାରିବେ? ପିଆଲାରେ ରକ୍ତିମ ସୂର୍ଯ୍ୟର ଆଭା ଆଜି ବି ଉକୁଟି ଉଠୁଛି-ଆକର୍ଷଣ ବଢୁଛି ।ଏବେ ବି ମୁଣ୍ଡିଆ ପାହାଡ ଆରପଟେ କ'ଣ ଅଛି ସେ ଦେଖିପାରି ନାହାନ୍ତି, ଯେଉଁଠି ରଙ୍ଗାସୂର୍ଯ୍ୟ ପ୍ରିତିଦିନ ଶଯ୍ୟାପାରି ଶୁଅନ୍ତି। ଯାହା ଏବେ ବି ରହସ୍ୟମୟ ହୋଇ ରହିଛି, ତେଣୁ ତାଙ୍କର କୌତୁହଳର ଅନ୍ତଘଟି ନାହିଁ। ସେ କିନ୍ତୁ ଯେବେ ବି ହେଉ, ନିଶ୍ଚୟ ଦିନେ ପାହାଡ଼ ଚଢି ଆରପାରିକୁ ଯିବେ , ସେ ରହସ୍ୟ ଭେଦିବା ପାଇଁ-ଦେଖିବେ ଯେଣୁ ଦିନେ, ବିଶ୍ରାମସ୍ଥଳୀ ।


Rate this content
Log in

Similar oriya story from Romance