STORYMIRROR

Satyaprakash Sethy, M. A(UGC NET)

Drama

4  

Satyaprakash Sethy, M. A(UGC NET)

Drama

ଶିକ୍ଷିତ ବାବୁ

ଶିକ୍ଷିତ ବାବୁ

6 mins
8

 

ଆଗରପଡ଼ା ଓଡିଶାର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଭଦ୍ରକ ଜିଲ୍ଲାଧୀନ ବନ୍ତ ବ୍ଲକ ଅନ୍ତର୍ଗତ ଏକ ମହତ୍ତ୍ୱପୂର୍ଣ୍ଣ ଅଞ୍ଚଳ । ଏହା ଏହି ଦୃଷ୍ଟିରୁ ମହତ୍ତ୍ଵପୂର୍ଣ୍ଣ କି ଏଇଠାରେ ଉତ୍କଳର ବରପୁତ୍ର ଡକ୍ଟର ହରେକୃଷ୍ଣ ମହାତବଙ୍କ ପରି ଯୋଗଜନ୍ମା ଜନ୍ମ ଗ୍ରହଣ କରିଥିଲେ। ଯାହାଙ୍କର ବାଲ୍ୟ, ଶୈଶବ ଓ କୈଶୋରର କେଇ ଗୋଟି ବିଶେଷ ମୁହୂର୍ତ୍ତ, ଏଇ ଧୂଳି ଧୂସରିତ ଗାଁ ମାଟିରେ କଟିଥିଲା।

ଅନେକ ବଡବଡ ପ୍ରଶାସନିକ ଅଧିକାରୀ ଓ ଖ୍ୟାତିସମ୍ପନ୍ନ ବ୍ୟକ୍ତି ବିଶେଷ ଏହି ଅଞ୍ଚଳରୁ ଯାଇ ଦେଶବିଦେଶରେ ନାଁ କମାଇଛନ୍ତି। ତେଣୁ ଏଠାକା ମାଟିର ଗୁରୁତ୍ଵ ଟିକିଏ ଭିନ୍ନ। ମାଟି ଖଣ୍ଡକରୁ କେମିତି ଗୋଟେ ଶିକ୍ଷିତ ଶିକ୍ଷିତ ବାସ୍ନା ଆସେ।

ମାତ୍ର ଦୁଃଖ ଓ ପରିତାପର ବିଷୟ ସେଇ ପାଠପଢୁଆ ବାବୁମାନଙ୍କର ଆଜି ଗାଁ ସହିତ ବିଶେଷ କିଛି ସମ୍ପର୍କ ନାହିଁ, କାରଣ ସେମାନେ ଏକାବେଳକେ ସହରୀ। ସହରରେ ରହି ବିଭିନ୍ନ ନାମୀଦାମୀ ସଂସ୍ଥା ଓ ଦପ୍ତରରେ କାମ କରୁଛନ୍ତି। ଛୁଆପିଲାଙ୍କୁ ସେଇ ସହରରେ ପଢାଇ ସେଇ ସହରରେ ରହି ଯାଇଛନ୍ତି। ଚାକିରିରୁ ଅବସର ନେବା ପରେ ମଧ୍ୟ ସେଇଠାରେ ବାସିନ୍ଦା ହୋଇଗଲେ ଯେ, ଗାଁକୁ ଆଉ କାହିଁ ଏତେ ଫେରିଲେ ନାହିଁ। କେହି ଜଣେ ଅଧେ କଦବା ଫେରିଛନ୍ତି, ଯାହଙ୍କ ସଂଖ୍ୟା ଖୁବ ନଗନ୍ୟ। ।ତେଣୁ ବିକାଶ ନାଁରେ ଆମେ ଯେତେ ଡିଣ୍ଡିମ ପିଟିଲେ ବି ଗାଁ "ଯାଇଥିଲ ତାଇ ନ୍ୟାୟରେ "ଏବେ ବି ଅପରିବର୍ତ୍ତିତ। ଆଧୁନିକ ସହରୀ ସୁବିଧା ସୁଯୋଗର କାହିଁ ବିଶେଷ କିଛି ପ୍ରଭାବ ପରିଲକ୍ଷିତ ହୁଏ ନାହିଁ। ଗ୍ରାମ୍ୟ ସଭ୍ୟତା ଗ୍ରାମ୍ୟ ସଂସ୍କୃତି ପୂର୍ବଭଳି ଅତୁଟ ରହିଛି। ତେଣୁ ଆଜି ବି ସେଇ ପିଠାପଣା ଓ ରୀତିନୀତି ପ୍ରଚଳିତ। ବାସ୍ତବରେ ଗାଁର ଚାଲିଚଳନୀ, ପୂଜାପର୍ବ, କୌଳିକ ପ୍ରଥା ଓ ପରମ୍ପରା ସବୁକିଛି ଭାରି କୌତୁହଳ ଓ ଆମୋଦପ୍ରଦ।

ମହାନ୍ତି ବାବୁ ବାହାରେ କମ୍ପାନୀରେ ଚାକିରି କରିଥିଲେ, ଏବେ ଚାକିରି ମିଆଦି ପୂରି ଯିବାରୁ ଗାଁକୁ ଫେରିଛନ୍ତି, ଗାଁରେ ରହୁଛନ୍ତି। ତେଣୁ ଗାଁ ଜମିଜମାକୁ ବିଭିନ୍ନ ବାଡ଼ ଦେଇ ଆକଟ କରି ଫାର୍ମ ହାଉସ କରିଛନ୍ତି। କୁଆଡ଼େ ଆଧୁନିକ ପ୍ରଣାଳୀରେ ଚାଷ ହେବ। ବିଭିନ୍ନ ଦରବ ସବୁ ଲାଗିବ। ସେଇ ଫାର୍ମ ହାଉସରେ ଗାଈଗୋରୁ ପଲେ ଓ ଛେଳିକୁକୁଡା ମଧ୍ଯ ଥୋକେ ଅଛନ୍ତି। ଏଇଟା ପରା ଇଣ୍ଟିଗ୍ରେଟେଡ ଫାର୍ମିଂ।ଯେଉଁଠୁ ମାଛ, ମାଂସ, ଦୁଗ୍ଧ, ପରିବା ଆଦି ଏକାବେଳକେ ବାହାରିବ। ବେଉସା କରି ଭଲ ଦି'ପଇସା ,ଅର୍ଥ ବି ରୋଜଗାର ହୋଇପାରିବ।

ତେଣୁ ମାଛ ,ପୋଖରୀ ଓ କୁକୁଡା ଫାର୍ମଠାରୁ ଗୋରୁ ଗୁହାଳ ଓ ଛେଳି କୁଟୀର ସହିତ ଭଳିକି ଭଳି କେତେ ରକମର ପରିବାପତ୍ର ଓ ଶାଗମାରିଚ ସବୁ ଲାଗିଛି। ପୁଣି ଧାଡିକୁ ଧାଡ଼ି ସଜନା ଗଛ, ଅମୃତ ଭଣ୍ଡା ଗଛ, କଦଳୀ ଗଛ ସବୁ ଲାଗିଛି। ସିଆରି ସିଆରି କଟା ହୋଇ ପରିବା ଲାଗିଛି ପୁଣି ମନ୍ଦା ମନ୍ଦକିଆ ଶାଗ ପଟାଳି ସବୁ ହୋଇଛି। ହାଇବ୍ରିଡ ପିଜୁଳି ଡାଳିମ୍ବ, ଲେମ୍ବୁ, କମଳା ଆଦି ଫଳ ଚାଷ ବି ଫାର୍ମର ଶୋଭା ଓ ଶ୍ରୀବୃଦ୍ଧି କରୁଛି। ଭଲ ଫାର୍ମଟେ। ସବୁ ଦରବ ତ ସେଠି ଅଛି। ଭାରି ମନଲୋଭା ଓ ଚିତ୍ତାକର୍ଷକ ହୋଇଛି। ଯାଉଥିଲା ଲୋକ ଦଣ୍ଡେ ଘଡିଏ ନ ଅଟକି ରହି ପାରିବ ନାହିଁ। 

ମହାନ୍ତି ବାବୁ ଜଣେ ଉଚ୍ଚଶିକ୍ଷିତ, ତେଣୁ ପିଲାଏ ତାଙ୍କୁ ଶିକ୍ଷିତ ବାବୁ ବୋଲି ହୁରି ପକାନ୍ତି । ଆଗରପଡା ଇଲାକାରେ କୁଆଁଶ ଗଢ଼ିଆ ତାଙ୍କ ଘର । ବୟସର ଅପରାହ୍ନରେ, କିନ୍ତୁ ମନରେ ଅସୁମାରି ବଳ। ବୃଦ୍ଧାକାଳେ ଅର୍ଦ୍ଧାଙ୍ଗିନୀକୁ ସାଙ୍ଗରେ ଧରି ଗାଁରେ ରହୁଛନ୍ତି ମୂଲିଆପାନିଆ ରଖି କାମ କରୁଛନ୍ତି। ବୁଢ଼ାଟା ବି ଭାରି ପରିଶ୍ରମୀ। ସେ ପରା କହନ୍ତି - "ବସିଗଲେ ଗୋଡ଼ହାତ ବସିଯିବ। ତେଣୁ ଶରୀରରେ ଯେତେଦିନଯାଏ ପ୍ରାଣଥିବ ହାତଗୋଡ ହଲାଇ କାମ କରୁଥିବ, ନୋହିଲେ ଆଣ୍ଠୁଗଣ୍ଠି ସବୁ ଧରିବ। ଯେତେ ଚଳଚଞ୍ଚଳ ରହିବ ସେତେ ସକ୍ରିୟ ଓ ସତେଜ ରହିବ, ନ ହେଲେ ବୟସ ମାଡ଼ିବସିବ" ।

ଯୋଗ, ବ୍ୟାୟାମ ଓ କଠିନ ଶାରୀରିକ ପରିଶ୍ରମ ତାଙ୍କ ଫିଟନେସର ମୂଳମନ୍ତ୍ର।

ବୁଢ଼ା ସକାଳୁ ସନ୍ଧ୍ୟାଯାଏ କୋଡ଼ିଟେ କି କୋଦାଳଟିଏ ଧରି ସେଇ ଫାର୍ମ ହାଉସରେ ବୁଲୁଥିବ। କେତେବେଳେ ଗଛର କାନମୁଣ୍ଡ ଶରଧାରେ ଆଉଁଷି ଦେଲା ପରି ତା ଡାଳପତ୍ର ଟେକି ଦେଖୁଥିବ ତ ପୁଣି କେତେବେଳେ ଶୁଖିଲା ପତ୍ରଟିଏ ବା ଶୁଖିଲା ଡାଳ ଖଣ୍ଡେ ପାଇଲେ ତାକୁ ଭାଙ୍ଗି ପରିଷ୍କାର କରୁଥିବ। ଦା'ରେ ରାମ୍ଫି ଗଛମୂଳରୁ ଅନାବନା ଘାସ ସବୁ ବାଛି ଉପାଡି ଫିଙ୍ଗୁଥିବ। ତେଣୁ ତା ଗଛପତ୍ର ଗୁଡ଼ିକ ଏମିତି ସଳଖ ସୁନ୍ଦର ହୋଇ ସବୁ ବଢିଛନ୍ତି ଯେ , ଭାରି ଖୁସି ଲାଗିବ - ଦେଖିଲେ ।ସତକଥା ପରା ନିଜ ପୁଅଝିଅଙ୍କୁ ଏମିତି ଲୋକେ ବଢେଇବେ ଶ୍ରଦ୍ଧାରେ ବଢେଇବେ ନାହିଁ ଯେମିତି ବୁଢ଼ା ଗଛପତ୍ରର ଯତ୍ନ ନେଉଛି।ବୁଢ଼ାର ତ ଝିଅପୁଅ ଯୋଡ଼ିଏ ।ଝିଅ ବାହାଘର ହୋଇଯାଇଛି। ସେ ଏବେ ପରଘରି। ତା ଶାଶୁଶ୍ୱଶୁରଙ୍କୁ ଧରି ସେ ତାର ଖୁସିରେ ଅଛି। ଗୋଟିଏ ପୁଅ ସେ ବି ହାତକୁ ଦୁଇ ହାତ ହୋଇଯାଇଛି। ତା ଛୁଆପିଲା ସ୍ତ୍ରୀକୁ ଧରି ସେ ଏବେ ବାଙ୍ଗାଲୋରରେ। ପିଲା ବଡ଼ ହୋଇଗଲେ ନିଜ ସଂସାର ତ ନିଜକୁ ବଳେଇ ଯାଉଛି, ସେ ତେଣୁ ବାପା ମାଆଙ୍କ କଥା ବୁଝିବେ କଣ? ସମୟ ପାଇଲେ ବର୍ଷରେ ଥରେ ଅଧେ ବୁଲି ଆସନ୍ତି। ଆଜିକାଲି ତ ନେଟ୍ ଯୁଗ। ଫୋନ୍ ରେ ଭଲମନ୍ଦ କଥା ନିଇତି ତା ମାଆ ସାଙ୍ଗରେ ହୁଅନ୍ତି। ମହାନ୍ତି ବାବୁଙ୍କର ସବୁ ସମୟତକ ଫାର୍ମ ହାଉସ୍ ରେ କଟୁଛି।

ଏତେବଡ଼ ସଂସ୍ଥା ତ କଲେ ମୁଣ୍ଡରେ ଟେନସନ୍ ରହିବା ସ୍ୱାଭାବିକ, କିନ୍ତୁ ମହାନ୍ତି ବାବୁ କୌଣସି କଥାକୁ ଏତେ ସିରିଅସ୍ ଲି ନିଅନ୍ତି ନାହିଁ । ସବୁ ଜିନିଷକୁ ଠିକ୍ ସେ ସୁପରିଚାଳନା କରିବା ଏବଂ ଫୁର୍ତ୍ତିଲା ରହିବା ତାଙ୍କ ସ୍ଵଭାବସୁଲଭ ଲକ୍ଷଣ ।ସେ କହନ୍ତି - "ଚିନ୍ତା ଖାଏ ଗଣ୍ଡି। ତେଣୁ କୌଣସି କଥାକୁ ବେଶୀ ଦେହକୁ ନ ନେଇ ତାର ସହଜ ସରଳ ସମାଧାନ ପନ୍ଥା ନିରୂପଣ କରିବା ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିର କର୍ତ୍ତବ୍ୟ । କୌଣସି କଥାରେ ବେଶୀ ବିବ୍ରତ ନ ହେବା ଭଲ । ସେଇ ଗୋଟିଏ କଥାରେ ଘୂରିସାରି ହୋଇ ସମୟ ନଷ୍ଟ କଲେ ମୁଣ୍ଡ ଖରାପ ହେବ ସିନା ଘଟଣାର ଆସୁସମାଧାନ ହୋଇପାରିବ ନାହିଁ, ଓଲଟା ମଣିଷ ଅଧିକ ଚିଡ଼ିଚିଡା ଧରିବ। ହୃଦଘାତଠାରୁ ଉର୍ଦ୍ଧ୍ୱ ରକ୍ତଚାପଯାଏ ସମସ୍ତ ରୋଗ ହେବ। ମଣିଷକୁ ରୋଗୁମୁକ୍ତ ରଖିବାକୁ ହେଲେ ଚିନ୍ତାମୁକ୍ତ ଓ ଶାନ୍ତ ରହିବାକୁ ହେବ "।

ସେଦିନ ହଠାତ୍ ଗାଈଟା ବେକରୁ ପଘା ଛିଡ଼ାଇ କୁଆଡେ ଚାଲିଗଲା। ଚାରିଆଡକୁ ଲୋକ ପଠାଇ ଯେତେ ଖୋଜାଖୋଜି କଲେ କାହିଁ କେଉଁଠି ମିଳିଲା ନାହିଁ। ମହାନ୍ତିଆଣି ଭାରି ବ୍ୟସ୍ତ ହୋଇପଡ଼ି କହିଲେ -" ସେଇଥିପାଇଁ କହୁଥିଲି ଗାଁ ଗଣ୍ଡାରେ ତୁମେ ଆଉ ଏତେ ନେଟମା ଲଗାଅ ନାହିଁ। ହେଲେ ତୁମେ କୋଉ କାହା କଥା ଶୁଣିବା ଲୋକ କି? ଆହୁରି ଗୋଟେ ପରେ ଗୋଟେ କାମ ଲଗେଇ ଚାଲିଛ। ଦାମୀ କାଳୀ ଦୁଧିଆଳୀ ଗାଈଟା ମୋର, କୁଆଡେ ଚାଲିଗଲା, କିଏ ବାନ୍ଧି ପକାଇଲା କି ବାଟହୁଡ଼ି କୁଆଡେ ଚାଲିଗଲା, ମୋତେ ଜମା ଭଲ ଲାଗୁ ନାହିଁ, ତୁମେ ତୁମର ବୁଝ"। 

ମହାନ୍ତି ବାବୁ କହିଲେ -" କାହିଁକି ଏମିତି ସଦାବେଳେ କେଟେମେଟେ ହେଉଛ କହିଲ! ଟିକିଏ ଧୈର୍ଯ୍ୟ ଧର। ଧୈର୍ଯ୍ୟ ନ ଧରିଲେ କିଛି ହେବ ନାହିଁ, ବରଂ ସମସ୍ତ ବିନଷ୍ଟ ହେବ "।

ଏତିକି ବେଳେ ଚକରା ଦୌଡ଼ି ଦୌଡ଼ି ଆସି କହିଲା-" ବାବୁ! ଗାଁ ଲୋକେ ଦଳେ ଆସିଛନ୍ତି। ଗାଁରେ ଆଜି ଠାକୁରାଣୀ ଗାଧୁଆ ପାଧୁଆ ହେଉଛି ତ ସେଥିପାଇଁ ଡାକିବାକୁ ବୋଧେ ଆସିଛନ୍ତି।

ମହାନ୍ତି ବାବୁ କହିଲେ - "ହୋଉ ସେମାନଙ୍କୁ ଆସିବାକୁ ଦେ। ଘର ଭିତରୁ ଚେୟାର ଆଣି ଏହି ଖୋଲା ଜାଗାରେ ପକା, ଟିକିଏ ସେମାନଙ୍କ ସହ ବସି କଥା ହେବା। ସମୟ ଅଭାବରୁ କାହା ସହ ଟିକିଏ ସୁଖଦୁଃଖ ହୋଇ ହେଉନାହିଁ। ଟିକିଏ ବାର୍ତ୍ତାଳାପ କଲେ ମନଟା ହାଲକା ହେବ" ।

ବେଶ୍ ମଜାଦାର ଆଲୋଚନା ସବୁ ହେଲା, ଚା ଜଳଖିଆର ପର୍ବ ବି ମଧ୍ଯ ହେଲା। ଗାଈ ହଜିବା କଥା ବି ସେମାନେ ଶୁଣିଲେ। ସେମାନେ କହିଲେ -" ଆଜି ଗ୍ରାମ ଦେବତୀଙ୍କୁ ମାର୍ଜନା କରାଯିବ। ସେଠି ଦାସୀକୁ ନିଶ୍ଚୟ କାଳେସି ଲାଗିବ। ସେ ଅରୁଆ ଅର୍ନ୍ନ ଖାଇ କାଲିଠାରୁ ଅଛି। ଆଜି ହକଳା ଲୁଗୁଆ ପିନ୍ଧି ଉପବାସ ବ୍ରତ ରଖିଛି। ତାକୁ ନିଶ୍ଚୟ ଠାକୁର ପ୍ରସନ୍ନ ହେବେ। ସେତେବେଳେ ତାକୁ ଯିଏ ଯାହା ପଚାରିବେ ସେ ସବୁ ସତକଥା କହିଦେବେ। ଆମର ଏହି ପରମ୍ପରା କେଉଁ ଅନାଦି କାଳରୁ ପୁରୁଷ ପୁରୁଷ ଧରି ଚାଲିଆସିଛି, ସେଥିରେ କେବେ କେଉଁଦିନ ବ୍ୟାଘାତ ଘଟି ନାହିଁ। ଆପଣଙ୍କ ଗାଈ କଥା ବି ତାକୁ ପଚାରିନେବେ। ସେ ସବୁ ସତକଥା ନିଶ୍ଚୟ କହିଦେବେ। ତା ଛଡା ଗାଁର ହାନିଲାଭ ଓ ରୋଗବୈରାଗ କଥା ତଥା ମରୁଡ଼ିବିତ୍ପାତ କଥା ମଧ୍ୟ ସବୁ କହିବେ। ଆମର ଆଉ ଗୋଟେ ବିଧି ଅଛି ଗାଁର ଯିଏ ସବୁଠାରୁ ବୟସ୍କ ଓ ବିଦ୍ଵାନ ତାଙ୍କୁ ଏ ପଚାରିବା କାର୍ଯ୍ୟଟା ଦିଆ ଯାଇଥାଏ। ଆପଣ ତ ଆମମାନଙ୍କ ଭିତରେ ପୁରୁଖା ଓ ଶିକ୍ଷିତ ବି, ତେଣୁ ଆପଣ ଏଇ ଦାୟିତ୍ଵ ନିଶ୍ଚୟ ତୁଲାଇବେ, ମନା କରିବେ ନାହିଁ। ଏହା ଆମର ବିଧି ଓ ପରମ୍ପରା। ପିଲାମାନେ ତ ଆପଣଙ୍କୁ "ଶିକ୍ଷିତ ବାବୁ, ଶିକ୍ଷିତ ବାବୁ" ବୋଲି ଡାକୁଛନ୍ତି, ତେଣୁ ଆମ କଥାର ମାନ ନିଶ୍ଚୟ ରଖିବେ "।

ମହାନ୍ତି ବାବୁ ଆଉ ନାହିଁ କରିପାରିଲେ ନାହିଁ। ସେମାନଙ୍କ କଥାରେ 'ହଁ' ଭରିଦେଲେ।

ଦି ପ୍ରହର ବେଳକୁ ପିଲାଏ ଖୋଳ କରତାଳ ଧରି ଗାଁ ମୁଣ୍ଡ ଗ୍ରାମଦେବତୀ ବେଢାକୁ ଧାଇଁଲେ। ଝାଞ୍ଜ କରତାଳିରେ ପ୍ରକମ୍ପିତ ହେଉଥିଲା ସମ୍ପୂର୍ଣ୍ଣ ପ୍ରାଙ୍ଗଣ । ଝମଝମ ଶବ୍ଦରେ କାନ ଅତଡା ଖସି ଯାଉଥାଏ। ନନା ପୂଜାବିଧିର ସବୁ ଉପଚାର କଲେ, ଦାସୀ ବହେ ନାଚିନାଚି ଗାଁ ଆଡ଼ୁ ଆସିଲା। ସମସ୍ତେ ବାଟ ଛାଡିଦେଲେ। ସେ ଚେକାମାଡି ଦିଅଁଙ୍କ ସାମ୍ନାରେ ବସିପଡ଼ିଲା।ନନା ପଣାପାଣିର ବ୍ୟବସ୍ଥା କଲେ। ଝୁଣା ଧୂଆଁ ଦେଇ ପୂଜା ସ୍ଥଳୀର ମାହୋଲ ଏକଦମ୍ ଗରମ କରିଦେଲେ। ଏଥର ଦାସୀ ପଚାରିଲା - "ପଚାର କ'ଣ ପଚାରିବାର ଅଛି"। ଗାଁ ର ଲୋକ ଶିକ୍ଷିତ ବାବୁଙ୍କ ଆଡକୁ ଇସାରା କଲେ ପ୍ରଶ୍ନ ପଚାରିବାକୁ। ଶିକ୍ଷିତ ବାବୁ ଗାଁ ଲୋକଙ୍କଠାରୁ ପୂର୍ବରୁ ଯେପରି ଟ୍ରେନିଂ ନେଉଥିଲେ ସେପରି କହିଲେ - "ମାଆ ଲୋ ମାଆ ଆଉ ବର୍ଷାପାଣି କଥା କ'ଣ କହନି! ଆଉ ଗାଁକୁ କ'ଣ ବିପଦଆପଦ ଏଥର ଅଛି ଟିକିଏ ସୂଚନା ଦିଅନ୍ତୁ" !!

ମାଆ କହିଲେ "-ଘୋର ବିପତ୍ତି। କଳିକାଳ ଉପସ୍ଥିତ। ଏବର୍ଷ ଭଲ ବର୍ଷା ହେବ ନାହିଁ। ହେତୁହେବା ଦିନଠାରୁ ଶୁଣି ନ ଥିବା ନୂଆନୂଆ ରୋଗ ସବୁ ଆସିବ। ଏଥିପାଇଁ ସମସ୍ତେ ସାତ ଦିନ ଦାଣ୍ଡରେ ପଣାପାଣି ଦେଇ ଘିଅ ସଂଜବତୀ ଦିଅନ୍ତୁ, ନ ହେଲେ ଘୋର ଅନର୍ଥ ହେବ। ଆଉ କାହାର କ'ଣ ବ୍ୟକ୍ତିଗତ ପ୍ରଶ୍ନ ଅଛି ଯଦି ପଚାରି ପାରିବ "।

ଶିକ୍ଷିତ ବାବୁ କହିଲେ -" ମୋର ଗୋଟେ ଶଙ୍କା ଦୂର କରନ୍ତୁ"।

ମାଆ କହିଲେ-" ଖୋଲିକି କହ "।

ଶିକ୍ଷିତ ବାବୁ କହିଲେ -" ମାଆ ତ ସର୍ବଜ୍ଞାତା। ଆପଣ ତ ସବୁ ଜାଣିଛନ୍ତି"।

ମୁଁ ଆଉ ଖୋଲିକି କହିବି କ'ଣ"?

ମାଆ କହିଲେ -" ଓଃ ଶିକ୍ଷିତ ବାବୁ ନୂହେଁ କି , ତୁ ମୋତେ ପରୀକ୍ଷା କରୁଛୁ "?ଏୟା କହି ବେତରେ ଦୁଇ ପାହାର ଭଲକି କଷି ଦେଲେ। 

ଶିକ୍ଷିତ ବାବୁ କାନ ମୁଣ୍ଡ ଆଉଁଷି ହୋଇ କହିଲେ -" ନାଇଁ ମାଆ ମୋର ଗୋଟେ ଜିନିଷ ହଜିଛି, ଆଉସବୁ ତ ତୁମକୁ ଜଣା"।

ମାଆ କହିଲେ -" ହଁ... ତୋର ବେଲାକଂସା ହଜିଛି "।

ପୁଣି ଶିକ୍ଷିତ ବାବୁ କହିଲେ -" ନାଇଁ ମାଆ ମୋର ଗାଈ ହଜିଛି"।

ମାଆ ରାଗିଯାଇ କହିଲେ -" ଆରେ ଆରେ ମୂର୍ଖ ଏ କଥା କଣ ତୁ ଜାଣି ନାହୁଁ କି ! ତୁମେ ଯାହାକୁ ଗାଈଗୋରୁ କୁହ ଆମେ (ଦେବଲୋକରେ) ତାକୁ ବେଲାକଂସା କହୁ "।

ଶିକ୍ଷିତ ବାବୁର ମୁଣ୍ଡ ଘାଇଁକିନା ଘୂରିଗଲା । ସେ ଅବାକ ହୋଇ ଖାଲି ଗାଁ ଲୋକଙ୍କୁ ଚାହିଁଥାନ୍ତି, ଯେଉଁମାନେ କି ହର୍ଷୋତ଼୍ଫୁଲ୍ଲିତ ହୋଇ ଖାଲି କରତାଳି ଦେଉଥାନ୍ତି।


Rate this content
Log in

Similar oriya story from Drama