STORYMIRROR

Satyaprakash Sethy, M. A(UGC NET)

Inspirational

4  

Satyaprakash Sethy, M. A(UGC NET)

Inspirational

ମେହନତି ମଣିଷ

ମେହନତି ମଣିଷ

6 mins
339



ଜ୍ଞାନ କୁମାର, ଘର ଜଳେଶ୍ଵରପୁର। ଅତି ସାଧାରଣ ଲୋକ, ନଗନ୍ୟ କଥା। ସେମିତି କିଛି ବଡ଼ ଧରଣର ହଟଚମଟ କାହିଁ ୟାଙ୍କ ଜୀବନରେ ଘଟି ନାହିଁ। ବୁଢ଼ା ହେଲେଣି, ବୟସ 79, ଚାରି କୋଡିକୁ ଏକ କମ୍। ବେଶ୍ ତାଙ୍କ ମନ ଏବେକୁ ଶାନ୍ତ ପଡ଼ିଯାଇଛି, ଆଉ କାହିଁ ସେତେ ଉଦବେଗ ନାହିଁ କୋଉ କଥାକୁ।

ଗ୍ରାମ୍ୟ ଜୀବନ, ଗ୍ରାମ୍ୟ ପାରିବେଶ ତାଙ୍କ ଜୀବନର ସାହାରା ପାଲଟିଥିଲା। ବେଶ୍ ସହଜ ସରଳ ଥିଲା ତାଙ୍କ ଜୀବନର ଅଗ୍ରଗତି। ଅନ୍ୟମାନଙ୍କ ପରି ସେ ଯୌଥ ପରିବାରରେ ଜନ୍ମ ଗ୍ରହଣ କରି ନ ଥିଲେ। ତାଙ୍କ ବାପା ଥିଲେ ଏକା ଆଉ ସେ ମଧ୍ଯ ଏକା, ବଂଶର କୁଲନନ୍ଦନ।

ଗରିବ ଘର, ଆଉ ସେତେବେଳେ କିଏ ଏତେ ସେରନ୍ତା ଥିଲା କି? ସବୁ ଗ୍ରାମୀଣ ମଣିଷ ଏକା ପ୍ରକାରର ଜୀବନ ଗୁଜୁରାଣ କରୁଥିଲେ। ସେଇ ଚାଷବାସ ଓ ଗୋରୁଗାଈ, ମଇଁଷି ପଲ ଭିତରେ ଜୀବନର ସମସ୍ତ ସ୍ଵପ୍ନ ସୀମିତ ରହିଥିଲା। ଜମି ଏକରେ ଦୁଇ ଏକର, ବର୍ଷକୁ ଗଣ୍ଡେ ଚାଉଳ ହୋଇଗଲେ ବଡ଼ କଥା, ବାକିତକ ପରିବାପତ୍ର, ଶାଗ ମାରିଚ କେରାଏ ହେଲେ ଜୀବନ ଧାଇଁଲା। ଅଭାବ ପଡ଼ିଲେ ଛେଳି, କୁକୁଡ଼ା ଅଣ୍ଡା ନ ହେଲେ ଦୁଧଦହି ବିକ୍ରିରେ କାମ ଚଳିଯାଏ। କେତେ ଶାନ୍ତ, ସରଳ, ସୁନ୍ଦର ଜୀବନ କହିଲେ। ବାସ୍ତବରେ ସମସ୍ୟା କହିଲେ ସ୍ଵପ୍ନ ମରୀଚିକା। ଯେତେ ଯେତେ ବଡ଼ ବଡ଼ ସ୍ଵପ୍ନଦେଖିବା,ସେତେ ସେତେ ତା ପଛରେ ଧାଇଁ ସମସ୍ୟା କିଣିବା - ଏହା ସତ୍ୟ। ତେଣୁ ଯାହା ପାଖରେ ସ୍ଵପ୍ନ ନାହିଁ, ତା ପାଖରେ ସମସ୍ୟା ନାହିଁ, ଅଳ୍ପରେ ଏମାନେ ସନ୍ତୁଷ୍ଟ ହୋଇଯାଆନ୍ତି।

ଜ୍ଞାନ କୁମାର କ'ଣ ଗାଁ ଚାଟଶାଳୀରେ ଦି ଅକ୍ଷର ପଢ଼ିଥିଲେ କି ନାହିଁ ଜଣା ନାହିଁ। କିନ୍ତୁ ଧାନ ବେଉଷଣ, ହଳମହୀ, ରୁଆପୋତା ଆଦି ସବୁକାମ, ବାପଗୋସାପ ବିଲବାଡ଼ି କି ସାଥିରେ ନେଇ ଗୋଡ଼େଗୋଡ଼ ଜଗି ଶିଖାଇଛନ୍ତି, ତେଣୁ ସେଥିରେ କେହି ତାଙ୍କୁ ହଟେଇ ପାରିବେ ନାହିଁ କି କ୍ଷୁଣ ବାହାର କରିପାରିବେ ନାହିଁ। ଆଗରୁ ବାପାଜେଜେ ବିଲକୁ ଯାଉଥିଲେ, ସେମାନଙ୍କର ବୟସ ହୋଇଗଲାଣି। ଏବେ କିନ୍ତୁ ଜ୍ଞାନ କୁମାର ଏକାଏକା ସବୁ କାମକୁ ପିଠେଇ ନିଅନ୍ତି , କିଛି ଫରକ୍ ପଡ଼େ ନାହିଁ କୌଣସି କାମକୁ , ଭାରି ଖଟଣିଦାର ପିଲା। ଗାଁ ଗୋଟାକର ତାରି ଚର୍ଚ୍ଚା - ଦେଖ ହୋ! ତୁମେ ପାଞ୍ଚଟା ତିନିଟା ହେଲେ କ'ଣ ହେବ, ଅମୁକ ପୁଅ ଏକୁଟିଆ ଘର ଗୋଟାକର କାମ ଉଠେଇ ନେଉଛି, ପୁଣି ଥୋଡ଼ ଧାନରେ କଞ୍ଚା ଗୋବର ପକାଇ ଅଧିକା ଧାନ ଫଳେଇ ଦେଉଛି, ତା ବୁଦ୍ଧିକୁ ମାନିବାକୁ ପଡ଼ିବ।

ଏହି ଚର୍ଚ୍ଚା ଶୁଣି ପରା ପାଖଆଖ ଗାଁର ଝିଅ ତାକୁ ବାହାହେବା ପାଇଁ ଆଖେଇଛନ୍ତି। ନିଜ ବେଉଷଣ ସେ ଆଗ ସାରିଦେଇ ଥିବାରୁ, ଦିନେ ପାଖ ଗାଁ ଦନେଇ ସାଆନ୍ତଙ୍କ ବିଲରେ ମୂଲ ଲାଗିବାକୁ ଯାଇଥିଲା। ମୂଲିଆଙ୍କୁ ପଖାଳ ବାଢି ଦେଉଥିବା ବେଳେ ସାଆନ୍ତଙ୍କ ଝିଅ ସିଲି ତାଙ୍କ ପ୍ରେମରେ ପଡ଼ିଗଲା। ଖାଲି ଆଖିରେ ଆଖିରେ ଇସାରାରେ କଥା ଆଗକୁ ବଢ଼ିଲା। ରଜପର୍ବରେ ଗାଁ ବୁଲିଲା ବେଳେ ଦୁହେଁ କଥା ଦିଆନିଆ ହୋଇଗଲେ। ତା'ପରେ ଯେତେ ଭଲ ପ୍ରସ୍ତାବ ଆସିଲା ସିଲି ମୋଟେ ଶୁଣିଲା ନାହିଁ, କହିଲା - "ମୁଁ ସେଇ ଟୋକାକୁ ହକ୍ ଲାଗେ ବାହା ହେବି ନ ହେଲେ ଜୀବନ ହାରିଦେବି। ସେଇଠୁ ପାଞ୍ଚ ପଚିଶ ଭଦ୍ରଲୋକ ବସି ତାଙ୍କର ବାହାଘର ପକ୍କା ହେଲା। ଭାରି ହସଖୁସିରେ ତାଙ୍କ ସଂସାର ଚାଲେ, ଜ୍ଞାନ କୁମାର ସିଲିର କୌଣସି କଥାରେ ଅଭାବ ରଖିନାହାନ୍ତି -ନିଜ ବାହାପିଟି ସବୁ ସେ ଦେଇଛନ୍ତି।

ସିଲି ବି ଝିଅପୁଅ କି ପାଞ୍ଚଟା ପରିବାରକୁ ଭେଟି ଦେଇଛନ୍ତି, ଆଉ କେହି କହିବେ ନାହିଁ, ତାଙ୍କର ଏକଲା ପରିବାର।

ଧୀରେ ଧୀରେ ଛୁଆ ବଡ଼ ହେଲେ। ବାପଜେଜେ ତାଙ୍କ ବିଦ୍ୟାବୁଦ୍ଧି ଅନୁସାରେ ଜ୍ଞାନ କୁମାରକୁ ବୁଦ୍ଧିଅକଲ ଶିଖାଇଥିଲେ, ଇଏ ପୁଣି କିଛି ଅଧିକା କରି ଦେଖାଇବେ ନା, ଯୁଗ ବି ବଦଳିଗଲାଣି। ଭାରି ଅମଣିଆ, ଅମଙ୍ଗିଆ ଛୁଆ, ସ୍କୁଲ ଯିବାକୁ ଆଦୌ ନାଁ ଧରୁ ନ ଥିଲେ। ତେଣୁ ପାଞ୍ଚଣରେ ଆଡ଼େଇ ନେଇ ଛୁଆଙ୍କୁ ସ୍କୁଲରେ ଛାଡ଼ିଲେ, ଏଣିକି ମଣ ହୋଇଗଲେଣି, ନିଇତି ସ୍କୁଲ ନ ଗଲେ ଆଉ ରହିପାରୁ ନାହାନ୍ତି। ସ୍କୁଲରେ ବି ମକା ଗୁଣ୍ଡ, ବଲଗର ଚାଉଳ, ଆମୂଲ ସବୁ ଦେଉଛନ୍ତି, ଛୁଆ ଖାଇକି ଭାରି ଖୁସି। ଇଏ ତାକୁ ଦେଖି, ସେ ୟାକୁ ଦେଖି ଆଗକୁ ଆଗକୁ ଚାଲିଛନ୍ତି। କେତେ ଶ୍ରେଣୀ ଡେଇଁ ଗଲେଣି, ଏବେ ବଡ଼ ମାଟ୍ରିକ୍ ପରୀକ୍ଷା ଦେବ।

ସବୁ ଛୁଆ ଭଲ ପଢୁଛନ୍ତି। ବଡ଼ ଏମ୍. କମ୍. ଭଦ୍ରକ କଲେଜରୁ ପାସ୍ କରି ଦିଲ୍ଲୀରେ ଗୋଟେ ବଡ଼ କମ୍ପାନୀରେ ଚାକିରି କଲାଣି। ମଝିଆ ଆଇ. ଏ ସେଇ ଭଦ୍ରକ କାଲେଜରେ ପଢ଼ିଲା। ବଡ଼ଭାଇ କ'ଣ ଗୋଟେ ଫର୍ମ ପକାଇଦେଲା, ଛୋଟବେଳୁ ସେ ମିଲିଟାରୀ ଚାକିରି କଲାଣି ।ଝିଅ ଦୁଇଟା ମାଟ୍ରିକ୍ ଡେଇଁଲା ପରେ ବାହାଘର କରିଦେଲେ, ସେମାନଙ୍କ ବର ବି ଚାକିରିଆ। ସେଇ ଭାଇମାନଙ୍କ ଚାକିରି ପଇସାରେ ଜାନିଯୌତୁକ ଦେଇ ଜାକଜମକରେ ବାହାଘର ହୋଇଛି। କାହାରି କିଛି ଅସୁବିଧା ନାହିଁ। ଖାଲି କ୍ଷୁଣ ବୋଲି ସାନ ଟୋକା ପଢ଼ିଲାନି, ଅଧାରୁ ପାଠ ଛାଡିଦେଲା।ଏବେ ଗାଁରେ କେବୁଲ୍ ସଂଯୋଗ ଦେଇ କ'ଣ ଦି ପଇସା ରୋଜଗାର କରୁଛି ନ ହେଲେ ଭାଇମାନଙ୍କ ହାତ ଟେକାକୁ ଅନେଇ ରହିଛି। ନିଜେ ବୁଝିଲାନି, ପାଠ ଛାଡିଦେଲା, ଏବେ ସିନା ଚଳିଯାଉଛୁ, ଦେଖାଯାଉ ଭାଉଜମାନେ କେତେଦିନ ଚଳେଇବେ କି ଆଗକୁ କି ଅବସ୍ଥା ଅଛି ଭୋଗିବାକୁ, ଦେଖିବାକୁ ବାକି ରହିଲା।


ଏଇ ଛୁଆଙ୍କୁ ମଣିଷ କରିବାରେ ତାଙ୍କର ବହୁ ସମୟ ଓ ସାଧନା ଯାଇଛି, ନ ହେଲେ ଖାଲିଟାରେ କ'ଣ ମଣିଷ ହୋଇ ପାରିଥା'ନ୍ତେ।କଲେଜ ପଢୁଥିଲା ବେଳେ ଯାଇକି ବଡ଼ ଦୁହେଁ ଭଦ୍ରକରେ ମେସରେ ରହିଲେ, ସପ୍ତାହକୁ ସପ୍ତା ସେ ଯାଇ ଚୁଡ଼ାମୁଡ଼ି, ଚାଉଳ ଗଣ୍ଠିଲି କରି ଦେଇକି ଆସନ୍ତି। ସକାଳୁ ଭୋର୍ ରୁ ଉଠି ତିନି କିଲୋମିଟର ଚାଲିଲା ପରେ ଯାଇ ଚାନ୍ଦବାଲିରୁ ଭଦ୍ରକ ଚାଲୁଥିବା ଏକମାତ୍ର ଗରିବିନ୍ଦା ବସରେ ଭଦ୍ରକ ଯାଆନ୍ତି, ପୁଣି ଦିନବେଳା ପିଲା ମାନଙ୍କ ପାଖରେ ରହି ସଂଧ୍ୟାବେଳକୁ ଫେରନ୍ତିବସ୍ ଧରି ଘରକୁ ଲେଉଟନ୍ତି। ଭାରି କଷ୍ଟ। ଯେଉଁ କଷ୍ଟକରି ଛୁଆଙ୍କ ପାଇଁ ପଇସା ଯୋଗାଡ଼ କରିବାକୁ ପଡିଛିନା, ସେ କଥା ଭଗବାନ ଜାଣିଛନ୍ତି। ଚୋ

ରଚଣ୍ଡାଳ ସହିବେ ନାହିଁ, ଯେଉଁ ଦୁଃଖକରି ଦିନରାତି ଏକାକାର କରି ଦେଇଛନ୍ତି ବିଲରେ ଖଟିଖଟି - କାଳେ ଅମଳ ଗଣ୍ଡେ ଅଧିକ ହେଲେ ଛୁଆଙ୍କୁ ସାହାଯ୍ଯହେବ। ପଇସା ଅକୁଳନ ହେଲାରୁ ପରା ଗାଁ ଗୋଟାକର ଗୋରୁ ମଇଁଷି ଗୋଠ ସେ ଜଗକି ଦୁଇ ପଇସା କମାଇଛନ୍ତି। ଅବଶ୍ୟ ଯେମିତି କଷ୍ଟ କରିଥିଲେ ସେମିତି ଭଗବାନ ଶୁଣିଛନ୍ତି-ଛୁଆ ମଣିଷ ହେଲେ।


ଏହା ବ୍ୟତୀତ ଜ୍ଞାନ କୁମାରଙ୍କ ଜୀବନ ଭାରି ସାଧାସିଧା, ସେତେ କିଛି ଦୁର୍ଘଟଣା ବା ଅଘଟଣା ଘଟିନାହିଁ। ପୁଅ ଦୁଇଜଣଙ୍କ ବାହାଘର ବି ଭାରି ସୁରୁଖୁରୁରେ ହୋଇଗଲା। ପ୍ରସ୍ତାବ ଲାଇନ୍ ଲାଗିଲା। ବୁଢ଼ାର ଯେଉଁଠି ମନ ମାନିଲା, ହଁ-ଭରିଲେ। ଯେଝା ବାଟରେ ଯେଝା ଏବେ ବିଦେଶରେ। ବୁଢ଼ା ଆଉ କ'ଣ ସେଇ ଭୁଲ କରିଥା'ନ୍ତେ, ପୁଅ ଗୋଟେ ଜାଗାର ଆଉ ବୋହୂ ଗୋଟେ ଜାଗାର - ନା, ସେ ଭାରି ବିବେକୀ ଲୋକ।

ସାନ ବେଳକୁ ଟିକିଏ ତକଲିଫ ହେଲା। ବେକାରୀ ପାଇଁ କେହି ଝିଅ ଦେଲେ ନାହିଁ। ଟୋକା ଗୋଟାକୁ ଭଲ ପାଉଥିଲା। କାହାକୁ କିଛି ନ କହି ଉଠେଇ ଆଣିଲା - ଭାରି ବେଫାଇଦିଆ। ସେଇ ଏବେ ଘରେ ଅଛି।

ସମସ୍ତଙ୍କର ପିଲାଝିଲା ହୋଇଗଲେଣି କିନ୍ତୁ ନାତିନାତୁଣୀ କି ମେଞ୍ଚାଏ। ଜେଜେ,ଅଜା ବୋଲି ଭାରି ଗେହ୍ଲଭଗିଲି ହୁଅନ୍ତି। ବୁଢ଼ା ହସିହସି ଗଡ଼ିଯାଆନ୍ତି, ସବୁଛୁଆ ତାଙ୍କୁ ଭଲପାଆନ୍ତି।

ବୁଢ଼ା ଜୀବନ ସେତେ କିଛି ଘଟଣାବହୁଳ ନୂହେଁ, ଅଳ୍ପ କିଛି ଛୋଟବଡକୁ ଛାଡିଦେଲେ । ଏହି ସାନଟାର ବାହାଘର ଦିନ ଯୋଉ ଝଡ଼ିବର୍ଷା ହେଲା, ଖାଲି ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ଚମକୁଥାଏ। ସେ ଟକମକ ହୋଇ ଯାହା ଫୁଟୁଥାଏ ନା ତାପାଖରେ ଢୋ-ଢୋଇଆ ବାଣ ବି କିଛି ନୁହେଁ। ମୁହଁକୁ ମୁହଁ ଆଦୌ ଦିଶୁ ନ ଥାଏ, ସେଇଥିରେ ସେ ନେଇ ତାରିଣୀ ପାଖରେ ବାହାଘର କରିଆଣିଲେ।

ଆଉ ଦିନକର କଥା - ଏଇ ସାନଟୋକା କାହାକୁ କେବୁଲ୍ ଦେଇଥାଏ, ତାଙ୍କ ଟି. ଭି. ଚାଲିଲା ନାହିଁ ବୋଲି ଡକେଇଲେ। ଏଟା ତ ଟିକେ ଟିଙ୍ଗା, ଟିଙ୍ଗିଟିଙ୍ଗି ହୋଇ କ'ଣ କହିଲା-ତାଙ୍କ କେବୁଲ୍ କାଟିକି ଫିଙ୍ଗିଦେଲା। ତାକୁ ବାନ୍ଧିପକାଇ ଦିଟା ଥୋଇଲେ। ଜ୍ଞାନ କୁମାର ପୁଣି ଯାଇ ଆର ଗାଁ ଲୋକଙ୍କ ହାତଗୋଡ ଧରି ତାକୁ ଉଧାରିକି ଆଣିଲେ।

ଦିନକର ପୁଣି ଘଟଣା, ସେ ବଜାର ଘାଟକୁ ସେତେ ଯାଆନ୍ତି ନାହିଁ। ସେଦିନ ଯାଇଥିଲେ, ଟୋକାଟିଏ ମଦ ପିଇଦେଇ ଖାଲିଟାରେ ଦୋକାନୀଟାକୁ ଗାଳିଗୁଲଜ କଲା। ସେମାନେ ଦି/ତିନି ଭାଇ ଝାଙ୍କେ ପିଟିଲେ। ଜଣେ ଖଣ୍ଡା ତରୱାଲ ଖୋଲି ଆଣି ଉଞ୍ଚାଇଥିଲା ହାଣିଦେବ ବୋଲି ଇଏ ମଝିରେ ପଶିଗଲେ, କହିଲେ - "ସେ ତା ଦଣ୍ଡ ପାଇଗଲାଣି, ଆପଣମାନେ ଏଥର ତାକୁ ଛାଡ଼ିଦିଅନ୍ତୁ। ନ ହେଲେ ସେ ମରିଗଲେ ଜେଲ୍ ଜୋରିମାନା ହେବ, ସମସ୍ତେ କଷ୍ଟପାଇବେ।"

 ଏକଥାରେ ସମସ୍ତେ ବୁଝିଗଲେ, ତାକୁ ଛାଡ଼ିଦେଲେ। ବୁଢ଼ା କାହା ବାଇରେ ପଶେ ନାହିଁ, ଭାରି ନିରହଂକାରୀ ଲୋକ। ନିଜେ ପଛେ ବେକରେ ଗାମୁଛା ପକାଇ ଭୁଲ ମାଗିଦେବ, କିନ୍ତୁ ନ୍ୟାୟରେ କାହାକୁ ଆଣ୍ଠାଏ ନାହିଁ। ତେଣୁ ସମସ୍ତେ କହନ୍ତି ଅତି ସରଳିଆ ଲୋକ, ଭାରି ଅମାୟିକ ।

ତେଲଲୁଣର ସଂସାର ସବୁ ଠିକ୍ଠାକ୍ ଚାଲିଥିଲା। ଯାହାହେଉ ପୁଅମାନଙ୍କ ଅବଦାନରୁ ଗାଁରେ କୋଠାଘର ଖଣ୍ଡେ ହୋଇଛି, ନ ହେଲେ ଯିଏ ଯୁଆଡ଼େ ରହୁଛି ସେଠି ବି ସେମାନେ କୋଠାବାଟି କରି ଅବଶ୍ଯ ରହୁଛନ୍ତି। ସେଦିନ ସିଲି ଏଇ ବୁଢୀ ବୟସରେ ଯାଇଥିଲା ଛାତ ଉପରକୁ, ଲୁଗା ଶୁଖେଇବା ପାଇଁ। ଶୁଖାଉ ଶୁଖାଉ କ'ଣ କରେଣ୍ଟ ମାଇଲା ଭଳିଆ ଲାଗିଲା, ତଳେ ଛିଟିକି ପଡ଼ି ସରୁପାଟିରେ ଡାକିଲା। ବୋହୂ ଦୌଡିଗଲା, ଗାଁସାରା ଲୋକ ଗଦା ହୋଇଗଲେ। ଆମ୍ବୁଲାନ୍ସ ଆସିଲା, ଡାକ୍ତରଖାନା ଗଲା। କରୋନାକାଳ ଶୁଶ୍ରୁଶା ଠିକ୍ ସେ ହୋଇପାରିଲା ନାହିଁ । ଚାଲିଗଲା। ପୁଅମାନଙ୍କୁ ଡକରା ପଡିଲା। ଆସି ଭଲରେ ଭଲରେ କାମ ସାରିଦେଲେ।


ସିଲି ଭଳି ଭଲ ମଣିଷ ଦୁନିଆରେ ନାହାନ୍ତି। ଏତେ ଭଲପାଇବା ଜୀବନସାରା ଦେଇଛି ନ କହିବାର କଥା। ତା କଥା ମନେ ପଡ଼ିଲାଠୁ ବୁଢ଼ା ଆଖିରୁ ଅଶ୍ରୁ ନିଗୁଡୁଛି। ଭାରି ବୁଦ୍ଧିମତୀ, ସବୁକଥାରେ ଉଚିତ୍ ପରମର୍ଶ ଦେଉଥିଲା। ଜମା କରଛଡା କରେ ନାହିଁ, ସବୁବେଳେ ସବୁ କଥାରେ ପାଖେପାଖେ ରହୁଥିଲା। ଛୁଆ ହୁଡ଼ି କେବେ ପଦେଅଧେ କହିଲେ, ହାଙ୍କେ, କୁହେ - "କ'ଣ କହିଲ ବେ! ଯାହାହଲେ ସେ ତୁମ ବାପା - ଜନ୍ମଦାତା, ଆଉ ଦିନେ ଯେମିତି ନ ଶୁଣେ - ଏମିତି କହିଲ ବୋଲି।"

ଭାରି ଲକ୍ଷ୍ମୀମତି, ସେ ଆଇଲା ଦିନଠାରୁ ପରା ଧନଧାନ୍ୟରେ କୌଣସି କଥାରେ ଅଭାବ ରହି ନାହିଁ। ଜୀବନସାରା ଖଟିଲା, ସୁଖ କଲାବେଳକୁ - ଚାଲିଗଲା। ବୁଢ଼ାର ଭାରି ମନଦୁଃଖ ହୁଏ, ଯେତେବେଳେ ଛୁଆପିଲା ଡାକନ୍ତି -" ଆସି ଆମ ପାଖରୁ ବୁଲିଯାଅ।" ଆଉ ବୁଲାନ୍ତି ମଧ୍ଯ ବିଭିନ୍ନ ଦର୍ଶନୀୟ ସ୍ଥାନ। ହେଲେ ସୁଖ କାହିଁ - ଏକା ଏକା କ'ଣ ଗୋଟେ ବୁଲିବ? ହେଲେ ଅଳ୍ପ ଆୟୁଷୁଆଣୀ, ଯେତିକି ଦିନ ପାଇଁ ଆୟୁଷ ଆଣିଥିଲା, ସେତିକି ଦିନପରେ ଚାଲିଗଲା - ଆଉ ଭାବି ଲାଭ କ'ଣ?


ବୁଢ଼ାର ଆଉକିଛି ଅବଶୋଷ ନାହିଁ, ତେଣୁ ସେ ଏବେ ଶାନ୍ତିରେ ମରିପାରିବ। ସବୁ ଆଶା ପୂରଣ ହୋଇଛି। ନାତି ଗୋଟେ ବି ବାହା ହୋଇ ସାରିଲାଣି। ସେ ଏବେ ଅଣନାତି ଦେଖି ସାରିଲେଣି। ଖାଲି ଗୋଟେ ଅବଶୋଷ - ସାନ ଟୋକା ଯାହା ଟିକିଏ ହଇରାଣ ହେଉଛି। ସେତେବେଳେ କହିଲେ - ପଢ଼ିଲାନି। କିଏ ଏବେ ପିଠିରେ ପଡ଼ିବ? ଏବେ ବାପ ଅଛି ବୋଲି କ'ଣ ଟିକିଏ ଭାଇମାନେ ଦୟା କରିଦେଉଛନ୍ତି, ହେଲେ ଭବିଷ୍ୟତରେ ସେତକ ଆଉ କ'ଣ ସମ୍ଭବ? ହୀନ କରମାଟା, ତା କରମ ନେଇ ଜନମିଛି। ଯାହା ତା ଭାଗ୍ୟରେ ଥିବ, ତାହା ହେବ, ଏବେ ଆଉ ତା କଥା ବେଶୀ ଭାବିଲେ ବି, ସେ ତ ଆଉକିଛି କରିପାରିବେ ନାହିଁ।ଅବଶ୍ଯ ସେ ଘର ଖଣ୍ଡାକ ଜଗିଛି ବୋଲି ଗାଁରେ ତାଙ୍କର ରହଣି ସମ୍ଭବ ହୋଇଛି। ନ ହେଲେ ବାପ ଗୋସିବାପ ଅମଳରେ ଭିଟାମାଟି ଖଣ୍ଡକ ସେ ଦେଖି ପାରି ନ ଥାଆନ୍ତେ, କୁଆଡ଼େ ପଡ଼ି ବିଦେଶରେ ମରିହଜି ଯାଇଥାଆନ୍ତେ।

 

ତେବେ ଏବେ ଖାଲି ଅପେକ୍ଷମାଣ, ବାକି ଅବଶିଷ୍ଠ ଜୀବନ କେମିତି ଭଲରେ ଚାଲିଗଲେ ଯାଏ।କେବଳ ଶେଷ ନିଶ୍ଵାସକୁ ଅପେକ୍ଷା।

ହେ ରାମ...


Rate this content
Log in

Similar oriya story from Inspirational