STORYMIRROR

Satyaprakash Sethy, M. A(UGC NET)

Inspirational

2.0  

Satyaprakash Sethy, M. A(UGC NET)

Inspirational

ବୁଲି ଆମର ଲ'ପଢିବ

ବୁଲି ଆମର ଲ'ପଢିବ

9 mins
26



ବୁଲି ବାରିପଦାର ମର୍ଡନ ରେସ୍ତୋରାଁର ପରିଚାରିକା। ବୟସ ମାତ୍ର ପନ୍ଦରବର୍ଷ। ମାମୁଘର ପାଖରେ ରହି ଏତିକ ପାଠ ପଢିଥିଲା।

ତା ମନରେ ଏବେବି ଅସୁମାରୀ ସ୍ଵପ୍ନ। ତା'ର ଇଚ୍ଛା, ସେ ବଡ଼ ହେଲେ ଓକିଲାତି କରିବ। କିନ୍ତୁ ଆଗକୁ ପଢ଼ିପାରିଲେ ତ ।ଆହୁରି କେତେପଢା ବାକି। ଆଗ ସେ କଲେଜ ଯିବ, ତା'ପରେ ଯୁକ୍ତଦୁଇ ଓ ଯୁକ୍ତତିନ, ପୁଣି ଯାଇ ଲ'ରେ ଆଡମିଶନ ହେବ। ସେଥିରେ ଉତ୍ତୀର୍ଣ୍ଣହେଲେ, ତେବେଯାଇ ଓକିଲାତି ପାସ୍ କରି ସେ ଜଜ୍ ହେବ, ନହେଲେ ନାହିଁ ଓକିଲ ରହିବ।

ଏହି ଓକିଲାତି ପାଠଟା ଭଲ। କାହିଁକିନା ମଣିଷ ଆଜି ଆଇନର କାଠଗଡା ଭିତରେ ଛିଡାହୋଇ ନିୟମକାନୁନର ଅଳନ୍ଧୁ ଭିତରେ ଭାରି ରୁନ୍ଧି ହୋଇଯାଉଛି।

ବୁଲି ନିଜେ ଆଜି ବି ତ ଗୋଟେ ଛୋଟିଆ କାମ ପାଇଁ ଆଇନ୍ ବାଟ ନ ପାଇ ବଡ଼ ଧୁନ୍ଧିଧାନ୍ଧି ହେଉଛି। ତା'ର ଇଚ୍ଛା, ସେ କଲେଜରେ ଯେମିତି ହେଲେ ଭର୍ତ୍ତି ହେବ। ଏଥିପାଇଁ ତାକୁ ଯେତେ ପରିଶ୍ରମ ବା କଷ୍ଟ ଉଠାଇବାକୁ ତେଣିକି ପଡୁନା କାହିଁକି, ସେ ସବୁ କରିବାକୁ ରାଜି।


କିନ୍ତୁ ଶିଶୁ ମନରେ ଏତେକଥା ପଶୁ ନାହିଁ ଯେ, ସେ କେମିତି ବାସିନ୍ଦା ସାର୍ଟିଫିକେଟ ଖଣ୍ଡେ ତହସିଲଦାରଙ୍କଠୁଁ ପାଇବ। ତେଣୁ ସେ ପ୍ରଥମେ ଜନସେବା କେନ୍ଦ୍ରଯାଇ ଅନଲାଇନ୍ ଦରଖାସ୍ତ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଘରଢିଅ ଖଣ୍ଡକ ନ ଥିବାରୁ, ସେ ନା ଆଧାରକାର୍ଡ କରିପାରୁଛି ନା ବାସିନ୍ଦା ସାର୍ଟିଫିକେଟ୍ ଖଣ୍ଡେ ହାସିଲ କରିପାରୁଛି। ଏଥିପାଇଁ ସେ କିଛି ଯେ ପ୍ରଚେଷ୍ଟା କରି ନାହିଁ ସେ କଥା କହିହେବ ନାହିଁ। ସେ ପରା ଆର୍. ଆଇ. ଓ ତହସିଲଦାରଙ୍କୁ ବି ଦେଖାକରି ସାରିଲାଣି।ସିଏ କିନ୍ତୁ କୁଆଡ଼େ ହାତଟେକି ଦେଉଛନ୍ତି। ତେଣୁ ଭାବିଲା - ଆଉ ମାମୁଘରକୁ ନ ଯାଇ ଏଇ ସହରରେ କେଉଁଠି ରହି କାମକରିବ ଓ ସୁବିଧା ସହଯୋଗ କାହାଠାରୁ ପାଇଲେ ଯାଇ କଲେଜରେ ଆଡମିଶନ କରିବ।


ତେଣୁ ଆଜି ସେ ମର୍ଡନ ରେଷ୍ଟୁରାଣ୍ଟରେ ପରିଚାରିକା। ଏହାର ମାଲିକାଣୀ ସ୍ମିତା ଦେବୀ ଭାରି ଦୟାର୍ଦଚିତ୍ତ, ଭଲ ମଣିଷଟେ ।ତାଙ୍କ ସହ ବୁଲିର ଦେଖା ହୋଇଥିଲା। ତହସିଲ୍ ଅଫିସରେ ଯେତେବେଳେ ସେ ତାଙ୍କର ରେଷ୍ଟୁରାଣ୍ଟ ବାବଦକୁ କିଛି ଜମିଜମା ଝାମେଲା ପାଇଁ ତହସିଲଦାରଙ୍କ ପାଖକୁ ଯାଇଥିଲେ। ସେଠି ସେ ବୁଲିର କରୁଣ କାହାଣୀ ଶୁଣିଥିଲେ, ଯେତେବେଳେ ତହସିଲଦାରଙ୍କୁ ସେ କାନ୍ଦିକାଟି ସବୁକଥା କହୁଥିବାର ଜାଣିଲେ ।

ସେ ସେଇଠି ଘଟନାସ୍ଥଳରୁ ସେଦିନ ବୁଲିକୁ ଆବିଷ୍କାର କରିକି ଆଣି ନିଜ ରେଷ୍ଟୁରାଣ୍ଟରେ ଜାଗା ଦେଇଛନ୍ତି।

ସେଇଦିନୁ ବୁଲି ରେଷ୍ଟୁରାଣ୍ଟର ଗରାଖମାନଙ୍କୁ ଖାଦ୍ୟପେୟ ପରସେ। ଭାରି ପରିଷ୍କାର ପରିଚ୍ଛନ୍ନ ଝିଅଟା ଆଉ ସଫାସୂତର ତା'ର କାମ । ସେ ଆସିଲା ଦିନଠାରୁ ସ୍ମୃତି ଦେବୀଙ୍କ ରେଷ୍ଟୁରାଣ୍ଟରେ ଚାରଚାନ୍ଦ ଲାଗିଛି। ଭାରି ଭଲବେପାର ଚାଲିଛି। କଷ୍ଟୋମରମାନେ ଭାରି ଖୁସି ପାଉଛନ୍ତି, ବୁଲିର ବେଭାରଆଚାର ଦ୍ଵାରା ବେଶ୍ ପ୍ରଭାବିତ ତା ଆପ୍ୟାୟତରେ ହୋଟେଲ କାରବାର ହୁ ହୁ ହୋଇ ବଢୁଛି ।

ସ୍ମିତା ଦେବୀ ତାକୁ କଥା ଦେଇଛନ୍ତି, ଯେମିତି ହେଲେ ସେ ତା'ର ଆଧାରକାର୍ଡ ବାହାର କରିବେ ଓ ବାସିନ୍ଦା ପ୍ରମାଣପତ୍ର ମଧ୍ୟ ଯୋଗାଡ଼ କରେଇଦେବେ। ଏଥିପାଇଁ ଅବଶ୍ଯ ସେ ଏବେଠୁଁ କାମ ଆରମ୍ଭ କରିଦେଇଛନ୍ତି। କଲେକ୍ଟରଙ୍କୁ ଦେଖା କରିଛନ୍ତି ଆଉ ସରକାରଙ୍କୁ ବି ସବୁକଥା ଲେଖିକି ଜଣାଇଛନ୍ତି। କିଛି ନା କିଛି ଗୋଟେ ବାଟ ନିଶ୍ଚୟ ବାହାରିବ- ସେ ଭାରି ଆଶାବାଦୀ।

ବୁଲିଟା ଭାରି ନିରାଶ୍ରୟ ଝିଅଟା। କିନ୍ତୁ ଏତେ ମେଧାବୀ ଯେ ନ କହିବାର କଥା। ବହିବସ୍ତାନି ଖଣ୍ଡେ ସ୍କୁଲରେ ଠିକ୍ ସେ ପାଇଥିବ କି ନାହିଁ ସନ୍ଦେହ, କିନ୍ତୁ ସେଇଥିରେ ମାଟ୍ରିକରେ ସେ ତାଙ୍କ ସ୍କୁଲରେ ଫାଷ୍ଟ। ଏଥିପାଇଁ ତ ସ୍ମିତା ଦେବୀ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି କି ଛୁଆଟା ପଢିବ ଯଦି ପଢୁ, କାରଣ ସିଏ ବି ଗୋଟେ ନାଁ ଆଉ ସମାଜସେବାକୁ ସମାଜସେବା। ତାଛଡ଼ା ବୁଲିଟା ଆଉ ତ ତାଙ୍କ ଉପରେ ବୋଝହୋଇ ରହିବ ନାହିଁ ନା, ସେ ଯେମିତିକା କାମିକା ଛୁଆ କାମକୁ କାମକରିବ ଆଉ ତା ପଢାକୁ ପଢା ବି କରିବ। ଏଥିରେ ତାଙ୍କ ମିଷ୍ଟର ବି ଆଉ ରାଗିବେ ନାହିଁ। ଯାହା ବି ହେଉ ବୁଲିକୁ ସେ ଘରେ ରଖିଲେ, ଆଉ କାମବେଳେ ସେ ରେଷ୍ଟୁରାଣ୍ଟରେ କାମକଲା। ତା ଦରମା ପଇସା ବି ସେ ସାଇତି ରଖନ୍ତି, ଭାବିଛନ୍ତି ବ୍ୟାଙ୍କ୍ ଖାତା ଗୋଟେ ଖୋଲି ଜମା କରିଦେଲେ, ସେଇ ପଇସାରେ ସେ ତା'ର ପଢିଯିବ। ପୁଣି ଆଦିବାସୀପିଲା ହେତୁ ଷ୍ଟାଇପେଣ୍ଡ ବି ପାଇବ, ତେଣୁ ତାହାର ସେଥିରେ ବିଶେଷ କିଛି ଅସୁବିଧା ହେବ ନାହିଁ। ପିଲାଟା ଯେହେତୁ ଉଚ୍ଚାଭିଳାଷୀ ଅଛି, ତାକୁ ଟିକିଏ ଖୋରାକ୍ ଯୋଗଦେଲେ କ୍ଷତି କ'ଣ? 


ସେ ତେଣୁ ମାଇଣ୍ଡ୍ ମେକ୍ ଅପ୍ (ମନରେ ସ୍ଥିର ) କରି ସାରିଛନ୍ତି ଯେ, ତାଙ୍କୁ ବୁଲି ପାଇଁ କ'ଣ କ'ଣ ସବୁ କରିବାକୁ ହେବ।

ଏଇ ବୁଲି ଗୋଟେ ବାପଛେଉଣ୍ଡ ପିଲା। ସେ ଟିକିଲିଟିଏ ହୋଇଥିଲା ତା ବାପା ଚାଲିଗଲେ । ଗୋଟେ ରାସ୍ତା ଦୁର୍ଘଟନାରେ ହଠାତ୍ କୁଆଡ଼େ ମୃତ୍ଯୁବରଣ କଲେ, ଯେତେବେଳେ କି ବୁଲିକୁ ହେତୁ ହୋଇ ନଥିଲା। ତେଣୁ ସେ ସେସମ୍ପର୍କରେ ବିଶେଷ କିଛି କହିପାରିବ ନାହିଁ। ବାପାଙ୍କ ମୃତ୍ୟୁବେଳକୁ ତ ତା'ମାଆ ବହୁତ ଅଳ୍ପବୟସ୍କା ହୋଇଥିଲା। ତା ବାହାଘରକୁ ବି ବେଶିଦିନ ଯାଇନଥିଲା। ତେଣୁ ସେ ଅନ୍ୟତ୍ର ଗୋଟେ ବରପାତ୍ର ଦେଖି ଚାଲିଗଲା, ଅଜାଆଈ ତା ବାହାଘର କରିଦେଲେ। ବାକି ରହିଗଲା ବୁଲି, ମାମୁଘରେ ତା'ଦିନ କଟିଲା। ଅଜାଆଈ ଥିଲାଯାଏ ଭାରି ଶରଧା କରନ୍ତି। ଫୁଲେଇ ହୋଇ ତାକୁ ସ୍କୁଲ ପଠେଇଲେ, କହିଲେ - "ତୁ ବଡ଼ହେଲେ ଆଇନ୍ ଶିଖିବୁ, ଆଇନ୍ ଶିଖିଲେ ଦେଶର ନୀତି ଗଢିବୁ। "


ବୁଲି କିଛି ବୁଝିପାରେ ନାହିଁ, ତାଙ୍କ କଥାରେ ଖାଲି ହଁ'ମାରେ, କୁହେ - "ହଁ, ମୁଁ ଆଇନ୍ ଶିଖିବି।" 

ସେଇ ଆଇନ୍ ପାଠଟା ଏଯାଏଁ ତା ମୁଣ୍ଡରୁ ଯାଇ ନାହିଁ, ତେଣୁ ଏବେ ତା'ର ସ୍ଵପ୍ନ ସେ ଲ' ପଢିବ।

କିନ୍ତୁ ଆଜି ବୁଲି ଏତେ ବେସାହାରା କାହିଁକି? । ତା ମନୋବଳ ଟିକିଏ ଭାଙ୍ଗି ଯାଇଥିଲା ପରି ତ ମନେହେଉଛି। ସେ କଥା କ'ଣ କି, ଯେତେଦିନଯାଏ ଅଜାଆଈ ବଞ୍ଚିଥିଲେ ତା'ର ବିଶେଷକିଛି ଅସୁବିଧା ହୋଇ ନାହିଁ। ଅବଶ୍ୟ ସେମାନେ ଗରିବଲୋକ, ଖଟିଲେ ଖାଆନ୍ତି। ତେବେ ବି ଅଜାଆଈଙ୍କର ନିଶ୍ଚୟ ସ୍ଵପ୍ନଥିଲା - ବୁଲିକୁ ପାଠପଢାଇବା ପାଇଁ। ଫଳରେ ସେ ମାଟ୍ରିକ୍ ତ ପାସ୍ କରିଗଲା। କିନ୍ତୁ ଏଣିକି ବିପର୍ଯ୍ୟୟ ମୁଣ୍ଡ ଟୁଙ୍ଗାରିଲାଣି। ଅଜାଆଈ ଅଳ୍ପଦିନ ତଳେ ଜଣଙ୍କ ପରେ ଜଣେ ଚାଲିଗଲେ - ବୟସାଧିକ୍ୟ କାରଣରୁ। ସେମାନଙ୍କ ପରେ ମାମୁମାଇଁ ଆଉ ସେତେ ସୁଖପାଉ ନାହାଁନ୍ତି। ସେ ନିଜ ପିଲାଛୁଆଙ୍କ ପାଇଁ ବ୍ୟସ୍ତ। ତେଣୁ ସେମାନେ କେହି ବୁଲିର ପାଠଶାଠରେ ଏତେ ମନ ଦେଉନାହାନ୍ତି। କାହିଁକିନା ଇର୍ଷା ହିଁ ମଣିଷର ପରମଶତୃ , ମାଇଁର ବଡ଼ ଅଭିଯୋଗ -" ବୁଲି କାହିଁକି ପଢିବ? ଏବେ ସେ ବଡ଼ ହେଲାଣି, ନିଜ ଦାୟିତ୍ଵ ନିଜେ ନେଉ। ପାଠଛାଡି ପରଘରେ ରୁଆପୋତାରେ ଖଟୁ, ସେଇ ପଇସାରେ ତା' ବାହାଘରରେ ହାଣ୍ଡିଆ ହେବ। ଆମେ ପାଞ୍ଚମୁଣ୍ଡ ସାତମୁଣ୍ଡ ଯୌତୁକ ନେଇ ତା ବାହାଘର କରିଦେବା।"

ମାମୁଙ୍କୁ ଏକଥା ମାଇଁ କହୁଥିବାର ବୁଲି ନିଜେ ଶୁଣିଥିଲା, ତେଣୁ ଆଉ ଗାଁକୁ ଫେରିବାକୁ ସେ ଚାହୁଁ ନାହିଁ। ତାଙ୍କ ପରମ୍ପରା ଅନୁସାରେ କାଳେ କେହି ଧାଙ୍ଗଡ଼ା ତା ମଥାରେ ସିନ୍ଦୂର ପିନ୍ଧାଇ ତାକୁ ବିଭାହୋଇ ନେଇଯିବ ବୋଲି। କାହିଁକିନା ତା ସ୍ଵପ୍ନ ଅଧୁରା ରହିଯିବ, ସେ ଯେମିତି ହେଲେ ଅଜାଆଈଙ୍କ ସ୍ୱପ୍ନକୁ ପୂରାକରିବ-ଏଇଟା ତା'ର ସଂକଳ୍ପ।

ତେଣୁ ସେ ସ୍ମିତା ଦେବୀଙ୍କ କଥାରେ ରାଜି ହୋଇଗଲା। 


ଏବେ ତା ଠିକଣା ମର୍ଡନ ରେଷ୍ଟୁରାଣ୍ଟ, ସେ ସେଇଠି କାମକରେ, ସ୍ମିତା ଦେବୀଙ୍କ ଘରେ ରହେ। ସେ ତ ପାହାଡ଼ୀ ଝିଅ, ତେଣୁ ପରିଶ୍ରମକୁ ତା' ର ଖାତିର୍ ନାହିଁ। ଯେତେ କଷ୍ଟକାମ ହେଉପଛେ, ସେ କୋଉକଥାକୁ ନାଇଁ କରେ ନାହିଁ। 


ସମର ବାବୁ ଓ ସ୍ମିତା ଦେବୀଙ୍କ ଭିତରେ ବହୁତ ଫରକ। ଜଣେ ଫାଇଦା ଦେଖନ୍ତି-କାମ କାମ ବୋଲି ପାଣି ପିଅନ୍ତି ନାହିଁ, ଆଉ ଜଣେ ସମବେଦନା ଢାଳନ୍ତି-ଚଢେଇ ଚିରକୁଣୀ ପେଟ ବି ଚିହ୍ନନ୍ତି। ତେଣୁ ବାବୁଙ୍କ କଥା ଛାଡ଼, ମାଲିକାଣୀ ତ ଭଲ - ବୁଲି ମନକୁ ଶାନ୍ତ୍ୱନାଦିଏ। ସବୁକାମକୁ ହସିହସି ବରୀନିଏ।

ସ୍ମିତା ଦେବୀ ଏହା ଭିତରେ ନିଜ ମିଶନରେ କିଛିଟା ସଫଳତା ଆଣିଲେଣି। ସେ ତା'ର ଆଧାର ଓ ବାସିନ୍ଦା ସାର୍ଟିଫିକେଟ୍ ଯୋଗାଡ଼ କରିପାରିଲେ। କଲେକ୍ଟର ଓ ସରକାର ଏ ଦିଗରେ କିଛିଟା ପ୍ରଯତ୍ନ ଅବଶ୍ୟ କଲେ। କିନ୍ତୁ ଆଦିବାସୀ ପ୍ରମାଣପତ୍ର ସହଜେ ମିଳିପାରିଲା ନାହିଁ, ଯେହେତୁ ତା'ମାଆ ଦ୍ଵିତୀୟ ବିଭା କଲାପରେ ତା ବାପାଙ୍କ ଅନ୍ତେ ବାପ ଗୋସିବାପ ଅମଳର ଏକମାତ୍ର ଭିଟାମାଟି ଖଣ୍ଡକ ବିକିଭାଙ୍ଗି ନେଇ ଯାଇଥିଲେ । ତେଣୁ ଜାତିଗତ ପ୍ରମାଣପତ୍ର ପାଇଁ ଆବଶ୍ୟକୀୟ ଘରବାଡି ପଟାପତ୍ର ସେ ଦେଖାଇ ପରିନଥିଲେ କି ସାର୍ଟିଫିକେଟ୍ ପାଇପାରି ନ ଥିଲେ । ଫଳତଃ ଜାତିଗତବୃତ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ସିଏ ବି ବଞ୍ଚିତ ହେଲେ। ଏହା ପିଲାମନକୁ ଖୁବ୍ ମର୍

ମାହତ କରିଥିଲା, ହେଲେ ଜିଦ୍ ଆଗରେ ସ୍ଵଂୟବ୍ରହ୍ମା ହାର୍ ମାନନ୍ତି ପରା। ତେଣୁ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେ ତା ଜିଦ୍ ରୁ ଟଳି ନ ଥିଲା। ବାରିପଦା ସରକାରୀ କଲେଜରେ ଏଡମିଶନ୍ ନେଇ, ସେ ପଢ଼ିବାକୁ ଲାଗିଲା। ଦିନରେ କ୍ଲାସ୍, ରାତିରେ ରେସ୍ତୋରାଁ, ସକାଳେ ସେଲ୍ଫଷ୍ଟଡି - ତା ଧରାବନ୍ଧା ରୁଟିନ୍ ରେ ପରିଣତ ହୋଇଗଲା।। ଯୁକ୍ତଦୁଇ ଫଳାଫଳ ଖୁବ୍ ବଢ଼ିଆ ହେଲା, ସେ ତେଣୁ ଆହୁରି ଉତ୍ସାହିତ ହୋଇ ଯୁକ୍ତତିନରେ ଭର୍ତ୍ତି ହେଲା, ସିଏ ବି ଆହୁରି ଭଲ ହେଲା। 


ଏଣିକି କ'ଣ ପଢିବ - ବିଚାରବିମର୍ଷ ହେଲା। ସ୍ମିତା ଦେବୀ ଚାହିଁଥିଲେ ସେ ପି. ଜି. କରି ଅଧ୍ୟାପିକା କି ପ୍ରଫେସରଟିଏ ହେଉ କିନ୍ତୁ ବୁଲିର ସେଇ ଏକାନ୍ତ ଜିଦ୍ ସେ ଲ' କରିବ, ତା ଅଜାଆଈର ସ୍ୱପ୍ନକୁ ସାକାର କରିବ। ସେୟା ହିଁ ହେଲା। ସେ ଲ' ପଢ଼ିଲା।

କିନ୍ତୁ ତା ଜୀବନ କ'ଣ ଏତେ ସହଜ ସରଳ ନା, ଯାହା ଏମିତି ସୁରୁଖୁରୁରେ କଟିଯାଇଥିବ। ସମ୍ପନ୍ନ ଓ ପରିବାର ଥିଲାବାଲାର ତ କେତେକଥା ଘଟିଯାଉଛି, ଆଉ ଇଏ ତ ବାପଛେଉଣ୍ଡ ଓ ପରିବାରହୀନା ନିରାଶ୍ରୟା ଜନଟିଏ।

ଲୋକେ ତା ସରଳତାର ସୁଯୋଗ ନେଇ, ସମ୍ପନ୍ନବାଲା ତାକୁ ଅନେକ ଅସୁବିଧାରେ ପକାଇଛନ୍ତି। ପ୍ରଥମେ ପ୍ରଥମେ ଗୋଟେପ୍ରକାର ଥିଲା, କିନ୍ତୁ ଯେତେବେଳେ ତା' ଯୌବନ ପୂର୍ଣ୍ଣତଃ ପ୍ରସ୍ଫୁଟିତ ହେଲା, ଅନ୍ୟର ଲୋଲୁପ ଦୃଷ୍ଟିରେ ସେ ବେଶି ଶିକାର ହେଲା।


ଏଣିକି ସ୍ମିତା ଦେବୀ ନ ରହିଲେ ବି ସେ ପୂରା ଦୋକାନର ଦାୟିତ୍ଵ ସମ୍ଭାଳିଲାଣି। କିନ୍ତୁ ଦୋକାନରେ ଝିଅ ପିଲାଟିଏ ଏକୁଟିଆ ଦେଖି, ଦିନେ ଗୋଟେ ମଦୁଆ ଟଣାଘୋଷରା କଲା। କେତେ ଅଭଦ୍ର ଟିପ୍ପଣୀ ସବୁ କଲା। କହିଲା - "ଏ ବ୍ଲାକ୍ ବିୟୁଟି! ଚାଲୁନୁ, ମୁଁ ତୋତେ ଘରଣୀକରି ରଖିବି। ତୋର ଆଉକିଛି ଅସୁବିଧା ରହିବ ନାହିଁ, ସୁନାରୂପାରେ ପୂରା ତୋତେ ପୋତିଦେବି।" ଏତକ କହି ତା ହାତକୁ ଧରି କଦର୍ଯ୍ୟ ଇଙ୍ଗିତ କଲା - "ଆଲୋ ଆ! ମୋ ରସ ମଲେଇ, ଦେବି ତୋତେ ନଡ଼ିଆ ମଲାଇ ।"


ଏତିକି ବେଳକୁ ଭାଗ୍ୟକୁ ସ୍ମିତା ଦେବୀ ଆସିକି ସେଠି ପହଁଞ୍ଚିଲେ। କହିଲେ -" ମୋ ଷ୍ଟାଫ୍ ଦେହରେ ଯିଏ ଟିପାଦେଇଛି, ମୁଁ କାହାରିକୁ ଛାଡ଼ିବି ନାହିଁ।" 


କଥା ବଡ଼ହେଲା, ପୋଲିସ୍ ଭ୍ଯାନ୍ ବି ପହଞ୍ଚିଲା। ହାତଗୋଡ ଧରି ଭୁଲ ମାଗି ସେଲୋକ ସେଠୁ ଗଲା।


କଲେଜରେ ବି ତା ଦାରିଦ୍ର୍ୟତାକୁ ନେଇ ନାନା ଉପହାସ ସେ ସହେ । ରାସ୍ତାରେ ଚିଲ୍ଲାନ୍ତି -" ହେଇ ପରିଚାରିକା ଆସିଲା। "ସେ କିଛି କହେ ନାହିଁ, ମୌନରହେ। ଲୋକେ କହି କହି ଆଉ କେତେ କହିବେ ଯେ - ସବୁ ପରା ଦେହସୁହା ହୋଇଗଲାଣି।


 ସେ ଆହୁରି ଭଲ କରିଛି, କିଛି ଫ୍ୟାଶନ ହୁଏ ନାହିଁ କି ମୁହଁରେ କିଛି ମାଖେ ନାହିଁ। ନହେଲେ ତା'ର ଯୋଉ ଚେହେରା ଲୋ ମା! କିଏ ନ ଅନେଇବ କହୁ ନାହାନ୍ତି? କେବଳ ତା'ର ଗୋଟେ ଡିମେରିଟ ହେଲା , ସିଏ ଟିକିଏ କଳା, ନଚେତ୍ ସୌନ୍ଦର୍ଯ୍ୟ ତାଠିଁ ବୋଳି ହୋଇକି ଥାଏ। ଭାରି ବଳିଲା ବଳିଲା ହୃଷ୍ଟପୃଷ୍ଠ ତା ଚେହେରା। ତ୍ଵଚା କେଉଁଠି ବି ଟିକେ କୁଞ୍ଚା ଧରି ନଥିବ। ତା'ର ସବୁ ଉନ୍ନତ ଓ ବଳିଷ୍ଠ, ମୁଖମଣ୍ଡଳ ବି ଅପରୂପ ଲାବଣ୍ୟରେ ଭରା ।ତା'ର ଘନ ଓ ଘଞ୍ଛ କୁନ୍ତଳ ଖୁବ୍ ସଶକ୍ତ ଓ ଲମ୍ବ-ତାକୁ ଏକଦମ୍ ମାନେ । ସେ ଯେତେବେଳେ ରେସ୍ତୋରାଁରେ ଥାଏ, ନିଜ ଆପ୍ରୋନଟାକୁ ପଇତା ଭଳିଆ ଗୋଟେ କାନ୍ଧରେ ପକାଇ ଅଣ୍ଟାପାଖରେ ଆଣି ଆଉ ବେଢେ ଅଣ୍ଟିରେ ଗୁଡ଼ାଇ ଗଣ୍ଠିପକାଇ ବାଗରେ ଫାଶ ପକାଇ ଦେଇଥିବ, ତା'ପରେ ସେ ଦୌଡାଧାମ୍ଫଡା କରି ତା କାମକରେ, ତାକୁ ସୁବିଧାହୁଏ। ଲୋକେ କିନ୍ତୁ ତା ଅଙ୍ଗଦେଶକୁ ଖାଲି ଚାହୁଁଥିବେ। ଚାହାଁନ୍ତୁ, ସେଗୁଡାକୁ ସେ ଏତେ ନଜର ଦିଏ ନାହିଁ, ତା କାମ ଭଲ ତ ସେ ଭଲ, ସେ ତା କାମ କରିଯାଏ। ସେଥିରେ ହାରିଫେରାଦ ଟିକିଏ ବି ନାହିଁ।


କିନ୍ତୁ କଲେଜ ଗଲେ ସେ ତା ଆପ୍ରୋନଟାରେ ସମ୍ମୁଖଭାଗଟାକୁ ଭଲ ରକମର ଢାଙ୍କିଢୁଙ୍କି ଯାଏ, ତେଣୁ ସମସ୍ୟା ଟିକିଏ କମ୍ ହୁଏ।


ଏଇମିତି ଜୀବନକାଳ ଭିତରେ କେତେସବୁ ଘଟନା ଅଘଟନା ଯାଇଛି, ସେଗୁଡିକ ସବୁ ଏକାବେଳକେ ଏଠି ବାହୁନି ଆଉ ଲାଭ ନାହିଁ।


ଏଣିକି ସେ ଲ 'କଲାଣି ।ବୁଦ୍ଧି ଅକଲ ଶିଖିଲାଣି। ତେଣୁ ନିଜ ନିଷ୍ପତ୍ତି ନିଜେ ନେଲାଣି। ଦୁନିଆଦାରି ବୁଝେ, କେଉଁଟା ଖରାପ ଭଲ ସେ ଫରକ ଅନୁଭବ କଲାଣି। ତେଣୁ ସ୍ମିତା ଦେବୀଙ୍କ ଉପରେ ନିର୍ଭରଶୀଳତା ତା'ର ଧୀରେଧୀରେ ହ୍ରାସ ପାଇବାକୁ ବସିଲା। ଶିକ୍ଷା ତାକୁ ସ୍ଵୟମ୍ଭୁରେ ପରିଣତ କଲା, ସେ ଆତ୍ମସିଦ୍ଧିର ମାର୍ଗ ସ୍ଵୟଂ ଖୋଜିପାଇଲା।ଏବେ ସିଏ ରେସ୍ତୋରାଁ କମ୍ ଯାଏ, କିନ୍ତୁ ପଢା ସଙ୍ଗେରେ ସେ ନନ୍ଦଆଜ୍ଞା ବୁଢ଼ାଓକିଲ ପାଖକୁ ଯାଇ ନିଜ ପ୍ରାକ୍ଟିସ୍ ଆରମ୍ଭ କରିଦେଲା। ସେଠୁ ବି ଦି'ପଇସା ଆସିବାକୁ ଲାଗିଲା - ମୋଟା ମୋଟା ଲ' ବହି ସବୁ କିଣିବା ପାଇଁ।


ସବୁଠାରୁ ବଡ଼କଥା ହେଉଛି, ତା ଜୀବନ ପରିଧି ଭିତରକୁ ରାମୁ ଅଚାନକ ଆସିବାଟା। ଏହି ରାମୁ ଭାରି ଭଲ ପିଲାଟିଏ, ସେ ବୁଲିର ଭାବନାକୁ ଭଲ ସେ ବୁଝେ। ତା ଦୁଃଖରେ ବି ସମଭାଗୀ ହୁଏ, ସମବେଦନା ବି ଜତାଏ। ସେଇ ପରା ନନ୍ଦଆଜ୍ଞାଙ୍କ ସହ କଥାହୋଇ, ବୁଲିକୁ ସେଠି ପ୍ରାକ୍ଟିସ୍ କରିବା ପାଇଁ ରାଜି କରାଇଥିଲା। ଉଭୟଙ୍କର ଦୋସ୍ତି ଜମିଲାଣି, ସମ୍ପର୍କ ଆଗକୁ ବଢ଼ୁଥାଏ। ଉଭୟ ଉଭୟଙ୍କ ପ୍ରତି ଗୋଟେ ଢଳନ ତ ପରିଲକ୍ଷିତ ହେଉଥାଏ। ତେଣିକି ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ କିନ୍ତୁ ଗୋଟେ ଆକର୍ଷଣ ବଢ଼ୁଥାଏ ଓ ପରସ୍ପର ପରସ୍ପରପାଇଁ ଘଡିଏବେଳେ ତ ଭାବୁକ ପାଲଟୁଥା'ନ୍ତି। ଏହା କି ପ୍ରେମ ନା ଶରୀରର ଭୁଖା? ତେବେ ପଢା ସରିଗଲା, କିନ୍ତୁ ବନ୍ଧୁତା ସରିଲା ନାହିଁ।


ଉଭୟ ଓକିଲ, କେସ୍ ଲଢ଼ିବା ସେମାନଙ୍କ କାମ। ଜୀବନରେ ନୂତନ ଆଧାୟ ଆରମ୍ଭ ହେଲା। ଠିକଣା ବଦଳିଲା, ନିଜସ୍ଵ ଭଡ଼ାଘରକୁ ସ୍ଥାନାନ୍ତରିତ ହେଲେ, ଯେହେତୁ ଓକିଲ ଚ୍ୟାମ୍ବର ବନେଇବାର ଅଛି। ଚାଲିଲା ଏଣିକି କେସ୍ ପରେ କେସ୍, ତାରିଖ ପରେ ତାରିଖ, କୋର୍ଟ କଚେରୀରେ ସବୁବେଳେ ଦେଖା, ଧଳାଡ୍ରେସ୍ ଉପରେ କଳାକୋର୍ଟ ଓ ଗଭୀର ଆତ୍ମବିଶ୍ଵାସର ପ୍ରତୀକ ବାବୁଆଣୀ ଠାଣି ଓ ବାଣୀ । ଦାୟୀ ବା ମୁଦେଇଙ୍କ ବିରୁଦ୍ଧରେ ବା ସପକ୍ଷରେ ପ୍ରତିପକ୍ଷ ଓକିଲ ସଙ୍ଗେ ମୁହାଁମୁହିଁ ଲଢେଇଝଗଡ଼ା। ଯୁକ୍ତିତର୍କ ପରେ ଯାହା ଗୋଟେ ନିଷ୍କର୍ଷ ଓ କେସ୍ ରେ ଜିତାହରା ନେଇ ଅଙ୍କକଷା - ଭଲ ଓକିଲ, ଖରାପ ଓକିଲ।


ଏବେ ବେଶ୍ ଭଲ ଓକିଲ ହୋଇ ବୁଲି ନାଁ କମାଇଲାଣି।ସହରର ବଡ଼ବଡ଼ ନାମଜାଦା ଓକିଲ ପରା ତା ଯୁକ୍ତି ଆଗରେ ହାର୍ ମାନି ଯାଆନ୍ତି। ସେ ହେଲା ନାମକରା ଓକିଲ। କିନ୍ତୁ ଗରିବ ହେଲେ ମାମୁଲି ଫିସ୍, ଧନୀ ହେଲେ ମୋଟା ଫିସ୍, ଯେଉଁଥିରେ ଅଜାଙ୍କ ନାଁ ଅନୁସାରେ ନୁଥୁନ ଚାରିଟେବଲ୍ ଟ୍ରଷ୍ଟ ଜରିଆରେ ଅନାଥ ଆଶ୍ରମ ଚାଲେ।


ରାମୁ ବି ସେଇ ଅନାଥ ଆଶ୍ରମ ଚଲେଇବାରେ ଅଧାଦାୟିତ୍ଵ ନିଅନ୍ତି। ତେଣୁ ସିଏ ସେଠାକୁ ସବୁବେଳେ ଆସନ୍ତି। ଦେଖାଚୁହାଁ ସବୁବେଳେ ହୁଏ। ଜଣେ ପରା ନାଥ ଥାଇ ଅନାଥ- ବୁଲି, ଆଉଜଣେ ମୂଳରୁ ଫୁଟପାଥ୍ ସାଉଁଟା ଡଷ୍ଟବିନରୁ ଗୋଟା ହୋଇଆସି ମେହେନ୍ତରାଣୀ ଘରେ ପାଳିପୋଷି ହୋଇଥିବା ଅନାଥ -ରାମୁ। ଧୀରେଧୀରେ ପ୍ରେମାକର୍ଷଣ ବଢ଼ିବାରୁ ଉଭୟ ବିବାହବନ୍ଧନରେ ବାନ୍ଧିହୋଇ ସଂସାରଧର୍ମ ପାଳିଲେ। ଅନୁବନ୍ଧନର ନିଗଢ ବନ୍ଧନରେ ଝାସଦେଲେ।


ବାସ୍ତବରେ ମାନିବାକୁ ପଡ଼ିବ, ଘଟସୂତ୍ର ସବୁକିଛି ଲେଖିକି ରଖିଥା'ନ୍ତି। କେତେବେଳେ କେଉଁ ମୁହୂର୍ତ୍ତରେ କିଏ ଯେ କାହା ସହିତ ଭେଟଣାହେବ ଓ କେତେବେଳେ କେଉଁଯୋଡ଼ି କେମିତି ଏକାଠିହେବେ। ସେଥିପାଇଁ ବୋଧେ ସେ ନାଟକର ସବୁ ପ୍ଲଟରଚନା କଲାପରି ସଂଯୋଗକ୍ରମେ ସବୁ ସଙ୍ଗଠିତ କରନ୍ତି। ଅଦ୍ଭୁତ ତାଙ୍କ ଲୀଳା, ବଡ଼ ବିଚିତ୍ର ସଂଯୋଗ।


ସେଥିପାଇଁ ପରା କୁହଯାଇଥିଏ, ଅରକ୍ଷିତକୁ ଦଇବ ସାହା। ଦେଖୁନାହାନ୍ତି! ଏତେବଡ଼ ସଂଘର୍ଷଶେଷେ କେମିତି ସବୁ ଫଳ କେତେ ମିଠା।

ଏବେ ସିଏ ସଶକ୍ତ ଓ ସମ୍ପନ୍ନା ବି, ଯାହା ପାଖରେ ଧନଦୌଲତ ଓ ପରିବାର ବି ଅଛି। ବାକି ରହିଗଲା ଗୋଟିଏ କାମ, ଯାହା ସିଏ ପିଲାବେଳେ ଶରବ୍ୟ ହୋଇଛନ୍ତି, ତାହା ହେଉଛି ଭୂମିହୀନକୁ କେମିତି ସହଜରେ ଜାତିଗତ ପ୍ରମାଣପତ୍ର ଦେଇହେବ।

କୋର୍ଟରେ ପି. ଆଇ. ଏଲ୍. ଫାଇଲ୍ କଲେ। ନିଜେ କେସ୍ ଲଢ଼ିଲେ। ରାମୁ ବି ଏ ଦିଗରେ ସାହାଯ୍ଯ କଲେ। ନିଇତି ସମ୍ବାଦପତ୍ରର ହେଡ୍ ଲାଇନ୍ ହେଲା - "ଭୂମିହୀନକୁ ଜାତିଗତ ପ୍ରମାଣପତ୍ର ପ୍ରସଙ୍ଗ - ହାଇକୋର୍ଟରେ ଉଠିଲା "।

ଘଟନା ମିଡିଆ ବନ୍ଧୁଙ୍କଠାରୁ ବୁଦ୍ଧିଜିବୀଯାଏ, ପୁଣି ବିଭିନ୍ନ ରାଜନୈତିକ ଦଳର ନେତାଠାରୁ ସରକାରୀକଳଯାଏ ସମସ୍ତଙ୍କୁ ଆନ୍ଦୋଳିତ କଲା। କୋର୍ଟ ବି ମାନବାଧିକାରର କ୍ଷୁର୍ଣ୍ଣନ ଦର୍ଶାଇ, ଶୀଘ୍ର ଏଦିଗରେ ସଠିକ୍ ଆଇନ୍ ପ୍ରଣୟନ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ।

ପାହାଡ଼ୀକନ୍ୟା ବୁଲିରାଣୀ ଏବେ ଗରିବ ବାପୁଡ଼ାର ସାଥୀ। ନ୍ୟାୟ ଦରବାରରେ ତା କାରତି, ସବୁଠିଁ ଏବେ ଚର୍ଚ୍ଚିତ।


Rate this content
Log in

Similar oriya story from Inspirational