STORYMIRROR

Satyaprakash Sethy, M. A(UGC NET)

Tragedy

4  

Satyaprakash Sethy, M. A(UGC NET)

Tragedy

ରୂପାନ୍ତରୀକରଣ

ରୂପାନ୍ତରୀକରଣ

6 mins
10


ଏବେଏବେ ତ ଚାଲିଛି। ଆଗରୁ କାହିଁ ଶୁଣା ନ ଥିଲା। ରାସ୍ତା ଘାଟର ପ୍ରଶସ୍ତିକରଣ ଓ ସହରର ବିକାଶୀକରଣ ନାଁରେ ବୁଲଡୋଜର। ଯେଉଁଠି ପାଇଲେ ସେଠି ବୁଲ ଡୋଜର ଚଢେଇ ଦେଲେ। ଦୋକାନପତ୍ର ଘରଦ୍ଵାର ସବୁ ଭାଙ୍ଗିରୁଜି ଚୁରମାର। ସତେ କି ଇଟା ପଥରର ସ୍ତୁପିକୃତ ପାହାଡ଼ ଉପରେ ସହର ପଲଟିଛି ଭଗ୍ନସ୍ତୁପ ।ରୂପାନ୍ତରିକରଣ ନାଁ ରେ ଏଠି ନିତି ରୂପ ବଦଳୁଛି। ପୁରୁଣା ଉପରେ ନୂଆ ଗଢା ହେଉଛି। ଭଙ୍ଗା ଗଢା ର ଲୁଚକାଳି ଖେଳ ଭିତରେ ପରିବର୍ତ୍ତନ କିନ୍ତୁ ଅବଶ୍ୟମ୍ଭାବୀ। 

ଏ କଥା ସତ ଆମ ଯୁଗର ପରିବର୍ତ୍ତନ ଘଟିଛି। ବିକାଶ ଦ୍ରୁତଗତିରେ ଅଗ୍ରଗତି କରିଛି। ଆଗ ଯେଉଁ ସହର ଗାଁ ବା ବସ୍ତି ପରି ଛୋଟ ଓ କ୍ଷୁଦ୍ର ଯାଗାରେ ଠୁଳେଇ ହୋଇ ଏକାଠି ହୋଇ ପଡିଥିଲା ଆଜି ତାହା ପ୍ରସାରିତ ହୋଇ ଚାରି ଦିଗକୁ ମେଲେଇ ଯାଇଛି। ଠାଏଁ ଠାଏଁ ଦୋକାନପତ୍ର ଓ ଜନ ଗହଳିପୂର୍ଣ୍ଣ ବସ୍ତି। କ୍ଷୁଦ୍ର ସହର ଏବେ ଏନ୍. ଏ. ସି. ଓ ମୁନିସିପାଲିଟିରୁ ଯାଇ କର୍ପୋରେସନରେ ପରିଣତ ହେଲାଣି।ଗହଳି। ନାହିଁ ନ ଥିବା ଗହଳି। ଜନାକୀର୍ଣ୍ଣ ସହର ।

ଲୋକ ପରା ସହରାଭିମୁଖୀ। ସମସ୍ତେ ଚାହିଁଲେଣି ସହରରେ ଯାଇ ଜାଗା ମଳେ କିଣି ଘର ତୋଳିବାକୁ। କାହିଁକିନା ସମସ୍ତ ସୁବିଧା ସୁଯୋଗ ସେଇଠି ରହିଛି ନା! ଛୁଆଙ୍କ ପାଠପଢିବା ଠାରୁ କର୍ମସଂସ୍ଥାନ ଯାଏ ସବୁ କୁଆଡ଼େ ସେଇ ସହରରେ। ତେଣୁ ଗାଁକୁ କିଏ ପଚାରେ। ଗାଁରେ ତ ଆଉ ଚାଷବାସ ହେଉ ନାହିଁ। ନାଁ କୁ ସିନା ଇଏ କୃଷି ପ୍ରଧାନ ଦେଶ। ହେଲେ କୃଷି ଉପରେ କିଏ ବା ନିର୍ଭର କରୁଛି? ଏକେ ତ ଜଳ ସେଚନର ସୁବିଧା ନାହିଁ, ତେଣେ ପୁଣି ମୂଲିଆ ପାନିଆର ଅଭାବ। ଏମାନେ ସୁରାଟ ଓ ବେଙ୍ଗଲର ଯାଇ ବରଂ ହୋଟେଲରେ ଅଇଁଠା ବାସନ ଧୋଇବେ ବା କଳ କାରଖାନାରେ କାମ କରିବେ ପଛେ ଗାଁରେ କିନ୍ତୁ ମୂଲପାତି ଲାଗିବେ ନାହିଁ। ସହଜେ ତ ସରକାର ମାଗଣା ଚାଉଳ, ଛତା, କମ୍ବଳ, ଛତୁଆ ଆଦି ସବୁ ଦେଉଛନ୍ତି। ତେଣୁ ଏଠି ବିଲବାଡି ପଡ଼ିଆ। ମମତା ଦିଦି ତ ପଶ୍ଚିମବଙ୍ଗରୁ ଆଳୁ ପଠାଉଛନ୍ତି, ପୁଣି ଆନ୍ଧ୍ରରୁ ପାଚିଲା କଦଳୀ, ଅଣ୍ଡା, ମାଛ, କୁକୁଡ଼ା ଆଦି କେତେ ଦରବ ଆସୁଛି। ସେତକ କିଣି ଖାଇଲେ ଗଲା, ଏତେ ପରିଶ୍ରମ କିଏ କରୁଛି। ପରିଶ୍ରମ କରି ଯାହା କଲେ ବି ସିଏ ପରା ଶାଗ ପେଜରେ ଯାଉଛି। କାରଣ ଏଠି ତ ଆଉ ଶୀତଳ ଭଣ୍ଡାର ନାହିଁ ଯେ ସରକାର ସବୁ କିଣିନେଇ ମହଯୁଦ ରଖିବେ ଓ ଚାଷୀ ତା ଜିନିଷର ଉଚିତ୍ ମୂଲ୍ୟ ପାଇ ବେଉଷଣ ଖର୍ଚ୍ଚ ଉଠାଇ ପାରିବ। ତେଣୁ ଖାଉଟି କେଞ୍ଚେ ପାଉପଛେ ଚାଷୀ ଚାଷରେ ମନ ଦେଉ ନାହିଁ। ଏତେବେଳେ ସମସ୍ତେ ସହରୀ। ସହରରେ ରହି ବେପାର ବଣିଜ କରି ଦୁଇ ପଇସା କମେଇଲେ ଗଲା ।

ଖତୁ ସାହୁ ପୁରୁଷ ପୁରୁଷ ଧରି ଚାରି ପୁରୁଷ ହେବ ପଇସା କମେଇବା ପାଇଁ ଏଇ ସହରକୁ ଗାଁ ଭିଟାମାଟି ଖଣ୍ଡକ ଛାଡ଼ି ଚାଲି ଆସିଛନ୍ତି। ଗାଁ ଜମିଜମା ସବୁ କିଏ ଖାଉଛନ୍ତି ।ଢିଅରେ ବିଲୁଆ ଶିଆଳ ଡେଉଁଛନ୍ତି। ଛୁଆପିଲା ତ ଗାଁକୁ ଗଲେ ନାହିଁ କି କାହାକୁ ଚିହ୍ନିଲେ ନାହିଁ। ଏବେ ଗାଁକୁ ଗଲେ ଭାଇଭାଗାରୀ ଘୋଉଡାଇ ଦେବେ, କିଏ କାହାକୁ ସାହାରା ହେବେ କହୁ ନାହାନ୍ତି ।

ଖତୁ ସାହୁଙ୍କ ମିଠା ଦୋକାନ ଭଲ ତ ସେ ଭଲ। ତାଙ୍କର ଆଉ କୋଉ କଥାକୁ ଯାଏ ଆସେ କେତେ। ମିଠା ଦୋକାନ ବୋଲି ସେଇ ମିଠା ଦୋକାନରେ ସେ ଜୀବନଟାକୁ ପାର କରିଦେଲେ। ତାଙ୍କ ପରେ ଦୁଇ ପୁଅ ଗୋପାଳିଆ ଓ ଠୋଲିଆ ଦୁଇ ଭାଇ ଦୋକାନ ଭାର ନେଲେ ଏ ଦୁଇ ଭାଇ ବି ଆଉ କାମକୁ ପାରୁ ନାହାନ୍ତି। ତାଙ୍କର ବି ପୁଅ ଝିଅ ଓ ନାତି ନାତୁଣୀ ମେଞ୍ଚାଏ। ବଡ଼ ପରିବାର ବୁଢ଼ାବୁଢୀ ଓ ଛୁଆପିଲାକି ତେଇଶି ପ୍ରାଣୀ କୁଟୁମ୍ବ। ଏବେ ନୂଆ ପିଢିର ଯୁବକ ରାମ, ଲକ୍ଷ୍ମଣ, ଭରତ ଓ ଶତୃଘ୍ନ ଉପରେ ଦୋକାନ ଦାୟିତ୍ଵ। ଦୋକାନ ଆରାମସେ ଚାଲିଥାଏ। ଭଲ ଦୁଇ ପଇସା କମାସ୍ତୁକ ହୁଏ। ସେଇଥିରେ ଏ ବିରାଟ ପରିବାର ଚଳେ। ଇଏ ପୁଣି ଆଗ ଯୁଗ ତ ନୁହଁନା, ତେଣୁ ପିଲାମାନଙ୍କୁ ପଢେଇବାକୁ ହେବ। ସେଥିପାଇଁ ବି ଅଧିକ ଖର୍ଚ୍ଚ ଲୋଡ଼ା।

ସେଦିନ ହଠାତ୍ ସରକାରଙ୍କର ନାଲି ନୋଟିସ୍ ଲାଗିଲା। ତା ଦୁଇଦିନ ପରେ କିଛି ବୁଝିବା ଆଗରୁ ଦୋକାନ ଭାଙ୍ଗି ଶ୍ମଶାନରେ ପରିଣତ। ଚାରି ଭାଇ ଯାକ ନେତାଙ୍କ ଠାରୁ ପ୍ରଶାସନ ଯାଏ କେତେ ଲୋକଙ୍କୁ ନେହୁରା ହୋଇଛନ୍ତି, ହେଲେ କେହି ଶୁଣିଲେ ନାହିଁ।

ଜେଜେ (ଖତୁ ସାହୁ) ତ କହି ଯାଇଛନ୍ତି ଏଇଟା ଆମ ଦୋକାନ। ଯେତେ ଝଡଝଞ୍ଜା ଆସୁ ପଛେ ଦୋକାନ କେବେ ଛାଡିବ ନାହିଁ। ଏହି ଦୋକାନ ହିଁ କେବଳ ତୁମକୁ ଅର୍ଣ୍ଣସଂସ୍ଥାନ ଯୋଗାଇବ। ତେଣୁ ଏମାନେ କାହୁଁ ବୁଝିବେ ଅଧିଗ୍ରହଣ କ'ଣ ବା ସରକାରୀ ଜାଗା କଣ। ଯେତେ ଯିଏ ଯାହା କହିଲେ ବି ମନ ବୁଝୁ ନାହିଁ। ସତରେ କ' ଣ ଏଇଟା ସରକାରଙ୍କର? ଯଦି ଏଇଟା ସରକାରଙ୍କର ତେବେ ଏତେ ଦିନ ହେଲା କାହିଁ କେହି କେବେ ତ କିଛି କହି ନାହାନ୍ତି। ହେଲେ ଏବେ ସେମାନେ କରିବେ କ'ଣ? କେମିତି ପିଲା ଛୁଆଙ୍କୁ ସେମାନେ ମଣିଷ କରିବେ ଏବଂ ପରିବାର ପ୍ରତିପୋଷଣ କରିବେ? ଆଉ ଅନ୍ୟ ଉପାୟ କିଛି କାହିଁ ଦେଖା ଯାଉ ନାହିଁ ତ।

ମୁଣ୍ଡରେ ପଡ଼ିଲା ଚଡକ। ସତେ ଯେମିତି ବଜ୍ରାଘାତରେ ସବୁ କିଛି ଛାରଖାର।

ଚାରି ଭାଇ ଯାକ ଚାରିଆଡ଼େ ବୁଲି ନୟାନ୍ତ ହେଲେଣି। ହେଲେ ମୁଣ୍ଡରେ ଉପାୟ କିଛି ଜୁଟୁ ନାହିଁ। ଏହି ବେପାର ବଣିଜ କୁ ବେଉସା କରି ସେମାନେ ତ ପୁରୁଷ ପୁରୁଷ ଧରି ଚଳି ଆସିଛନ୍ତି। ଏହା ହିଁ ସେମାନଙ୍କ ରୋଜଗାରର ଏକମାତ୍ର ମାଧ୍ୟମ। ସେଇ ମାଧ୍ୟମ ଟି ହାତଛଡ଼ା ହେଲାପରେ ଏବେ ସେମାନେ କରିବେ କଣ? ଚିନ୍ତାରେ ବାଉଁଶଟାଯାକ ଖାଇବା ପିଇବା ଛାଡ଼ି ଦେଇଛନ୍ତି।

ଗୋପାଳିଆ ଓ ଠୋଲିଆ ଦୁଇ ଭାଇ ଏବେ ଜରାଜୀର୍ଣ୍ଣ। ବୟସର ଭାରାକ୍ରାନ୍ତରେ ନଇଁ ଗଲେଣି। ଜଣେ ରୋଗଶଯ୍ୟାରେ ତ ଆଉ ଜଣେ ବାଡ଼ି ଖଣ୍ଡକ ସାହାରାରେ ଜୀବନ ଜୀଉଁଛନ୍ତି। ତେଣୁ ସେମାନଙ୍କର ଆଉ କିଛି ଘନପଣ ନାହିଁ - କରିବାକୁ। ଯାହା କରିବେ ତାଙ୍କ ପିଲାମାନେ। ପିଲାମାନଙ୍କ ଭିତରେ ସବୁଠାରୁ ବଡ଼ ରାମହରି । ସେ ଦେବତା ପରି ମଣିଷଟେ। ଭାଇମାନଙ୍କୁ କେବେ ତାଗିଦ୍ କରନ୍ତି ନାହିଁ କି ଆକଟ। ଭାଇମାନେ ବି ଯିଏ ଯାହା ପାରିଲା ଖୁସିରେ କରନ୍ତି। ବଳକା ଅବଶିଷ୍ଟ ସମସ୍ତ କାମକୁ ରାମହରି ପିଠେଇ ନିଅନ୍ତି। ହେଲେ ଭାଇମାନଙ୍କ ମୁଣ୍ଡ ଉପରେ କେତେବେଳେ ବୋଝ ଲଦନ୍ତି ନାହିଁ କି କୌଣଷି କଥାକୁ ବାଧ୍ୟ କରନ୍ତି ନାହିଁ। ଭାଇମାନେ ବି ବଡ଼ଭାଇଙ୍କ କଥାକୁ ବହୁତ ସମ୍ମାନ କରନ୍ତି। କେବେ କିଛି ପ୍ରତିବାଦର ସ୍ଵର ଉଠନ୍ତି ନାହିଁ। ରାମହରି ସବୁ କଥାକୁ ତୁଲେଇ ନିଅନ୍ତି। ପରିବାର ହସ ଖୁସିରେ ବେଶ୍ ଆଗକୁ ଧାଏଁ। ସେମାନଙ୍କ ପିଲାପିଲି ଏବେ ସବୁ ବିଦେଶରେ। ପଢାପଢିରେ ମଗ୍ନ। କାହାରି ପାଠପଢା ସରି ନାହିଁ। ତେଣୁ ପରିବାର ଉପରେ ଅର୍ଥରେ ଚପଟ ବହୁତ। କେମିତି ପିଲାମାନଙ୍କର ପଢାପଢି ଖର୍ଚ୍ଚ ଉଠେଇବେ। ଏତେବଡ଼ ପରିବାରର ଭରଣପୋଷଣ ବି କରିବାକୁ ହେବ। ସମସ୍ତେ ଏବେ ଚିନ୍ତାରେ। ହେଲେ ସମାଧାନର ପନ୍ଥା ବା ଗୋଟେ ମିଳନ୍ତା?

ସରକାର ଅଧିଗ୍ରହଣ ଓ ଯବରଦଖଲ ଉଠେଇଲେ କିଛି ଆପତ୍ତି ନାହିଁ। କିନ୍ତୁ ଏମାନଙ୍କର ଥଇଥାନ ପାଇଁ କିଛି ଗୋଟେ ବ୍ୟବସ୍ଥା ଭଲା କରିଥାନ୍ତେ। କିଛି ନାହିଁ। ଖାଲି ପ୍ରତିଶ୍ରୁତି ଯାହା ପାଣିରେ ଗାର । ଘର ତିଆରି ହେଲେ ସମସ୍ତଙ୍କୁ ସୁଯୋଗ ମିଳିବ। ତେବେ ସେଇ କେତେଦିନ ଏମାନେ କଣ କରିବେ? କଣ ହାତଗୋଡ ଜାକି ବସି ରହିବେ? ଆଗ ଥଇଥାନ ବ୍ୟବସ୍ଥା କରି ସେମାନଙ୍କୁ ଉଠାଇ ଥିଲେ କଣ ଚଳି ନ ଥାଆନ୍ତା? ଇଏ ପରା ସରକାର। ରାଜା ଅବୁଝା ଯାହା ବୁଝିବେ ସେୟା କରିବେ। ତେଣିକି ପ୍ରଜା ମଲେ କି ଗଲେ କାହାର ଚିନ୍ତା କେତେ।

ତେବେ ଯାହା ବି ହେଉ ଆଜି ଖତୁ ସାହୁଙ୍କ ପରିବାର ଭଳି ଅନେକ ବେରୋଜଗାର। ଅର୍ଣ୍ଣ ସଂସ୍ଥାନ ହରେଇବା କାରଣରୁ ଭୋ ଭୋ ରଡି ଛାଡୁଛନ୍ତି, ହେଲେ ଉପାୟ ନାସ୍ତି। ସମସ୍ତେ ବେପାର ପତ୍ର ବୁଡିଯିବା କାରଣରୁ ମୁଣ୍ଡରେ ହାତ ଦେଇ ଘରେ ବସିଛନ୍ତି।

ତିନି ତିନିଟା ଝିଅ ବାହାଘର ମୁଣ୍ଡ ଉପରେ। ପ୍ରସ୍ତାବ ପଡ଼ି ଅଧା କେନ୍ତରା ହୋଇ ପଡ଼ି ରହୁଛି। ଜାନିଯୌତୁକ ପୁଣି ଯୋଗାଡ କରିବାକୁ ପଡ଼ିବନା। ଭୋଜିଭାତ ପାଇଁ ବି ଖର୍ଚ୍ଚ ଢେର୍। ବଜାର ମୂଲ ତ ଅମୂଲ୍ୟ ମୂଲ। ସବୁ ଜିନିଷର ଦରଦାମ୍ ଚଢା। ପୁଣି ମାନସମ୍ମାନକୁ ଜଗି ଉପହାର ଉପଢୌକନ ଲୋଡ଼ା। ସେଦିନ ଭାବି ସମୁଦି ଆସିଥିଲେ, କହିଗଲେ - "ଆଇଲା ମାସ ବାହାଘର କରିବ ତ କର ନ ହେଲେ ଅନ୍ୟଆଡ଼େ ଦେଖ! ଆମେ ଆଉ ଅପେକ୍ଷା କରି ରହିପାରିବୁ ନାହିଁ। ପୁଅ ଜେଜେ ହାର୍ଟ ପେସେଣ୍ଟ। ସେ ନାତି ବାହାଘର ଦେଖିବାକୁ ବ୍ୟସ୍ତ" ।

ଏପରି ଅବସ୍ଥାରେ ରାମହରି କଣ କରିବେ? ତେଣେ ବଡ଼ ଟୋକାଟାର ଏମ୍. ବି. ଏ.।ତେଣୁ ପରୀକ୍ଷା ଫିସ୍ ସହିତ ଚୂଡାନ୍ତ କିସ୍ତି ଟଙ୍କା ଦେବାକୁ ହେବ। ଭାଇମାନଙ୍କୁ ଡାକି କହିଲେ ଯେମିତି ହେଲେ ପୁଣି ଦୋକାନ ଆରମ୍ଭ କରିବାକୁ ହେବ। ତେଣୁ ଆମ ଦୋକାନ ପାଖ ରାସ୍ତାରେ ପଲିଥିନ୍ ଟାଙ୍ଗି ବେପାର ବଟା ଆରମ୍ଭ କର। ସେୟା ହେଲା ।ଦିନେ ଦୁଇ ଦିନ ସେଇଠି ବିକ୍ରିବଟା ଚାଲିଲା। ଘରୁ ସବୁ ଦରବ ତିଆରି ହୋଇ ସେଠି ଖାଲି ବିକ୍ରିପତ୍ର ହେଲା। କିନ୍ତୁ ଦିନେ ଦୁଇ ଦିନ ପରେ ପୋଲିସ୍ ଭ୍ଯାନ ଆସି ସେମାନଙ୍କୁ ହଟେଇ ଦେଲା ତ ହଟେଇ ଦେଲା ପୁଣି 1000 ଟଙ୍କା ଜୋରିମାନା କରିଦେଲା। ଏବେ ସେମାନେ ଉପାୟଶୂନ୍ୟ। ଉପାୟଶୂନ୍ୟ ଶହଶହ ଟୁକୁରା ବେପାରି ଯେଉଁମାନଙ୍କର ବ୍ୟବସାୟ ଏକମାତ୍ର ଅବଲମ୍ବନ ।

ରୂପାନ୍ତରୀକରଣ


ହଁ ସତକଥା ଖତୁ ସାହୁମାନଙ୍କ ପାଖରେ କିଛିଟା ସ୍ଵଚ୍ଛଳତା ଥାଇପାରେ , କାହିଁକିନା ସେମାନେ ବଡ ବେପାରି, ତେଣୁ ଆଜି ନାହିଁ ତ କାଲି ସେମାନେ ଯେମିତି ହେଉ ଓ ଯେଉଁଠି ହେଉ ଦୋକାନ ଖଣ୍ଡେ ନିଶ୍ଚୟ କରିବେ। ବରଂ ତା ପାଇଁ ଲକ୍ଷାଧିକ ଟଙ୍କା ଅଗ୍ରୀମ ଦେବାକୁ ପଡୁନା କାହିଁକି । ଅବଶ୍ୟ ଆଜିର ନିଅଣ୍ଟିଆ ବଜାରରେ ଏକଥା ଏତେ ସହଜ ନୂହେଁ, କାହିଁକି ନା ଆର୍ଥିକ ବୋଝ ମୁଣ୍ଡାଇବାକୁ ଏତେଟା ସହଜ ନୂହେଁ ।କିନ୍ତୁ ଯେଉଁମାନେ ଛୋଟ ଗୁମୁଟି ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି, ସେମାନେ କଣ କରିବେ? ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ନିନ୍ଦିବା ବ୍ୟତୀତ ଆଉ କଣ ବା ଉପାୟ ଅଛି ତାଙ୍କ ପାଖରେ କରି ପାରିବେ ସେ।

ଖତୁ ସାହୁର ଦୋକାନ ସାମ୍ନାରେ ପରା ରହିମ୍ ଚାଚାର ଦୋକାନ ଯେଉଁଠି ସେ ହରେକ ମାଲ୍ ଦୋକାନ କରେ। ଆଜି ସେ ଦୋକାନ ଭାଙ୍ଗି ମାଟିରେ ମିଶି ଯାଇଛି। ଘରଭଡା ଦେଇପାରିବ ନାହିଁ ବୋଲି ରାତିରେ ସେଇ ଦୋକାନରେ ମୁଣ୍ଡ ଗୁଞ୍ଜେ। ଆଜି ସେ ବେଘର, ବେଉସା ବି ବୁଡିଲା। ତା ଅଣ୍ଟିରେ ଆଉ ଏତେ ଜୋର୍ କାହିଁ ଯେ ସେ ଆଉ ଥରେ ବ୍ୟବସାୟ ଛିଡା କରି ପାରିବ? ତେଣୁ ଦୋକାନ ଭାଙ୍ଗିଲାଠାରୁ ନିଇତି ଆସି ସେ ଭଗ୍ନସ୍ତୁପ ଉପରେ ବସି ଅଶ୍ରୁ ନିଗାଡ଼ୁଛି ନ ହେଲେ ଗୋଟେ ହାତ ମୁଣ୍ଡ ଉପରେ ଦେଇ ଅନ୍ୟ ହାତରେ ମଥାକୁ ବାଡାଉଛି, ପୁଣି କେତେବେଳେ ଗରଗର ହୋଇ କଣ ଗପୁଛି। ଏଇମିତି କେତେ ଲୋକଙ୍କର କେତେ କାହାଣୀ, ହୃଦୟଲିପିରେ ଏତେ ସ୍ଥାନ ନାହିଁ ଲିପିବଦ୍ଧ କରିବାକୁ ସବୁକିଛି। ବିବଶ । ଆଃ... ଚୁ... ଇତି.. ଅବଶ୍ୟମ୍ଭାବୀ ... ।ତଥାପି ନୂତନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ.... ।


Rate this content
Log in

Similar oriya story from Tragedy