ଭାରି ଚୁପଚାପ୍
ଭାରି ଚୁପଚାପ୍


ମଣିଷ ମନର ସୁକ୍ଷ୍ମ କୋଣ ଅନୁକୋଣରେ ଅହରହ ସଂଘଟିତ ହେଉଥିବା ନାନାଦି ଭାବବସ୍ତୁ ଭିତରୁ ଅନେକ ଅନାଲୋଚିତ ଓ ଅପ୍ରକାଶିତ ହୋଇ ଚିରଦିନ ପାଇଁ ରହିଯାଏ - ଏହିପରି ପାରମିତାମାନଙ୍କ ପରି ଅନେକ ଚରିତ୍ରମାନଙ୍କ କ୍ଷେତ୍ରରେ।
ପାରମିତା ଭାରି ଚୁପଚାପ୍, ସବୁବେଳେ ନୀରବ ନିଷ୍ପନ୍ଦ ରହେ। ପାଞ୍ଚ ପଦରେ ପଦେ କହେ। ମୁହଁ ହାଣ୍ଡି କରି ଗୁମାନ ମାରେ। ସତେ ଯେମିତି 100 /60 କିଏ ଖାଇ ଯାଇଛି। ମୁହଁ ଶୁଖାଇ ସଦାବେଳେ ବସିଥିବ।ମୁଖ ମଣ୍ଡଳରେ କେତେବେଳେ ସରାଗ ନ ଥାଏ।
ଏମିତି କେଉଁ ଇତିହାସ ତା ଭିତରେ ଛପି ରହିଛି କେଜାଣି , ସେ କିନ୍ତୁ ସଦା ନୀରବ, ନିଶ୍ଚଳ , ନିରୁଦ୍ବେଗ-ଭାବହୀନ ଭାବଶୂନ୍ୟ । କୌଣସି କଥାରେ ତାର ସେତେଟା ମନୋନିବେଶ ନାହିଁ କି ଚିତ୍ତରେ ଉତ୍ତେଜନା। ନିରୋଳା, ନିଢଳ ଜୀବନଟିଏ। ମନେହେଉଛି ସତେ ଯେମିତି ଶତାବ୍ଦୀ ଶତାବ୍ଦୀ ଧରି ଇତିହାସ ତା ଭିତରେ ଲୁକ୍କାୟିତପ୍ରାୟ ।
ବହୁ କଷ୍ଟେମଷ୍ଟେ ସେ ପାଠ ଦୁଇ ଅକ୍ଷର ପଢିଛି। ଦିନେ ଭଲ ଖାଇବ କି ଲଗେଇବ ବୋଲି ସେ କେବେ ଜିଦ୍ କରି ନାହିଁ। ଯାହା ଯେତିକି ଉପଲବ୍ଧ ହୁଏ ସେତିକିରେ ସେ କାମ ଚଳେଇନିଏ। ଅନ୍ୟମାନଙ୍କୁ ସେ ଦେଖେ ନାହିଁ କି ଦେଖି ଇର୍ଷା କରେ ନାହିଁ। ତାର ଏକମାତ୍ର ଲକ୍ଷ୍ୟ ଜୀବନ ଯେମିତିକା ମୋଡ଼ରେ ଆଣି ତାକୁ ଛିଡା କରୁନା କାହିଁକି, ସେ ତହିଁରେ ଏକାଏକା ଲଢ଼ି ଉପରକୁ ଉଠିବ। କାରଣ ସେ ଘରର ବଡ଼ ଝିଅ। ତା ଉପରକୁ ଭାଇଭଉଣୀ କେହି ନାହାନ୍ତି, ଯେଉଁମାନେ କି ହାତ ଧରି ତାକୁ ଚଲେଇ ଶିଖେଇବେ କି ଭଲରେ ମନ୍ଦରେ ସାହାରା ପାଲଟିବେ। ତେଣୁ ସବୁ ଦାୟିତ୍ଵ ତା ମୁଣ୍ଡ ଉପରେ। ନିଜପଢା ସହିତ ଘରର ଦାୟିତ୍ଵ ମଧ୍ଯ ତାକୁ ବେଳେବେଳେ ନେବାକୁ ହୁଏ। ମାଆ ଟିକିଏ ରୋଗୀଣା ଥିବାରୁ ପାଠପଢା ସହ ଘର ଗୋଟାକର କାମ ସବୁ ସେ ରୁଣ୍ଡେଇ କରେ। ବାପା ବିଦେଶରେ। ତେଣୁ ଅଭାବ ଅନାଟନ ଢେର୍। ଏକଲା ଘର ଦେଖି ସାହି ଟୋକାଙ୍କର ପ୍ରାଦୁର୍ଭାବ ମଧ୍ଯ ଅନେକ। ପଡ଼ିଶା ଆଡ ଆଖିରେ ଦେଖନ୍ତି ନାହିଁ। ସମସ୍ତେ କଣଠେସା କରନ୍ତି। ସାହି କୀର୍ତ୍ତନ ଠାକୁର ଚାନ୍ଦା ଓ ଗାଁ ଯାନିଯାତ୍ରା ଚାନ୍ଦା କିନ୍ତୁ ତାଙ୍କଠୁଁ ଆଗ ଆଦାୟ କରନ୍ତି। ସେଥିରେ ଟିକିଏ ମାତ୍ର କମି ନାହିଁ କି ଛୁଟ। କିନ୍ତୁ ଭଲରେ ମନ୍ଦରେ ଆଦୃଜା ହେଲେ କେହି ସାହାରା ହୁଅନ୍ତି ନାହିଁ। ଟିକିଏ କଥାରେ ସମସ୍ତେ ନାଲି ଆଖି ଦେଖାନ୍ତି। ଅନ୍ୟକୁ ଡରି ଜୀବନ ଜିଁଇବାକୁ ହୁଏ। ଘରେ ପୁରୁଷଲୋକ କେହି ନ ଥିଲେ ଏଇମିତି ନାହିଁ ନ ଥିବା ଦୁର୍ଦ୍ଦଶା ମଣିଷ ଭୋଗ କରେ। ସୁବିଧା ଅସୁବିଧାକୁ କେହି ମୁଣ୍ଡ ଦେଖାନ୍ତି ନାହିଁ। ତଥାପି ପାରମିତା ସାହାସ ହାରେନି କି ହାର ମାନେନି। ଜୀବନ ସଂଗ୍ରାମରେ ସେ ଏକା ଲଢ଼େ।
ଗାଁ ହାଇସ୍କୁଲରେ ପଢୁଥିଲା ବେଳେ ସେ ସରକାରଙ୍କ ପାଖରୁ ସାଇକେଲ୍ ଖଣ୍ଡେ ପାଇଥାଏ। ସେୟାକୁ ସେ ସାଇତି ରଖିଥାଏ। ଗାଁଠାରୁ ତିନି/ଚାରି କିଲୋମିଟର ଦୂରରେ ଅବସ୍ଥିତ କଲେଜରେ ସେ ପାଠ ପଢ଼ିଲା। ସେଇଥିରେ ସେ ଯିବାଆସିବା କରି ପାଠ ପଢ଼େ, ଘର ସମ୍ଭାଳେ, ଘରକୁ ସୌଦାପାତି ଧରି ନିତି ଆସେ ।
ବାପା ଯେବେ ବିଦେଶରୁ ଆସନ୍ତି, ସବୁକଥା ବନ୍ଦୋବସ୍ତ ଓ ବ୍ୟବସ୍ଥିତ କରି ଯାଆନ୍ତି। କହିଯାଆନ୍ତି - "ମାଆ ଏତିକିରେ ଘର ଚଲେଇବୁ, ହେଲେ ତୋ ପଢାଖର୍ଚ୍ଚ ଓ ମାଆର ଔଷଧଖର୍ଚ୍ଚ ସହିତ କେବେ ସାଲିସ୍ କରିବୁ ନାହିଁ, ତେଣିକି ଯାହା ।ଆମର ଅଭାବୀଘର, କଲିକତାରେ ଛେନା ଭାର ବୋହିକି ଯାହା ଦି ପଇସା ପାଉଛି ସେତିକି ହିଁ ଆମର ସାହା"।ଆହୁରି କହନ୍ତି -" ମୋ ଝିଅ ଭାରି ଯୋଗା, ସବୁଥିରେ ଯୋଗ୍ୟା ହେବା ମୁଁ ଚାହେଁ। ପୁଅପାତି ନ ଥିଲେ କଣ ହେବ, ମୋ ଝିଅ ମୋର ଗର୍ବ। ମୋ ନାଁ ପାଣି ରଖିବୁରେ ମାଆ! ଦରିଦ୍ର ବାପୁଡ଼ା ସମସ୍ତଙ୍କର ଟାହି ଟାପରା ସହେ । ସେଗୁଡାକ ପ୍ରତି ମୋଟେ ଧ୍ୟାନ ଦେବୁ ନାହିଁରେ ମାଆ। ତୋ କର୍ମ ତୁ କରି ଚାଲିବୁ, ତେଣିକି ଇଶ୍ଵର ସାହା"।
ବାପାଙ୍କର ସବୁ କଥା ପାରମିତା ଟିକିନିଖି ମନେରଖେ, ସେଇ ଅନୁସାରେ ପରିବାର ଚଳାଏ। ହେଲେ ପାଠ, ପାଠ କିନ୍ତୁ ତା ବାଟରେ ଠିକ୍ ଚାଲିଥାଏ। ବାପାଙ୍କର କଷ୍ଟ ସେ ଦେଖି ପାରେ ନାହିଁ। ମନେମନେ ଶପଥ ନିଏ, ଯେମିତି ହେଲେ ବାପାଙ୍କ କଷ୍ଟ ଦୂର କରିବ, ନିଜ ପରିବାରକୁ ଦାରିଦ୍ର୍ଯରୁ ମୁକ୍ତି ଦେବ। ତେଣୁ ସେ ମନ ଲଗାଇ ପାଠପଢ଼େ, ସବୁ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଏ ।
ଦିନକର ଘଟଣା ଘରେ ପଇସା ବୋଲି ଗୋଟେ ନ ଥାଏ। ବାପା ବିଦେଶକୁ ଯିବା ଢେର୍ ଦିନ ହୋଇଗଲାଣି। ସେ ଏଯାଏଁ ଫେରି ନ ଥାନ୍ତି। ଗାଁ ଠାକୁରାଣୀ ପୂଜାରେ ଖୋଲା ପେଣ୍ଡାଲ ଯାତ୍ରା ପାଇଁ 2100 ଟଙ୍କା ଚାନ୍ଦା ପକାଇଥାନ୍ତି। ଇଏ ଦେଇପାରିବେ ନାହିଁ ବୋଲି ଯେତେ କାକୁତି ବିନତି ହେଲେ କେହି ଶୁଣିଲେ ନାହିଁ। ଓଲଟି କହିଲେ - "ନ ଦେଲେ ନିଆଁ ପାଣି ଅଟକ କରିବେ"। ଏମାନେ ଡରରେ ଚାନ୍ଦା ଦେବା ପାଇଁ ଯୋଗାଡରେ ଲାଗି ଯାଇଥାନ୍ତି। ହେଲେ ପଇସା କେଉଁଠୁ ଯୋଗାଡ଼ ହେବ? ଗାଁ ସାରା ତ ବୁଲି ଆସିଲେଣି ଧାର ଉଧାର ଗଣ୍ଡାକ ପାଇଁ। ହେଲେ କେହି ଦେଲେ ନାହିଁ। ଶେଷରେ ଗୋଟେ ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ଦ୍ୱାରସ୍ଥ ହେଲେ। ସେ କିଛି ପଇସା ହାତ ଉଧାରି ଦେଲେ, କାହିଁକିନା ପାରମିତା ପାଠସାଠ ପଢ଼ି ଥିବାରୁ ତାଙ୍କ ଗ୍ରୁପର ଲେଖାଲେଖି କାମତକ ସବୁ କରେ।
ଗାଁରେ ପାର୍ବତୀ ଗଣନାଟ୍ୟ ଯାତ୍ରାକଲା। ସମସ୍ତଙ୍କ ଘରକୁ ବନ୍ଧୁବାନ୍ଧବ ମେଞ୍ଚାଏ ଲେଖେ ଆସିଲେ। କାହିଁକିନା ଯାତ୍ରା ଦେଖାକୁ ଯାତ୍ରା ଦେଖାହେବ ପୁଣି ବନ୍ଧୁଘର ବୁଲା ବି। ପାରମିତା ଘରକୁ ମଧ୍ଯ କିଛି ଅଲୋଡା ବନ୍ଧୁ ବାନ୍ଧବ ଆସିଲେ, ଯେଉଁମାନେ କି ଦିନେଅଧେ କେବେ ଦେଖା ଦିଅନ୍ତି ନାହିଁ କି ଦୁଃଖ ବେଳେ ପାଖରେ ଛିଡାହୁଅନ୍ତି ନାହିଁ। ଯାହା ବି ହେଉ ପାରମିତା ରୋଷେଇବାସ କରି ବନ୍ଧୁଚର୍ଚ୍ଚା କରି ସେମାନଙ୍କୁ ବିଦାକଲା। ଆରମାସକୁ ପାରାମିତାର ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର୍ ପରୀକ୍ଷା। ଫର୍ମ ପୂରଣ ପାଇଁ ପାଖରେ ଫୁଟା କଉଡିଟିଏ ନ ଥାଏ। ବଡ଼ ଚିନ୍ତାରେ ମାଆଥାନ୍ତି। ଦିନେ ସନ୍ଧ୍ୟାବେଳେ ସେଇବାଟେ ଦେଇ ଆରଗାଁ ମକରା ମାଷ୍ଟ୍ର ଯାଉଥିଲା। ସେ ଛୋଟବେଳେ ପାରମିତାକୁ ଟ୍ୟୁସନ୍ କରୁଥିଲା। ପଚାରିଲା - "ମାଉସୀ ପାରମିତାର ପଢାପଢି କେତେବାଟ ଗଲା"? ମାଆ କହିଲେ - "କଣ କହିବିରେ ପୁଅ! ଝିଅଟା ମୋର ଭଲ ପଢୁଛି ଯେ, ହେଲେ ଅର୍ଥ ଅଭାବରୁ ସେ ଉଧେଇ ପାରୁନାହିଁ। ଫର୍ମ୍ ପୂରଣ ପାଇଁ ପଇସା ନାହିଁ ଯେ ସେ ମୁଣ୍ଡରେ ହାତ ଦେଇ ବସିଛି" । ସଙ୍ଗେ ସଙ୍ଗେ ମକରା ମାଷ୍ଟର ପଇସା ବାହାର କରିଦେଲା। କହିଲା - "ମାଉସୀ ମନା କରନ୍ତୁ ନାହିଁ,ପାରମିତାଟା ଭାରି ପାଠୋଇ ।ସେ ଗ୍ରାଜୁଏସନ୍ ପାସ୍ କରିଗଲେ ମୁଁ ଭାରି ଖୁସିହେବି। ସେଇ ହିଁ ହେବ ମୋର ପ୍ରକୃତ ଗୁରୁ ଦକ୍ଷୀଣା "। ମାଆ କିଛି କହିବା ପୂର୍ବରୁ ମଦନ ମାଷ୍ଟ୍ରେ ପଇସା ଥୋଇଦେଇ ସେଇ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ସ୍ୱାଭୀମାନିନୀ ପାରମିତା ଏ କଥା ଶୁଣି ରାଗିଥିଲେ ହେଁ ମାଆ ବୁଝାଇ ଦେଇଥିଲେ ଗରିବକୁ ଭଗବାନ ସାହା, ତେଣିକି ଯାହା ।ତୁ ତୁଚ୍ଛାଟାରେ କାହିଁକି ରାଗୁଛୁ କହିଲୁ। ଆଗ ଫର୍ମ ପୂରଣ କର, ତାପରେ ଆମେ ତାଙ୍କ ପଇସା ତାଙ୍କୁ ଫେରାଇ ଦେବା ନାହିଁ କି "। ପାରମିତା ଗୋଡ କଚାଡି କଚାଡ଼ି ଚାଲିଗଲା ସିନା, କିନ୍ତୁ ସେଇ ପଇସାରେ ଫର୍ମ ପୂରଣ କଲା।
ଇଶ୍ୱରଙ୍କ କରୁଣା ଥିଲେ ସବୁ ସମ୍ଭବ। କଥାରେ ନାହିଁ ଅରିକ୍ଷିତକୁ ଦୈବ ସାହା। ବାସ୍ତବରେ ମଣିଷର ନିଷ୍ଠା ଓ ଏକାଗ୍ରତା ଥିଲେ ଉଦ୍ଦେଶ୍ଯ ସାଧିତ ହୁଏ। କୌଣସି ବାଧକ ପ୍ରତିବନ୍ଧକ ହୋଇ ବେଶୀ ସମୟ ତିଷ୍ଟିପାରେ ନାହିଁ। ପାରମିତା ପରୀକ୍ଷା ଦେଲା, ଆଉ ସଫଳତାର ସହ ଉତ୍ତୀର୍ଣ୍ଣ ବି ହେଲା।
ମନରେ ବଡ଼ ଆଗ୍ରହ ଥିଲା, ସେ ଉଚ୍ଚଶିକ୍ଷା ଆହରଣ କରିବ। ମାତ୍ର ଏହା ତ ତା ପାଇଁ ଅସମ୍ଭବ ପ୍ରତୀତ ହେଲା। କାହିଁକିନା ଘରେ ରୋଗୀଣା ମା'। ଅନ୍ୟ ପକ୍ଷରେ ବାପାଙ୍କର ସ୍ଵଳ୍ପ ରୋଜଗାର, ସେ ପୁଣି ବିଦେଶରେ। ବୟସର ଭାରାକ୍ରାନ୍ତରେ ସେ ନଇଁଗଲେଣି। ଏଇ ପାରମିତା ଜନ୍ମ ବେଳକୁ ତାଙ୍କୁ ପରା 4o /45 ବର୍ଷ ଧରି ସାରିଥିଲା। ଆଗ ଆଦୌ ପିଲାଛୁଆ ତ ଗୋଟେ ହେଉ ନ ଥିଲେ। ମାତ୍ର ଯେଉଁଦିନ ଗ୍ରାମ ଦେବତୀକୁ ମାନସିକ କରି ଯାଚନା ରଖିଲେ, ତା ପରେ ଯାଇ ଏଇ ପାରମିତା ଏକମାତ୍ର ସନ୍ତାନ ରୂପେ ଜନମି ଥିଲା। ତେଣୁ ବାପା ମାଆଙ୍କର ବହୁ ପୁଣ୍ୟର ଫଳ ସିଏ। ହେଲେ କଣ ହେବ ବୟସାଧିକ୍ୟ କାରଣରୁ ବୁଢ଼ା ବାପାଟା ଆଉ ଖଟି ପାରୁ ନାହିଁ । ସହଜେ ତ ବୁଢ଼ା ଲୋକ, ପୁଣି ଛେନା ଭାର ବୋହିବା କଣ ସହଜ କାମ।ଖଟିପିଟି ଯାହା ଦୁଇ ପଇସା ପଠାନ୍ତି ସେଇଥିରେ ମାଆଛୁଆ ଗୁଜୁରାଣ ମେଣ୍ଟାନ୍ତି।ଗୋଡ଼ହାତ ଏବେ ବସିଗଲାଣି, ଆଉ କାମ କରିବାକୁ ଯୁ ପାଉ ନାହିଁ। ତେଣୁ ଖଟିବେ କଣନା, ରୋଜଗାର କରିବେ କେତେ?
ସେଦିନ ବଡ଼ ହତାଶ ହୋଇ ଝିଅକୁ ଚିଠି ଖଣ୍ଡେ ଲେଖିଥିଲେ - "ମାଆରେ! ମୁଁ ଆଉ ଖଟି ପାରିବି ନାହିଁ। କୌଣସି କାମଧନ୍ଦାକୁ ଆଉ ପାରୁ ନାହିଁ। ମାଲିକ ବି ଚିଡିଚିଡି ହେଲାଣି। ବସେଇ କି ଆଉ କଣ ସେ ଖାଇବାକୁ ଦିଅନ୍ତା। ତେଣୁ ଭାବୁଛି ଯାହା ବାକିଆ ଦରମା ଅଛି ନେଇକି ଗାଁକୁ ପଳେଇବି। ସେଇଠି ଶାଗ ମାରିଚ କେରାଏ କରି ଚଳିବା। ଜୀବନ ତମାମ କଟିଗଲାଣି, ତୁମ ମାଆଝିଅ ପାଖରେ ଘଡିଏ ଦଣ୍ଡେ ମୁଁ ଶାନ୍ତିରେ ରହି ପାରୁନାହିଁ। ଆଉ ବିଦେଶ କରି ପାରିବି ନାହିଁ, ଖଟେଇ ଖଟେଇ ଏ ବିଦେଶମାଟି ମୋ ଦେହକୁ ମାଟି କରି ଦେଲାଣି । ଏଣିକି କେବଳ ତୁମମାନଙ୍କ ସହିତ ସାଥିରେ କିଛିଦିନ ରହିବା ମୋର ଶେଷଇଚ୍ଛା। ତାପରେ ସୁବିଧାସୁଯୋଗ ଦେଖି ଜମିବାଡ଼ି ଯାହା ଦି ଖଣ୍ଡ ଅଛି, ବିକିଭାଙ୍ଗି ତୋର ବାହାଘର କରେଇ ଦେଲେ ଯାଇ ମୋର ଶାନ୍ତି। ଆଉ ମୋର କିଏ ଅଛି ଯେ, କିଏ ଖାଇବ। ଛାଡ଼ ଏସବୁ କଥା, ତୁ ବି. ଏ. ଖଣ୍ଡକ ପାସ୍ କରିଗଲୁ ସେଇ ସେତିକି ମୋର ଖୁସି ।ତୁ ଆଉ ଅଧିକ ପଢିବା ପାଇଁ ମନ ବଳାଇଛୁ କିରେ ମାଆ! ନାହିଁରେ ମାଆ! ଏତିକିରୁ ଡୋରି ବାନ୍ଧେ"।
ଚିଠି ପଢ଼ି ସାରିଲା ବେଳକୁ କାନ୍ଦିକାଟି ମାଆଝିଅ ଉଚ୍ଛନ୍ନ ହୋଇଯାଇଥାନ୍ତି। ଯେମିତି ଲୁହ ଧାରାରେ ସ୍ଵପ୍ନ ଗୁଡ଼ାକ ସବୁ ଭାସି ଭାସି ଯାଇ କୂଳ ଲଂଘିବାକୁ ବସିଥାଏ। ମନର ଭାବନାଗୁଡିକ ଲହଡ଼ି ଭାଙ୍ଗୁଥାଏ ।ଚେତନା କ୍ଷତ ବିକ୍ଷତ ହେଉଥାଏ। ମାଆ କହିଲେ -" ପାରଲୋ! ତୋ ବା'କୁ କହ ସେ ଶୀଘ୍ର ଘରକୁ ପଳେଇ ଆସନ୍ତୁ। ଆମର ଆଉ ବିଦେଶ ଦରକାର ନାହିଁ। ବରଂ ଶାଗପେଜ ଖାଇ ଆମେ ବଞ୍ଚିବା"।
ପାରମିତା ବି ନାକରୁ ସିଙ୍ଘାଣି ପୋଛୁପୋଛୁ କହିଲା - "ମାଆ ତୁ ଆଦୌ ବ୍ୟସ୍ତ ହୋ ନାହିଁ। ମୁଁ ବାପାଙ୍କୁ କାଲି ଡକେଇ ପଠେଇବି। ସେ ଏଇଠି ଆମ ସହ ରହିବେ। ମୋତେ ପରା ପାଠ ପଢ଼େଇ ତୁମେ ମଣିଷ କରିଛ, ମୁଁ କଣ ଟ୍ୟୁସନ କରି ଘର ଚଳେଇ ପାରିବି ନାହିଁ "।
ଏଣିକି ଆରମ୍ଭ ହେଲା ପାରମିତା ମାଷ୍ଟ୍ରାଣୀଙ୍କ ଟ୍ୟୁସନ ବେଉସା। ବେଶ୍ ଦୁଇ ପଇସା ଆସିଲା, ଘର ବି ଚଳିଲା। ବାପା ମନ ଦୁଃଖ କରି କହନ୍ତି -" ପିଲାଟା କେଉଁ ଘଡି ବେଳାରେ ଜନମ ହୋଇଥିଲା କେଜାଣି, ଖଟିଖଟି ନୟାନ୍ତ ହେଲାଣି "।
ପାରମିତା କିନ୍ତୁ କେବଳ ସେଇଠି ଅଟକି ଯାଇ ନ ଥିଲା।
ସେ ତା ପୁରୁଣା ଟ୍ୟୁସନ ମାଷ୍ଟ୍ର ମଦନା ସାରଙ୍କୁ କହି ମଝିରେ ମଝିରେ ସହରରୁ ଦାମୀଦାମୀ ମୋଟାମୋଟା ବହି ସବୁ ମଗେଇ ଆଣେ। ମାଆ କହେ - "ଏଇ ବହି ସବୁ ତୁ ଆଉ କଣ କରିବୁ କି ଲୋ ମାଆ!" ପାରମିତା କହେ -" ଏ ସବୁ ମୁଁ ବାହା ହେଲେ ଯୌତୁକ ଭାର କରି ଶ୍ୱଶୁର ଘରକୁ ନେବି। କାହିଁକିନା ତୁ ତ ଆଉ ଦାମୀ ଦାମୀ ଓଜନିଆ ଜିନିଷ ସବୁ ମୋତେ ଦେଇ ପାରିବୁ ନାହିଁନା!" ସମସ୍ତେ ହସି ଉଠନ୍ତି। ଥଟ୍ଟାମଜ୍ଜା ଭିତରେ କଥା ଲଘୁ ହୋଇଯାଏ।
ଏଣିକି ପାରମିତା ଆଉ ସହର ବଜାର ଯାଇ ପାରେ ନାହିଁ ଟ୍ୟୁସନ ଭିତରେ ନିଜେ ହଜିଯାଏ। କିଛି ଆବଶ୍ୟକ ପଡ଼ିଲେ ମଦନ ମାଷ୍ଟ୍ରେ ଲୋଡ଼ା ହୁଅନ୍ତି, ତାଙ୍କୁ ହିଁ ଅପେକ୍ଷା କରିବାକୁ ପଡେ। ମଦନା ମାଷ୍ଟ୍ରେ ଯେତେବେଳେ ବି ସେଇ ଦାଣ୍ଡବାଟ ଦେଇ କୁଆଡେ ଯାଆନ୍ତି, ବାଡ଼ିତାଟ ପାଖରେ କୁହାଟଟିଏ ପକାନ୍ତି-" ମାଉସୀ କେମିତି ଅଛନ୍ତି "? ମାଉସୀ କବାଟ ଖୋଲି କହନ୍ତି - "ପୁଅ ଘରକୁ ଆସୁନ! ରୁହ ପାରମିତାକୁ ଡାକି ଦେଉଛି "। ପାରମିତା ଦାନ୍ତ ଚାପି ଚାପି ଆସେ, କୁହେ - "ହଁ ସବୁ ଠିକ୍ଠାକ୍ ଚାଲିଛି"। ପାଠ ପଢାପଢି କେମିତି ଚାଲିଛି ବୋଲି ମଦନ ମାଷ୍ଟ୍ରେ ସମସ୍ତ ବେଉରା ନେଇ ସେଠୁ ଚାଲି ଯାଆନ୍ତି। କେବେ ଆସନ ଖଣ୍ଡେ ଦେଲେ ଦୁଃଖସୁଖ ହୁଅନ୍ତି ନ ହେଲେ ସେଇ ଦୁଆର ମୁହଁରୁ ମୁହଁରୁ ପଦେଅଧେ କଥାହୋଇ ଚାଲିଯାଆନ୍ତି। ମଦନ ମାଷ୍ଟ୍ରେ ଘରକୁ ଆସିବା ବେଶୀ ଦିନ ବିଳମ୍ବ ହେଲେ ପାରମିତା ଟିକିଏ ଅନ୍ୟମନସ୍କା ହୋଇ ପଡ଼ନ୍ତି ।ମାଆ କହନ୍ତି - "ତୋର କିଛି ଦରକାର ଥିଲା କି? ରହ ମଦନ ମାଷ୍ଟ୍ରେ ଆସିଲେ କହିବୁ, ସେ ସହରରୁ ମଗେଇ ଦେବେ। ଆଉ କେହି ଘରେ ପୁଅ ପିଲା ତ ନାହିଁ ନା, ତୁ ଯାହା ଯେତେବେଳେ କହିବୁ ସେ ଆଣି ଦେଇଦେବ। ଆହୁରି ଇଶ୍ୱର ସେଇ ମଦନ ମାଷ୍ଟ୍ରେଙ୍କୁ ଦୂତ କରି ପଠାଇଛନ୍ତି ବୋଲି ସେ ଆମର ଭଲରେ ମନ୍ଦରେ ଛିଡା ହେଉଛି। ପାରମିତା ଖତେଇ ହୋଇ କହେ - "ହଁ ଦୂତ ନା ଭୂତ। ଯୋଉ ସାହାଯ୍ୟକାରୀ ଲୋକଟା ତ। ମାଆ କହେ -" ପର ପୁଅକୁ ସେମିତି ହିନିମାନିଆ କଥା ଗୁଡ଼ାକ କହନ୍ତି ନାହିଁ। ସିଏ ନ ଥିଲେ ଆମକୁ କିଏ ସାହାଯ୍ଯ କରନ୍ତା କହିଲୁ? ପାରମିତା ତଳକୁ ମୁହଁ ପୋତି ମାଟିରେ ଗାର କାଟେ। ଟିକିଲିଟିଏ ହେଉ ବା ଡ୍ରେସ୍ ଖଣ୍ଡେ ନତୁବା ବହିପତ୍ର କିଛି ପାରମିତା ତାହାରି ହାତରେ ମଗାଏ। ମଦନ ମାଷ୍ଟ୍ରେ ବି ମିଠା ହେଉ ବା ପିଠା ଯାହା ଯେତେବେଳେ ପାଏ ଆଣି ଦେଇଯାଏ।
ଦିନେ ହଠାତ୍ ଘର ଆଗରେ ଲୋକ ଜମା ହୋଇଥାନ୍ତି। ସେ ପୁଣି ନାମୀଦାମୀ ଲୋକ।ଖାଲି କଣ ସେତିକି, ଏ ଗାଁ ଛାଡ଼ି ଆର ଗାଁର କେତେକ ଲୋକ ମଧ୍ଯ ଜମା ହୋଇଥାନ୍ତି। ପୁଣି ଟି. ଭି. ବାଲା ଓ ଖବର କାଗଜବାଲା ବି ରୁଣ୍ଡ। ମାଆ ପଚାରିଲା -" ପାର ବାପ! ଏତେ ଲୋକ କାହିଁକି ହୋ ହାଲ୍ଲା କରୁଛନ୍ତି। ମୋ ହଲପ ଶୁଖି ଯାଉଛି। ଘଟଣା କଣ ଟିକିଏ ଝଅଟ ବୁଝି କି କହିବଟି"।
ଏତିକି ବେଳକୁ ମଦନ ମାଷ୍ଟ୍ର ବାଟ ଆଡ଼େଇ ଆଗକୁ ଆସିଲେ। କହିଲେ - "ହେଇ ଦେଖନ୍ତୁ! ପାରମିତାର ଫଟୋ ସମ୍ବାଦ ପତ୍ରର ମୁଖ୍ୟପୃଷ୍ଠାରେ ବାହାରିଛି। ହେଡ୍ ଲାଇନ୍ ହୋଇଛି - ଛେନା ବିକାଳୀ ଝିଅ ଆଇ. ଏ. ଏସ୍ ପାଇଲା - "।
ବାପା ଏ କଥା ଶୁଣି ହୋସ୍ ହାବାସ ହରେଇ କହୁଥାନ୍ତି -" ମୋ ସୁନା ନାକୀ ଝିଅର ଏତେ ଗୁଣ, ହଁ... ହଁ... ମୋ ଝିଅ କଲେକ୍ଟର ହେବ"।କଲେକ୍ଟର ଦିଦି, କଲେକ୍ଟର ଦିଦି ବୋଲି ଗାଁ ଛୁଆ ରୋଳା କରୁଥାନ୍ତି। ସମସ୍ତେ ଆନନ୍ଦ ବିଭୋର -" ଯାହା ହେଉ ପାର ଆମ ଗାଁର ଟେକ ରଖିଲା"।କୀର୍ତ୍ତନ ଦଳିଆ ନାଚି ନାଚି ଦୁଆର ମୁହଁରେ ବହେ ଗାହଣ ବଜାଣ କଲେ। ପାର ଗୋଡ଼ ଚାପିଚାପି ବାହାରକୁ ଆସିଲା। ମିଡିଆ ସାମ୍ନାରେ ନିଜ ବାପା ମାଆଙ୍କୁ ସବୁ ଶ୍ରେୟ ଦେଲା। ଆଉ ମଦନା ମାଷ୍ଟ୍ରଙ୍କୁ ଖୁବ୍ କୃତଜ୍ଞତା ଜଣାଇଲା।