Bibhu Samanta

Romance

3  

Bibhu Samanta

Romance

ଶରତ ସମୀରେ ସୁନେଲି ସୁଧା

ଶରତ ସମୀରେ ସୁନେଲି ସୁଧା

15 mins
210


ଏଇ ରାଜୁଆଇ କାହିଁ କଟକ ବସଟା ଦିଶୁନି, ଏତେ ଡେରି ହେଲାଣି, କହି ଉଠିଲା ଗୁଲିଆ। ତା କଣ୍ଠରେ ଥିଲା ଆକୁଳତା। ଆମେ ତ କେତେବେଳୁ ଆସିଲେଣି, ଆଉ ବସ୍ ଟା କଣ କଟକରୁ ଏଠିକି ପହଞ୍ଚି ପାରୁନି, ଶୁଭ ଭାଇ ତ ଏତେ ଡେରି କରେନି ଜମା। ଗାଁ ଛକ ଉପରେ ଚଉତରାରେ ପେଟେଇକି ଶୋଇଥିଲା ରାଜୁଆ। ଆଖି ବନ୍ଦ କରି। ସେମିତି ଆଖି ବନ୍ଦ କରି ସେ କହିଲା, ଦେଖିଲୁ ସେ ନାଲି ସୂରୁଜଟା, ଆମ ସୁନାଝରି ପାହାଡ଼ର ମଥାନ ଛୁଇଁଲାଣି? ଗୁଲିଆ ଅନେଇଲା ପଶ୍ଚିମପଟେ ଥିବା ସୁନ୍ଦରୀ ସୁନାଝରି ପାହାଡ଼କୁ। ସତରେ, ଭାରି ସୁନ୍ଦର ଦିଶେ ସେ। ଚିର ଯୌବନା, ରୂପଲାବଣ୍ୟରେ ଛଳଛଳ, ଅନନ୍ୟ ବନ୍ୟ କିଶୋରୀଟେ ପରି। ଯାହା ଦେହରେ ମାଖୀ ହେଇଥାଏ, ବଣମଲ୍ଲୀର ଅତର, ଆଉ ଗୁଡାଇ ହୋଇଛି ସବୁଜ ଅଂଚଳ, ଗଭାରେ ମଣ୍ଡି ହେଈଛି ମାଧବୀଲତାର ତାରକସି ଗହଣା। ନାଇଛି କେତେ ବନଫୁଲର ପଇଁରି। ସେଥିପାଇଁ ବୋଧହୁଏ, ଏ ସୂରୁଜଟା ତା ମଥାକୁ ଚୁମେ। ଆଉ ତା ମୁଁହଟା ଲାଜ୍ଜରେ ଲାଲ ପଡ଼ିଯାଏ। କିଏ ଦେଖୁ ନ ଦେଖୁ, ଏମିତି ଚାଲିଥାଏ ସେମାନଙ୍କ ପ୍ରେମ ନିତ୍ୟ ନିୟମିତ ଭାବେ। ଗୁଲିଆ କହିଲା, ହଁ ସୂରୁଜ ଆମ ନୂଆଖୁଡ଼ୀର ସିନ୍ଦୂର ପରି ଲାଲ ଟହଟହ ଦିଶୁଛି। ଆଉ ଏଇ ପକ୍ଷୀ ସବୁ ବି ବସାକୁ ଫେରିଲେଣି। ହେଲେ, କୁଆଡେ ଗଲାଯେ ଶୁଭ ଭାଇ। ରାଜୁଆ କହିଲା ବ୍ୟସ୍ତ ହନା, ସେପଟେ ଦେଖିଲୁ, ଜଗା ଦାଦି ଝିଅ ସୁଧା ଦେଉଳକୁ ଆସିଲାଣି କି? ହଁ,କଲା ଗୁଲିଆ। ମନ୍ଦିର ଘଣ୍ଟିଟା ବାଜିଲା ମାତ୍ରେ, ଦିଶିଗଲା କଟକ ବସଟା। 


ଗୁଲିଆ, କୁହାଟଟେ ମାରି କହିଲା, ରାଜୁଆଇ, ହେଇ ଆସିଲାଣି ପା ଆମ ଶୁଭ ଭାଇ। ରାଜୁଆ କହିଲା, ମୁଁ କହୁନଥିଲି? ଠାକୁର ଆମ ସୁଧା ଦେଇ କଥା କେବେ କାଟି ପାରିବେନି। ବିଚାରି ପିଲାବେଳୁ ଆଜି ଯାଏ ଦୀପ ଜାଳୁଛି, ରାଧାମାଧବଙ୍କଠି। ଦୀପ ସିନା ଜାଳୁଛି, ହେଲେ ସେ ନିଜେ ଦୀପ ହେଇ ଜଳୁଛି, ଶୁଭ ଭାଇର ଶୁଭ ମନାସି।ସୁଧା, ନିରୀହ ସରଳ ଗ୍ରାମ୍ୟ ବାଳାଟିଏ। ସେଇ, ଗହମ ରଙ୍ଗର ଦେହକୁ, ଦିଟା ରିବନ ବନ୍ଧା ବେଣୀ। ଆଉ ହଳଦୀ ମଖା ସେ ଗୋଲ ମୁହଁରେ, ତାରା ଫୁଲ ପରି ଚିକମିକ ଆଖି ଦିଟା। ଆଖିରେ ଅନେକ ସ୍ୱପ୍ନ, ଆଉ ଛାତିରେ ଛାତିଏ ବିଶ୍ୱାସ। ପରକୁ ଆପଣା କରିବାର କଳା, କାହା ଦୁଃଖକୁ ବୁଝିଲାପରି ମନଟିଏ ତା ପାଖେ। ଏମିତି କୋଉ ପିଲା ଗାଁରେ ନାହିଁ, ଯେ ସୁଧାର ମିଠା ଆଦରର ପାତ୍ର ନ ହେଇଚି। କୁନି ପିଲାଙ୍କୁ କାନ୍ଦିବାର ଦେଖି ସେ ହସେଇ ଦିଏ। ଶୁଭ ପାଇଁ ତା ମନରେ ଅନେକ ଦରଦ। ଏ କଥା ସେ କେବେ କହେନି, କରି ଦେଖେଇ ଦିଏ। ଠିକ୍ ଏତିକି କଥା ନ ସରୁଣୁ, ପହଞ୍ଚିଗଲା ବସଟି, ଗାଁ ମୁଣ୍ଡରେ। 

ବସରୁ ଓହ୍ଲାଇ ପଡିଲା,ଶୁଭ। ଶୁଭକାନ୍ତ ପଣ୍ଡା।ଗାଁର ଏକ ମାତ୍ର କୃତୀ ଛାତ୍ର,ଯେ ବୃତ୍ତି ପାଇ ସହରକୁ ପାଠ ପଢି ଯାଇଥିଲା। ଆଉ ପାଠ ପଢି ଚାକିରୀ କରି ଫେରିଛି। ଚାକିରୀ କଲା ପରେ, ଗାଁରେ ଏଇଟା ତାର ପ୍ରଥମ ଦଶରା' । ଭଲ ପାଠ ପଢେ ବୋଲି ଶିକ୍ଷକ ମହଲରେ ତାର ଭାରି ଆଦର। ବେଶ ପରିମାର୍ଜିତ ଆଚାର ବ୍ୟବହାର। ସେ ପିଲାଙ୍କ ସାଙ୍ଗେ ପିଲା, ବଡଙ୍କ ସାଙ୍ଗେ ବଡ଼। ସମସ୍ତେ ଭଲ ପାଆନ୍ତି ତାକୁ। ଦେଖିବାକୁ ଶରତ ଆକାଶର ତୋଫା ଜହ୍ନ ପରି। ତାକୁ ଦେଖୁ ଦେଖୁ କୁଣ୍ଢେଇ ପକେଇଲେ, ରାଜୁଆ ଗୁଲିଆ। ଖୁସି ଯେମିତି ଅଦିନିଆ ମେଘ ପରି,ଓଦା କରି ଦେଇଛି ତାଙ୍କୁ। ରାଜୁଆ କହିଲା, ମୁଁ ବଙ୍କା ମାଷ୍ଟ୍ରେଙ୍କଠୁ ଖବର ପାଇ ଘରେ କହିଥିଲି, ବଡ଼ବୋଉ ତୋ ଆସିବା ଖୁସିରେ କାନ୍ଦି ପକେଇଲା, ଆଉ ବଡ଼ବା ଯେମିତି ଚଞ୍ଚଳ ହେଇପଡ଼ିଲା। ତୁ ଆସିବୁ ବୋଲି। ସତରେ ତୁ ପୁରା ସହରୀ ଦିଶୁଛୁରେ। ଠିକ୍ ପଧାନ ଘରଟିଭିରେ ଛାପା ପରି। ଗୁଲିଆ କହିଲା, ଜାଣୁ, ଶୁଭ ଭାଇ, ମୁଁ କେତେବେଳୁ ଆସିକି ଅନେଇଛି ତୋ ବାଟକୁ। ସେ ବୁଲାଣି ପାଖେ, ଯୋଉ ଗାଡି ଆସିଲେ ବି ଲାଗେ, ଏଇଟା ଆମ ଶୁଭ ଭାଇ ବୋଧହୁଏ। ଆଉ ଏଇ ପେଟୁ ରାଜୁଆ ଘରୁ ପଖାଳ ଖାଇ ଆସି ଏଠି ଶୋଇକି ବାତପୁରୁଷି ମାରୁଛି। ହସି ଉଠିଲା ଶୁଭ, ଖୁବ୍ ସହଜ ଭାବରେ। କୋଳେଇ ନେଇ କହିଲା, ସତ କହିବାକୁ ଗଲେ, ମତେ ବି ଭାରି ଅସ୍ଥିର ଲାଗୁଥିଲା,ଜଲଦି ପହଞ୍ଚିବାକୁ। ହେଲେ ସେ ବସଟା ରାସ୍ତାରେ ଖରାପ ହେଲାଯେ ଡେରି ହେଇଗଲା। ସେ କଣ ବୁଝିପାରେ ମୋ ମନ କଥା, ତମମାନଙ୍କ ଅପେକ୍ଷାର କଷ୍ଟକୁ?ତମମାନଙ୍କ କଥା ସହରରେ ଖୁବ୍ ମନେ ପଡେ, ଆମ ଗାଁ ପୋଖରୀର ମଜା ସୁଇମିଙ୍ଗ ପୁଲରେ କଣ ଆସିବ? ଏଠି ସବୁ କଥାରେ ଆତ୍ମୀୟତା, ଆଉ ସେଠି ଯନ୍ତ୍ରବତ ଚାଲିଥାଏ ଜୀବନ, କାହା ପାଇଁ କାହାର ସମୟ ନାହିଁ ଯେମିତି, ଗୋଟେ ପ୍ରତିଯୋଗିତାରେ ସମସ୍ତେ ଦୌଡିଛନ୍ତି,ସକାଳୁ ସଞ୍ଜ ଯାଏ, ଆଉ ଆସିକି ଗୋଟେ ପ୍ରକାର ମରି ଯାଆନ୍ତି, ପୁନର୍ଜନ୍ମ ପାଇବା ଆଶାରେ,ବୋଉର ଲୁଗା କାନି ତା ଭାରି ମନେ ପଡେରେ, ସୁଧାର ସରଳ କଥା, ଆଉ ଭଲ ପାଇବା ସବୁ ଯେମିତି ଦୁର୍ମୂଲ୍ୟ,ମନ ଝୁରି ହୁଏ, କ୍ୟାଲେଣ୍ଡରରେ ଗାର କାଟି ଦିନ ଗଣୁଥାଏ,କେମିତି ଘରକୁ ଯିବି।ହଉ ଚାଲ ଯିବା। ଘରୁ କେମିତି ଆସିଛ? ଏତେ ବାଟ। ରାଜୁଆ ତା ଲଗେଜକୁ ସାଇକେଲ କେରିଏରରେ ବାନ୍ଧି ଦେଲା। ଆଉ ଚାଲିଲେ ସେମାନେ। ମୁହଁ ଅନ୍ଧାର ରାସ୍ତାରେ। ଶୁଭ ପଚାରୁଥିଲା, ତାଙ୍କ ପାଠ ପଢା କଥା, ପରିବାର କଥା, ଗାଁ କଥା ସବୁ। ସାପୁଆ ନଈ ପରି ରାସ୍ତାଟି ଲମ୍ବି ଯାଇଛି ଗାଁ ଭିତରକୁ। ମୁଖ୍ୟ ରାସ୍ତାଠୁ ଅଧ ମାଇଲ ବାଟ ଗଲେ ଯାଇ ପଡିବ ତାଙ୍କ ଗାଁ। ଚହଟି ବାସୁଥିଲା କାମିନୀ ଫୁଲର ବାସ୍ନା।


ଶରତର ସ୍ପର୍ଶରେ ଚେଇଁ ଉଠିଛି ଧରା। ତା ରଙ୍ଗ ତୁଳୀର ଛୁଆଁରେ ସାଜିଛି ପୀନ ପୟୋଧରା ଶ୍ୱେତାମ୍ବରୀଟିଏ। ବିଲ ଗୋହିରୀରେ କାଶତଣ୍ଡି,ଉଡୁଛି ଦେଖ ଶୁଭ୍ର ଓଢଣୀଟିଏ, ଦଲକାଏ ପବନରେ । ବଉଦଠୁ ରଙ୍ଗ ଚୋରେଇ ଅଳସୀଚାନ୍ଦଟା ସଜେଇ ହେଲାଣି, କୁମାରୀ ଗୀତ ଶୁଣିବାକୁ। ଆଉ କୁମୁଦିନୀ, ତ କେଜାଣି କେତେ ଯୁଗରୁ ଏଇ ଶରତ ଅପେକ୍ଷାରେ। ସତରେ, ଶରତ ନେଇ ଆସେ ଅନେକ ମିଳନମଧୁର ଲଗ୍ନକୁ। ଧୋବ ଫରଫର ପାଖୁଡ଼ାରେ ଲୁଚି ଥାଏ, କେତେ ମାନ, ଅଭିମାନ, ସଲଜ ସହମତି। ଯେମିତି ଚାନ୍ଦ ଅଧରରୁ ରସ ପିଇବାକୁ,ଅୟୁତ ଯୁଗର ପିପାସା। ଜହ୍ନି ଫୁଲର ସୁରିଲା ମୁସ୍କାନକୁ, ପଢିନିଏ ଦୁଷ୍ଟ ପ୍ରଜାପତି। ଆଉ କହିଦିଏ ତା କାନରେ ଫିସଫିସ କରି, 

  "ରଙ୍ଗର ହାଟରେ ସୁରଭିକୁ ଖୋଜୁଛି କିଏ; 

  ଆଲୋ ସୁକୁମାରୀ, ତୋ ପାଇଁ ପା ମୋର ଗୋଟେ ଜନ୍ମ.  କମ୍ ପଡେ....

 ବାକି ପ୍ରେମକୁ ପୁରା କରିବାକୁ ମୁଁ ଆଉ ଥରେ ଆସିଯାଏ।"

ସବୁବେଳେ କଣ ପାଇ ହୁଏ ନିଜ ଇପ୍ସିତକୁ ପାଖରେ। ମନ ଝୁରି ହୁଏ, ପ୍ରତୀକ୍ଷାର ଅଗ୍ନିରେ ଦଗ୍ଧୀଭୂତ ହୋଇ। ସାଇତି ରଖେ ଅନେକ ଅକୁହା କଥା ମନ ତଳେ। ଦେଖା ହେଲେ କହିଦେବ ବୋଲି। ରାତିରେ ନିଜ ସହ କଥା ହୁଏ, ଦେଖା ହେଲେ ଏଇୟା କରିବି, ଏମିତି କରିବି କେତେ କଣ! କେତେ ପୂର୍ବରାଗ। କେତେ ଅଭିସାର। ଆଉ ଠିକ୍ ଏଇ ସମୟରେ କେହି ଜଣେ ଯଦି ଆସିଯାଏ ଜୀବନରେ, ଆକସ୍ମିକ ଭାବେ? ଯେ ଛୁଇଁ ଦିଏ ସେଇ ପୁରୁଣା ଜଖମକୁ? ନିଜର ଏକ ଅଲଗା ସ୍ୱତନ୍ତ୍ର ଛାପ ଛାଡେ ମନରେ। କଣ ହୁଏ! ଯେବେ ସୁନାଝରି ମନୋଇ ନଈ ସାଙ୍ଗେ କଥା ହୁଏ, କହେ ତାକୁ ମନର କଥା। ଯେବେ କୁମୁଦିନୀ ଭ୍ରମରକୁ ଦେଖି ହସିଦିଏ। ଆଉ ଯଦି ଜହ୍ନିଫୁଲ ମହୁମାଛିର ସ୍ବପ୍ନ ଦେଖେ। କାହାଣୀଟି ନିଏ ଗୋଟେ ନୂଆ ମୋଡ଼।


ଘରେ ଶୁଭ ପହଞ୍ଚିବା ପରେ, ଉଛୁଳି ପଡିଲା ଖୁସି। ଅନେକ ଦିନର ଅପେକ୍ଷାକୁ ପାଖରେ ପାଇ ସମସ୍ତେ ଖୁସି, କେମିତି ଗୋଟେ ଗର୍ବିତ। ସମସ୍ତଙ୍କ ମନରେ ଆମ ଶୁଭ ବୋଲି ଭାବନାଟିଏ। ବୋଉ ହାତ ରନ୍ଧା ଖାଇ, ତା ପାଇଁ ସଜ ବିଛଣାରେ ଶୋଇ ପଡିଲା ସେ। ବୋଉ ଆସିଲା, ସବୁ କାମ ସାରି। ଗିନାରେ ସୋରିଷ ତେଲ ଗରମ କରି। ଶୁଭ ପାଦରେ ମାଲିସ କରିବାକୁ। ଶୁଭ ମନା କଲାନି। ଏତେ ଦିନ ପରେ ପାଇଛନ୍ତି ପୁଅକୁ କରନ୍ତୁ ସେବା, ସେ କାହିଁ ମନା କରିବ ଯେ। ମାଲିସ କରୁ କରୁ ବୋଉ କହୁଥାଏ ମାମୁଁ ଘର କଥା, ମାଉସୀ କଥା, ଗାଈ ବାଛୁରୀଙ୍କ କଥା। ଗାଁ କଥା। ହେଲେ ଯାହା କଥା ଶୁଣିବାକୁ ଶୁଭ ମନରେ ଏତେ ଉତ୍କଣ୍ଠା, ତା କଥା ତ ବିଲକୁଲ୍ କହୁନି। ଜାଣି ପାରୁନି କେମିତି ଯେ, ତା ମନ କଥା। ବୋଉ କଥା ଶୁଣୁଶୁଣୁ କେତେବେଳେ ନିଦ ହେଇ ଯାଇଚି ତାକୁ। ସକାଳୁ ରାଜୁ ଗୁଲିଆ ଦି ଜଣ ଆସି ଘରେ ହାଜର। ଶୁଭକୁ ଉଠେଇ ତାକୁ ନେଇ ଗଲେ ନଈ ପାଖକୁ। ସାଇକେଲରେ ଗଲା ବେଳେ ଶୁଭ ପଚାରିଲା ସୁଧା କଥା। ବିଲ ହିଡରେ ଗଲା ବେଳେ ଧାନଖେତ ହସି ପଚାରୁଥିଲେ ତା କୁଶଳ ବାରତା।


ନଈ ଉପରକୁ ଲଇଁ ଆସିଛି ଜାମୁ ଗଛର ବଡ଼ ଡାଳଟିଏ। ଦେଖୁଚି ନଈ ପାଣିରେ ନିଜକୁ। ଋତୁ ସାଙ୍ଗେ ସେ ବଦଳି ଯାଇନିତ। ସତରେ ତା ଆପଣାର ନଈଟା ଚିହ୍ନି ପାରିବ ତାକୁ। ଖୋଜୁଛି ଉତ୍ତର। ଖେଳେଇ ଚାଲିଛି, ଡାଏରିର ପୃଷ୍ଠା ସବୁକୁ। ଅନ୍ୟମାନସ୍କ ଭାବେ। ସେ ଝିଅ ପିଲାଙ୍କ ସହ ଏତେ ସହଜେ ମିଶି ପାରେନି। ଅଳ୍ପ କଥାରେ, କାମ ସାରିଦିଏ ସେ,ନିହାତି ଦରକାର ହେଲେ। ଝିଅ ମାନେ ଭାବନ୍ତି, ପାଠ ପାଇଁ ଶୁଭର ଏତେ ଗର୍ବ, ହେଲେ ସେ ସେମିତିକା। ତାର ସାଙ୍ଗ ସାଥି ଖୁବ କମ୍।ଯେଉଁମାନଙ୍କ ସହ ମନ ଖୋଲି କଥା ହେଇ ପାରେ।ସୁଧା ଠିକ୍ ତା ବିପରୀତ, ସେ ବହୁତ କଥା କହେ। ଆଉ ସମସ୍ତଙ୍କ ସାଙ୍ଗେ କଥା ହୁଏ। କେମିତି କେଜାଣି ଶୁଭର ବଳୟ ଭିତରକୁ ଚାଲି ଆସିିଥିଲା ସେ। ତା ପରଠୁ ସୁଧା ଆଉ ଶୁଭ କେତେ ସନ୍ଧ୍ୟା ନ କାଟିଛନ୍ତି, ଏଇ ଜାମୁ ଗଛତଳେ। ଶୁଭ ଚୁପଚାପ୍ ବସେ, ସୁଧା ଗପ ଆରମ୍ଭ କରେ। ତା ସୀମିତ ଦୁନିଆର ଅଜବ ଖିଆଲକୁ, ଖାତାରୁ କାଗଜ ଚିରି ନଈ ପାଣିରେ ଭସେଇ ଦିଏ। ଆଉ ଶୁଭ ସବୁ ସ୍ବପ୍ନକୁ କଲମ ଧରି ଆଙ୍କୁ ଥାଏ, ତା କଥା ଶୁଣି ଶୁଣି। ଜୀବନ ଏମିତି ନଈ ପରି ବହିଚାଲେ। ପିଲାଦିନଟା କୈଶୋରକୁ ବଦଳିଯାଏ। ବିରତି ମାଗେ, ସେ ଜାମୁମୂଳ ଆଉ ଚହଲା ନଈ ଠୁ। ମନେ ରହିଯାଏ, ସେ ଗୋଲାପୀ ସଞ୍ଜରେ, ଆଖିରୁ କେଇ ଟୋପା ଲୁହ। ଆଉ ଫୁଲି ଉଠୁଥିବା ନାକ ପୁଡା ଉପରେ ସୁନ୍ଦର ଗୁଣାଟେ। ସେତିକି, ନେଇଯାଏ ସେ ସାଇତିକି ସହରକୁ। ସେଠି ଅନେକ ଚେହେରା, ଅନେକ ଇଶାରା। ହେଲେ ସେହି ଆକର୍ଷଣ କାହିଁ, କାହିଁ ସେ ଆତ୍ମୀୟତା। କୋଉଠି ପାଇବ, ସ୍ୱପ୍ନରେ ବଞ୍ଚୁଥିବା ତା ଗାଉଁଲି ସୁଧାକୁ। ଅପେକ୍ଷା ଛଡା ଉପାୟ ବା କାହିଁ ଯେ?


ଶୁଣିଲା, ସୁଧା କୁଆଡେ ସବୁଦିନ ମନ୍ଦିର ଆସେ, ସଞ୍ଜବେଳେ। ସୁଧାକୁ ଦେଖିବ ବୋଲି ସେ ଗଲା ମନ୍ଦିରକୁ।କେତେ ସମୟ ପରେ ଆସିଲା ସୁଧା। ଯେମିତି ଭାବିଥିଲା ଶୁଭ,ସେମିତି ଦିଶୁନି ସୁଧା। ତା ଭାବନାରୁ ଆହୁରି ଢେର୍ ଅଧିକା ସୁନ୍ଦର ସେ। ମନ୍ଦିର କାନ୍ଥକୁ ଆଉଜି ପଡ଼ିଲା ଶୁଭ। ନିଜ ଆଖିକୁ ଵିଶ୍ଵାସ କରିପାରିଲାନି। ଖୁସିକୁ ଲୁଚେଇବାକୁ ଯେ ନିଜେ, ଲୁଚିଗଲା।ଗରୁଡ଼ ପଛପଟେ ସୁଧା, ହାତ ଯୋଡ଼ି ପ୍ରଣାମ କଲା ଠାକୁରଙ୍କ ଉଦ୍ଦେଶ୍ୟରେ। ଆଉ ଦୀପଟିଏ ଜଳିଦେଲା। ମୁଣ୍ଡିଆ ମାରିଲା। ଆଉ ଠାକୁରଙ୍କୁ ଅନେଇ ରହିଲା ଅନେକ ସମୟ ଯାଏ। କିଛି ଗୋଟେ ମାଗିଲା ପରି ଲାଗିଲା ସେ। ଶୁଭ ଲୁଚିଲୁଚି ସବୁ ଦେଖୁଛି। ଏଇ ପ୍ରାର୍ଥନା, ସବୁ ତା ପାଇଁ ସେ ବୁଝି ସାରିଛି। ଇଚ୍ଛା ହେଉଥିିଲା ଯାଇକି କହି ଦିଅନ୍ତା, ଠାକୁରଙ୍କୁ କାହିଁ ହଇରାଣ କରୁଛୁ, ତୋ କଥା ସେ ଶୁଣି ସାରିଲେଣି।ସେମିତି କିନ୍ତୁ କଲାନି ସେ। ଏମିତି କଣ କରାଯାଏ କି? ସୁଧା କଣ ତାକୁ ଦେଖି ପାରିଲାନି, ନା ଚିହ୍ନି ପାରିଲାନି? ସଞ୍ଜ ଗାଡିଯାଇଥିଲା,ଆଳତି ବି ବଢି ଯାଇଥିଲା, ସୁଧା ବାହାରିଲା ଯିବାକୁ ଅନ୍ଧାର ହୋଇଗଲା ପରେ। ତା ପଛେପଛେ ଗଲା ଶୁଭ, ସେମିତି ଚୁପ୍ ହୋଇ। ଅନୁଚ୍ଚ ସ୍ୱରରେ ଡାକିଲା "ସୁଧା"। ସେମିତି ନ ବୁଲି,ଅବିଚଳିତ ଭାବେ କହିଲା, - ଶୁଭ ଭାଇ । 

-ତୁ ତେବେ ଜାଣିଥିଲୁ ମୁଁ ବୋଲି? ଆଶ୍ଚର୍ଯ୍ୟ ହୋଇ ପଚାରିଲା ଶୁଭ।

- ହଁ, ମୁଁ ଜାଣିଥିଲି ତୁ ବୋଲି। ତୋତେ ମୁଁ ହଜାରେ ଲୋକଙ୍କ ଗହଳିରେ ବି ଚିହ୍ନି ପାରେ। ତୋ ସ୍ୱରଟା ମୁଁ କଣ କେବେ ଭୁଲିପାରେ! ତୁ ଆସିବୁ ବୋଲି, ମନ୍ଦିର ବେଢ଼ାରେ କେତେ ଦୀପ ନ ଜାଳିଛି, କେତେ ମାନସିକ ତୋରି ପାଇଁ।ସହରରେ ତୁ ଭଲରେ ଥା ବୋଲି। ଏକା ଥରେ କହିଗଲା ସୁଧା। 

-ତେବେ ଘରକୁ ଆସିଲୁନି କାହିଁକି? ଜାଣୁ ତୋ ବିନା ମୁଁ କେମିତି ସହରରେ ଦିନ ଗୁଡା କାଟେ? ସବୁ ବେଳେ ତୋତେ ଭାବେ ମୁଁ। ମୋ ଅଫିସର ସେ ଜିନ୍ସ ପିନ୍ଧା, ଲିପ୍ସଟିକ ମରା ଝିଅଙ୍କ ଠୁ ତୁ ବେଶୀ ସୁନ୍ଦର ଦିଶୁ ଲୋ। 

ଅଳ୍ପ ହସି ସୁଧା କହିଲା - ତୋତେ କଣ କେହି ମିଳୁନଥିଲେ କି? 

-ହଁ ସେମିତି ବୁଝିଯା ତୁ। ମୋ ପରିକା ମଫୁକୁ କୋଉ ଝିଅ କାହିଁ ଅନେଇବ ଯେ?

ସେମାନେ ଚାଲି ଚାଲି ଛକ ଠାରୁ ଅନେକ ବାଟ ଆସି ଗଲେଣି।

ଶୁଭ ପୁଣି ପଚାରିଲା-ଘରକୁ ଆସିଲୁନି କାହିଁକି?କିଏ ତୋତେ କଣ କହିଛି କି? ବୋଉ ତ ସେମିତି ନୁହେଁ, ଆଉ ବାପା ତ ତୋତେ ଖୁବ୍ ଭଲ ପାଆନ୍ତି। ନା ମୋ ଆସିବା କଥା ତୁ ଜାଣିନୁ?

- ଘରକୁ କାହିଁ ଯିବି ମୁଁ? ଆମେ କଣ ଘରେ କଥାହୁଏ କି? ଆମ ଗପ ଯୋଉଠି ସରିଥିଲା, ମୁଁ ସେଇଠି ହିଁ ଅଛି। ଆଜି ବି ସେମିତି। ଖରା ବେଳଠୁ ମୁଁ ତୋତେ ସେଇ ନଈ ପାଖ ଜାମୁ ଗଛ ମୂଳେ ଅପେକ୍ଷା କରିଛି। ଦିନ ଯାଇ ସଞ୍ଜ ହେଲା, ହେଲେ ତୋର ତ ଦେଖା ନାଇଁ। ଭୁଲିଯାଇଛୁ ନା ତୁ? ସେଦିନର ସେ ଗପକୁ। କାଗଜ ଡଙ୍ଗାକୁ। ଆଉ ତୋ ଚିତ୍ର ଆଙ୍କିବା କଥାକୁ। ମୁଁ ଭୁଲିନି କିଛି। ମୁଁ ଜାଣେ ଏଇ ଗୁଣା ତାକୁ ତୁ ଭଲପାଉ। ଦେଖ୍ ଆଜି ଯାଏ ଖୋଲିନିି ତାକୁ ମୁଁ,ତୋ ପାଇଁ।


ଅଭିମାନର ଅଦିନ ମେଘ ଗୁଡା ଅମାନିଆ ଶବ୍ଦ ହେଇ ଝରିଗଲା, ଆଉ ସେ ବର୍ଷାରେ ଭିଜିଗଲା ଶୁଭ। ଶବ୍ଦ ସବୁ ବାହାନା ଖୋଜି ଚାଲି ଯାଇଥିଲେ ଦୂରକୁ। ଏବେ ଖାଲି ଥିଲା ବହଳ ନୀରବତା ଆଉ ନିରନ୍ଧ୍ର ଅନ୍ଧକାର। ଆଉ ସେଇ ଭିତରେ, ଦିଟା ପିଆସି ଆତ୍ମା। ଶୁଭ କେତେବେଳେ ସୁଧା ହାତରେ ହାତ ଛନ୍ଦି ଦେଇଛି। ତା ଆଙ୍ଗୁଠି ଭିତରେ ନିଜ ଆଙ୍ଗୁଠି ପୁରେଇ ପାପୁଲିକୁ ଚିପି ଧରିଛି। ଆଉ ସୁଧାର ହାତ ଝାଳେଇ ଚାଲିଛି ତା ଭିତରେ। ସାମ୍ନାସାମ୍ନି ଠିଆ ହେଇଛନ୍ତି ସେମାନେ, ଶୁଭ ସେ ଅନ୍ଧାରରେ ଦେଖୁଛି, ସୁଧାର ମୁହଁକୁ। ଆଉ ସୁଧା ଆଖି ତଳକୁ କରି ଠିଆ ହେଇଛି। ଶୁଭ ଚିବୁକକୁ ଧରି, ତା ଗାଲ ପାଖକୁ ନଇଁ ଆସିଲା, ଠିକ ସେ ଜାମୁ ଗଛ ପରି। ସୁଧା କିନ୍ତୁ ଉଡ଼ିଗଲା ସେଠୁ, ତରକା ପ୍ରଜାପତି ପରି। ଯାଉ ଯାଉ କହିଲା, ମୁଁ ଯାଉଛି, ବୋଉ ବ୍ୟସ୍ତ ହେଉଥିବ। ଅନେକ ବେଳୁ ଆସିଲିଣି। କାଲି ପୁଣି ସେଇ ଜାଗାରେ... । 


ରାତି ଯାକ ଖାଲି,ସୁଧାର ଚେହେରା ତା ଆଖିରେ ନାଚି ଉଠିଲା। ସୁଧାକୁ ଏବେ ସବୁବେଳେ ଦେଖିବାକୁ ମନ ହୁଏ ତାର। ମନେ ପଡ଼ିଲା କଟକରୁ ଆଣିଥିଲା ତା ପାଇଁ କାନଫୁଲ ହଳେ। ସେ ଯେବେ କଥା କହୁଥିବ କାହା ସାଙ୍ଗେ ଏଇ କାନଫୁଲ ତା ଗାଲକୁ ଚୁମି ଯାଉଥିବ। ସତେ ଯେମିତି ସେଗୁଡା କାନଫୁଲ ନୁହେଁ, ନିଜେ ଶୁଭ। ଠିକ୍ ପୂଜା ଦିନ ତାକୁ ଘରକୁ ଡାକିବ ଆଉ ତା ହାତରେ ଦେବ। ଏମିତି କିଛି ଭାବିଥିଲା ସେ। 

ସ୍ୱପ୍ନର ଆୟୁଷ ରାତି ସରିଲା ଯାଏ। ସେ ଖୋଜୁଥାଏ ଅନ୍ଧାର ଆଉ ନିରୋଳାଟିକେ। ଘଡିକ ପାଇଁ ଆସିଟିକେ ତା ନିଶାରେ ଝୁମେଇ ଦେବାକୁ, ଭିଜେଇ ଦେବାକୁ। ହାତ ଧରି ନେଇ ଯିବାକୁ ଅନ୍ୟ ଏକ ସହର। କିନ୍ତୁ, ଆଲୁଅ ପଡିଲେ ସେ ଉଭେଇଯାଏ, ଠିକ ନିର୍ବାଚନ ପରେ ନେତାଙ୍କ କଥା ପରି। ସକାଳ ପରେ ଚିରାଚରିତ ଢଙ୍ଗରେ,ସୂର୍ଯ୍ୟ ମଥାନକୁ ଉଠେ। ଚଳଚଞ୍ଚଳ ହେଇ ଉଠେ ଗାଁଟି। ଆଉ ବେଶୀ ଉତ୍ସୁହ ଥାଏ ଶୁଭ, ସମସ୍ତଙ୍କ ଅଲକ୍ଷ୍ୟରେ। ସେଇ ଜାମୁ ଗଛକୁ ଆଉଜି ନଈ ପାଣିକୁ ଦେଖୁଥାଏ ଶୁଭ। ଅନ୍ୟମନସ୍କ ଭାବେ ରାସ୍ତାକୁ ଦେଖେ ତ ସୁଧା ଆସୁଛି। ହଳଦୀ ରଙ୍ଗର ଜାମାଟେ ପିନ୍ଧି। ପିଲାଦିନ ସୁଧାକୁ ଆଜି ପୁଣି ଦେଖୁଛି, ସେମିତି। ଯେମିତି କିଛି ବି ବଦଳିନି। ଏବେ ବି ସେମିତି ସେ ନିରୀହ, ଶାନ୍ତ ଆଉ ମନୋଇ। ଏଇ ନଈଟା ପରି। ସୁ୍ଧା ଆସି ପାଖରେ ଠିଆ ହେଲାଣି କେତେବେଳୁ, ଆଉ ଶୁଭ ହଜି ଯାଇଛି ତା ଭାବନାରେ। ସାମାନ୍ୟ ସ୍ପର୍ଶରେ ରେ, ପ୍ରକୃତିସ୍ଥ ହେଲା ସେ। କିନ୍ତୁ ଚୁପ୍ ରହିଲା, ସୁଧା କଥା ଆରମ୍ଭ କଲା, ବୋଉର ଦେହ ଖରାପ ତ। କାମ ସାରି ଆସୁ ଆସୁ ଡେରି ହେଲା। ତୁ ସେଥିପାଇଁ ରାଗିଛୁ ମୋ ଉପରେ,ଟିକେ ଅପେକ୍ଷା କଲୁ ବୋଲି। ମୁଁ ଯୋଉ ଏତେ ଅପେକ୍ଷା କରିଛି ତୋର। କହିଲୁ ତେବେ ମୋ ଅବସ୍ଥା କଣ ହେଉଥିବ! ଏଇ ଜାମୁ ଗଛ ସାକ୍ଷୀ, ଏଇ ନଈ ବି ଚିହ୍ନେ ମତେ। ପ୍ରତ୍ୟେକଟି ପରିବର୍ତ୍ତନକୁ ପାଖରୁ ଦେଖିଚି ଶୁଭ ଭାଇ। ଆଉ ତା ସହିତ ସବୁ ବେଳେ ଯୋଡିଛି ତମ ସହରୀ ଜୀବନ ସହିତ। ବର୍ଷା ହେଲେ ଭାବେ, କେମିତି ଭିଜୁଥିବୁ ତୁ ଏକାଏକା, ମତେ ମନେ ପକେଇ।ଖରା ହେଲେ ଭାବେ, କିଏ ଆସି ବିଞ୍ଚି ଦେଉଥିବ ତୋ ଝଲୁଆ ଦେହକୁ। ଶୀତରେ କେମିତି ଦିଶୁଥିବୁ ତୁ ।ସବୁ ଭାବନାରେ ତୋରି ଚିନ୍ତା,ଭାବେ ଖାଲି ତୋ କଥା। ନିଜେ ନିଜେ ଗପେ ନିଜ ସାଙ୍ଗେ ଆଉ ଚାଲିଯାଏ।ମୁଁ ପ୍ରାୟ ସବୁଦିନ ଆସେ ଏଠିକୁ। ଆସେ ଖାଲି ଆମ କଥା ମନେ ପକେଇବାକୁ। ଆଉ ମତେ ଏମିତି କରିବାକୁ ଭାରି ଭଲ ଲାଗେ। ତୁ ଜାଣୁ କଥା ଗୁଡା, ଜମାଟ ବାନ୍ଧି ଗୋଟେ ଦ୍ବୀପ ହେଇ ଯାଇଥିଲେ। ଆଉ ଏଇ ସବୁ ଭାବନା କେବଳ ମୋ ନିଜର,ମନ ଦରିଆରେ ସମସ୍ତଙ୍କ ଠାରୁ ଖୁବ୍ ଦୂରରେ। କେତେ ଡାକିଛି ରାଧାମାଧବଙ୍କୁ ତୋ ଲାଗି, ସେ କଥା ସେ ଜାଣନ୍ତି ମୁଁ ଜାଣେ। ଏମିତି କଟୁଥିଲା ମୋ ଦିନ। ଶୁଭ ଏବେ ପଚାରିଲା ଆଉ ଏବେ! ଏବେ ସେମିତି ଆଉ ହଉନି। ତୁ ଆସୁ ମନରେ ହେଲେ କଷ୍ଟ ଯାହା ହୁଏ,ଅନେକ କମିଯାଇଛି। 

-ଆଚ୍ଛା! କେମିତି? ଶୁଭ ଖୁସିରେ ପଚାରିଲା। କିଛି ଶୁଣିବ ବୋଲି। 

ସୁଧା କହି ଚାଲିଲା, ଦିନେ ଏଇ ଅକୁହା କଥା ସବୁକୁ ଶୁଣିବାକୁ ମନଟିଏ ମିଳି ଗଲା। ଯାହା ପାଖେ ମୁଁ ସବୁ ଖୋଲି କହି ଚାଲିଲି ଗୋଟିଗୋଟି କରି ମନକଥା। ସେ ଶୁଣିଲା, ଆଶ୍ୱାସନା ଦେଲା। ବୁଝେଇ ଦେଲା ଅନ୍ତରର ପ୍ରାର୍ଥନା କେବେ ବ୍ୟର୍ଥ ଯାଏନି।ସେ କହେ ତୁ ନିଶ୍ଚୟ ଆସିବୁ। ମୋ ପାଖକୁ, ପୁଣି ମୋ ସେଇ ଶୁଭ ଭାଇ ହେଇ। ମନର କୋଉ ତାରଟାକୁ ସେ ଛୁଇଁ ଦେଲା କେଜାଣି। ତା କଥା ଶୁଣିବାକୁ ଭଲ ଲାଗିଲା। ଯେମିତି ମନର ଭାଷାକୁ ସେ ପଢିପାରେ, ଆଉ ସମାଧାନର ବାଟ ବତେଇ ଦିଏ। କହିପାରୁ ବନ୍ଧୁଟିଏ। ଅବ ବନ୍ଧୁ ଠାରୁ ଅନେକ ଅଧିକ। ମୁଁ ମୋ ମନ କଥା, ସୁବିଧା ଅସୁବିଧା ନିର୍ଦ୍ୱନ୍ଦ୍ୱରେ କହି ପାରେ ତାକୁ। ହୃଦୟରେ ଗୋଟେ କୋଣରେ ଜାଗାଟିଏ ତିଆରି କରିପାରିଛି ସେ। ଖୁବ୍ ଭଲ ପିଲାଟେ ସେ, ସହରରେ ତାଙ୍କ ଘର। ଆମ ଗାଁ ସ୍କୁଲରେ ଏବେ ନୂଆ ଚାକିରୀ ପାଇଛି। ହେଲେ ବି କେବେ ଦେଖାଏନି, ବଡ଼ ଲୋକି କି ପାଠର ଗର୍ବ। ଖୁବ୍ ମେଳାପୀ। ତୁ ଦେଖିବୁ ନା ଖୁସି ହେଇଯିବୁ।ଏମିତି ପିଲାଟେ ସେ। ତା କଥା ଯେମିତି ନାଁ ବି ସେମିତି।

ଶୁଭ ପଚାରିଲା କଣ ତାଙ୍କ ନାଁ? ଏତିକି ଶୁଣିଲା ବେଳକୁ ଯେମିତି ଶୁଭ ଛାତି ଭିତରଟା କେମିତି ବରଫ ପାଲଟି ଯାଇଥିଲା। ଆଉ ସବୁ କିଛି ସେଇଠି ଅଟକି ଯାଇଥିଲା, ମନୋଇ ନଈ, ଗଛ ଲତା, ପ୍ରଜାପତି ସବୁ ଯେମିତି ସ୍ଥାଣୁ ପାଲଟି ଗଲେ, ନିଜ ନିଜ ଜାଗାରେ। ସମୟ ସେମାନଙ୍କ ପାଇଁ ଅଟକି ଗଲା ଯେମିତି ଆଉ ତାରି ଭିତରେ ଶୁଭର ସବୁ ସ୍ୱପ୍ନର ତାସ ଘରଟି ଭାଙ୍ଗି ଗଲା। ତା ନାଲି ପାନ ରାଣୀଟା ଏବେ ଚିଡ଼ିଆ ରାଜାକୁ ଭଲ ପାଇଯାଇଛି। ସୁଧା କହିଲା ସେମିତି ତା ଢଙ୍ଗରେ।ତା ନାଁ ସମୀର। ଶୁଭ କୋହ ଲୁଚେଇ ହସିଦେଲା। ଆଉ କହିଲା, ସତରେ ସୁନ୍ଦର ନାଁ ଟେ। ମନ ଭିତରେ ଗୁଣୁଗୁଣୁ ହେଲା, ସୁଧା ସମୀର ନା ସମୀର ସୁଧା। ତୋ ସମୀର ସାଙ୍ଗେ ମତେ ଦେଖା କରେଇବୁନି। ସୁଧା କହିଲା, ହଁ ନିଶ୍ଚୟ !ମୁଁ ନିଜେ ଚାହୁଁଥିଲି ତୋତେ ତା ସାଙ୍ଗେ ଦେଖା କରେଇବି ବୋଲି। ଚାଲ ଯିବା, ଏବେ ସେ ତା ବସାରେ ଥିବ। ଚାଲ ନା, କହି ତାକୁ ଟାଣି ନେଇଗଲା ତା ସାଙ୍ଗେ। କେଜାଣି କାହିଁକି ସୁଧା ସାଙ୍ଗେ ଯିବାକୁ ତା ମନ କୁଣ୍ଠିତ, ଏତେ ଜଲଦି ସ୍ବପ୍ନରୁ ବାସ୍ତବତାକୁ ଫେରିବାକୁ ଚାହଁ ନଥିଲା। ଆଉ ବାସ୍ତବତା ଯଦି ଏମିତି ହୁଏ। ଟାଣି ହେଇ ଯାଉ ଥିଲା ସେ, ଯେମିତି ତା କିଛି ଗୋଟେ ଜିନିଷ ତା ପାଖରୁ ହଜି ଯାଇଛି। ଶରତ ଆକାଶରେ ଜହ୍ନ ତା ଝାପସା ଉଇଁ ଆସିଥିଲା ଆକାଶକୁ।

   ସେମାନେ ପହଞ୍ଚିଲେ ସମୀର ଘରେ। ସମୀର ପୂଜା ବିଶେଷାଙ୍କ ପ୍ରକାଶିତ ପତ୍ରିକା ଖଣ୍ଡେ ପଢୁଥିଲେ, ଦାଣ୍ଡ ପିଣ୍ଡାରେ ବସି। ସୁଧାକୁ ଦେଖି, ତା ହସକୁ ଦେଖି ବୁଝିଗଲେ, ତା ମନ କଥା। ସୁଧା ଡାକ ଦେଲା, ଓଃ! ଗୁରୁଜୀ,ଦେଖ ମୁଁ ଆଜି କାହାକୁ ସାଙ୍ଗରେ ନେଇ ଆସିଛି। କିଏ କହିଲ? ସୁଧା କଥା ଶୁଣି, ସେ କହିଲେ ତୁମ ଶୁଭ ନା? ଆସ ବସ ଏଇଠି। ସୁଧା କହିଲା, ହଁ ଆଜି କହିଲି ଶୁଭ ଭାଇକୁ ତମ କଥା। ଆଉ ଦେଖ ସେ ବି ତମକୁ ଦେଖିବ ବୋଲି କହିଲା। ସତରେ, ତମ କଥା ସତ ହେଲା। ମୋ ଡାକ ରାଧାମଧବ ଶୁଣିଲେ। ଶୁଭ ଭିତରୁ ନିଜକୁ ପ୍ରସ୍ତୁତ କରୁଥିଲା। ଏସବୁ ପାଇଁ। ଆଉ ଉପରେ ସୌଜନ୍ୟ ପୂର୍ଣ୍ଣ ହସଟେ ହସୁଥିଲା ଯାହା। ସମୀର କହିଲା, ଆପଣଙ୍କ ଉପରେ ମୋର ଭାରି ଇର୍ଷା ହୁଏ। ସୁଧା ପରି ଝିଅଟେ ଆପଣଙ୍କ ପାଖେ ଅଛି। ସବୁବେଳେ ଆପଣଙ୍କ କଥା କହେ। ଆଉ ତା ଛଡା କିଛି ନାହିଁ। ଠିକ ଯେମିତି କହିଥିଲା ସେ ସେମିତି ଆପଣ। ତିନି ବସିଥିଲେ, ଦାଣ୍ଡ ପିଣ୍ଡାରେ ଥିବା ଚୌକି ଉପରେ। ଆଉ ତାରା ମାନେ ଆଖି ମିଟିିକା ମାରୁଥିଲେ ସଞ୍ଜଟାରେ। ଶୁଭ ଚୁପ ହେଇ ଶୁଣୁଥିଲା ସବୁ। ସମୀର କହିଲେ ତମେ ମାନେଟିକେ ବସ, ମୁଁ ଯାଏ ଭିତରୁ କଣଟିକେ ନେଇ ଆସେ ଖାଇବା ଆମେ। ଶୁଭ ମନା କଲା। ସମୀର କହିଲେ, ଆରେ ପ୍ରଥମ ଥର ଆସିଛନ୍ତି ମୋ ବସାକୁ। ଅତିଥି ସତ୍କାରର ଅବସର ଦେବେନି ମୋତେ? ଏତିକି କହି ସେ ଉଠି ଯାଉଥିଲେ। ଶୁଭ ତଥାପି ବାରଣ କଲା। ସମୀର କହିଲେ, ଆରେ ଏତେ ବଡ ଖୁସି ଟା ବିନା ମିଠାରେ ଚାଲିଯିବ କି? ସୁଧାକୁ ଚାହିଁଲା ଶୁଭ। ଦେଖିନେଲେ ସମୀର, ଆଉ କହିଲେ, ସାମାନ୍ୟ ଗମ୍ଭୀର ହୋଇ। ଶୁଭ ବାବୁ, ଏଇ ଖୁସିର ମୁହୂର୍ତ୍ତ ଗୁଡିକ ଭାରି ଅମୁଲ୍ୟ। ଏମିତି ଛାଡି ଦିଅନ୍ତୁନି ହାତରୁ। ମନ ଭରି ଜୀଇଁ ଯିବା ସମୟକୁ, କିଏ ଜାଣେ, ଆଉ ଆସିବ କି ନାହିଁ। ସମୀର ଯାଉଯାଉ ସୁଧା କହିଲା, ଥାଉ ମୁଁ ଯାଇ ନେଇ ଆସୁଛି କିଛି। ତମେ ଶୁଭ ଭାଇ ସାଙ୍ଗେ କଥା ହୁଅ। ଚାଲିଗଲା ସୁଧା। ଛାଡି ଦେଇ ପଛରେ ଅନେକ ପ୍ରଶ୍ନ।

ଚୁପଚାପ୍ ମୁଣ୍ଡ ନୁଆଁଇ ବସିଥିଲା ଶୁଭ, କଣ କଥା ହେବ। କଥା ଆରମ୍ଭ କଲେ ସମୀର, ଶୁଭବାବୁ, ସୁଧା ମୋତେ ସବୁ କହିଛି ଆପଣଙ୍କ ବାବଦରେ। ଆପଣଙ୍କ ପିଲାଦିନ ଆଉ ସ୍କୁଲ ଜୀବନର କଥା। ଖୁବ୍ ଭଲ ଝିଅଟେ, ମନ ଭିତରେ ଅନେକ ଅଭିମାନ ସାଇତି ରଖିଥିଲା। ଅଭିମାନ ସବୁ ଧିରେ ଧିରେ ଆଶଙ୍କା ହୋଇ ଯାଉଥିଲେ। ମୁଁ ବୁଝେଇଲି ତାକୁ, ହା.. ହା.. ଝିଅଙ୍କ ମନ ଭାରି ଜଟିଳ। ସହଜେ କିଛି ବିଶ୍ୱାସ କରିବେନି। ଆଉ କରିଲେ ଛାଡିବେନି। ମୁଁ ହିଁ ଜାଣେ କେମିତି ସଜାଡ଼ିଲି ତା ମନକୁ। ଭାରି କଷ୍ଟ ସତରେ। ଏବେ ଆଉ ସେ ନିରାଶାରେ ନାହିଁ। ମନକୁ ବୁଝେଇ ପାରୁଛି। ମୁଁ ଯେତିକି ଜାଣିଲି ତାକୁ, ଭିତରୁ ତାକୁ ଅନେକ ସ୍ନେହ ଆଉ ଭଲ ପାଇବା ଦରକାର। ଶୁଭ ଏତେ ପାଖରୁ କେବେ ପଢ଼ିନଥିଲା, ସୁଧାକୁ। ଏମିତି ଭଲ ପାଉଥିଲା। ଜାଣି ପାରିଲା ଏବେ, ସମୀର ଆଉ ସୁଦ୍ଧା ଖୁବ ନିକଟତର ହେଇ ଯାଇଛନ୍ତି। ନହେଲେ କଣ ସୁଧା ଏମିତି ସମୀର ଘରେ ନିଜ ଘର ପରି ଚଳି ପାରନ୍ତା! ଆଗରୁ ଶୁଣି ଥିଲା ସୁ୍ଧା କଥା, ଏବେ ସମୀରଙ୍କ ସୁଧାକୁ ନେଇ ଉକ୍ତି। ଗୋଟେ କଥା, ପରିଷ୍କାର ହେଲା ଯେ, ଉଭୟଙ୍କ ଭିତରେ ସମ୍ପର୍କର ମୂଳଦୁଆଟି ଶୁଭ। କହିଲା, ଆଛା, ତେବେ ସୁଧା ବାବଦରେ ଏତେ କଥା ଜାଣିଛନ୍ତି ଆପଣ। 

-ହଁ, ଆହୁରି ଅନେକ। ହସି ଉତ୍ତର ଦେଲେ ସମୀର। ତାର ଛୋଟ ବଡ଼ ସୁବିଧା ଅସୁବିଧା ସେ ମତେ କହେ। ମୁଁ ବୁଝେଇଦିଏ। ନହେଲେ ସାହାଯ୍ୟ କିଛି କରିଦିଏ। 

-ଏବେ, ମୋତେ ଈର୍ଷା ହେଉଛି ଆପଣଙ୍କ ଉପରେ। ଯେ ମୁଁ ଏତେ ପାଖରେ ଥାଇ ବି ବୁଝିପାରିଲିନି କେମିତି ତାକୁ।

ଆପଣ ଜାଣନ୍ତି? ସୁଧା ବି ବୁଝେ ଆପଣଙ୍କୁ।ଆପଣ ପ୍ରଶଂସାରେ ସେ ଶତମୁଖ। ଯାହା ହେଉ ଶୁଣିକି ଖୁସି ଲାଗିଲା, ଯେ ସୁଧା ମୋର ଆଉ ମୋ ପାଇଁ ମନ ଦୁଃଖ କରୁନି।ଆହୁରି ବେଶୀ ଖୁସି ଯେ ଆପଣଙ୍କ ସୁନ୍ଦର ହୃଦୟ ଥିବା ସାଙ୍ଗଟେ ପାଇଛି। ମୁଁ ଏବେ ସହରରେ ନିଶ୍ଚିନ୍ତରେ ରହିବି। ଆପଣ ତାକୁ ଖୁସିରେ ରଖିବେ ସବୁଦିନ। ଶେଷ କଥା ପଦକ କହିଲା ବେଳକୁ କଣ୍ଠରୋଧ ହୋଇ ଆସୁଥିଲା, ଆଖିରେ ଲୁହ ଜକେଇ ଆସୁଥିଲା। ରୁମାଲ କାଢି ମୁହଁ ପୋଛିଲା ସେ। ଆଉ ପକେଟରୁ ବାହାର କଲା, ସୁଧା ପାଇଁ ଆଣିଥିବା କାନଫୁଲ ହଳକ। ଗୋଟେ ଛୋଟ ଖୋଳରେ। ସମୀର ହାତରେ ଦେଇ କହିଲା, ଏଇଟା ସୁଧା ପାଇଁ ଆଣିଥିଲି। ତାକୁ ଦେଇଦେବେ ।

- ଆପଣ ଭୁଲ ବୁଝୁଛନ୍ତି ଆମକୁ। ଆମ ଭିତରେ ବନ୍ଧୁତା ଛଡା ଆଉ କିଛି ନାହିଁ। ସୁଧା ଯେ ଆପଣଙ୍କର ଏଥିରେ ଦ୍ବିମତ ନାହିଁ। ସଂଶୟ ଦୂର କରନ୍ତୁ ପ୍ଲିଜ। ଆଉ ଏଇ କାନଫୁଲ ଆପଣ ନିଜେ ସୁଧାକୁ ଦିଅନ୍ତୁ। ମୁଁ କାହିଁକି ଦେବି ଯେ?

- ଦେଖନ୍ତୁ ମନା କରନ୍ତୁନି। ଯେ ବି ଦଉ, ସୁଧା ପିନ୍ଧିଲେ ଗଲା। ମୁଁ ଚାହେଁ ଆପଣ ଏଇ କାନଫୁଲ ହୋଇ ତା ପାଖେ ସବୁବେଳେ ଥାନ୍ତୁ। ଆଉ ତାକୁ ଖୁସିରେ ରଖନ୍ତୁ।ଏବେ ତ କହିଲେ, ମୁଁ କୁଆଡେ ଆପଣଙ୍କ ଅତିଥି, ଏତିକି କଥା ରଖି ପାରିବେନି ଅତିଥି ଙ୍କର। 

ଅନ୍ୟନୋପାୟ ନ ପାଇ କାନଫୁଲଟି ରଖିଲେ ସମୀର। ଆଉ ସୁଧା ଜଳଖିଆ ନେଇ ଆସିଲା। ଚା କପ୍ରୁ ଧୁଆଁ ବାହାରି ମିଳେଇ ଯାଉଥିଲା, ସଜ ଶରତ ସଞ୍ଜରେ।


ତା' ପର ଦିନ ଶୁଭ ବାହାରି ପଡ଼ିଲା ସହରକୁ। ଘରେ ଖୁସି ଟାକୁ ଯେମିତି କାହା ନଜର ଲାଗିଗଲା। ଶୁଭ ଉପରକୁ ସମସ୍ତଙ୍କୁ କହି ହେଉଥାଏ, ଅଫିସରେ କାମ ପଡିଗଲା ତ ଯିବାକୁ ହେବ। ବଡ଼ ଅଫିସର ଡକେଇଛନ୍ତି। ରାଜୁ ଗୁଲିଆଙ୍କ ମନ ଦୁଃଖ। ଦି ଜଣ ପୁରା ଚୁପ ହେଉ ଯାଇଛନ୍ତି। ଗୁଲିଆଟି ମୁହଁରେ ହାତ ରଖି ବସିଛି ପିଣ୍ଡାରେ। ଆଉ ରାଜୁ ମୁହଁ ମାଡି ଶୋଇଛି, ଅଗଣା ଖଟରେ। ଶୁଭର ମା ଓଠରୁ କିଏ ଯେମିତି ହସ ଚୋରେଇ ନେଇଛି। ଆଉ ବାପା, ଘରେ ନ ରହି ଚାଲିଯାଇଛନ୍ତି ବିଲ ଆଡେ। ସବୁ ଆଡେ ଗୋଟେ ଅସହ୍ୟ ନୀରବ ଯନ୍ତ୍ରଣା। ଲଗେଜ ଲଦି ସାଇକେଲ ଗଡେଇ ଆଗେ ଚାଲିଲା ଗୁଲିଆ, ଚୁପଚାପ୍ ହେଇ। ଘରେ ମେଲାଣି ମାଗି ଚାଲିଲା ଶୁଭ। ସାଇକେଲ ପଛେ ପଛେ। ଶରତ ସକାଳଟା ସେଦିନ ଲାଗୁଥିଲା, ବୈଶାଖର ଖରାବେଳ ପରି। ବସ୍ ପହଞ୍ଚିଲା ଠିକ୍ ସମୟରେ। ଆଉ ଶୁଭ ଚଢ଼ିଗଲା ସେଥିରେ। ପୂଜା ଛୁଟି ପାଇଁ ବସ୍ଟି ଫାଙ୍କା ଥିଲା। ଆଉ ଫେରିକି ଦେଖିଲାନି ପଛକୁ। ଗୁଲିଆ ଗଲା କି ନାହିଁ। ତାକୁ ବି କଥା ପଦେ କହିଲାନି। ମନ ଭିତରେ ଏତେ କୋହ, କାହା ପାଇଁ। କଣ ପାଇଁ ଏମିତି କରୁଚି ସେ। ସମସ୍ତଙ୍କୁ ଦୁଃଖ ଦେବାର କି ଅଧିକାର ତା ର? ରାଧା କେବେ କୃଷ୍ଣର ହେଇପାରିଛି? ନା ସୁଧା କେବେ ଶୁଭର ହେଇ ପାରିବ। ନିଜକୁ ବୁଝେଇବାକୁ ସମୟ ଦରକାର।ସେଥି ପାଇଁ ସେ ଗାଁ ଛାଡି କଟକ ଯାଉଛି। ଯୋଉଠି ବି ଥାଉ ସୁଧା ତା "ଶୁଭ " ଚିନ୍ତା କରିବ ସେ। ବସ୍ଟି ଚାଲିଥାଏ, ମନ୍ଥର ଗତିରେ ଯେମିତି ତାର ବି ଯିବାକୁ ଇଛା ନାହିଁ। ଯାଉ ଯାଉ ରହିଗଲା ଅଧା ରାସ୍ତାରେ, ପୁଣି ଖରାପ ହେଲାକି? ଚାପା ବିରକ୍ତି ପ୍ରକାଶ କଲା ଶୁଭ। ଯାତ୍ରୀମାନଙ୍କ ଭିତରେ ମୃଦୁ ଗୁଞ୍ଜରଣ। ବସ୍ ଭିତରକୁ ପଶି ଆସିଲା ସୁଧା। ଆଖିରେ ଆଖିଏ ଲୁହ ନେଇ। ଆସି ଠିଆ ହେଲା ଶୁଭ ପାଖେ। ଆଉ ଶୁଭ ବି ତାକୁ ଦେଖି ଛିଡା ହୋଇ ପଡ଼ିଲା। ଆଉ କିଛି ନ କହି, ସେ କୁଣ୍ଢାଇ ପକେଇଲା ଶୁଭକୁ। ଆଉ କାନ୍ଦି ଉଠିଲା ଛୋଟ ପିଲା ପରି। କାନ୍ଦକାନ୍ଦ ସ୍ୱରରେ କହିଲା, ଶୁଭ ଭାଇ,ତୁ କଣ ମତେ ଏଇୟା ବୁଝିଲୁ। ମୋ ମାନସିକ, ମୋ ଦୀପ,ମୋ ଭାବନା, ସଳିତା ହୋଇ ଜଳିବା ତୋର କଣ କିଛି ମନେ ପଡ଼ିଲାନି, ଏମିତି କଣ କିଏ କାହା ଯାଗା ନେଇ ପାରେ କି? ମୋ ମନରେ ତୁ ଅଛୁ ଥିଲୁ ଆଉ ରହିବୁ। ଏଇ ଆଖି ଖୋଲା ଥିବା ଯାଏ। ମୋ କଥାରୁ କଣ କିଛି ବୁଝି ପାରିଲୁନି। ସହରରେ ଲୋକ ଗୁଡା କଣ ଏତେ ବୁଦ୍ଧୁ, ଓଲୁ। ମନ କଥା କହିବାର ସାହାସ ନାଇଁ ତାଙ୍କ ପାଖେ। ଯାହା ତୋର, ତୁ ହକରେ ନେଇଯା। ଦେଖ ମୁଁ ଝିଅଟେ ହେଇ ଆଗେ କହୁଛି, ମୁଁ ତୋତେ ଭଲପାଏରେ, ମୋ ଠୁ ବି ଅଧିକା। ତୋତେ ଛାଡ଼ି ରହିପାରିବିନି। ଶୁଭ ଦେଖିଲା, ସେ ପିନ୍ଧିଥିଲା ତା ଦେଇଥିବା କାନଫୁଲ। ସେଇ କାନଫୁଲ ଚମକରେ ସୁନେଲି ଦିଶୁଥିଲା,ତା' ଲୁହର ରଙ୍ଗ।ପ୍ରେମ ଆଉ ବନ୍ଧୁତା ଭିତରେ ବେଶୀ ଫରକ ନାହିଁ, ପ୍ରେମ ଶିଖାଏ ସର୍ତ୍ତହୀନ ଭାବେ ମିଶିଯିବା, ଆଖି ବନ୍ଦ କରି। ବନ୍ଧୁତା ବାଟ ଦେଖାଏ,ଅବାଟକୁ ଯିବା ଆଗରୁ ଟାଣିଆଣେ। ପ୍ରେମ ମାଗେ ତ୍ୟାଗ, ଆଉ ବନ୍ଧୁତା ଶିଖାଏ ସୁଖଦୁଃଖ ବାଣ୍ଟିନେବାର କଳା। ଯେ ଭଲ ବନ୍ଧୁ ନ ହୋଇ ପାରିଲା, ଭଲ ସାଥୀଟେ ହୋଇ ପାରେନା କେବେ। ଏକଥା ବୁଝୁଥିଲା ଶୁଭ।ଏତିକି ବେଳେ କେହି ଜଣେ ଯାତ୍ରୀ କହିଲା, ଏବେ ଯିବା କଟକ! ଦଶହରା ସରି, ବାଲିଯାତ୍ରା ସରିଯାଇଥିବ ଯେ। ହସି ଉଠିଲେ ସମସ୍ତେ। ଶୁଭ ଓହ୍ଲେଇ ପଡିଲା ବସ୍ ରୁ। ସାମ୍ନାରେ ଥିଲା ଗୁଲିଆ। ହସୁଥିଲା, ପୁଣି ଲଦିଲା, ଲଗେଜକୁ କେରିଏରରେ, ଆଉ କହିଲା ଶୁଭ ଭାଇ, ଅଫିସରକୁ କହି ଛୁଟି ଟା ବଢ଼େଇ ଦେ। ବଡ଼ବୋଉ କହୁଥିଲା, ଏଇ ଥର କୁଆଡେ ତୋ ବେକରେ ଜୁଆଳି ପଡିବ। ଶୁଭ ଏଥର କହିଲା, ହଁ,ରେ ! ବୋଉକୁ କହିଦେ ଗୋଟେ ନାକ କାନ୍ଦୁରି ଫୁଲେଇଟେ ତା ପୁଅକୁ କିମିଆ କରି ଦେଇଛି। ଆଉ ବାନ୍ଧି ଦେଇଛି ତା ରିବନ ବନ୍ଧା ବେଣୀରେ। ଲାଜ ମିଶା ରାଗରେ ଚାହୁଁଥିଲା ଥିଲା ସୁଧା। ଅପରାହ୍ନର ଆଲୁଅରେ ଲମ୍ବି ଯାଇଥିଲା ତାଙ୍କ ଛାଇ, ଗାଁର ମାଟି ରାସ୍ତା ଉପରେ। ଆଉ ପୁଣି ସୂର୍ଯ୍ୟଟା ସୁନାଝରି ମଥାରେ ଭରୁଥିଲା ଗେରୁଆ ରଙ୍ଗର ପ୍ରୀତି ଅବିର।



Rate this content
Log in

Similar oriya story from Romance