ଶୀତ ରାତି
ଶୀତ ରାତି
ପାଞ୍ଚ ତାରକା ହୋଟେଲର ଡାଇନିଂ ହଲରେ ଚାଲିଥାଏ ସମ୍ମିଳନୀ ର ଶେଷ ଦିନର ସମାପନ ଉତ୍ସବ I ଖାଦ୍ୟ ଆଉ ପେୟ ସହ ରଙ୍ଗୀନ ଆଲୋକରେ ଡ୍ୟାନ୍ସ ଫ୍ଲୋର ଉପରେ ମସଗୁଲ ହୋଇ ନାଚୁ ଥାଆନ୍ତି ଅଂଶୀଦାର ମାନେ I ଟିକିଏ ଅଲଗାରେ ବସି ଥାନ୍ତି ପ୍ରିୟନ ଏବଂ ଅଭିନବ ରାତ୍ରି ଭୋଜନରେ ବ୍ୟସ୍ତ I ସମ୍ମିଳନୀରେ ଦେଖା ସାକ୍ଷାତ ହୋଇଥିଲା ଚାରି ଦିନ ତଳେ ଆଉ ବେଶ ମିଳିମିଶି ଯାଇଛନ୍ତି ଦୁହେଁ I ପ୍ରାୟଃ ସମବୟସ୍କ ହୋଈଥିଲେ ମଧ୍ୟ ପ୍ରିୟନ ଅଧ୍ୟୟନରେ ବ୍ୟସ୍ତ ଥିଲା ବେଳେ ଏବଂ ଅଭିନବ ଚାକିରୀ କରି ଜୀବନର ଅପର ପର୍ଯ୍ୟାୟରେ ପହଞ୍ଚି ସାରିଥିଲା I ତେଣୁ ବ୍ରେକ ସମୟ ଗୁଡିକରେ ନିଜ ନିଜର ଅଭିଜ୍ଞତାକୁ ପରସ୍ପର ସହିତ ବାଣ୍ଟିବା ଏବଂ ସମ୍ମିଳନୀ ପରେ ସାଥିରେ ସହରର ବିଭିନ୍ନ ସ୍ଥାନରେ ଭ୍ରମଣ କରିବା ବେଶ ଜମିଥିଲା ଦୁହିଁଙ୍କ ମଧ୍ୟରେ I "ଯାହା ହେଉ ଏକ ପ୍ରକାର ସରିଗଲା I ଏଠି ଏତେ ଥଣ୍ଡା! ରାତିରେ ବାହାରକୁ ବାହାରିବା ଭୟ ଲାଗୁଚି, ଏମୀତ ଶୀତ ମୁଁ ପୂର୍ବରୁ କେବେ ଅନୁଭବ କରି ନଥିଲି," ପ୍ରିୟନ କହିଲା I "ଏତେ ଥଣ୍ଡା ଲାଗୁଛି ଯଦି ଆଉ ଗୋଟିଏ ବିୟର ପିଇଦିଅ, ନଚେତ ଯାଇ ସେହଟି ସମସ୍ତଙ୍କ ସହ ଡ୍ୟାନ୍ସ କର କିଛି ସମୟ," ଅଭିନବ ପ୍ରସ୍ତାବ ଦେଲା I "ଗୋଟିଏ ବୋତଲ ସାରିଛି ବିୟର ," ପ୍ରିୟନ କହିଲା ତାହାର ଖାଲି ବୋତଲ ଦେଖେଇ, "ଆଉ ଡ୍ୟାନ୍ସ କରିବା ମୁଡ଼ ନାହଁI ""ତୁମେ ପାର୍ଟିରେ ଡ୍ୟାନ୍ସ ଫ୍ଲୋର ଉପରେ ନାଚିଲ ନାହିଁ ତ? କଣ ଭୟ ଲାଗୁଥିଲା ନା ସଙ୍କୋଚ ? ଏଥିରେ ଏତେ ଭାବିବାର କିଛି ନାହିଁ, ହାଲୁକା ଭାବରେ ନେବା କଥା ଏସବୁ I ଚାରି ଦିନର ଏତେ ସବୁ କଠିନ ଆଲୋଚନା ପରେ ମନକୁ ଟିକିଏ ହାଲୁକା କରିବା ପାଇଁ ଏ ସବୁ ମନୋରଞ୍ଜନ ରଖା ଯାଇଥାଏ," ଅଭିନବ କହିଲା ପ୍ରିୟନ ଆଡକୁ ଚାହିଁ I "ନା ନ ସେମିତି କିଛି ନାହିଁ, ମୁଁ କଣ ଛୋଟ ଛୁଆ ହେଇଛି କି? ଇଛା ନାହିଁ କାହିଁକି କେଜାଣି, ନଚେତ ଜେନିଫରକୁ ମନା କରି ନ ଥାଆନ୍ତି I ଏଠୁ ପୁଣି ମୋର ହୋଟେଲ୍କୁ ଫେରିବାକୁ ପଡିବ, ପାଣି ପାଗରେ ତ ତୋଫାନ ହେବ ବୋଲି କୁହା ଯାଇଛି I ପ୍ରଥମ ଥର ଦେଖୁଛି ଏହି ସୁନ୍ଦର ବରଫ ସବୁ କିନ୍ତୁ ବରଫ ଝଡର ବିଭୀଷିକା ବିଷୟରେ କେବେ ଆଗରୁ ଅନୁମାନ ହେଇ ନଥିଲା I ଏମିତି ଶୀତ ରାତିରେ ତା ବାହାକୁ ବାହାରିବା ହିଁ ଇଛା ହୁଏନି I ଏବେ ଟିକେ ଅନ୍ଦାଜ ହେବାରେ ଲାଗିଛି I ଓଡ଼ିଶାରେ ଏମିତି ଭୀଷଣ ଶୀତ ହୁଏନି ଯଦିଓ କିଛି ଅଞ୍ଚଳରେ ଶୀତ ରାତିରେ ତାପମାତ୍ରା ଶୁନ୍ୟ ସେଣ୍ଟୀଗ୍ରେଡ଼ ପାଖାପାଖି ରହି ଥାଏ," ପ୍ରିୟନ କହିଲା I "ମୁଁ ଜାଣେ, ମୁଁ ବହୁତ ଜାଗା ଭୁଲିଛି," ଅଭିନବ କହିଲା I "କେମିତି?" ପ୍ରିୟନ ପଚାରିଲା I "ଏମିତି ସବୁ ଆଡେ ଯିବାକୁ ପଡେ, ସେଲସ ମ୍ୟାନ ଜବରେ I ବହୁତ ସମ୍ମିଳନୀରେ ଯୋଗ ଦେବାକୁ ପଡେ, ବହୁତ ଲୋକଙ୍କ ସହ ମିଶିବାକୁ ପଡ଼େ I ବେଳେ ବେଳେ ବିରକ୍ତ ମଧ୍ୟ ଲାଗେ କିନ୍ତୁ ଅନ୍ୟ ସମୟରେ ଖୁସି ଲାଗେ I କେହି ଜଣେ ଚିହ୍ନା ମିଳିଗଲେ ଯାହା ସହଯଦି କିଛି ସମୟ ଅତିବାହିତ କରି ହୁଏ ଏହି ସବୁ ସମ୍ମିଳନୀ ମନୋରମ ହୋଇଯାଏ I ପ୍ରାୟଃ ଏମିତି କାର୍ଯ୍ୟକ୍ରମକୁ ଲୋକମାନେ ଦଳ ଦଳ ହୋଇ ନିଜର ଗୃପ ସହ ଆସନ୍ତି I ମୁଁ ବେଳେ ବେଳେ ଗ୍ରୁପରେ ଆସେ କିନ୍ତୁ ଅଧିକାଂଶ ସମୟରେ ମୋତେ ଏକୁଟିଆ ହିଁ ଆସିବାକୁ ପଡ଼େ, " ଅଭିନବ କହିଲା I "ହଁ , ମୁଁ ମଧ୍ୟ ସେହି କାରଣରୁ ଏକୁଟିଆ ହେଇ ଯାଇଥିଲି ଏଠି," ପ୍ରିୟନ କହିଲା, " ଆଉ ଜଣେ ସାଙ୍ଗ ଆସିବାର ଥିଲା ମୋ ସହ କିନ୍ତୁ ତାହାର ଭିସାଟି ଠିକ ସମୟରେ ହେଲା ନାହିଁ, ତେଣୁ ସିଏ ଆସି ପାରିଲା ନାହିଁ I ମୋତେ ରୁମ ଶେର କରିବାର ସୁଯୋଗ ଥିଲା ଅନ୍ୟ ମାନଙ୍କ ସହିତ କିନ୍ତୁ ମୋତେ ଟିକିଏ ଅଡୁଆ ଲାଗିଲା ବିଦେଶୀ ମାନଙ୍କ ସହ ରହିବା ଲାଗି, ତେଣୁ ମୁଁ ଏକା ହିଁ ରହୁଛି I ସେଥି ପାଇଁ ମଧ୍ୟ ଟିକିଏ ଗୋଠ ଛଡା ଲାଗୁଛି ଏଠି, ଭଲ ହେଲା ତୁମେ ଦେଖା ହେଲ I ନ ହେଲେ ଏହି ଚାରି ଦିନ ଆହୁରି ବୋର ଲାଗିଥାଆନ୍ତା I " "ମୁଁ ବହୁତ ଖୁସି ତୁମ ସହ ଦେଖା ହେଇକି, ମୋର ଅବଶ୍ୟ ରୁମ କାହା ସହ ଶେର କରିବାର ଦରକାର ହୁଏ ନାହିଁ, ମୋତେ ସ୍ଵତନ୍ତ୍ର ରୁମ ମିଳେ, ସବୁ ବେଳେ ଡବଲ ବେଡ଼ ଵାଲା, I ଯେତିକି ଭାଗ ଦୌଡ଼ କରିବାକୁ ହୁଏ ଆଉ ଯେତିକି ପ୍ରେସର ଏହି କାମରେ ଏହି ଟିକିଏ ସୁବିଧା କିଛି ନୁହେଁ, କହିଲେ ଚାଲେ," ଅଭିନବ କହିଲା I " ହଁ ତୁମେ ଅଭ୍ୟସ୍ତ ଏକା ରହିବାର, ମୁଁ କିନ୍ତୁ ପ୍ରଥମ ଥର ଏମିତି ଏକା ରହୁଛି, ଦୂର ଦେଶରେ ତେଣୁ ମନରେ ଟିକିଏ ମଝିରେ ମଝିରେ ସଂଶୟ ଜାତ ହେଉଛି," ପ୍ରିୟନ କହିଲା I "ତାହା ହେଲେ ତୁମେ ତାକୁ ସାଥିରେ ଡାକି କି ନେଇଯାଅ," ଅଭିନବ ଥଟ୍ଟାରେ କହିଲା I "କାହାକୁ?" ଟିକିଏ ବିସ୍ମିତ ହେଇ ପଚାରିଲା ପ୍ରିୟନ I "ଜେନିଫରକୁ," ଅଭିନବ କହିଲା , ଯାହା ହେଲା ତୁମକୁ ଡ୍ୟାନ୍ସ କରିବାକୁ ଇନଭାଇଟ କରିଥିଲା I "ସେଇଟା ତ ଏମିତି ଖୁସିରେ ଡାକି ଦେଇଥିଲେ, ତାହାର ବୟଫ୍ରେଣ୍ଡ ଅଛି , ଦୁଇ ସପ୍ତାହ ପରେ ବାହାଘର ହେବ, କ୍ରିସମାସ ଛୁଟିରେ," ପ୍ରିୟନ କହିଲା I "ସେଥି ପାଇଁ ବୋଧେ ତାକୁ ମନା କରିଦେଲ? ନା ତୁମକୁ ମହିଳା ପସନ୍ଦ ନୁହନ୍ତି," ଅଭିନବ ପଚାରିଲା I " ନା ନା ସେମିତି କିଛି କଥା ନୁହେଁ, ମୁଁ ଆଗରୁ ମହିଳାଙ୍କ ସହ ଡ୍ୟାନ୍ସ କରିଛି ଡ୍ୟାନ୍ସ ଫ୍ଲୋର ରେ,"ପ୍ରିୟନ କହିଲା I "ଅବଶ୍ୟ, ଆଉ କଣ ପୁରୁଷଙ୍କ ସହ କରିଥାନ୍ତ କି?" ଅଭିନବ ପଚାରିଲା I "ତାହା ମଧ୍ୟ କରିଛି, " ଟିକିଏ ସଙ୍କୁଚିତ କଣ୍ଠରେ କହିଲା, ପ୍ରିୟନ I "ଓଃ ସତରେ? ମୁଁ ତ ଏମିତି ମଜାରେ କହି ଦେଇଥିଲି, କାହା ସହ , କେମିତି?" ଅଭିନବ ପଚାରିଲା I ଅଭିନବ ଧରିଥିବା ରମ ଗ୍ଳାସଟିକୁ ଟେବୁଲ ଉପରେ ଥୋଇ ଦେଇ ପ୍ରିୟନ ଆଡକୁ ଚାହିଁଲା କୌତୁହଳ ହୋଇ I ଲାଲ ପଡିଯାଇଥିଲା ପ୍ରିୟନ୍ର ଗାଲ ଆଉ କାନ , ଶୀତ ରାତିର ଥଣ୍ଡା କୁଆଡେ ଉଭେଇ ଯାଇଥିଲା କ୍ଷଣକରେ ଯେମିତି I "ପରେ କେତେ ବେଳେ କହିବି", ଉତ୍ତର ଦେଲା ପ୍ରିୟନ I "ଖାଇବା ସରିଲା କି ତୁମର ," ଅଭିନବ ପଚାରିଲା I "ମୁଁ ତ ତୁମର ପେଗ ସରିବ ବୋଲି ଅପେକ୍ଷା କରିଛି," ପ୍ରିୟନ କହିଲା I "ନା, ନା ମୋର ଆଉ ପିଇବାର ନାହିଁ I ମୁଁ ତୁମ କଥାରେ ମଜ୍ଜି ଯାଇଥିଲି I ମୋର ରୁମ ଏହି ହୋଟେଲ ରେ ତେଣୁ ମୁଁ ରୁମକୁ ଗଲେ ଯଦି ଇଛା ହୁଏ ସେଠି ମଧ୍ୟ ପିଇ ପାରିବି, ମୋର ବ୍ୟବସ୍ଥା ଅଛି," ଅଭିନବ କହିଲେ I "ଓଃ ମୁଁ ଭୁଲି ଯାଇଥିଲି, ମୋତେ ହିଁ ଏବେ ଶୀଘ୍ର ବାହାରିବାକୁ ପଡ଼ିବ I ଏମିତି ଶୀତ ରାତିରେ ବାହାରେ ଯିବାକୁ ଟିକିଏ ଅଡୁଆ ଲାଗିବ I ମୁଁ ଯେଉଁ ହୋଟେ ରେ ରହୁଛି ସେଠି ଆଉ କେହି ରହୁ ନାହାନ୍ତି ଯେହେତୁ ତାହା ଦୂରରେ, ପ୍ରାୟ ଘଣ୍ଟାଏ ଲାଗିବ I ମୁଁ ସେଠାରେ ରହିବାର ଅନ୍ୟ କାରଣ ହେଲା ତାହା ବିଶ୍ଵବିଦ୍ୟାଳୟ ନିକଟରେ ଅଛି, ତେଣୁ ଦିନଟିଏ ସେଠି ସମସ୍ତଙ୍କ ସହ ଯାଇ ସାକ୍ଷାତ କରିବାକୁ ହେବ, " ପ୍ରିୟନ କହିଲା I "ଯଦି ଅସୁବିଧା ହୁଏ ତୁମେ ଆଜି ରାତିଟା ମୋ ରୁମରେ ରହି ପାର, ତୁମେ ଚାହିଁଲେ , ଏମିତି ଶୀତ ରାତିରେ କାହିଁକି ଯିବା ଯଦି ତୁମକୁ ଠିକ ଲାଗୁ ନାହିଁ," ଅଭିନବ କହିଲା I କିଛି ସମୟ ଭାବିଲା ପରେ ପ୍ରିୟନ ରାଜି ହେଇଗଲା I
"କିଛି ପିଇବ କି ତୁମେ?" ଅଭିନବ ପଚରିଲା ତାହାର ରୁମ ରେ ଥିବା ବାରକୁ ଖୋଲୁ ଖୋଲୁ I "ମୁଁ ପସନ୍ଦ କରେ ନାହିଁ, କ୍ଵଚିତ ପିଏ, କୌଣସି ବିଶେଷ କାର୍ଯ୍ୟକ୍ରମରେ Iଡିନରରେ ଗୋଟିଏ ବିୟର ପିଇ ସାରିଛି," ପ୍ରିୟନ କହିଲା I "ଠିକ ଅଛି ତୁମେ ଲେମୋନେଡ ପିଇ ପାର," ଅଭିନବ କହିକି ଗୋଟାଏ ବୋତଲ ଲେମୋନେଡ ବଢ଼େଇ ଦେଲା ତାହା ଆଡ଼କୁ I
"ଏତେ ଥ ଣ୍ଡାରେ ଆଉ ପୁଣି ଥଣ୍ଡା କେମିତି ପିଇ ହେବ I ଶେଖର ମୋତେ କହିଛି, କମ ପିଇବାକୁ, ସିଏ କୁହେ ମୁଁ ଡ୍ରିଙ୍କ କଲେ କୁଆଡେ ଅନବରତ ଗପେ ଆଉ ମୋ ଭିତରୁ କୁଆଡେ ରାକ୍ଷସଟେ ବାହାରି ଯାଏ I ଦୁଇ ବୋତଲ ପିଇଦେଲେ ମୋର ଆଉ କଣ୍ଟ୍ରୋଲ ରୁହ ଏ ନାହିଁ, ସେଥି ପାଇଁ ଗୋଟିଏ ବୋତଲ ହିଁ ପିଏ, " ପ୍ରିୟନ କହିଲା I "ଲାଗୁଛି ତୁମକୁ ଅଡୁଆ ଅନୁଭବ ହେଉଛି, କିଛି ବାଧ୍ୟ ନୁହେଁ, ଆରମ୍ଭ କରି ପାର," ଅଭିନବ ଗୋଟିଏ ବେଡ଼ ଆଡକୁ ଦେଖେଇ କହିଲା I "ନା ମୁଁ ଏମିତିରେ ମଧ୍ୟ ଆଉ ଘଂଟାଏ ପରେ ଶୋଇଥାନ୍ତି,କିନ୍ତୁ ଚେଞ୍ଜ କରିକି ଆସେ, ଦିନ ସାରା ଏହି ସୁଟ ପିନ୍ଧି ବିରକ୍ତ ଲାଗିଲାଣି, " ପ୍ରିୟନ କହି ଚାଲିଗଲା ଚେଞ୍ଜ କରିବାକୁ I ପ୍ରିୟନ ଚେଞ୍ଜ କରିକି ଆସି ଦେଖିଲା ଅଭିନବ ପ୍ରାୟ ଅଧା ବୋତଲ ଖାଲି ଆକରି ସାରିଥିଲା କିନ୍ତୁ ପୁରା ହୋସରେ ଥିଲା I ଚକିତ ହେଇଗଲା ସିଏ ଆଉ ପଚାରିଲା," ତୁମକୁ କଣ ନିଶା ନୁଁଏ ନାହିଁ କି?" "ଆଗରୁ ହେଊଥିଲା ଏବେ ଆଉ ହେଉ ନାହିଁ," କହିଲା ଅଭିନବ I "ମୋତେ କିନ୍ତୁ ଦୁଇଟା ବିୟରରେ ହିଁ ନିଶା ହୋଇଯାଏ I ଶେଖର ମୋତେ ମନା କରିଥିଲା ଗୋଟିଏ ବିଅରରୁ ଅଧିକ ନ ପିଇବା କୁ I କିନ୍ତୁ ତୁମକୁ ଏମିତି ଏକ ବସିବାକୁ ଦେବାକୁ ଭଲ ଲାଗୁନି," ପ୍ରିୟନ କହିଲା I ପ୍ରିୟନ ଟିକିଏ ଥତ ମତ ହୋଇ ଗୋଟିଏ ବିଅର ବୋତଲ ଧରିଲା I
"ଶେଖର କିଏ?' ପ୍ରଶ୍ନ କଲା ଅଭିନବ I "ମୁଁ ପୁରା ତାହା ବିଷୟରେ ଜାଣେନା, କିନ୍ତୁ ଏହା ପୂର୍ବରୁ ଏମିତି ଗୋଟିଏ ସମ୍ମିଳନୀରେ ଦେଖା ହେଇଥିଲା ତାହା ସହ ବିଗତ ବର୍ଷ I ସେଥର ମଧ୍ୟ ଭୀଷଣ ଶୀତ ପଡ଼ିଥିଲା I ମୁଁ ନୂଆ ସହରରେ ଟିକିଏ ଅଡୁଆ ଅନୁଭବ କରୁଥିଲି ଆଉ ରାସ୍ତା ଖୋଜି ପାରୁନଥିଲି, ସିଏ ମୋତେ ମୋ ହୋଟେଲ୍ ରେ ଛାଡିବାକୁ ଆସିଥିଲା," ପ୍ରିୟନ କହିଲା I "ତା' ପରେ କଣ ହେଲା? ଅଭିନବ ପଚାରିଲା I "ଔପଚରିକତା ଦୃଷ୍ଟିରୁ ମୁଁ ତାକୁ ରାତ୍ରି ଭୋଜନ ପାଇଁ କହିଥିଲି କିନ୍ତୁ ମୁଁ କଥା ହେଉ ହେଉ ଅଧିକ ପିଇ ଦେଇଥିଲି I ସିଏ ମୋତେ ମୋ ରୁମ୍ ରେ ପହଞ୍ଚାଇ ଦେଇଥିଲା," ପ୍ରିୟନ କହିଲା I "ତାହା ପରେ?" ଉତ୍ସୁକ ହୋଇ ଅଭିନବ ପଚାରିଲା I "ମୋର ବିଶେଷ କିଛି ମନେ ନାହିଁ, କିନ୍ତୁ ସକାଳେ ଶେଖର କହିଲା ମୁଁ କୁଆଡେ ତାକୁ ବହୁତ ସମୟ ପର୍ଯ୍ୟନ୍ତ ମୋ ମନରେ ଥିବା ବହୁତ କିଛି କହି ଦେଇଥିଲି, ମୋ ମନରେ ଥିବା ଭଲ ଖରାପ ସବୁ କିଛି ," ପ୍ରିୟନ କହିଲା I "ତୁମେ ତାହା ହେଲେ ତ ବହୁତ ଘନିଷ୍ଠ ବନ୍ଧୁ ହେଇଯାଇଥିବ ?" ଅଭିନବ ପଚାରିଲା I "ନା ତା ପରେ ଆଉ କେବେ ଶେଖର ମୋ ସହ ସମ୍ପର୍କ ରଖିନି, ତାହା ପୂର୍ବରୁ ଯେତକି କଥା ହେଇଥିଲା ସେ ସମ୍ମିଳନୀରେ," ପ୍ରିୟନ କହିଲା, "କାହିଁକି ମୁଁ କହି ପାରିବିନି I ହୁଏତ ତାକୁ ଭଲ ଲାଗି ନଥିବା ମୋର ଅନ୍ତରର କଥା ସବୁ I ମୁଁ କୁଆଡେ ବହୁତ ସମୟ ତାହା ସହିତ ଡ୍ୟାନ୍ସ ମଧ୍ୟ କରିଥିଲି I ସିଏ ପୁଣି କହିଥିଲା ମୁଁ କୁଆଡେ ରାକ୍ଷସଟିଏ ପାଲଟି ଯାଇଥିଲି ଦ୍ଵିତୀୟ ଡ୍ରିଙ୍କ ପରେ I ସେ ରାକ୍ଷସକୁ ହତ୍ୟା କରିବାକୁ ହେଲେ ମୋତେ କେବଳ ଗୋଟିଏ ଡ୍ରିଙ୍କ ରେ ସୀମିତ ରହିବାକୁ ପଡ଼ିବ I ଆଜି ସେହି ଶୀତ ରାତି କଥା ମନେ ପଡିଗଲା ଜେନିଫର ଡ୍ୟାନ୍ସ କରିବାକୁ ଡାକିଲା ବେଳେ I ତେଣୁ ମୁଁ ମନା କରିଦେଇଥିଲି,' ପ୍ରିୟନ କହିଲା ଆଉ ଗପି ଚାଲିଲା ଅନେକ କିଛି ନିଜ ବିଷୟରେ I ସବୁ ଶୁଣି ସାରିଲା ପରେ,ଅଭିନବ କହିଲା "ମୋର କିଛି ଅସୁବିଧା ହେବନି ତୁମ ସହ, ମୁଁ ଶେଖର ନୁହେଁI " "ମାନେ?" ପ୍ରିୟନ ପଚାରିଲା I ତାକୁ କାହିଁକି କେଜାଣି ଅଭିନବ ବହୁତ ଭଲ ଲାଗିବାକୁ ଲାଗିଥିଲା I " ମୁଁ ତୁମକୁ ଶେଖର ଭଳି ଭୁଲିବିନି," ଅଭିନବ କହିଲା ଆଉ ପ୍ରିୟନର ବୋତଲ ଆଡକୁ ସଂକେତ କଲା I ଚମକି ପଡିଲା ନିଜ ହାତରେ ଥିବା ଖାଲି ବୋତଲ ଦେଖି I ତାକୁ ଦେଖି ମୁରୁକି ହସିଲା ଅଭିନବ ଆଉ କହିଲା, "କେଜାଣି କେମିତି ତୁମ କଥା ଶୁଣିବାକୁ ଇଛା ହେଉଛି, ଆଉ ଗୋଟିଏ ହେଇ ଯାଉ I "ମନା କରିବାକୁ ଚାହିଁ ବି କରି ପାମନା ରିଲାନି ପ୍ରିୟନ I ଇଚ୍ଛା ଶକ୍ତି ଯେମିତି ଲୋପ ପାଇ ଯାଇଥିଲା ତାହାର I ଗୋଟିଏ ରାକ୍ଷସ ଯେମିତି ପାଲଟିବାକୁ ଲାଗିଥିଲା ସିଏ I ଡ୍ରେସଡେନ ସହରର ନିରବ ରାତିକୁ ଭେଦି ଚିତ୍କାର କରିବାକୁ ଲାଗିଲା ତୁଷାର ଝଡ଼ଟିଏ I
"କେବେ କେବେ ନିଜ ମଧ୍ୟରେ ଥିବା ଅତୃପ୍ତ ରାକ୍ଷସଟିକୁ ହତ୍ୟା କରିବାକୁ ହେଲେ ତାକୁ ପ୍ରଥମେ ରୂପଟିଏ ଦେବାକୁ ପଡେ, " କହିକି ଅଭିନବ ଚାଲିଗଲା ବାର କୁ ଆଉ ଗୋଟିଏ କେସ ବିୟର ବାହାର କରି ଆଣି ଥୋଇ ଦେଲା ଟେବୁଲ ଉପରେ I ଯନ୍ତ୍ରଚାଳିତ ଭଳି ଗୋଟାଏ ପରେ ଗୋଟାଏ ସବୁ ଗୁଡିକ ବୋତଲ ଖାଲି କରିଦେଲା ପ୍ରିୟନ I "ସରି ଏମିତି ଶୀତ ରାତି କୁ ଜୀବନରେ ଆସିବାକୁ ଦେବାକୁ ଚାହୁଁ ନଥିଲି ଆଉ ଥରେ, କ୍ଷମା କରିବ ମୁଁ ଦୁଇଟି ବୋତଲ ପିଇଦେଲା ପରେ ନିଜକୁ ଅଟକାଇ ପାରେନା , " କହୁ କହୁ ଅଭିନବ ଉପରେ ଟଳି ପଡିଲା ପ୍ରିୟନ I "କିଛି ବ୍ୟସ୍ତ ହୁଅ ନାହିଁ, " ଅଭିନବ ପ୍ରିୟନ କୁ ଆଲିଙ୍ଗନ କରି କହିଲା Iବାହାରେ ତୁଷାର ଝଡର ପ୍ରକୋପ ବଢି ଚାଲି ଥାଏ ! ଅଭିନବ ନିକଟରେ ଶୀତ ରାତିର ଅନ୍ଧାର ତଳେ ଏକ ଉଷ୍ଣତା ଏବଂ ନିବିଡ଼ତା ଅନୁଭବ କରିବାକୁ ଲାଗିଥିଲା ପ୍ରିୟନ !

