Bibhu Samanta

Romance

3  

Bibhu Samanta

Romance

ଶେଷ ସାକ୍ଷାତ

ଶେଷ ସାକ୍ଷାତ

6 mins
122


କାଲି ଅନେକ ବର୍ଷ ପରେ ବିଥିକା ଆସିଥିଲା ଆମ ଘରକୁ। ଦି ପହର ଟାରେ। କାର୍ତ୍ତିକର ମୁରୁଜ ସବୁ ଲିଭିଲା ପରେ, ବୋଉ ନଥିଲା ବେଳେ। ଅଳସ ଅପରାହ୍ନଟି ଚଳଚଞ୍ଚଳ ହୋଇ ଉଠିଲା, ସେ ଆସିବା ପର ଠୁ। ତା ବାହାଘର ପରଠୁ, ମୋ ଘରର ରାସ୍ତା, ଆମ ଗେଟ ପାଖ ମାଳତୀ ଗଛ, ଚମ୍ପା ଗଛ, ଆମ କୁକୁର ରକି ସବୁ କେମିତି ନିରବ ନିରାଶ ହୋଇ ଯାଇଥିଲେ। ସେ ଥିଲା ମୋର ପିଲାବେଳର ଏକମାତ୍ର ସାଥି ଓ ସହପାଠୀ। ଦେଖିବାକୁ ନିରୀହ ବନ ହରିଣୀ ଟେ ଲାଗିଲେ ବି ସେ ଖୁବ ପ୍ରଗଲଭା, ଚୁଲବୁଲି। ସେ ଆସେ ଏମିତି ବର୍ଷକୁ ଥରେ, ବୋଉ ସହ କଥା ହୁଏ, ଆଚାର, ବଡି ତିଆରି ଶିଖେ ଆଉ ଚାଲିଯାଏ। ମୋ ସହ ଖୁବ କମ ଦେଖା ହୁଏ ତାର। ସେ ଆସିବା କଥା ମୋ ସ୍ତ୍ରୀ ଠୁ ଶୁଣେ। କେବେ କିନ୍ତୁ ଯାଇନି ତାଙ୍କ ଘରକୁ କିଛି ବାହାନା କରି। ଆଜି ସେ ଆସିଛି ।  


 ଆସି କହିଲା, "କିରେ ଅଜୁ, ଏତେ ଫୋନ କରୁଛି ଥରେ ହେଲେ ଉଠେଇ କହିପାରୁନୁ ଯେ ମାଉସୀ ନାହାନ୍ତି ବୋଲି? ମୋତେ ଆସିବାକୁ ପଡିଲା,ମୁଁ ଠିକ ଜାଣିଥିଲି ତୁ ଏଇଠି ଥିବୁ। "


ମୁଁ କହିଲି, "ଆଛା! କେତେ କଥା ଜାଣିଛୁ ତୁ ନା! ଫୋନ ମୁଁ ଦେଖିନି, ପଡିଥିବ ଏଇଠି କୋଉଠି! ମୋତେ କିଏ ଏତେ ଫୋନ କରୁଛି ଯେ? କାହିଁ ତୁ କଣ ବୁଢ଼ୀ ହେଇଗଲୁ ନା କଣ ଆସିପାରିବୁନି ଆମ ଘରକୁ? ଆଗରୁ ତା ଭଲ ଅସୁଥିଲୁ! ସୁଇଟର ବୁଣା ଶିଖିବାକୁ ବୋଉ ପାଖକୁ। ଏବେ କଣ ହେଲା ? ତୋତେ କିଏ କଣ କହିଛି? 


- ନା ମ! ମୋତେ କିଏ କାହିଁ କହିବ କଣ! ଟିକେ ଦେହଟା ଭଲ ରହୁନି ଯାହା। 


- ଓଃ! ତୋର ପୁଣି କଣ ହେଲା? କାହା ବାଡ଼ିରେ ପଶି ପିଜୁଳି ତୋଳୁଥିଲୁ ନା ? ଏଇ ବୟସରେ? ପଡିକି ଗୋଡ଼ ମୋଡ଼ ହେଇ ଯାଇଛି? ବାହା ସାହା ହେଲୁ, କଣ ଦରକାର କାହା ବାଡ଼ିରେ ପଶିବା। ମାଗିଲେ କଣ କେହି ମନା କରିବେ ତୋତେ? ଏଡ଼େ ଟେ ହେଲୁଣି ବୁଦ୍ଧି ଶୁଦ୍ଧି ବୋଲି ଟିକେ ବି ନାହିଁ। 


- ହଁ , ଠିକ କହିଛୁ, ଖାଲି ମୁଁ ନୁହେଁ , ଆମେ ଝିଅପିଲା ସବୁ ସେମିତି। ତମେ ପୁଅ ଗୁଡା ମୂର୍ଖ, ବୁଝି ପାରନା। ସବୁ କଥା ମାଗିବାକୁ ପଡେ,ଖୋଲି କହିବାକୁ ପଡେ ? ତା ପରେ ପର ବାଡ଼ିର ପିଜୁଳି ଯୋଉ ମିଠା ନିଜ ଗଛରେ କଣ ସେୟା? 


- ଛାଡ଼ ମ! ଚାଲି ଆସିଲା ଗୋଟେ କାଶୀ ପଣ୍ଡିତ। ତୋ ବର ତୋତେ କେମିତି ଏ ଖରା ବେଳେ ଛାଡି ଦେଲା କହ। ନା, ଲୁଚିକି ପଳେଇ ଆସିଛୁ ସବୁଦିନ ପାଇଁ। ଏମିତି ଶାଲ ଘୋଡେଇ ହେଇଛୁ କଣ ପାଇଁ। ତୋତେ କିଏ ଦେଖି ଦେଉଛି ନା କଣ?


- ଯା ବେ! ତୋ ସାଙ୍ଗେ ଲୁଚିକି ଯିବି ସେ ଭାଗ୍ୟ ମୋର କାହିଁ? ଯିବା ବେଳେ ତା ଗଲିନି ଏବେ କଣ ଯିବି? କାହିଁ ତୋ ଘରଣୀ ଦିସୁନି ତ? କଣ ପୁଣି ଘରକୁ ପଠେଇ ଦେଇଛୁ ଲମ୍ବା ଛୁଟିରେ?


- ନା ବେ, ସେ ଯାଇଛି ତା ଭାଇ ବାହାଘର କୁ। ଆସିବ ଆର ସପ୍ତାହ ଆଡ଼କୁ। 


- ତୁ ଯାଇନୁ? ଶଳା ବାହାଘର ନୂଆ ନୂଆ ଶଳା ଭାଉଜ କେତେ ମଜା, ତୋର କଣ ତା କଥା ମନେ ପଡୁନି! ଛାଡିକି ଏଇଠି ପଡିଛୁ। ଏଇ କାଗଜଘର ଭିତରେ। ଯାହାର ଆୟୁଷ ଖୁବ କମ, ଆମ ପିଲାଦିନ ପରି।


- ହଁ , ମୁଁ ଯାଇଥିଲି, ଦି ଦିନ ତଳେ। ଦେଖି ଆସିଲି ସେ ସେଠି ଖୁସିରେ ଅଛି ଆଉ ମୋ ଝିଅ ବି। ଝିଅ କୁ ଗେଲ କଲି, ଭଲମନ୍ଦ ବୁଝିଲି, ଶାଶୁ, ଶଶୁର ,ଶଳା , ଶାଳୀ ସବୁ କହୁଥିଲେ ରହିବାକୁ , ମୁଁ କିନ୍ତୁ ଚାଲି ଆସିଲି। କେଜାଣି କାହିଁ ବେଳେ ବେଳେ ମୋତେ ଆପଣାର ସମ୍ପର୍କ ଗୁଡିକ ପର ପର ଲାଗନ୍ତି, ବୁଝିପାରେନି। ଆଉ ଏଇ କାଗଜଘର ମୋତେ ଖୁବ ଆପଣା ର ଲାଗେ, ନିଆରା ଭାବ ଏମାନଙ୍କ ସାଙ୍ଗେ। ଏଠି ମୁଁ ରଚିଥିବା ଚରିତ୍ର ଗୁଡିକ ମୋ ସହ ସୁଖଦୁଃଖ ହୁଅନ୍ତି , ତାଙ୍କ କଥା କହନ୍ତି। ଏଇ ଦେଖ , ସେ " ସଞ୍ଜ ତାରା" ବହି ର ରେସମା, ମୋତେ ଫର୍ମାଇସ କରୁଛି " ରଙ୍ଗ "କୁ ନେଇ କବିତା ଟେ ଲେଖିବାକୁ। ଆଉ ସେ "ଅବୁଝା ନଈ, ଅମାନିଆ ଜହ୍ନ" ର ସୁରଞ୍ଜନ ମୋତେ କହୁଛି, ଗଙ୍ଗଶିଉଳି ର ଗପ ଶୁଣିବ। ୟା ଭିତରେ ହିଁ ମୋ ଜୀବନ। ଖୁବ ସୀମିତ। ନିହାତି ଅବାସ୍ତବ। 


- ଯାହାର କିଛି କାମ ଧନ୍ଦା ନାଇଁ ସେ ଏଇୟା କରେ। ତୋ ପାଖେ ଥାଇ ତୋ କଥା ଶୁଣିବାକୁ ଖୁବ ଭଲ ଲାଗେ। ତୁ ଏମିତି କହୁଥାଉ ଆଉ ମୁଁ ଏମିତି ଶୁଣୁଥାଏ। କିନ୍ତୁ ଏଇ ଦୁନିଆ ବାହାରକୁ ଗଲେ ତୋ କଥା ଗୁଡା ନିହାତି ନିରର୍ଥକ, ସକାଳର କାକର ପରି ହଜି ଯାଆନ୍ତି। ଗୋମୟ ଆଉ ଗୋଲାପ ଏକ ପରି ଲାଗେ। ହସେ ନିଜ ଉପରେ ମୁଁ। କିନ୍ତୁ ଖୁସି ବି ହୁଏ । ଯାହା ହେଉ ଏତେ ଦିନ ପରେ ,ଏମିତି ଜାଗା କୁ ଗଲି ଯେଉଁଠି ମୋ ସଂସାରର ରାଗ, ଦ୍ୱେଷ, ଘୃଣା ଏଠି ନାହିଁ। ଏଠି ଖାଲି ପେନ୍ଥା ପେନ୍ଥା ସବୁଜ ସ୍ମୃତି। ଆଉ ତାକୁ ଘେରିଥିବା ସମ୍ପର୍କର ଲାଲ ପ୍ରାଚୀର।


 କଥା କହୁ କହୁ ସେ ଦେଖୁଥିଲା ପଞ୍ଜୁରୀରେ ଥିବା ଦୁଇଟି ଶୁଆ ସାରୀ ମୂର୍ତ୍ତି କୁ। 


ମୁଁ ଦେଖୁଥିଲି ତାକୁ, ମଥା ରୁ କେତୋଟି ଚୂର୍ଣ୍ଣ କୁନ୍ତଳ ଆସି ଗାଲରେ ଲାଖି ଯାଇଛନ୍ତି। ଅନୁଢ଼ା ରୁ ପ୍ରୌଢ଼ା ହେବ ଉପକ୍ରମରେ ସେ। ବୟସ ର କୃଷ୍ନଚୁଡା ଏବେ ସମ୍ପୂର୍ଣ୍ଣ ପାଖୁଡା ମେଲି ଠିଆ ହୋଇଛି ମୋ ସାମ୍ନାରେ। କୈଶୋରର ସେ ଲାଜକୁଳୀ ଲତା ନୁହେଁ, ସେ ଏବେ ନିରେଖି ଦେଖୁଛି । ଖୋଜୁଛି କଳ୍ପନା ଆଉ ବାସ୍ତବତା ର ସୀମାରେଖା କୁ। ବାସ୍ତବତା ର ବେଳାଭୂମିରୁ କଳ୍ପନାର ସାଗର କେତେ ବିସ୍ମୟକର ନୁହେଁ? ତାର ଅଧା ଲୁଚା ଅଧା ଦେଖା ଲହଡି ସବୁ ଜଣେ ଜଣେ ଚପଳଛନ୍ଦା ସତେ ! ସେ ଦେଖୁଥିଲା ନା ପଢୁଥିଲା ସେ ମୂର୍ତ୍ତି କୁ ସେ ହିଁ ଜାଣେ। ହଠାତ, କହି ଉଠିଲା, "ଆରେ , ୟା କୁ ଆଜି ଯାଏ ରଖିଛୁ ତୁ? ଯାହା ପାଇଁ ଆଣିଥିଲୁ ତାକୁ ଦେଇନୁ? ଭାରି ତ ବଡ଼ ବଡ଼ କଥା କହୁଥିଲୁ ତା ଵିଷୟରେ, ଥରେ ଦେଖା ବି କରେଇଲୁନି। କହିବୁ କହିବୁ ବୋଲି କହି ପାରିଲୁନି , ମୁଁ କଣ ବା କରିଥାନ୍ତି, ତୋତେ ଦେଖା କରିବାକୁ ଆସିଲା ବେଳେ ସେ ଦୋକାନୀ, ଯୋଉଠି ତୁ ଚା ପିଉ ମୋତେ ଏଇଟା ଦେଲା, ତୋତେ ଦେବାକୁ। "


- କଣ ଆଉ କରିଥାନ୍ତି? ୟାକୁ ନେବାକୁ ସେ ଆସିଲାନି କି ତୋତେ ଦେଖି ଚାଲିଗଲା ମୁଁ ଜାଣି ପାରିଲିନି। ମୁଁ ଆଉ ଖୋଜିନି ତାକୁ ତାପରେ। କିଛି ଦିନ ତଳେ ଝିଅ ମାଗୁଥିଲା ଖେଳିବ ବୋଲି, ମୁଁ ଦେଲିନି।ରାଗିଲା, ଯାଇକି ତା ମାମା କୁ କହିଦେଲା, ସେ ଆସି ଦି ପଦ ଶୁଣେଇ ଦେଲା, ମୁଁ ଲୁଚେଇ ଦେଇଥିଲି, ଏଇ କେତେ ଦିନ ହେଲା ପୁଣି କାଢିକି ରଖିଛି।


ବିଥିକା କି ଜାଣେ? ମୁଁ ସେଦିନ ବି ମିଛ କହିଥିଲି, ଭାବି ନେଇଥିଲି ପ୍ରେମ ଟା ମୋ ତରଫରୁ, ତା ତରଫରୁ ନିଛକ ବନ୍ଧୁତା ଖାଲି। ହଁ ଆଜି ବି ମିଛ କହୁଛି, ସେଦିନ ତାକୁ ସାରା ଜୀବନ ଖୁସି ଦେଖିବି ବୋଲି କହିଥିଲି, ଆଜି ନିଜ ମିଛକୁ ବଞ୍ଚେଇବାକୁ। ସେ ଆଜି କାହାର କୂଳବଧୁ ଆଉ ମୁଁ କାହା ମଥା ସିନ୍ଦୁର , କଣ ଆଉ କରିଥାନ୍ତି? ତାକୁ ପେଲି ଦେଇଥାନ୍ତି ଅସହାୟ ଅବଶୋଷ ଭିତରକୁ? ନା.. ନା... ସେ ଏମିତି ଖୁବ ସୁନ୍ଦର, ପ୍ରାଣବନ୍ତ। ଯାହା ପାଇଁ ଏଇ ଉପହାର ଟି ମଗେଇଥିଲି ସେ ନିଜେ ବୋଲି। ତାର କିନ୍ତୁ ଡ଼ପସନ୍ଦ ହେଲାନି। ସେ ଚାହେଁ ମୁକ୍ତ ଆକାଶରେ ଉଡ଼ିବୁଲିବ, ମୁଁ କିନ୍ତୁ ବୁଝେ ବନ୍ଧନ ଥିଲେ ପ୍ରେମ ପ୍ରଗାଢ ହୁଏ। ପରସ୍ପର କୁ ବାନ୍ଧି ହୁଏ। 


 


- ଦେଇ ଦେଲୁନି ! କଣ ଅସୁବିଧା ହେଇଥାନ୍ତା କି? କଣ କରିବୁ ରଖିକି ତାକୁ। ସେ ପାଇଥାନ୍ତା ଖୁସି ହେଇ ଥାନ୍ତା କେତେ। ଗାଳି ଶୁଣିଲୁ ଭଲ ଲାଗିଲା? 


- ଜାଣିନି କଣ ହୋଇଥାନ୍ତା, ଭାଙ୍ଗିଗଲେ କି ହଜିଗଲେ ମୋତେ ବେଶୀ କଷ୍ଟ ହୋଇଥାନ୍ତା। କଣ କରିବି ତାକୁ ନେଇ ଜାଣିନି। ତୋତେ ନେଇ ମୁଁ କଣ କରଥାନ୍ତି ଯେ? ହେଲେ ବି କେହି ଜଣେ ତୋତେ ମୋ ଠୁ ନେଇଗଲା ନା ନାଇଁ??


- କିଏ କାହିଁ ନେବ ମ ମୋତେ ? ମୁଁ ତ ସେଇଠି ଅଛି, ଯୋଉଠି ଥିଲି। ମୋତେ କୋଉ ଯିବାକୁ ଦେଲୁ ଯେ ତୁ। ଯାହା ଗଲା, ସେ ସବୁ ଦିନେ ନା ଦିନେ ଯାଇଥାନ୍ତା ସମୟ ସହ। ଯାହା ରହିଯାଇଛି, ଆଜି ବି ସଜଫୁଲ ପରି ବାସୁଛି। ଏଇଟା ତ ଖେଳନା ଟେ, ୟା ସହ ମୋତେ ତୁଳନା କରୁଚୁ?


- ତୋ ପାଇଁ ଏଇଟା ଖେଳନା ହୋଇପାରେ। ତୋ ସ୍ପର୍ଶ ପାଇ ସେ ଜୀବନ୍ତ ହୋଇଯାଇଛି। ମୋ ପାଇଁ ସେଇ ବର୍ଷାଭିଜା କଫି ହାଉସ ର ଲୁହ ବତୁରା ମହାର୍ଦ୍ଧ ମୁହୂର୍ତ୍ତ ଟିଏ। ତୋର କଣ ମନେ ନାଇଁ ସେଦିନ କଥା। 


ମୁଁ କହିଦେଲି ଗୋଟେ ଭାବପ୍ରବଣତା ରେ, କେତେ ଆଉ ଲୁଚେଇ ପାରିଥାନ୍ତି? ସତ ଶେଷରେ ବାଟ ଖୋଜିନେଲା ତା ପାଇଁ, ବାହାରି ଯିବାକୁ। 


- ହଁ, ବେସ ,ମନେଅଛି। ଆମ ଶେଷ ସାକ୍ଷାତ, ବାହାଘର ଠିକ ହୋଇସାରିଥିଲା ମୋର, ନିର୍ବନ୍ଧ ବି ସରିଥିଲା, କହିବାକୁ ଆସିଥିଲି, ଭୁଲିଯିବାକୁ ମୋତେ, ହେଲେ କହି ପାରିଲିନି। ତୁ ବୁଝିନେଲୁ ମୋ ଅସହାୟତା, କଫି ହାଉସ କାଚ ଆର ପଟେ ବର୍ଷା, ଏପଟେ ତୋ ହାତରେ ହାତ ଛନ୍ଦି, ତୋ ହାତ ରେଖା ଭିତରେ ନିଜକୁ ହଜେଇ ଦେବାର ଦୁର୍ବାର ଚେଷ୍ଟାରେ ମୁଁ। ତୋ ଆଖିରେ ମୁଁ ନିଜକୁ ପାଇଛି। ତୋ ଚାରିପଟେ ମୋ ଦୁନିଆ ଏବେ ବି ବୁଲୁଛି। ମାଉସୀଙ୍କୁ ଦେଖି ଆସିବା ତ ବାହାନା ଗୋଟେ। ଅସଲ କଥା ତ ତୋ ପାଖକୁ ଆସିଛି ମୁଁ। ପୁଅ କୁ ବୋଉ ପାଖେ ଶୁଆଇ ଦେଇ। 


ତା ଲୁହରେ ମୋ ଚଟାଣ ଓଦା। ଉଠି ଚାଲିଯିବାକୁ ବାହାରିଲା ସେ, ମୁଁ କହିଲି, "କଫି ପି ବୁନି? "ସେ କହିଲା, "ନା , ଡାକ୍ତର ମନା କରିଛନ୍ତି। ଭିତରେ ଭିତରେ କର୍କଟରୋଗ ର ଜୀବାଣୁ ଗୁଡା ସବୁ ଜୀବନ କୁ ଖାଇବାରେ ଲାଗିଛନ୍ତି। ଚାଲି ଯାଉଛି କାଲି ଆମେରିକା । ଯିବା ଆଗରୁ ତୋତେ ଟିକେ ଦେଖି ବାକୁ ମନ ହେଲା,ଫେରିବି କି ନା ଜାଣିନି। ଯଦି ନ ଫେରେ ।


ସେ ଉଠି ଠିଆ ହେଲା, ମୁଁ ଚାଲି ଆସିଲି ପାଖକୁ। ତା ପାଟିରେ ହାତ ଦେଇ କଥା ବନ୍ଦ କରିଦେଲି। ସେ ଖୁବ ଦୁର୍ବଳ ଦିଶୁଥିଲା, ଆଖି ଚାରିପଟେ କଳା ଦାଗ, ସେଥିରେ ପୁଣି ଲୁହ, । ଆଖିର ଲୁହ ସବୁ ମୁକ୍ତା ହୋଇ ଝରିବା ଅବସ୍ଥାରେ। ସେ ଜୋରରେ ଭିଡି ଧରିଲା ମୋତେ ତା ଛାତିରେ, ଆଉ ମୁଁ ତାକୁ ଲୁଚେଇ ଦେଲି ମୋ ଭିତରେ। ମନ ଅଭିମାନ ସବୁ ହସି ହସି ଚାଲିଯାଉଥିଲେ, ଆମକୁ ଏକା କରି, ଠିକ ଏତିକି ବେଳେ, ଲାଇନ ଟା ଚାଲିଗଲା ଏବେ ମୋ କାଗଜ ଘର ଭିତରଟା ଅନ୍ଧାର। ମୂର୍ତ୍ତି ରେ ଥିବା ପଞ୍ଜୁରୀରୁ ସୁଆ ସାରୀ ଏବେ ଓହ୍ଲେଇ ଆସିଛନ୍ତି ମାଟିକୁ । ଖୁବ ନିବିଡ଼ ଭାବେ ବାନ୍ଧି ହୋଇଛନ୍ତି ବାହୁ ବନ୍ଧନରେ। ଆଉ ପି ଚାଲିଛନ୍ତି ଆଞ୍ଜୁଳା ଆଞ୍ଜୁଳା ଲୁହ। 


ବାହାରେ ଚୁଡିର ରୁଣଝୁଣୁ ଶବ୍ଦ। ବୋଉ ଆସିଲା ବୋଧେ। ମୋଠାରୁ ଅଲଗା ହୋଇ ଦୁରେଇ ଗଲା ସେ, ଯାଉ ଯାଉ କହିଲା, ପିଲାଙ୍କ ପରି ଅଳି କରି କହିଲା, "ତୋର ସବୁ କବିତା ମୁଁ ପଢ଼ିଛି, ବୁଝିଛି ତୋ ପ୍ରତିଟି ବେଦନା କୁ ନିଜକୁ ପାଇଛି ସେଠି, ଖାଲି ତୋ ମୁହଁରୁ ଥରେ ଶୁଣିବାକୁ ଚାହେଁ ମୁଁ , ଏବେ ତ କହିଦେ ଥରେ, କିଏ ସେ ?



Rate this content
Log in

Similar oriya story from Romance