ଶେଷ ଇଚ୍ଛା
ଶେଷ ଇଚ୍ଛା


ଅପେକ୍ଷାରେ ଶିବା
ତୁମ ଭାବନା ଆଉ ତୁମ ଚିଠି ମୋତେ ଆୟୁଷ ଦେଉଥିଲେ ତଥାସ୍ତୁ କରି। ପ୍ରତି ସପ୍ତାହକୁ ତୁମର ଖଣ୍ଡେ ଚିଠି କଢେଇ ନେଉଥିଲେ ସୁସ୍ଥ ଆଡ଼କୁ ମୋତେ। ତୁମକୁ ଭାବିଦେଲେ ଆନନ୍ଦର ଦଲକାଏ ଫଗୁଣ ପବନ ମୋ ଭିତରକୁ ଅଦିନେ ପଶି ଆସୁଥିଲା। କିଛି କ୍ଷଣ ତୁମେ ମୟ ହୋଇ ଭୁଲି ଯାଉଥିଲି ମୋ ଅପରେସନ ଜନିତ ଯନ୍ତ୍ରଣା।ଋଣୀ ମୁଁ ଏଇଥିପାଇଁ ତୁମ ପାଖରେ। ଆଣ୍ଠୁରେ ମୋର ହୋଇଥିଲା ଏକ ଫୁଲା। ଖୁବ୍ କଷ୍ଟ ହେଲାରୁ ଡାକ୍ତର ଦେଖେଇଲି ତ କହିଲେ ତୁରନ୍ତ ଅପରେସନ କର ନଚେତ୍ ହୋଇ ଯାଇ ପରେ ବୋନ୍ କ୍ୟାନ୍ସର। କ୍ୟାନ୍ସର ନାଁ ଶୁଣି ଭାବିଲି ମୋର ବଞ୍ଚିବା ଅସମ୍ଭବ। ଆଣ୍ଠୁ ଠାରୁ ମୋତେ ଗୋଟେ ଗୋଡ଼ ହରେଇ ହେବାକୁ ପଡିଲା ପଙ୍ଗୁ।
ମେଡ଼ିକାଲରେ ମୋ ପାଖ ବେଡ୍ ଥିଲା ତୁମର। ତୁମେ ବି ଗୋଟେ ବଥ ଅପରେସନ କରି ଦୁଇ ଦିନ ପାଇଁ ମୋ ସହ ରହିଥିଲ। ସେତିକି ପରିଚୟରେ ଆମେ ଘନିଷ୍ଠ ବନ୍ଧୁ ହୋଇ ଯାଇଥିଲେ। ତୁମର ସାଧାରଣ ଅପରେସନ ଥିଲା।ତିନି ଦିନ ପରେ ତୁମେ ଘରକୁ ଗଲ।ମୋତେ କିନ୍ତୁ ଦୀର୍ଘଦିନ ରହିବାକୁ ପଡିଲା। ଗଲା ବେଳ କହିଥିଲ ମୋତେ ଚିଠି ଲେଖିବ ସପ୍ତାହକୁ ଖଣ୍ଡେ।
ମୋର ତୁମ ଚିଠିକୁ ଆତୁର ହୋଇ ଅପେକ୍ଷା ଥିଲା।
ଇସ୍ !ଅତର ନ ପଡି କି ବାସୁଥିଲା ତୁମ ଚିଠି ! ଆଃ ! ମିଠା ନ ଖାଇ ସେ ଚିଠି ପଢ଼ିଦେଲେ ଲାଗୁଥିଲା କି ମିଠା !
କିନ୍ତୁ ତୁମ ମ୍ୟାରେଜ ପରେ କୁଆଡେ ଗଲ ଯେ ଆଉ ସେ ଚିଠିର ଅପୂର୍ଵ ବାସ୍ନା କି ମିଠା ମୋ ଭାଗ୍ୟରେ ଜୁଟିଲା ନାହିଁ।
ଏମିତି କି ତୁମ ସହ ମୋର ଆଉ କୌଣସି ସମ୍ପର୍କ ନଥିଲା।ହେଲେ ଜାଣିଛ ! ମୁଁ ସିନା ଜାଣି ନଥିଲି ତୁମେ କେଉଁଠି ରହିଲ, କଣ କଲ, କିନ୍ତୁ ମୋ ମନ ତୁମ ଚିଠିକୁ ବହୁ ବାର ଅପେକ୍ଷା ରଖୁଥିଲା।କେତେ ସୁନ୍ଦର ତୁମେ ମିଠା ମିଠା ଚିଠି ଲେଖୁଥିଲ।ତୁମ ପ୍ରେମିଳ ପ୍ରବଣତା ଶକ୍ତ ଶବ୍ଦ ଯାଦୁ ଜଞ୍ଜିରରେ ବାନ୍ଧି ଦେଉଥିଲା ମୋତେ ।ସେ ଜଞ୍ଜିର ଭିତରୁ ନିଜକୁ ମୁକ୍ତ କରି ପାରିନି ଏଯାଏ।
ଶିବାନୀ ! ସେମିତି ଖଣ୍ଡେ ଚିଠି ଏବେ ଲେଖନ୍ତ ନି !!ଯେଉଁ ଚିଠି ମୋତେ ପ୍ରୋତ୍ସାହିତ କରିଛି ରୋଗରୁ ଉଠି ଫଙ୍ଗୁ ହେଲେ ବି ଚିତ୍ର ଆଙ୍କିବା ପାଇଁ !! ଯେଉଁ ଚିଠି ମୋତେ ଶିଖାଇଛି ପ୍ରେମ। ସଜେଇଛି ଚିର ସବୁଜ ପ୍ରେମିଳ ରଙ୍ଗ ତୂଳୀର ଶିଳ୍ପୀ ।ପ୍ରେମର ତପସ୍ୱୀ କରିଦେଇ ଚାଲିଗଲ ଯେ ଗଲ। ମୋ ଜୀବନ ଆଶ୍ରମର ଚାରିପାଖରେ, ଭିତରେ ବାହାରେ କେବଳ ପ୍ରେମର ଶୁଦ୍ଧପୂତ ବାତାବରଣ।ଓଁମ୍ କାର ଧ୍ୱନି ବି କୁହେ ପ୍ରେମ ସତ୍ୟ ,ପ୍ରେମ ସୁନ୍ଦର ପ୍ରେମ ଶିବ।
ଦେଖ ସମୟ ଓ ମୁଁ ବି ଆସ୍ତେ ଆସ୍ତେ ତୁମକୁ ଭୁଲି ଗଲୁ।
ଅନେକ ଦିନ ପରେ ଆକସ୍ମିକ ଭାବେ ଦିନେ ଏହି ମୁହଁ ବହିରେ ତୁମେ ମୋତେ ଆବିଷ୍କାର କଲ।କେତେ କଣ ପଚାରି ବୁଝିଲ ମୁଁ ସେଇ କି ନୁହେଁ।ଜମାରୁ ସମର୍ଥ ହେବିନି ତୁମ ସହ ଏଇ ମୁହଁ ବହିର ପୁଣି ଏକ ହେବାର ମୁହୂର୍ତ୍ତକୁ କେମିତି ଭୋଗିଛି ବର୍ଣ୍ଣନା କରିବାକୁ।
ତୁମେ ମୋ ଚିତ୍ର ପଢ଼ ଓ ଉତ୍ସାହିତ କର ରୀତିମତ ମତ ରଖି।ତୁମ ଠାରୁ ମୋର ପ୍ରକୃତ ଚିତ୍ର ଆରମ୍ଭ।ତୁମର ସେଇ କୁଆଁରୀ ବୟସରୁ ଆଉ ତୁମ ସହ ଦେଖା ହୋଇନି।ଏବେ ବି ସେଇ ବାକ୍ଳ କଲର୍ ଛିଟ ଶାଢ଼ୀ ପିନ୍ଧି ତୁମେ ମୋ ଭିତରେ ଝିଅଟେ ରୂପରେ ବନ୍ଦୀ ହୋଇ ରହିଛ । ତୁମକୁ ଦେଖିବାକୁ ପ୍ରବଳ ଇଚ୍ଛା ଶିବାନୀ। ତୁମେ ଏବେ ଯାଇ ସୁଦୂର ବିଦେଶ ପ୍ରେମରେ। । ମନ ଥିଲେବି ପୌଢ଼ ଚିତ୍ରକରଟା କେଉଁ ନିୟୁର୍କ ଯାଇ ପାରିବ ତୁମକୁ ଦେଖା କରିବାକୁ ?
ଆଜି ମୋ ଚିତ୍ର କମେଣ୍ଟ୍ ବକ୍ସ ରେ ଲେଖିଲ, ମୋ ସହ ଥିବା ସମ୍ପର୍କ କିଛି ତୁମର ମନେ ନାହିଁ !! କେମିତି ସମ୍ଭବ !! ମନର ବନ୍ଧନକୁ କେହି ଭୁଲି ପାରେ ? ବହୁତ କଷ୍ଟ ଲାଗିଲା ଏ ବୋକା ମାଣିଷଟାର ଛାତିକୁ। ତୁମକୁ ସବୁ କଥା ମନେ ପକାଇ ଦେବା ପାଇଁ ଆଜି ଗୋଟିଏ ଚିତ୍ର ପୋଷ୍ଟ କରିଛି। ଜଙ୍ଗଲ ଭିତରେ ଗୋଟେ ମୁହଁର ଅଧା ଅନ୍ଧାରରେ ଅଧା ଝାପ୍ସା ଆଲୁଅରେ। ଦୃଶ୍ୟମାନ ଗୋଟିଏ ଆଖିରେ ପ୍ରେମର ସମୁଦ୍ର ଓ ଅଭିମାନ। ଏ ଚିତ୍ରଟିରେ ମୋ ଜୀବନର ସତ୍ୟ ପାଠ କରିଛି ଶିବାନୀ ;ତୁମ ପ୍ରତି ଥିବା ଫିଲିଙ୍ଗସ୍ କୁ ସେୟାର କରି। ତୁମେ ଏବେ ବି ମୋ ଭିତରେ ଅଛ । ମୋତେ ଉସ୍କାଉଛ ତୁଳୀ ଧରିବାକୁ।
ପାରିବ ଯଦି ମୋତେ ଥରେ ଦେଖା କରିବ ସଶରୀରେ।ମୁହଁ ବହି କି ହ୍ଵାଟ୍ସଆପ ଛବି କୁହୁଡି।ସେଥିରେ କଣ ଶୋଷ ମରିବ!ଆସିବ ଥରେ ପ୍ଲିଜ଼।
ଏ ଫଙ୍ଗୁ ଲୋକଟିର ଶେଷ ଇଚ୍ଛା ପୂରଣ କରିବନି ଶିବାନୀ ?