Krushnapriya Mohapatra

Classics Crime Others

4  

Krushnapriya Mohapatra

Classics Crime Others

ସେଇ ରାତିର କଥା

ସେଇ ରାତିର କଥା

4 mins
381



  ସକାଳୁ ସକାଳୁ କିଏ ଲଗାତାର କଲିଂବେଲ ଚିପିବାରୁ ମୋ ନିଦ ଭାଙ୍ଗିଗଲା।ତର ତର ହୋଇ ଉଠି ଘଣ୍ଟାକୁ ଚାହିଁଲି ସମୟ ସାଢେ ଛଟା ହୋଇଥାଏ।ଏତେ ବେଳକୁ ମୁଁ ସବୁବେଳେ ଉଠି ସାରିଥାଏ ,କିନ୍ତୁ ଆଜି ଏତେସମୟ କଣ ଶୋଇପଡ଼ିଲି ବୋଲି ମନେ ମନେ ଚିନ୍ତା କରି ଦାଣ୍ଡ କବାଟ ଆଡକୁ ଗଲି ।ହେଲେ ସେଠି ପହଞ୍ଚି ଦେଖିଲି ଝରକାର ଗୋଟେ ଗ୍ରୀଲ ନାହିଁ ମୁଁ ଆଶ୍ଚର୍ଯ୍ୟ ହୋଇ ସେପଟରେ ବାହାରକୁ ଚାହିଁ ଦେଖିଲି ଆମ ଘର ମାଲିକଙ୍କ ଚାକର ପିଲା (ଟିକିନା) ସେଠି ଠିଆ ହୋଇ ପଚାରୁଛି ...

"ନାନୀ ଇଏ କଣ ଗ୍ରୀଲ କେମିତି ଭାଙ୍ଗିଲା ? ?" ମୁଁ ପ୍ରଥମେ କିଛି ବୁଝି ପାରିଲି ନାହିଁ।ବାହାରକୁ ଝରକା ପଟେ ଚାହିଁଲି ଝିଅର ହାରମୋନିୟମ ଖୋଲା ହୋଇ ଗ୍ୟାରେଜରେ ଗାଡି ପାଖକୁ ଥୁଆ ହୋଇଛି। ମୋ ମୁଣ୍ଡ ବୁଲେଇଦେଲା, ଗୋଡ ହାତ ଥରି ଗଲା ମୁଁ ପୁଣି ଶୋଇବା ଘର ଭିତରକୁ ଦଉଡି ଆସି ଆଗ ଝିଅକୁ ଉଠେଇ ପକେଇଲି।ଭୟରେ ମୋ ଦେହ କଣ ହୋଇଯାଉଥାଏ।

"ମୋ ଝିଅର କିଛି ହୋଇନି ତ !!!" ହେ ପ୍ରଭୁ କହି ଝିଅକୁ ଡାକିଲି ।ନିଦରୁ ଉଠି ଝିଅ କଣ ହେଲା ବୋଲି ପଚାରିଲା ମୁଁ ତାକୁ ଦେଖିବୁ ଆସେ କହି ଦାଣ୍ଡ କବାଟ ଖୋଲିବାକୁ ଗଲି, ହେଲେ କବାଟ ଖୋଲିଲା ନାହିଁ। ବାହାରେ ଠିଆ ହୋଇ ଟିକିନା କହିଲା ନାନୀ ଏପଟରୁ ଦୁଆର ଲକ୍ ହୋଇଛି।

  ଟିକିନା ଦୁଆର ଖୋଲିବା ପରେ ଝିଅର ମୋର ବାହାରକୁ ବାହାରି ଆସିଲୁ।ଦେଖିଲା ବେଳକୁ ଘର ସାମନାରେ ଥିବା ପାଚେରୀ ଉପରେ କଂକ୍ରିଟର ବଡ଼ ବଡ଼ ଢେଲା ଥୁଆହୋଇଛି। ଏସି ର ରିମୋଟଟା ଯାଇ ପାଚେରୀ ଉପରେ ପଡିଛି।ଚଉରା ପାଖରେ ପୁଅର କଲେଜରୁ ପାଇଥିବା ଟ୍ରଫି ଓ ମେଡାଲ ଫୋପଡା ହୋଇଛି।

 କିଏ ଏଗୁଡା ପକେଇଛି ବାହାରେ।ଘରୁ କଣ ଚୋରି ହୋଇଛି !!!! ତନ୍ନ ତନ୍ନ କରି ଦେଖୁ ଦେଖୁ ମନେ ପଡ଼ିଲା ମୋ ଫୋନ ନାହିଁ। ଶୋଇବା ଘର ଭିତରେ ଥିବା କମ୍ପ୍ୟୁଟର ଓଲଟା ହୋଇ ପଡିଛି ଏବଂ ତା ପାଖରେ ଚାର୍ଜରେ ବସିଥିବା ଗୋଟିଏ ପାୱାର ବ୍ୟାଙ୍କ ନାହିଁ।ବାରିପଟକୁ ଗୋଟିଏ ଦୁଆର ଥାଏ ଯାଇ ଦେଖିଲା ବେଳକୁ ସେ ଦୁଆର ମଧ୍ୟ ସେପଟୁ ତାର ସହିତ ବନ୍ଧା ଯାଇଛି।।

ତା ହେଲେ ରାତିରେ ଘରେ ଚୋର ପଶିଥିଲା ।ମୁଁ ଯାହା ଜାଣିଛି ମୋ ନିଦ ଭାରି ପତଳା। ଟିକେ ଖଡ଼ ଧଡ଼ ହେଲେ ମୋ ନିଦ ଭାଙ୍ଗିଯାଏ। ଅଥଚ ମୁଁ ଜାଣି ପାରିଲି ନାହିଁ କେମିତି!!!

    ବେଳେ ବେଳେ ମଣିଷ ଏମିତି କିଛି ପରିସ୍ଥିତିକୁ ସାମ୍ନା କରେ ଯାହା ଶବ୍ଦରେ କହି ହେବନି,କି ସେଇ ପରସ୍ଥିତିରୁ ରକ୍ଷା ପାଇବା ପରେ ବିଶ୍ୱାସ ହୁଏନି ଯେ ଏତେ ବଡ ଦୁର୍ଘଟଣା ଘଟିବା ପରେ ମଧ୍ୟ ଆମେ ସୁରକ୍ଷିତ ଅଛୁ।

   ସେ ରାତି କଥା ଭାବିଲେ ରୋମ ଟାଙ୍କୁରି ଉଠୁଛି।

କିଛି ଅଘଟଣ ଘଟୁ ଘଟୁ ଆମେ ମା ଝିଅ ରକ୍ଷା ପାଇବା ଏହା କୌଣସି ଚମତ୍କାର ଠାରୁ କମ ନୁହେଁ।

  ସେ ଦିନ ଥାଏ ୨୦୧୮ ଅଗଷ୍ଟ ବାର ତାରିଖ। ପ୍ରାୟ ଦେଢ଼ ବର୍ଷ ହେବ ଆମେ ଭୁବନେଶ୍ୱରରେ ଭଡା ଘରେ ରହୁଥାଉ।ସେ ଦିନ ଅଫିସ ସାରି ମୋ ସ୍ୱାମୀ ଘରର କିଛି କାମରେ ଗାଁକୁ ଯାଇଥାଆନ୍ତି। ଘରେ କେବଳ ଝିଅ ଆଉ ମୁଁ।ରାତି ରୋଷେଇ ସାରି ମୁଁ ବୈଠକ ଘରକୁ ଆସିଲି ସେତେବେଳକୁ ରାତି ୧୦ଟା ହେବ।ଝିଅ ଟିଭି ଦେଖୁଥାଏ।ମୋର ସେ ଦିନ ସକାଳୁ ଦେହ ଟିକେ ଅସୁସ୍ଥ ଥାଏ ତ ମୁଁ କଫ ସିରଫ ଓ ଜର ପାଇଁ କିଛି ଔଷଧ ଖାଇଥିଲି।ତେଣୁ ମୋତେ ସେଦିନ ପ୍ରବଳ ନିଦ ଲାଗୁଥାଏ।

ଝିଅକୁ କହିଲି " ଆସେ ଆମେ ଖାଇଦବା ମୋତେ ନିଦ ଲାଗୁଛି।"

ଝିଅ କହିଲା ମୋତେ ଜମା ଭୋକ ହେଉନି ମୁଁ ଟିକେ ଡେରିରେ ଖାଇବି।ତୋ ଦେହ ଭଲ ନାହିଁ ତୁ ଖାଇ ଶୋଇଯା।ମୋର ଡାଇନିଙ୍ଗ ଟେବଲ ଉପରେ ଥୋଇ ଦେ ମୁଁ ନେଇ ଖାଇଦେବି।

ସେଇ ଅନୁସାରେ ମୁଁ ଖାଇ ଶୋଇ ପଡ଼ିଲି।ପାଖରେ ମୋ ଫୋନ ଥୋଇଥାଏ କାଳେ କିଏ ଫୋନ କରିବ ।

ତା ପରେ ଝିଅ କେତେବେଳେ ଶୋଇଛି ମୁଁ ଜାଣିନି। ଯେତେବେଳେ ଝିଅକୁ ପଚାରିଲି ସେ କହିଲା ମୁଁ ରାତି ପ୍ରାୟ ସାଢ଼େ ବାରଟାରେ ଶୋଇଲି।

 ଘଟଣା ଉପରେ ଚିନ୍ତା କଲି,କିଛି ଘଣ୍ଟା ଭିତରେ ଏତେ କାଣ୍ଡ ହୋଇଗଲା ଅଥଚ ଆମ ଦୁଇଜଣଙ୍କ ନିଦ ଭାଙ୍ଗିଲା ନାହିଁ କେମିତି।।ଶୋଇବା ଘରର ଦୁଇଟି ଦୁଆର ଗୋଟିଏ ବୈଠକ ଘରକୁ ଆଉ ଗୋଟିଏ ରୋଷେଇ ଘର ପଟକୁ ,ସେମିତି ବୈଠକ ଘରୁ ଗୋଟିଏ ଦୁଆର ରୋଷେଇ ଘର ଆଡ଼କୁ।ଆମେ ରାତିରେ ଭିତର ଦୁଆର ଦେଇ ନ ଥାଉ। ଗରମ ହେଉଥିବାରୁ ଗୋଟିଏ ଝରକା ଖୋଲା ରଖୁ ଦୁଇଟା ବନ୍ଦ ଥାଏ। ଶୋଇବା ଘରେ ଆମର ଦୁଇଟା ଖଟ ପଡିଥାଏ।ଗୋଟିକରେ ମୁଁ ଶୋଇଛି ଏବଂ ଅନ୍ୟ ଖଟରେ ଝିଅ।ଝିଅର ଖଟ ପାଖକୁ ଲାଗି ତା 'ର ହାର୍ମୋନିୟମ ଥୁଆ ହୋଇଥାଏ।

    ଗ୍ରୀଲକୁ କୌଶଳ କ୍ରମେ ମୋଡି ଭାଙ୍ଗି ଚୋର ଘର ଭିତରେ ଝରକା ଦେଇ ପଶିଛି, ଲାଗୁଛି ସେ ଜଣେ ନୁହେଁ ,ଏକରୁ ଅଧିକ, କାରଣ ଝରକାର ଗ୍ରୀଲ ତାଡିବା ଜଣଙ୍କ ଦ୍ୱାରା ସମ୍ଭବ ନୁହେଁ।ହେଲେ ଆଉଜଣଙ୍କର ସହାୟତାରେ ନିଶ୍ଚୟ ହାର୍ମୋନିୟମ ଝରକା ରୁ ଟେକି ନେଇଥିବ। ଘର ଭିତରେ ମଧ୍ୟ ବହୁତ ଖୋଜା ଖୋଜି କରିଛି।ଝିଅର କଲେଜ ବ୍ୟାଗ ମୋର ଗୋଟିଏ ପର୍ସ ସବୁ ଫିଟା ହୋଇ ପଡିଛି କିନ୍ତୁ କଲେଜ ବ୍ୟାଗରେ ଝିଅ ରଖିଥିବା ପର୍ସକୁ ଦେଖି ପାରିନାହିଁ କାରଣ ସେଥିରେ ଥିବା ଟଙ୍କା ସୁରକ୍ଷିତ ଅଛି।ସବୁ ଖୋଜି ସାରିବା ପରେ ହାର୍ମୋନିୟମ ଟିକୁ ଗୋଟିଏ ଓଜନଦାର ବାକ୍ସ ଭାବି ଟେକି ଟେକି ଝରକା ଦେଇ ବାହାରକୁ ନେଇଛି।ଯେଉଁଟା ଖୁବ କଷ୍ଟ ସାଧ୍ୟ କାରଣ ଝରକା ଆଉ ହାର୍ମୋନିୟମ ସମାନ ଚଉଡା।ସେପଟେ ନିଶ୍ଚୟ ତାକୁ ସହଯୋଗ କରିବା ପାଇଁ ଆଉ ଜଣେ ଥିଲା ଯିଏ ଝରକା ତଳେ ଥିବା ଫୁଲକୁଣ୍ଡ ଗୁଡିକୁ ଆଡେଇ ସେଇ ଓଜନିଆଁ ବାକ୍ସଟିକୁ ନେବାରେ ସହଯୋଗ କରିଥିଲା। ବାହାରକୁ ଗଲାପରେ ହାର୍ମୋନିୟମକୁ ଖୋଲିଛି ଏବଂ ସେଥିରେ ତାର ଆଶା ବାନ୍ଧିଥିବା ଟଙ୍କା ପଇସା ବା ସୁନା ନ ଥିବାର ଦେଖି ସେଇଠାରେ ଛାଡି ଚାଲି ଯାଇଛି।।

   ଘର ମାଲିକ, ପଡୋଶୀ ତଥା ଅନ୍ୟ ମାନେ ଯିଏ ଶୁଣିଲେ ଆଶ୍ଚର୍ଯ୍ୟ ହେଲେ ଯେ କେମିତି ଏସବୁ ଘଟିଗଲା। ଘରର ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ଅନ୍ୟ ଘରମାନଙ୍କ ଠାରୁ ବେସ୍ ସୁରକ୍ଷିତ।

      ସମସ୍ତେ କହୁଥାନ୍ତି ଯାହା ବି ହେଉ ତୁମ ନିଦ ଭାଙ୍ଗିନି ଭଲ ହେଇଛି।ନ ହେଲେ ସେମାନଙ୍କୁ ଦେଖି ଦେବା ପରେ ହୁଏତ ନିଜ ସୁରକ୍ଷା ପାଇଁ ତୁମକୁ ଆକ୍ରମଣ କରି ଥାଆନ୍ତେ କିମ୍ବା ହୁଏତ ତୁମେଦୁଇଜଣ ଭୟ କରିଥାଆନ୍ତ ।ଏ କଥାକୁ ଭାବି ମୋ ଦେହ ଥରିଯାଏ। ପ୍ରକୃତରେ ଭଗବାନଙ୍କର ଅଶେଷ ଦୟା ଯେ ମୋର କିମ୍ବା ଝିଅର ନିଦ ଭାଙ୍ଗିନି।

ଆଉ ସେ ଚୋର ଆଗରୁ କେତେଥର ନିଶ୍ଚୟ ପାଚେରୀ ଡେଇଁ ଆସି ସବୁକୁ ଲକ୍ଷ୍ୟ କରି ଯାଇଛି, ନ ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ଆସି ଗ୍ରୀଲ ତାଡି ପଶିଛି ।ଏମାନେ ଚୋର ନୁହେଁ ଡକାୟତ। ଏ ଘଟଣା ପରେ ଝିଅ କହିଲା ମୁଁ ରାତିରେ ପଢିବା ବେଳେ ବହୁତ ଥର ଶୁଣିଛି ଏ ହତା ଭିତରେ କିଏ ଚଳ ପ୍ରଚଳ ହେବାର ଶବ୍ଦ। ସେମାନେ ନିଶ୍ଚୟ ଆଗରୁ ଆସି ଯୋଜନା ପ୍ରସ୍ତୁତ କରି ପଶିଛନ୍ତି। କିନ୍ତୁ ହାତରେ କିଛି ପଡ଼ିଲାନି କେବଳ ପୁରୁଣା ଫୋନଟେ ଛଡା।

     ଆମେ ରହୁଥିବା ଘରଟି ମୁଖ୍ୟ ଗେଟ ଠାରୁ ଟିକେ ଦୂରରେ। ହତା ଭିତରେ ପଶି ପୁଣି ପଛ ପଟକୁ ଗଲେ ଆମ ଘରକୁ ଯିବାକୁ ହୁଏ।

  ଆମ ପଡିଶା ଘରର ଦ୍ୱାର ମଧ୍ୟ ଆମ ପଟକୁ ଥିବାରୁ ତାଙ୍କ ଘରୁ ଆମ ଘରର ଏତେ ସହଜ ନୁହେଁ କିଏ ଘରେ ପଶିବା। ଅନେକ ଥର ଆମେ ପନ୍ଦର କୋଡିଏ ଦିନ ଘର ତାଲା ଦେଇ ନିଜ ଘରକୁ ଯାଉ କେବେ ଚୋରି ହୋଇନଥିଲା ଅଥଚ ଆମେ ଥିବା ସମୟରେ ଏତେ ସହଜରେ ଚୋର ପଶିଗଲା।

   ବେଳେ ବେଳେ ଭାବେ ଆମ ଉପରେ ଗୁରୁଜନ ଓ ଠାକୁରଙ୍କର ଅଶେଷ କରୁଣା ଯୋଗୁଁ ଏତେବଡ଼ ବିପଦରୁ ରକ୍ଷା ପାଇଲୁ।ସେଇ ରାତିରେ ଯାହା ପରିସ୍ଥିତି ହେଲା କେବଳ ଝରକା ଖୋଲା ରଖିବା ଯୋଗୁ।ତା ପରଠାରୁ ଆମେ ସତର୍କତା ଅବଲମ୍ବନ କଲୁ।

                 


Rate this content
Log in

Similar oriya story from Classics