Krushnapriya Mohapatra

Drama Tragedy Classics

4.5  

Krushnapriya Mohapatra

Drama Tragedy Classics

କଳା ବୋଲି..

କଳା ବୋଲି..

7 mins
12


      ପ୍ରୀତି, ସୁନିତାର ରୁମ୍ ମେଟ୍, ଘରକୁ ଯାଇଛି କୁମାରପୂର୍ଣ୍ଣିମା ପାଇଁ ଛୁଟି ନେଇ , ସୁନିତାକୁ ଡାକୁଥିଲା "'ଆ ଆମ ଘରକୁ ଯିବା କୁମାର ପୂର୍ଣ୍ଣମୀକୁ ତୁ ତ ଘରକୁ ଯାଉନୁ ମୋ ସହିତ ଚାଲ୍, ଖୁବ ମଜା କରିବା l ସୁନିତା କହିଲା ନା ମୋର ଇଚ୍ଛା ନାହିଁ, ତୁ ଯା ମୁଁ ଯିବିନି l

ପ୍ରୀତି ପଚାରିଲା " ସୁନିତା,ତୁମର ଚାନ୍ଦପୂଜା ନାହିଁ କି ?

ଅଛି ମୁଁ କରେନି l

କାହିଁକି ?

ମୁଁ କହି ପାରିବିନି l

ଆଜି କୁମାରପୂର୍ଣ୍ଣମୀ

ମହାନଗରୀର ଆଖି ଝଲସା ବିଜୁଳି ଆଲୋକ l ଏଠାରେ କେତେବେଳେ ପୂର୍ଣ୍ଣମୀ, ଅମାବାସ୍ୟା ଦ୍ୱିତୀୟା ଜହ୍ନ ଆକାଶରେ ଆସୁଛି ପୁଣି ଯାଉଛି ତାର ଖବର ରଖିବାକୁ କାହାର ସମୟ ନାହିଁ l

    ରାତ୍ରି ଏଠାରେ ଦିନର ଭ୍ରମ ସୃଷ୍ଟି କରେ,କିନ୍ତୁ ଏଠି ନୀଳ ଆକାଶର ସୌନ୍ଦର୍ଯ୍ୟ ଉପଭୋଗ କରି ହୁଏନା,କି ଜହ୍ନରାତିର ଜୋସ୍ନାବିଧୌତ ରୂପେଲି ଆକାଶକୁ ମନ ଭରି ଦେଖିବାକୁ ସୁଯୋଗ ମିଳେନା l ସକାଳୁ ଉଠ ନିଜ ନିଜର କାମ ସାରି କର୍ମକ୍ଷେତ୍ରକୁ ଧାଁ, ଟ୍ରେନ ଟ୍ରେନରୁ ଲଞ୍ଚର ପୁଣି ଲଞ୍ଚର ରୁ ଓହ୍ଲାଇ ବସ ଧର l ଚାରିଆଡେ ଖାଲି ଲୋକ ଲୋକ ଲୋକ

କେଉଁଠୁ ଆସନ୍ତି କୁଆଡେ ଯାଆନ୍ତି !

 ଟ୍ରେନ ଲାଗୁଥିବ ଲୋକ ଓହ୍ଲାଉଥିବେ, ଗଙ୍ଗା ନଦୀରେ ଲଞ୍ଚରରେ ବସୁଥିବେ, ଲଞ୍ଚର ଫେରିଘାଟରେ ଲାଗୁଥିବ ଲୋକ ଅଣନିଶ୍ୱାସୀ ହୋଇ ଧାଉଁଥିବେ ବସକୁ, ବସ ଧରି ଅଫିସ ରେ ପହଞ୍ଚି ଯାଉଥିବେ l ପୁଣି ସନ୍ଧ୍ୟାବେଳେ ସମାନ ଅବସ୍ଥା l

ହଁ  ଏଇଟା କୋଲକାତା ଏଠି କାହା ପାଖରେ ସମୟ ନାହିଁ ସମସ୍ତେ ଧାଇଁ ଚାଲିଛନ୍ତି ଅର୍ଥ ପଛରେ l କାହାପାଇଁ କାହାରି ପାଖରେ ସମୟ ନାହିଁ, କିଏ ଏଠି ଭୋକିଲା ରହିଲେ କାହାର କିଛି ଫରକ ପଡ଼େନି l ମରି ହଜିଗଲେ କେହି କାହାକୁ ଖୋଜନ୍ତିନି,ଏଠି ମଣିଷକୁ ମଣିଷ ଚିହ୍ନେନି, କେବଳ ଟଙ୍କା ଟଙ୍କା ଆଉ ଟଙ୍କା l ସମସ୍ତେ ନିଜ ପାଇଁ ତତ୍ପର l

         ସୁନିତା ଗାଁ ଛାଡିବାର ପାଖାପାଖି ପାଞ୍ଚ ବର୍ଷ ହେଲାଣି l ତଥାପି ଗାଁ ମାଟିର ବାସ୍ନାକୁ ଚେଷ୍ଟା କରି ମଧ୍ୟ ଭୁଲି ପାରୁନି l ବହୁତ ଦିନ ହେଲା ବାପା ମାଆଙ୍କୁ ଦେଖିନି l କେମିତି ଯିବ ! ଯେଉଁ ପରିସ୍ଥିତିରେ ପଡି ସେ ଏଠାକୁ ଆସିଥିଲା ସେ କଥା ମନେ ପଡି ଛାତି ଭିତର ମନ୍ଥି ହୋଇ ଯାଉଛି l ଘୃଣାରେ ମୁହଁର ମାଂସପେଶୀ କଠିନ ହୋଇଯାଉଛି l

        ଏଥରର ଛୁଟି ମିଳିଲେ ଗାଁ କୁ ଯିବ କି ?ଏମିତି ଦଶ ଥର ଭାବିଛି,କିନ୍ତୁ ଯିବାକୁ ତା ଆତ୍ମା ଡାକୁନି l ଗାଁ ର ସେ ମନଲୋଭା ସୁନ୍ଦର ଛବି ଆଖିରେ ନାଚି ଯାଉଛି l ସବୁଜ ବନ ପାହାଡ଼ ଘେରା ସେଇ ନଈ କୁଳିଆ ଗାଁ ତାକୁ ହାତ ଠାରି ଡାକୁଛି l ସେଇ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଗାଁ ମାଟିରେ ଜନ୍ମ ହୋଇଥିବା ଝିଅଟିଏ ଶରୀରର ବାହ୍ୟ ରୂପକୁ ପ୍ରାଧାନ୍ୟ ଦେଉଥିବା ଘର, ପରିବାର, ସମାଜକୁ ତ୍ୟାଗ କରିଦେଇଛି l

   ଦିନେ ତାର ସବୁଠାରୁ ପ୍ରିୟ ରଙ୍ଗ ଥିଲା ସବୁଜ। ପିଲାବେଳେ ପଢିଥିଲା ଏ ସବୁଜ ରଙ୍ଗ କୁଆଡେ ପ୍ରଗତିର ପ୍ରତୀକ। ରୋଜି କହେ ସବୁଜ ରଙ୍ଗକୁ ଭଲ ପାଉଥିବା ଲୋକମାନେ ଖୁବ ଆତ୍ମବିଶ୍ଵାସୀ ଓ ସରଳ। ହେଲେ ତା'ର ଏ ସରଳତା ଗୁଣକୁ କଣ କିଏ ପସନ୍ଦ କରୁଥିଲେ ବରଂ କଳା ବୋଲି ସବୁଠାରେ ଅବହେଳିତ ହେଉଥିଲା ସେ। ଧେତ୍ ଏଗୁଡା କାହିଁକି ଆଉ ଭାବୁଛି ସିଏ। ଏ ସବୁ ରଙ୍ଗ ଠାରୁ ଖୁବ ଦୂରକୁ ଚାଲି ଆସିଲାଣି ବୋଧେ ତାର ଏଇ ଜୀବନ।

   କଳା ଝିଅଟିଏ ଜନ୍ମ କରି ମାଆ ତାର ଗୋଟିଏ ମସ୍ତବଡ଼ ପାପ କରିଦେଇଛି,ବହୁତ କଥା ଶୁଣିଛି, ଦଶ ମାସ ପେଟରେ ଧରି ଅନ୍ତଫାଡି ଜନ୍ମ ଦେଇଥିବା ଛୁଆଟି କଳା ଗୋରା ଵା ଅପଙ୍ଗ ହେଲେ ମାଆ ପାଖରେ କିଛି ଫରକ ପଡ଼େନା ,ତା'ସ୍ନେହ,ମମତା ଭଲ ପାଇବା କେବେ କମି ଯାଏନା ସେ ଛୁଆଟି ପାଇଁ l ସୁନିତା ପରିବାର ପାଇଁ ବୋଝ ହୋଇପାରେ କିନ୍ତୁ ମାଆ ପାଇଁ ସେ ସୃଷ୍ଟିର ସବୁଠାରୁ ସୁନ୍ଦର ଝିଅ l

    ହେଲେ ସୁନିତା ପରିବାର, ସମାଜ ଭାଇ ଭଉଣୀ ସମସ୍ତଙ୍କ ପାଇଁ ଦୃଷ୍ଟିକଟୁ ଥିଲା l ଜେଜେ ମା ତ ମୁହଁରେ କହିବ " ବଗ ଭିତରେ କାଉ କେଉଁଠୁ ଆସିଲା କେଜାଣି ମୋ ପୁଅ ତ ଗୋରା, ବୋହୂ ତ ଗୋରୀ ଦୁଇଟା ଛୁଆ ବାପା ମାଙ୍କ ରଙ୍ଗ ଆଣିଲେ,ହେଲେ ଏ କାଳୀ ଭୁଶୁଣ୍ଡୀ କେଉଁଠି ଥିଲା କେଜାଣି, ମୋ ପୁଅ ମୁଣ୍ଡରେ ବୋଝ ହେଇ ବସିବ l ଏ ପିଲାଟାକୁ କିଏ ବାହା ହେବ!!!!

      ବାପା ଯଦିଓ ସୁନିତାର ରଙ୍ଗକୁ ନେଇ ଆକ୍ଷେପ କରିବା ସେ ଶୁଣିନି ବୋଧହୁଏ ତାଙ୍କ ମନରେ ଡର ବସା ବାନ୍ଧିଥିଲା ଯେ ଏ ଝିଅର ଭବିଷ୍ୟତ କେତେ କଣ୍ଟକିତ ହେବ ?

ଧୀରେ ଧୀରେ ସୁନିତା ସମସ୍ତଙ୍କ ଠାରୁ ନିଜକୁ ଦୂରେଇ ନେଲା l

ମାଆ ସବୁବେଳେ କହେ ତୁ ପାଠ ପଢେ, ଯେଉଁଦିନ ତୁ ସ୍ୱାବଲମ୍ବୀ ହେବୁ ମୋ ଦୁଃଖ ଯିବ ଆଉ ଏ ଲୋକ ମାନଙ୍କୁ ଉଚିତ ଜବାବ ମିଳିବ l

ସୁନିତା ଖୁବ ପରିଶ୍ରମୀ, ସ୍ୱାଭିମାନୀ ଓ ସାହସୀ l କାହା ମନରେ ଦୁଃଖ ଦିଏନା ବରଂ ଅନ୍ୟକୁ ସାହାଯ୍ୟ କରେ l

     ହେତୁ ହେବା ପରେ ଗୋଟେ ବର୍ଷ କୁମାର ପୂର୍ଣ୍ଣମୀର କଥା ।

        ପିଲାଦିନୁ ସୁନିତା ଭଉଣୀ ସହିତ ମିଶି ମାସକ ଯାକ ଜହ୍ନିଓଷା କରୁଥାଏ l ଓଡ଼ିଆ ଘରେ ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଯାଏ କୁମାର ପୂର୍ଣ୍ଣମୀର ପ୍ରସ୍ତୁତି l ଆଶ୍ୱିନ ମାସର ପ୍ରଥମ ଦିନରୁ ସନ୍ଧ୍ୟା ସମୟରେ ଚଉରା ମୂଳରେ ଜହ୍ନି ଓଷା ପୂଜା କରାଯାଏ l କୁଆଁରୀ ମାନେ ଦୀର୍ଘ ଏକ ମାସ ଧରି ନିରାମିଷ ଖାଦ୍ୟ ଖାଇ ଉପବାସ କରିଥାନ୍ତି l ସେଇ ମାସରେ ଜହ୍ନି ଖାଆନ୍ତି ନାହିଁ l ସନ୍ଧ୍ୟା ବେଳେ ଜହ୍ନିଫୁଲ, କାକୁଡି ଫୁଲ ନେଇ ଚଉରା ମୂଳେ ମୁରୁଜରେ ସଜାଇ,ଗୁଆ ବସାଇ ପୂଜା କରନ୍ତି, ପୂଜା ସରିଲେ ଫୁଲ ଆଞ୍ଜୁଳି ଚାଳ ଉପରକୁ ଛାଟି, ବହି ପଢି ଗୀତ ଗାଇ ପୂଜା ସମାପନ କରନ୍ତି l

 କୁମାର ପୂର୍ଣ୍ଣିମା ଦିନ ସକାଳୁ ନୂତନ ବସ୍ତ୍ର ପିନ୍ଧି ଆଞ୍ଜୁଳି ଟେକନ୍ତି l ସନ୍ଧ୍ୟା ବେଳେ ଲିଆ, କଦଳୀ,ନଡ଼ିଆ ଚିନି, ଛେନା ଗୋଲମରିଚ ପକାଇ ଚାନ୍ଦ ଚକଟା କରିଥାଆନ୍ତି l ଜହ୍ନ ଉଇଁବା ପୂର୍ବରୁ ଚଉରା ମୂଳେ ପୂଜା କରି ଦୁଆର କଣରେ ଚାନ୍ଦ ଚକଟା ଖାଆନ୍ତି l ସନ୍ଧ୍ୟାରେ ଘରକୁ ଘର ବୁଲି ଗୁରୁଜନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତି l ଝିଅମାନଙ୍କର ଏହି ପର୍ବ ଆମ ସଂସ୍କୃତିର ଏକ ସୁନ୍ଦର ପରମ୍ପରା l କୁଆଁରୀ ଝିଅଟିଏ ନିଜର ଜୀବନସାଥି ଭାବରେ ସର୍ବଗୁଣ ସମ୍ପନ୍ନ ଯୁବକଟିଏ ପାଇବା ପାଇଁ ଏହି ପୂଜା କରିଥାଏ l ସେଥିପାଇଁ ଚାନ୍ଦ ଚକଟା ଖାଇ ପୂର୍ଣ୍ଣମୀ ଜହ୍ନକୁ ପୂଜା କରିବା ବେଳେ ରୀତିନୀତି ଜଗେ, ନ ହେଲେ ବୁଢା ବର ସହିତ ବାହାଘର ହୁଏ ବୋଲି କୁହାଯାଏ l

      ସବୁ ଝିଅଙ୍କ ଭଳି ସୁନିତା ସେ ବର୍ଷ ମଧ୍ୟ ଭଉଣୀ ସହିତ ପୂଜା ଥାଳି ଧରି ଚଉରା ମୂଳେ ଥୋଇଲା ଏବଂ ମୁଣ୍ଡିଆ ମାରିଲା,l ଜେଜେମା ବାରଣ୍ଡାରେ ବସି ମୁହଁ ମୋଡି ଦେଇ କହିଲା "ଦେ ଉଠ, ଆଲୋ ଏ କାଳୀ ଭୁଶୁଣ୍ଡୀ କିଆଁ ପୂଜା କରୁଛି ଵା ।

    ତୁ ଯେତେ ସୁଆଦିଆ ଚାନ୍ଦ ଚକଟା ନେଇ ପୂଜା କଲେ କଣ ହେବ ତୋ ଭଳି କାଳୀ ଚେପେଟି ନାକୀକୁ କୋଉ ସୁନ୍ଦର ବର ମିଳିବ, ହଁ  ଦୋଭେଇ ବର ମିଳିଲେ ବି ସେ ରାଜି ହଉଛି କି ନାହିଁ ଦେଖ....... ଜେଜେ ମା ସହିତ ସେଠାରେ ଅନ୍ୟମାନେ ମଧ୍ୟ ମୁରୁକି ମୁରୁକି ହସୁଥାଆନ୍ତି l ସେମାନଙ୍କ ହସ ତା ହୃଦୟରେ ତୀର ଭଳି ବିନ୍ଧି ହେଇ ଯାଉଥାଏ l ସୁନିତା ଆକାଶକୁ ଚାହିଁଲା..... ଜହ୍ନର ଉଜ୍ଜଳ ଆଉ ସିଗ୍ଧ ଅଲୋକରେ ସାରା ସଂସାର ଆଲୋକିତ ହୋଇଛି କିନ୍ତୁ ଜହ୍ନରେ ଥିବା କଳା ଦାଗ ଝାପସ ଦିଶୁଛି l ତା ମାଆକୁ ଚାହିଁଲା.....ମାଆ ତା ହାତକୁ ଜୋରସେ ଚାପି ଧରି କହିଲେ " ଦେଖ୍ ସୁନୀ ଜହ୍ନରେ ଏତେ ଦାଗ ସତ୍ୱେ ସେ କେମିତି ସାରା ସଂସାରକୁ ଆଲୋକିତ କରିପାରୁଛି l  ମୋର ତୋ ଉପରେ ବିଶ୍ୱାସ ଅଛି l ତୁ ଦିନେ ଦୁନିଆଁକୁ ଦେଖେଇ ଦେବୁ କଳା ହେଲେ ମଧ୍ୟ ତୁ ସମସ୍ତ ଙ୍କ ଠାରୁ ଭିନ୍ନ l ସେ ଦିନ ଏ ସଂସାର ତୋ ଆଲୋକରେ ଆଲୋକିତ ହେବ l

  

    ସେଇ ଦିନ ଠାରୁ ସୁନିତା ଚାନ୍ଦ ପୂଜା କେବେ କରେନି l କିନ୍ତୁ ଜହ୍ନ ଦେହରେ ଥିବା କଳା ରଙ୍ଗକୁ ଖୁବ ଭଲ ପାଏ l

     କୋଲକାତା ଆସିବା ପୂର୍ବର ଘଟଣା ତ ତାକୁ ଏକବାର ଭାଙ୍ଗି ଦେଇଥିଲା l ପାସୋରି ବାକୁ ବହୁତ ଚେଷ୍ଟା କରି ମଧ୍ୟ ପାରିନି ସୁନିତା.....

ପ୍ଲସ୍ ଟୁ ପଢିବା ସମୟର କଥା......

ସୁନିତା ସହିତ କଲେଜରେ ପଢ଼ୁଥିବା ବିଜୟ,ଏବେ ତା ସହିତ ଟିକେ ବେଶି ମିଶିବାକୁ ଚେଷ୍ଠା କରୁଛି l ତାଙ୍କ ଘରକୁ ଆସି ନୋଟ୍ସ ମାଗୁଛି, ସୁନିତାର ଇଚ୍ଛା ନୁହେଁ ବିଜୟ ସହିତ ମିସିବାକୁ କିନ୍ତୁ ବିଜୟ କହେ" ତୋ ଅକ୍ଷର ବହୁତ ସୁନ୍ଦର ଏବଂ ଲେଖା ପରିଷ୍କାର ପୁଣି ତୁ ଯେମିତି ଲେଖୁଛୁ ପଢ଼ିଦେଲେ ମନେ ରହିଯାଉଛି l ସେଥିପାଇଁ ମୁଁ ତୋର ନୋଟ୍ସ ନିଏ l

 ସୁନିତା କହେ ତୁ ଘରକୁ ଆସିବା ଦରକାର ନାହିଁ ମୁଁ ତୋତେ କଲେଜରେ ଦେଇ ଦେବି l ବିଜୟ କିନ୍ତୁ ଘରକୁହିଁ ଆସିଯାଏ l ଅନେକ ସମୟ ଘରେ ବସି ଗପେ ସୁନିତା ବ୍ୟସ୍ତ ହୋଇ କହେ ତୁ ଘରକୁ ଯା ମୋର ପାଠ ପଢା ଅଛି କହିଲେ ବିଜୟ ଘରକୁ ଫେରେ l ବିଜୟର ଏହି ହାବଭାବ ସୁନିତା ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ l

ବିଜୟ କଣ ସତରେ ମୋତେ ପ୍ରଶଂସା କରୁଛି??? ନା ତା ମନରେ ଆଉ କିଛି ଅଛି l

କିଶୋରୀ ବୟସରେ ପୁଅ ସାଙ୍ଗ ମାନଙ୍କ ସହିତ ବୁଲୁଥିବା ତା ସାଙ୍ଗ ମାନଙ୍କ କଥା ଶୁଣି ଶୁଣି ବିଜୟର ଏ ପ୍ରଶଂସା ତା ମନରେ ଭାଵାନ୍ତର ସୃଷ୍ଟି କରେ, ରୂପ ନୁହେଁ ବିଜୟ କଣ ସତରେ ତା ଗୁଣକୁ ପସନ୍ଦ କରୁଛି!!! ବିଶ୍ୱାସ ହୁଏନି l କେତେବେଳେ ବିଜୟ ଦେଖା ହେଲେ ତାକୁ ସିଧା ପଚାରିବ,ତୁ କାହିଁକି ଆମ ଘରକୁ ଆସୁଛୁ??

     ସେଦିନ ସୁନିତା ନଈ କୂଳ ଆଡେ ଯାଇଥାଏ ବୁଲିବାକୁ, କିଛି ଦୂରରୁ ବିଜୟ ଅନ୍ୟ ଏକ ସାଙ୍ଗ ସହିତ ବସିଥିବାର ଦେଖି ତାକୁ ପଚାରିବା ପାଇଁ ତା ପାଖରେ ପହଞ୍ଚିଯାଏ l ଏତିକିବେଳେ ବିଜୟ ଆଉ ତା ସାଙ୍ଗର କଥା ତା କାନକୁ ଶୁଭିଲା l

" ଆରେ ବିଜୟ ତୁ ଏବେ କଣ ସୁନିତା ସହିତ ଦେଖା କରିବାକୁ ତା ଘରକୁ ଯାଉଛି??? କଥା କଣ ତୁ ତୁମ ଦୁଇ ଜଣଙ୍କର ଏତେ ଘନିଷ୍ଠତା କେମିତି ହେଲା?? ତୁ ତାକୁ ସତରେ ପସନ୍ଦ କରୁଛୁ???

ବିଜୟ ଉପହାସ କରି କହିଲା " ଆରେ ସାଙ୍ଗ ତୁ କଣ ମୋତେ ପାଗଳ ଭାବିଲୁ, ମୁଁ ପୁଣି ସେ କାଳୀକୁ ଭଲ ପାଉଛି l ସେ କାଳୀକୁ ରାତିରେ ଯିଏ ଦେଖିବ ଭେଟଣା ହୋଇଯିବ l

ଆରେ ସୁନିତା ଘରକୁ ତା ପିଉସୀଙ୍କ ଝିଅ ଆସିଛି ତା'ଠାରୁ ନୋଟ୍ସ ଆଣିବା ବାହାନାରେ ମୁଁ ତାକୁ ଦେଖିବାକୁ ଯାଉଛି l

ସୁନିତାର ଦେହରେ ଯେମିତି କିଏ ନିଆଁ ଅତଡେ କୁଢ଼ାଇ ଦେଲା l ଏକା ନିଶ୍ୱାସରେ ଆସି ଶୋଇବା ଘରେ ପଶି ଦୁଆର ବନ୍ଦ କରିଦେଲା l

       ସମସ୍ତଙ୍କ ଘୃଣାର ପାତ୍ରୀ ହେବା ଅପେକ୍ଷା ନିଜକୁ ସ୍ୱାବଲମ୍ବୀ କରି ଗଢିବା ପାଇଁ ସୁନିତା ଗାଁ ଛାଡି କୋଲକାତା ଚାଲିଗଲା l ନିଜ ଅନୁସାରେ ବଞ୍ଚିଵା ଶିଖିଲା l ଗୋଟିଏ କମ୍ପାନୀରେ ଅସ୍ଥାୟୀ ଭାବରେ ଯୋଗ ଦେବା ସହିତ ଅଫିସ ମ୍ୟାନେଜମେଣ୍ଟ କୋର୍ସ କରୁଛି l

   ସେଦିନ ସୁନିତା ଟ୍ରେନରେ କାର୍ଯ୍ୟାଳୟ ଅଭିମୁଖେ ଯାଉଥାଏ l ପ୍ରବଳ ଜନ ଗହଳି ସତ୍ୱେ ଭାଗ୍ୟକୁ ଗୋଟିଏ ସିଟ୍ ମିଳିଗଲା , ଦେଖିଲା ତା ସିଟ୍ ତଳେ କିଛି ଜିନିଷ ରଖା ଯାଇଛି l ତା ତଳକୁ କିଛି ତାର ଝୁଲୁଛି ଓ ଟିକ୍ ଟିକ୍‌ ଶବ୍ଦ ହେଉଛି l ସେ ଅନ୍ୟ ମାନଙ୍କୁ ପଚାରିଲା ଏଇଟା କାହାର, କେହି ଏହାର ଦାବିଦାର ନ ଥିଲେ l କିଛି ଲୋକଙ୍କର ସନ୍ଦେହ ହେଲା ଯେ ଏଇଟା କୌଣସି ବିସ୍ଫୋରକ ନୁଁହେ ତ?? ଜଣେ ଯୁବକ ଦେଖିଲା ସେଥିରେ ଟାଇମ ସେଟ ହୋଇଛି,ସମୟ ପାଞ୍ଚ ମିନିଟ ଦେଖାଉଛି, ବଗିର ସବୁ ଯାତ୍ରୀ ଭୟରେ ଜଡ଼ସଡ଼ ହୋଇଗଲେ l ହେଲେ କାହାକୁ କିଛି ବୁଦ୍ଧି ଦିଶୁ ନ ଥାଏ l ପ୍ରାୟ ଲୋକ ଅଫିସ କର୍ମଚାରୀ କ୍ଵଚିତ ପରିବାର ସହିତ ଥାଆନ୍ତି l କିଏ ନିଜର ତ କିଏ ପରିବାରର ସୁରକ୍ଷା ପାଇଁ ଅସ୍ତବ୍ୟସ୍ତ ହୋଇ ଧାଁ ଧପାଡ଼ କରୁଥାଆନ୍ତି l ଟ୍ରେନ ଦ୍ରୁତ ଗତିରେଚାଲୁଥାଏ l ପୋଲିସ କୁ ଖବର ଦେବା ସମ୍ଭବ ନୁହେଁ l ସମୟ ଖୁବ କମ୍

ସମସ୍ତେ ନିରୁପାୟ ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି l ଏହି ସମୟରେ ସୁନିତା ସେ ବ୍ୟାଗ୍ ଟିକୁ ଭଲ ଭାବରେ ଖୋଲି ଦେଖିଲା, ଲୋକମାନେ ତାକୁ ସେଥିରୁ ନିବୃତ ରହିବାକୁ କହୁଥାଆନ୍ତି l ସୁନିତା ବିସ୍ଫୋରକ ଧରି ଟ୍ରେନର ଦୁଆର ଆଡକୁ ଧାଇଁଲା ଜଣେ ଦୁଇଜଣ ସ୍ତ୍ରୀ ଲୋକ ଚିତ୍କାର କରି ଉଠିଲେ, ପୁରୁଷ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ l ସୁନିତା ଆଖି ପିଛୁଳାକେ ଏହାକୁ ବାହାରକୁ ଫୋପାଡ଼ି ଦେଲା । ବାହାରେ ପଡିବା ପରେ ପ୍ରଚଣ୍ଡ ଶବ୍ଦ କରି ଏହା ବିସ୍ଫୋରିତ ହେଲା l ତାର ଶବ୍ଦ ଏତେ ତୀବ୍ର ଥିଲା ଯେ ସୁନିତା ସେଇ ଠାରେ ଚେତା ହରାଇ ପଡିଗଲା l ଏହି ସମୟରେ ସେଇ ବଗିରେ ଥିବା ଜଣେ ଯୁବକ ଯାଇ ସୁନିତାକୁ ଧରି ପକାଇଲେ ନ ହେଲେ ସୁନିତା ଦୁଆର ଆରପଟକୁ ପଡିଯିବାର ଭୟ ଥିଲା l ଅନ୍ୟ କେତେ ଜଣଙ୍କ ସହାୟତାରେ ସୁନିତାକୁ ଟେକି ଆଣି ପାଣି ସିଞ୍ଚିଵା ପରେ ହୋସ ଆସିଲା l ସୁନିତାର ଏହି ସାହାସିକତା ପାଇଁ ସମସ୍ତେ ତାଳି ବଜାଇ ସମ୍ମାନୀତ କଲେ l ବିଭିନ୍ନ ପତ୍ର ପତ୍ରିକା ଦୂରଦର୍ଶନ ରେଡ଼ିଓ ସାମାଜିକ ଗଣ ମାଧ୍ୟମରେ ସୁନିତାର ଏହି ସାହାସିକ କାର୍ଯ୍ୟର ଖୁବ ପ୍ରଶଂସା କରାଯିବା ସହିତ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ କରାଗଲା l ଏ ଖବର ସବୁଆଡେ ରାଷ୍ଟ୍ର ହୋଇଗଲାl ତା ପରିବାର, ଗ୍ରାମ,ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ତାକୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା l ସେତେବେଳେ କେହି ତାର ରଙ୍ଗ ଓ ଶାରୀରିକ ସୌନ୍ଦର୍ଯ୍ୟକୁ ପରଖି ନ ଥିଲେ l ଆଜି ସେ କେତେ କେତେ ଲୋକଙ୍କର ଜୀବନ ବଞ୍ଚାଇଥିବା ଜଣେ ଦେବୀ ପାଲଟି ଯାଇଥିଲା l


Rate this content
Log in

Similar oriya story from Drama