Krushnapriya Mohapatra

Classics Thriller Others

4  

Krushnapriya Mohapatra

Classics Thriller Others

ନବ କଳେବର

ନବ କଳେବର

5 mins
362


       ଶ୍ରୀ ଜଗନ୍ନାଥଙ୍କ ଲୀଳା ମାନବ ସ୍ୱରୂପୀ।ଆଚରଣ ମଧ୍ୟ ମନୁଷ୍ୟ ପରି। ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଅନନ୍ତକୋଟି ପ୍ରଶସ୍ତି ଯେପରି ସେହିପରି ମାନବୋଚିତ ,ନୀତି ନିର୍ଘଣ୍ଟ, ଯାନୀ ଯାତ୍ରା ଇତ୍ୟାଦି ମର୍ତ୍ତ୍ୟଲୋକ ସହ ଜଡିତ।ବାର ମାସରେ ତେରଯାତ୍ରା,ଅଠେଇଶ ଉପଯାତ୍ରା।

ଏ ସେଇ ବିଚିତ୍ର ଠାକୁର ଯାହାର ମଣିଷ ପରି ଦୈନ୍ୟଦିନି। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟର ଶଯ୍ୟାତ୍ୟାଗ ଠାରୁ ରାତ୍ରୀର ପହୁଡ଼ ପର୍ଯ୍ୟନ୍ତ ପ୍ରଭୁ ସଧାରଣ ଲୋକଙ୍କ ପରି ଜୀବନ ଅତିବାହିତ କରନ୍ତି।

 ଶଯ୍ୟାତ୍ୟାଗ କରି ମୁଖ ପ୍ରକ୍ଷାଳନ କରନ୍ତି।ତଡପ ,ଉତ୍ତରୀ ଲାଗିହୋଇ ଦନ୍ତମାର୍ଜନା,ସ୍ନାନ କରି ବସ୍ତ୍ର ପରିଧାନ କରନ୍ତି, ପୁଷ୍ପବେଶ ,ଚନ୍ଦନ ଲାଗି ହୁଅନ୍ତି।ଶୟନ କରିବା ସମୟରେ ବଡ଼ସିଂହାର ବେଶହୋଇ ପଲଙ୍କରେ ଶୟନ କରନ୍ତି, ରଥରେ ବିରାଜମାନ ହୋଇ ଯାତ୍ରା କରନ୍ତି। ଏମିତି ମାନବୀୟ ଲୀଳା କରୁଥିବା ପ୍ରଭୁ ମଧ୍ୟ ମନୁଷ୍ୟଙ୍କ ପରି ଘଟ ପରିବର୍ତ୍ତନ ଵା ନବ କଳେବର ହୁଅନ୍ତି। ଶ୍ରୀଜଗନ୍ନାଥଙ୍କ ନବ କଳେବର ଏକ ରହସ୍ୟମୟ ଓ ଅଲୌକିକ ପର୍ବ। ଏଇପରି ଏକ ଅନନ୍ୟ ପରମ୍ପରା ଅନ୍ୟ କୌଣସି ମନ୍ଦିର କିମ୍ବା ଠାକୁରଙ୍କ କ୍ଷେତ୍ରରେ ସମ୍ପର୍ଣ୍ଣ କରାଯାଏ ନାହିଁ।ରୀତି ନୀତି ଅନୁଯାୟୀ ତିନି ଠାକୁରଙ୍କ ସହ ଶ୍ରୀ ସୁଦର୍ଶନ ନବ କଳେବର ହୋଇ ନୁତନ ବିଗ୍ରହ ରୂପରେ ଶ୍ରୀମନ୍ଦିରରେ ସ୍ଥାପିତ ହୁଅନ୍ତି।ଏହା ମନୁଷ୍ୟ ଓ ଜୀବଜଗତ ପାଇଁ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛି। 


 ନବ କଳେବର ହେବା ପଛରେ ଦୁଇ ପ୍ରକାର ତତ୍ତ୍ୱ ରହିଛି।ଆଧ୍ୟାତ୍ମିକ ଓ ବୈଜ୍ଞାନିକ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦାରୁ ବିଗ୍ରହଙ୍କର ଆୟୁ ବାରବର୍ଷ,ବାରବର୍ଷ ପରେ କାଷ୍ଠ ମୂର୍ତ୍ତିର ପରମାୟୁ ପୂରଣ ହୋଇଥାଏ।ଏହା ଅବକ୍ଷୟ ହେବାକୁ ଆରମ୍ଭ କରେ ତେଣୁ ନୂତନ ବିଗ୍ରହ ନିର୍ମାଣ ଆବଶ୍ୟକ ହୁଏ।ବୈଜ୍ଞାନିକ ଦୃଷ୍ଟି କୋଣରୁ ନିମ୍ବ କାଠର ଔଷଧିୟ ଗୁଣ ଓ ଭେଷଜ ଗୁଣର ମାନ ଅତି ଉନ୍ନତ ,ଏହା ଆଖ ପାଖର ପରିବେଶକୁ ଶୁଦ୍ଧ ଓ ନିରୋଗ ରଖିଥାଏ।

    ଏଇ ପରମ୍ପରା ଅନେକ ବର୍ଷରୁ ଆରମ୍ଭ କରା ଯାଇଥିଲା।ଅନୁମାନ କରାଯାଏ,ନବ କଳେବର୧୯୧୨ମସିହାରୁ ଆରମ୍ଭ ହୋଇଥାଇପାରେ। ଏହାର ମୂଳ ଲକ୍ଷ୍ୟ ଥିଲା କିଛି ଦିନର ବ୍ୟବଧାନ ପରେ ପ୍ରଭୁଙ୍କର କାଷ୍ଟବିଗ୍ରହ ନଷ୍ଟ ହେବା ପୁର୍ବରୁ ପୁନଃ ସ୍ଥାପନା କରିବା।ନବ କଳେବର ପ୍ରାୟ ବାର ବର୍ଷ ବା ଉଣେଇଶ ବର୍ଷ ମଧ୍ୟରେ କରାଯାଇଥାଏ।

ଏହା ସମୟ ସାପେକ୍ଷ କାର୍ଯ୍ୟ, ତେଣୁ ଯେଉଁ ବର୍ଷ ଦୁଇଟି ଆଷାଢ଼ମାସ ପଡିଥିବ ବା ଆଷାଢ଼ ମାସର ଅଧିମାସ ବା ମଳମାସ ପଡେ ସେହିବର୍ଷ ଘଟ ପରିବର୍ତ୍ତନ କରାଯାଏ।ନବ କଳେବର ଦୁଇ ପ୍ରକାର ହୋଇଥାଏ, ଗୋଟିଏ ଦାରୁ ଚୟନ ହୋଇ ନୁତନ ବିଗ୍ରହ ଗଢ଼ାଯାଇଥାଏ,ଅନ୍ୟ ଗୋଟିଏ ଶ୍ରୀ ଅଙ୍ଗ ଫିଟା।୧୯୬୯ମସିହାରେ ନବ କଳେବର ଯୋଡ଼ା ଆଷାଢ଼ ପଡ଼ିଥିବାରୁ ହୋଇସାରିଥିଲା।କିନ୍ତୁ ବିଗ୍ରହରେ କିଛି ତ୍ରୁଟି ଥିବାରୁ ପୁନର୍ବାର ଆଠ ବର୍ଷ ପରେ ହୋଇଥିଲେ।କିନ୍ତୁ ସେ ବର୍ଷ ଯୋଡ଼ା ଆଷାଢ଼ ପଡ଼ି ନ ଥିଲା ୧୯୭୭ରେ ଖୁବ୍ କମଦିନ ବ୍ୟବଧାନରେ କେବଳ ଶ୍ରୀଅଙ୍ଗ ଫିଟା, ଅର୍ଥାତ ବିଗ୍ରହଙ୍କ ଶରୀର ରେ ଯେତେ ସପ୍ତପ୍ରକାର ଆବରଣକୁ ଫିଟା ଯାଇ ନୂତନ ପ୍ରଲେପମାନ ଲଗାଯାଇ ପାଟ ଏବଂ ଦିବ୍ୟଔୖଷଧୀୟ ଉପଚାର ଦେଇ ପୁନଃ ବିଗ୍ରହଙ୍କ ଶରୀରକୁ ଦୃଢ କରାଯାଇ ଥିଲା।କିନ୍ତୁ ନାଭି ମଣ୍ଡଳକୁ କଢ଼ା ଯାଇନ ଥିଲା।

  ବହୁ ପୁର୍ବରୁ ଶ୍ରୀକ୍ଷେତ୍ରରେ ଶବର ସମ୍ପ୍ରଦାୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ସେବା ପରମ୍ପରା ପ୍ରଚଳିତ ଅଛି ଶବର ରାଜା ଭକ୍ତ ବିଶ୍ୱାବସୁଙ୍କ ବଂଶଧର ରୂପେ ଦଇତା ସେବକମାନେ ଶ୍ରୀ ବିଗ୍ରହଙ୍କର ଅଙ୍ଗ ରକ୍ଷକ ସେବକ ଭାବରେ ସେବା ଯୋଗାଇ ଥାଆନ୍ତି।ତେଣୁ ସ୍ନାନପୂର୍ଣ୍ଣିମା ଠାରୁ ଶୟନପୂର୍ଣ୍ଣିମା ପର୍ଯ୍ୟନ୍ତ ଦଇତାପତି ସେବକମାନେ ପ୍ରଭୁଙ୍କର ଶ୍ରୀଅଙ୍ଗ ସେବା କରନ୍ତି। ନବ କଳେବର ସେଇ ଶବର ସେବକ ଦଇତା ପତିଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥାଏ।

  ନବ କଳେବରର ସମସ୍ତ ପ୍ରକ୍ରିୟାକୁ ଦୁଇ ଭାଗରେ ପ୍ରସ୍ତୁତ କରିବାକୁ ହୁଏ।ଗୋଟିଏ ବିଧିବିଧାନ ସହିତ ବର୍ହିଃ ପ୍ରସଙ୍ଗ ଅନ୍ୟଟି ଅନ୍ତଃ ପ୍ରସଙ୍ଗ।ଏହାକୁ ଗୁପ୍ତ ନୀତି ମଧ୍ୟ କୁହାଯାଏ। ନବ କଳେବର ପୁର୍ବରୁ ଦାରୁ ଅନ୍ୱେଷଣ ଓ ବନଯାଗ ଯାତ୍ରା ପାଇଁ ଗୋଟିଏ ଦଳ ଚୟନ କରାଯାଏ। ଚୈତ୍ରମାସ ଶୁକ୍ଳ ଦଶମୀ ଶୁଭଲଗ୍ନରେ ସିଂହଦ୍ୱାରରୁ ଶୋଭାଯାତ୍ରାରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଦଇତାପତି ମାନେ ଗଜପତିଙ୍କ ଶ୍ରୀନହରକୁ ଆସନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବିଶ୍ୱାବସୁ ଶବର ହୋଇ ରାଜା ଏବଂ ରାଜଗୁରୁଙ୍କ ଠାରୁ ନଡିଆ ଗୁଆ,ଚାଉଳ, ପତନୀ ଇତ୍ୟାଦି ଆଣନ୍ତି।ସେଠାରୁ ଜଗନ୍ନାଥ ବଲ୍ଲଭମଠକୁ ଯାଇ ଗୋଟିଏ ସୁସଜ୍ଜିତ ଆସ୍ଥାନ ଉପରେ ଆଜ୍ଞାମାଳ ଓ ଚକ୍ରଦଣ୍ଡ ରଖି ସେଠାରେ ରାତ୍ରୀ ଯାପନ କରନ୍ତି।

  ଶୁଭମୁହୂର୍ତ୍ତ ଦେଖି ମଙ୍ଗଳାଙ୍କ ପୀଠ କାକଟପୁରକୁ ଗମନ କରନ୍ତି ।ସେବକମାନେ ସେଠାରେ ଥିବା ଦେଉଳି ମଠରେ ଅବସ୍ଥାନ କରନ୍ତି।ତତ୍ ପଶ୍ଚାତ ପ୍ରଭାତରୁ ଘଣ୍ଟ ଘଣ୍ଟା ବାଦ୍ୟ ସହିତ ଛତ୍ର ଚାମର ନେଇ ମାଙ୍କ ମନ୍ଦିରକୁ ଯାତ୍ରା କରନ୍ତି।

   ମା ମଙ୍ଗଳାଙ୍କୁ ୧୦୮ଘଟ ଜଳରେ ମାଜଣା କରାଯାଇ ମହାଅଭିଶେକ କରାଯାଏ।ମାଙ୍କୁ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଏ ଶ୍ରୀମନ୍ଦିରରୁ ଆସିଥିବା ନେତ ମଙ୍ଗଳାଙ୍କ ମନ୍ଦିର ଚୁଡାରେ ବନ୍ଧାହୁଏ ମା'ଙ୍କୁ ଶ୍ରୀମନ୍ଦିରରୁ ଆସିଥିବା ମହାପ୍ରସାଦ,ଚଢେଇନେଦା,

 ସୁଆରପିଠା,ଲଡୁ ସମର୍ପଣ କରାଯାଏ। ପୂଜା ସମାପ୍ତି ପରେ ସ୍ୱପ୍ନାବତୀ ମନ୍ତ୍ର ଜପ କରି ଚାରି ବାଡଗ୍ରାହୀ ସେବକ ଦେଉଳି ମଠରେ ରୋହିଣୀ କୁଣ୍ଡ ନିକଟରେ ଧ୍ୟାନରେ ବସନ୍ତି। ଯେ ପର୍ଯ୍ୟନ୍ତ ମା 'ଙ୍କ ଆଦେଶ ନ ମିଳିଛି ସେମିତି ଅପେକ୍ଷା କରି ରହନ୍ତି।

 ସ୍ୱପ୍ନରେ ମା ଦାରୁବିଷୟରେ ସଂକେତ ଦିଅନ୍ତି।ସେବକ ମାନେ ସଂକେତ ଆଦି ସମୀକ୍ଷା କରି ଯାତ୍ରା ଆରମ୍ଭ କରନ୍ତି।ଯେଉଁ ବୃକ୍ଷ ଗୁଡ଼ିକ ଚୟନ କରାଯାଏ ସେଇ ବୃକ୍ଷ ନିକଟରେ ମନ୍ଦିର,ଶ୍ମଶାନ, ମଠ କିମ୍ବା ତିନି ପଟେ ପାହାଡ଼ ଥିବା ଆବଶ୍ୟକ।ସେଥିରେ ବିଭିନ୍ନ ସାତ୍ତ୍ଵିକ ଚିହ୍ନ, କିମ୍ବା ଶଙ୍ଖ, ଚକ୍ର ଗଦା ପଦ୍ମ ଇତ୍ୟାଦି ଥିବ।ବୃକ୍ଷ ମୂଳରେ ସର୍ପ ବାସ କରୁଥିବ ଏବଂ ସେଇ ବୃକ୍ଷରେ ଚାରୋଟି ଶାଖା ଥିବ,ପକ୍ଷୀ ବସା ବାନ୍ଧି ନ ଥିବ।ଏଇ ସବୁ ଅଲୌକିକ ପୂର୍ଣ୍ଣ ସଙ୍କେତ ଥିଲେ ଏହା ଦାରୁ ଭାବେ ଚୟନ ହୁଏ। ସର୍ବ ପ୍ରଥମେ ଦଇତାପତି ସେବକମାନେ ଉତ୍ତମ ରୂପେ ଦାରୁ ଚିହ୍ନଟ କରିବା 

ପରେ ଦାରୁ ଛେଦନ ପ୍ରକ୍ରିୟା ଆରମ୍ଭ କରାଯାଏ।

  ସାଧାରଣତଃ ଯେଉଁ ନିମ୍ବବୃକ୍ଷରେ ପ୍ରଭୁଙ୍କର ବିଗ୍ରହ ନିର୍ମାଣ କରାଯାଏ ସେ ଗୁଡ଼ିକ ପୁରୁଷ ବୃକ୍ଷ ବୋଲି ମାନ୍ୟତା ଅଛି,ସେଥିପାଇଁ ଦାରୁ ଶକ୍ତ ଓ ସଳଖ ନିମ୍ବକୁ ଉପଯୋଗ କରାଯାଏ।

 ସେଇ ବୃକ୍ଷ ମାନଙ୍କୁ ପାଟ କନାରେ ଆବୃତ କରାଯାଏ। ବୃକ୍ଷ ମୂଳରେ ତିନିଦିନ ବ୍ୟାପୀ ଯଜ୍ଞକରା ଯାଇଥାଏ।ଯଜ୍ଞ ପରେ ବିଦ୍ୟାପତି ଙ୍କ ଦ୍ୱାରା ସୁନା କୁରାଢ଼ୀ ,ବିଶ୍ୱାବସୁଙ୍କ ଦ୍ୱାରା ରୁପା କୁରାଢ଼ୀରେ ସ୍ପର୍ଶ କରିବା ପରେ ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଛେଦନ କରାଯାଇଥାଏ।

  ତାପରେ ଦାରୁ ଗୁଡ଼ିକ ସଯତ୍ନେ ପାଟ ଦ୍ୱାରା ଆବୃତ୍ତ କରାଯାଇ ନୂତନ ଶଗଡିରେ ବାଟ ମଙ୍ଗଳା ଦେଇ ଶ୍ରୀକ୍ଷେତ୍ରକୁ ପ୍ରବେଶ କରିବାକୁ ହୁଏ।

    ଅଠରନଳା ଦେଇ ମା ଅଲାମ ଚଣ୍ଡୀଙ୍କ ପାଖରେ ବିଶ୍ରାମ ନେଇ ଦଇତା ସେବକମାନେ ଦାରୁଙ୍କୁ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ କୋଇଲି ବୈକୁଣ୍ଠ ଭିତରେ ସ୍ଥାପିତ ହୋଇଥିବା ଦାରୁନିର୍ମାଣ ଗୃହରେ ସଂସ୍ଥାପନ କରନ୍ତି।


     ସେଠାରେ ସ୍ନାନ ପୂର୍ଣ୍ଣିମା ଦିନ ସୁନାକୂଅ ଜଳରେ ଦାରୁମାନଙ୍କୁ ସ୍ନାନ କରାଯାଇଥାଏ କୋଇଲି ବୈକୁଣ୍ଠର ଦକ୍ଷିଣ ପୁର୍ବ କୋଣରେ ସ୍ବତନ୍ତ୍ରମଣ୍ଡପ ନିର୍ମାଣ କରାଯାଇ ସେଠାରେ ଅଙ୍କୁରାରୋପଣ ଯଜ୍ଞ କରାଯାଇ ମୂର୍ତ୍ତି ଗଠନ କାର୍ଯ୍ୟ ଶୁଭାରମ୍ଭ ହୁଏ। ଏହି ସମୟରେ ବିଶ୍ୱକର୍ମାମାନେ ୧୫ଦିନ ଗୋଟିଏ ଗୃହରେ ନିଷ୍ଠାର ସହ ରହି ନୂତନ ବିଗ୍ରହ ନିର୍ମାଣ କରି ଥାଆନ୍ତି।ନବ କଳେବର ଅଣସର ଘରେ ଶ୍ରୀ ଜୀଉ ମାନେ୧୫ଦିନ ପରିବର୍ତ୍ତେ ୪୫ଦିନ ରହି ଥାଆନ୍ତି ।ସେଇ ସମୟରେ ବାହାରୁ କାହାକୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ବାହାରେ ମଧ୍ୟ ରହି ନିହଣ ମୁଗୁର ଶବ୍ଦ ଶୁଣିବାକୁ ବାରଣ କରାଯାଏ।କୁହାଯାଏ ଏଇ ଶବ୍ଦ ଶୁଣିଲେ ମାନବ ବଧିର ହୋଇଯାଏ।


    ମୂର୍ତ୍ତି ନିର୍ମାଣ ପରେ ଆଷାଢ଼ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧ୍ୱଜା ତୋରଣ, ବେଦ,ଦଶ ଅସ୍ତ୍ର, ଅଷ୍ଟରୁଦ୍ର,ଅଷ୍ଟକ୍ଷେତ୍ରପାଳ,ଅଷ୍ଟନାରୀ, ଅଷ୍ଟନାଗ ପତ୍ନୀ,ଅଷ୍ଟଯୋଗିନୀ,ନବଦୁର୍ଗା,ତ୍ର୍ୟମ୍ବକ ଇନ୍ଦ୍ର ଆଦି ଦଶଦିଗପାଳଙ୍କ ପୂଜାବିଧି ଅନୁଷ୍ଠିତ ହୁଏ। ତା'ପର ଦିନ,ଅର୍ଥାତ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ଦିନ ନିଶାର୍ଦ୍ଧରେ ଅତ୍ୟନ୍ତ ଗୋପନୀୟ ଭାବେ ମହାପ୍ରଭୁଙ୍କର ଘଟ ପରିବର୍ତ୍ତନ ବା ବ୍ରହ୍ମ ପରିବର୍ତ୍ତନ ବିଧି କରାଯାଇଥାଏ।

   ଶୁଭ ସମୟ ଧାର୍ଯ୍ୟ କରାଯାଇ ନୂତନ ଓ ପୂରାତନ ବିଗ୍ରହଙ୍କୁ ଏକ ଧାଡିରେ ରଖାଯାଏ। ତିନିଜଣ ଦଇତା ସେବକଙ୍କ ହାତରେ ଓ ଚକ୍ଷୁ ରେ ପାଟକନା ଆବୃତ କରାଯାଇ ଥାଏ।ସମ୍ପୂର୍ଣ ଅନ୍ଧକାର ମଧ୍ୟରେ ବିନା ଦର୍ଶନ ଓ ସ୍ପର୍ଷନ ବିନା

ପୂରାତନ ବିଗ୍ରହରୁ ଵ୍ରହ୍ମ ପଦାର୍ଥକୁ ବାହାର କରାଯାଇ ଯଥାବିଧି ସ୍ନାନ,ଷୋଢ଼ସ ଉପଚାରରେ ପୂଜା ସମାପନ ପରେ ବ୍ରହ୍ମ ଦେହରେ ଯୁଈଫୁଲ

କସ୍ତୁରୀ,ଚନ୍ଦନ, ତୁଳସୀ ଆଦି ଦେଇ ଏହାକୁ ନୂତନ ବିଗ୍ରହ ମଧ୍ୟରେ ପତି ମହାପାତ୍ର ସ୍ଥାପନା କରନ୍ତି।ତା'ପରେ କୋଠ ସୁଆଁସିଆଙ୍କ ଦ୍ୱାରା ଖୋଳା ଯାଇଥିବା ଗର୍ତ୍ତ ମଧ୍ୟରେ ପୂରାତନ ବିଗ୍ରହଙ୍କୁ ରକ୍ତବସ୍ତ୍ରରେ ଆବୃତ ଏବଂ ରକ୍ତ ବସ୍ତ୍ରଶଯ୍ୟା ପ୍ରସ୍ତୁତ କରି ଗୋଲକବିଶ୍ରାମ ଦିଆଯାଏ,ବା ପାତାଳି କରାଯାଇଥାଏ ।

 ତତ୍ ପଶ୍ଚାତ ପାର୍ଶ୍ୱଦେବତା,ଘୋଡ଼ା, ଶୁଆ, ଧ୍ୱଜାଦଣ୍ଡ ,ମହାପ୍ରଭୁଙ୍କର ଖଟ ଶେଯ ଇତ୍ୟାଦି ସମସ୍ତ ପଦାର୍ଥ ପୋତି ଦିଆଯାଏ।

ଧର୍ମଶାସ୍ତ୍ରରେ ଗୋଲକବିଶ୍ରାମକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶିଆଳିଲତା ତଳେ ଅନ୍ତିମ ବିଶ୍ରାମ ସହ ସମନ୍ୱିତ କରାଯାଇଥାଏ।ବ୍ରହ୍ମ ସଂସ୍ଥାପନପରେ ବିଗ୍ରହଙ୍କ ସପ୍ତାଭରଣ କର୍ମ, ଖଲିପ୍ରସାଦ,ଶ୍ଵେତଅଙ୍ଗ ରାଗ

ଖଡ଼ୀଲାଗି, ବନକଲାଗି ଓ ପୂର୍ଣ୍ଣ ଶ୍ରୀଅଙ୍ଗଲାଗି

ହୁଏ।ଆଷାଢ଼ ଅମାଵାସ୍ୟାରେ ନେତ୍ରୋତ୍ସବ,ତା ପରଦିନ ନବଯୌବନ ଦର୍ଶନ, ଓ ଶୁକ୍ଳ ଦ୍ଵିତୀୟା ତିଥିରେ ଶ୍ରୀ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥାଏ।

      ଏ ସମସ୍ତ କାର୍ଯ୍ୟ ସମ୍ପାଦନ ପରେ ଦଇତାପତିମାନେ ବିଧି ମୁତାବକ ଶୁଦ୍ଧ ହୋଇ ଥାଆନ୍ତି।ହବିଷ୍ୟାନ୍ନ ଖାଇ ମାର୍କଣ୍ଡ ପୁଷ୍କରିଣୀ ରେ ଶୁଦ୍ଧିସ୍ନାନ କରି ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି।ତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇ ଆରମ୍ଭ ହୁଏ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବା ଘୋଷଯାତ୍ରାର ପ୍ରସ୍ତୁତି।



Rate this content
Log in

Similar oriya story from Classics